ମାଟ୍ରିମୋନି
ମାଟ୍ରିମୋନି
(ସନ୍ଧ୍ୟା ସମୟ, ଫୋନ୍ ରିଙ୍ଗ ହେଇ ଥରେ କଟି, ଦ୍ଵିତୀୟ ଥର ରିଙ୍ଗ ହେଉଛି)
ରାନୀ:-- ହାଲୋ!!! କିଏ?
ପୂଜା:- ଶୋଇଛୁ ନା ତୁ? ମରିଯାରେ, ଲକ୍ଷ୍ମୀଛାଡ଼ିଟା, ସବୁବେଳେ ଗୋଟେ ସନ୍ଧ୍ୟାରେ ଶୋଇଲା। ଅଳସୁଆ, କୋଢିଆ, ଗଧି।
ରାନୀ:- କିଏ, ପୂଜା!!! ନା ରେ, ମୁଁ ଶୋଇନି, ରୋଷେଇ କରୁଥିଲି ତ, ତୋ ଫୋନ୍ ଉଠେଇ ପାରିଲିନି।
ପୂଜା:- ହଁ ହଁ, ତୁ ଶୋଇନୁ... ସେଇଠି ପାଇଁ ଫୋନ୍ ଉଠେଇ ପଚାରୁଛୁ କିଏ ବୋଲି? ନାଇ?? ଯାହା ହେଉ ଟିକେ ପରେ ହେଉ ପଛେ, ମାତେ ଆମକୁ ଜାଣିପାରିଲେ। ଅହୋ କୃପା ମାତେଙ୍କର ଆମ ଉପରେ ଆଉ...
ରାନୀ:- ତୋ ଗାଳି ଶୁଣି, ବ୍ରହ୍ମା ବିଷ୍ଣୁ ବି ତତେ ଚିହ୍ନି ପାରିବେରେ, ମୁଁ ତ ଛାଡ ତୁଚ୍ଛ ମଣିଷ, ତାଙ୍କ ସୃଷ୍ଟି।
(ଦୁଇ ସାଙ୍ଗ ଜୋରରେ ହସି ଉଠିଲେ। )
ସ୍ନାତକ ସମୟରୁ ପୂଜା ଓ ରାନୀ ଭିତରେ ନିବିଡ ବନ୍ଧୁତା । ସ୍ନାତକ ସରିବାର, ଏହା ଭିତରେ ୭-୮ ବର୍ଷ ବିତିଗଲେ ବି, ଦୁହିଁଙ୍କ ଭିତରେ ବନ୍ଧୁତା ସେମିତି ନିବିଡ ଅଛି, ଦିନକୁ ଦିନ ଆହୁରି ଦୃଢ଼ ହେଇଯାଇଛି କହିଲେ ଚଳେ। ପୂଜାର ଏହା ଭିତରେ ବିବାହ ସରି ଯାଇଛି। ରାନୀ, ପଢା ସାରି ଆଇଆଇଟିରେ ପ୍ରାଧ୍ୟାପିକା ରୂପେ କାର୍ଯ୍ୟରତ। ରାନୀର ଘରଲୋକ, ତାର ବିବାହକୁ ନେଇ ଚିନ୍ତିତ। କୋଉଠୁ ବି ଗୋଟେ ଝିଅର ଯୋଗ୍ୟତା ଅନୁଯାୟୀ ଭଲ ପ୍ରସ୍ତାବ ମିଳୁନି। ରାନୀ ବି ବିବାହ ନେଇ କିଛି seriousness ଦେଖୋଉ ନାହିଁ। ତେଣୁ ରାନୀର ଘରଲୋକ ଏ ଦାୟିତ୍ଵ ପୂଜା ଉପରେ ଦେଇଛନ୍ତି।
ପୂଜା:- ଥାଉ ଥାଉ, ଆଉ ଦାନ୍ତ ଦେଖାନି। ତୋ ସହ ମିଶି ଘୋଡ଼ି ଭଳିଆ ଦାନ୍ତ ଦେଖୋଉଛି। ମୋ ଶାଶୁ ଏବେ ମତେ ପୁତନା ବୋଲି ଭାବି ସାରିବେଣି, ରାଗି ସାରିବେଣି ମୋ ଉପରେ।
ରାନୀ:- ଓହୋ, ବିବାହ ପରେ, ପୁ ବନି ପାର୍ବତୀ; ଶାଶୁଙ୍କୁ ଏତେ ଡର ଲୋ ମା!! ଏତେ ସଂସାରୀ, ପୁଣି ତୁ?
ପୂଜା: ଗପେନା ଅଧିକା, ତୁ ବି ବିବାହ ପରେ ସଂସାରୀ ହେଇଯିବୁ। ଛାଡେ, ବକରା କେହି ମିଳିଲେ ନା ନାହିଁ? ଓଥରି ଭୂତ ହେଇକି ନଡ଼ିଆ ଗଛରେ ବସିବାର ଯୋଜନା ଅଛି ନା କଣ? ଏବେ ବି କେହି ପସନ୍ଦ ଯାଉନାହାନ୍ତି ନା?
ରାନୀ:- ନାଇରେ, କେହି ଗୋଟେ ଭଲ ମିଳୁ ନାହାଁନ୍ତି। ଆମ ଓଡ଼ିଶାରେ କଣ ଭଲ ପୁଅ ସଂଖ୍ୟା ଏତେ କମ୍!! ସବୁ ପୁଅ କୁଆଡେ ଗଲେ କିରେ? ମୋ ବେଳକୁ ସବୁଗୁଡ଼ା ଜଟା ଛାଡି ବାବାଜୀ ହେଇଗଲେ ନା କଣ ରେ?
ପୂଜା: ତୁ ସତ କହିଲୁ, କୁମାର ପୂର୍ଣ୍ଣିମା ଉପାସ ତୁ କେବଳ ନୂଆ ଡ୍ରେସ୍ ପାଇଁ କରୁଥିଲୁନା? ଆଚ୍ଛା, ତୁ ସତରେ ଉପାସ ରହୁ ନା ଲୁଚିକି ଖାଇ ଦେଉକିରେ? ବୁଢ଼ା ଚାନ୍ଦ ପୂଜା କରିଛୁ କିରେ ସବୁଥର, ସେଥିପାଇଁ .....
ରାନୀ: ଚାଲ୍.....ଚୁପ୍.... ବାହା ହେଇ ଯାଇଛୁ ବୋଲି, ବହୁତ୍ ଗପୁଛୁ ରେ ତୁ...
(ପୁଣି ଦୁଇ ବାନ୍ଧବୀ ଠୋ ଠୋ ହେଇ ହସିଉଠିଲେ। )
ପୂଜା:- ଛାଡେ ସେ ବାଜ୍ୟ କଥା। ଏବେ ଟିକେ serious ହେବା। ଆଛା, ତୁ ମାଟ୍ରିମୋନିରେ ଗୋଟେ ଆକାଉଣ୍ଟ କାହିଁକି ଖୋଲୁନୁ କିରେ। ଆମ ଯୁକ୍ତ ଦୁଇ ସମୟର ସୀମା ମନେ ଅଛି ତୋର? ସେଇ ମ, ଧଳ ଘରର ଝିଅ, ଛଟକି ସୀମା ଧଳ ମ, ସେ କାଳେ ମାଟ୍ରିମୋନିରେ ଆକାଉଣ୍ଟ ଖୋଲି ଏକା ସାଙ୍ଗେ ଛଅ ଛଅଟା ସହ ଗପୁଥିଲା। ଆଉ ସେଇଥିରୁ ଗୋଟେକୁ ବାହା ହେଇଛି ଗତ ମାସ। ତାକୁ ମିଳିଗଲା ତତେ ଆଉ ଅଭାବ ହେବ ନା କଣ! ଖୋଲେ ମ ଗୋଟେ, ମୋ କଥା ମାନିକି।
ରାନୀ:- ନାଇରେ, ଡର ଲାଗୁଛିରେ..ଯଦି କିଛି ଅସୁବିଧା..
ପୂଜା:- ଦେବି ଗୋଟେ ମୁହଁକୁ ଜାଣିଛୁ ନା! ନଈ ନ ଦେଖୁଣୁ, ସବୁବେଳେ ଆଗୁଆ ଲଙ୍ଗଳା!!! ତତେ କଣ ସିଧା ବିବାହ କରିବାକୁ କହୁଛି। କେହି ଭଲ ଲାଗିଲେ, କିଛିଦିନ କଥା ହେବୁ ତାଙ୍କ ସହ, ଆପେ ଜାଣିପାରିବୁ ପିଲା ଭଲ ନା ଖରାପ। ପିଲା ସହ ଯଦି ମନ ମିଶିବ, ତାପରେ ଯାଇ ଆଗକୁ ଭାବିବା। ତୁ ବେଶୀ ଭାବେନି ଆଜି ହିଁ ଗୋଟେ ଖୋଲେ। ଆଉ ଶୁଣେ, ଗୋଟେ ଭଲ ଶାଢୀ ପିନ୍ଧା ଫଟୋ ଦେବୁ ପ୍ରୋଫାଇଲରେ।
ହଉ ଶୁଣେ, ମୁଁ ଏବେ ରଖୁଛି, ମତେ ଯାଇ ରୋଷେଇ କରିବାକୁ ହେବ। ଶାଶୁ ମାଆ କଡମଡ କରି କଣେଇ ମୋ ଆଡ଼େ ଅନେଇଲେଣି। ତୁ ଏବେ ଯାଇକି ରୋଷେଇ କରି ଖାଆ, ପୁଣିଥରେ ଶୋଇ ଯିବୁନି, ଖାଇକି ଶୋଇବୁ, ହେଲା। ହଉ, ବାଏ। ମନେକରି ଆକାଉଣ୍ଟ ଟା ଖୋଲିବୁ, ନହେଲେ ମତେ ଚିହ୍ନିବୁ। ବାଏ।
(ପୂଜା ଫୋନ୍ କାଟିଦେଲା। )
ପୂଜା କଥା ଶୁଣିଲା ପରେ ମନରେ ସାହସ ବାନ୍ଧି, ଗୋଟେ ଆକାଉଣ୍ଟଟିଏ ଖୋଲିଦେଲା ରାନୀ। ବାଛି ବାଛି ତାର ଗୋଟେ ସୁନ୍ଦର୍ ଫଟୋଟିଏ ଦେଲା ସେଥିରେ। ଆକାଉଣ୍ଟ ଖୋଲିଛି କି ନାହିଁ, ଅନେକ recommendation ଆସିଗଲା ତାକୁ। ପ୍ରସ୍ତାବ ଗୁଡ଼ା ଦେଖୁ ଦେଖୁ ତାର ନଜର ପଡିଲା ଡଃ ଅକ୍ଷୟଙ୍କ ପ୍ରୋଫାଇଲ୍ ଉପରେ। ଲୁକ୍ ତାଙ୍କର ପୁରା ଥିଲା killer ଲୁକ୍, ତା ସହ, ଛୋଟ ପରିବାର, ସମାନ ଜାତି, ଉଚ୍ଚ ଶିକ୍ଷିତ, ବୟସ ପାଖାପାଖି ସମାନ। ସବୁଠୁ ବଡ କଥା ପ୍ରୋଫାଇଲଟା ଦେଖିବା କ୍ଷଣି, ରାନୀ କେଜାଣି କାହିଁକି ଆପେ ଆପେ ଟାଣି ହେଇଗଲା। କିଛି ନ ଭାବି interest send କରିଦେଲା। କଣ reaction ଆସିବ ଡରରେ, ମୋବାଇଲ ଡାଟା ଅଫ କରି ଫୋନ୍ ରଖିଦେଲା। ହେଲେ ତାକୁ ଆଉ ନିଦ ହେଉ ନଥାଏ, ପୁରା ଅସ୍ଥିର ଲାଗୁଥାଏ। ରାତି ୧୧:୫୦ ଆଡ଼କୁ ତା ଫୋନ୍ ବାଜି ଉଠିଲା, ଗୋଟେ ଅଚିହ୍ନା ନମ୍ୱର୍, ତେଣୁ ରାନୀ ଆଉ ଉଠେଇଲା ନାହିଁ ଫୋନ୍। କିଛି ସମୟ ପରେ ପୁଣିଥରେ ସେଇ ନମ୍ୱରରୁ। ଉଠେଇବ, ଉଠେଇବ ନାହିଁ ଭାବୁ ଭାବୁ ଫୋନଟି କଟିଗଲା। ରାନୀ ଯେବେ ନମ୍ୱର୍ ଦେଖିଲା, ତାର ମନେ ପଡ଼ିଲା ମାଟ୍ରିମୋନି କଥା, ସେଥିରେ ପ୍ରଥମ ଚାରି ଅକ୍ଷର ଦେଖୋଉଥିଲା ଆଉ ଏ ନମ୍ୱର୍ ତାହା ସହ ମ୍ୟାଚ୍ କରୁଛି। ସାହସ ସଞ୍ଚି ସେ କଲ ବ୍ୟାକ କଲା। ଆଉ ସତକୁ ସତ, ଫୋନଟି ପୁଅର ମାଆ (ମାଟ୍ରିମୋନି) ଉଠେଇଲେ। ଉଠେଇ କହିଲେ, ବହୁତ୍ ରାତି ହେଇଗଲାଣି। କାଲି ସକାଳେ ଆପଣଙ୍କୁ କଲ କରିବି, ଭଲସେ କଥା ହେବା। ସକାଳେ କଥାହେଲେ କାଳେ ମାନସିକ ଭାବେ ଅସ୍ଥିର ହେଇଯିବି ଭାବି ରାନୀ କହିଲା, କାଲି ସକାଳେ କ୍ଲାସ ଥିବ, ଯଦି ଖରାପ ନ ଭାବନ୍ତି ତେବେ ସନ୍ଧ୍ୟାରେ କଥା ହେବା। ଏତକ କହି ଫୋନ୍ କାଟିଦେଲା ରାନୀ। କାହ୍ନୁକୁ ମୁଣ୍ଡିଆ ମାରି ଶୋଇପଡ଼ିଲା।
ତହିଁ ଆରଦିନ ଗାଧୁଆବେଳେ କ୍ଲାସ ସାରି ରାନୀ ଖାଇ ବସିଛି, ଆସିଲା ସେ ନମ୍ବରରୁ କଲ, ପୁଣିଥରେ ସନ୍ଧ୍ୟାରେ। ଶେଷକୁ ରାନୀ କଲ କରି କଥା ହେଲା ଭାବି ଶାଶୁ ମାଙ୍କ ସାଙ୍ଗରେ। ଭାବି ଶାଶୁ ମାଆ କହିଲେ, ପୁଅ ଅଫିସରୁ ଫେରିଲେ କହିବି, ତା ନମ୍ୱରରୁ କଲ କରିବାକୁ। ଦୁହେଁ କଥା ହେଇ ଜଣେଇବ। ରାତି ଆସି ୧୦ ଟା ବାଜିଲା, କାହାରି କଲ ଆସିଲାନି। ରାନୀ ନିଶ୍ଚିତ ହେଇଗଲା ଯେ, ସେ ପୁଅ ଆଉ କଲ କରିବନି। ଠିକ୍ ସେହି ସମୟରେ ବାଜି ଉଠିଲା ରାନୀର ଫୋନ୍, ଭାବି ଶାଶୁଙ୍କର। ଉଠେଇବା ମାତ୍ରେ ଭାବି ଶାଶୁ ମା କହିଲେ, ଝିଅରେ ମୋ ପୁଅର ନମ୍ୱର୍ ନିଅ ତୁମେ ଥରୁଟିଏ ମୋ ପୁଅକୁ କଲ କରି କଥା ହୋଇଯାଅ। ଆଜି ସେ ବହୁତ୍ ଡେରିରେ ଅଫିସରୁ ଫେରିଲା ତେଣୁ କଲ କରି ପାରିନି ତୁମକୁ। କିଛି ଅସୁ
ବିଧା ନାହିଁ କହି ଫୋନ୍ କାଟିଲା ରାନୀ। ଏତେ ରାତି ହେଲାଣି, କଲ କରିବାଟା ଠିକ୍ ହେବନି। ମେସେଜଟିଏ କରିଦେବିକି? ନା ନା, ସେ ପୁଅ ନିଜ ଆଡ଼ୁ ଗୋଟେ କଲ କଲାନି, ମୁଁ କାହିଁକି ତାକୁ କଲ କରିବି ଯେ? ମୋର କଣ ଆତ୍ମସମ୍ମାନ ନାହିଁ? ନା ନା! ମେସେଜଟିଏ କରିଦେଲେ କଣ ଅସୁବିଧା ଯେ? ଏମିତି ଇଆଡୁ ସିଆଡୁ ଗୁଡ଼ାଏ ଭାବିବା ପରେ ଶେଷରେ WhatsAppରେ ମେସେଜ ଟିଏ କଲା ରାନୀ।
ରାନୀ:- ହାଏ, ମୁଁ ରାନୀ। ଆପଣଙ୍କ ମାଆଙ୍କ ଠାରୁ ନମ୍ୱର୍ ପାଇ ତାଙ୍କ ଅନୁରୋଧ କ୍ରମେ ମେସେଜ କରୁଛି ଆପଣଙ୍କୁ।
ହେଲେ ମେସେଜ deliver ହେଲାନି। ବୋଧହୁଏ ଡାଟା ଅଫ ଅଛି। ଛାଡ! ସେ ଯେତେବେଳେ ଡାଟା ଅନ କରୁ, ନକରୁ, ମେସେଜ ଦେଖୁ, ନଦେଖୁ, ଉତ୍ତର ଦେଉ ନ ଦେଉ ମୋର ଢୋ। ଏମିତିରେ ବି WhatsApp DP ରେ ଯିଏ ବଜରଙ୍ଗିଙ୍କର ଫଟୋ ରଖିଛି, ସେ ନିଶ୍ଚିତ ବାବା ଲୋକ ହେଇଥିବ, ତା ସହ ପୁଣି ଗୋଟେ ବିବାହ କଥା ଆଉ କଣ ଯେ। ଛାଡ!! ମୁଁ ଚାଲିଲି ଶୋଇବାକୁ। ଏତକ ଭାବି ରାନୀ ଶୋଇବାକୁ ଯିବା ସମୟରେ ତା ଫୋନର ଫ୍ଲାସ ଲାଇଟ୍ ଜଳି ଉଠିଲା ମାନେ ମେସେଜ ଆସିଲା ବୋଧହୁଏ। ପାଖକୁ ଫୋନ୍ ଆଣି ରାନୀ ଦେଖିଲା ଯେ, ସେ ପୁଅର ମେସେଜ ମାନେ ଅକ୍ଷୟଙ୍କର।
ଅକ୍ଷୟ:- କ୍ଷମା ଚାହୁଁଛି, ମାମା ମତେ କହିଥିଲେ ଆପଣଙ୍କୁ କଲ କରିବାକୁ ହେଲେ ଆଜି ଗୋଟେ ରିପୋର୍ଟ ପଠେଇବାର ଶେଷ ତାରିଖ ଥିଲା। ତେଣୁ....। ପୁଣି ଥରେ ଦୁଃଖିତ।
ରାନୀ:- ନା ନା, କ୍ଷମା ପ୍ରାର୍ଥନା କରନ୍ତୁନି। ରିପୋର୍ଟ ପୈଠ ହେଇଗଲା?
ଏମିତି ଚାଲିଲା ଦୁହିଁଙ୍କର କିଛି ସମୟ ମେସେଜରେ କଥାବାର୍ତ୍ତା। ତାପରେ ରାନୀ ଶୋଇଗଲା। ଯଦିଓ ତାକୁ ଅକ୍ଷୟଙ୍କ ସହ କଥା ହେଇ ଭଲ ଲାଗିଲା, ତଥାପି ସେ ଭାବିଥିଲା ରାତ୍ ଗେୟୀ ବାତ୍ ଗେୟି। କିନ୍ତୁ ତାକୁ ଭୁଲ୍ ପ୍ରମାଣ କରି ସକାଳୁ ଅକ୍ଷୟଙ୍କର ମେସେଜ ଆସିଲା, "ସୁପ୍ରଭାତ"। ରାନୀ ଯେତିକି ଆଶ୍ଚର୍ଯ୍ୟ ହେଲା, ସେତିକି ଖୁସି ବି, ହେଲେ କଣ ଉତ୍ତର ଦେବ ଜାଣି ନପାରି ଚୁପ୍ ରହିଲା। କିଛି ସମୟ ପରେ ମେସେଜ ଆସିଲା, "ସକାଳ ଜଳଖିଆ?", "କ୍ଲାସ କେତେବେଳେ ଅଛି?", "ଆଜି ଦିନର ଯୋଜନା କଣ?", ଏମିତି ଅନେକ କିଛି। ଏଥର ଆଉ ରାନୀକୁ ପ୍ରତ୍ୟୁତ୍ତର ଲେଖିବାକୁ ଡର ଲାଗିଲାନି। ଏମିତି ଚାଲିଲା କିଛି ଦିନ। ଖୁବ୍ ଅଳ୍ପଦିନରେ ଦୁହେଁ ଦୁହିଁଙ୍କର ଅତି ନିକଟତର ହେଇଗଲେ। ଧିରେ ଧିରେ ମେସେଜ ଗୁଡ଼ା ପ୍ରତି ସନ୍ଧ୍ୟାର ଫୋନ୍ କଲରେ ପରିଣତ ହେଲା। ମୋଟାମୋଟି କହିଲେ, ଅକ୍ଷୟ, ରାନୀ ଜୀବନର ଏକ ଅଂଶ ସାଜିଗଲେ। ଦେଖୁ ଦେଖୁ ୪ ମାସ ବିତିଗଲା। ଦିନେ ରାନୀ ଅନୁଭବ କଲା ଯେ, ଆଜି ଅକ୍ଷୟ ତାକୁ ପୂର୍ବପରି ମେସେଜ କରୁ ନାହାନ୍ତି। ମାନେ, ସକାଳେ "ସୁପ୍ରଭାତ" ମେସେଜ ନାହିଁ କି "ଜଳଖିଆ ଖାଇଲେଣି?" ପ୍ରଶ୍ନ ବି ନାହିଁ। ତାକୁ ଯଦିଓ ଭଲ ଲାଗିଲାନି, ହେଲେ ଅକ୍ଷୟ ବୋଧହୁଏ ବ୍ୟସ୍ତ ଥିବେ ଭାବି ସେ ତା ଆଡ଼ୁ ମେସେଜ କଲା। ଅନେକ ସମୟ ପରେ ଛୋଟ ଉତ୍ତରଟେ ଆସିଲା "ଟିକେ ବ୍ୟସ୍ତ ଅଛି"। ଏମିତି ସେଦିନ କଟିଗଲା। ତହିଁ ଆରଦିନ ବି ଅକ୍ଷୟଙ୍କ ଠାରୁ କିଛି ମେସେଜ ନାହିଁ। ରାନୀ ଯେତେ ମେସେଜ/ କଲ୍ କଲା ତାର ଉତ୍ତର ନାହିଁ। ଦିନ ଯାଇ ସନ୍ଧ୍ୟା ହେଲା, ରାନୀ ବହୁତ୍ ଡରି ଯାଇଥାଏ; ଅକ୍ଷୟଙ୍କର କିଛି ଅସୁବିଧା ହେଇଛି ବୋଲି ଭାବି ତ ପୁଣି କେବେ ଅକ୍ଷୟ ଧୋକା ଦେଲେ ବୋଲି ଭାବି। ରାତିରେ ଅକ୍ଷୟଙ୍କର ମେସେଜ ଆସିଲା
ଅକ୍ଷୟ:- ମାଉସୀଙ୍କ ଦେହ ଭଲ ନାହିଁ। ପୁରାଦିନ ହସ୍ପିଟାଲରେ ଥିଲି। କ୍ଷମା କରିବେ, ଉତ୍ତର ଦେଇପାରିଲିନି।
ରାନୀ:- ଓଃ, କଣ ହେଇଛି ମାଉସୀଙ୍କର? ଏବେ କେମିତି ଅଛନ୍ତି? କାହ୍ନୁ ସବୁକିଛି ଠିକ୍ କରିଦେବେ, ତୁମେ ଜମା ବ୍ୟସ୍ତ ହୁଅନ୍ତିନି।
ତାପରେ ଅକ୍ଷୟଙ୍କର କିଛି ଉତ୍ତର ନାହିଁ। ଦିନ ଯାଇ ମାସ ଗଡିଲା। ଅନଲାଇନ୍ ଥାଆନ୍ତି ଅକ୍ଷୟ। ହେଲେ କିଛି ଉତ୍ତର ଦିଅନ୍ତନି କି କଲ ବ୍ୟାକ୍ ନାହିଁ। ଅକ୍ଷୟ ଯେ ତାକୁ ଧୋକା ଦେଇଛନ୍ତି, ରାନୀ ଏହାକୁ ସହଜରେ ବିଶ୍ୱାସ କରିପାରୁନଥିଲା। ଧିରେ ଧିରେ ନୀରବ ହୋଇଗଲା ରାନୀ, ବୋଧହୁଏ ସେ ଅକ୍ଷୟଙ୍କ ପ୍ରେମରେ ପଡି ସାରିଥିଲା। ଧିରେ ଧିରେ ରାନୀ ମାନସିକ ଭାବେ ଦୁର୍ବଳ ହେଇପଡିଲା ଆଉ ତାପରେ ମୋର ଭେଟ ରାନୀଙ୍କ ସହ। ମାନେ ପୂଜା, ରାନୀକୁ ନେଇ ଆସିଥିଲେ ମୋ କ୍ଲିନିକକୁ। ପୂଜା ସହ ମିଶି କିଛି ଗବେଷଣା ପରେ ଜାଣିବାକୁ ପାଇଲୁ ଯେ, ଅକ୍ଷୟ ବିବାହିତ, ତାଙ୍କର ଗୋଟେ ପୁଅ ମଧ୍ୟ ଅଛି। କେବଲ ଟାଇମ୍ ପାସ୍ ପାଇଁ ଏଇ ଆକାଉଣ୍ଟଟି ଖୋଲିଥିଲେ।
ଏତିକି କହିବି ଯୁବପିଢିଙ୍କୁ: ଏମିତି ସବୁ ସାଇଟରୁ କଥା ହେଉଛ ଯଦି ହୁଅ, ହେଲେ ଘରେ /ସାଙ୍ଗମାନଙ୍କୁ ଏ ବିଷୟରେ କହିଥାଅ, ମାଟ୍ରିମୋନି ସେଣ୍ଟରକୁ କଲ କରି ପ୍ରୋଫାଇଲ୍ କେତେଦୂର ଠିକ୍ ଜାଣିନିଅ। ପିଲାଟି କହୁଥିବା କଥା କେତେ ଦୂର ଠିକ୍, ଜାଣିବାକୁ ଚେଷ୍ଟା କର; ତା ପରେ ଯାଇ ନିଜ emotion ଗୁଡ଼ା ସେ ପିଲା ଆଗେ ଭସାଅ। ଅକ୍ଷୟଙ୍କ ଭଳି ଅନେକ ଟାଇମ୍ ପାସ ପାଇଁ, ଆକାଉଣ୍ଟ ଖୋଲି ବସିଛନ୍ତି, ସେମାନଙ୍କୁ ଚିହ୍ନି, ତାଙ୍କ ଠାରୁ ସତର୍କ ରୁହନ୍ତୁ। କିଛିଦିନ କଥାବାର୍ତ୍ତା ପରେ ବି ଏ ସମ୍ପର୍କ ଗଢା ନହେଇ ପାରେ, ସେନେଇ ନିଜକୁ ପ୍ରସ୍ତୁତ କରି ରଖିଥାଅ; ନହେଲେ ରାନୀ ଭଳି ଅବସ୍ଥା ହେବ ଆପଣଙ୍କର।
ଆପଣ ମାନେ ଭାବୁଥିବେ, ମୁଁ କିଏ? ଏତେ କଥା ଆପଣଙ୍କୁ କାହିଁକି କହୁଛି? ବ୍ୟସ୍ତ ହୁଅନ୍ତୁନି, ଦେଉଛି ମୋ ପରିଚୟ। ମୁଁ ଡଃ ରୁଚି ପଟ୍ଟନାୟକ, ପେଶାରେ ଜଣେ ମାନସିକ ଡାକ୍ତର। ଯାହା ପାଖକୁ ଆସିବାକୁ ସଭିଏ ଡରନ୍ତି, ଲାଜ କରନ୍ତି। ହାତ ଯୋଡ଼ି ଅନୁରୋଧ କରୁଛି, ମାନସିକ ଭାବେ ଦୁର୍ବଳ ହେଲେ ମୋ ଭଳି ମାନସିକ ଡାକ୍ତରମାନଙ୍କ ପାଖକୁ ଯାଆନ୍ତୁ, ତାଙ୍କ ସହ ଲାଜ ଛାଡି ମନଖୋଲି କଥା ହୁଅନ୍ତୁ, ତାଙ୍କର ସାହାଯ୍ୟ ନେଇ ନିଜ ମନକୁ ପୁଣି ଥରେ ସନ୍ତୁଳନ ଅବସ୍ଥାକୁ ନେଇ ଆସନ୍ତୁ। ଯଦି ଆପଣ ମାନସିକ ଭାବେ ଦୁର୍ବଳ ହେଉଛନ୍ତି, ତା ଅର୍ଥ ନୁହେଁ କି ଆପଣ ପାଗଳ, ଜମା ବି ସେମିତି ଭାବନାରେ ରୁହନ୍ତିନି ଆଉ ସମାଜ କଣ କହିବ, ଭାବିବ, ସେ କଥା ତ ମନରୁ ପୋଛଇ ଦିଅନ୍ତୁ।
ବହୁତ୍ ଦିନର ପ୍ରଚେଷ୍ଟା ପରେ ଓ କାହ୍ନୁଙ୍କ କୃପାରୁ, ପୁଣିଥରେ ରାନୀ ଓଠରେ ଧାରେ ହସ ଦେଖିପାରିଲି, ପୁଣିଥରେ ସେ ତା ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି। ଆଉ ଆସନ୍ତା ମାସ ୧୨ ତାରିଖରେ ତାର ବାହାଘର। ଆପଣ ସଭିଙ୍କୁ ରାନୀ ତରଫରୁ ମୁଁ ନିମନ୍ତ୍ରଣ କରୁଛି। ଆପଣ ମାନେ ଆସିବେ, ଭୋଜି ଖାଇବେ ଆଉ ନବ ଦମ୍ପତ୍ତିଙ୍କୁ କଲ୍ୟାଣ କରିବେ। ଆଉ ଗୋଟେ ସିରିୟସ କଥା: ଗିଫ୍ଟ ଆଣିବାକୁ ଜମା ଭୁଲିବେନି। ମୁଁ ତ ବାହାଘର ଭୋଜି ଖାଇବାକୁ ଯାଉଛି, ଆଉ ଆପଣ ମାନେ?
*ବି. ଦ୍ର.:* ୧) ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ, ଜମାରୁ ବି ଲଜ୍ଜ୍ୟା ଅନୁଭବ କରନ୍ତୁ ନାହିଁ।
୨) କାଳ୍ପନିକ କାହାଣୀ। କାହା ସହ ଯଦି କାହାଣୀ ମିଶି ଯାଉଥାଏ କିମ୍ବା ଖରାପ ଲାଗିଥାଏ ମୁଁ ଦୁଃଖିତ। ମାଟ୍ରିମୋନିକୁ ଭୁଲ ଠିକ୍ କହିବା ଉଦ୍ଦେଶ୍ୟ ନୁହେଁ, ଉଦାହରଣ ପାଇଁ କେବଳ ....। ସେଥିପାଇଁ ମାଟ୍ରିମୋନି ପାଖେ ବି ଦୁଃଖିତ।