Ranjit Sahu

Romance Tragedy

3.6  

Ranjit Sahu

Romance Tragedy

ସ୍ମୃତି

ସ୍ମୃତି

4 mins
198


ବହି ଥାକରୁ ବହି ଗୁଡିକ ବାହାର କରିକି ଅନ୍ୟତ୍ର ରଖିଲାବେଳକୁ ତଳେ ଖସିକି ପଡିଗଲା ଡାଇରୀଟିଏ I ଡାଇରୀଟିକୁ ଉଠେଇ ଆଣିଲାବେଳକୁ ଦେଖିଲି ଗୋଲାପର ଡେମ୍ଫଟିଏ ତଳକୁ ଲମ୍ବିଛି I କୌତୁହଳ ହୋଇ ଖୋଲି ଦେଲି ଆପଣା ଛାଏଁ I ଗୋଲାପକୁ ବୁକମାର୍କ ଭଳି ବୋଧହୁଏ ବ୍ୟବହାର କରା ଯାଇଥିଲା ? ଦେବାଶିଷର ବ୍ୟକ୍ତିଗତ ଡାଇରୀଟିଏ I ମୋ ପାଖରେ ସୁରକ୍ଷିତ ରହିଥିବ ବୋଲି ଦେଇ ଯାଇଥିଲା I ପ୍ରେମର ବିଫଳତାର ମହାକାବ୍ୟ ଥିଲା ଡାଇରୀଟି I କିନ୍ତୁ ମୋତେ ସେଇଟାକୁ କେବେ ଖୋଲି ପଢିବାକୁ ମନ ହେଇନଥିଲା I ତାହାର ବ୍ୟକ୍ତିଗତ ଦୁନିଆଁରେ ମୋର ପଦକ୍ଷେପର ଯଥାର୍ଥତାକୁ ମୁଁ ଅନୁଭବ କରୁ ନଥିଲି I ମନେ ପଡିଗଲା ସେହି ଡାଇରୀର ଉତ୍ପତିର କାହାଣୀଟି I ମୁଁ ଦୀର୍ଘ ଏକ ମାସ ଲାଗି ବିଦେଶ ଗସ୍ତ କରିବାର ଥିଲାI ତାହା ପୂର୍ବରୁ ପ୍ରତିଦିନ ସନ୍ଧ୍ୟାରେ ଦେବାଶିଷ ଆସି ମୋ ସହ ନିଜର ବିରହ ବେଦନାକୁ ବାଣ୍ଟୁଥିଲା I ଦେବାଶିଷ ପାଖରେ ନିଜର ଦୁଃଖକୁ ଲାଘବ କରିବାର ଅନ୍ୟ କୌଣସି ଉପାୟ ନଥିଲା I ସମାଜର କଟକଣା ଆଉ ବୟସର ଭଉଁରୀ ଭିତରେ ଉବୁଟୁବୁ ହେଉଥିବା ବାଇଶି ବର୍ଷର ଯୁବକ କେତେ ଜଣକୁ ନିଜର ମନ କଥା କହି ପାରେ ସତରେ? କେମିତି କେଜଣି ମୋ ସହ ଘନିଷ୍ଠ ହୋଇ ଯାଇଥିଲା, ତେଣୁ ସବୁ କିଛି କହି ଚାଲିଥିଲା ମୋତେ I ସେ ଅନ୍ୟ ସମୟରେ ତାହାର କଲେଜ ପରେ ଆଉ ମୋର କାମ ପରେ, ଆମ ବଗିଚାରେ ହେଉଥିଲା ବାର୍ତ୍ତାଳାପ, ତାହାର ଆଉ ମୋର ଜୀବନର ଦୈନନ୍ଦିନ ଘଟଣାବଳୀକୁ ନେଇ I ମୋର ପରାମର୍ଶରେ ସିଏ ଡାଇରୀଟିରେ ପ୍ରତିଦିନର ବ୍ୟଥାକୁ ଲିପିବଦ୍ଧ କରିବାକୁ ଲାଗିଥିଲା I ମୁଁ ଫେରିଲା ପରେ ଦିନେ ଡାଇରୀଟି ଆଣି ଦେଇ କହିଥିଲା, "ଯାହା ସବୁ ଲେଖିଛି , ସବୁ କହିଥାଅନ୍ତି ଆପଣ ପାଖରେ ଥିଲେ I କିଛି ଅବଶ୍ୟ ମୋର ବ୍ୟକ୍ତିଗତ ଭାବନାର ସ୍ରୋତ ମଧ୍ୟ ଯାହା ହୁଏତ ମୁଁ କେବେ ଶିଖାକୁ କହି ଥାଆନ୍ତି I କିନ୍ତୁ ଆଉ ସେ ସୁଯୋଗ ମିଳିବାର ନାହିଁ, କି ମୋର ବ୍ୟକ୍ତ କରିବାକୁ ଇଚ୍ଛା ମଧ୍ୟ ନାହିଁ !""ମୁଁ ତ କାହାର ବ୍ୟକ୍ତିଗତ ଜୀବନରେ ଦଖଲ ଦିଏ ନାହିଁ I ତୁମେ ଆସୁଛ ମୋତେ କହୁଛ ଆଉ ମୁଁ ଶୁଣୁଛି ତୁମର ଦୁଃଖକୁ ବାଣ୍ଟିବାକୁ ଏକ ବନ୍ଧୁ ହିସାବରେ ଆଉ କିଛି ନୁହେଁ I ତେଣୁ ତୁମେ ଯଦି ଲେଖିଦେଇ କିଛିଟା ସନ୍ତୋଷ ଆଉ ଶାନ୍ତି ପାଇଁ ପାରିଛ ତାହା ହେଲେ ତ କାମ ସରିଲା," ମୁଁ କହିଲି I "ସେମିତି କଥା ନୁହେଁ, ଆପଣ ବୟସରେ ଏତେ ବଡ ହେଲେ ମଧ୍ୟ ମୋ ସହ ବଡ଼ନହଉ ଭଳି ବହୁତ ଅନ୍ତରଙ୍ଗ ହୋଇ ଯାଇଛନ୍ତି, ତେଣୁ ମୁଁ ଭାବେ ଆପଣ ମୋ କଥା ଜଣାଇବାରେ କିଛି ଅସୁବିଧା ନାହିଁ I ଯଦି କେବେ ମନ ହେବ ପଢିବେ, ନଚେତ ଆପଣ ସାଇତିକି ରଖିଥାଅନ୍ତୁ I ମୁଁ ଷ୍ଟଡି ଟୁରରେ ଯାଉଛି, ସାଥିରେ ନେଇକି ଗଲେ ଅସୁବିଧା କାଳେ କିଏ ଦେଖିବା ଆଉ ଗହରେ ରଖିବାକୁ ମଧ୍ୟ ଭୟ ଲାଗୁଛି I ଡାଏରିଟି ମୋର ବହୁତ ଅନ୍ତରଙ୍ଗ ହୋଇ ଯାଇଛି, ଅନେକ ଥର ପଢୁଛି ନିଜେ ନିଜର ଲେଖା ଆଉ ଆତ୍ମା ନିରୀକ୍ଷଣ କରୁଛି ମଧ୍ୟ," ଦେବାଶିଷ କାହିଁକି ଧରେଇଦେଇଥିଲା ମୋତେ ତାହାର ଡାଇରୀଟିକୁ I 

"ତୁମେ ତ ତୁମର କଲେଜର ପ୍ରେମ କଥା ସବୁ ମୋତେ ଅଧିକାଂଶ ଶୁଣେଇ ସାରିଛ, ଆଉ କଣ ନୂଆ କଥା ଅଛି କି? ଏହା ବ୍ୟତୀତ ମୋର ସମୟ ମଧ୍ୟ ନାହିଁ ପଢିବାକୁ, ଦୃଷ୍ଟି ଶକ୍ତି ମଧ୍ୟ ହ୍ରାସ ହେଲାଣି I ସେଥିପାଇଁ ତ ଆଜି କାଲି ପଢାପଢି କମେଇ ଦେଇଛି, ଆଉ ଅଧିକ ସମୟ ଆଲୋଚନାରେ ବ୍ୟସ୍ତ ରହୁଛି," ମୁଁ କହିଲି I "ଠିକ ଅଛି ଆପଣ ଯାହା ଭାବିବେ କିନ୍ତୁ ଏଇଟା ଆପଣଙ୍କ ପାଖରେ ଥାଉ," କହିଥିଲା ଦେବାଶିଷ I "ଠିକ ଅଛି," କାହିଁକି ମୁଁ ତାକୁ ମୋର ବହି ଥାକରେ ରହିଁଦେଲି କିଛି ବହି ମଧ୍ୟରେ I ଅନେକ ମାସ ବିତିଗଲାନି ସେହି ଘଟଣାକୁ I ଆଜି ସକାଳୁ ଶ୍ରୀମତୀଙ୍କର ସକାଳୁ ସକାଳୁ ଆରମ୍ଭ ହୋଇ ଜଣାଥିଲା ପୁରୁଣା ରୋଗ I ଛୋଟିଆ ଅସରପାଟିଏ ଦେଖି ଦେଇ ଆରମ୍ଭ ହୋଇ ଜଣାଥିଲା ସମଗ୍ର ଘରର ଝଡ଼ାଝଡ଼ି ଆଉ ସଫା କାମ ! ମୋ ପଢା ରୁମ ସଫା କଲା ବେଳକୁ ଖସି ପଡିଥିଲା ଥୋଡାଏ ବହି ତଳକୁ, ଆଉ ଉଠାଉ ଉଠାଉ ନଜର ପଡିଥିଲା ଦେବାଶିଷର ଡ଼ାଇରୀ ଉପରେ I ଶୁଖିଲା ଗୋଲାପଟିକୁ ତୁରନ୍ତ ଚିହ୍ନି ପାରିଲି ମୁଁ, ମୋର ବାଡିରୁ ଦିନେ ତୋଳି ନେଇଥିଲା ଦେବାଶିଷ ତାହୂ ଆଉ ଭେଟି ଦେଇଥିଲା ଶିଖାକୁ ନିଜର ପ୍ରେମ ନିବେଦନ ସମୟରେ I ଫୁଲଟିକୁ ପସନ୍ଦ କରିଥିଲେ ମଧ୍ୟ, ଶିଖା ସେଇଟାକୁ ସାଥିରେ ନେଇ ନଥିଲା I ଶିଖାର ଗୋଲାପ ଫୁଲ ପ୍ରତି ବହୁତ ଦୁର୍ବଳତା ଥିଲା I ତାହାର ଓଠର ନାଲି ଲିପସ୍ଟିକର ଦାଗ ଶୁଖିଲା ଫୁଲ ପାଖୁଡା ଉପରେ ନିଖୁଣ ରହିଥିଲା I କିଛି ଭାବିବା ପୂର୍ବରୁ ପଢିବାକୁ ଲାଗିଥିଲି ପୃଷ୍ଠାଟିକୁ I ସାଧାରଣତଃ ସୁନ୍ଦର ଅକ୍ଷରରେ ଲେଖା ହେଇଥିବା ଡ଼ାଇରୀର ସେହି ପୃଷ୍ଠାରେ ଦେବାଶୀଷର ଅକ୍ଷର ଥିଲା ଭାରି ଅସୁନ୍ଦର, ଯେମିତି ତରତର ହେଇକି ଭାବ ବିହ୍ଵଳ ହେଇକି ଭାବନା ଗୁଡିକୁ ଗାରେଇ ଦେଇଥିଲା ସେଗୁଡିକ ଉଭାନ ହେଇ ଯିବା ପୂର୍ବରୁ I ପଢି ବାକୁ ଲାଗିଲି ତାହାର ମନରେ ଉଠିଥିବା ଅବ୍ୟକ୍ତ ଜୁଆରଟିକୁ I 'କେଜାଣି କିଏ ପ୍ରେମକୁ ଦୁଇଟି ମଣିଷର ଦେହର ଆଉ ମନର ମିଳନର ପରିଭାଷା ଦେଇଥିଲା ! ନା ତୁମ ଦେହ ସହ ମୋର ଦେହ ମିଶିଛି ନା ମୋର ମନର ଭାବନା ମିଶିଛି ତୁମର ଚିନ୍ତନ ସହିତ I ତଥାପି ଏକ ଅନୁପାନ ଅନୁଭୂତି ମିଳେ ତୁମ କଥା ଭାବିଦେଲେ, ଯାହାକୁ ବର୍ଣ୍ଣନା କରିବାକୁ ହୁଏତ ମୋତେ ଗଢିବାକୁ ଏକ ନୂଆ ଶବ୍ଦକୋଷ ଆଉ ରଚିବାକୁ ହେବ ନୂଆ ବ୍ୟାକରଣ I ବୟସର କୁହୁକ ଢାଳି ଦେଉଛି ତୁମ ଦେହରେ ଅଭିନବ ଆକର୍ଷଣ ଆଉ ମନରେ ତୁମର ନୂତନ ଅଭିପ୍ରାୟ I ଶିଥିଳ ପଡ଼ିଲାଣି ସମ୍ପର୍କର ଡୋରି ମଧ୍ୟ କିଛି କିଛି, ତଥାପି ଆଜି ମଦ୍ୟ ତୁମର ସୌରଭରେ ସତେଜ ଫୁଲଟିଏ ହୋଇ ମହକି ଉଠେ ସ୍ମୃତି ମୋର I ଭାବିବାକୁ ଲାଗେ ଆଉ ଆଚମ୍ବିତ ହୁଏ ଗୋଟିଏ ରାତିର ମିଳନରେ କେମିତି ପରିପୁର୍ଣ୍ଣ ହୋଇପାରେ ଯୁଗ ଯୁଗର ମନୋକାମନା ! କିଛି ତ ଚାହିଁ ନଥିଲି ତୁମ ଠାରୁ ସେହି ଅଭୁଲା ରଜନୀରେ : ନା ତୁମର ମିଠା କଥା, ନା ତୁମର ମାଦକ ହସର ଜୁଆର I ଖୋଜି ନଥିଲି ମଧ୍ୟ ତୁମ ଦେହର ଯୌବନର ସୁଗନ୍ଧ, ନା ଇଚ୍ଛା ରହିଥିଲି ସ୍ୱାଦର ତୁମର ଓଠର I ଅତ୍ସଶ କରି ନଥିଲି ତୁମ ନିଦଭରା ଆଖିର ସ୍ବପ୍ନ କିଛି ନା ଅଭିପ୍ରାୟ ଥିଲା ମୋର ସ୍ପର୍ଶରେ ତୁମର ହୋଇଯିବାକୁ ବିଲୀନ ଭାବବିହ୍ୱଳ ହୋଇ କଳ୍ପନାରେ I ଦୂରତା ମଧ୍ୟରେ ସମୀପତା ଆଉ ସମୀପତା ମଧ୍ୟରେ ଦୂରତାରେ ଆନ୍ଦୋଳିତ ହେରିଥିବା ମନରେ କେବଳ ଥିଲା ଏକ ଅବର୍ଣ୍ଣନୀୟ ସନ୍ତୋଷ, ତୁମ ସହ କିଛି ଘଡି ଏକାନ୍ତରେ ବିତେଇବାର I କିଛି ନ କହି ନ ଶୁଣି ସବୁ କିଛି ଜାଣିବାର ଆଉ ଜଣେଇବାର I ହଁ ସେହି ରାତି ଉପଲବ୍ଧି କରିଥିଲି, ତୁମେ ମୋତେ ଗ୍ରହଣ କରିଛ ନିଜ ଜୀବନରେ, ଆମର ସମ୍ପର୍କର ପରିଭାଷା ଯାହା ହେଉ ନା କାହିଁକି, ଦୁନିଆଁର ଭାଷାରେ !'


ଥରେ କଥା କଥାରେ କହିଥିଲା ଦେବାଶିଷ କିଭଳି ଏକ ଷ୍ଟଡି ଟୁର ସମାୟାରେ ସେମାନେ କିଛି ଘଣ୍ଟା ସାଥିରେ ବିତେଇଥିଲେ, ଯେ ଯାଏଁ ସେମାଙ୍କୁ ଦୁଇଟି ଅଲଗା ରୁମ ମିଳି ନଥିଲା ହୋଟେଲରେ ରହିବା ଲାଗି I ଡ଼ାଇରୀଟିକୁ ପୁଣି ଥୋଇଦେଲି ବହି ଥାକରେ I ଶୁଖିଲା ଗୋଲାପଟି ବୁକମାର୍କ ହୋଇ ରହିଯାଇଥିଲା ଏକ ପୃଷ୍ଠାରେ ଯେଉଁଠାରୁ ଆଗକୁ ଆଉ କିଛି ଲେଖିବାକୁ ଦେବାଶିଷକୁ ସୁଯୋଗ ଦେଇନଥିଲା ଜୀବନ I ତୋଡ ସମୟରେ ଅକସ୍ମାତ ଦୁର୍ଘଟଣାରେ ପ୍ରାଣ ହରେଇ ଥିଲା ସିଏ I ବାହାରେ କିଆରୀ କିଆରୀ ଗୋଲାପରେ ଝଲସିବାକୁ ଲାଗିଥିଲା ଶିଶିର ସକାଳର କିରଣରେ I ତହିଁ ମଧ୍ୟରୁ ଗୋଲାପଟିଏ ସାଜିଥିଲା ସ୍ମୃତିଟିଏ ଦେବାଶିଷ ପାଇଁ, ଆଉ ମୋ ପାଇଁ ଦେଵାଶିଷର ସ୍ମୃତି ସବୁ ଦିନ ଲାଗି !



Rate this content
Log in

Similar oriya story from Romance