ପ୍ରେମର ପୁଲକ
ପ୍ରେମର ପୁଲକ
"ଗୋଲାପୀ ରଙ୍ଗଟି କଣ ସମସ୍ତଙ୍କୁ ମାନେ? ନା ହାତରେ ଗୋଲାପୀ ଗୋଲାପଟିଏ ଧରିଲେ ସମସ୍ତେ ଆନନ୍ଦିତ ହୋଇଥାନ୍ତି? ଗୋଲାପୀ ଗୋଲାପଟିଏ କଣ ସମସ୍ତଙ୍କର ଗଭାରେ ସୁନ୍ଦର ଲାଗେ କି?" ଦେବାଶିଷ ପଚାରିଲା I
"ସନ୍ଧ୍ୟା ବେଳଟାରୁ ଏମିତି ନିଶାଗ୍ରସ୍ତ ଭଳି ବାଉଳି କିଆଁ ହେଉଛୁ କିରେ?" ମୁଁ ପଚାରିଲି I"ତୁମର କୁଆଡେ ବହୁତ ଅଭିଜ୍ଞତା ଅଛି ଏ ସବୁ ବିଷୟରେ ତେଣୁ ପଚାରିଦେଲି I ମୋ ସାଙ୍ଗ ମେଳିରେ ଆଉ କାହା ସହିତ ତ ଏମିତି କୃଷ୍ଣ କଳାକୁ ଯୋଡ଼ା ହେଇ ନାହିଁ, ତୁମ ବ୍ୟତୀତ, ତେଣୁ ତୁମକୁ ହିଁ ପଚାରିବି ଭାବିଲି I କାଲି ତପନକୁ ମଧ୍ୟ ପଚାରିଥିଲି , ଆଉ ସିଏ କହିଲା ତାକୁ ଏହି ସବୁ ଗୂଢ଼ ରହସ୍ୟ ଜଣା ପଡ଼େନା I ସିଏ ଖାଲି କବିତା ଲେଖିପାରେ ଏଠିରୁ ସେଠିରୁ ଖଣ୍ଡେ ଦି ଖଣ୍ଡ ପଦ ନକଲ କରିକି, ନିଜର କିଛି ମଝିରେ, ଆଗରେ, ପଛରେ ଯୋଡିକି I ସେତିକିରେ ତାହାର ପ୍ରେମ ସୀମିତ, " ଦେବାଶିଷ ଉତ୍ତର ଦେଲା I "ଆଛା ! ଆଉ ମୋ ସହ କେମିତି ଏତେ ସବୁ ଅଭିଜ୍ଞତା ଯୋଡି ଦେଉଛୁ ତୁ? ଏମିତି ଅବାଗିଆ ପ୍ରଶ୍ନଟିଏ ଥୋଇ ଦେଇକି ମୋ ଆଗରେ I ଅନ୍ୟ କାହାକୁ ପଚାରେ ," ମୁଁ ପଚାରିଲି I "ତୁମେ ନ କହିବ ଯଦି ନ କୁହ, ମୁଁ ଆଉ କାହାକୁ ପଚାରିବି ନାହିଁ I ତୁମେ କଣ କେବେ କାହାକୁ ଭଲ ପାଇ ନଥିଲ, ନା କାହାକୁ ଦେଖି ଆକୃଷ୍ଟ ହୋଇ ନଥିଲ? ଏମିତି ନିରୀହ ହେଇକି ରୋଲ କରୁଛ ମୋ ଆଗରେ," ଦେବାଶିଷ କହିଲା I ତାହାର ମୁଁହ ନାଲି ପଡି ଯାଇଥିଲା, ରାଗରେ କି ଅଭିମାନରେ ମୁଁ ବୁଝି ପାରିଲିନି କିନ୍ତୁ ତାକୁ ଟିକିଏ ଶାନ୍ତ କରିବାକୁ କହିଲି "ଆରେ ଏମିତି କାହିଁକି ରାଗି ଯାଉଛୁ କ୍ଷଣକରେ?? ତୋର ମୋର ଭିତରେ ତିରିଶ ବର୍ଷର ଅନ୍ତର, ଆଉ ଏହା ମଧ୍ୟରେ ସବୁ ତ ବଦଳି ଯାଇଛି: ସମାଜ, ମଣିଷର ଜୀବନ ଶୈଳୀ, ତାହାର ଇଛା ଆଉ ଆକାଂକ୍ଷା I କଣ ଆଉ ତୋ ଭଳି ମୋର ଏବେ ବାଇଶି ବର୍ଷ ବୟସ ଯେ ମୁଁ ଏ ସବୁ ..."ମୁଁ କିଛି କହିବା ଆଗରୁ ମୋ କଥାକୁ କାଟିଦେଲା ଦେବାଶିଷ, " ତୁମେ କଣ ହରିଆ ଅଜା ଠାରୁ ବୁଢା? ହରିଆ ଅଜା ତ ଯାହା ପଚାରିଲେ କହୁଛନ୍ତି ! ଆଜି ନାହାନ୍ତି ବୋଲି ତୁମକୁ ପଚାରିଦେଲି ନ ହେଲେ ତୁମକୁ କିଏ ପଚାରେ?" "ହରିଆ ଅଜା କଣ କହିଥାନ୍ତେ କି ତୋତେ? ତୁ ଯାହା ଭାବୁଛୁ ଆଉ ଚାହୁଁଛୁ କହ; ମୁଁ କହିଦେବି I ତୋର କଣ ହେଇଛି ଅସୁବିଧା ଖୋଲିକି କହୁନୁ କାହିଁକି, " ମୁଁ କହିଲି I "ମୁଁ ଖାଲି ଏତିକି ପଚାରିଥିଲି ଗୋଲାପୀ ରଙ୍ଗ ବିଷୟରେ," ଦେବାଶିଷ କହିଲା I "ହଁ ବୁଝିଲି, ଆଗକୁ କହ," ମୁଁ କହିଲି I ଅସ୍ତରାଗର ରଙ୍ଗରରେ ତାହାର ଚେହେରାରେ ଏକ ଅଲଗା ଚମକ ଭରିବାକୁ ଲାଗିଥିଲା I ହରିଆ ଅଜା ସମସ୍ତଙ୍କର ପ୍ରିୟ କାରଣ ସିଏ ସମସ୍ତଙ୍କ ମନ କଥା ବୁଝି ଯାଆନ୍ତି ଆଉ ସାହି ଯାକର ଟୋକାଙ୍କ ସବୁ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ଥାଏ I ଟିକିଏ ଲାଜେଇ ଗଲା ଦେବାଶିଷ, ସତେ ଯେମିତି କିଛି ଗୋଟାଏ ଭୁଲ କରି ଦେଇଛି ଆଉ କହିବାକୁ ଥତମତ ହେଲା I "ମୋ ପାଖରେ ଖାଲି ଗୋଟିଏ ଗୋଲାପୀ ରଙ୍ଗର ଗୋଲାପ ଅଛି," ଦେବାଶିଷ କହିଲା I "ଓଃ!" ମୋ ପାଟିରୁ ବାହାରିଗଲା I "ହଁ ବଜାରରେ ଆଉ ନଥିଲା, କଲେଜରୁ ସିଧା ଯାଇଥିଲି ମାର୍କେଟ କିନ୍ତୁ ସବୁ ନାଲି ଗୋଲାପ ଶେଷ," ଦେବାଶିଷ କହିଲା I କ୍ଷଣକରେ ବୁଝିଗଲି ତାହାର ବାର୍ତ୍ତାଳାପର ଅଭିପ୍ରାୟ I ତହିଁ ଆର ଦିନ "ରୋଜ ଡେ!" କାହାକୁ ନିଶ୍ଚୟ ଗୋଲାପଟିଏ ଦେବାକୁ ଭାବିଥିବ I "ତୁ କଣ କାହାକୁ ଭଲ ପାଇବାକୁ ଲାଗିଛୁ କି?" ମୋ ପାଟିରୁ ବାହାରିଗଲା I ମୁଁ ଆଉ କିଛି କହିବା ଆଗରୁ କହିଦେଲା ସିଏ, " ଘରେ କହିବନି କିନ୍ତୁ, ଜାଣିଲେ ବହୁତ ଶୁଣେଇବେ ସମସ୍ତେ ମୋତେ I ଗତ ପରୀକ୍ଷାରେ ଭଲ ନମ୍ବର ଆସିନି," ଦେବାଶିଷ କହିଲା I "ନା, ନା ମୁଁ କାହିଁକି ଯିବି କାହାକୁ କହିବାକୁ?" ମୁଁ କହିଲି I "ତୁମକୁ ମୋ ରାଣ କିନ୍ତୁ," କହିକି ନିଜର ପକେଟ ଭିତରୁ ପର୍ତ ବାହାର କରି ମୋ ହାତରେ ଥୋଇ ଦେଲା ଛୋଟିଆ ଫୋଟୋଟିଏ I ଥଣ୍ଡା ପବନ ବହୁଥିଲେ ମଧ୍ୟ ତାହାର ମୁଁହରେ ଭରି ଯାଇଥିଲା କିଛି ଟୋପା ଝାଳ I ଆଶଙ୍କିତ ହୋଇଥିବା ନିଶ୍ଚୟ ମୋତେ କହିଲା ବେଳକୁ I କିନ୍ତୁ ତାହାର ଆଖିରେ ଭରି ଯାଇଥିଲା ଏକ ଅପୂର୍ବ ଚମକ I ଛୋଟିଆ ଫୋଟୋଟିଏ, ତାହା ମଧ୍ୟ ଗ୍ରୁପ ଫୋଟୋ !ଫୋଟୋରେ କାହାକୁ ଚିହ୍ନିବା ମୁସ୍କିଲ !"ସେହି ଗୋଳାପି ଡ୍ରେସ," ଦେବାଶିଷ କହିଲା I ମୁଁ କିଛି ସମୟ ନୀରବ ରହିଲି I "କଣ ସିଏ କାଲି ନାଲି ଗୋଲାପ ଦେବାକୁ କହିଥିଲା କି? ନା ଏଇଟା ତୁମର ପ୍ଲାନ," ମୁଁ ପଚାରିଲି I "ସମସ୍ତେ ଦେବେ କହୁଛନ୍ତି ସାଙ୍ଗ ମାନେ, ତାଙ୍କର ଗାର୍ଲଫ୍ରେଣ୍ଡ ମାନଙ୍କୁ କାଲି, ତେଣୁ ମୁଁ ଭାବିଲି ମୁଁ ମଧ୍ୟ ଦେବି I କିନ୍ତୁ ମୋତେ ନାଲି ଗୋଲାପ ମିଳିଲାନି, ଖାଲି ଗୋଟିଏ ଗୋଲାପ ଥିଲା , ତାହା ମଧ୍ୟ ଫିକା ଗୋଲାପୀ ରଙ୍ଗର ! ତେଣୁ ମୁଁ ଏବେ ଦୁବିଧାରେ ପଡିଛି, ଦେବି ନା ନାହିଁ? ଦେଲେ ଯଦି ନାପସନ୍ଦ କରିଦେବ ? ଆଉ ନ ଦେଲେ ଯଦି ଭାବିବ ମୁଁ ତାହା କଥା ଭାବୁନି ବୋଲି?" ଦେବାଶିଷ କହିଲା I "ତୁମ ମନ କଣ କହୁଛି?" ମୁଁ ପଚାରିଲି I "ଦେବାକୁ ତ ଇଛା, କିନ୍ତୁ ଯଦି ସିଏ..." ଦେବାଶିଷ କିଛି କହିବା ଆଗରୁ ମୁଁ ପଚାରିଲି,"ତୁମେ କଣ ତାକୁ ପଚାରିକି ଭଲ ପାଇଥିଲ କି?"
"ନା, ନା I ମୁଁ ତ ଏଯାଏଁ ମଧ୍ୟ ଜାଣିନି ସିଏ ମୋ ବିଷୟରେ କଣ ଭାବୁଛି ! କିନ୍ତୁ ମୋତେ ଲାଗେ ସିଏ ମୋତେ ପସନ୍ଦ କରେ I ମୋତେ କିନ୍ତୁ ସିଏ ବହୁତ ପସନ୍ଦ, ଗୋରୀ ନ ହେଲେ କଣ ହେଲା!" ଦେବାଶିଷ କହିଲା I "ତାହା ହେଲେ ଗୋଲାପି ହେଉ କି ଧଳା ହେଉ କି ନାଲି ହେଉ କି ହଳଦିଆ, ଯଦି ଦେବାକୁ ଇଛା ଦେଇ ଦେଉନ!" ମୁଁ କହିଲି I "ମୋର କାହିଁକି ସେତିକି ଆତ୍ମବିଶ୍ୱାସ ହେଉ ନଥିଲା, ତେଣୁ ପଚାରିଦେଲି, ଏବେ ଟିକେ ସାହସ ହେଇଗଲା," ଦେବାଶିଷ କହିଲା ଆଉ ତାହାର ମୁଁହରେ ଥିବା ଝାଲକୁ ପୋଛିଲା I "ମୁଁ କାଲି ଆସିକି କହିବି କଣ ହେଲା ," କହିକି ଦେବାଶିଷ ଯିବାକୁ ବାହାରିଲା I "ଏତେ ବ୍ୟସ୍ତ ହୁଅ ନାହିଁ, ଯଦି ସତରେ ଭଲ ପାଇଛ ଡରିବାର କିଛି ନାହିଁ I କିନ୍ତୁ ଏତିକି ମଧ୍ୟ ମନେ ରଖ, କାହାକୁ ଭଲ ପାଇବାରେ ଜବରଦସ୍ତି କରି ହୁଏନା," ମୁଁ କହିଲି I "ସେ କଥା ମୁଁ ବି ଜାଣିଛି, କିନ୍ତୁ କାହିଁକି କେଜାଣି ଏକା ଥିଲେ ତାହା କଥା ମନେ ପଡେ, ତାହାର ମୁଁହ ଜଳଜଳ ହୋଇ ଦିଶେ I ଇଛା ହୁଏ କଲେଜ ଦିନ ରାତି ଚାଲି ଥାନ୍ତା ଆଉ ମୁଁ କ୍ଲାସରେ ବସିକି ତାକୁ ଦେଖୁ ଥାଆନ୍ତି !କେତେ କଣ....." ଦେବାଶିଷ କହିଲା I ଭାବ ବିହ୍ଵଳ ହେଇଗଲା ଦେବାଶିଷ ତାହାର ମନ କଥା କହୁ କହୁ ଆଉ ଗପି ଚାଲିଲା ତାହାର କଳ୍ପନାର ଦୁନିୟା ବିଷୟରେ ଆଉ କୋଡିଏ ମିନିଟ I ଏକ ଆତ୍ମତ୍ରୁପ୍ତିର ଅନୁଭବ କରିବାକୁ ଲାଗିଥିଲ ସିଏ, ତାହାର ହୃଦୟର କଥା ସବୁ କହିକି I ମୁଁ ଅଟକେଇଲି ନାହିଁ I "ତୁମ ବିଷୟରେ ତ ସମସ୍ତେ ଏତେ କଥା କୁହନ୍ତି, ତୁମର କଣ କିଛି ଏମିତି ଭାବନା କାହା ପ୍ରତି ଆସି ନାହିଁ? ତୁମେ କଣ କାହାକୁ ମନରେ ପ୍ରେମ କରି ନାହଁ କିମ୍ବା କାହା ଆଗରେ ପ୍ରେମର ପ୍ରକାଶନ କରି ନାହଁ ? ମୋ ମନରେ ତ କେତେ କଣ ଆସେ ତାହା ବିଷୟରେ ଭାବି ଦେଲେ, "ଦେବାଶିଷ ଶେଷରେ ପଚାରିଲା I କଥାରେ କଥାରେ ସଙ୍କୋଚର ପ୍ରାଚୀରଟିଏ ଭାଙ୍ଗି ଯାଇଥିଲା I ମୁକ୍ତ ଆକାଶର ପକ୍ଷୀଟିଏ ଭଳି ତାହାର ମନ କଥା ଗାଇବାକୁ ଲାଗିଥିଲା ଦେବାଶିଷ I ଫଗୁଣର ମୃଦୁ ପବନରେ ଉଡିବାକୁ ଲାଗିଥିଲା ତାହାର ଲମ୍ବା ମୁକୁଳା କେଶ I ଫିକା ନୀଳ ସାର୍ଟ ଆଉ ଫେଡ଼େଡ଼ ଜିନ୍ସରେ ତାହାର ଯୌବନର ମାଦକତା ଝରିବାକୁ ଲାଗିଥିଲା I ବୁଝି ପାରୁଥିଲି ତାହାର ଜୀବନରେ ବୟସର ସେହି ସୋପାନଟି ଆସିଥିଲା ଯାହା ଆଲୋଡିତ କରିଦିଏ ମନକୁ, ପ୍ରେମର ରଙ୍ଗ ଦେଖେଇ ! କିନ୍ତୁ ତାକୁ ନ ନିରାଶ ଆକରିବାକୁ ଇଛା ହେଲା ନା ମିଛ ପ୍ରତିଶ୍ରୁତି ଦେବାକୁ I ମୋ ପର୍ସଟିକୁ ବାହାର କରି ଧରେଇଦେଲି ତାହା ହାତରେ I ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁଲା ସିଏ I ଖୋଲି ଭିତରେ ଦେଖିବାକୁ ଇଙ୍ଗିତ କଲି I ଥୋଡାଏ କ୍ରେଡିଟ କାର୍ଡ, କିଛି ଭିସିଟିଙ୍ଗ କାର୍ଡ, ଦୁଇଟା ଶହେ ଟଙ୍କିଆ ନୋଟକୁ ହାତରେ ବାହାର କରି ଧରି ପୁଣି ମୋ ଆଡକୁ ଚାହିଁଲା ଦେବାଶିଷ I "ସମସ୍ତଙ୍କୁ ସମୟ ଆଉ ସମାଜ, ଜୀବନର ସଂଘର୍ଷ ସୁଯୋଗ ଦିଏନାହିଁ ପ୍ରେମର ଅନୁଭବ ସକାଶେ I ମୋ ବଗିଚାରେ ତ କେତେ କେତେ ଗୋଲାପ ଫୁଟୁଛି ପ୍ରତିଦିନ ! ସବୁ ରଙ୍ଗର, ଭିନ୍ନ ଭିନ୍ନ ଆକୃତିର, ଅନେକ ପ୍ରକାରର ମହକର ! କିନ୍ତୁ ମୋର ସମୟ କାହିଁ ସେ ସବୁକୁ ଦେଖିବାକୁ?"ଝରକା ବାହାରରେ ଥିବା ମୋର ଗୋଲାପ ବଗିଚାକୁ ଦେଖେଇ କହିଲି ମୁଁ ଦେବାଶିଷକୁ I ନିଜର ପର୍ସ ତାହା ହାତରୁ ନେଇ ତାହାକୁ ଫୋଟୋଟି ଧରେଇ ଦେଲି ଆଉ କହିଲି," ସକାଳେ ଆସିକି ନେଇଯିବ ଯେଉଁ ଗୋଲାପ ତୁମକୁ ପସନ୍ଦ ହେବ, ମୋ ବାଡିରୁ I କିନ୍ତୁ ଏତିକି ମନେ ରଖିବ, ଯିଏ ତୁମକୁ ସତରେ ଭଲ ପାଏ, ସିଏ କେବଳ ଗୋଲାପର ରଙ୍ଗକୁ ଦେଖିବନି, ଦେଖିବ ଅନ୍ୟ ଅନେକ କିଛି ଯାହା ତୁମ ଭିତରେ ଥିବ, ଗୋଲାପରେ ନୁହେଁ," ମୁଁ କହିଲି I "ବହୁତ ବହୁତ ଧନ୍ୟବାଦ, " କହି ଦେବାଶିଷ ମୋତେ କୁଣ୍ଢେଇ ପକେଇଲା I ସତେ ଯେମିତି ତାହାର ଜଟିଳ ସମସ୍ୟାର ସମାଧାନ ହୋଇ ଯାଇଥିଲା I
ଦେବାଶିଷ ଫେରିଗଲା ମୋର ଗୋଲାପ ବଗିଚା ଦେଇ I ଯାଉ ଯାଉ ଚାହିଁ ଦେଇଥିଲା ଫୁଟୁଥିବା ଗୋଲାପ ଗୁଡିକୁ !ତାହାର ମନରେ ଉଠୁଥିବା ପ୍ରେମର ଜୁଆରକୁ ଆଭାସ କରିବାକୁ ଲାଗିଥିଲି ମୁଁ I ହୁଏତ ତାହାକୁ ପସନ୍ଦ ହେଲା ଭଳି ଗୋଲାପଟିଏ ଫୁଟିଯିବ ସକାଳେ?