ଏଠି ପାଗିଳି କିଏ
ଏଠି ପାଗିଳି କିଏ
Flight fare ବଢିବା ପରେ ଏବେ ପୁଣିଥରେ ସମସ୍ତେ ରେଳଗାଡ଼ି ମୁହାଁ ହେଲେଣି। ତେଣୁ ଆଜିକାଲି ରେଳରେ ଗୋଟିଏ ସିଟ ମିଳିବା ଭାଗ୍ୟ ଉପରେ ନିର୍ଭର କରୁଛି। ଆଗରୁ କହୁଥିଲେ ଧନୀ ଲୋକ ଉଡାଜାହାଜ ରେ ଉଡ଼ନ୍ତି, ଏବେ ଠିକ୍ ସେପରି ଅବସ୍ଥା ହେଇଗଲାଣି। ପାଖରେ ପ୍ରଚୁର ଧନ କିମ୍ବା ପ୍ରଚୁର ସମୟର ଅଭାବ ନ ହେଲେ ଲୋକେ ଏବେ flight ଟିକେଟ କାଟିବାକୁ ମନ କରୁନାହାଁନ୍ତି। ସେପରି ଲୋକଙ୍କ ମଧ୍ୟରୁ ମୁଁ ଜଣେ ଆଜ୍ଞା। ଛାଡ଼ନ୍ତୁ ସେ କଥା, ବହୁ କଷ୍ଟରେ ତତ୍କାଳ ରେ ଗୋଟିଏ ଟିକେଟ ପାଇଥିବାରୁ ଖୁସି ମନରେ ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ପହଞ୍ଚିଗଲି ମୁଁ ଷ୍ଟେସନ ପାଖରେ। ତେଣୁ platform ରୁ ଗୋଟିଏ ଇଂରାଜୀ ଉପନ୍ୟାସ କିଣି waiting ହଲରେ ବସି ପଢୁଥାଏ। ସେଥି ମୋ ଭଳି ଅନେକ ବସି ଥାଆନ୍ତି। କିଛି ସମୟ ମଧ୍ୟରେ ହଲ ଭିତରକୁ ପଶି ଆସିଲା ୨୦-୨୨ ବର୍ଷର ଝିଅଟିଏ, ଆଉ କାଖରେ ତାର ୬-୭ ମାସର ଛୁଆଟିଏ। ଯାହାକୁ ଦେଖୁଥାଏ ଖାଲି କିରି କିରି ହେଇ ହସିଦେଉଥାଏ ଓ ମଝିରେ ମଝିରେ ତା ଛୁଆକୁ ଗେହ୍ଲ କରିଦେଉଥାଏ। କାହାକୁ ହଇରାଣ ନ କରି, ନିଜ ଚୁନି ତଳେ ପକେଇ ସେଥିରେ ଛୁଆଟିକୁ ଗଡ଼େଇ ଦେଲା। ତାପରେ ନିଜେ ତଳେ ବସି କୋଉ ହୋଟେଲରୁ ମାଗି ଆଣିଥିବା ଭାତ, ଡାଲି, ତରକାରୀ ଖାଇବାକୁ ଲାଗିଲା। ମଝିରେ ମଝିରେ ତାର ୬ ମାସର ଛୁଆଟିର ପାଟିରେ ଶୁଖିଲା ଭାତକୁ ଟିକେ ଚକଟି ଦେଇଦେଉଥାଏ। ଛୋଟ ଶିଶୁଟି ହସି ହସି ଖାଇଦେଉଥାଏ ଶୁଖିଲା ଭାତକୁ, ବୋଧେ ଏଇ ସମୟରୁ ବୁଝିଯାଇଥିଲା ମାଆର ଅବସ୍ଥାକୁ। ଛାଡ଼ନ୍ତୁ, ସେ କଥା। ଛୁଆଟି ଗୁରୁଣ୍ଡି ଗୁରୁଣ୍ଡି ଇଆଡ଼େ ସିଆଡେ ପଲୋଉଥିଲା, ଖାଇବା ଭିତରେ ବି ମାଆ ତାକୁ ଘୋଷାଡି ପାଖକୁ ନେଇଆସୁଥାଏ ଆଉ ତା ପାଟିରେ କିଛି ଶୁଖିଲା ଭାତ ଦେଇଦେଉଥାଏ। ଲକ୍ଷ୍ୟ କଲି ଯେ, ସମସ୍ତେ ଓଏ, ହୋଏ କରୁଥାନ୍ତି, ହେଲେ ସେଠି ବସିଥିବା ଅନ୍ୟ ମାଆ ମାନେ କେହି ଟିକେ ଛୁଆ ଟିର ମୁଣ୍ଡ ବାଜିଯିବା, ପଡ଼ିଯିବା ସମୟରେ ଧରିବାକୁ ଚେଷ୍ଟା କଲେନି। ପ୍ରଥମେ ଭାବୁଥିଲି, ଅନ୍ୟ ଛୁଆ, କାଳେ ତା ମାଆ କଣ ଭାବିବ ଭାବି ଧରୁ ନାହାଁନ୍ତି, ପରେ ଜାଣିଲି ଯେ, ପିଲାଟିର ଅସନା ପୋଷାକ ମୂଳ କାରଣ ଥିଲା। ଅଳ୍ପ ଟିକେ ସେ ଝିଅଟି ଖାଇଛି କି ନାହିଁ, ତା ପୁଅଟି ସେଇ ହଲ ଭିତରେ ଝାଡା କରିଦେଲା, ସମସ୍ତେ ବହୁତ୍ ଅସନା ପାଉଥାନ୍ତି, ହେଲେ ସେ ଝିଅଟି ନିଜ ଖାଇବା ଠୁ ଉଠି, ନିଜ ଶିଶୁକୁ ଧୁଆ ଧୁଇ କରିବା ସହ, ନିଜ ବ୍ୟାଗରୁ ଥିବା ଚିରା ଲୁଗାରୁ ଖଣ୍ଡେ କପଡ଼ା ଚିରି, ହଲ ପରିଷ୍କାର କରି, କପଡ଼ା କୁ napkin ର dustbin ରେ ପକେଇଲା। ଛୁଆ ମନ ମାଆ ବୁଝିବା ପରି କଣ ବୁଝିଲା କେଜାଣି, ନିଜ ଖାଇବାକୁ ସବୁ ଜରିରେ ବାନ୍ଧିଦେଇ, ସେଇ ଚିରା ଲୁଗାଟିକୁ ତଳେ ପକେଇ
, ନିଜ ଛୁଆକୁ ନିଜର ସ୍ତନ ପାନ କରେଇଲା। ସେଇ ସମୟରେ ଦେଖିଛି ତା ଓଠରେ ମାଆ ହେବାର ଖୁସି, ମୁହଁରେ ମାତୃତ୍ୱର ଚମକ୍। ମଝିରେ ମଝିରେ ଛୁଆଟିକୁ ଗେହ୍ଲା କରିଦେଉଥାଏ, ପୁଣି କିରି କିରି ହେଇ ହସୁଥାଏ। ଇଆଡୁ ସିଆଡୁ ଗପୁଥାଏ, କାହାକୁ ଗାଳି ଗୋଟେ ଦେଉଥାଏ। ତା ଗାଲିରୁ ଏତିକି ଅନୁଭବ କଲି, ସେ ନିଜ ଇଚ୍ଛାରେ ମାଆ ହେଇନି, ତାର ମାଆ ହେଇ ଏକା ଏକା ଦାୟିତ୍ଵ ନେବାର ବୟସ ହେଇନି। ବରଂ ସେ ହେଇଛି, ଧର୍ଷଣର ଶିକାର। କିଛି ପଇସା ବାଲା ଲୋକ କିମ୍ବା ମଦୁଆ ତାକୁ ଏକା ପାଇ ଜବରଦସ୍ତି ମନଭରି ଉପୋଭୋଗ କରିଛନ୍ତି, ଯାହା ଫଳରେ ସେ ଗର୍ଭବତୀ ଓ ମାନସିକ ଭାର ହରେଇ ବସିଛି। ହେଲେ ଆଶ୍ଚର୍ଯ୍ୟ ଲଗୁଥିଲା, ସେ କେମିତି ନିଜ ପିଲାଟିକୁ ପାଳିଛି, ତାର ଯତ୍ନ ନେବାର ସମ୍ପୂର୍ଣ ଚେଷ୍ଟା କରିପାରୁଛି। ଏ କେମିତି ପାଗିଲି ହେବ? ସେଇ ସମୟରେ ମନକୁ ଆସୁଥିଲା କିଛି ଫିଲ୍ମ ଡ଼ାଇଲୋଗ, "ମାଆ ତୋ ମାଆ ହୋତେ ହେ", "ମେରେ ପାଶ ମାଆ ହେ" ଇତ୍ୟାଦି। ଅନୁଭବ କରି ପାରୁଥିଲି ଗୋଟିଏ ମାଆ ଚାହିଁଲେ କଣ ସବୁ କରିପାରେ। ଠିକ୍ ଏତିକି ସମୟରେ ପସି ଆସିଲେ କିଛି ପୁଲିସ। ପୁଲିସ ଙ୍କୁ ଦେଖିବା କ୍ଷଣି କଣ ହେଲା କେଜାଣି, ଛୁଆକୁ ଅଧା କ୍ଷୀର ଦେଇ, ଧଡପଡ ହୋଇ ଉଠିଗଲା ସିଏ, ନିଜର ସବୁ ଜିନିଷ ଧରି ଧାଇଁ ପଳେଇଲା। ତା ଯିବା ଦେଖି ସମସ୍ତେ ଖୁସି। କିଏ କହୁଥିଲା, କେଡେ ଅସନା ଥିଲା, ଅସନା କରୁଥିଲା ସବୁ, କିଏ କହୁଥିଲା ଶୁଖିଲା ଭାତ ଖୁଆଇ ଦେଉଛି ଛୁଆକୁ, କିଏ କହୁଥିଲା ପାଗିଲି ଟିଏ ଥିଲା, ଆଉ କିଛି ସମୟ ରହିଥିଲେ, ଆମ ଛୁଆ ଙ୍କର୍ କଣ ହେଇଥାନ୍ତା। ସେ ଅସନା ଛୁଆ ଟି ଆସି ମୋ ପୁଅକୁ ଧରି ପକେଇଲା, ଦେଖୁନୁ ତା ଡ୍ରେସ୍ କେମିତି ଅସନା ହେଇଗଲା। ଆଉ କିଏ କହୁଥିଲା, ମୋ ଚୁଟି ଟାଣିନେଲା, ଗଲେ ମୁଣ୍ଡ ଧୋଇବି। ଏମିତି କେତେ କଣ, ଯାହା ଲେଖୁନି। ସେଥି ପଚାରିବାକୁ ଇଚ୍ଛା ହେଉଥିଲା, ବେରସିଟ ଟିଏ ପାରି ତଳେ ଶୋଇପଡ଼ି ଥିଲେ, ସେଥିରେ କିଛି ଅସନା ହେଲାନି, ହେଲେ ୬ ମାସର ଶିଶୁଟିର ହାତର area କେତିକି ଯେ, ତୁମ ଚୁଟି ଏତେ ଅସନା ହେଇଗଲା ଯେ ଧୋଇବାକୁ ପଡ଼ିବ? ମୁଁ ସେଥି ଦେଖିବାକୁ ପାଇଲି ଆଉ ଏକ ମାଆର ରୂପ। ମାଆ କଣ କେବଳ ନିଜ ଛୁଆପାଇଁ? ନା, ସେମିତି ନୁହେଁ, ମାଆ ସବୁ ଛୁଆ ଙ୍କୁ ଦେଖିଲେ ନିଜ ମମତା ଦେଖେଇପାରେ। ତେବେ ଏଠି ମୁଁ ଯେଉଁ ମାଆ ଙ୍କୁ ଦେଖୁଛି? ମୁଁ ବୁଝିପାରୁ ନ ଥିଲି ପ୍ରକୃତରେ ପାଗିଳୀ କିଏ? ଯିଏ ମାନସିକ ଭାରସାମ୍ୟ ହରାଇ ମଧ୍ୟ ନିଜ ପିଲାର ଯତ୍ନ ନେବାକୁ ଶତ ଚେଷ୍ଟା କରୁଛି, ନା ଯିଏ କେବଳ ନିଜ ପିଲା ପାଇଁ ମଡର୍ନ ମାଆ ସାଜି, ଅନ୍ୟ ଛୁଆକୁ ଦୂର ଦୂର ମାର୍ ମାର୍ କରୁଛି। ଆପଣ ମାନେ କୁହନ୍ତୁ, ଏଠି ପାଗଳି କିଏ ।