STORYMIRROR

Suchismita Sahoo

Abstract

3  

Suchismita Sahoo

Abstract

ତୁଳସୀ ଗଛ

ତୁଳସୀ ଗଛ

5 mins
207



ସେଦିନ ସନ୍ଧ୍ୟାରେ ମୁଁ ପ୍ରାର୍ଥନା କରୁଥାଏ। ବାରମ୍ବାର ମୋ କଲିଂବେଲ ଆ ଆ ବଜେଇବାରୁ, ଶେଷରେ ବାଧ୍ୟ ହେଇ ପ୍ରାର୍ଥନା ଅଧାରୁ ଛାଡି ଉଠିଲି )ଆ ଖୋଲିବାକୁ। କବାଟ ଫିଟେଇ ଦେଖିଲି, ଆଉ କେହି ନୁହେଁ ମୋର ଏଠିକା ଜଣେ ଘନିଷ୍ଠ ବନ୍ଧୁ ରମେଶ ଛିଡା ହେଇଛନ୍ତି। ମୋର ରାଗ ପଞ୍ଚମ ହେଇଗଲା, ଚିଲେଇ ପଚାରିଲି, ଏତେ ଥର କାହିଁକି କଲିଂ ବେଲ ବଜୋଉଥିଲ? ଟିକେ ଅପେକ୍ଷା କରି ପାରୁନ। ସେ ମୋର ଉତ୍ତର ରେ କହିଲେ, ଦେଖିଲେଣି ତୁଳସୀ ଗଛ, ତାଙ୍କ କଥା ପୁରା ନ ସରୁଣୁ ମୁଁ ପୁଣି ବିଲେଇ ପରି ଝାମ୍ପି ଦେଲି, କଣ ତୁଳସୀ ଗଛ ? ତୁମକୁ କେତେଥର ମନା କଲିନି, ଆମ ପଟେ ସନ୍ଧ୍ୟାରେ ତୁଳସୀ ପତ୍ର ଛିଣ୍ଡାନ୍ତି ନାହିଁ। ଆଉ ତୁମେ ପୁଣି ରାତିରେ ଆସିଛ ନେବାକୁ? ହାତ ମାରତ ମୋ ଗଛ ଦେହରେ, କାଟି ଦେବୀ ତୁମ ହାତକୁ। ସେ ଚିଲେଇ କରି କହିଲେ, ଗଛ ଆଉ ଅଛି ଯେ ମୁଁ ପତ୍ର ନେବି। ନା ତୁମେ ଦିନରେ ନେବା, ରାତିରେ ନେବା। ମୁଁ ଆଶ୍ଚର୍ଯ୍ୟ ହେଇ କହିଲି, କଣ କହୁଛ, ଗଛ ଅଛି ଯେ ଅର୍ଥ, କୁଆଡେ ଗଲା କି? ହେଇ ଏଇଠି ବା, ଏତକ କହି ଗଛକୁ ନଜର ଦେଲି। ଗଛ ପାଣି ବିହୁନେ ପୁରା ଶୁଷ୍କ, ଥୁଣ୍ଟା ପ୍ରାୟ, ଗୋଟେ ଜାଳେଣୀ ପରି ଦିଶୁଥାଏ। ଦେଖି ବଡ ଆଶ୍ଚର୍ଯ୍ୟ ହେଲି। ନିଜ ଅସୁବିଧା, ପରାଜୟ, ଅତୀତର ବିଫଳତା ଭିତରେ ମୁଁ ଏତେ ବୁଡି ଯାଇଥିଲି ଯେ, ଗଛରେ କେବେ କେବେ ମୁଣ୍ଡେ ପାଣି ଦେବାକୁ ବି ଭୁଲିଗଲି ମୁଁ ଅଲକ୍ଷଣି। ମୁଁ ସବୁଦିନ ସେଇ ତୁଳସୀ ଗଛ ଅତିକ୍ରମ କରି ଅଫିସକୁ ଯାଏ, ହେଲେ ଥରୁଟିଏ ବି ମୁଁ ନଜର ଦେଇନି ତା ଆଡେ, ଦେଇଥିଲେ ବୋଧେ ଏମିତି ଅବସ୍ଥା ହେଇ ନଥାନ୍ତା ତାର। ଆଗରୁ ସବୁଦିନେ ଗାଧେଇ, ତୁଳସୀ ଗଛରେ ପାଣି ଦିଏ। ପୂଜା କରେ ସେ ଗଛକୁ। ତୁଳସୀର ଆୟୁର୍ବେଦିକ ଗୁଣ ଯୋଗୁ ଓଡ଼ିଶାର ପ୍ରାୟ ସବୁ ଘର ସାମ୍ନାରେ ତୁଳସୀ ଗଛଟିଏ ଗୋଟେ କୁଣ୍ଡ ରେ ଥାଏ (ଯାହାକୁ ଆମେ ଚଉଁରା କହୁ)। ଆଉ ଏଇ ପୂଜା କରିବା ଆଳରେ, ଆମ ମାଆ/ ଭାଉଜ ମାନେ ସବୁଦିନେ ଗୋଟେ ତୁଳସୀ ପତ୍ର ଖାଆନ୍ତି, ଯାହା ତାଙ୍କ ଦେହ ପାଇଁ ଭଲ। ସଙ୍ଗେ ସଙ୍ଗେ, ଭୁଲ ପାଇଁ ଚେତା ପଶିବା ପରେ, ଗୋଟେ ଢାଳରେ ପାଣି ଆଣି ଗଛ ମୂଳେ ଧାଳିଲି। ମୋର ଏ କାମ ଦେଖି, ରମେଶ କହିଲା, ଆରେ ଆଉ ପାଣି ଢାଳିଲେ କଣ ହେବ। ଗଛ ସମ୍ପୂର୍ଣ ରୂପେ ମରି ସାରିଲାଣି, ଆଉ ପାଣି ଢ଼ାଳି ଲାଭ ନାହିଁ । ଯଦି ତୁ ଯତ୍ନ ନେଇପାରିବୁ କହ ତେବେ ଆଉ ଗୋଟେ ତୁଳସୀ ଗଛ ଆଣି ତତେ ଦେବି, ତୁ ଏଇ କୁଣ୍ଡରେ ପୋତିବୁ। ମୁଁ ରମେଶ ଉପରେ ଚିଡି କହିଲି, ଆରେ ଏମିତି କଣ କହୁଛ, ଏମିତି କିଛି ହେଇନି, ଏମିତି ଅଶୁଭ କଥା କହନି, ଗଛ ମୂଳେ ପାଣି ଦେବି, ଦରକାର ପଡିଲେ ସାର୍ ଦେବି, ଯେମିତି ହେଉ ଗଛକୁ ବଞ୍ଚେଇଦେବି। ଏମିତି କେମିତି ସେ ମତେ ଛାଡ଼ି ଚାଲିଯିବ ଯେ, ସେ ବୋଧେ ଟିକେ ମୋ ଉପରେ ଅଭିମାନ କରିଛି, କାହିଁକି ନା ମୁଁ ବହୁତ୍ ଦିନରୁ ତା ସହ କଥା ହେଇନି, ସେଥିପାଇଁ ରାଗରେ ସେ ଝାଉଁଳି ପଡ଼ିଛି। ତୁମେ ବ୍ୟସ୍ତ ହୁଅନି, ମୁଁ ତାକୁ ମନେଇଦେବି, ଆଉ ୨ ଦିନ ପରେ ତୁମେ ପୁଣି ଆସି, ଏ ଗଛରୁ ପତ୍ର ଛିଡେଇବ, ହେଲା। ରମେଶ ଚିଡି କହିଲେ, ସୁଚି, ଟିକେ ଭଲସେ ଦେଖ, ବୁଝିବାକୁ ଚେଷ୍ଟା କର, ସତରେ ଏ ଗଛ ଆଉ ବଞ୍ଚିବନି। ମୁଁ ବଟାନିରେ ଗବେଷଣା କରିଛି। ଗଛକୁ ଦେଖି କହିଦେବି ଗଛ ବିଷୟରେ। ରମେଶଙ୍କ କଥା ଶୁଣି, ଗଛକୁ ଟିକେ ହଲେଇ ଦେବାରୁ ମୃତ ଗଛଟି ଉପୁଡ଼ି ପଡ଼ିଲା। ବହୁତ୍ କଷ୍ଟ ହେଉଥିଲା ମତେ, ଯେମିତି ଜଣେ ଅତିପ୍ରିୟ ଜନଙ୍କୁ ହରେଇଦେଲି ପରି। ଏ ତୁଳସୀ ଗଛ ସହ ମୋର ଅଢେଇ ବର୍ଷର ସମ୍ପର୍କ। ଯେବେ ମୁଁ ପ୍ରଥମ କରି ଚାକିରୀରେ ଯୋଗଦେଲି, ବୋଉର ଅନୁରୋଧ ରକ୍ଷାକରି, ଗୋଟେ ତୁଳସୀ ଗଛ ଆଣି ଲଗେଇଥିଲି ଘର ସାମ୍ନାରେ। ସେବେ ମୁଁ ସଂପୂର୍ଣ୍ଣ ଏକା ଥିଲି, ଏଠି କେହି ନିଜର ନଥିଲେ ମୋର, ବୋଧେ ଗଛଟି ବୋଧେ ଏକୁଟିଆ ଥିଲା, ତେଣୁ ଦୁହେଁ ଭଲ ସାଙ୍ଗ ହେଇଗଲୁ। ଆସ୍ତେ ଆସ୍

ତେ ଗଛଟି ବଢ଼ି ଝଙ୍କାଳିଆ ଗଛରେ ପରିଣତ ହେଇଗଲା ଓ ମୋର ଘରର ପରିଚୟ ବନିଗଲା। ଏଇ ଯେମିତି, ଆମାଜନ କି ଫ୍ଲିପକାର୍ଟ ୱାଲା ଆସିଲେ ମୁଁ ଯଦି ବ୍ୟସ୍ତ ଥାଏ, ତେବେ ତାଙ୍କୁ କୁହେ, ଦ୍ଵିତୀୟ ତାଲାରେ, ଯୋଉ ଘର ଆଗରେ ତୁଳସୀ ଗଛଟିଏ ଗୋଟେ କୁଣ୍ଡରେ ଅଛି ସେ ଘର ସାମ୍ନାରେ ଜିନିଷ ରଖି ଦିଅନ୍ତୁ, ମୁଁ ପରେ ନେଇଯିବି। ଆସ୍ତେ ଆସ୍ତେ ଜାଣିଲି ଯେ, ଖାଲି ମୋର ନୁହେଁ, ମୋ ପଡୋଶୀଙ୍କର ବି ସେ ପରିଚୟ ବନିଥିଲା, ଏଇ ଯେମିତି, ସେମାନେ ତାଙ୍କ ଘରର ଠିକଣାରେ କହୁଥିଲେ, ଯୋଉ ଘର ସାମ୍ନାରେ ତୁଳସୀ ଗଛ ଅଛି ତାର ସାମ୍ନା ଘରଟା, ତାର ତଳ ଘରଟା ଇତ୍ୟାଦି। କିଛି ମାସ ଯାଇଛି କି ନାହିଁ, କରୋନା ମହାମାରୀ ଆସି ପହଞ୍ଚିଲା। ଯେଉଁଠି ପାଇଁ ଅଦା, ତୁଳସୀ ପତ୍ର ଫୁଟା ପାଣି ପିଇବା ମୋର ଅଭ୍ୟାସ ହେଇଗଲା। ସେବେଠୁ ଅଢେଇ ବର୍ଷ ହେଲା ତୁଳସୀ ସହ ମୋର ସମ୍ପର୍କ, ମୋର ଦିନ ଆରମ୍ଭ ହେଇଥିଲା ତା ମୁହଁ ଚାହିଁ। କୁମାର ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ସବୁକିଛି ତା ସହ ପାଳିଛି। ହେଲେ ଏଇ କିଛିଦିନ ହେଲା, ଅତୀତରେ ବଞ୍ଚି ରହୁଥିଲି ମୁଁ, ସେଥିପାଇଁ ସମ୍ପୂର୍ଣ ଭୁଲି ଯାଇଥିଲି ତୁଳସୀ କଥା। ଆଉ ମୋର ସେଇ ଭୁଲ୍ ପାଇଁ ତୁଳସୀ ମତେ ଛାଡ଼ି ଚାଲିଗଲା। ଏମିତି ସବୁ ଭାଵନା ଭିତରେ ରମେଶ ଙ୍କର ଡାକରେ ଚେତା ଆସିଲା ମୋର। ସେ ପାଟି କରି କହିଲେ, ଯାହା ହେବା କଥା ହେଲାଣି, ଏବେ ଆଗକୁ କଣ କରିବ ଭାବ, ଆଉ କର ମଧ୍ୟ। ଏଇ ଅତୀତକୁ ଧରି ବସି, ତୁମୋ ତୁମ ତୁଳସୀକୁ ହରେଇଲ। ଏବେ ଏଇ କଥାକୁ ଧରି ବସି। ଛାଡ, ମୁଁ କାଲି ତୁମ ପାଇଁ ନୂଆ ଗଛଟେ ଆଣିଦେବି, ତାର ଯତ୍ନ ନେବ କହିଦେଉଛି। ଏତକ କହି ରମେଶ ଚାଲିଗଲେ। ମୁଁ ଅବୋଧ ଶିଶୁ ଭଳି କେବଳ ମୁଣ୍ଡ ଟୁଙ୍ଗାରି ହଁ ଭରିଲି। ହେଲେ ରମେଶଙ୍କର ଗୋଟିଏ କଥା ମୋ କପାଳରେ ଗାର ପରି ଟାଣି ହେଇଗଲା। ସତକଥା ତ, ମୁଁ ଅତୀତରେ ଯାହା ସବୁ ହରେଇଛି, ସେ ସବୁ କାହିଁକି, କେମିତି ହରେଇଛି, ଏ ସବୁ ଭାବି ଭାବି ମୁଁ ବର୍ତ୍ତମାନରେ ନୁହେଁ, ସବୁବେଳେ ଅତୀତରେ ଜିଉଁ ଥିଲି। ତେଣୁ ବର୍ତ୍ତମାନ ର ସମସ୍ତଙ୍କ ଠାରୁ ଦୂରେଇ ଯାଇଥିଲି ଆଉ ତୁଳସୀର ଏମିତି ଅବସ୍ଥା ହେଇଗଲା। ଆଉ ମୋର ଯଦି ବର୍ତ୍ତମାନ ନାହିଁ, ତେବେ ଭବିଷ୍ୟତ ବି ନାହିଁ, ପୁରା ଅନ୍ଧାର। କାରଣ ଭବିଷ୍ୟତ ବର୍ତ୍ତମାନ ର କର୍ମକୁ ନେଇ ଗଢାହୁଏ। କାହ୍ନାକୁ ଯାଇ ମୁଣ୍ଡିଆଟେ ମାରି ଧନ୍ୟବାଦ୍ ଦେଲି ନେଡି ଗୁଡ କହୁଣୀକୁ ବୋହି ଯିବା ଆଗରୁ ମତେ ବଞ୍ଚେଇ ଦେଇଥିବାରୁ, ଚେତେଇ ଦେଇଥିବାରୁ। ବୋଉ କୁ ଫୋନ୍ କରି ସବୁକଥା କହିଲି, ସେ ବି ମନଦୁଃଖ କଲା, କାରଣ ସେ ଥିଲାବେଳେ, ଗଛର ବହୁତ୍ ଯତ୍ନ ନେଇଥିଲା, ତା ନାଲି ଚାହାରେ ତୁଳସୀ ପତ୍ର ପକେଇ ପିଉଥିଲା। ସନ୍ଧ୍ୟାରେ ତା ସାମ୍ନାରେ ସଂଜବତି ଜାଳୁଥିଲା। ଟିକେ ସମୟ ପରେ, ତାର ଚିରାଚରିତ ଅନ୍ଧ ବିଶ୍ୱାସ ଷ୍ଟାଇଲ ରେ କହିଲା, ଗୋଟେ ବଡ। ବିପଦ ଟଳିଗଲା ଲୋ। ସେଥିପାଇଁ ତ ଘରେ ଗୋରୁ ଗାଈ, ଗଛଲତା ଥାଏ। ସେ ଯାହା ବି କହୁ, ଆଜି କିନ୍ତୁ ପ୍ରଥମ ଥର ବୋଉର ଅନ୍ଧ ବିଶ୍ବାସ ମତେ ସତ ଭଳି ଲାଗିଲା। ଯଦି ତୁଳସୀ ଗଛଟି ମରି ନଥାନ୍ତା, ତେବେ ମୁଁ ଅତିତରୁ ବର୍ତ୍ତମାନ କୁ ବୋଧେ ଫେରି ପାଇନଥାନ୍ତି। ସେ ଯାହା ବି ହେଉ, ମନେ ମନେ ଧନ୍ୟବାଦ୍ ଦେଲି ଗଛଟିକୁ।  ତା ପରଦିନ, ରମେଶ ନୂଆ ଗଛ ଟିଏ ଆଣିଦେଲେ, ତାକୁ ଭଲ ଭାବେ ମାଟିରେ ପୋତି ପାଣି ଦେଇ ଆରମ୍ଭ କଲି ନୂଆ ଏକ ସମ୍ପର୍କ। 


ଏଇଟା ତ ଗୋଟେ ଛୋଟ କାହାଣୀ। ହେଲେ ଆପଣ ମାନଙ୍କୁ ଅନୁରୋଧ। କଣ ଘଟିଗଲା ଜୀବନରେ, ତାକୁ ଭିଡ଼ି ଟାଣି ବସନ୍ତୁନି, କାହିଁକି ଓ କେମିତି ହେଲା ବସି ଭାବନ୍ତୁନି, ସମାଧାନର ବାଟ ଖୋଜନ୍ତୁ, ଯଦି ପାଇଲେ ଭଲ, ଯଦି ନ ପାଇଲେ, ତାକୁ ପାସୋରି ଆଗକୁ ବଢନ୍ତୁ, ବର୍ତ୍ତମାନ କୁ ସୁନ୍ଦର କରନ୍ତୁ ଭବିଷ୍ୟତକୁ ଉଜ୍ବଳ କରିବାର ଲକ୍ଷ୍ୟ ନେଇ। 


Rate this content
Log in

Similar oriya story from Abstract