ପ୍ରେମ କଲେ ଏମିତି ଲାଗେ!
ପ୍ରେମ କଲେ ଏମିତି ଲାଗେ!


ପ୍ରେମ କଲେ ଏମିତି ଲାଗେ !
ଚମତ୍କାର ଏ ଅନୁଭବ !
ଏ ଅଦ୍ଭୁତ,ଅପୂର୍ବ ଅନୁଭବକୁ ପ୍ରକାଶ କରିବାକୁ ବିଲକୁଲ ସମର୍ଥ ନୁହେଁ ମୁଁ। ଯେଉଁ ସଂସାର ପ୍ରତି ବୀତସ୍ପୃହ ଥିଲି ତାହା ଆଜି ଏତେ ସୁନ୍ଦର ଲୋଭନୀୟ ଲାଗୁଛି! ଚାରିଆଡେ କେବଳ କଦମ୍ବ ଫୁଲର ହାଟ। ସମସ୍ତ ପକ୍ଷୀଙ୍କ ସ୍ୱରରେ କୁହୁ କୁହୁ ମଧୁର ସ୍ୱରର ମୂର୍ଚ୍ଛନା ଭିଜେଇ ଦେଉଛି ମନ ମସ୍ତିଷ୍କ । ସବୁ ଫୁଲ ବଉଳ ବଉଳ ବାସୁଛି । ହୃଦୟ ସବୁଜ ବଗିଚା ହୋଇ ଯାଉଛି। ଇଚ୍ଛା ହେଉଛି ସମୁଦ୍ରରେ ଚାଲିବାକୁ,ଆକାଶରେ ପହଁରିବାକୁ । ବୁଲି ବୁଲି ଗୀତ ଗାଇବାକୁ । ପ୍ରେମ ହେଲେ ସତରେ ଏପରି ହୁଏ !
ଜୀବନ ମୋ ଉପରେ ଅଜାଡି ଦେଇଥିବା ସମସ୍ୟା ଭିତରେ ଅନୁରଣିତ ହୋଇ ଉଠୁଛି ଅନୁରାଗ। ଏ ତୀବ୍ରତା ଏତେ ପ୍ରଖର ଯେ ଭସାଇ ନେଉଛି ମୋ ବୟସ,ପ୍ରତିଷ୍ଠା ଏବଂ ପରିଚୟ ! ସମୟ ତୁଠରେ ବୁଡାଇ ଦେଉଛନ୍ତି ପ୍ରବଣତାର ଭଉଁରୀ ।
ତେବେ କଣ ମୁଁ ପ୍ରେମରେ ଅଛି !
କାହା ପ୍ରେମରେ !
ଉନ୍ନତି ପ୍ରେମରେ ନୁହେଁ ତ !
କେତେ ଝିଅଙ୍କ ପ୍ରସ୍ତାବ ଆସିଲାଣି। ଦେଖା ସାକ୍ଷାତ ହେଲାଣି । କିନ୍ତୁ ଏଥରକ ଉନ୍ନତିକୁ ଦେଖି ମୋ ହୃଦୟରେ ଏକ ଅସମ୍ଭଵ ଧରଣର ଭୂକମ୍ପ !
ହଁ ଉନ୍ନତି ଭଲ ଝିଅଟିଏ। ଖୋଲା , ସଫା ,ସୁନ୍ଦର ଓ ସୁଶୀଳ । ମାର୍ଜିତ ତାର ବ୍ୟବହାର। ସମ୍ମୋହନ ଭରିଛି କଥାବାର୍ତ୍ତାରେ । ଝିଅଟି ପାଖରେ ଯାଦୁ ଅଛି। ଯେ କେହି ବଶ ହୋଇପାରେ ତା ମହୁଗୋଳା ମମତ୍ୱ ଭର୍ତ୍ତୀ ଆଚରଣ ଓ ଉଚ୍ଚାରଣରେ ।
ସବୁଠାରୁ ଆଶ୍ଚର୍ଯ୍ୟ ଏତେ ବର୍ଷ ବିଦେଶରେ ରହିବି ବି ପ୍ରଥା ପରମ୍ପରା ଠାରୁ ଦୂରେଇ ଯାଇନି। ସଂସ୍କୃତି ଓ ମାଟି ସହ ଜଡିତ ହୋଇ ଅଛି ! ଅନ୍ୟ କେହି ଥରେ ମାତ୍ର କିଛି ଦିନ ବିଦେଶରେ ରହି ଆସିଲେ ପୁରା ବଦଳି ଯାଆନ୍ତି । ଭାଉ ଆକାଶ ଛୁଇଁଯାଏ। କାହାକୁ ପାସାଙ୍ଗରେ ପକାନ୍ତି ନାହିଁ ।କିନ୍ତୁ ଉନ୍ନତି ଏସବୁର ଉର୍ଦ୍ଧ୍ବରେ। ଏତେ ମେଧାବିନୀ ବୋଲି ତ ସରକାରଙ୍କ ତରଫରୁ ବୃତ୍ତି ପାଇ ସ୍ପେନରେ ପଢିବାକୁ ଯାଇଛି ।
କେତେ ସୁନ୍ଦର ସେ ବି ଅଣ୍ଡରଷ୍ଟାଣ୍ଡିଙ୍ଗ ! ସମୀର ସ୍ଥାନରେ ରହି ତା କଥା ବୁଝିବାକୁ କହିଛି ! ଆଦେଶ ଦେଇଛି ନା ଅନୁରୋଧ କରିଛି !
ସମୀରକୁ ସେ କେମିତି ଜାଣିଲା ! ସମୀର ସହ ସେ ପରିଚିତ କି ! ଅଛି କିଛି ସମ୍ପର୍କ ତା ସହ ? ନା ମୋ ମୁହଁରୁ ସମୀର ନାଁ ଶୁଣି କହିଲା। ଦରଦୀ ,ବୁଝିବାର ଝିଅଟିଏ ନିଶ୍ଚିତ । ଏପରି ଝିଅ ଜୀବନ ସାଥୀ ହେବା ଈଶ୍ବରଙ୍କ ବରଦାନ କହିବା ।
ସେ ପାଷାଣ୍ଡ ବର୍ବର ସମୀର ମୋତେ ପ୍ରେମ କରିବା ଶିଖାଇଲା । ମୋ ଭଉଣୀ ମୁହଁରେ ହସ ମାଖିବ ଶପଥ କଲା । ମୋ ପାଖରେ ପ୍ରତିଟି ମୁହୂର୍ତ୍ତରେ ମୋ ସାଙ୍ଗ ନିହେଁ ମୋର ଶକ୍ତି ସାହସ ଭରସା ହୋଇ ରହିବ କହୁଥିଲା । କିନ୍ତୁ କଣ କଲା ? ମୋ ଭଉଣୀକୁ ପାଗଳ କରିଦେଲା ! ଅଭିନୟ କରୁଥିଲା କି ସେ ! ଗୁଡ୍ ବୁକ୍ ରେ ଆସିବା ପ୍ରୟାସ କରୁଥିଲା ବୋଧେ । ଧରି ପାଇଲିନି ତା ଚାଲ୍ । ସେ ଜାଲ ବିଛେଇଲା
ମୁଁ ନିର୍ବୋଧ ପରି ପଶିଗଲି ! ସେଥିରେ ତାକୁ ବୁଝିବି ,କ୍ଷମା କରିଦେବି ବୋଲି ଉନ୍ନତି କହୁଛି !
ଏଇ ଦେଖ ଆଗରେ ଆଜ୍ଞା ଆପଣ କହି ଉନ୍ନତି ପଛରେ ତାଙ୍କୁ ତୁ ତା କରୁଛି ! ମୁଁ ବି କଣ ଅଭିନୟ କରୁଛି? ସମୀର ପରି ଗୁଡ୍ ମ୍ୟାନ ହେବା ପାଇଁ ମୋର ଏ ଅଭିନୟ ନୁହେଁ ତ ! ସତରେ ଏ ସଂସାର ଗୋଟିଏ ମଞ୍ଚ ।
ଆରେ ସନ୍ଧ୍ୟା ପାଞ୍ଚଟା ହେବ ! ଉନ୍ନତି ବାଲେଶ୍ଵର ରେ ପହଞ୍ଚି ସାରିବଣି ଅଥଚ ଏଇ ଷ୍ଟେସନ ବେଞ୍ଚରେ ବସି ଖୁଣ୍ଟ ହୋଇ କେତେ କଣ ଭାବୁଛି !
ପଇଁତିରିଶ ବର୍ଷ ହେଲାଣି।କିନ୍ତୁ ବାଇଶି ବର୍ଷର ଯୁବା ପରି ହେଉଛି ! ମୋ ପରି ସମସ୍ୟାରେ ଛନ୍ଦି ହେବା ମଣିଷର ନା ପ୍ରେମ କରିବା ସୌଭାଗ୍ୟ ଅଛି ନା ଶାନ୍ତିରେ ଟିକେ ଭାବିବା ।
ମାଆ ଅପେକ୍ଷା କରିଥିବ। କାହା ହାତରେ ଖାଉ ନଥିବ । ପିଲା ପରି ହେଉଥିବ ।ମୁଁ ଯାଇ ଖୁଆଇ ଥାପୁଡ଼ାଇ ଦେଲେ ଶୋଇବ। ଭଉଣୀ କୁ ହସ୍ପିଟାଲରେ ଦେଖା କରିବାର ଅଛି। ଅଫିସରେ ବି ଏକ ଇସୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ରାସ୍ତା ନାହିଁ ରାସ୍ତା ମଜୁରୀ ପାଇଁ ଟଙ୍କା ମଞ୍ଜୁରୀ କରିବା ପାଇଁ ଉପରୁ ବାରମ୍ବାର ତାଗିଦା ଆସୁଛି। ନ ମାନିଲେ କୁଆଡେ ନାଇଁ କୁଆଡେ ପେଲି ଦେବେ। ମୋର ମାଆ ପାଖେ ବିଚି ପାଖେ ରହିବା ଅତ୍ୟନ୍ତ ଆବଶ୍ୟକ । ନା କର୍ମସ୍ଥଳୀ ନା ଜୀବନ କେଉଁଠି ମୋର ଶାନ୍ତି ନାହିଁ ।
ଫୋନ୍ ରିଙ୍ଗ୍ ହେଲା । ଓଃ ଏ ଫୋନ୍ ବି କମ୍ ଶତ୍ରୁ କି! ଏ ବି ଟିକେ ଶାନ୍ତିରେ ରଖାଇ ଦେଉନି। ୟାକୁ ଛାଡି କେଉଁ ରହି ହେଉଛି ?
ଉନ୍ନିତି ! ଉନ୍ନିତିର ଫୋନ୍ !
ଫୋନ୍ କୁ ଚୁମିଦେଲି।
ହାଲୋ ଉନ୍ନି ! ଭଲରେ ପହଁଚିଲ ତ ?
ହୁଁ । ତୁମ ପାଖେ ରହିଗଲା ମୋର ଗୋଟେ ଚିଜ।
ମୋ ପାଖେ ! କାଇଁ ନାଇଁ ତ ? ହୋଟେଲରେ ଛାଡ଼ିଗଲ କି !
ଚୋର ! ନିଜେ ତୁମେ ଲୁଚେଇ ଦେଇଛ।
ଚୋର ! ଏତେ ବଡ଼ ଅଫିସର ମୁଁ ଚୋରେଇବି।କଣ ମୋର କିଛି ଅଭାବ ଅଛି?
ହଁ ତୁମେ ଚୋର।
କଣ ଚାରି କରିଛି ?
ମୋ ମନ।
ଆଁ ,।