କଫି କପ୍
କଫି କପ୍


ଓଳେଇ ବିଲେଇ ପରି ହେଉଥିଲା ଜିଲୁ ।
ଇଲୋ ଏମିତି ଚୋରଙ୍କ ପରି କୁନୁ କୁନୁ କାଇଁ ହେଉଛୁ ?
ନାଇଁ ମାଆ ଦେଖୁଥିଲି ବାବୁ ,ସାନବାବୁ, ମାଆ ,ଲୋରା ଦି ଏବଂ ତାଙ୍କ ନିମନ୍ତ୍ରିତ ଅତିଥି ଖାଇ ସାରିଲେଣି କି ନାହିଁ ।
ତାଙ୍କ ଖାଇବା ସହ ତୋର କି ସମ୍ପର୍କ ଅଛି ? ସେଇଟା ମୋ କାମ । ତୁ ଯା ବୁଢା ବାବୁଙ୍କୁ ଦେଖା ଶୁଣା କରିବୁ। ବାବୁ ଦୟା କରିବାରୁ ବୁଢା ବାବୁଙ୍କୁ ଉଠା ବସା କରିବୁ ,ମେଡିସିନି ଦେବୁ ବୋଲି ରଖିଛନ୍ତି। ସାକ୍ଷାତ ଦେବତା ବାବୁ ।ନଲେ ଏତିକି କାମ ପାଇଁ ତୋତେ ଖୋଇ ପିଆଇ ପାଠ ପଢିବା ପର୍ଯ୍ୟନ୍ତ ନିଅନ୍ତେ । ମୁଁ ତ ମୁରୁଖ ଲୋକଟା । ବୁଢା ବାବୁଙ୍କୁ ପେପର୍ ,ଗପ ପଢ଼ି ତୁ ନଥିଲେ କଣ ଶୁଣେଇ ପାରୁଥାନ୍ତି ! ପୁଣି ଘଣ୍ଟାକୁ ଘଣ୍ଟା ମେଡିସିନି ଦିଆହେବ। ମୋତେ ତ ଠିକରେ ଓଡ଼ିଆ ପଢି ଆସେନି। ତୃତୀୟ ଯାଏ ସ୍କୁଲ ଯାଇଥିଲି କେବେ। କିଛି ଅକ୍ଷର ମୋର ଆଉ ମନେ ନାହିଁ ।ନାଁ ବଙ୍କା ଢଙ୍କା ଦସ୍ତଖତଟିକେବଳ କରି ପାରୁଛି । ବାବୁ ମାଆ ତ ବଡ଼ ଚାକିରିଆ। ପ୍ରାୟତଃ ରବିବାର ବି କାମକୁ ଯାଆନ୍ତି । ବୁଢାବାବୁ ପକ୍ଷଘାତରେ ପଡି କଥା କହି ପାରୁ ନାହାନ୍ତି କି ଚାଲି ବୁଲି ପାରୁ ନାହାନ୍ତି। ଘୁଅ ମୁତ ପୋଛିବାକୁ ଜଣେ ଲୋକ ବନ୍ଧା। ଆଖିକୁ ବି ଆଉ ଦିଶୁନି । କିନ୍ତୁ ବୁଢା ବାବୁ ପେପର୍,ପତ୍ରିକା, ଗଳ୍ପ ଓ ଉପନ୍ୟାସ ପଢିବାକୁ ଭାରି ଭଲ ପାଆନ୍ତି। ଏଇ କାମ ପାଇଁ ବାବୁ ଲୋକଟିଏ ଖୋଜୁଥିଲେ ।
ମୀରା ! ଗୋଟେ ଲୋକ ଯୋଗାଡ଼ କରନ୍ତୁନି ଯିଏ ବାପାଙ୍କୁ ନିୟୁଜ ସହ କିଛି ବହି ପଢି ଶୁଣାନ୍ତା ।
ବାବୁ, ଅନ୍ୟ କୁଆଡେ କାହିଁକି ଖୋଜିବି ଯଦି କୁହନ୍ତେ ...
କଣ କହୁନୁ ।
ବାବୁ !ପଇସା ଅଭାବରୁ ମୋ ଝିଅ ଜିଲୁ ପ୍ଲସ୍ ଟୁ ପାସ୍ କରି ଘରେ ବସିଛି ।ଭାରି ଭଲ ପଢେ। ବୁଢା ବାବୁଙ୍କୁ ସବୁ ପଢି ଶୁଣେଇବ, ମେଡ଼ିସିନ ବି ଠିକ୍ ସମୟରେ ଦେଇ ପାରିବ। ତାକୁ ଏ କାମଟି ଦିଅନ୍ତୁ ବାବୁ ।ପିଲାଟା ଦି ପଇସା ପାଇ ପଢି ପାରନ୍ତା ।
ବାବୁ ଖୁସି ହୋଇ ରାଜି ହେବାରୁ ତୁ ପଢି ପାରୁଛୁ।
ସବୁ କ୍ଳାସ କେଉଁ କରୁ ପାରୁଛି ? ବୁଢା ବାବୁଙ୍କୁ ସକାଳେ ମେଡ଼ିସିନ ଦେଇ କଲେଜ ଯିବି ଯେ ଗୋଟିଏ କି ଦିଟା କ୍ଳାସ କରି ନଥିବି ଦୌଡିବି ଗୋଟାରେ ମେଡିସିନି ଦେବାକୁ ।
ସେଇଥିପାଇଁ ତ ବାବୁ ତୋତେ ଗୋଟିଏ ସ୍କୁଟି କରି ଦେଇଛନ୍ତି । କେଉଁ ମାଲିକ ଏମିତି କରିବ ? ତୁ ତୋ କାମ ଓ ପଢ଼ାରେ ମନ ଦେ । ମୁଁ ମୋ କାମ ଠିକ୍ କରି ପାରିବି।
ଆଜି କେତେ ଲୋକ ! ଏତେ ବାସନ ତୁ ଏକା ମାଜି ପାରିବୁ ? ସାନ ବାବୁ ସ୍ୱଦେଶ ଇଞ୍ଜିନିୟରିଂରେ ଟପ୍ କରିଛନ୍ତି ବୋଲି ଘରେ ପାର୍ଟି ଚାଲିଛି । ତୁ କେମିତି ଏତେ ସବୁ ପାରିବୁ? ମାଆ ଗୋଟିଏ କଥା କହିବୁ ?
କଣ ?
ସମସ୍ତେ ଡ୍ରିଂକ୍ସ କରୁଥିଲା ବେଳେ ସ୍ବଦେଶ ସାନବାବୁ କଫି କାହିଁକି ପିଇଲେ ?
ଆଲୋ ହୁଣ୍ଡି ଆମ ସାନବାବୁ ହୀରା ଖଣ୍ଡେ। ଆଜିକାଲି ଯୁବକଙ୍କ ପରି ସେ ଆଦୌ ନୁହନ୍ତି । ଦେଖିନୁ କେଡେ ଘର ପୁଅ ଟିକେ ଗର୍ବ କି ଅହଂକାର ଅଛି ! ଭାରି ସୁଧାର ପିଲା । ସେ ସିନା କାହା କି କାର ଡ୍ରିଂକ୍ସ କରିବାରେ ଅଙ୍କୁଶ ଲଗେଇ ପାରିବେ ନାହିଁ ; ନିଜକୁ ତ ନିଶାରୁ ଦୁରେଇ ରଖି ପାରିବେ । ସେଥିପାଇଁ ସେ ପିଅନ୍ତିନି ।
ସତରେ ମାଆ ସାନ ବାବୁ ଯେତିକି ସରଳ ସେତିକି ସଂସ୍କାରୀ, ନୁହେଁ ?
ଆଲୋ ଝିଅ ସେମାନେ ବଡ଼ ଲୋକ ଯାହା ହେଲେ ବି ଭଲ।ତୁ ତୋ କାମରେ ଯାଆ ।ମୋ ହାତରୁ କାମ ହାଲକା କରିବାକୁ ଚାହୁଁଛୁ ଜାଣି ଖୁସି ଲାଗିଲା। ତୁ ସ୍ବଦେଶ ସାନବାବୁଙ୍କ ପରି ତୋ ପଢ଼ାରେ ଭଲ କରି ଦେଖେଇ ଦେଲେ ମୁଁ ଆହୁରି ଖୁସି ହୁଅନ୍ତି ବୁଝିଲୁ ।
ହେଉ ମାଆ ଚେଷ୍ଟା କରୁଛି।ତେଣିକି ଈଶ୍ୱରଙ୍କ ଇଚ୍ଛା। ମାଆକୁ ଏକଥା କହି ସିନା ଲେଭୁଇ ଦେଲି ମୋ ମନ ତ ଯାଇ ଗୋଟିଏ କଥାରେ ଠାକିଛି । ଭାରି ହଇରାଣ କରୁଛି ସେ କଥାଟା। ଖୁଆଇ ପିଆଇ କି ଶୁଆଇ ଦେଉନି ।ଯୁଆଡେ ଚାହଁ ସେଇ କଥା । ମନ ମୋର ବୋଲ ମାନୁନି । ଅସ୍ଥିର ହୃଦୟ । କାମ ଧନ୍ଦା ବି ଭୁଲ୍ ଭାଲ ହୋଇ ଯାଉଛି । ସତରେ ହୃଦୟଟି ଗୋଟେ ଅବାଧ୍ୟ ଅବୋଧ କିନ୍ତୁ ଫୁଲେଇ ଝିଅ ପରି।କିଛି ବୁଝୁନି । ଆରେ ବାବୁ ମୁଁ ଜଣେ କାମବାଲୀର ଝିଅ। ନିଜେ ଜଣେ ଚାକରାଣୀ ।ଅଥଚ ଦେଖ୍ କେମିତି ହେଉଛି !
ମାଆ ବାସନ ମାଜିବାକୁ ଗଦେଇ ଦେଇ ଟେବୁଲ ପୋଛିବାକୁ ଯାଇଛି । ଏଇ ସୁଯୋଗରେ ଛପିଛପି ଯାଇ ସାନ ବାବୁଙ୍କ କଫି କପଟିରେ ଲାଖିଥିବା ଟିପେ କଫି ପିଉଛି ତ ମାଆ ଜିଭ କାମୁଡି ପକେଇ କହିଲା, ଜିଲୁ ତୁ ଏ କଣ କରୁଛୁ !
ମୋ ସାଙ୍ଗ କହୁଥିଲା କାଳେ ଯାହାକୁ ଭଲ ପାଉଥିବ ତା ଅଇଁଠା ଖାଦ୍ୟ କି ପାନୀୟ ପିଇଲେ ପ୍ରେମ ବଢେ ?
ମା ଠାଏ କି ବ୍ରହ୍ମ ଚାପୁଡାଟିଏ ମୋ ଗାଲରେ ବସେଇ କହିଲା, ପାଗଳ ହୋଇଛୁଯାଇଛୁ ! ଚାଲି ଯାଅ ମୋ ଆଗରୁ ନଚେତ୍ ମାରି ମାରି ମାରିଦେବି ।
ଗାଲ ସିନା ଲାଲ ମନ କେଉଁ ମାନିଲା ! ସାନ ବାବୁଙ୍କ କଫି କପ୍ ଟି ଚୁନିରେ ଲୁଚେଇ ଏକ ମୁହାଁ ଦୌଡ଼ିଲି ଘରକୁ ।