ଘନ ଅରଣ୍ୟରେ ଦିନେ
ଘନ ଅରଣ୍ୟରେ ଦିନେ


"ଅରଣ୍ୟର ଅଭିଯାନ ଯେତେ ମନଲୋଭା ପ୍ରତୀତ ହୁଏ, ସେତିକି ଅକଳ୍ପନୀୟ ଥାଏ I କେତେବେଳେ କଣ ଘଟିଯିବ କେହି ଆଗତୁରା କହି ପାରିବେନି, ତେଣୁ ସାବଧାନ," ସ୍କୁଲ ସାରଙ୍କର କଥାଟି ବାରମ୍ବାର କାନରେ ପ୍ରତିଧ୍ବନିତ ହେବାରେ ଲାଗି ଥାଏ I ଦଳର ଅନ୍ୟ ସମସ୍ତଙ୍କ ଭଳି ମୁଁ କ୍ଷିପ୍ର ଗତିରେ ଚାଲି ପାରୁନଥିଲି, ତେଣୁ ପଛରେ ପଡି ଯାଉଥିଲି I ଏହା ବ୍ୟତୀତ ଆଖ ପାଖରେ ରଫୁଲ ଆଉ ଉଦ୍ଭିଦ ମୋତେ ଆକର୍ଷିତ କରୁଥିଲା ଯାହା ଲାଗି ମୋର ଗତି ମଧ୍ୟ ମନ୍ଥର ହୋଇ ଯାଇଥିଲା I ପୂର୍ବର ନିର୍ଦ୍ଦେଶନ ମାନି କେହି ମଧ୍ୟ ଏକୁଟିଆ ନ ଯିବାର ସିଦ୍ଧାନ୍ତରେ ବିନୟ ମୋ ସହ ଚାଲିବାକୁ ରାଜି ହୋଇ ଯାଇଥିଲା I
ଏହାହିଁ ତ ସୁଯୋଗଟିଏ ଥିଲା ତାହା ପାଇଁ, ମୋର ଦୁର୍ବଳତା ସବୁକୁ ଉଜାଗର କରି ମୋତେ ନୀଚ କରି ଦେଖେଇବାକୁ I ନିଜର ବିଶାଳ ଶରୀର ଆଉ ସୁନ୍ଦର ଗଢ଼ଣର ପ୍ରଶଂସା ସମଗ୍ର ମହାବିଦ୍ୟଳରେ ଶୁଣି ଶୁଣି ନିଜକୁ ମନେ ମନେ ଭାବୁଥାଏ ଭୀମଙ୍କର ଭାଇ ବୋଲି I ମୋ ଭଳି ଶୁକୁଟା ବୁଭୁକ୍ଷିତ ସଦୃଶ କୃଷ୍ଣକାୟ ମାନବ ଆଗରେ ସିଏ ସତରେ ଦେବତା ଭଳି ପ୍ରତୀତ ହୁଏ, ତେଣୁ ମୁଁ କିଛି କୁହେ ନାହିଁ I ଭଲ ହେଉ କି ମନ୍ଦ ଯାହା ହେଉ, ସାଥିରେ ତ ଚାଲିଛି I ବାଘ ଦେଖିବା ଲାଗି ସମସ୍ତଙ୍କ ମନରେ କୌତୁହଳ ଥିଲା I ଯେଉଁଠାରେ ବାଘ ଆଗରୁ ଦେଖା ଯାଉଥିଲା ସେଠାକୁ ଯିବାକୁ ହେଲେ ବାସସ୍ଥଳୀ ଠାରୁ ପ୍ରାୟ ପାଞ୍ଚ ମାଇଲ ଚାଲିବାକୁ ପଡେ I ଘାସ ପଡିଆ ଆଉ ଜଙ୍ଗଲ ମଧ୍ୟ ଦେଇ ଯାଇ ଥିବା ଚଲା ରାସ୍ତାଟି ଯେତେ ମନୋରମ ପ୍ରତୀତ ହେଉଥିଲା ସେତିକି ଭୟଭୀତ କରୁଥିଲା ମଧ୍ୟ ମୋତେ I ବାଘ ଯେଉଁଠାକୁ ପାଣି ପିଇବାକୁ ଆସିବାର ସୂଚନା ଥିଲା ତାହାର ଅପରପାର୍ଶ୍ୱରୁ ଏକ ଉଚ୍ଚ ସ୍ଥାନରୁ ତାହାକୁ ଦେଖିବାର ସୁଯୋଗ ମିଳିଥିଲା ଯଇଛି ପର୍ଯ୍ୟଟକଙ୍କୁ କିଛି ମାସ ତଳେ I ତେଣୁ ତାଙ୍କର ମାନଚିତ୍ରକୁ ଅନୁକରଣ କରି ଯିବାକୁ ସ୍ଥିର କରିଥିଲେ ସମସ୍ତେ I ବାଘ ମାନେ ଭଲ ପଂହରି ପାରନ୍ତି କିନ୍ତୁ ଜଳାଶୟର ଆର କୂଳରୁ ଏ ପାଖ କୂଳକୁ ଆସି ପୁଣି ଏତେ ଉପରକୁ ଚଢ଼ି ମଣିଷକୁ ଆକ୍ରମଣ କରିବାର ବାଘର ପ୍ରୋଗ୍ରାମ କେବେ ହୁଏନି I ତେଣୁ ସୁରକ୍ଷିତ ସ୍ଥାନରୁ ରେ ବାଘ ଦେଖିବାର ସୁଯୋଗକୁ କେହି ହାତ ଛାଡ କରିବାକୁ ଚାହୁଁ ନଥିଲେ I
"ମରଦ ଭଳି ଟିକେ କେବେ କେବେ ବ୍ୟବହାର କର, ସବୁ ବେଳେ ଏମିତି ଭୀରୁ ଭଳି କାହିଁକି ହେଉଛ? କଣ ବାଘ ଆସିକି ତୋକୁ ଟାଣିକି ନେଇଯିବ କି? ତୁ ସବୁଠାରୁ ପତଳା, ବାଘ ମଧ୍ୟ ଭାବିବ ତୋତେ ଶିକାର କରିବାର ତାହାର ପ୍ରଚେଷ୍ଠା ବୁଦ୍ଧିମତା ନା ନୁହେଁ I ଜଳଖିଆ ପାଇଁ ମଧ୍ୟ ଅଣ୍ଟିବ ନାହିଁ ତାକୁ ," ବିନୟ କହିଲା I ପୁଣି ଯୋଡ଼ିଲା , " ହଁ ତୋତେ ଗଛ ଉପରକୁ ନେବାକୁ କଲରାପତରିଆ ବାଘକୁ କଷ୍ଟ ହେବନି I "
ତାହା କଥା ଶୁଣି ମୋତେ ଯେତେ ଅପମାନ ବୋଧ ହେଲା ସେତିକି ଭୟଭୀତ ମଧ୍ୟ ହେଲି ମୁଁ I ନିଜର ମନରେ ସବୁ ବେଳେ ଛୋଟ ଛୋଟ କଥାରେ ଭୟ ଜନ୍ମ ହେଉଥିବାରୁ ଜଙ୍ଗଲ ଭ୍ରମଣ କରି ଭୟକୁ କିଛି ଅଂଶରେ ଦୂର କରିବା ଥିଲା ମୋର ଅଭିପ୍ରାୟ I ତେଣୁ ଟିକିଏ ଅଡୁଆ ଲାଗୁଥିଲା ମଧ୍ୟ ମୁଁ ରାଜି ହୋଇ ଯାଇଥିଲି ଜଙ୍ଗଲ ଭ୍ରମଣ ଲାଗି I ବିନୟ ଅବଶ୍ୟ ନିଜକୁ ପହଲମାନ ଭାବି ବହୁତ ଦମ୍ଭ ସହିତ ଚାଲିଥାଏ I ମୋ ସହ ଚାଲିବାର ତାହାର ଆଉ ଗୋଟିଏ ଉଦ୍ଦେଶ୍ୟ ଥାଏ I ମୋର ଭୟ କୁ ଦୂରେଇବା ଲାଗି ଆଉ ମନକୁ ସ୍ଥିର କରିବା ଲାଗି ମୁଁ ସାଥିରେ ଗୁଡ଼ାଏ ମିଠା ପାନ ରଖିଥାଏ I ବିନୟର ମିଠା ପାନ ହେଲା ଏକ ଦୁର୍ବଳତା I ପ୍ରତି ୧00 ପାଦରେ ଖଣ୍ଡିଏ ପାନ ଭୋଗ ହେଇ ଯାଉଥିଲା ତାହା ପାଇଁ I ମୋର ଧୀର ଚାଲିରେ ତାହାର ପାନର ଶୌକ ବେଶ ପୁରଣ ହେଉଥିଲା I "ତୁ ଛେଳି ଭଳି ସବୁ ବେଳେ ପାନ ଚରୁଛୁ, ତେଣୁ ବାଘ କଥା ଭାବି ଡରୁଛୁ I ପାନ ଖାଇବା କମ କରେ I ମୁଁ ଖାଇକି ତୋତେ ଏକ ପ୍ରକାର ସାହାଯ୍ୟ ହିଁ କରୁଛି ," ବିନୟ କହିଲା ଆଉ ଗୋଟିଏ ପାନ ମୋ ବ୍ୟାଗରୁ ବାହାର କରି ନିଜ ପାଟିରେ ପକେଇଦେଲା I ଅଳ୍ପ ସମୟରେ ଆମେ ଆଉ ଟିକେ ଘଞ୍ଚ ସ୍ଥାନରେ ପହଞ୍ଚି ଯାଇଥିଲୁ I
ଯେତେବେଳେ ପକ୍ଷୀମାନଙ୍କ କୋଳାହଳ ଅକସ୍ମାତ ଥମି ଯାଏ, ଗହଳ ତରୁ, ଗୁଳ୍ମ ଆଉ ଲତା ମଧ୍ୟରେ, ସୂର୍ଯ୍ୟର ପ୍ରଖର ତେଜ ଲୋପ ପାଇଲା ଭଳି, କେଉଁଠାରେ ଲୋପ ପାଇଯାଏ ମନର ଉତ୍ତେଜନା I ପାଦପର ଛାଇରେ ଭରିଥିବା ନିଶବ୍ଦତା ମଧ୍ୟରେ ଭାସିଆସେ ଏକ ଅଜଣା ଆତଙ୍କ ଯାହା ଥରାଇ ଦିଏ ତନୁ ମନକୁ, ସତେ ଯେମିତି ଆସନ ବିପଦର ସୂଚନା ମିଳି ସାରିଛି ପରୋକ୍ଷ ଭାବରେ I ବିନୟର ହାତର ସ୍ପର୍ଶରେ କ୍ଷଣକ ପାଇଁ ଚମକି ପଡିଲି ମୁଁ I
"ଡରି ଗଲୁ କି?" ବିନୟ ପଚାରିଲା ପ୍ରାୟ ଫୁସଫୁସ ଢଙ୍ଗରେ I ଏକ ପ୍ରକାର ସହମତି ଜଣେଇଲି ମୁଁ, ନିଜର ଅକ୍ତିୟାରରେ ନ ଥିଲା ଭଳି ମୋର ମୁଣ୍ଡଟି ହଲି ଯାଇଥିଲା ତାହାର ପ୍ରଶ୍ନରେ I"ଏଇଟା ବାଘ ଆସିବାର ସମୟ ନୁହେଁ I ତେଣୁ ଏତେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ I ଏହା ବ୍ୟତୀତ ଏହି ଅଞ୍ଚଳରେ ନିକଟ ଅତୀତରେ ବାଘର ସଙ୍କେତ ମିଳିନାହିଁ I ଏଠାରେ ଥିବା ବାଘକୁ କିଛି ଶିକାରୀ ମାନେ ମାରି ଦେଇଥିବାର ସନ୍ଦେହ କରା ଯାଉଛି କିନ୍ତୁ ଏ ଯାଏଁ ତାହାର ମଧ୍ୟ ସଠିକ ପ୍ରମାଣ ମିଳିନାହିଁ I ମଣିଷ ମାନେ ତ ଅନେକ ପ୍ରକାର ଜୀବ ଜନ୍ତୁଙ୍କୁ ବିଲୁପ୍ତ କରି ସାରିଲେଣି ନିଜର ସ୍ୱାର୍ଥ ଆଉ ଲୋଭ ଯୋଗୁଁ I ଏଠାରେ ଥିବା ବାଘ ଟିର ମଧ୍ୟ ହୁଏତ ସେହି ଗତି ହୋଇଥିବ I ନଚେତ କଣ ଆମକୁ ଗାଇଡ଼ ଏହି ଆଡେ ନେଇ ଆସନ୍ତା ? ଆମକୁ ଲାକ୍ଷାସ୍ଥଳିରେ ପହଂଚି ସଞ୍ଜ ଯାଏଁ ପ୍ରତୀକ୍ଷା କରିବାକୁ ପଡିବ," ବିନୟ ପୁଣି କହିଲା I
ତାହାର କଣ୍ଠରେ ଥିଲା ଆଶ୍ୱସନା ଦେବାର ପ୍ରୟାସ କିନ୍ତୁ ମୁଁ ଅନୁଭବ କରି ପାରୁଥିଲି, ତାହାର ହୃଦୟର ବ୍ୟାକୁଳତା ମଧ୍ୟ I ବନ୍ୟ ଭ୍ରମଣର ସୁଖ ସହିତ ମିଶି ଯାଇଥିଲା ଅଜଣା ବିପଦର ସମ୍ମୁଖୀନ ହେବାର ଭୟ I କୋଡିଏ ଜଣିଆ ଦଳରୁ ଦୁହେଁ ଅଲଗା ହୋଇ ସାରିଥିଲୁ ଜଙ୍ଗଲର ଗୋଲକଧନ୍ଦା ମଧ୍ୟରେ I ମୁଁ ଟିକିଏ ଅସୁସ୍ଥ ଅନୁଭବ କରିବାରୁ ବିନୟ ମୋ ପାଇଁ ଅଟକି ଯାଇଥିଲା I ଚାହୁଁ ଚାହୁଁ ଅନ୍ୟ ମାନେ ଅଦୃଶ୍ୟ ହୋଇ ଯାଇଥିଲେ ଘନ କାନନର ଅନ୍ଧାର ମଧ୍ୟରେ I କିଛି ଭାବିଲା ବେଳକୁ ଅନେକ ଡେରି ହୋଇ ଯାଇଥିଲା I ଶବ୍ଦ ଆଉ ପାଟି ନ କରିବାକୁ ପଥ ନିର୍ଦ୍ଧାରକ ବାରଣ କରିଥିଲେ I ତେଣୁ କାହାକୁ ପାଟି କରି ଡାକିବାର ସମ୍ଭାବନା ମଧ୍ୟ ନଥିଲା I ଆଧୁନିକରଣର ପ୍ରବାହରେ ପହଁରୁଥିବା ମଣିଷଟିଏ ପ୍ରଥମ ଥର ପାଇଁ ମୁକୁଳି ଯାଇଥିଲା ସ୍ମାର୍ଟ ଫୋନର ଶିକୁଳିରୁ କିନ୍ତୁ ସେହି ସ୍ୱାଧୀନତା ମନରେ ଭରି ଦେଇଥିଲା ଅନେକ ଆଶଙ୍କା I
"ଫେରିଯିବା କି ନ ହେଲେ?" ମୁଁ ଟିକିଏ ସଙ୍କୋଚ ଭରା କଣ୍ଠରେ ପଚାରିଲି, "ମୁଖ୍ୟ କ୍ୟାମ୍ପକୁ ଫେରିକି ଅନ୍ୟ ମାନକୁ ସୂଚନା ଦେବା ନିଶ୍ଚୟ ସମ୍ଭବ ହେବ I""ତୁ ଏମିତି ଡରୁଛୁ କାହିଁକି? ମଣିଷ ଯେତିକି ବାଘ ଡରେ, ବାଘ ତାହା ଠାରୁ ଅଧିକ ମଣିଷ ଠାରୁ ଦୂରରେ ରହିବାକୁ ଚେଷ୍ଠା କରେ I ବାଘ ଖୋଲା ଜାଗାରେ ଶିକାର କରିବାକୁ ଅଧିକ ପସନ୍ଦ କରେ ଖାସ କରି ଘାସ ଥିବା ଅଞ୍ଚଳରେ ଯେଉଁଠି ସହଜରେ ଘାସ ଭିତରେ ନିଜକୁ ଲୁଚେଇ ଶିକାର ପାଖକୁ ଯାଇ ପାରେ I ଯଦି ବାଘ ଆସେ ଏହି ଗଛ ଉପରେ ଚଢ଼ିଯିବୁ," ବିନୟ କହିଲା ସାମ୍ନାରେ ଥିବା ଉଚ୍ଚ ଗଛ ଆଡକୁ ଇଙ୍ଗିତ କରିକି I
ଗଛ ଉପରକୁ ଦେଖି ମୋ ଆଖି ଖସିଗଲା ଆଉ ବିନୟ ମଧ୍ୟ ଭୟଭୀତ ହୋଇ ଗଲା I ମୋତେ ଜାବୁଡି ଧରିଲା I ମୃତ ଦେହଟିଏ ଝୁଲୁଥିଲା ଗଛର ମୋଟା ଡାଳଟିଏ ଯେଉଁଠାରୁ ବାହାରିଥିଲା I
ନିଜର ଭୟ ଲୁଚେଇବା ଲାଗି ପାଖରେ ଥିବା ଢେଲାଟିଏ ଉଠେଇ ଗଛ ଉପରକୁ ଫୋପାଡ଼ି ଦେଲା ବିନୟ I ଏତେ ଶକ୍ତିଶାଳୀ ପ୍ରକ୍ଷେପଣ ଥିଲା, ପଥରଟି ଗଛର ଦେହରେ ବାଜି ବୂମେରାଙ୍ଗ ଭଳି ଆମ ପଛ ଆଡକୁ ଛିଟିକି ଗଲା I ଭୟରେ ମୁଁ ତଳକୁ ମୁଣ୍ଡ ନୁଆଇଁ ବସିଗଲି I ପଥରଟି ବୋଧେ ପଛ ପଟେ ଥିବା ବୁଦା ଭିତରକୁ ଚାଲି ଯାଇଥିଲା I କିଛିଟା ଖସ ଖାସ ଶବ୍ଦ ଶୁଣିଲି ମୁଁ I "ଚାଲେ ଫେରିଯିବା," ମୁଁ ଭାବିଲି କହିବାକୁ I ମୁଁ ଆଉ କିଛି ଭାବି ପଛକୁ ଚାହିଁଲା ବେଳକୁ ବିନୟର ଚିତ୍କାରଟି ଅରଣ୍ୟର ନିରବତାକୁ ଭେଦି ସାରିଥିଲା I ପଛକୁ ଚାହିଁ ଦେଖିଲା ବେଳକୁ, ତାହାର ଶରୀରଟା ଉଭାନ ହୋଇ ସାରିଥିଲା ପାଖରେ ଥିବା ଘଞ୍ଚ ବୁଦା ଭିତରେ I ଖାଲି ଜୋତା ଦୁଇଟା ଦେଖା ଯାଉଥିଲା ମୋ ମୁଁହରୁ ମଧ୍ୟ ଏକ ଅତର୍କିତ ଚିତ୍କାର ବାହାରି ଯାଇଥିଲା I ଭୟରେ ଆଖି ବୁଝି ଦେଇଥିଲି ମୁଁ I ବୁଦା ଭିତରୁ କୌଣସି ଗୋଟିଏ ଜୀବର ପଳାୟନର ଶବ୍ଦ ହିଁ ଶୁଣି ପାରିଥିଲି I କ୍ଷଣଟିରେ ଯେମିତି ପଥର ପାଲଟି ଯାଇଥିଲି ମୁଁ I କେତେ ସମୟ ବିତିଗଲା ମୋର ମାନେ ନାହିଁ କିନ୍ତୁ ଲାଗୁଥିଲା ଯେମିତି ବହୁତ ସମୟ ହୋଇ ଯାଇଥିଲା ଆଖି ଖୋଲିଲା ବେଳକୁ I ଅନେକ ଲୋକଙ୍କର ପଦଚାପର ଶବ୍ଦ ଶୁଣି ବୁଝି ସାରିଥିଲି ଅନ୍ୟ ମାନେ ଅନତି ଦୂରରେ ଥିଲେ ଏବଂ ତାହାର ଚିତ୍କାର ଶୁଣି ଆମ ଆଡକୁ ଚାଲି ଆସୁ ଥିଲେ I ଅଳ୍ପ କ୍ଷଣ ଭିତରେ ହୃଷି, ତପନ, ରାମ ଆଉ ମାରୁତି ପହଂଚି ଯାଇଲେ ଆମେ ଥିବା ଜାଗାକୁ I ସେମାନଙ୍କୁ ଦେଖି ମଧ୍ୟ ମୋର ଦେହର କମ୍ପନ କମି ନଥିଲା I ଥରୁଥିବା ହାତଟିରେ ଇଙ୍ଗିତ କରିଦେଇଥିଲି ଘଞ୍ଚ ବୁଦା ଆଡକୁ ଆଉ ଥଙ୍ଗ ଥଙ୍ଗ ହୋଇ ପାଟିରୁ ବାହାରି ଯାଇଥିଲା, "ବିନୟକୁ ତାହା ଭିତରକୁ ..."
ଏତିକି ବେଳକୁ ଅନ୍ୟ ସମସ୍ତେ ମଧ୍ୟ ପହଞ୍ଚି ଯାଇଥିଲେ I ମାରୁତି ମଧ୍ୟ ଦେଖି ସାରିଥିଲା ଗଛ ଉପରେ ଝୁଲୁଥିବା ଦେହଟିକୁ I
ବୁଦା ଆଡକୁ ଗାଇଡ଼ ତୁରନ୍ତ ଆଗେଇ ଯାଇଥିଲେ ଏବଂ ଅଳ୍ପ ସମୟରେ ସମସ୍ତେ ବୁଦା ଭିତରୁ ବିନୟର ନିଶ୍ଚଳ ଦେହକୁ ଟାଣି ଆଣି ଥିଲେ I ତାହାର ପିଠିରେ ଆଘାତ ଲାଗିଥିଲା I "ଆହତ ହେଇଛି ଗୁରୁତର ଭାବରେ,ତୁରନ୍ତ ଡାକ୍ତର ଖାନା କୁ ନେବାକୁ ପଡ଼ିବ, "ଗାଇଡ଼ ଜଣକ ଟିପ୍ପଣୀ କଲେ I ମାରୁତି ଇଙ୍ଗିତ କରି ଦେଲା ଗଛ ଉପରେ ଝୁଲୁଥିବା ହରିଣର ଶବ ଆଡ଼କୁ I
"ବୋଧେ କଲରାପତ୍ରିଆଟିଏ ହେଇଥିବ I ଏଠାରୁ ବାହାରିଯିବା ହିଁ ଭଲ ହେବ I" ନିଜର ୱାକି ଟାକି କୁ ଅନ କରୁ କରୁ ଗାଇଡ଼ ଜଣକ କହିଲେ I ସାଥିରେ ଥିବା ଡାକ୍ତର ବନ୍ଧୁ ଜଣେ ଲାଗି ଗଲେ ପ୍ରାଥମିକ ଚିକିତ୍ସା ଦେବାରେ I ଏହି ସମୟରେ ଦୂରରୁ ଶୁଣ ଗଲା ମହାବଳର ଗର୍ଜନ I
"ତିନି ଚାରି ମାଇଲ ଦୂରରେ ଥିବା ଛୋଟ ଜଳାଶୟ ପାକହଖରେ ନିଶ୍ଚୟ ଆଜି ମହାବଳଟିଏ ଅଛି, " ଗାଇଡ଼ ଜଣଙ୍କ ମନ୍ତବ୍ୟ ଦେଲେ I କିନ୍ତୁ ଘଟଣାଅପରେ ସମସ୍ତେ କେତେକାଂଶରେ ଭୟଭୀତ ହୋଇ ଯାଇଥିଲେ I କେହି ବାଘ ମାମୁଁଙ୍କ ଦର୍ଶନ ପାଇଁ ବ୍ୟାକୁଳ ନଥିଲେ I
ଅଳ୍ପ ସମୟରେ ସହକାରୀ ଦଳ ଏବଂ ସ୍ୱାସ୍ଥ୍ୟ କର୍ମୀ ପହଞ୍ଚି ଯାଇଥିଲେ ଏବଂ ବିନୟକୁ ସ୍ଥାନାନ୍ତରିତ କରା ଯାଇଥିଲା ନିକଟତ୍ତମ ଚିକିତ୍ସାଳୟକୁI "ଯାହା ହେଉ ବେଶୀ ଦୂରକୁ ଆମେ ଯାଇ ନଥିଲୁ," ଶୈଳେଶ କହିଲା I ସେହି ଠାରେ ସମାପ୍ତ କରିଥିଲୁ ସେଦିନର ଜଙ୍ଗଲ ଅଭିଯାନ I ତା' ପରେ ଯେମିତି ମୋ ଦେହରେ ପ୍ରବେଶ ହୋଇ ଯାଇଥିଲା ଏକ ଅଦୃଶ୍ୟ ଶକ୍ତି I ବିନା ଅଟକି ଚାଲି ଗଲି ବେସ କ୍ୟାମ୍ପ ପର୍ଯ୍ୟନ୍ତ I
ବିନୟରେ ପିଠିରେ ବହୁତ ଷ୍ଟିକ ପଡିଥିଲା କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇ ଯାଇଥିଲା I ବୁଦା ଭିତରେ ଶୋଇଥିବା ଭାଲୁ କି କଲରାପତରିଆ ବୋଧେ ଅତର୍କିତ ହୋଇ ତାକୁ ଆକ୍ରମଣ କରିଥିଲା, ନଖ ରାମ୍ପୁଡାରୁ ଯାହା ଜଣା ପଡୁଥିଲା ବୋଲି ଗାଇଡ଼ ଜଣକ କହିଲା I ରକ୍ଷା ହେଇଛି ଚେହେରାରେ କୌଣସି ଆଘାତ ହେଇ ନଥିଲା I ହୁଏତ ଭୟଭୀତ ହୋଇ ମୁର୍ଚ୍ଛା ହୋଇଯାଇଥିବାରୁ ଭାଲୁ ଆଉ ଅଧିକ ଆକ୍ରମଣ ନ କରି ଛାଡି ଦେଇଥିଲା I ବିନୟ ଯେବେ ମଧ୍ୟ ଦେଖା ହୁଏ ମିଠା ପାନ ଖିଆ ହୁଏ ସେ ବିଷୟରେ ଚର୍ଚ୍ଚା ହୁଏ ଏବଂ ଆଜି ଯାଏଁ ଘଟଣାଟି ତାଜା ହୋଇ ରହିଛି ଦୁହିଁଙ୍କର ମନରେ I ମୋ ମନରେ ମନରେ ମୁଁ ଭାବେ , ବାଘ ନ ଦେଖିଲେ ନାହିଁ, ଭାଲୁ କୁ କେବେ ଦେଖ ନାହିଁ I