ଉପସଂହାର
ଉପସଂହାର
ସେ ଗାର ଗାରିଆ କମ୍ବଳଟା କାହିଁ କୁଆଡେ ଦେଖାଯାଉନି l ଭଲ ଲାଗେନା...
ନିତିଦିନିଆ ଅଭ୍ୟାସରେ ପଡିଯାଇଥିଲେ ପରିବର୍ତ୍ତନକୁ ଆପଣେଇ ନୂଆଢଙ୍ଗରେ ଚାଲିବା ଖୁବ କଷ୍ଟକର ହୋଇପଡେ l
ତିନି ସପ୍ତାହ ତଳେ ଟାଣଖରା ଦେଖି ସୁଜାତାଙ୍କୁ ବ୍ୟସ୍ତ ନକରି ନିଜେ ହାତରେ ଧୋଇ ଶୁଖାଇଥିଲି ତାକୁ l ଅଫିସରୁ ଆସିଲାପରେ ଚାରିଚଉତା କରି କବର୍ଡରେ ରଖିଥିଲି l ପରେ କାହିଁ ଦେଖୁନି l ଭାରି ଚିଡିଚିଡି ଲାଗେ ଏମିତି ହେଲେ l
ମନେ ପଡୁଥିଲା ସ୍ତ୍ରୀ, ପୁଅଙ୍କୁ ନେଇ ମୁଁ ଗାଁକୁ ଯାଇଥିଲି l ମୋ ପୁଅ ଆଶୁକୁ ପାଞ୍ଚ ବର୍ଷ ହୋଇଥିବ l ସେ କମ୍ବଳ ବାପା ଘୋଡେଇ ହୋଇଶୁଅନ୍ତି l ଭାରି ପତଳା ଆଉ ମୁଲାୟମ ବୋଲି ଜେଜେଙ୍କ ସଙ୍ଗେ ଘୋଡେଇ ହୋଇ ଗପ ଶୁଣି ଶୁଣି ଶୁଏ ଆଶୁ l ପସନ୍ଦର ଜିନିଷଟିଏ ନିଜଲୋକଙ୍କୁ ଦେବାରେ କି ଆନନ୍ଦ? ଫେରିଲା ବେଳେ ବ୍ୟାଗରେ ଜାଗାନଥିଲା l ବଡ଼ଜରିରେ ତାଙ୍କ କମ୍ବଳକୁ ପ୍ୟାକକରି ଆଶୁକୁ ବଢ଼େଇଦେଲେ ବାପା l
ଫେରିଲାବେଳେ ଜେଜେଙ୍କୁ ଜାବୁଡିଧରି ଖୁବ କାନ୍ଦିଥିଲା ଆଶୁ l ବାପାବି ମଜା ମଜା କଥାକହି ଭେଳାଉଥିଲେ ତାକୁ .... ହେଲେ ମୁଁ ଦୂରରୁ ଠିଆ ହୋଇ ତାଙ୍କ ଅନ୍ତର କାନ୍ଦିବାର ଦେଖୁଥିଲି l ଜାଣିଥିଲି ସେ ସେଦିନ କିଛି ଖାଇବେନି l ମୁହଁ ଘୋଡେଇହୋଇ କାନ୍ଥକୁ ଆଉଜି ଶୋଇବେ l ଭାରି ଅଭିମାନିଆ ମୋ ବାପା l ତାଙ୍କ ଗେଲ୍ହା ନାତିକୁ ଜୀବନ କରିଥିଲେ l କଷ୍ଟତ ପାଇବେ l ମୁଁ ଡାକି ଡାକି ଆସିଲେନି l ସହରକୁ ଘୃଣା ନୁହେଁ, ଗାଁ ମାଟି ସଙ୍ଗେ ବେଶୀ ପ୍ରୀତି l
ସପ୍ତାହର ପ୍ରତି ରବିବାର, ଛୁଟିଦିନ, ପୂଜାପର୍ବ କି ଭଲମନ୍ଦରେ ମୁଁ ଗାଁକୁ ଫୋନକରି ବାପାଙ୍କୁ ଆଶୁ ସହିତ କଥା କରାଇଦିଏ l ଏହା ଭିତରେ ମୋର ବିଦେଶ ଆସିବା, ନୂଆ ଚାକିରୀ ଆଶୁର ନୂଆସ୍କୁଲ- ଏସବୁ ପରିବର୍ତ୍ତନ ସହ ତାଳମିଳାଇ ବଡହେଲା ଆଶୁ l ଓଡ଼ିଆ ଭାଷା ବ୍ୟବହାର କମ ହେତୁ ଫୋନରେ ବାପାଙ୍କସଙ୍ଗେ ଓଡିଆରେ ଆଉ କଥା ହେଇପାରିଲାନି l
ଔପଚାରିକତାର ଦୁଇତିନି ପଦ ଭିତରେ ସୀମିତ ହେଉଥିଲା ତା' କଥାବାର୍ତ୍ତା l
-ଜେଜେ, ନମସ୍ଟେ l ୱାଟସ ଅପ? ହ୍ୱେର ଇଜ ଆଈ? ୱାଟ୍ସ ଶୀ ଡୁଇଙ୍ଗ ନ୍ୟାଓ?
ମୁଁ ଅନୁଭବ କରି ପାରୁଥିଲି ଏ ସମୟର ଭୂମିକମ୍ପରେ ବାପା ବୋଉ ଓ ଆଶୁଙ୍କ ଭିତରେ ସୃଷ୍ଟି ହୋଇଥିବା ଏକ ବିରାଟ ଫାନ୍ଦକୁ l l ନିଜ ପାରୁ ପର୍ଯ୍ୟନ୍ତ ବାପା ଟାଣିଟୁଣି ହୋଇ ଓଡ଼ିଆକୁ ଇଂରାଜୀରେ ଅନୁବାଦ କରି କହୁଥିଲେ
- ଆଇ ଆମ ଫାଇନ, ଥାଙ୍କ ୟୂ l ଆଇ ଇଜ ଇନ ଦ ଠାକୁରଘର.... ଆଉ ନିଜ ଆଣ୍ଠୁଦରଜକୁ ଭୃକ୍ଷେପ ନକରି ଫୋନଧରି ଦରାଣ୍ଡୁ ଥିଲେ ଠାକୁର ଘର, ତଳ, ଉପର ବା ବାଡ଼ିପଟ ଖାଲି ବୋଉକୁ ଆଶୁର ସ୍ୱର ଶୁଣେଇବାକୁ l ବୋଉ ଖାଲି ହସୁଥିଲା ଆଉ ମୋ ଧନମାଳି, ମୋ ଗେଲ୍ହା ନାତିଆ କାହିଁ କହି ଗେଲ କରିପକାଉଥିଲା ଫୋନକୁ ଜାବୁଡି....ସେ ଜାଣିନଥିଲା ସେପଟୁ ଆଶୁ ଫୋନ ମୋତେ ଧରେଇ ତାର ଭିଡିଓଗେମ୍ ଖେଳୁଛି ବୋଲି l ସୁଜାତା ତାକୁ ଆଖି ଦେଖାଉଥିଲେ କଥାହୁଅ କଥାହୁଅ ବୋଲି l ସେ ବିରକ୍ତ ହେଇ ଯାଉଥିଲା l
ଆମେ ବିଦେଶରେ ଥିଲାବେଳେ ବୋଉ ଚାଲିଗଲା l ଭୁବନେଶ୍ୱରରେ ବଦଳି ହୋଇ ଆସି ରହିଲୁ ଗାଁ କୁ ଯାଇ ବାପାଙ୍କୁ ଦେଖିହେବ ବୋଲି l କିନ୍ତୁ କିଛିବର୍ଷ ପରେ ବାପା ବି ଚାଲିଗଲେ l
ବୋଉର ଅନୁପସ୍ଥିତି ହନ୍ତସନ୍ତ କଲା ବେଳେ ହଠାତ ବାପା ଚାଲିଯିବା ମୋ ପାଇଁ ଅସହ୍ୟ ଥିଲା l ବୟସର ଅଧିକ୍ୟ ଯୋଗୁଁନୁହେଁ ସେ ଚାଲିଗଲେ ଦୁଶ୍ଚିନ୍ତାରେ l ବୋଉର ଆମମାନଙ୍କୁ ଦେଖିବାକୁ ଝୁରିବା ଏବଂ ତା ଶେଷକୃତ୍ୟକୁ ଆମେ ଯାଇନପାରିବା ତାଙ୍କୁ ଖୁବ ବାଧିଥିଲା l ବାପା ଅଭିମାନ କରି ଆମଠୁ ଚାଲିଗଲେ ଦୁରକୁ l ଏପଟେ ଆଶୁ ବି ଟେକ ଆଡ଼ମିସନ ନେଇ ହଷ୍ଟେଲ ଚାଲିଗଲା l
ମୋର ଦୁନିଆ ଏବେ ସୁଜାତାଙ୍କ ଆଖ ପାଖରେ l ସେ ହି ମୋର ବର୍ତ୍ତମାନ l ତାଙ୍କର ମନର ସ୍ଥିତିକୁ ନେଇ ମୋ ଦୁନିଆଚାଲେ l ଟିକିଏ ମନ ଉଣା ହେଲେ ମୋ ଦୁନିଆ ଏପଟ ସେପଟ ହୋଇଯାଏ l ମୋ ସହ ବୟସର ପାହାଚ ଚଢି ଚଢି କର୍ତ୍ତବ୍ୟ ପଥରେ ଆଗକୁ ଚାଲୁଚାଲୁ ଆମେ ଦୁହେଁ ଥକିପଡିଲୁଣି l ପୁଅର ଦାୟିତ୍ୱ, ଘର, ବାହାର, ବନ୍ଧୁ କୁଟୁମ୍ବ -ଦୁହେଁ ମିଳିମିଶି ସବୁକୁ ବାଲାନ୍ସ କରିଚାଲିଥିଲୁ l କିଛି ସରାଗ, କିଛି ମନୋମାଳିନ୍ୟ କିଛି ବୁଝାମଣା କିଛି ରାଗ,ଅଭିମାନ - ଏମିତି ଖଟାମିଠା ଅନୁଭୂତିକୁ ନେଇ ଆମେ ବୈବାହିକ ଜୀବନର ସତେଇଶି ବର୍ଷ କଟିଗଲା l
ଆଜିକାଲି ଖୁବ ଉଦାସ ରହୁଛନ୍ତି ସୁଜାତା l ମୋ ଉପରେ କିଛି ଅକୁହାରାଗ l ମୌନ ପ୍ରତିଶୋଧ ନେଉଛନ୍ତି ଯେପରି l
କଥା କଣକି, ସ୍ୱର୍ଗଦ୍ୱାରରେ ମୋ ବାପାଙ୍କ ଅନ୍ତିମସଂସ୍କାର ଚାଲିଥାଏ l ମୁଁ ମୁଖାଗ୍ନି ଦେବାକୁ ମାନସିକରୂପେ ପ୍ରସ୍ତୁତ ହୋଇପାରୁନଥାଏ l ଅନତିଦୂରରେ ଦୂରରେ ଦୁଇ ମୃତକଙ୍କ ପାଖରେ ଗୋଟିଏ କୁନିଝିଅଟିକୁ ବସିଥିବାର ଦେଖିଲି l ସାତ ଆଠ ବର୍ଷର ହେବ ମାତ୍ର l ତା' ଦୁନିଆ ମୋ ପରି ଖିନଭିନ l ହୃଦୟ ଭିତରେ ଅସହ୍ୟ ଯନ୍ତ୍ରଣା l ହେଲେ ସେ ବ୍ୟସ୍ତ ହେଉନଥିଲା l ପଚାରିଲି ତା' ବିଷୟରେ l ଲୋକଟିଏ କହିଲା, ତା ବାପା ମା' ଉଭୟ କାଳେ ଦୁର୍ଘଟଣାରେ ଚାଲିଯାଇଥିଲେ l ପଡୋଶୀମାନେ ଦୟାପରବେଶ ହୋଇ କେବଳ ଅନ୍ତିମ ସଂସ୍କାର କାମଟି କରି ଯିଏ ଯେଝା ବାଟରେ ଚାଲି ଯାଉଥାନ୍ତି l ତାକୁ କେଉଁ ଅନାଥାଶ୍ରମରେ ଶେଷରେ ଛାଡିଯିବାପାଇଁ କଥାହେଉଥାନ୍ତି l
ହେଲେବି ସେ ଜୀବନ ଜିଁବାକୁ ଧର୍ଯ୍ୟ ସଂଗ୍ରହ କରିନେଇଥିଲା l ତା' ଠୁଁ ମୁଁ ସାହସ ଜୁଟାଇବା ଶିଖିଲି l ବାପାଙ୍କ ବିନା ଜିଁବାକୁ ହେବ ଯେମିତି ସେ ଛୁଆଟି ଜିଉଁଛି l
କାହିଁକେଜାଣି କେଉଁ ମାନସିକତା ମୋତେ ସେ ସମୟରେ କବଳିତ କରିଥିଲା, ତାକୁ ମୋ ସହ ଘରକୁ ଆଣିଆସିଥିଲି l
ହେଲେ ତାର ଆମ ସହିତ ରହିବା ଖୁବ କଟୁକର ହେଉଥିଲା ସୁଜାତାଙ୍କ ପାଇଁ l ଦିନେ ଅଫିସରୁ ଆସି ଦେଖିଲି ଖୁବ ଜୋରରେ ଗାଳି କରୁଛନ୍ତି ତାକୁ ସୁଜାତା l ସେ କାଳେ ଚୋରଣୀ l ଆଶୁର କମ୍ବଳ ଚୋରୀ କରିନେଇ ନିଜ ବସ୍ତାନିରେ ରଖିଥିଲା l
ହଁ... ଚୋରଣୀ ନୁହେଁତ ଆଉ କଣ? କମ୍ବଳ କାହିଁକି ସେ ମୋର ବହୁ ମୂଲ୍ୟବାନ ସମୟତକ ଚୋରେଇ ନେଉଥିଲା l ମୋଠୁଁ ସ୍ନେହ, ଆଦର ଆଉ ଦୟା ସବୁତ ଚୋରିକରି ନେଇଥିଲାସେ l ଆଶୁ ତ କେବଳ ବାହାନା l ନା ସେ ଖୋଜୁଥିଲା ସେ କମ୍ବଳକୁ ନା ବଞ୍ଚିଥିବାବେଳେ ଜେଜେଙ୍କୁ l
ସେଇଦିନ ଝିଅକୁ ନେଇ ସନ୍ଧ୍ୟା ସନ୍ଧ୍ୟା ବାହାରିପଡିଲେ ଅନାଥାଶ୍ରମ l ସେଠି ତା ରହିବା , ଖାଇବା ସୁବିଧା କରିଦେଇ ହାତଖର୍ଚ୍ଚ କିଛି ଆଉ ମଝିରେ ମଝିରେ ଦେଖା କରିବାକୁ କହି ମୁଁ ଚାଲି ଆସିଲି l ଝିଅଟି ଡେଇଁ ଡେଇଁ ଚାଲିଯାଉଥିଲା ତା'ସମ ବୟସର ପିଲାମାନଙ୍କ ସହ ଖେଳିବାକୁ l ତାର କିଛି ଫରକ ପଡ଼ୁ ନ ପଡ଼ୁ ମୋତେ ବହୁତ ବ୍ୟଥିତ କରିଥିଲା ଏ ଘଟଣା l ଢେରସମୟ ଘର ଆଗରେ ସେମିତି ସାଇଡରେ ପାର୍କକରି ଗାଡିରେ ବସିରହିଲି l ଘରକୁ ଯିବାକୁ ସେଦିନ କେଜାଣି କାହିଁ ଇଛାହେଲାନି l ଭାବିଲି ଝିଅଟିକି ଘରକୁ ଆଣିବା ନିର୍ଣ୍ଣୟ ମୋ ଭୁଲ ଥିଲା କି ଠିକ ଜାଣିନି l କିନ୍ତୁ ପରିବାରଟିଏ ଯେହେତୁ କରିଛି, ଏ ନିର୍ଣ୍ଣୟ ସହ ସମ୍ପୃକ୍ତ ପ୍ରତିଟି ସଦସ୍ୟଙ୍କୁ ପଚାରି କାମ କରିବାର ଥିଲା l ସୁଜାତା କଣ ଚାହାଁନ୍ତି? ସ୍ତ୍ରୀ ହିସାବରେ ମୋ ସ୍ନେହଉପରେ ସମ୍ପୂର୍ଣ ଅଧିକାର...ଏତିକି ତ? ତେବେ ଭୂଲ କାହାର? ଏଥିରେ ତ ଥିଲା ତାଙ୍କର ମୋତେ ନିରୋଳା ଭଲପାଇବା ଆଉ କିଛିନୁହେଁ l ମୋରହି ଭୂଲ l ମୁଁ ସୁଜାତା ଓ ସେ ଝିଅ ଦୁହିଁଙ୍କ ଆଗରେ ଦୋଷୀ l
ବହୁ ସନ୍ତର୍ପଣରେ ଘରକୁ ଆସିଲି l ନିଜଲୋକଙ୍କ ମୁହଁ ଶୁଖେଇବା ଦେଖିହୁଏନି l ସେ ସପ୍ତାହ ଭାରି କଷ୍ଟରେ କଟିଲା l ଭାବିଲି ଆଉ କେବେବି ପର ଚିନ୍ତା କରି ନିଜକୁ କି ସୁଜାତାଙ୍କୁ କଷ୍ଟ ଦେବିନି l
ଶନିବାର, ଛୁଟିଦିନ l ଟିକେ ସୁଖଦୁଃଖ ହେବାକୁ ସବୁକାମ ଛାଡି ମୁଁ ସୁଜାତାଙ୍କ ହାତଧରି ଭିଡି ନେଇଗଲି ଗାଡିକୁ l ଅଚାନକ ପୁରୀ ନେଇଯାଇ ସର୍ଵପ୍ରାଇଜ ଦେବି ବୋଲି ଭାବିଲି l ସନ୍ଧ୍ୟାବେଳ l ଜଗାଦର୍ଶନ ସାରି ବେଳାଭୂମି ଉପରେ ବସିଥାଉ ଦୁହେଁ l ହାଲକା ହାଲକା ପବନରେ ସୁଜାତାଙ୍କ ଭଉଁରୀ ଭଉଁରୀ କାଟି କୁଞ୍ଚିତ କେଶ ଗୋରା ତକତକ ମୁହଁଉପରେ ଅମାନିଆ ଛୁଆ ପରି ଖେଳୁଥାଏ l ତାଙ୍କ ପଥରବସା ନାକଫୁଲ ଚିକ ଚିକ କରୁଥାଏ ଅସ୍ତମିତ ସୂର୍ଯ୍ୟଙ୍କ ରକ୍ତିମ ପ୍ରତିଫଳନରେ l ମନେହେଲା ଯେମିତି ମୁଁ ବହୁତ ଦିନ ପରେ ତାଙ୍କୁ ଦେଖୁଛି l ପାଖେ ପାଖେ ଥାଇବି ବହୁତଦିନ ହେଲା କେବେ ମୁହାଁମୁଁହି ହୋଇ ନଥିଲା ପରି ଲାଗିଲା l ୟା'ଭିତରେ କେବେ ତାଙ୍କ ଆଖି ପାଖରେ ହାଲକା ହାଲକା ରେଖାସବୁ ସୃଷ୍ଟି ହେଲାଣି ମୋର ଏତେଟା ଧ୍ୟାନନାହିଁ l ଦୋକାନରୁ ବରା, ଇଡ଼ଲି ଆଉ ଚାହା ଦୁଇ ଗ୍ଲାସ ଆଣି ପାଖରେ ବସିପଡିଲି l
ତାଙ୍କ ହାତକୁ ଛାତିଉପରେ ଜାକି କହିଲି,
- ସୁଜାତା, ମନେଅଛି, ନୂଆ ନୂଆ ବାହାଘର ପରେ ତୁମେ ପ୍ରେସର କୁକରରେ ଇଡ଼ଲି ବସାଇ ଢାଙ୍କୁଣୀ ଦେଇ କେତେଟା ହୁଇସିଲ ଦେବ ବୋଲି ପଚାରିଥିଲ.....
ଫିକ କିନା ହସିଦେଲେ ସୁଜାତା l
- ହଁ, ମୁଁ ପଢୁ ପଢୁ ବାହା କରିଦେଲେ ଘରେ l ପିଆଜଟିଏ ବି କାଟି ଜାଣି ନଥିଲି l ବାପା ମୋ ଗାଲ ଚିପି ଧରି କୁଞ୍ଚକୁଞ୍ଚିଆ ଚୁଟିକୁ କୁଣ୍ଡେଇ କ୍ଲିପ ଲଗେଇ ଦିଅନ୍ତି ବହୁତ ବଡ଼ହେଲା ଯାଏଁ l ବହୁତ କେୟାରଲେସ ଥିଲି ମୁଁ l
ହସିଦେଲୁ ଦି'ଜଣ l ଇଛା ହେଉଥିଲା କହିବାକୁ ସେ ଏମିତି ହସୁଥାନ୍ତେ ଆଉ ମୁଁ ତାଙ୍କୁ ଦେଖୁଥାନ୍ତି... ବର୍ତ୍ତମାନକୁ ଆଦରି ନେବା...ଏଇ ତ ପ୍ରକୃତ ଜୀବନ l ବାକି ସବୁ ସ୍ବପ୍ନ
ପାଖ ଦୋକାନରୁ ଗୀତଟିଏ ଭାସି ଆସୁଥାଏ....
ସାଗର କିନାରେ, ଦିଲ ୟେ ପୁକରେ... ତୁ ଯୋ ନହିଁତୋ ମେରା କୋଇ ନହିଁହେ....
ସୂର୍ଯ୍ୟ ବୁଡିଯାଇଥିଲେ l ଢେଉମାନଙ୍କୁ ଚାହିଁ ପୁଣି କହିଲି,
- ଏ ନଈ ନିଜକୁ ସମୁଦ୍ରରେ ହଜାଇ ଦେଲାପରି ମୋ ପାଇଁ ତୁମେ ସବୁକିଛି ବଳିଦାନ ଦେଇଛ l କର୍ତ୍ତବ୍ୟପଥରେ ଚାଲୁ ଚାଲୁ ତୁମେ ନିଜକୁ ହଜେଇଦେଇଛ l କେବେ ତୁମେ ନିଜ ବାପା ମା' ଙ୍କ ଗେହ୍ଲିଝିଅଟିଏ ଥିଲ l କିଛି ଜାଣି ନଥିଲ l ଆଜି ମୋ ଦୁନିଆ ତୁମେ ସମ୍ଭାଳି ନେଇଛ l ମୁଁ ଅଜାଣତରେ ତୁମ ମନକୁ କଷ୍ଟ ଦେଇଛି l ମୋତେ କ୍ଷମା କରିଦେବ l ମୁଁ ଭ୍ରମରେ ଥିଲି l
- ଛଳ ଛଳ ଆଖିରେ ମୋତେ ଚାହିଁ କହିଲେ,
ସେମିତି କୁହନି l ତୁମକୁ ମୁଁ ଭଲକି ଜାଣେ l ତୁମେ ଅନ୍ୟପାଇଁ ନିଜକୁ ବଳିଦେବା ମୁଁ ଦେଖି ପାରେନି l
ସକାଳେ ମୋତେ ମୁଁ ଖୋଜୁଥିବା ଗାର ଗାରିଆ କମ୍ବଳଟି ଆଣି କହିଲେ,
- ମୁଁ ଲୁଚେଇ ଦେଇଥିଲି l ଜାଣିଛି ତୁମେ ସେ ଝିଅକୁ ନେଇ ଦେବାକୁ ଇଛା କରି ଧୋଇ ଶୁଖେଇ ଥିଲ l ଆଜି ଯିବା ତାକୁ ଦେଇ ଆସିବା l
ଦୁହେଁ ମିଶି କିଛି କଣ୍ଢେଇ, ସ୍ନାକ୍ସ ଆଉ ଡ୍ରେସ ସହ ତା ପସନ୍ଦର କମ୍ବଳ ଟି ନେଇ ଅନାଥାଶ୍ରମ ଗଲୁ l ମ୍ୟାନେଜର କହିଲେ, ବହୁତ ଡେରି ହେଇଗଲାଣି l ତା ମାମୁଁ ମାଇଁ ତା ଠିକଣା ଖୋଜି ଆସି ତାକୁ ନେଇ ଯାଇଛନ୍ତି l ସେ ଏବେ ତା ନିଜ ଲୋକଙ୍କ ସାଥିରେ ଖୁବ ଖୁସିରେଅଛି l
କହିଲେ ଆମେଦୁହେଁ ଅଯଥାରେ କୁଆଡେ ବ୍ୟସ୍ତ ହେଲୁ l
ସେଦିନ ଅନାଥାଶ୍ରମରେ ଅନ୍ୟ ପିଲାଙ୍କୁ ସେ ଜିନିଷ ବାଣ୍ଟି ଦେବାକୁ କହି ଆମେ ଆମ ପୁରୁଣା ଦୁନିଆକୁ ଫେରିଯାଉଥିଲୁ l କେବଳ ଅନୁଭୂତି କିଛି ରହି ଯାଇଥିଲା ହୃଦୟରେ l ସୁଜାତାଙ୍କ ମୋତେ ଏବଂ ମୋର ସୁଜାତାଙ୍କୁ ବୁଝିବା ଯେ ପରସ୍ପର ପ୍ରତି ସମ୍ମାନ ଓ ସ୍ନେହକୁ ଦ୍ବିଗୁଣିତ କରି ଦେଇଥିଲା l
ସେଦିନ ସୁଜାତା କହିଲେ, ଚାଲ କିଛି ମୁଭି ଦେଖିବା l ଆଜି ଭାରି ମନ ହେଉଛି ସାଙ୍ଗ ହୋଇ ମୁଭି ଦେଖିବାକୁ l ସେ ସନ୍ଧ୍ୟା ଦୁହେଁ ହସ ଲୁହ ଭରା ଚଳଚିତ୍ରଟିଏ ଦେଖିଲୁ l ଶେଷରେ ହିରୋଇନ ଆଉ ହିରୋ ଦୁହେଁ ମିଶିଯାଇଥିଲେ l ସୁଜାତା ଫେରିଲା ବେଳେ କହିଲେ ଷ୍ଟୋରୀରେ ମଝିରେ ମଝିରେ ବହୁତ କରୁଣ ଦୃଶ୍ୟଥିଲା l କିନ୍ତୁ କାହାଣୀ ଯାହାବି ହେଉ, ଉପସଂହାରଟିଏ ଭଲ ଯଦି ସବୁକିଛି ଭଲଲାଗେ l

