ଆମ ଗାଁ ଦୁର୍ଗା ପୂଜା -୧
ଆମ ଗାଁ ଦୁର୍ଗା ପୂଜା -୧
ରୀତା ! ରୀତା ! , ଚାଲନା ଟିକେ ମନ୍ଦିର ଯିବା। ଆଜି ବିଜୟା ଦଶମୀ ପରା। ଦେଖେ ମୁଁ ଗାଧେଇ ପାଧେଇ ପୁରା ରେଡ୍ଡୀ। ରୀତା ମୋ କଥା ଶୁଣି ମତେ ପାଦଠୁ ମୁଣ୍ଡ ଯାଏଁ ଟିକେ ଚାହିଁ କହିଲା, ହଇରେ ସୁ ତୋର କଣ ହେଇଛି କିରେ ? ତୋ ଭଳି ନାସ୍ତିକ ପୁଣି ମନ୍ଦିର ଯିବାକୁ ଡାକୁଛି! ତୁ ପରା କହୁ ମନ୍ଦିରର ଆବଶ୍ୟକତା କଣ, ଯଦି ଭଗବାନ ସର୍ବଦା ବିଦ୍ୟମାନ, ତେବେ ଆଜି ତୁ ? ରୀତାର ତାତ୍ସଲ୍ୟ ଶୁଣି କହିଲି, ମଣିଷ ଯେତେବେଳେ ହାରିଯାଏ ସେତେବେଳେ ଦିବ୍ୟଶକ୍ତି ପାଖରେ ହାରିବାକୁ ବାଧ୍ୟ ହୁଏ। ଆଜି ମୋ ପାଇଁ ନୁହେଁ, କାହାର ଜୀବନ ଭିକ୍ଷା କରିବାକୁ ତାଙ୍କ ପାଖକୁ ଯାଉଛି। ଏଠି ପାଇଁ ତୁ ମତେ ସ୍ୱାର୍ଥପର କହିପାରୁ ହେଲେ ଛାଡ ସେ ବାଜ୍ୟ କଥା। ବହୁତ୍ ଗପୁଛୁ ତୁ ଜଲଦି ଯା ଡ୍ରେସ୍ ବଦଳେଇ ଦେଇ ଆସେ, ଯିବା। ଆମେ ସାଙ୍ଗ ହେଇ ବାହାରିଲୁ ପାଖ ଗାଁର ମନ୍ଦିରକୁ, ସେମାନଙ୍କ ସହ ମିଶି ଦଶହରା ପାଳିବାକୁ। ଭାରତର ବିଭିନ୍ନ ଜାଗାରେ ଭିନ୍ନ ଉପାୟରେ ନବରାତ୍ରୀ, ଦଶହରା ପାଳନ କରନ୍ତି। ଦକ୍ଷିଣ ଭାରତର ଦଶହରା ବି ଟିକେ ନିଆରା। ଏଠି ରାବଣ ଉପରେ ପ୍ରଭୁ ରାମଙ୍କର ବିଜୟକୁ ବହୁତ୍ ମାନନ୍ତି, ଖାଲି ପାପ ଉପରେ ପୁଣ୍ୟର ଜୟ ପାଇଁ ନୁହେଁ, ନିଜ ପ୍ରିୟଜନଙ୍କ ଉପରେ ଖରାପ ଦୃଷ୍ଟି ପକେଇଲେ ଯେମିତି ରାବଣ, ସୀତା ମାତା ମାନେ ରାମଙ୍କ ଧର୍ମପତ୍ନୀ ଙ୍କ ଉପରେ ପରିଣତି କେତେ ଭୟଙ୍କର ହେଇପାରେ, ମନେ ପକେଇ ଦେବାକୁ ପାଳନ୍ତି ବିଜୟାଦଶମୀ। ସାମୀ ପତ୍ର ଓ ଆଉ ଏକ ପତ୍ର ନାମ ଜାଣିନି, କହିଥିଲେ ସେମାନେ ହେଲେ ଭୁଲିଗଲି, କ୍ଷମା ଚାହୁଁଛି ପରସ୍ପରର ପାପୁଲିରେ ଉପହାର ସ୍ବରୂପ ଦେଇ, ପରସ୍ପରର ସୁରକ୍ଷା କରିବେ ବୋଲି ପ୍ରତିଶୃତି ଦିଅନ୍ତି। ସାମି ପତ୍ରକୁ ଛୋଟ ସେମାନେ ସୁନା ଓ ଅନ୍ୟ ପତ୍ରକୁ ରୂପା ସେମାନେ ସହ ତୁଳନା କରନ୍ତି। ଏହି ପତ୍ରକୁ ଯେ କୌଣସି ପୁରୁଷ ନାରୀ ପରସ୍ପରକୁ, ଛୋଟ ବୟସ୍କ ପରସ୍ପରକୁ, କେହି ବି କାହାକୁ ଦେଇ ଏକ ସୁଖଦ ସମ୍ପର୍କର ଭରସା ଦିଅନ୍ତି। ମୋର ଜଣ ଛାତ୍ର, ମତେ ଦେଖିବା ମାତ୍ରେ ମୋ ପାଖକୁ ଧାଇଁ ଆସି ମୋ ପାପୁଲିରେ ଥୋଇଦେଲା ପତ୍ର କିଛି ଆଉ କହିଲା ଆପଣଙ୍କ ସୁରକ୍ଷା ଦାୟିତ୍ବ ମୁଁ ନେଲି। ମୁଁ କିଛି କହିବା ଆଗରୁ ସେ ଉଭାନ ହେଇଗଲା କୁଆଡେ। ଜାଣେନି ବ୍ୟସ୍ତ ଥିଲା ବୋଲି ନା ମୁଁ ପାଟି କରିବି ବୋଲି ଆଖି ପିଞ୍ଛିଲାରେ କୁଆଡେ ଦୌଡ଼ି ପଳେଇଲା, ହେଲେ ଗୋଟେ ଭାବରେ ଛନ୍ଦିଦେଲା ମତେ। ମୋ ଆଖି ଆଗରେ ଭାସି ଆସିଲା ଆମ ଗାଁର ଦୁର୍ଗାପୂଜା, ଯାହାକୁ କାଇଁ କେତେବର୍ଷ ହେବ ଦେଖିନି।
ଦୁର୍ଗାପୂଜା ! ହଁ, ଏଇ ଦିନକୁ ଖାଲି ମୋର ନୁହେଁ ଗାଁ ବାସୀ ଚାହିଁ ବସିଥାନ୍ତି ସର୍ବଦା। କେମିତି ଅନିଶା କରିବେନି ଯେ, ତାଙ୍କ ପାଇଁ ତ ଆମ ଗାଁର ପାଖ ଆଖରେ ନାଁ। ଆମ ଗାଁର ସ୍ତ୍ର
ୀ ଲୋକ ମାନେ କୁହନ୍ତି,ପୂର୍ବେ ଆମ ଗାଁ ବହୁତ୍ ଗରିବ ଥିଲା। ଖାଇବା ବି ଭଲଭାବେ ମିଳୁ ନଥିଲା। ଯେବେଠୁ ମାଆ ଦୁର୍ଗାଙ୍କର ପୂଜା ଆରମ୍ଭ କରାଯାଇଛି ସେବେଠୁ ଉନ୍ନତି ଘଟିଛି। ଗାଁ ଲୋକଙ୍କର ବ୍ୟବସାୟ ବଢ଼ିଛି, ସୁଖଦ ଜୀବନ ଆରମ୍ଭ ହେଇଛି। ସେଥିପାଇଁ ଦୂର୍ଗାମାଆଙ୍କୁ ଆମ ଗାଁର ଆରାଧ୍ୟ ଦେବୀ ବୋଲି ମାନନ୍ତି। ଦୁର୍ଗା ପୂଜା ଆସିଲେ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଖୁସି ଆରମ୍ଭ ହୁଏ। ଏଇ ଯେମିତି ବିବାହିତ ଝିଅ ମାନେ ପୂଜା ଆସିଲେ ଗାଁ କୁ ଆସିବାକୁ ଖୁସି ହୁଅନ୍ତି ତାଙ୍କ ଶାଶୁଘରେ ଥାଇ, ସ୍କୁଲ ପିଲା ମାନେ ବହୁତ୍ ଦିନ ଛୁଟି ମିଳିବ ବୋଲି ଖୁସି ହୁଅନ୍ତି, ସ୍ତ୍ରୀ ଝିଅ ପିଲା ମାନେ ନୂଆ ଶାଢୀ ଡ୍ରେସ୍ ହେବା ଖୁସିରେ, ବହୁତ୍ ଦିନ ଧରି ଘରେ ରହୁଥିବା ମହିଳା ମାନେ ଦୁର୍ଗା ମେଢ଼ ବୁଲିବା ବାହାନାରେ ଗାଁ ବୁଲିଯିବା ବାହାନାରେ, ବ୍ୟବସାୟୀ ମାନେ ମେଢ଼ ପାଖେ ଦୋକାନ ପକେଇ ଭଲ ବ୍ୟବସାୟ ଆଶାରେ, ଏମିତି କେତେ କଣ। ମାଆ ଆସିବାର ଅନୁନୟ ଦୁଇ ସପ୍ତାହ ପୂର୍ବରୁ ଆମ ଗାଁ ଦୁଲୁକିବା ଆରମ୍ଭ ହେଇଯାଏ, ଗୋଟେ ଖୁସିର ବାତାବରଣ ଖେଳିଯାଏ। ପୁରୁଖା ଲୋକ ମାନେ ସବୁଦିନ ସନ୍ଧ୍ୟାରେ ସଭା ଡାକନ୍ତି। ଏଥର ପୂଜା କେମିତି କଣ ହେବ, କିଏ କୋଉ ଦାୟିତ୍ଵ ନେବ, କାହା ଘରୁ କେତେ ଲେଖା ଚାନ୍ଦା ଅଣାଯିବ, ମୂର୍ତ୍ତି ଗଢ଼ିବାକୁ କୋଉ କାରିଗରକୁ ଡକାଜିବ, ଏଥର କୋଉ ଅପେରାକୁ ଡକା ହେବ ଗାଁ କୁ, ଗାଁ ଲୋକ ମିଶି ଏଥର କୋଉ ବହି କରିବେ, ଡ୍ରାମା ପାଇଁ ମନ୍ଦିର ପଡିଆ ସଫା କାମ ଆରମ୍ଭ ହେଇଛି କି ନାହିଁ ଏମିତି କେତେକଣ। ଆସ୍ତେ ଆସ୍ତେ ମାଟି ଚକଟା ଠୁ ନେଇ, ମୂର୍ତ୍ତି ଗଢା, ଚୂନ ଲଗା, ରଙ୍ଗ ଲଗା, ସବୁ ଆରମ୍ଭ ହେଇଯାଏ। ଆମେ ସ୍କୁଲ ଯିବା ବାଟରେ କି ଫେରିବା ବାଟରେ, ମୂର୍ତ୍ତି କେତେବାଟ ଗଲା ବୋଲି ଟିକେ ନଜର ପକେଇଦେଉ। ସ୍କୁଲର ଖେଳ ଛୁଟି ସମୟରେ ଆମର ସେଇ ଗୋଟିଏ ଗପ ଥାଏ। ତୁ ଦେଖିଲୁଣି ମୂର୍ତ୍ତି, ଏଥର ନାଲି ଶାଢୀ ସାଙ୍ଗକୁ ନେଳି ରଙ୍ଗର ପାଢ଼ୀ କରିଛନ୍ତି । ମହିଷାସୁର ପୁରା ଗୁଣ୍ଡା ଭଳିଆ ଦେଖାଯାଉଛି, ଏମିତି କେତେକଣ। ଏମିତି ଭିତରେ ଆସି ପହଞ୍ଚି ଯାଏ ଷଷ୍ଠୀ ପୂଜା। ମନ୍ଦିର ଚାରିପଟ ଟେଣ୍ଡ କପଡ଼ାରେ ସଜା ହେଇଯାଇଥାଏ, ଆରମ୍ଭରେ ଗୋଟିଏ ସୁନ୍ଦର୍ ତୋରଣ କରାହେଇଥାଏ। ଆଉ ଗାଁ ଟା ପୁରା ମାଇକର ଶବ୍ଦରେ ଉଠୁଥାଏ, ପଡୁଥାଏ। ଏମିତି ଲାଗେ ପୂଜା ଆସିନି, ମୋ ଗାଁ, ଯିଏ ମୋ ମାଆ, ତାକୁ କିଏ ନୂଆବୋହୁ ପରି ସଜେଇ ଦେଇଛି। ଷଷ୍ଠୀ ପୂଜା ବିଷୟରେ ବେଶି କିଛି କହୁନି, କାରଣ ସେଦିନ ଏତେଟା ମଜା ହୋଇନଥାଏ। ଖାଲି ଯାହା ସମସ୍ତଙ୍କ ଘରକୁ କୁଣିଆ ଆସିବା ଆରମ୍ଭ ହୋଇଯାଇଥାଏ, ହୋ ହାଲାରେ ଘର, ଦାଣ୍ଡ ସବୁ ଉଠୁଥାଏ, ପଡୁଥାଏ। ତା ପରେ ଆସିଯାଏ ସପ୍ତମୀ, ନା ନା କଳସୀ ଯାତ୍ରାର ଖୁସି।