ଯୋଡି ନାଗରା
ଯୋଡି ନାଗରା


ଘିଅ ନିଆଁ ଏକାଠି ହେବେ !
ବାହାଘର ପୁର୍ବରୁ ପୁଅ ଝିଅ ଏକାନ୍ତରେ ମିଳିବେ !
କି ବେଲଜ୍ୟା କଥା। ଯୁଗ କଣ ହେଲା ବାହା ଘର ପୂର୍ବରୁ ଏକାନ୍ତରେ କଥା ହେବେ !
ଆମ ଆଖପାଖ ଲୋକେ ଫୁସୁରୁ ଫାସୁରୁ ହେଲେ। ଇନ୍ଦ୍ର ଶଚି ସହ ଏକାନ୍ତରେ ମିଳିବାକୁ ଚାହୁଁଛି !
କଣ କଥା ହେବ ! କାହିଁକି କଥା ହେବ ?
ଭାଇ ! ଯଦି ଜ୍ବାଇଁ ପୁଅ ଏଇଆ ଚାହୁଁଛନ୍ତି ତାଙ୍କୁ ଏ ସୁଯୋଗ ଦିଆ ଯିବା ଉଚିତ। ଏମିତିରେ ବି ତ ଏ ବିବାହ କେଉଁ ହେବ ବୋଲି ଆଶା ବାନ୍ଧିବା ? ଏପରି କରିବା ଦ୍ୱାରା ଯଦି ବିଗିଡି ଯାଉଥିବା ଶୁଭ ପରିଣୟ ଖୁସିରେ ହୋଇପାରେ।
ବିଧୁ ତୁ କଣ କହୁଛୁ ବୁଝି ପାରୁଛୁ ତ ?
ହଁ ଭାଇ ଭଲ ଭାବେ ବୁଝି ପାରିଛି ବୋଲି ତ ଇନ୍ଦ୍ରଙ୍କ ପ୍ରସ୍ତାବରେ ଏକମତ ହେଉଛି। ବିବାହ ଆସି ଶେଷ ପର୍ଯ୍ୟାୟରେ ଉପସ୍ଥିତ। ଯଦି ନ ହେବ ସାହି ଭାଇ ବନ୍ଧୁବାନ୍ଧବରେ ମୁହଁ ଦେଖେଇ ହେବ ! କେହି କେବେ ବୁଝିବେ କି ଆମ ଶଚି ଶୁଦ୍ଧ ସୁବର୍ଣ୍ଣ ! ବାହାଘର ଭାଙ୍ଗିବା ପାଇଁ ସମସ୍ତେ ତାକୁ ହିଁ ଦୋଷ ଦେବେ । ଏଣୁ ଇନ୍ଦ୍ରଙ୍କ କଥା ମାଣିନେବା ଭଲ ।
ଅନେକ ଦଳ ଚକଟା ପରେ ମୋତେ ଇନ୍ଦ୍ରଙ୍କ ସହ ଛାତ ଘରେ ପାଞ୍ଚ ମିନିଟ ପାଇଁ ଏକା ଛାଡିବାବୁ ବାପା ରାଜି ହେଲେ। ମୁଁ ଜାଣି ନ ଥିଲି ଆଗକୁ ମୋ ସହ କଣ ଘଟିବ। କିନ୍ତୁ ମନ କହୁଥିଲା ଯାହା ଘଟିବ ଠିକ୍ ହିଁ ହେବ। ଅନ୍ତତଃ ଇନ୍ଦ୍ର କଣ ଜାଣିହେବ । ତାଙ୍କୁ ଦେଖିଲା ପରେ ମୋ କୁଆରୀ ସୁଲଭ ଚଞ୍ଚଳ ମନରେ ପ୍ରେମ ଅଙ୍କୁରୋଦ୍ଗମରେ ଯେଉଁ ସବୁଜ ଛୋଟ ପତ୍ରଟିଏ କଅଁଳି ଥିଲା ତା ଦୁଇ ପତ୍ର ନ ହୋଇ ମଉଳି ଯିବ ଏବଂ ଆଗକୁ ମୋତେ ଅବସୋସ କରିବାକୁ ପଡିବ ନାହିଁ ।
ଛାତି ଉଠୁଥିଲା ପଡୁଥିଲା। ତଣ୍ଟି ଶୁଖି ଯାଉଥିଲା। ଚବିଶ ବର୍ଷ ପରେ ଜୀବନରେ ପ୍ରଥମ ଥର ଜଣେ ଭଲ ଭାବେ ଜଣା ନ ଥିବା ପୁରୁଷ ସହ କଥା ହେବାକୁ ଯାଉଥିଲି।
ନିଜକୁ ପ୍ରବୋଧନା ଦେଉଥିଲି ଯାହା ହେବ ଭଲ ହେବ। ଡରନି । ପ୍ରଶ୍ୱାସ ଭିତରକୁ ନେ ନିଃଶ୍ବାସ ବାହାର କର। ଏପରି କରି କରି ଛାତକୁ ଯାଉଥିଲି ବାପାଙ୍କର ସବୁଜ ସଙ୍କେତ ପାଇ। ଭୟ ଓ ବ୍ୟସ୍ତତାକୁ କାଖେଇ ଶିଡି ପରେ ମୁଁ ଚଢୁଥିଲି କି ମୋ ପାଦ କିଏ ଚଢେଇ ନେଉଥିଲା ବୁଝି ପାରୁ ନଥିଲି। କେତବେଳେ ଛାତରେ ପହଞ୍ଚି ଯାଇଛି। ଛାତ ଘରେ
ମୋତେ ଅପେକ୍ଷାରତ ଇନ୍ଦ୍ର ମୋତେ ଦେଖି ଘର ଭିତରକୁ ଟାଣି ନେଇ କହିଲେ ପାଞ୍ଚ ମିନିଟ ମାଗିଛି। ଏଥିରୁ ଗୋଟିଏ ସେକେଣ୍ଡ ଅଧିକ ନେବି ନାହିଁ। ମୋର ଗୋଟିଏ ପ୍ରଶ୍ନର ଉତ୍ତର ସତ ସତ ଦେଵ ବୋଲି ମୋର ବିଶ୍ୱାସ।
ମୁଁ ଭାବନା ଢେଉରେ ଭାସିଗଲି କିଛି କ୍ଷଣ। ଏବେ ଇନ୍ଦ୍ର ପଚାରିବେ ;ଶିତିକଣ୍ଠକୁ ତୁମେ ଜାଣ ?
ଚିହ୍ନିଛି କେବଳ।
ଚିହ୍ନିଛ !
ହଁ । ଥରେ ଶିତିକଣ୍ଠ ଗାଁ ଶିବ ମନ୍ଦିର ପିୟୁସୀଙ୍କ ସହ ଯାଇଥିଲି। ସେଠି ଜଣେ ଯୁବକ ମଣ୍ଡପ ଉପରେ ବସି ଦାନ୍ତ କିଲାଉଥିଲେ। ପିଉସୀ କହିଲେ, ଦେଖୁଛୁ ସେ ଟୋକା ଟା ବହୁତ ଗୁଡ଼େ କଣ ପଡିଛି। ଶୁଣା ଯାଉଛିଭଲ ଚାକିରୀଟିଏ କାଳେ ମିଳିଛି। କିନ୍ତୁ ଚରିତ୍ର ଭଲ ନୁହେଁ। ଏଠି ସେ ଭଗବାନଙ୍କ ଦର୍ଶନ ପାଇଁ ବସିନି । ସୁନ୍ଦରୀ ମାନଙ୍କ ଦର୍ଶନ ପାଇଁ ବସିଛି।
ବାସ୍ ଏତିକି ?
ହଁ। ସେଇଠି ଥରେ ଦେଖିଥିଲି। ଏବେ ଦେଖିଲେ ଚିହ୍ନି ପାରିବି କି ନା ସନ୍ଦେହ।
ସତ କହୁଛ ?
ଦେଖନ୍ତୁ ବିବାହ କରିବାକୁ ମୁଁ ଏତେ ଲାଳାୟିତ ନୁହେଁ। ସତ କହୁଛି କହିଲେ ଆପଣ ଯଦି ବିଶ୍ୱାସ ନ କରିବେ ତେବେ ? ବାହାଘର ଭାଙ୍ଗିଯିବ, ତ ଯାଉ। ମୁଁ ଆପଣଙ୍କ ଦୟାର ପାହାଡ଼ ତଳେ ଚାପି ହୋଇ ସାରା ଜୀବନ ତାନା ଶୁଣିବାକୁ ଚାହୁଁ ନାହିଁ। ଆଜିଠାରୁ ନିଷ୍ପତ୍ତି ନେଉଛି ଯେ ଜୀବନରେ କାହାକୁ ବିବାହ କରିବି ନାହିଁ। ଆପଣଙ୍କ ପାଞ୍ଚ ମିନିଟ ବୋଧେ ଶେଷ ହୋଇ ଯିବଣି। ମୁଁ ଏବେ ଆସୁଛି।
ଆରେ କଣ ଭାବନାରେ ବୁଡି ଖୁଣ୍ଟ ହୋଇଗଲଣି ?
ଚମକି ପଡିଲି । କି କି ବେକାର କଥା ଭାବୁଛି!
ଇନ୍ଦ୍ର ମୋ ହାତ ଧରି କହିଲେ, ତୁମକୁ ସନ୍ଦେହ କରି କିମ୍ବା କିଏ କଣ କହୁଛନ୍ତି ଶୁଣି ତୁମଠାରୁ କୈଫିୟତ ନେବାକୁ ଆସି ନାହିଁ। କେବଳ ଗୋଟିଏ ପ୍ରଶ୍ନ ଯିଏ ଯେତେ ଯାହା କହୁପଛେ ତୁମେ ମୋତେ ବିବାହ କରିବ ତ ? ମୁଁ ଜାଣିଛି ତୁମେ ଭଲ ଝିଅଟିଏ । ଇନ୍ଦ୍ର ପାଇଁ କେବଳ ଶଚି ହିଁ ଜନ୍ମିଛି।ବିବାହ ପରେ ଆମ ଘରେ କିଏ କେତେ କଣ କହିବେ। ସବୁ ହଜମ କରି ମୋ ହାତ ଧରି ଆଜୀବନ ମୋ ଜୀବନ ସାଥି ହେବ ?
ବିସ୍ମୟରେ ଇନ୍ଦ୍ରଙ୍କ ମୁହଁକୁ ଚାହିଁ ମୋ ଆଖିରୁ ଗଳି ପଡ଼ିଲା ସମୁଦ୍ର କେଇଟା। ସତରେ କେବଳ ନାମରେ ନୁହେଁ ମନରେ ଇନ୍ଦ୍ର ଏ ।
ଏପରି ପୁରୁଷ ଆମ ସମାଜରେ ଅଛନ୍ତି !!
ଫିକ୍ କିନା ହସି ବାହାରି ଆସିଲି ସେ ଘରୁ।
ଏବଂ ତାପରେ
ଯୋଡି ନାଗାରେ ପୁରି ଉଠିଲା ଆମ ଘର ଅଗଣା।