ତୋତେ ଭଲ ପାଇବି ବୋଲି
ତୋତେ ଭଲ ପାଇବି ବୋଲି


ଦିତି ରୁ ଅଦିତି !!
ତୁ ଏମିତି କାହିଁକି କଲୁ !
ତୋତେ ଭଲ ପାଇବି ବୋଲି।
ଦିତି !
ଦୁନିଆଁ ଜାଣିନି କାହିଁକି ଅଦିତି ହିଁ ଦିତି!
କେମିତି କୁହନ୍ତି ? କହିଥିଲି ବାବାଙ୍କୁ। ସେ କଣ କହିଲେ ଜାଣୁ ?
ମହାନ୍ତି ଘର ପୁଅ ଗୋଟେ ଝିଅ ହୋଇ ଆସିଛି ?
ମୋ ପୁଅ ଦିତି ମରି ଗଲା ଜାଣି।
ପୁରୁଷତ୍ୱ ଉପରେ ବାବାଙ୍କର ଆଞ୍ଚ ଆସିଲା। କଟକ ଘରେ ଥରେ ବାବାଙ୍କୁ ଦେଖା କରିବାକୁ ଯାଇଥିଲି ।ମୋତେ ଦେଖି ସେ ନିଆଁ ହୋଇଗଲେ ।ଅସ୍ବୀକାର କଲେ ମୋତେ । ଦିତିକୃଷ୍ଣ ପୁଅ ତାଙ୍କର ମରି ଯାଇଛି କହିଲେ ଏବଂ ଘରୁ ତଡି ଦେଲେ। ଜୀଵ ଦଶାରେ କେବେ ତାଙ୍କୁ ମୁହଁ ଦେଖାଇବି ନାହିଁ କି ଲୋକ ଲଜ୍ୟା କରିବି ନାହିଁ ବୋଲି ମୋତେ ହାତ ଯୋଡିଲେ। ଲୋକେ କହିବେ କଣ ? ମହାନ୍ତି ଘର ପୁଅ ଗୋଟେ ଝିଅ ହୋଇ ଆସିଛି ? ମୋ ପୁଅ ଦିତି ମରି ଗଲା ଜାଣ।
କିନ୍ତୁ ତୁମ ମାଆ ? ତାଙ୍କର ଦୋଷ କଣ ? ସେ କି ବିକଳ ହୋଇ ଅପେକ୍ଷା କରିଛନ୍ତି ଜାଣନ୍ତି ? ମୋରି ହାତରେ ତୁମ ପ୍ରିୟ ଖାଦ୍ୟ ବି ଦେଇଥିଲେ । ଖାଦ୍ୟ କଣ ଆଉ ବର୍ଷ ବର୍ଷ ରୁହନ୍ତା ? କିନ୍ତୁ ଖାଦ୍ୟ ପ୍ୟାକିଂ ହୋଇଥିବା ପ୍ୟାକେଟ ଟି ଏବେ ଯାଏ ସାଇତିଛି ମୁଁ ।
ସଂଜୟ ବାବୁ ମାଆ ଜାଣିଛି ବାଙ୍ଗାଲୋରରେ ଥିଲା ବେଳେ ଥରେ ତା ସହ କଥା ହୋଇଥିଲି। ପ୍ରଥମେ ବାଙ୍ଗାଲୋର ରେ ଲେସ୍ ଭିଆନ୍ ଙ୍କ ପାଇଁ କାମ କରୁଥିଲି ।ଏଇ ଦୁଇ ବର୍ଷ ହେଲା ମାଙ୍କ ଆଶ୍ରିତ ହୋଇଛି।
ଓହୋ ସେଇଥିପାଇଁ ପାଇଁ ମାଉସୀ ମୋତେ ଦେଇଥିବା ଖାଦ୍ୟ ପୁଡ଼ିଆଟିରେ ବାଙ୍ଗାଲୋର ଲେଖିଥିଲେ ? ଥରେ ହେଲେ ମାଉସୀ ଙ୍କୁ ଦେଖା କରିବ ପ୍ଲିଜ୍।
ଖୁବ୍ ମନ ମାଆକୁ ଦେଖା କରିବାକୁ। କିନ୍ତୁ ମାଆ ବାବା ତାଙ୍କ ଦିତିକୁ ଖୋଜୁଛନ୍ତି ମୁଁ ଯେ ଅଦିତି । ସେମାନେ ମୋତେ ଗ୍ରହଣ କରିବାକୁ ନାରାଜ।
ଆଚ୍ଛା ତୁମେ ଏପରି ଗୋଟେ ନିଷ୍ପତ୍ତି କାହିଁକି ନେଲ ?
ସଞ୍ଜୟ ବାବୁ ! ପିଲାଦିନୁ ମୋର ଝିଅଟିଏ ହେବାକୁ ଇଚ୍ଛା ଥିଲା। ଏଇ ଆପଣଙ୍କ ମିସେସ୍ ଅରୁ ସହ ସାଙ୍ଗ ହେବି ବୋଲି। ପୁଅଟିଏ ଥିଲି ପୁଣି ମହାନ୍ତି ଘର। ମୋତେ ଅରୁ ସହ ମିଶିବାରେ ବହୁତ ବାରଣ ଥିଲା। କେତେ ଥର ମାଡ଼ ନ ଖାଇଛି। ଶୁଦ୍ର ଘର ଝିଅ ଅରୁଣିତା । ତା ବାପା ଜଣେ ଭାଗ ଚାଷୀ। ଗରିବୀ ଛାପ ତାଙ୍କ ଘର,ଶରୀର ଓ ମନରେ। ମୋ ବାପା ଜଣେ ଜମିଦାରୀ ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି। ନିଜ ଧନ ସମ୍ପତ୍ତି ଆଗରେ ଅନ୍ୟ ମଣିଷ ପୋକ ମାଛିଠାରୁ ବି ହିଁନ।
ମନକୁ ଗୋଟିଏ ଖିଆଲ ଆସିଲା ଝିଅଟିଏ ହୋଇଗଲେ ଅରୁ ସହ ସାଙ୍ଗ ହେବାରେ କାହାର ଆପତ୍ତି ରହିବ ନାହିଁ। ସେଇଥିପାଇଁ ତ କାନ୍ଥ ବାଡ଼ ବହି ଖାତା ସବୁବେଳେ ଅଦିତି ଲେଖୁଥିଲି।
ଦିତିରୁ ଅଦିତି ହୋଇ ତୁମେ କେତେ ଖୁସି ?
ଖୁସି !! ଅମାପ ,ଅକଳନ।
ଜାଣିଛ ଦିତିକୁ ଖୋଜି ଖୋଜି ଆମେ ପତିପତ୍ନୀ ଦୁଇଟି ପାଗଳ ହୋଇ ଯାଇଥିଲୁ । ଆମେ ଦିତିଙ୍କୁ ଖୋଜୁଛୁ ତାଙ୍କୁ ପାଆନ୍ତୁ କେଉଁଠି ? ଦେଖନ୍ତୁ ତ ଯାହା ପାଇଁ ନିଦ ହଜିଗଲା ସେ ଦିତି ନୁହଁନ୍ତି ଅଦିତି।
ଦୁଃଖିତ ! ମୋର ଅରୁକୁ ଜଣାଇଁ ବାର ଥିଲା ।
ସଞ୍ଜୟ ଦୀର୍ଘଶ୍ବାସ ଛାଡି କହିଲେ, "ବାପାମାନେ ଏମିତି ହୋଇ ପାରନ୍ତି ! ବଞ୍ଚି ଥାଉ ଥାଉ ନିଜ ପିଲାଙ୍କୁ ମାରି ଦିଅନ୍ତି !! "
ମୋ ଆଖି ଆଗରେ ଦିତିଟି ଖାଲି ଦିଶୁଥିଲା। କେଜାଣି ଅଦିତିକୁ ମୋ ମନ କି ହୃଦୟ ଗ୍ରହଣ କରି ପାରୁ ନଥିଲା।
ମୋ ଭାବନା ରେ ପୂର୍ଣ୍ଣଚ୍ଛେଦ ଟାଣି ଦିତି କହିଲା କଣ ଭାବୁଛୁ ଅରୁ ? ଆଉ କାହାକୁ ଡର ! ମୁଁ ପୁଅ ନୁହେଁ ଏବେ ଗୋଟିଏ ଝିଅ ।ମୋ ସହ ସାଙ୍ଗ ହେବାରେ କାହାର ଆପତ୍ତି ରହିବ ନାହିଁ।
ଦିତି ! କହି ମୁଁ ଜାଵ ପଡି ଯାଇଥିଲି ଅଦିତି ଭିତରେ। ଅଦିତି ଲୁହ ମୋ ପିଠି ଓ ମୋ ଲୁହ ତା ଛାତି ପିଉଥିଲା।
ତୁ କେବେ ଭାବି ନାହୁଁ ମୁଁ ତୋତେ ଖୁବ୍ ମନେ ପକାଉ ଥିବି ?
ଭାବେ ବୋଲି ତ ମାଆଙ୍କ ଶରଣ ନେଲି। ଅନ୍ତତଃ ତୋ ସହ ମୋର ଥରେ ଦେଖା ହେବା ଉଚିତ। ମୁଁ ଜାଣିଥିଲି ତୁ ଶ୍ରୀ ମାଆଙ୍କ ଭକ୍ତ ।କେବେ ନା କେବେ ଏଇଠିକୁ ଆସିବୁ । ମାଆ ନିଶ୍ଚୟ ତୋ ସହ ମୋର ଭେଟ କରାଇବେ।
ବହୁତ କଷ୍ଟ ତୁ ଦେଲୁ ରେ ଦିତି।
ମୁଁ ବି କମ୍ କଷ୍ଟ ପାଇ ନାହିଁ ତୁମ ସମସ୍ତଙ୍କ ଠାରୁ ନିଜ ପରିଚୟ ଗୋପନ ରଖି। ମୋତେ ଦିତି ନୁହେଁ ତୁ ମୋତେ ଅଦିତି ଡାକେ।
କିଛି ନ କହି ହସି ଦେଲି।ଦିତି ଆମର ବହୁତ ଚର୍ଚ୍ଚା କଲା । ।ଆମେ ଓଡିଶା ଫେରିଆସିଲୁ କିନ୍ତୁ ଭାରି ମନରେ । ଦିତି ଅଦିତି ହେବାରେ ମୋର ଆପତ୍ତି ନାହିଁ କିନ୍ତୁ ଦିତି ଯେ ମୋ ହୃଦ ସିନ୍ଦୁକରେ ବନ୍ଦୀ ।
ହୋଇ ଗଲାଣି ଅନେକ ବର୍ଷ । ଦିତି ତ ମିଳିଲା ନାହିଁ ତା ପରିବର୍ତ୍ତେ ଅଦିତି ମିଳିଲା ।କିନ୍ତୁ ରକ୍କା ଟିଏ କେଉଁଠି ମୋତେ ରୁକ ରୁକ ଯନ୍ତ୍ରଣା ଦିଏ ମୋ ପିଲାଦିନ ଓ ଦିତି କଥା ମନେ ପଡିଲେ।
ପ୍ରେମ ପାଇଁ ଅନେକ ତ୍ୟାଗର ଉଦାହରଣ ଅଛି।କିନ୍ତୁ ଭଲ ପାଇବ ବୋଲି ଦିତିରୁ ଅଦିତି କେତେ ଜଣ ହୋଇ ପାରନ୍ତି !