Suchismita Sahoo

Romance

3.5  

Suchismita Sahoo

Romance

ତୁମକୁ ପାରୁନି ତ ଭୁଲି (ଭାଗ-୧୬)

ତୁମକୁ ପାରୁନି ତ ଭୁଲି (ଭାଗ-୧୬)

5 mins
89



ମୁଁ (ପ୍ରିୟା) ପଛକୁ ବୁଲି ଦେଖିଲି, ଅମନ ବାଇକ ଧରି ଛିଡା ହେଇଛନ୍ତି। ରାଗ ଓ ଅଭିମାନ ଭରା ମୋ ମୁହଁକୁ ଦେଖି ଜୋରରେ ହସୁଛନ୍ତି। ତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଅମନ, ତୁମେ ଏଠି? ବମ୍ବେରୁ କେବେ ଫେରିଲ? ଭୁବନେଶ୍ୱରରେ କ'ଣ କରୁଛ? ଅମନ ମତେ କହିଲେ, ତୁମର ସବୁ ପ୍ରଶ୍ନ ସରିଲା ନା ଆଉ କିଛି ବାକି ଅଛି ? କ'ଣ ଏଇଠି ଠିଆ ଠିଆ କଥା ହେବା ନା କୋଉଠି ଟିକେ ବସିବା ? ମୁଁ କହିଲି, ତୁମକୁ ଆମ ହଷ୍ଟେଲ୍ ପାଖକୁ ନେଇ ପାରିବିନି। ହଷ୍ଟେଲ୍ ଅଧୀକ୍ଷକ ଦେଖି ଦେଲେ କଥା ସରିଲା, ଏମିତି ରେ ବି ସନ୍ଧ୍ୟା ୬ ଟା ବାଜିଲେ ଆମ ହଷ୍ଟେଲ୍ ଗେଟ୍ ବନ୍ଦ ହୋଇଯାଏ। ତେବେ କ'ଣ କରିବା ଆମେ? ଚାଲ, ଏଇଠି କିଛି ସମୟ ଛିଡା ହୋଇ କଥା ହୋଇଯିବା। ପ୍ରଥମେ କୁହ, ତୁମେ ଲଣ୍ଡା କାହିଁକି ହୋଇଛ? ଚୁଟି ଝଡୁଛି ନା କାହାକୁ ପାଇବା ମାନସିକରେ ମୁଣ୍ଡନ କରିଦେଲ, ଏମିତି କହି ମୁଁ ଜୋରରେ ହସି ଉଠିଲି। ଅମନ କହିଲେ, ହଁ ତୁମକୁ ପାଇବା ଆଶାରେ ମୁଁ ତିରୁପତି ଯାଇ ମୁଣ୍ଡନ କରିଛି। ଆମର ବିବାହ ହେଇଗଲେ ସାଙ୍ଗ ହୋଇ ଆମେ ତିରୁପତି ଯିବା, ଆଉ ଦୁହେଁ ମୁଣ୍ଡନ କରିଦେବା, ନା କଣ କହୁଛ ପ୍ରିୟା? ଅମନଙ୍କ କଥା ମତେ ଯମା ବି ଭଲ ଲାଗିଲାନି, ମୁଁ ପଚାରିଲି ଏମିତି କ'ଣ କହୁଛ ଅମନ? ସଙ୍ଗେ ସଙ୍ଗେ ସେ ଜୋରରେ ହସି ଉଠି କହିଲେ, ବାଃ ! ଏତିକି କଥାରେ ମୁହଁର ରଙ୍ଗ ଉଡ଼ିଗଲା? ତୁମ ମୁହଁ ଦେଖିବା ପରି ହେଇଛି ପ୍ରିୟା କହି ଆହୁରି ହସିଲେ। ତାଙ୍କ ହସ ଦେଖି ମୁଁ ମୁହଁ ମୋଡି ପୁଣି କଲେଜ୍ ଆଡେ ଚାଲିବାକୁ ଲାଗିଲି। ସେ ମୋ ପଛେ ପଛେ ପ୍ରିୟା ପ୍ରିୟା ଡାକି ମୋ ପାଖେ ପହଞ୍ଚି କହିଲେ ଟିକେ ଚିଡାଉଥିଲି ତୁମକୁ, ତୁମକୁ ଚିଡ଼େଇବାକୁ ଭାରି ଭଲ ଲାଗେ। ହଉ ହେଲା ଆଉ ରାଗନି, କହୁଛି ଶୁଣ। ଆଜକୁ ଦଶଦିନ ହେଲା ଅଜାଙ୍କର ଦେହାନ୍ତ ହୋଇଯାଇଛି, ଆଜି ତାଙ୍କର ଶୁଦ୍ଧିକ୍ରିୟା ଥିଲା। ସେଥିପାଇଁ ମୁଁ ଲଣ୍ଡା ହୋଇଛି, ମୁଁ ଏବେ ସିଧା ସେଇଠୁ ଫେରୁଛି। ମମି ଓ ଡାଡି ବି ଆସିଛନ୍ତି ଜାପାନରୁ। ସେମାନେ ଏଯାଏଁ ମାମୁଁଙ୍କ ଘରେ ଅଛନ୍ତି, ଆଉ ୪-୫ ଦିନ ରହି ଜାପାନ୍ ଫେରିଯିବେ। ମୁଁ କାଲି ଅପରାହ୍ନ ୩ଟାରେ କୋଣାର୍କ ଏକ୍ସପ୍ରେସରେ ବମ୍ବେ ଫେରିଯିବି। କାଲି ସକାଳେ କିଛିଟା ଜିନିଷ କିଣିବାର ଅଛି ଭୁବନେଶ୍ୱରରୁ। ଓଡିଶା ଜିନିଷର ବାସ୍ନା ବମ୍ବେରେ କେଉଁଠି ମିଳୁଛି ଆଉ? ତେଣୁ ଆଜି ମାମୁଁଘରୁ ଫେରିଆସି ଭୁବନେଶ୍ୱରରେ ଗୋଟେ ହୋଟେଲରେ ରହୁଛି। ପ୍ରିୟା, ତୁମେ ଯଦି ଖରାପ ନ ଭାବିବ, ତେବେ ମୋ ସାଙ୍ଗେ ହୋଟେଲକୁ ଆସ, ମନଭରି ବସି କଥା ହେବା, କାଲି ବଜାରରୁ ସାଙ୍ଗ ହେଇ ଜିନିଷପତ୍ର କିଣାକିଣି କରିବା। କଣ କହୁଛ ପ୍ରିୟା? ତୁମେ କାଲି ଫାଙ୍କା ଅଛ ତ? ଅମନଙ୍କ କଥା ଶୁଣି ମୁଁ ଟିକେ ଭାବନାରେ ପଡ଼ିଗଲି, କ'ଣ କରିବି ଜାଣିପାରୁନଥିଲି। ଭାବୁଥିଲି, ବିନୋଦ ମଉସା ତ ଯାଇ ଅମନଙ୍କ ମାମୁଁ ଘରେ, ଯିବାରେ ଅସୁବିଧା କ'ଣ? ଏମିତିରେ ବି ଅମନ ମୋ ପିଲାଦିନର ସାଙ୍ଗ, ବହୁତ ଭଲ ସେ, କେତେଦିନ ହେଲା ତାଙ୍କ ସହ ଭଲସେ କଥା ହେଇନି, କେତେ ବର୍ଷପରେ ଆମର ଆଜି ଦେଖା ହୋଇଛି। ମୋର ଯିବା ଉଚିତ ଭାବି ମୁଁ ହଁ ଭରିଲି ଆଉ ହଷ୍ଟେଲକୁ ନ ଯାଇ ଅମନଙ୍କ ବାଇକ ପଛରେ ବସି ତାଙ୍କ ସହ ହୋଟେଲକୁ ପଳେଇଲି। ହେଲେ ମୋର ଦୁର୍ଭାଗ୍ୟ, ସେଠି ବିନୋଦ ମଉସା ଥିଲେ, ତାଙ୍କୁ ଦେଖି ମତେ ଯେମିତି ହୃଦଘାତ ହେଲା ପରି ଲାଗିଲା। ହାତର ଘଡି ଦେଖିଲି, ସନ୍ଧ୍ୟା ୬:୨୫, ମାନେ ହଷ୍ଟେଲକୁ ଯିବାର ରାସ୍ତା ବନ୍ଦ। ଏବେ ଯଦି ଯିବି, ଏତେ ଲେଟରେ କାହିଁକି ଫେରିଛି କହି ସେ ଓ୍ବାଡ଼ନ୍ ବୁଢୀ ଗାଳି କରିବ, ଘରକୁ ଫୋନ୍ କରି କହିଦେବ, ମା ବି ଗାଳି କରିବ। ଏ ସବୁ ଭାବି ମୁଁ ଉପାୟଶୂନ୍ୟ ହେଇ ଅମନଙ୍କୁ ଚାହିଁଲି। ଅମନ ମତେ ସାନ୍ତ୍ବନା ଦେଇ କହିଲେ, ବ୍ୟସ୍ତ ହୁଅନି, ତୁମ ପାଇଁ ଆଉ ଗୋଟେ ରୁମ ମୁଁ ବୁକ କରିଦେଇଛି, ତୁମେ ସେ ରୁମରେ ରହିବ ଆଉ ବାପା ଆଉ ମୁଁ ଏ ରୁମରେ। ଡାଡି ତ କହୁଥିଲେ, ସେ ୪-୫ ପରେ ମମିଙ୍କ ସଙ୍ଗେ ଫେରିବେ, ହେଲେ ହଠାତ ଏମିତି ଆସିଯିବେ ବୋଲି ମୁଁ ଭାବିନଥିଲି। ବିନୋଦ ମଉସା ମତେ ଦେଖି, ଆରେ ପ୍ରିୟା, ତୁ? ତୁ ଏଠିକି କେମିତି ଆସିଲୁ? ଆ ମା ଆ, ଏଇଠି ବସ୍, କେତେ ବଡ଼ ଟେ ହେଇଗଲୁଣି ରେ ତୁ। ବୟସ ବଢ଼ିବା ସହ ତୁ ଆହୁରି ସୁନ୍ଦରୀ ହୋଇଯାଇଛୁ। ମଉସାଙ୍କ କଥା ମୋ ଦେହରେ କଣ୍ଟା ପରି ଫୋଡି ହୋଇଯାଉଥିଲା, ଛିଃ, ଟିକେ ବି ବଦଳିନାହାନ୍ତି, ଏମିତି ଅଭଦ୍ର ଲୋକଟା। ରାଗରେ ମୁଁ ତାଙ୍କୁ ପ୍ରଣାମ ବି କଲିନି। ସେ ଯେତିକି ପଚାରୁଥାନ୍ତି ମୁଁ ଖାଲି ହଁ ଆଉ ନା ରେ ଉତ୍ତର ଦେଉଥାଏ। ସେ ଅମନକୁ କହିଲେ, ବାପାରେ ତୁ ଗୋଟେ କାମ କରେ, ବାହାରକୁ ଯାଇ ଆମ ସମସ୍ତଙ୍କ ପାଇଁ ରାତି ଖାଇବା ପ୍ୟାକ କରି ନେଇଆ, ସମସ୍ତେ ସାଙ୍ଗ ହେଇ ଆଜି ଖାଇବା। ଶୁଣେ, ଝିଅଟା ମୋର ଭାରି ଆମିଷ ପ୍ରିୟ, ଠିକ୍ ତା ବାପାଙ୍କ ପରି। ତନ୍ଦୁରି ଚିକେନ୍ ଆଣିବୁ ତା ପାଇଁ, ହେଲା। ଅମନ କହିଲେ, ଡାଡି, ବାହାରକୁ କାହିଁକି ଯିବି? ଏଇ ହୋଟେଲରେ ଖାଇବା ମିଳିଯିବ, ମୁଁ ପ୍ରିୟାଙ୍କ ପାଇଁ ସଙ୍ଗେ ସଙ୍ଗେ କହିଦେଇ ଆସୁଛି। ମଉସା ମିଛରେ କହିଲେ, ନା ନା ସେମାନେ ଦେବେନି, ମୁଁ ପଚାରି ବୁଝିଛି। ତୁ ବରଂ ବାହାରକୁ ଯାଇ ଆଣିଦେ, ଆଉ ସନ୍ଧ୍ୟା ବେଳୁ କଣ ଭାତ, ରୁଟି ଖାଇବାକି ଆଉ, ତୁ ୩ଟା ଚିକେନ୍ ରୋଲ ନେଇକି ଆସେ ଗ୍ରୀନ୍ ଚିଲିରୁ। ମୁଁ ଅମନଙ୍କୁ ରୋକିବାକୁ ଯାଇ କହିଲି, ନା ଆଜି ମୋର ଚିକେନ୍ ଖାଇବାକୁ ଇଚ୍ଛା ନାହିଁ। ତୁମେ ବାହାରକୁ ଯାଅନି। ହେଲେ ମଉସା କଳେବଳେ କୌଶଳେ ଅମନଙ୍କୁ ବାହାରକୁ ପଠେଇଦେଲେ। ଅମନ ଯିବା ପରେ ମତେ ପଚାରିଲେ, ମା ଗୀତ ଶୁଣିବୁ?, କହି ଉଚ୍ଚସ୍ବରରେ ଗୀତ ବଜେଇଦେଲେ। ମୋ ଛାତି ସେତେବେଳକୁ ଧଡ଼ଧଡ଼ ହେଲାଣି। ସେତେବେଳେ ସିନା ମୁଁ ଛୋଟ ଥିଲି, ହେଲେ ଏବେ ମୁଁ ଯୁବତୀ, ଯୌବନର ଢେଉ ମୋ ଦେହରେ ଖେଳୁଛି। ମୋ ପାଖକୁ ମଉସା ଆସି କହିଲେ, ଆଜି ବଢିଆ ଚୁଡିଦାରଟେ ପିନ୍ଧିଚୁରେ ମା। ଏଇ ରଙ୍ଗଟା ତତେ ଭାରି ଭଲ ମାନୁଛି, ମୁଁ ତୋ ପାଇଁ ଏଇ ରଙ୍ଗର ଆଉ ନୂଆ ଡ୍ରେସ କିଣିଦେବି କହି ମୋ ବେକ ପାଖେ ହାତରଖିଲେ। ମୁଁ ତାଙ୍କ ହାତକୁ ଛାଟି ଦେଇ ଦୌଡ଼ିବାକୁ ଚେଷ୍ଟା କରିଲା ବେଳକୁ, ସେ ଯାଇ କବାଟ ଭିତରୁ ବନ୍ଦ କରିଦେଲେ। ମୋ ହାତକୁ ବାନ୍ଧି ଦେଇ ରାକ୍ଷାସ ଭଳି ମୋ ରକ୍ତ ପିଇଗଲେ, ଭୋକିଲା କୁକୁର ଭଳି ଝୁଣି ଖାଇଦେଲେ ମତେ, ଏତେ ବର୍ଷର ତାଙ୍କ ଅତୃପ୍ତ ଭୋକଶୋଷକୁ ସେ ମେଣ୍ଟାଇଦେଲେ। ଅମନଙ୍କୁ କ'ଣ କହିବା ଡରରେ ବୋଧହୁଏ, ସଙ୍ଗେ ସଙ୍ଗେ ମୋ ଦେହରେ ମୋ ଓଢଣୀକୁ ଘୋଡେଇ ଦେଇ ହୋଟେଲର ପଛ ଗେଟ୍ ଦେଇ ଗୋଟେ କାର ରେ ବସେଇ ଗାଡି ଷ୍ଟାର୍ଟ କଲେ। କାର୍ ଆମ କଲେଜ ବାଟ ଦେଇ ଗଲାବେଳେ ଦେଖିଲି କଲେଜ ସାମ୍ନାରେ ଆକାଶ କାହାକୁ ଅପେକ୍ଷା କରି ଛିଡା ହେଇଛନ୍ତି, ବହୁତ ବ୍ୟସ୍ତବିବ୍ରତ ଲାଗୁଥିଲେ ସେ। ମୁଁ ସନ୍ଧ୍ୟା ସୁଦ୍ଧା ପହଞ୍ଚିବି ବୋଲି ତାଙ୍କୁ ଜଣେଇଥିଲି, ହେଲେ ଆକାଶଙ୍କୁ ଦେଖା ନକରି ମୁଁ ଇଆଡ଼େ ପଳେଇ ଆସିଥିଲି, ଆକାଶ ବୋଧହୁଏ ମତେ ଅପେକ୍ଷା କରିଛନ୍ତି। ମୁଁ କାର ଭିତରୁ ଜୋରରେ ଚିଲେଇ ଉଠିଲି ଆକାଶ!, ଆକାଶ! ମତେ ବଞ୍ଚାଅ ଆକାଶ। ଆକାଶ ସଙ୍ଗେ ସଙ୍ଗେ କାରର ପିଛା କରି ଶେଷରେ ଖଣ୍ଡଗିରି ପାଖେ ଆମ କାରକୁ ଧରିପାରିଲେ। ସେଠି ଆକାଶ ଆଉ ମଉସାଙ୍କ ମଧ୍ୟରେ ବହୁତ ମାଡ଼ ପିଟି ହେଲା। ହେଲେ କାରର ଡ୍ରାଇଭର ପଛପଟୁ ଆକାଶଙ୍କ ପିଠିରେ ଛୁରି ଭୁସିଦେଲା, ତାପରେ ମଉସା ଆଉ ସେ ଡ୍ରାଇଭର ମିଶି, ଆକାଶଙ୍କୁ ଧାରୁଆ ଭୁଜାଲିରେ ଆଘାତ ପରେ ଆଘାତ କରିଚାଲିଲେ ଆଉ ସେ ଆଘାତରେ ଆକାଶ ....। ଏତିକି କହି ବହୁତ ଜୋରରେ କାନ୍ଦି ଉଠିଲା ପ୍ରିୟା। କାନ୍ଦୁ କାନ୍ଦୁ କହୁଥିଲା, ସେମାନେ ମତେ ବି ସେଇଠି ସେମିତି ପିଙ୍ଗି ଦେଇ ଚାଲିଗଲେ। ତାପରେ ନିଜ ଲୁହ ପୋଛି ମତେ ପଚାରିଲା, ଏବେ ତୁ କହ ସୁ, ଦଣ୍ଡି ପାରିବୁ ତାଙ୍କୁ? ଶାନ୍ତି ମାଉସୀ ଆଉ ମଉସାଙ୍କ ଜୀବନରେ ଝିଅର ଅଭାବକୁ ଦୂର କରି ତାଙ୍କ ଘରକୁ ଗୋଟେ ଖୁସିର ମହଲରେ ପରିବର୍ତ୍ତନ କରିବାକୁ, ତୁ ତାଙ୍କୁ କଥା ଦେଇଥିଲୁ। ଏବେ କହ, ସେ କଥା ଭାଙ୍ଗି ତୁ ମଉସାଙ୍କୁ ଜେଲରେ ପୁରାଇ ପାରିବୁ? ଫାଶୀ ଖୁଣ୍ଟରେ ଝୁଲାଇ ପାରିବୁ? ପ୍ରିୟାର ପ୍ରଶ୍ନ ଶୁଣି ମୁଁ କିଛି କହିବା ପୂର୍ବରୁ କେହି ଜଣେ କହି ଉଠିଲେ, ସେ ପାରନ୍ତୁ କି ନାହିଁ, ହେଲେ ମୁଁ ପାରିବି, ମୁଁ ତୁମକୁ ନ୍ୟାୟ ଦେବି। ଏ କଥା ଶୁଣି ପଛକୁ ବୁଲି ଦେଖିଲି, ସେଠି ଛିଡା ହୋଇଛନ୍ତି .....।



Rate this content
Log in

Similar oriya story from Romance