ବ୍ୟାଙ୍କିଙ୍ଗ କୋଚିଂ
ବ୍ୟାଙ୍କିଙ୍ଗ କୋଚିଂ
ଆଜ୍ଞା, ଆମ ଘରେ ମୁଁ ଟିକେ ଅଧିକା ଶିକ୍ଷିତା ମାନେ ସବୁଠୁ ଅଧିକା ସାର୍ଟିଫିକେଟ ମୋ ପାଖରେ। ତା ଅର୍ଥ ନୁହେଁ ଯେ ମୁଁ ଗୋଟେ ଭୁସ ପଣ୍ଡିତ କି ମହାଜ୍ଞାନି ଓ ପାଠପଢ଼ାରେ ବହୁତ୍ ଆଗୁଆ ଥିଲି, ଆଉ ସମସ୍ତେ ଅଜ୍ଞାନୀ ଓ ପଛୁଆ ଥିଲେ। ସତ କହିବାକୁ ଗଲେ ବାକି ସମସ୍ତେ ପରିସ୍ଥିତି ଓ ଆର୍ଥିକ ଅସୁବିଧାର ଚାପରେ ଏତେ ଚାପି ହେଇଗଲେ ଯେ, ଇଚ୍ଛା ନ ଥାଇ ବି ନିଜ ପାଠ ପଢାରେ ପୂର୍ଣ୍ଣଛେଦ ପକେଇବାକୁ ବାଧ୍ୟ ହେଲେ। ଆଉ ସେମାନଙ୍କ ତ୍ୟାଗ ବଳରେ ମୋ ସମ୍ମାନର ପ୍ରତିବନ୍ଧକ ସବୁ ଦୁରେଇଗଲା ଓ ମୁଁ ଆଗକୁ ବଢିବାର ସୁଯୋଗ ପାଇଲି। ଯାହାପାଇଁ ମୁଁ ସର୍ବଦା ପରିବାର ପାଖେ ରୁଣୀ ରହିବି। ଛାଡ଼ନ୍ତୁ ସେ କଥା, ଏବେ ପଏଣ୍ଟ ଉପରକୁ ଆସିବା। ଯେହେତୁ ମୁଁ higher education ନେଇଛି, ତେଣୁ ପରିବାର ତ ଛାଡ, ପଡୋଶୀ, ବନ୍ଧୁ ବାନ୍ଧବରେ କିଏ କେମିତି ରୂପେ ନିଜ କ୍ୟାରିୟର ଗଢ଼ିବ, ଦଶମ ପରେ କଣ ପଢ଼ିବ, ସେ ବିଷୟରେ ମୋର ପରାମର୍ଶ ଲୋଡ଼ନ୍ତି। ଆପଣଙ୍କ ସହ ବି ଏମିତି ହେଉଥିବ ନା? ପ୍ରଥମେ ପ୍ରଥମେ ମୁଁ ସତ ଭାବି ପୁରା serious ଭାବେ ଭାବିଚିନ୍ତି ପରାମର୍ଶ ଦେଉଥିଲି। ଏମିତି ଲାଗୁଥିଲା, ମୁଁ ଭୁଲ୍ କହିଦେଲେ ପିଲାଟିର କ୍ୟାରିୟର ନଷ୍ଟ ହେଇଯିବ ମୋ ପାଇଁ। ଆସ୍ତେ ଆସ୍ତେ ଅନୁଭବ କଲି ଯେ, ଏ ପରାମର୍ଶ କେବଳ ନାମକୁ ମାତ୍ର। ପିଲାର କ୍ୟାରିୟର ତ ସେ ଦଶମ ପରୀକ୍ଷା ଦେବା ପୂର୍ବରୁ ସ୍ଥିର ହୋଇଯାଇଥାଏ। ଯଦି ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଲା, ତେବେ ବିଜ୍ଞାନର ଛାତ୍ର/ଛାତ୍ରୀ ହେବ, ଯଦି ତା ଠୁ କମ୍ ଓ ବିଜ୍ଞାନରେ କଲେଜରେ ସିଟ ମିଳିଲାନି, ତେବେ କଳା ବିଭାଗର ଛାତ୍ର/ଛାତ୍ରୀ। ଆଜିକାଲି ତ residential college ଛତୁ ଫୁଟିଲା ପରି ଫୁଟିଲେଣି, ଠିକ୍ କିଛି ବର୍ଷ ପୂର୍ବେ ଇଞ୍ଜିନିୟରିଂ କଲେଜ ଫୁଟିଲା ପରି। ଆଉ ପିତାମାତାଙ୍କର ଭାଵନା ଯେ, residential college ରେ ଅଧିକା ପଇସା ଦେଇ ପଢା ହେଉଛିର ଅର୍ଥ ପିଲାର କ୍ୟାରିୟର ଗଢା ହେଉଛି। ତେଣୁ ଦଶମ ପରେ residential collegere ଯୁକ୍ତ ଦୁଇ ବିଜ୍ଞାନରେ ଆଡ଼ମିଶନ କରାଇଦେଇ ଆଜିକାଲିର ପିତାମାତା ମାନେ ଭାରି ଖୁସି ହେଇଛନ୍ତି। ନିଜ ଅନୁଭୂତିରୁ ଗୋଟିଏ ଉଦାହରଣ ଦେଉଛି। ଏଇ ଏବେ ଏବେ ଦଶମ ଫଳ ବାହାରିଛି, ତ ଜଣେ ସମ୍ପର୍କୀୟ କଲ କରି କହିଲେ ପୁଅ (ରାଜା) ର ଦଶମ ଫଳ ବାହାରିଲା, ୭୪ ପ୍ରତିଶତ ରଖି ପାସ୍ କରିଛି।ଏବେ ତୋ ଦାୟିତ୍ଵ, ସେ ତୋ ଭାଇ ଭଳି, ତୋ ଭାଇର ଭବିଷ୍ୟତ କେମିତି ଗଢ଼ିବୁ, ସେଇଟା ତୋ ହାତରେ। ମୁଁ ବି ସତ ଭାବି କହିଦେଲି, ବ୍ୟସ୍ତ ହୁଅନ୍ତୁନି, ମୁଁ ଟିକେ ରଜ ସହ କଥାହୁଏ ପ୍ରଥମେ, ତାର କଣ ଇଚ୍ଛା କି ସ୍ଵପ୍ନ ଅଛି, ତାର ପସନ୍ଦ ନା ପସନ୍ଦ ଜାଣିବା ପରେ ନିଷ୍ପତ୍ତି ନେବା। ମୋ କଥା ସରିଛି କି ନାହିଁ, ସମ୍ପର୍କୀୟ କହି ଉଠିଲେ, ଯାଜପୁରରେ ଗୋଟିଏ ନୂଆ residential college ଖୋଲିଛି, ସମସ୍ତେ କହୁଛନ୍ତି ଭାରି ଭଲ, ଖାଲି ଟିକେ ଫିସ୍ ଚଢ଼ା। ଭାବୁଛି, ସେଇଠି ଯୁକ୍ତ ଦୁଇଟା ଆଡ଼ମିଶନ କରେଇଦେବି ଆଉ ତାପରେ ଭୁବନେଶ୍ୱର ଯାଇ ବ୍ୟାଙ୍କିଙ୍ଗ କୋଚିଂ ନେବ। ବ୍ୟାଙ୍କିଙ୍ଗ କୋଚିଂ ନାଁ ଶୁଣି ପ୍ରବଳ ଚିଡି ମାରିଲା। ତାଙ୍କ ପାଖେ already ଯଦି ଯୋଜନା ଅଛି, ତେବେ ମୋ ସମୟ ନଷ୍ଟ କାହିଁକି କଲେ ଯେ? ଛାଡ଼ନ୍ତୁ ସେ କଥା। ଆପଣବି କଣ ମୋ ଭଳି ଲକ୍ଷ୍ୟ କରିଛନ୍ତି ଓ ବ୍ୟାଙ୍କିଙ୍ଗ କୋଚିଂ କଥା ଶୁଣି ଚିଡି ଉଠୁଛନ୍ତି? ଆଗେ ଦେଖା ଯାଉଥିଲା, ଯୁକ୍ତ ଦୁଇ ବିଜ୍ଞାନ ପରେ ସମସ୍ତେ ଇଞ୍ଜିନିୟରିଂ ପଛେ ଧାଉଁଥିଲେ, ଏବେ ସେଥିରେ ହାତ ମିଲେଇଛି ବ୍ୟାଙ୍କିଙ୍ଗ କୋଚିଂ। ଇଞ୍ଜିନିୟରିଂ ପରେ ହେଉ କି ଯୁକ୍ତ ଦୁଇ ପରେ ହେଉ, କିମ୍ବା ସ୍ନାତକ ଓ ସ୍ନାତକତର ପରେ ହେଉ, ଚାକିରି ମିଳିଲାନି, ଖାଲି ଘରେ ବସି କଣ କରିବେ, ଚାଲ ବ୍ୟାଙ୍କିଙ୍ଗ କୋଚିଂ ଯୋଗ ଦେଇଦେବା। ମାନୁଛି, ବ୍ୟାଙ୍କ୍ ରେ ଚାକିରି ଏକ ସମ୍ମାନଜନକ ସ୍ଥାନ, ହେଲେ ଏହା ଏକ ସହଜରେ ମିଲିଯିବା ପରି ଚାକିରି ନୁହେଁ, ଏଥିପାଇଁ ଲୋଡା ଏକ ସାଧନା, କଠିନ ପରିଶ୍ରମ। କୋଚିଂ ସେଣ୍ଟର୍ ଯୋଗ ଦେଲେ ଏହି ସାଧନା କରିବାକୁ ଏକ ରାସ୍ତା ମିଳିଯାଏ ଓ ପାଇବା ସହଜ ହେଇଯା
ଏ। ହେଲେ ଆଜିକାଲିର ପିଲାଙ୍କ ପାଇଁ ଏହା ଏକ ପଢା ମନ୍ଦିର ନୁହେଁ, ଏକ ପାର୍କ କି ଟାଇମ୍ ପାସ୍ ଜାଗା। ଆଜିକାଲି, ଅନେକଙ୍କ ପାଇଁ ଗାଁ ଛାଡି କଟକ/ଭୁବନେଶ୍ୱର ଆସିବାର ଏକ ମାଧ୍ୟମ ସାଜିଛି ଏଇ କୋଚିଂ। ୧୦୦ରୁ ବୋଧେ ୧୦ ଜଣ କୋଚିଂ ସେଣ୍ଟର୍ ସତରେ ବ୍ୟାଙ୍କ୍ ଚାକିରି ଆଶା ନେଇ ଯୋଗ ଦିଅନ୍ତି ଆଉ ସେଥିପାଇଁ କଠିନ ପରିଶ୍ରମ କରନ୍ତି। ବାକି ୯୦ ଜଣ??? ଘରୁ ବାହାରି ଆସିବା ଦ୍ଵାରା ସେଇ ସ୍ଵାଧୀନତା, ଚକାଚକ ରାଜଧାନୀକୁ ଉପୋଭୋଗ କରନ୍ତି। ସ୍ମାର୍ଟ୍ ସିଟିରେ ସ୍ମାର୍ଟ୍ ହେବା ଚକରରେ ମଦକୁ ଆପଣେଇ ନିଅନ୍ତି ଆଉ ତା ସହ ୨-୩ ଟା ଗାର୍ଲ୍ / ବଏ ଫ୍ରେଣ୍ଡ୍ ଧରି ବୁଲିବାକୁ ଭୂଳନ୍ନ୍ତିନି, ଯାହାର ପରିଣାମ ହୁଏ ଆତ୍ମହତ୍ୟା। ଏଠି ବାପାମାଆଙ୍କୁ ଗୋଟିଏ ଅନୁରୋଧ, ପିଲା ଯେତେବେଳେ ଘର ଭଡା ବଢ଼ିଗଲା କି ସେଣ୍ଟର୍ ର ଫିସ ବଢ଼ିଗଲା କହି ହଠାତ୍ ଅଧିକା ପଇସା ଦାବି କରନ୍ତି, ସେତେବେଳେ ସତ୍ୟତା ଟିକେ ପରଖି ନିଅନ୍ତୁ। ଲକ୍ଷ୍ୟ କରିଥିବେ ଯେ ବ୍ୟାଙ୍କିଙ୍ଗରେ ପାଶ ହା ଫେଲ୍ ହାର ଅଧିକା। ବୋଧେ ଏହାର କାରଣ ଆପଣ ବୁଝି ସାରିଥିବେ। ଚାକିରୀରେ ଖାଲି ସ୍ଥାନର ସଂଖ୍ୟା ବଢ଼ୁନି କେବଳ ବଢୁଛି ତାହା ପାଇଁ ଲଢ଼ୁଥିବା ପିଲା ସଂଖ୍ୟା। ନା ନା ପିଲା ସଂଖ୍ୟା ନୁହେଁ, ଅଗାଡ଼ି ସଂଖ୍ୟା। କେବେ ଥରେ ଭାବିଛନ୍ତି, ଏହାର ସାଇଡ effect କଣ? ଯେମିତି ପ୍ରଥମେ ଏତେ ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ ଯୋଗୁ, ସମସ୍ତେ ଇଂଜିନିୟରିଂ ପଢ଼ିଦେଲେ ହେଲେ ଚାକିରି ନ ପାଇ ବେକାର ହୋଇ ବୁଲିଲେ, ଯେହେତୁ ଇଞ୍ଜିନିୟର, ତେଣୁ ଛୋଟ ମୋଟ ଚାକିରି କରିବାକୁ ଇଚ୍ଛା ହେଲାନି ଆଉ କିଛିଙ୍କର ପ୍ରେଷ୍ଟିଜ୍ ଲିକ୍ ହେଇଯାଉଥିଲା। ଏବେ ସମାନ ଅବସ୍ଥା ବ୍ୟାଙ୍କିଙ୍ଗ କୋଚିଂ କୁ ନେଇ। ଏମିତି ହେବା ଦ୍ବାରା ଆମର ତ କିଛି ଲାଭ ହେଲାନି, ବରଂ ଲାଭ ହେଲା କିଛି ବ୍ୟବସାୟୀ ଙ୍କର। ସେମାନେ ପାଠ ପଢାକୁ ନେଇ ବ୍ୟବସାୟ ଆରମ୍ଭ କରିଦେଲେ। ଆବଶ୍ୟକତା ଠାରୁ ଅଧିକା residential କଲେଜ, ଇଞ୍ଜିନିୟରିଂ କଲେଜ, କୋଚିଂ ସେଣ୍ଟର, ଏହା ସବୁ ବ୍ୟବସାୟ ନୁହେଁ ତ ଆଉ କଣ? ଆଉ ତାଙ୍କର ଏହି ବ୍ୟବସାୟ ପାଇଁ ପରୋକ୍ଷରେ ଆମେ ଦାୟୀ ନୁହନ୍ତି କି?? ଥରେ ନିଜକୁ ପଚାରି ଦେଖନ୍ତୁ। ଶେଷରେ ଏତିକି କହିବି, କିଏ କଣ କଲା କି କିଏ କଣ କହିବ ନୁହେଁ, ନିଜର ଇଚ୍ଛା, ସ୍ଵପ୍ନ ସହ ଦକ୍ଷତା ହିସାବରେ ନିଜ କ୍ୟାରିୟରର ରାସ୍ତା ବାଛନ୍ତୁ। ଯଦ୍ୱାରା ଆପଣ ଆପଣଙ୍କ କାମରେ କେବେ ବିରକ୍ତି ଓ କ୍ଳାନ୍ତ ଅନୁଭବ କରିବେନି। ପିତାମାତାଙ୍କୁ ବି ଅନୁରୋଧ, ପିଲାଙ୍କ ଉପରେ ନିଜ ଇଚ୍ଛା ଲଦନ୍ତୁନି, ପିଲାକୁ ସୁଯୋଗ ଦିଅନ୍ତୁ, ଯଦି ଅଳ୍ପ ବୟସ ଯୋଗୁ ସେ ନିଜ ପାଇଁ ରାସ୍ତା ବାଛିବାକୁ ଅକ୍ଷମତା ପ୍ରକାଶ କରୁଛି, ତେବେ ପିଲାର ଇଚ୍ଛା ଓ ଦକ୍ଷତା ଅନୁଯାୟୀ ତାକୁ ଏକ ରାସ୍ତା ଦେଖାନ୍ତୁ।
ଗୋଟିଏ ଗୁରୁତ୍ୱପୂର୍ଣ ଓ ସତ୍ୟ କଥା ଭୁଲିଗଲି। ଯଦିଓ ମୁଁ କେବଳ ନେଗେଟିଭ ପାର୍ଶ୍ଵ ଟି ଦେଖେଇଛି, ହେଲେ ମୁଁ ମାନୁଛି ଅନେକ ଶିକ୍ଷିତ ଯୋଗ୍ୟ ଯୁବକ/ଯୁବତୀ ଅଛନ୍ତି ଯିଏ କଠିନ ପରିଶ୍ରମ ପରେ ବି ମନଲାଖି ଚାକିରି ଟିଏ ପାଉନାହାଁନ୍ତି। କାରଣ ଆମ ରାଜ୍ୟରେ ନୁହେଁ, ଦେଶରେ ସରକାରୀ ଚାକିରୀରେ ସେତିକି vacancy ରହୁନି। ତେଣୁ ଅନେକ ବେକାର ହୋଇ ବୁଲୁଛନ୍ତି ଓ ଶେଷରେ ନିଜ କ୍ୟାରିୟରର ରାସ୍ତା ବଦଳେଇ କୋଚିଂ ସେଣ୍ଟର୍ ଯୋଗ ଦେଇଛନ୍ତି। କାଳେ ଏଠି ଯୋଗ ଦେଇ ପରିଶ୍ରମ କଲେ କିଛି ଚାକିରି ମିଳିଯିବ। କାରଣ ବଞ୍ଚିବାକୁ ତ ପଇସା ଦରକାର। ଆଉ ବୟସ ବଢିବା ସହ ପରିବାର ଦାୟିତ୍ଵ ବି ବଢେ। କିଛି ସ୍ଥରରେ ଦେଖିଛି, ଅନେକ ପାଠ ପଢି ବି ଏକ ଛୋଟ ଚାକିରି ଯୋଗାଡ କରିବା ସମ୍ଭବ ହେଇପାରେନି, ଯଦ୍ୱାରା ପରିବାରର ଗୁଜୁରାଣ ମେଣ୍ଟାଇ ପାରନ୍ତିନି ଓ କିଛି ଶେଷରେ ଆତ୍ମହତ୍ୟାକୁ ଆପଣେଇ ନିଅନ୍ତିଁ। ସେମାନଙ୍କୁ ଅନୁରୋଧ, ଦୟାପୂର୍ବକ, ଏପରି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ, ଥରେ ପରିବାର କଥା ଭାବନ୍ତୁ। କହି ବସିଲେ ଅନେକ ସମସ୍ୟା ବାହାରିବ। ଏତିକିରେ ରହୁଛି।
*ବି. ଦ୍ର.: କାହାକୁ ଆକ୍ଷେପ କରି ଏହା ଲେଖା ଯାଇନାହିଁ। ଅନ୍ୟଥା ନ ନେବାକୁ ଅନୁରୋଧ।