Ranjit Sahu

Fantasy Others

3  

Ranjit Sahu

Fantasy Others

ଟେଲିଫୋନର ମଜା

ଟେଲିଫୋନର ମଜା

4 mins
12K


"ବୁଝିଲ ଆଈ, ତୁମେ ଆଉ ଏ ସବୁ ଶିଖନି I ମୁଁ ଯେତେବେଳେ  ତୁମକୁ କିଛି ଦେଖେଇବି, ଦେଖିକି ଖୁସି ହେଇ ଯାଅ I ମୋ ଠାରୁ ମୋ ମୋବାଇଲ ମାଗ ନାହିଁ କି ମୁଁ ନଥିଲା ବେଳେ ଯଦି ରିଙ୍ଗ ହୁଏ ଉଠାଅ ନାହିଁ, ଏଥର ସିନା  ଉଠେଇଦେଲ I  ମୋର ଡେରି ହେଲାଣି ସିନେମା ଯିବାର ଅଛି ନାଇଟ ଶୋ," ରୀନା କହିଲା  I 

"ମୁଁ କଣ ତୋର ଶତ୍ରୁ? କାଳେ କିଏ କଣ ଜରୁରୀ ଫୋନ କରିଥିବ ବୋଲି ଉଠେଇଦେଲି ନା, ଆଉ ନ ହେଲେ ତୁ କଣ କରୁଛୁ  ନ କରୁଛୁ  ମୋର ସେଥିରେ ଯାଏ କେତେ ଆସେ କେତେ ? ମୋର ସେହି ପୁରୁଣା ଫୋନରେ କାମ ଚଳୁଛି ,"ଆଈ  ଉତ୍ତର ଦେଲା  I 

"ଯୁଗ ବଦଳିଗଲାଣି ଲୋ ଆଈ, ତୋର ଫୋନରେ ଆଉ ମୋର କାମ ଚଳିବନି I ମୋର ଫୋଟୋ  ଆଉ ବାର୍ତ୍ତା  ତୋ ଫୋନରେ ହବନି,ମୁଁ ଯାଉଛି ଖାଇକି ଆସିବି I ଆଜି ଦିନ ସାରା କ୍ଲାସ ପରେ କ୍ଲାସ ହେଇଛି, ମୁଣ୍ଡ  ବିନ୍ଧୁଛି," ରୀନା କହିକି ଚାଲିଗଲା  I 

ନିଜ ସାମ୍ନାରେ ପଡ଼ି ଥିବା ଫୋନଟିକୁ ଦେଖିଲା ଆଈ  ଏବଂ  କିଛି ନ କହିକି ଚୁପଚାପ ନିଜର ସିଲେଇ କାମରେ ଲାଗି ଗଲା  I କିଛି ଦିନ ହେଲା ରୀନା ଆଉ ଆଈ ଭିତରେ ଚାଲିଛି ଟଣା ଓଟରା, ଯେଉଁ ଦିନ ଠାରୁ ରୀନାର ବାହାଘର ପ୍ରସ୍ତାବ ଆସିବାକୁ ଲାଗିଛି  I ସ୍ନାତକୋତ୍ତର ପାଠ ପଢ଼ା ଆଉ ଦୁଇ ମାସ ବାକି ଅଛି I ଆଗକୁ  ଜୀବନରେ କଣ କରିବ ସେ ନେଇ ରୀନାର ବହୁତ  ଚିନ୍ତା, କିନ୍ତୁ ଘରେ ତାହାର ବାହାଘର ପାଇଁ ଆରମ୍ଭ କଲେଣି ବର ଖୋଜା I ସବୁ ଠାରୁ ଖୁସି ଆଈ I ନାତୁଣୀର ବାହାଘର ଦେଖିବା ତାହାର ସ୍ଵପ୍ନ I ତେଣୁ ଯେଉଁ ଦିନ ଠାରୁ ପ୍ରସ୍ତାବ ଆସିବାକୁ ଲାଗିଲା ଆଈର ଖୁସି କହିଲେ ନ ସରେ I ରୀନାର ମୋବାଇଲରେ ରିଙ୍ଗ ଶୁଣି ଆଈ  ଉଠେଇକି ସବୁଜ ସଙ୍କେତ ଉପରେ ଆଙ୍ଗୁଠି ଦବେଇ ଦେଇଥିଲା I ମୋବାଇଲ ବିଷୟରେ ଅନ୍ୟ  କିଛି ଜାଣୁ ନ ଜାଣୁ, ଆଈ ଏତିକି ଜାଣିଛି, ସବୁଜ ସଂକେତ ଦବେଇଲେ କଥା ଆରମ୍ଭ ହୁଏ ଏବଂ ନାଲି ସଂକେତ ଦବେଇଲେ ଆଲୋଚନା ସରେ ! ଧଡ଼ା ଧଡ଼ ଅଜାଡି ହେଇଗଲା ମୋବାଇଲରେ ଥୋଡିଏ ଗୋଲାପ ଆଉ କେତେ ଚିତ୍ର ରୀନାର ଏବଂ  ଅପର ପାର୍ଶ୍ଵରୁ ଗୋଟିଏ ପୁରୁଷ କଣ୍ଠରେ ଶୁଭିଲା  "ଧନ କଣ କରୁଛ ?" I ଶୁଣି ଆଈ  ହତପ୍ରଭ ହୋଇଗଲା କିଛି କ୍ଷଣ ପାଇଁ I ତାହା ଭିତରେ ରୀନା ଆସିକି ଛଡେଇ ନେଇଥିଲା ମୋବାଇଲ ଆଈର ହାତରୁ ଆଉ କହି ଦେଇଥିଲା, "ତୁମକୁ ମୋ ମୋବାଇଲ ଉଠେଇବାକୁ କିଏ କହିଲା?" କଲ ଅବଶ୍ୟ କଟି ଯାଇଥିଲା I

ଟିକିଏ ଅପରାଧ ବୋଧ ଆସିଥିଲା ଆଈର ମନରେ I 

ଆଈ  ଖାଲି ଦେଖି ପାରିଥିଲା ରୀନା ଗୋଟେ ଟୋକା ସହ ହସିକି ଠିଆ ହେଇଥିଲା କାନ୍ଧକୁ କାନ୍ଧ ଯୋଡିକି ଆଉ ଦୁହେଁ ଜିଭକୁ ଲମ୍ବା କରି ପାଟିରୁ ଆଗକୁ ବାହାର କରି ଥିଲେ ଯେମିତି କୁକୁରଟିଏ ବୈଶାଖ ମାସରେ ଖରା ବେଳେ କାଢ଼େ ! ସେତିକି ଦେଖିକି ଆଈର ମନକୁ ପାପ ଛୁଇଁଲା I ନାତୁଣୀ ପାଠ ପଢୁଛି ନା ଆଉ କଣ କରୁଛି? ସେ ଟୋକା କିଏ? ଆଉ ତାହାର ଆଖି ଦୁଇଟା ଗୋଲ ଗୋଲ ହେଇଗଲା ଯେମିତି ବାହାରି ତଳେ ପଡ଼ିଯିବ !

ତାଙ୍କ ମୁଁହକୁ ଚାହିଁ ରୀନା କହିଲା, "ଏମିତି କଣ ଅନେଇଛ?

ଟୋକା ସହ ତ ଫୋଟୋ ଦେଖିଲ, ଟୋକି ସହ ତ ନୁହଁ କି କୌଣସି ବୁଢା ସହିତ ନୁହଁ I ସିଏ ମୋ ସାଙ୍ଗ ଗିରିଧାରୀ I ଏତେ ବ୍ୟସ୍ତ କାହିଁକି ତୁମେ ହେଉଛ ଆଈ? ତୁମେ ନିଜେ ଦଶମ ଆଗକୁ ପଢି ନାହଁ, କଲେଜ ଲାଇଫ କଣ ଜାଣି ନାହଁ ! ଏ ସବୁ ଚଳେ, ନ ହେଲେ ମଣିଷ କଣ ଖାଲି କଲେଜ ଯାଇକି ଆସିବ ସ୍କୁଲ ଭଳି? ଏଇଟା କଣ ସ୍କୁଲ ହେଇଛି ଯେ ନଅଟାରେ ଯାଇକି ଚାରିଟାରେ ଫେରିବି? ତାହା ହେଲେ ଆଉ ସ୍କୁଲ ଆଉଆ କଲେଜ ଭିତରେ ଫରକ କଣ ରହିବ?" 

ଅନେକ କିଛି କହି ଦେଲା ରୀନା I ଆଈ  ବୁଝିଗଲା  ସିଏ ଭୁଲ କରିଛି , କିନ୍ତୁ ମନରେ ପ୍ରଶ୍ନ ଉଙ୍କି ମାରି ସାରିଥିଲା ! ଏହି ଗିରିଧାରୀ କିଏ? ଭବିଷ୍ୟତରେ ଆଉ ଗିରିଧାରୀ ହୋଇ ସବୁ ନାଟର ଗୋବର୍ଦ୍ଧନ ହେବ ନାହିଁ ତ ପରିବାର ଲାଗି? ଭୂଆସୁଣୀ ଝିଅଟା ଯେତେ  ଶୀଘ୍ର ବାହା କରିଦେଲେ ମଣିଷ ମୁକ୍ତି ପାଇବ I ନ ହେଲେ ସାହିରେ ଚାରି ତୁଣ୍ଡରେ ବାର କଥା ହେବାକୁ ଦୁଇ ଘଡି ଲାଗିବନି I 

କିନ୍ତୁ କହିବ ଅବା କଣ ସିଏ? ଝିଅ ଘରେ ଆଶ୍ରିତା  ହେଇକି ରହିଛି, ପୁଅ ନାହିଁ ବୋଲି I ଜ୍ଵାଇଁଟା  ଭଲ ପିଲା ବୋଲି ଏତେ ବର୍ଷ ହେଲାଣି ନିଜର ମାଆ ଭଳି  ରଖିଛି I ଆଈ ଜାଣେ  ଜ୍ଵାଇଁକି ଯାହା କହିଲେ ଚଳିଯିବ କିନ୍ତୁ ନାତୁଣୀକି ପଦ ଟିଏ କହିଦେଲେ, ଜ୍ଵାଇଁ ନାଗ ସାପ ଭଳି ଫଁ ଫଁ କରିବ!

ଆଈ  କିନ୍ତୁ ନ ଛାଡ଼ I କିଛି ନ ଭାବି ପାରି ମନେ ମନେ କହିବାକୁ ଲାଗିଲା, ହେ ଗିରିଧାରୀ ରକ୍ଷା କର I ସିଲେଇ ମେସିନ  ସାଥିରେ ଚାଲିଲା ତାଙ୍କର ଜପ, "ହେୟ ଗିରିଧାରୀ ରକ୍ଷା କର !" ପ୍ରଥମ ମନ ଭିତରେ ଗୁଣୁ ଗୁଣୁ ହେଉ  ଥିଲେ  ମଧ୍ୟ  ଧୀରେ ଧୀରେ ଧୀରେ ପାଟିରୁ ବାହାରିବାକୁ ଲାଗିଲା ଆଉ କମ୍ପିବାକୁ ଲାଗିଲା ରୁମ, " ହେୟ ଗିରିଧାରୀ ରକ୍ଷା କର" ଶବ୍ଦରେ I 

ଅଫିସରୁ ଫେରି ଶାଶୁଙ୍କୁ ଟିକିଏ ବାଉଳା  ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ରୀନାର ବାପା I 

"ମାଆ  କଣ ହେଲା, ଦେହ ଠିକ ଅଛି ତ?"ପଚାରିଲେ I 

"ହଁ କିଛି ନାହିଁ ଏମିତି ଭଜୁଥିଲି ଟିକେ," ଆଈ  ଉତ୍ତର ଦେଲେ I 

"ମୋତେ ଲାଗୁଛି ତୁମେ ପ୍ରସନ୍ନର ପୁଅକୁ ବହୁତ ପସନ୍ଦ  କରିଛ I ସେଦିନ କଥା ହେଇଥିଲା ତୁମ ସହ ଫୋନ୍ ରେ ଦୁଇ ମିନିଟ I ମୋର ଆଉ ପ୍ରସନ୍ନର ଭାବୁଛୁ ଏକା  କଥା, ରୀନା ଆଉ ଗିରିଧାରିର ବାହାଘର କଥା I କିନ୍ତୁ ଆଜି କାଲିକା ଟୋକା ଟୋକିଙ୍କୁ କଣ କିଛି କହି ହେବ? ଦୁହେଁ ସାଥିରେ ପଢ଼ୁଛନ୍ତି ଗୋଟିଏ କଲେଜରେ I ରୁହ ଫୋନ ଲଗେଇ ଦେଉଛି I କଥା ହେଇଯାଅ I ଘରକୁ ଆସିବ କହିଛି I ଦେଖିନେବ ରୀନା ଲାଗି ଠିକ ହବ କି ନାହିଁ, " ରୀନାର ବାପା କହିଲେ ଆଉ ଫୋନ ଲଗେଇ ଦେଇ  ଚାଲି ଗଲେ  I 

 ଆଈ ଗପି ଚାଲିଲା  ତାର  ଫୋନ୍ ରେ ବହୁତ ସମୟ ଧରି  I ଦୁଇ ଘଣ୍ଟାରୁ ଅଧିକ ସମୟ ହୋଇ ଯାଇ ଥିଲା I ବାର ବାର ରହୁଛି ଶବ୍ଦ କହି ଅପର ପାର୍ଶ୍ବରୁ ଯେତେ ବେଳେ କଥା ସମାପ୍ତ କରିବାକୁ ଚେଷ୍ଠା କରୁଥିଲା ଗିରିଧାରୀ, ଆଈ  ପୁଣି ନୂଆ କିଛି ଆରମ୍ଭ କରିଦେଉଥିଲେ !

ଶେଷରେ ରୀନା ଆସିଗଲା ଆଉ ତାକୁ ଦେଖି ଆଈ  ଥୋଇଦେଲେ ଫୋନ I 

"ଏତେ ସମୟ  କାହା ସହିତ ଆଜି ଗପ କରୁଥିଲ?" ରୀନା ପଚାରିଲା  I 

"ପ୍ରସନ୍ନର ପୁଅ ସହିତ I ଭଲ ଛୁଆଟେ," ଆଈ  ଉତ୍ତର ଦେଲେ I 

"ମୁଁ ଯାଉଛି ବାହାରକୁ I ସିନେମା ଦେଖିବାକୁ ଯାଉଛି I ଦୁଇ ଘଣ୍ଟା ହେଇଗଲାଣି ମେସେଜ ନାହିଁ କି କଲ  ନାହିଁ, ଖାଲି ବିଜି  ଦେଖଉଛି ଷ୍ଟାଟସ I କାହା ସହିତ ଗପ କରୁଛି କେଜାଣି ," ରୀନା ଉତ୍ତର ଦେଲା I 

"ମୁଁ ଟିକେ ତୁମ ଫୋନ ରୁ ଫୋନ କରୁଛି ଆଈ , ଏହି ନମ୍ବର ତାହା ପାଖରେ ନଥିବ I ମୋ ନମ୍ବର ସିନା ଉଠାଉ ନାହିଁ, ଏଇଟାକୁ ଉଠେଇବନି କେମିତି  ଦେଖିବି?"

ଫୋନ ରିଂ ହବାର କିଛି ସମୟ ପରେ ଅପର ପାର୍ଶ୍ବରୁ ଶୁଣା  ଗଲା," ନମସ୍କାର ଆଈ, ଆଜି ଆଉ କଥା ହେଇ ପାରିବିନି I ସିନେମା  ଯିବାର ଅଛି I ମୋର   ଗାର୍ଲ ଫ୍ରେଣ୍ଡ ମାରିଦେବ ମୋତେ I ଭାବିବ ମୁଁ ଆଉ କାହା ସହିତ ଖେଳ କରୁଛି I ଭାରି ସନ୍ଦେହୀ ଆଉ ରାଗି ଯଦିଓ ଅନ୍ୟ ସବୁ ଭଲ !"

"ମୁଁ ରୀନା କହୁଛି ? କଣ  ସବୁ ବକି ଚାଲିଛ?" ରୀନା କହିଲା I 

ଅପର ପାର୍ଶ୍ୱରୁ ଧଡ଼ କିନା  କଟିଗଲା ଫୋନ !

"ଫୋନ ବି କାଟି ଦେଲା!  ଆଜି ଦେଖି ନେବି ତାକୁ ସିନେମା ହଲରେ ଆସୁ," କହୁ କହୁ ରୀନା ରାଗିକି ବାହାରି ଗଲା ଘରୁ I ପୁରାପୁରି ବାଉଳା ହେବାକୁ ଲାଗିଥିଲା ଆଈ ଆଉ ତା ପାଟିରୁ ପୁଣି ବାହାରି ବାକୁ ଲାଗିଥିଲା 'ଗିରିଧାରୀ, ଗିରିଧାରୀ ' I 


Rate this content
Log in

Similar oriya story from Fantasy