ତୁମକୁ ପାରୁନି ତ ଭୁଲି (ଭାଗ-୧୨)
ତୁମକୁ ପାରୁନି ତ ଭୁଲି (ଭାଗ-୧୨)
ଘର ଭିତରକୁ ଆସି ଦେଖିଲି, ସମୀରଙ୍କୁ କୁଣ୍ଢାଇ ଖୁସିରେ ବିଭୋର ହେଇ ଶାଶୁ କାନ୍ଦୁଛନ୍ତି। ମିଛେ ମିଛେ ରାଗ ଦେଖେଇ କହୁଥାନ୍ତି, ମୁଁ ତୋ ସହ ଜମ୍ମା ବି କଥା ହେବିନି, ଏତେ ଦିନ ପରେ ଯାଇ ଆମ କଥା ମନେ ପଡ଼ିଲା? ଏତେ ଦିନେ ଯାଇ ତତେ ତୋ ଚାକିରିରୁ ଛୁଟି ମିଳିଲା? ଶ୍ୱଶୁର ଟିକେ ଚିଡ଼େଇବାକୁ ଯାଇ କହିଲେ, ସେ ଆଜି କ'ଣ ତମକୁ ଦେଖା କରି ଆସିଛି ନା କଣ? ସେ ବା ତା ଶାଶୁ ଶ୍ୱଶୁରଙ୍କୁ ଦେଖା କରିବାକୁ ଆସିଛି। ଶାଶୁ ଚିହିଁକି ଉଠି କହିଲେ, ସେ ଯାହାକୁ ବି ଦେଖା କରି ଆସିଥାଉ, ମୋ ଛୁଆ ମୋ ଘରକୁ ଆସିଛି, ସେତିକି ମୋ ପାଇଁ ଯଥେଷ୍ଟ । ଗୋଟେ ମା' ର ମନ କଥା, ତୁମେ ବୁଝିପାରିବନି। ସମୀରଙ୍କୁ ଏତେ ଦିନ ପରେ ଦେଖି କାହିଁ କେଜାଣି ମତେ ବି ବହୁତ ଖୁସି ଲାଗୁଥାଏ। ମୋ କଥା ରଖି, ବାପା ବୋଉଙ୍କୁ ଦେଖା କରିବାକୁ ସେ ଘରକୁ ଆସିଛନ୍ତି, ତା ମାନେ, ସେ ମତେ କ୍ଷମା କରି ଦେଇଛନ୍ତି। ମନେ ମନେ କହୁଥାଏ, ଧନ୍ୟବାଦ ସମୀର, ଧନ୍ୟବାଦ କାହ୍ନା। ସମୀର ମତେ ଦେଖି ଟିକେ ଲାଜ ମିଶା ହସଟେ ହସି କହିଲେ, କେମିତି ଅଛ? ମୁଁ ମୁଣ୍ଡ ଟୁଙ୍ଗାରି, ଆସ୍ତେ କହିଲି, ଭଲ। ଠିକ ଏହି ସମୟରେ କଲିଙ୍ଗ୍ ବେଲ୍ ବାଜି ଉଠିଲା। ମୁଁ କହିଲି, ମୁଁ ଯାଇ ଦେଖୁଛି, କିଏ ଆସିଛନ୍ତି। କବାଟ ଖୋଲିବା ମାତ୍ରେ ଦେଖିଲି, ମଧ୍ୟ ବୟସ୍କ ଅଜଣା ସ୍ୱାମୀ ସ୍ତ୍ରୀ ଛିଡା ହୋଇଛନ୍ତି। ତାଙ୍କୁ ଦେଖି ମୁଁ ପଚାରିଲି, ଆପଣମାନେ କିଏ? କାହାକୁ ଖୋଜୁଛନ୍ତି? ଏତିକି ସମୟରେ ସମୀରଙ୍କ ଏକ ଖୁସି ଭରା ଡାକ ଶୁଭିଲା, ଶାନ୍ତି ମାଉସୀ! ମା ଜଲଦି ଆସେ ଦେଖିବୁ, ଶାନ୍ତି ମାଉସୀ ଆଉ ବିନୋଦ ମଉସା ଆସିଛନ୍ତି। ସମୀର ଦୌଡ଼ି ଆସି ସେ ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଣାମ କଲେ ଆଉ ଖୁସିରେ ଘର ଭିତରକୁ ପାଛୋଟି ନେଲେ। ମୁଁ ଏମିତି ଆଶ୍ଚର୍ଯ୍ୟ ହୋଇ ଭାବୁଥିଲି, ଶାନ୍ତି ମାଉସୀ! ସେ କିଏ? ମା (ଶାଶୁ) ଶାନ୍ତି ମାଉସୀଙ୍କୁ ଦେଖି କୁଣ୍ଢାଇ ପକାଇଲେ, ଯେମିତି ଅତି ନିଜର କେହି ଜଣେ। ଶ୍ୱଶୁର ଆଉ ବିନୋଦ ମଉସା ବି କୋଳାଗ୍ରତ ହେଉଥିଲେ। ମା (ଶାଶୁ) ଲୁହ ପୋଛି ମତେ କହିଲେ, ସେଇଠି କଣ ଛିଡା ହେଇଛୁ ରେ ମା, ଏଠିକି ମୋ ପାଖକୁ ଆସେ। ଦେଖି, କହିଲୁ ଶାନ୍ତି ଏ କିଏ? ଶାନ୍ତି ମାଉସୀ ଟିକେ ଗେହ୍ଲେଇ ହୋଇ କହିଲେ, ଏ ପରା ମୋ ବୋହୂ ମାନେ ଆମ ସମୀରର ସ୍ତ୍ରୀ। ସମୀରଟା ବଡ ଭାଗ୍ୟବାନ, ସୁନ୍ଦରୀ ସ୍ତ୍ରୀ ଟେ ପାଇଲା। ମୋ ଶ୍ୱଶୁର ଆହୁରି ସେଥିରେ ଯୋଡି କହିଲେ, ଖାଲି ସୁନ୍ଦରୀ ନୁହେଁ, ମୋ ବୋହୂ ଶିକ୍ଷିତା, ବୁଦ୍ଧିମତୀ, ଗୁଣବତୀ, ସଂସ୍କାରୀ। ସ୍ନେହ, ପ୍ରେମରେ ପୁରା ଘରଟାକୁ ବାନ୍ଧି ରଖିଛନ୍ତି, ମୋ ଘରକୁ ସ୍ୱର୍ଗ କରିଦେଇଛନ୍ତି ମୋ ବୋହୁ ମା। ମୋ ଘରର ଲକ୍ଷ୍ମୀ ଠାକୁରାଣୀ ସେ। ମୋ ସମୀରଙ୍କୁ ସେ ତାଙ୍କ ଭଲପାଇବା ବନ୍ଧନରେ ଏମିତି ବାନ୍ଧି ରଖିଥାନ୍ତୁ। ଶ୍ୱଶୁରଙ୍କ କଥା ଶୁଣି ଶାଶୁ ଟିକେ ହସିଦେଇ ମୋ ମୁଣ୍ଡରେ ହାତ ବୁଲେଇ କହିଲେ, ଭଗବାନ ତୋତେ କୋଟି ପରମାୟୁ ଦିଅନ୍ତୁ ରେ ମା'। ତୋ ସ୍ୱାମୀ ସହ ଖୁସିରେ ସଂସାର କର। ସେଦିନ ମତେ ଅନୁଭବ ହେଲା, ବୋଉ ଠିକ୍ କହୁଥିଲା, ମୁଁ ମୋ ଶାଶୁ ଶ୍ୱଶୁରଙ୍କ ସରଳତା ସହ ଖେଳୁଛି, ତାଙ୍କ ସହ ଛଳନା କରୁଛି। ମା (ଶାଶୁ) ପଚାରିଲେ, ଏ କିଏ ଚିହିଁଛୁ ମା? ଏ ହେଉଛନ୍ତି ତୋ ଶାନ୍ତି ମାଉସୀ, ମାନେ ମୋ ପିଲାଦିନର ସବୁଠୁ ପ୍ରିୟ ସାଙ୍ଗ, ମୋ ବଉଳ। ଆଉ ଏ ତାଙ୍କ ସ୍ୱାମୀ, ମାନେ ତୋ ବିନୋଦ ମଉସା। ଏମାନେ ଜାପାନରେ ରୁହନ୍ତି, ତେଣୁ ତମ ବାହାଘର ବେଳେ ଆସି ପାରିଲେନି। ପ୍ରିୟାର ଅବସ୍ଥା ଠିକ ନ ହେବା ଯାଏ, ବିବାହ ନ କରିବାକୁ ସମୀର ମନସ୍ଥ କରିଥିଲା, ଏଇ ଶାନ୍ତି ମାଉସୀ ହିଁ ତାକୁ ଶେଷରେ ରାଜି କରାଇଥିଲେ। ମା' ଙ୍କ ଠାରୁ ପରିଚୟ ପାଇ ମୁଁ ସଙ୍ଗେ ସଙ୍ଗେ ମୁଣ୍ଡରେ ଓଢଣା ଟାଣି ପ୍ରଣାମ କଲି ମଉସା ଆଉ ମାଉସୀଙ୍କୁ। ଶାନ୍ତି ମାଉସୀ ମତେ କୋଳେଇ ନେଇ କହିଲେ, ତତେ ଆଶୀର୍ବାଦ କରୁଛି ଲୋ, ଆର ବର୍ଷ ଏତେ ବେଳକୁ ତୋ କୋଳରେ ସୁନ୍ଦର ଛୁଆ ଟିଏ ଖେଳୁ। ଏକଥା ଶୁଣି ମୁଁ ଟିକେ ଅସହଜ ମନେ କଲି, ସମୀର ମୋ ଭାବନାକୁ ବୁଝି ପାରି କଥାକୁ ବଦଳାଇ ବାକୁ ଯାଇ କହିଲେ, ମାଉସୀ, ତୁମେ ତ ମୋ ଆଡେ ଜମା ଦେଖୁନ, ମୋ ଭଲମନ୍ଦ ଟିକେ ବି ପଚାରୁନ, ମତେ ଜମା ବି ଆଉ ଭଲ ପାଉନ, ଯା ମୁଁ ତମ ଉପରେ ରାଗିଲି। ଶାନ୍ତି ମାଉସୀ ଆସି ସମୀରଙ୍କୁ ଗେହ୍ଲା କରିଲେ। ଘରେ ସମସ୍ତଙ୍କ ଓଠରେ ହସ ଦେଖି ସତରେ ଭାରି ଭଲ ଲାଗୁଥିଲା, ପେଟ ପୁରିଗଲା ଭଳି ଲାଗୁଥିଲା। ଶାନ୍ତି ମାଉସୀ କହିଲେ, ମୁଁ ସମସ୍ତଙ୍କୁ ଦେଖୁଛି, ହେଲେ ପ୍ରିୟା, ମାନେ ମୋ ବୋହୂ ତ କୁଆଡେ କାହିଁ ନଜର ଆସୁନି। ମୁଁ କହିଲି, ସେ ପାଖ ସ୍କୁଲକୁ ନାଚ ଶିଖାଇବାକୁ ଯାଇଛନ୍ତି। ଘରେ ବସି ବିରକ୍ତ ହେଉଥିଲେ, ତେଣୁ ଆଜିକାଲି ଛୋଟ ପିଲାଙ୍କୁ ମାଗଣାରେ ନାଚ ଶିଖାଉଛନ୍ତି। ଆଉ ଘଣ୍ଟାଏ ଭିତରେ ସେ ଫେରିଆସିବେ। ମୋ କଥା ନ ସରୁଣୁ, ଶାଶୁ କହି ଉଠିଲେ, ତୁ ଏବେ ବି କଣ ପ୍ରିୟାକୁ ବୋହୂ କରିବାକୁ ଚାହୁଁ? ପ୍ରିୟା ଯେ ଅନ୍ୟ କାହାକୁ ପସନ୍ଦ କରୁଥିଲା ଜାଣି ବି, ତୁ କଣ? ଶାନ୍ତି ମାଉସୀ କହିଲେ, ପ୍ରିୟା ର ଅତୀତକୁ ନେଇ ମୋର କିଛି ଅସୁବିଧା ନାହିଁ। ପ୍ରିୟାକୁ ମୁଁ ଛୋଟ ବେଳୁ ଜାଣେ, କେତେ ଭଲ ଆଉ ସ୍ନେହୀ ଝିଅଟେ ଆମ ପ୍ରିୟା। ତୁ (ମୋ ଶାଶୁ) ତ କହୁଥିଲୁ ଯେ ପ୍ରିୟା ଯାହାକୁ ପସନ୍ଦ କରୁଥିଲା, ସେ ଆଉ ଏ ଦୁନିଆରେ ନାହାନ୍ତି। ତେଣୁ ମୁଁ ସାହସ କରି ଏ ପ୍ରସ୍ତାବ ରଖିଛି। ପ୍ରିୟା ଯେବେ ଛୋଟଟେ ହେଇଥିଲା, ସେବେଠୁ ତାକୁ ମୋ ବୋହୁ କରିବାର ସ୍ୱପ୍ନ ଦେଖିଥିଲି ମୁଁ। ପ୍ରିୟା ଭଳି ଭଲ ଝିଅକୁ ବୋହୁ କରି ନେବାକୁ ସମସ୍ତଙ୍କର ଇଚ୍ଛା ହେବ, ମୋର ବି ଇଚ୍ଛା ହେଉଛି। ଆଉ ଏ ବାହାଘର ହୋଇଗଲେ, ଆମ ଦୁଇ ଜଣଙ୍କ ପିଲା ଦିନର ବନ୍ଧୁତା ଗୋଟେ ସମ୍ପର୍କର ରୂପ ନେବ। ହେଲେ ମୁଁ ବାଧ୍ୟ କରୁନି, ପ୍ରିୟା କୁ ତୁ ପଚାରେ, ଯଦି ସେ ହଁ ଭରିବ, ତେବେ ଯାଇ ଏ ବାହାଘର ହେବ। ମତେ ଏ ପ୍ରସ୍ତାବ ଭାରି ଭଲ ଲାଗିଲା, ପ୍ରିୟା ଯେତେଦିନ ଏକା ରହିବ, ସେତେଦିନ ଏମିତି ଆକାଶଙ୍କ କଥା ଭାବି ଭାବି ମାନସିକ ଆଉ ଶାରୀରିକ ଭାବେ ଦୁର୍ବଳ ହୋଇଯିବ। ପଛ କଥା ଭୁଲି, ପ୍ରିୟାକୁ ବିବାହ କରି ଏକ ନୂଆ ଜୀବନ ଗଢିବା ଉଚିତ। ଏମିତି ଭାବି ମୁଁ କହିଲି, ଆପଣ ବ୍ୟସ୍ତ ହୁଅନ୍ତୁନି ମାଉସୀ, ଆପଣ ବାହାଘରର ବ୍ୟବସ୍ଥା କରନ୍ତୁ। ପ୍ରିୟାକୁ ରାଜି କରାଇବା ଦାୟିତ୍ୱ ମୋ ଉପରେ ଛାଡିଦିଅନ୍ତୁ। ଆପଣ ଆଉ ମା ଯେମିତି ସାଙ୍ଗ, ମୁଁ ଆଉ ପ୍ରିୟା ସେମିତି ଅତି ଭଲ ସାଙ୍ଗ। ସେ ମୋ କଥା ନିଶ୍ଚୟ ରଖିବ। ସମୀର କହିଲେ, ଏ ମିଶନ ରେ ମୁଁ ବି ତୁମ ସହ ଅଛି, ପ୍ରିୟାକୁ ରାଜି କରାଇବାରେ ମୁଁ ବି ତୁମକୁ ସାହାଯ୍ୟ କରିବି। ଏତିକି ଶୁଣି ସମସ୍ତେ ଭାରି ଖୁସି ହୋଇଗଲେ। ଶ୍ୱଶୁର କହିଲେ, ଆଉ ଡେରି କାହିଁକି ମା', ଜଳଦି ଯାଇ ଚା, ଜଳଖିଆ ସଙ୍ଗେ ଚାରି-ପାଞ୍ଚ ପ୍ରକାରର ମିଠା ନେଇକି ଆସ। ଏମିତି ଏକ ଖୁସି ବେଳରେ, ସଭିଁଙ୍କ ମୁହଁ ମିଠା କରିବାକୁ ମିଠା ଆଣିବାକୁ ମୁଁ ରୋଷେଇ ଘରକୁ ଚାଲିଲି।
ଆଉ ତା ପରେ....

