Suchismita Sahoo

Abstract Inspirational

4.1  

Suchismita Sahoo

Abstract Inspirational

ଓଭର କ୍ୱାଲିଫିକେଶନ

ଓଭର କ୍ୱାଲିଫିକେଶନ

6 mins
380


ନମସ୍କାର। ଓଡ଼ିଶା ଟିଭି ନ୍ୟୁଉଜ୍ ଚ୍ୟାନେଲକୁ ସ୍ବାଗତ କରୁଛି ମୁଁ ସ୍ଵାତୀ। ଆଜି ମୁଁ ଯେତିକି ଖୁସି, ଯେତିକି ଗର୍ବିତ ସେତିକି ନର୍ଭସ ବି, କାହିଁକି ନା ଆଜି ଆମ ଗହଣରେ ଅଛନ୍ତି ପ୍ରଥମ ମହିଳା କୃଷିଜୀବୀ, ଯିଏ ଭିନ୍ନ ଭିନ୍ନ ଶୈଳୀରେ ପନିପରିବା, ଫଳ ଓ ଫୁଲ ଚାଷ କରି, ଉଦାହରଣ ସାଜିଛନ୍ତି ଖାଲି ଓଡ଼ିଶା ନୁହେଁ, ସମଗ୍ର ଭାରତବାସୀଙ୍କ ପାଇଁ, ଖାସ କରି ମହିଳା ମାନଙ୍କ ପାଇଁ। ଯିଏ ନିଜର ସଫଳତା ପାଇଁ ଅତି ନିକଟରେ ସାଉଁଟିଛନ୍ତି ସମ୍ମାନନୀୟ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର, ଆଉ କୃଷିପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ଆଣିଦେଇଛନ୍ତି ଗର୍ବ ଓ ଗୌରବ। ଚାଲନ୍ତୁ, ଆଉ ଡେରି ନ କରି ସ୍ବାଗତ କରିବା, ରାଷ୍ଟ୍ରପତି ପୁରସ୍କୃତ ପ୍ରଥମ ମହିଳା କୃଷିଜୀବୀ ତଥା "ଓଡ଼ିଶା କୃଷି" ଆପ୍ ର CEO ଡଃ ସରିତା ମିଶ୍ର ମହୋଦୟାଙ୍କୁ ଆଜିର ଏଇ ପ୍ରୋଗ୍ରାମକୁ। ମାମ, ନମସ୍କାର, ଓଡ଼ିଶା ଟିଭି ନ୍ୟୁଉଜ ଚ୍ୟାନେଲକୁ ଆପଣଙ୍କୁ ସ୍ଵାଗତ।

ସରିତା:- ଆଜ୍ଞା, ନମସ୍କାର!

ସ୍ଵାତୀ,:- ମାମ, ଏତେ ବ୍ୟସ୍ତତା ଭିତରେ ବି ଆମକୁ କିଛି ସମୟ ଦେଇଥିବାରୁ ଆପଣଙ୍କୁ ପ୍ରଥମେ ଧନ୍ୟବାଦ୍ ଜଣାଉଛି।

ସରିତା:- ମତେ ଆପଣଙ୍କ ଏଇ ପ୍ରୋଗ୍ରମକୁ ଡାକିଥିବାରୁ ଆପଣଙ୍କୁ ବି ଧନ୍ୟବାଦ୍। 

ସ୍ଵାତୀ:- ମାମ,ଖବର କାଗଜ, ଟିଭି, ସୋସିଆଲ ମିଡ଼ିଆ ଏବେ ସବୁଠି ଖାଲି ଆପଣଙ୍କ ଚର୍ଚ୍ଚା। ସଭିଏ ଜାଣିବାକୁ ଚାହିଁ ବସିଛନ୍ତି, ଏକ ମହିଳା ହେଇ ବି କୃଷିକୁ ନିଜର ବୃତ୍ତି ରୂପେ କାହିଁକି ବାଛିନେଲେ ? ଆପଣଙ୍କ ଏହି ସଫଳତା ପାଇଁ ପ୍ରେରଣାର ଉତ୍ସ କିଏ? କେଉଁଠୁ ଓ କିପରି ପ୍ରେରଣା ପାଇଲେ ଏପରି ଏକ ଭିନ୍ନ ବୃତ୍ତିକୁ ଆପଣେଇବାକୁ। 

ସରିତା:- ସଫଳତା!! ଯଦି କିଛି ଶବ୍ଦରେ ଆପଣଙ୍କ ଉତ୍ତର ରଖିବି ତେବେ ମୋର ଉତ୍ତର ହେବ, "ଓଭର କ୍ୱାଲିଫିକେଶନ୍ " ଓ "ବିଫଳତା"। ମୁଁ ପଦାର୍ଥ ବିଜ୍ଞାନରେ "ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା" ରୁ ପିଏଚ.ଡି ସାରିବା ପରେ ଜର୍ମାନରୁ ମୋର ପୋଷ୍ଟଡକ୍ ସାରିଛି। ଯେବେ ଭାରତ ଫେରିଲି ଅନେକ ଆଶା ଥିଲା, ଭଲ ଚାକିରି କରିବି, ଘରର ଆର୍ଥିକ ସମସ୍ୟା ଦୂର ହେବ, ଆଉ ଜର୍ମାନରେ ଶିଖିଥିବା ନୂଆ ଗବେଷଣାକୁ ଆଉ ଟିକେ ସୁଦୃଢ଼ କରି କିଛି ଗୋଟେ ନୂଆ ଗବେଷଣା ଆରମ୍ଭ କରିବି, ଯେଉଁଥିରେ ଭାରତର ଉନ୍ନତ୍ତି ହେବ। ଅନେକ ବର୍ଷ ଅପେକ୍ଷା ପରେ ବି ମନଲାଖି ଚାକିରି ମିଳିଲାନି। ଆସ୍ତେ ଆସ୍ତେ ବୁଝିଲି ଯେ, ମୋର ଏତେ ମୁହଁ ଚିହ୍ନା ନାହିଁ, ମୁଁ କୌଣସି ରାଜନୀତି ଦଳର ସଦସ୍ୟ ନୁହେଁ କି କାହାକୁ ଜାଣିନି, ତେବେ ଚାକିରି ଦେବ କିଏ? ତା ସହ "quota" ବାଧ୍ୟକ ସାଜିଲା। ଜେନେରାଲର ହେଇ ମୁଁ ଛାଡ଼ନ୍ତୁ ସେ କଥା। ଏମିତି କିଛି ବର୍ଷ ଗଲା।

ଘରେ ପ୍ରବଳ ଗାଳି। କହିଥିଲୁ ତତେ ବିଏଡ କରିଦେ, ସ୍କୁଲ ମାଷ୍ଟରାଣୀ ହେଇ ସାରିଥାନ୍ତୁ ଏତବେଳକୁ। ତୋ ସାଙ୍ଗ ରିମା ଆସି ୬ ବର୍ଷ ହେଲା ସ୍କୁଲରେ ଚାକିରୀ କଲାଣି। ବାହା ହେଇ ସୁଖରେ ସଂସାର କଲାଣି। ନା ତୁ ଚାକିରି କରୁଛୁ, ନା ବାହା ହେଉଛୁ। ଆଉ କେତେ ବର୍ଷ ଆମେ ଅପେକ୍ଷା କରିବୁ ଯେ। ଦେଖେଇ ଶିଖେଇ କିଏ କେତେ କଥା କହୁଛନ୍ତି। କମେଣ୍ଟ୍ ମାରି କହୁଛନ୍ତି, ଝିଅକୁ ହାକିମ କରିବାକୁ ଯାଇ ସବୁ ଅର୍ଥ ସାରିଲ, ଏବେ ତା ବାହାଘର ପାଇଁ ଅର୍ଥ କୋଉଠୁ ଆଣିବ। ଏମିତି କେତେ କଥା। ମୁଁ ସ୍ପଷ୍ଟ ପଢ଼ି ପାରୁଥିଲି ବାପାଙ୍କ ଅସହାୟତା, ହେଲେ ମୁଁ ବି ଥିଲି ଅସହାୟ। 

ଶେଷରେ ନିଷ୍ପତ୍ତି ନେଲି କୋଉଠି contractual ରେ କିଛିଦିନ ପଢେଇବି। ହେଲେ ବେକାରୀ ସମସ୍ୟା ଏତେ ଯେ, ଏଠି contractual post ସବୁ ଭର୍ତ୍ତି। ନିଜକୁ ବୁଝେଇ ଗଲି ସ୍କୁଲରେ ଚାକିରି ପାଇଁ interview ଦେବାକୁ। ସେମାନଙ୍କୁ ମୋ interview ତ ଭଲ ଲାଗିଲା ହେଲେ ତାଙ୍କ position ପାଇଁ ମୋ qualification ଅଧିକା ଥିଲା। ଭାବିଲି କମ୍ପାନୀ ଆଡେ ମୁହାଇବି, ସେଠୀ ବି ସମଦଶା, ଓଭର qualified କହି ଚାକିରି ଦେଲିନି। ପୁଣି ଭାବିଲି କମ୍ପ୍ୟୁଟର ଶିଖିଛି, ଟ୍ରେନୀ ହିସାବରେ ଯୋଗ ଦେବି କୋଉ କଲେଜରେ। ହେଲେ ଚାକିରି ଦେବେ କଣ, ଭାଷଣ ଦେଇ ଫେରେଇ ଦେଲେ, ଏଇ ଯେମିତି ଆପଣ ପିଏଚଡି କରିଛନ୍ତି, ଆପଣଙ୍କର ଗୋଟେ ଉଜ୍ଜଳ ଭବିଷ୍ୟତ ଅଛି, ଆପଣ highly qualified, ଏଇ ଚାକିରି କାହିଁକି? ଆପଣ ଆମ ଏଇ ପୋଷ୍ଟ ପାଇଁ "ଓଭର qualified"। ଏମିତି ସବୁ ଆଡ଼ୁ ନିରାଶା ହେଇ ଶେଷରେ ଭାବିଲି, ଚାକିରି ତ ହେଲାନି, ବିବାହ କରିଯିବା। ଏତେ ବର୍ଷ ହେଲାଣି, ବାପା ମୋ ବୋଝ ସମ୍ଭାଳିଲେଣି, ଆଉ କେତେଦିନ ବୋହିବେ ମୋ ବୋଝ। ବିବାହ ପାଇଁ ମନ ସ୍ଥିର କରି ମୋ ବନ୍ଧୁ (ପ୍ରେମିକ) ସଂଗ୍ରାମଙ୍କୁ ଏ ବିଷୟରେ ତାଙ୍କ ଘରେ କହିବାକୁ ଅନୁରୋଧ କରି, ମୁଁ ମୋ ଘରେ କହିଲି। ବ୍ରାହ୍ମଣ ଘରର ଝିଅ ଚଷା ଘରେ ବିବାହ କରିବ, ଯଦିଓ ସେଇଟା ବାପାଙ୍କୁ ପସନ୍ଦ ନଥିଲା, ହେଲେ ସେ ଯଥା ଶୀଘ୍ର ମତେ ଘରୁ ବିଦା କରିବାର ମୁଡ଼ରେ ଥିଲେ ବୋଧେ, ତେଣୁ ରାଜି ହେଇଗଲେ। ହେଲେ ସଂଗ୍ରାମଙ୍କ ପରିବାର!!! ତାଙ୍କ ମାଆଙ୍କୁ ଡର ଲାଗିଲା, ବ୍ରାହ୍ମଣ ଝିଅ, ଆମ ଜାତିକୁ ଆସିବ, ଆମ ଅଇଁଠା ଖାଇବ, ନା ନା ଏ ବାହାଘର ହେଇ ପାରିବନି, ଆମକୁ ପାପ ଲାଗିବ। ସେ ଏକରକମ ଜିଦିରେ ବସିଲେ ଆଉ ସଂଗ୍ରାମ ବି ଶେଷରେ। ମାନେ ଏଠି ବି ମୁଁ ହାର ମାନିଲି କାରଣ ମୁଁ ଉଚ୍ଚ ଜାତିର ଥିଲି, ମାନେ "ଓଭର qualified"। 

ଚାକିରୀ ନାହିଁ କି ବିବାହ ହେଇ ପାରିଲାନି, ସେଥିପାଇଁ ଘର ଲୋକ ଖାଲି ଦୁଃଖିତ ଥିଲେ ନୁହେଁ ସେମାନଙ୍କର ଶତ୍ରୁ ସାଜି ଯାଇଥିଲି କହିଲେ ଚଲେ। ନିଜ ମନକୁ ସନ୍ତୁଳିତ କରିବାକୁ ଘର ବଗିଚାରେ ଅଧିକ ସମୟ ବିତାଇବା ଆରମ୍ଭ କଲି। ଗୁଗୁଲରୁ ଭିନ୍ନ ଭିନ୍ନ ଶୈଳୀ ପ୍ରୟୋଗ କରି କିଛି ଫୁଲ ଗଛ ବଗିଚାରେ ଲଗେଇଲି। ଯେବେ ଫୁଲ ମାନେ ବଗିଚାରେ ହସି ଉଠିଲେ, ସେଦିନ ମତେ ବହୁତ୍ ଫ୍ରେସ୍ ଲାଗିଲା। ଅନେକ ବର୍ଷ ପରେ ଯେମିତି ମତେ ହାଲକା ଲାଗିଲା। ସେଦିନ ଭାବିଲି, ମୁଁ ଏହାକୁ ମୋର ରୋଜଗାରର ମାଧ୍ୟମ କାହିଁକି କରୁନି? ସାଙ୍ଗଠାରୁ କିଛି ଅର୍ଥ ଉଧାର ଆଣି ଏକ ଛୋଟ ନର୍ସରୀ ଆରମ୍ଭ କଲି, you tube ରେ ଏକ ଚ୍ୟାନେଲ କରି ସେଥିରେ ଭିନ୍ନ ଭିନ୍ନ ଗଛ ବିଷୟରେ ବୁଝେଇଲି, ଯାହା ଆସ୍ତେ ଆସ୍ତେ ବହୁତ ଭଲ ପାଇବା ସାଉଁଟିଲା । ଛୋଟ ନର୍ସରୀକୁ ଆସ୍ତେ ଆସ୍ତେ ବଡ କଲି, ଭିନ୍ନ ଭିନ୍ନ ଫଳ ବଗିଚା କରି, ଶେଷରେ ମୁହାଇଲି କୃଷି ଆଡ଼କୁ। ପଦାର୍ଥ ବିଜ୍ଞାନର ଜ୍ଞାନ ବ୍ୟବହାର କରି ନୂଆ ନୂଆ କୌଶଳରେ ଅଳ୍ପ କ୍ଷତରେ ଅଧିକା ଫସଲ କରିବାର ପନ୍ଥା ଶିଖିଲି ଆଉ ଅନ୍ୟଙ୍କୁ ଶିଖେଇଲି। ଅନୁଭବ କଲି ଯେ, ଅନେକ ଏଥିରେ ଲାଭବାନ ହେଉଛନ୍ତି, ହେଲେ ସେମାନଙ୍କ ପାଖରେ ଠିକ୍ ସମୟରେ organic ସାର ଆଉ ଗଛର ଚରା ପହଞ୍ଚି ପାରୁନି। ତେଣୁ ଚେଷ୍ଟା ବଳରେ "ଓଡ଼ିଶାର କୃଷି" ନାମକ ଏକ ଆପ ତିଆରି କଲି, ଯାହାଦ୍ଵାରା amazon/flipkart ପରି, ଘରେ ବସି ଆପ ଦ୍ଵାରା order କଲେ, ଅଳ୍ପ ସମୟରେ କୃଷି ପାଖେ ଚାର, ଖତ, ସାର ପହଞ୍ଚେଇ ହେଉଥିଲା। ଏହା ଦ୍ବାରା ଅନେକ ଚାକିରି ପାଇଲେ, ମାନେ delivery boy ହିସାବରେ କାମ କରି କିଛି ଅର୍ଥ ଉପାର୍ଜନ କରି ପାରିଲେ। ପ୍ରଥମେ ପ୍ରଥମେ ଆପ ବିଷୟରେ କୃଷିଙ୍କୁ ବୁଝେଇବା କଷ୍ଟ ହେଉଥିଲା, ସେମାନଙ୍କ ପାଖେ ଫୋନ୍ ନଥାଏ, ଥିଲେ ବି କେମିତି ଚଲାଯାଏ, ସେ ନେଇ ସେମାନେ ଅଜ୍ଞ ଥିଲେ। ହେଲେ କିଛି ଶିକ୍ଷିତ ଯୁବକ ଯୁବତୀ ମତେ ଏଥିରେ ସାହାଯ୍ୟ କଲେ, ଗାଁ ଗାଁ ବୁଲି ସେମାନଙ୍କୁ ଆପ ବିଷୟରେ କହିଲେ, ଅନେକ ନିଜ ଫୋନରେ ଆପ install କରି କୃଷିଙ୍କ ପାଇଁ order କରିବାରେ ସାହାଯ୍ୟ କରୁଥିଲେ। ଏବେ ବୋଧେ ସେ ଅସୁବିଧା ଆଉ ଏତେଟା ନାହିଁ। 

ବାପା ଓ ଘରଲୋକ ଯେଉଁମାନେ ମୋ ଉପରେ ରାଗୁଥିଲେ, ମୋର ଏସବୁ କାମ ଯୋଗୁ ସେମାନେ ଆସ୍ତେ ଆସ୍ତେ ମତେ ସପୋର୍ଟ କଲେ। ସଂଗ୍ରାମର ମାଆ, ଯିଏ ବ୍ରାହ୍ମଣ ଝିଅ ବୋଲି ମତେ ପ୍ରତ୍ୟାଖାନ କରିଥିଲେ, ଏବେ ସେ ଅନୁତପ୍ତ, ବ୍ରାହ୍ମଣ ଝିଅକୁ ଚାଷୀ ଘରର ଝିଅ ଭଳି ଚାଷ କାମ କରୁଥିବାର ଦେଖି, ହେଲେ କଣ ହେବ, ସେ ସେତେବେଳକୁ ସଂଗ୍ରାମର ଜବରଦସ୍ତି ବିବାହ କରି ସାରିଥିଲେ। ସାହି ପଡୋଶୀ ଯେତେକ ଦେଖେଇ ଶିଖେଇ ବାପାଙ୍କୁ କହୁଥିଲେ, ଅସମ୍ମାନ କରୁଥିଲେ,ଏବେ ସେମାନେ ବାପାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଦେଲେ, ବାପାଙ୍କୁ ସମ୍ମାନ ଦେଉଛନ୍ତି ଏବେ। ମୋଟାମୋଟି ଭାବେ ମୋ "ଓଭର qualification" ପାଇଁ ମତେ ଯୋଉ "ବିଫଳତା" ମିଳିଥିଲା, ସେଇ ବିଫଳତା ହିଁ ମୋର ଆଜିର "ସଫଳତା" ର କାରଣ। 

କ୍ଷମା ଚାହୁଁଛି, କହୁ କହୁ ଅନେକ ସମୟ କହିଦେଲି। ଜାଣେ, ମତେ ଅଳ୍ପ କହି, ଆପଣଙ୍କୁ ପ୍ରଶ୍ନ ପଚାରିବାର ମୌକା ଦେବାର ଥିଲା। ହେଲେ ପୁଣି ଥରେ ଦୁଃଖିତ। ଯଦି ଅନୁମତି ମିଳେ, ତେବେ ମୁଁ ଏଇ ପ୍ରୋଗ୍ରାମରୁ ବିଦାୟ ନେବାକୁ ଚାହିଁବି। ଆପଣ ଦେଖି ପାରୁଥିବେ, ମୋ ଫୋନ୍ ଏ ଭିତରେ କେତେଥର ବାଜିଲାଣି। ମତେ ଯିବାକୁ ହେବ ଅନ୍ୟ ପ୍ରୋଗ୍ରାମ ମାନଙ୍କୁ ସେମାନଙ୍କ ଟି.ଆର.ପି ବଢ଼େଇବାକୁ। 

ସ୍ଵାତୀ:- ମାମ, ମାମ ମାମ!! ଦୟାକରି କ୍ଷମା ମାଗନ୍ତୁନି, ମୁଁ ତ ଧ୍ୟାନ ମଗ୍ନ ହେଇ ଶୁଣିଥିଲି ଆପଣଙ୍କ ଜୀବନ କାହାଣୀକୁ, ଆଉ ନିଜ ଜୀବନ ଓ ସଂଘର୍ଷ ସହ ଯୋଡୁଥିଲି, ପ୍ରେରଣା ସାଉଁଟୁଥିଲି। ଆଉ ବସ୍ ଗୋଟିଏ ମିନିଟ୍ ମାମ। ଶେଷରେ ଏଇ ସମାଜକୁ ଓ ସମାଜରେ ସଂଘର୍ଷ କରୁଥିବା ଯୁବପିଢିଙ୍କ ପାଇଁ କିଛି। 

ସରିତା:- ମୁଁ ଆଉ କଣ କହିବି, ଖାଲି କିଛି ଅନୁରୋଧ କରିବି। ପ୍ରଥମେ ଯୁବପିଢ଼ିକୁ, ଜଲଦି ଅସହାୟ, ଅଧିର, ବ୍ୟସ୍ତ ହୁଅନ୍ତୁ ନାହିଁ, କର୍ମ କରିଚାଲନ୍ତୁ ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ଦିନେ ଆପଣ ମାନଙ୍କ ପାଦ ଚୁମିବ। ସମାଜକୁ ଅନୁରୋଧ, କଟାକ୍ଷ କରନ୍ତୁ ନାହିଁ, ଯଦି ଗୋଟିଏ ମାଆ ପେଟରୁ ଜନ୍ମ ଦୁଇଟି ପିଲାର ବ୍ୟବହାର, ଆଚରଣ ଇଚ୍ଛା ଅଲଗା ହୋଇଥାଏ; ଯଦିଗୋଟିଏ ହାତର ପାପୁଲିରେ ଥାଇ ବି ପାଞ୍ଚ ଆଙ୍ଗୁଠି ଭିନ୍ନ ଭିନ୍ନ ହେଇଥାଏ; ତେବେ ଭିନ୍ନ ଭିନ୍ନ ମଣିଷଙ୍କର ଜୀବନ ସମାନ କେମିତି ହେବ? ସମାନ ସମୟରେ ସମସ୍ତଙ୍କୁ ସଫଳତା କିପରି ମିଳିବ? ଶେଷରେ, ପରିବାର ବର୍ଗକୁ ହାତ ଯୋଡ଼ି ଅନୁରୋଧ, ସମାଜ କଥା ଶୁଣି ନିଜ ପିଲାର ହାତ ଛାଡ଼ନ୍ତୁନି, ହାରିଲେ ଜିତିଲେ ଯାହା ହେଲେବି ସେ ପିଲା ତୁମର, ସତ କହିବି, ମଣିଷ ସେବେ ଅସହାୟ ଅନୁଭବ କରେ, ଯେବେ ସେ ଜାଣେ ଯେ, ତା ପରିବାରକୁ ସେ ଖୁସି କରିପାରୁନି, ଶାନ୍ତି ଦେଇ ପାରୁନି। ତୁମ ବିନା ସତରେ ଯୁବ ପୀଢ଼ି ଅଧିକା ଅସହାୟ ହେଇଯିବେ। ବିଶ୍ୱାସ ଓ ଭରସା ରଖନ୍ତୁ ନିଜ ପିଲା ଉପରେ, ସପୋର୍ଟ କରନ୍ତୁ, ସମାଜ କଥାକୁ କାନ ନଦେଇ। 

ଶେଷରେ ମତେ ଏ ପ୍ରୋଗ୍ରାମକୁ ଅତିଥି ରୂପେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ୍ ଜଣାଉଛି। ଟିଭି ମାଧ୍ୟମରେ ମତେ ଦେଖୁଥିବା ସମସ୍ତ ଶୁଭାକାଂକ୍ଷୀ ମାନଙ୍କୁ ଧନ୍ୟବାଦ୍ ଦେଇ ବିଦାୟ ନେଉଛି।

ସ୍ଵାତୀ:- ମୁଁ ଆଉ କଣ କହିବି ଜାଣିପାରୁନି। ବୋଧେ ମୋ ଜୀବନର ମୋଡ ବଦଳେଇ ଦେବା ପରି ଦିନଟିଏ ଆଜି। ମତେ କ୍ଷମା କରିବେ, ବୋଧେ ମୁଁ ଅଧିକା emotional ହେଇଯାଇଛି, ତେଣୁ କିଛି କହିପାରୁନି। ଆଶା ଏମିତି ଅନେକ ସରିତା ଜନ୍ମ ନିଅନ୍ତୁ ଏଇ ଓଡ଼ିଶା ମାଟିରେ। ଏବେ ଆପଣଙ୍କ ଏଇ ସ୍ଵାତୀକୁ ବିଦାୟ ଦିଅନ୍ତୁ। ରହୁଛି। ପୁଣିଦେଖା ହେବା ଆସନ୍ତା ରବିବାର ନୂଆ ଏକ ପ୍ରତିଭାବାନ ଅତିଥିଙ୍କ ସହ। ଧନ୍ୟବାଦ୍। ନମସ୍କାର। 


Rate this content
Log in

Similar oriya story from Abstract