ନିଃସର୍ତ୍ତ ଓ ନିଃସ୍ୱାର୍ଥ ପ୍ରେମ
ନିଃସର୍ତ୍ତ ଓ ନିଃସ୍ୱାର୍ଥ ପ୍ରେମ


ଆଉ ନିଦ ହେଲା ନାହିଁ।
ରାତି ଆହୁରି ବାକି ଅଛି। ଏ ରାତି ଗୁଡ଼କାରେ ରୋଗ ହେଉ କି ଚିନ୍ତା ବେଶୀ ମାଡି ବସନ୍ତି କାହିଁକି !
ଯୁଆଡେ ଯାଏ ମୋ ସହିତ ଆଉ ଜଣେ ଥାଏ।
ଟାଣି ଆଣିଲି ତାକୁ। ସେ ମୋର ମୋ ମାଆ ପରେ ଦ୍ଵିତୀୟ ପ୍ରିୟତମ। ତା ସହ ମୁଁ ମୋ ଦୁଃଖ ସୁଖ ବାଣ୍ଟେ ।
ଯାହା ମାଧ୍ୟମରେ ମୁଁ ଚିହ୍ନିଲି ଜୀବନ,ଜୀଇଁବା,ଓ ଜଗତ।
ପିଲାଦିନୁ ଏକ ଅଦ୍ଭୁତ ସମ୍ମୋହନ,ଦୁର୍ବାର ଆକର୍ଷଣ ଏବଂ ପ୍ରଚଣ୍ଡ ଆଗ୍ରହ ମୋ ଭିତରେ ତା ପାଇଁ ଥିଲା।ସେ ମୋର ସବୁଠାରୁ ଉତ୍ତମ ବନ୍ଧୁ ଅଟେ।ତାକୁ ଛୁଇଁଲେ ଅପୂର୍ବ ଖୁସି ଟିକେ ଛୁଇଁଯାଏ ମୋତେ।ସବୁ ଭୁଲି ତାରି ଭିତରେ ହଜିଯାଏ।ମୁଁ ତାକୁ ଜଡେଇ ଧରେ ଛାତିରେ ସେ ମୋତେ ଜଗଡି ଧରେ ଖୁବ୍ ତା ଭିତରେ।ତାର ମୋର ବନ୍ଧନ ଅତି ସ୍ବର୍ଗୀୟ।ସେ ମୋର ଜୀବନର ବଡ଼ ନିଶା।
ଅବୁଝା ବୟସରୁ ମୁଁ ତା ପ୍ରେମରେ ।ନିହାତି ପିଲା ଦିନୁ ମୋର ତାକୁ ଆଣିବା,ଠୁଳ କରିବା ଗୋଟେ ଅହେତୁକ ଅଭ୍ୟାସ।ବାପାଙ୍କ ସହ ମାର୍କେଟ ଗଲେ ପ୍ରଥମେ ତାକୁ ଖୋଜେ।ଅନ୍ୟ ପିଲା ମାନଙ୍କ ପରି ଖେଳନା, ଖାଦ୍ୟ,କି ପୋଷାକ ସଉକ୍ ମୋର ନଥିଲା।ଥିଲା କିନ୍ତୁ ତା ପ୍ରତି ଆତ୍ମିକ ଉଦ୍ ବେଳନର ଦୁର୍ବଳତା ।ସେ ମୋର ଚିର ପ୍ରେମିକ ଓ ମୁଁ ତା ଚିର ପ୍ରେମିକ।
ଥରେ ଭାଇଙ୍କ ସଙ୍ଗେ ଦଶହରା ବୁଲି ଯାଇଥିଲି ଜଗତସିଂହପୁର ବଜାର।ଗୋଟିଏ ମନୋହରୀ ଦୋକାନ ଆଗରେ ଭାଇ ବସାଇ କେଉଁ କାମରେ ଆସୁଛି ବୋଲି କହିଲେ।ସେ ଦୋକାନରେ ଆମର ଜଣେ ଚିହ୍ନା ମାମୁଁ ସେଲସ୍ ମ୍ୟାନ୍ ଥିଲେ।ଭାଇଙ୍କ ଆସିବା ଡେରି ହେଲା।ମୋତେ ବସି ବସି ବୋର୍ ଲାଗୁଥାଏ।ଦୋକାନ ବୁଲିବୁଲି ସବୁ ଦେଖିଲି।ଦୋକାନ ପାଖକୁ ଲାଗି ଗୋଟେ ଘରେ ବହି ଗଦା ହୋଇଥିଲା।
ସୁଦୁ ବହି ରଙ୍କୁଣୀ ଟା। କେତେ ବହି ! ଘର ଭର୍ତ୍ତି ବହି ଗୁଡିକ ଦେଖି ମୋ ଆଖି ଖୋସି ହୋଇଗଲା । ମୋ ବୟସ ଓ ପୃଥିବୀ ଏତେ ଛୋଟ ଥିଲା ଯେ ଆକଳନ କରି ପାରିଲି ନାହିଁ ଦୁନିଆରେ ଏତେ ବହି ଥାଇ ପାରେ ! ଓଃ ମୋର କି ଖୁସି !
"ମାମୁଁ ସେ ବହି ଗୁଡିକ ଦେଖି ପାରିବି?"
ମାମୁଁ କହିଲେ ପୁରୁଣା ଚିରା ବହି ଗୁଡା,ଠୁଙ୍ଗା ହେବା ପାଇଁ ଆସିଛି। ଦେଖୁନୁ।
ସେଇ ବହି ଓ ମେଗାଜିନି ଗଦା ଭିତରେ ସେଦିନ ମୁଁ ନିଜକୁ ହଜାଇ ଦେଲିଥିଲି।ବାଛିଲି କେତେ ଇଂଲିଶ ଓଡ଼ିଆ ବହି। ଶହେ କି ଦୁଇଶହ ଖଣ୍ଡ ହେବ। ଯାହା ମୋତେ ଭଲ ଲାଗିଲା ଗଦା ଭିତରୁ ଟାଣି ବାହାର କଲା ବେଳେ ମୋ ଉପରେ ପାହାଡ଼ ଭଳି ବହି ଗୁଡା ଗଦା ହୋଇ ପଡ଼ିଲା ବେଳେ ଚିତ୍କାର ଛାଡ଼ିଲି " ବୋଉ ଲୋ ମରିଗଲି।"
ମାମୁ ଦୌଡ଼ି ଆସି ଦେଖିଲେ ବହି ଗଦା ତଳୁ ମୋ ଗୋଡ଼ ଦିଶୁଛି। ଆଉ ପାଞ୍ଚ ମିନିଟ୍ ଡେରି ହୋଇଥିଲେ ବହି ଗଦା ଭିତରେ ଅଣ ନିଃଶ୍ବାସୀ ହୋଇ ମରି ଯାଇଥାନ୍ତି। ମାମୁ ତାଙ୍କ ଦୋକାନର ପିଲାଙ୍କୁ ଡାକ ପକେଇଲେ। ସମସ୍ତେ ବହି ଗୁଡିକ କାଢି ମୋତେ ବାହାର କଲେ। ସେତେବେଳକୁ ଅଧା ମରା ହୋଇ ସାରିଥିଲି। ସାଙ୍ଗେ ସାଙ୍ଗେ ମୋତେ ସେଇ ପାଖରେ ଥିବା ମେଡ଼ିକାଲକୁ ନେଇ ଗଲେ। ମୋର ଚିକିତ୍ସା ହୋଇ ସ୍ୱାଭାବିକ ହେବାକୁ ଗୋଟିଏ ଦିନ ଓ ରାତି ଲାଗିଗଲା। ସେବେଠାରୁ ତାର ଓ ମୋର ଅଦ୍ଭୂତପୂର୍ବ ବନ୍ଧନ। ଅତି ଦୁଃଖରେ ମୁଁ ତାକୁ ନିହାତି ଖୋଜେ।
ପୁନର୍ଜୀବିତ ଆତ୍ମାକୁ ତ କେହି ହତ୍ୟା କରି ପାରେ ନାହିଁ,ରକ୍ତର ନଦୀ ବୁହାଇ ଦେଲେ ମଧ୍ୟ,ସତ୍ୟ ତା ମଧ୍ୟରେ ବୁଡି ଯାଇ ପାରେନା..." ପୃଷ୍ଠା ଖୋଲିଗଲା।
ଗର୍କିଙ୍କ ଓଡ଼ିଆ ଅନୁବାଦିତ 'ମାଆ' ବହି ! ବହିଟିକୁ ଦେଖି ମୋ ମାଆ ମନେ ପଡିଗଲା । ଆହା ମାଆ ସଭିଙ୍କ ସହ ଏପରିକି ବାପାଙ୍କ ସହ ଶତ୍ରୁତା କରି ଆମ ଦୁହିଁଙ୍କୁ ଗୃହ ପ୍ରବେଶ କରେଇଲା। ଜୀବନରେ ମୋରି ପାଇଁ ବାପାଙ୍କ ନିଷ୍ପତ୍ତି ବିରୋଧ କଲା। ଛିଃ ମୁଁ ସତରେ କୁଳାଙ୍ଗାର ; ବାପାମାଆଙ୍କ ମଧ୍ୟରେ ବି ମୋରି ଯୋଗୁଁ ଫାଟ ସୃଷ୍ଟି ହେଲା । ବାପା ସାରା ଜୀବନ ପାଇଁ ମାଆ ସହ ସମ୍ପର୍କ ତୁଟେଇ ଦେଲେ ବୋଲି କହିଥିଲେ। ସତରେ କଣ ବାପା ମାଆ ସହ କଥା ନ ହୋଇ ରହି ପାରୁଥିବେ ! ବାପା ତ ଅତି କ୍ରୋଧି ଓ ଜିଦିଆ। ଯାହା ବୁଝିଥିବେ ସେଇଆ । ମାଆ ମୋର କଣ କରୁଥିବ ବାପାଙ୍କ ସହ କିଛି ସମ୍ପର୍କ ନଥାଇ ! ବଂଚି ପାରୁଥିବ ତ !
ସମୟ ରାତି ଚାରି।
ଫୋନ୍ କରିବି ମାଆକୁ ! କାଳେ ଏଣୁ ତେଣୁ ଭାବି ଟିକେ ଆଖି ପତ୍ତା ଲାଗି ଯାଇଥିବ ! କାଳେ ମୋ ଫୋନ୍ ରିଙ୍ଗ୍ ତା ଶୋଇବାରେ ବ୍ୟାଘାତ ସୃଷ୍ଟି କରିବ ! ଫୋନ୍ କରିବି ନା ନାହିଁ ? ଆସିଲା ବେଳେ କହିଥିଲା ମୋ ରାଣ ଖା ମୋତେ ଫୋନ୍ କରିବୁ ନାହିଁ ସମୀ। ତୋ ଫୋନ୍ କରିବା ଜାଣିଲେ ନିଆଁରେ ଘିଅ ଢାଳିଲା ପରି ହେବେ ତୋ ବାପା ଓ ଭାଇ। ଅବସ୍ଥା ସୁଧୁରୀ ଗଲେ ମୁଁ ତୋ ସହ କଥା ହେବି। କିନ୍ତୁ ନିହାତି ନିଃସଙ୍ଗ ଲାଗୁଛି। ତୁ ଭାରି ମନେ ପଡୁଛୁ ମାଆ।
ଫୋନ୍ ରିଙ୍ଗ୍ ହେଲା। ଏତେ ରାତିରେ କିଏ ପୁଣି ଫୋନ୍ କଲା !
ଏଁ ମାଆ ର ଫୋନ୍ !
ମାଆ ତୁ ଅନ୍ତର୍ଯ୍ୟାମୀ କି ! ସତରେ ତୁ ଏ ସଂସାରର ମୋ ପ୍ରଥମ ଆଉ ଶେଷ ନିଃସର୍ତ୍ତ ଏବଂ ନିଃସ୍ୱାର୍ଥ ପ୍ରେମ ମାଆ।