Ranjit Sahu

Drama Action Inspirational

4  

Ranjit Sahu

Drama Action Inspirational

ଏକାକୀ ଜୀବନେ

ଏକାକୀ ଜୀବନେ

4 mins
928


ଘରେ ପଶିବା ମାତ୍ରକେ ବୋଉ କହିଲା,"ଛୋଟ କାମଟିଏ ଅଛି, ଟିକେ ବାହାରକୁ ଯାଇକି ଆସିବୁ କି ?" ବିରକ୍ତ ହୋଇଗଲି ମୁଁ I "ତୁ ବୋଉ କିଛି ବୁଝୁ ନାହୁଁ ! ଏକରେ ଏତେ ଦୂର ଯାତ୍ରା ତାହା ପୁଣି ପୂଜା ଛୁଟି ଯୋଗୁଁ ଭିଡ଼ I ମୋତେ ଟିକିଏ ଆରମ୍ଭ କରିବାକୁ ନ ଦେଇ ଆରମ୍ଭ କରିଦେଲୁ ତୋର ସବୁ ପ୍ରକାରର ବରାଦ, ଅଭିଯୋଗ ଆଉ କନ୍ଦା କଟା !" ମୁଁ କହିଲି I 

"ମୁଁ କଣ କିଛି କହୁଛି କି? ଖାଇବା ହେଇ ସାରିଛି ଖାଇକି ତ ଶୋଇବୁ ! କାଲିଠୁ ତ ପୂଜା ଛୁଟି I ଯେତେ ଆରାମ କରିବୁ I ମୁଁ କଣ କହୁଥିଲି କି, ହରିଆ ଘରେ ଟିକେ ଖାଇବା ନେଇ ଦେଇ ଆସି ଥାଆନ୍ତୁ I ଗୋପୀ କଣ ଗୋଟାଏ କାମରେ ଲାଗିଛି, ଜମା ଶୁଣୁନି I ଆଜି ହଳଦୀପତ୍ର ଦେଇ ଏଣ୍ଡୁରି କରିଥିଲି, ହରିଆ ଭଲ ପାଏ ତେଣୁ ତାକୁ କିଛି ଦେବାକୁ ମନ ହେଲା," ବୋଉ କହିଲା I 

"ହୋଉ ଦେ, ଦେଇକି ଆସିବି," ମୁଁ କହିଲି I 

ବୋଉର ହରିଆ ମାନେ ମୋର ହରି ଭାଇ I ଦୂର ସମ୍ପର୍କୀୟ ଭାଇ ଜଣେ Iକିଛି ମାସ ତଳେ ଭାଉଜଙ୍କର ଅକାଳ ନିଧନରେ ଏକାକୀ ହୋଇ ଯାଇଛନ୍ତି I ଛୁଆ ପିଲା କେହି ନାହାନ୍ତି I ତାଙ୍କର ଅନ୍ୟ ଭାଇ ସବୁ ସହରରେ I ବୁଢା ବାପା ମାଆଙ୍କର ଆଉ ଘର ବାଡ଼ିର ଯତ୍ନ ନେଉଥିଲେ ହରି ଭାଇ ତେଣୁ ଗାଆଁରେ ହିଁ ରହିଗଲେ I ତାଙ୍କର ପିତା ମାତାଙ୍କ ସ୍ଵର୍ଗବାସ ପରେ ଘର ବାଡ଼ି ସବୁ ଭାଗ ବଣ୍ଟା ସରିଗଲା ଏବଂ ଭାଇ ମାନେ ତାଙ୍କର ଜମିବାଡ଼ି ସବୁ ବିକ୍ରି କରିଦେଲେ I ହରି ଭାଇ ନିଜର ଜମିରେ ଯାହା ଚାଷ କରି ଜୀବନ ଚଳାଉଥିଲେ Iକାହାର କେବେ କିଛି ଅନିଷ୍ଟ କରି ନାହାନ୍ତି ହରି ଭାଇ, ସବୁ ବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ଆଗଭର I ତେଣୁ ଗାଆଁରେ ତାଙ୍କର ମାନ ସମ୍ମାନ ବହୁତ I ମୋ ଠାରୁ ତିନି ଚାରି ବର୍ଷ ବଡ ହେବେ ହରି ଭାଇ I ମୋତେ ଭାରି ଭଲ ପାଆନ୍ତି ମଧ୍ୟ I ଭାଉଜଙ୍କ ପରଲୋକ ପରେ ଭାଇ ମାନେ ବହୁତ ଡାକିଲେ ସହରକୁ ଚାଲି ଯିବାକୁ କିନ୍ତୁ ହରି ଭାଇ ମନା କଲେ ଆଉ କହିଲେ, "ଯେତେ ଦିନ ଯାଏଁ କାମ କରି ପାରୁଛି, ଗାଁଆରେ ହିଁ ରହିବି, ତା ପରେ ଦେଖା ଯିବ I" 

ହରି ଭାଇ ବୋଧେ ଖାଇବାକୁ ବସି ସାରିଥିଲେ, କବାଟ ଖୋଲିବା ଟିକିଏ ଡେରି ହେବାରୁ ମୁଁ ଅନ୍ଦାଜ କଲି I 

ମୋତେ ଦେଖିକି କହିଲେ," କେତେବେଳ ଆସିଲୁ?"

"ଏଇନେ ଟିକେ ସମୟ ହେଲା I ବୋଉ ଏଣ୍ଡୁରି ପିଠା କରିଥିଲା , ତେଣୁ କିଛି ପଠେଇଛି," କହି ମୁଁ ଧରେଇଦେଲି ତାଙ୍କ ହାତରେ ବୋଉ ଦେଇଥିବା ପୁଟୁଳିଟିକୁ I 

"ଆସେ ସାଥି ହୋଇ ଖାଇବା I ମୁଁ ଆଜି ତୋର ପ୍ରିୟ ଘାଣ୍ଟ ତରକାରୀ କରିଥିଲି, ବାଡ଼ି ପରିବା ସବୁ I ଭିନ୍ନ ପ୍ରକାରର ଅଳ୍ପ ଅଳ୍ପ ହେଇଥିଲା I କଣ ରୋଷେଇ କରିବି ଭାବିକି ଘାଣ୍ଟଟେ କରିଦେଲି," ହରି ଭାଇ କହିଲେ I 

ହରି ଭାଇଙ୍କୁ ମନା କରିବାକୁ ଇଛା ହେଲାନି I ତାଙ୍କ ସହ ଯୋଗ ଦେଲି I 

କଥା କଥାରେ ପଚାରିଦେଲି ହରି ଭାଇଙ୍କୁ , " ତମକୁ ଏକୁଟିଆ ରହି ବୋର ଲାଗୁନି? ସେଦିନ ସମର କହୁଥିଲା ସିଏ ଡ଼ାକିଲାରୁ ତମେ କୁଆଡେ ମନା କରିଦେଲ ସହରକୁ ଯିବାକୁ I ସମର ବହୁତ ଦୁଃଖ ଅନୁଭବ କରୁଥିଲା I କହିଲା ଭାଇ ଏମିତି ଏକାକୀ ଜୀବନ ବଞ୍ଚୁଛି ମୋତେ କଣ ଭଲ ଲାଗିବ? ଏଠି ଆସିକି ରହୁନି? ମୁଁ କଣ ତାକୁ କିଛି ମାଗୁଛି କି? ମୋର ତ ସବୁ କିଛି ଅଛି I ଗାଆଁରେ ଯାହା ଅଛି ଯାହାକୁ ଇଛା ଦେଇ ଦେଉ ଆଉ ଆସିକି ରହୁ," ମୁଁ କହିଲି I 

"ହଁ ମୁଁ ଜାଣେ ସମର ମୋ ପାଇଁ ଭାରି ବ୍ୟସ୍ତ କିନ୍ତୁ ମୁଁ ଏଠାରେ ଖୁସିରେ ଅଛି I ସେମିତି କିଛି ବିଶେଷ ଆବଶ୍ୟକତା ନାହିଁ ମୋର I ଦିଓଳି ଦି ଗଣ୍ଡା ଖାଇ ଦେଇ କ୍ଷେତରେ କାମ କରିବା କଥା I ତୋ ଭାଉଜ ଆଉ ମୁଁ ଏହି ଘରେ ଏକାଠି ଏତେ ବର୍ଷ ରହିଥିଲୁ I ତାହାର ସ୍ମୃତି ଏହି ଘରର କୋଣ କୋଣରେ I ସିଏ ସିନା ମୋ ସାଥିରେ ନାହିଁ, କିନ୍ତୁ ମୋତେ ଲାଗେନି ସିଏ ଚାଲି ଯାଇଛି," ହରି ଭାଇ କହିଲେ I 

ମନେ ପଡିଗଲା ବୋଉ ଗତଥର କହୁଥିଲା, ଗାଆଁରେ ସମସ୍ତେ ଟୁପୁର ଟାପୁରୁ ହେଉଥିଲେ, "ହରିଆ ତା ସ୍ତ୍ରୀକୁ ଏଯାଏଁ ଭୁଲିନି, ଘରକୁ ଫେରିଲେ ଦୁଆରରେ ଠିଆ ହୋଇ ଆଗ ଭଳି ଡାକ ପକାଏ ଆଉ ସ୍ତ୍ରୀ କୁ ଡାକେ I ଗଭୀର ମାନସିକ ଆଘାତ ପାଇଛି ନିଶ୍ଚୟ !"

"ହଁ ତୁମକୁ ନିଶ୍ଚୟ ଭାଉଜଙ୍କ ଅନୁପସ୍ଥିତି ବହୁତ ଆଘାତ କରୁଛି, ସେଥି ପାଇଁ ତ ସମର ପାଖ କୁ ଗଲେ ଭଲ ହେବ, ଚାରି ଲୋକଙ୍କ ଗହଣରେ ତୁମର ଏକାକୀପଣ କମିଯିବ," ମୁଁ କହିଲି I 

ହସିଲେ ହରି ଭାଇ, "ତୁ ମଧ୍ୟ ବୁଝି ପାରିଲୁନି ମୋତେ ଆଜି ଯାଏଁ !"

"ମାନେ କଣ?" ମୁଁ ପଚାରିଲି I 

"ମୁଁ ଜାଣେ ସୁମତି ଆଉ ଏହି ଦୁନିୟାରେ ନାହିଁ ଆଉ କେବେ ଫେରିବ ନାହିଁ I କିନ୍ତୁ ମୁଁ କେବଳ ଅଭିନୟ କରେ ତାହାର ଉପସ୍ଥିତିର I ଭାବି ଦେଖଃଲୁ ଆମେ କଣ ସମ୍ପର୍କ ନାମରେ ନିଜକୁ ନିଜେ ଠକୁ ନାହୁଁ ? ଜୀବନ୍ତ ସମ୍ପର୍କ ଗୁଡିକ ମଧ୍ୟ ତ ଏକ ପ୍ରକାରର ଅଭିନୟ ! ଆଜି କାଲି ସମୟ ପାଇଲେ ବସିକି ଭାବେ ମୋର ନିଜ ବିଷୟରେ, ଆଉ ଏକ ପ୍ରକାର ଆତ୍ମନିରୀକ୍ଷଣ କରେ I ନିଜକୁ ଚିହ୍ନିବାକୁ ଚେଷ୍ଠା କରେ I ଏହି ଏକାକୀ ଜୀବନେ ନିଜର ପରିଚୟ ଖୋଜେ ନିଜ ଆଖିରେ I ଏକାନ୍ତରେ ହିଁ ମଣିଷ ନିଜର ପରିଚୟ ପାଇ ପାରେ," ହରି ଭାଇ କହିଲେ I 

ଏତିକି ବେଳେ ତାଙ୍କ ପୋଷା କୁକୁର ଟିଟୁ ଆସି ମୋ ଦେହରେ ଆଉଁସି ହେଲା I 

"ମୁଁ ଏକାକୀ ହୁଏନି କେବେ, ଟିଟୁ ଅଛି ପରା," ଭାଇ କହିଲେ I 

"କିନ୍ତୁ ଟିଟୁ କଣ ସବୁ ଦିନ ଥିବ କି? ନ ତୁମର ଦେହ ପା ଖରାପ ହେଲେ ସିଏ କିଛି କରି ପାରିବ?" ମୁଁ ପଚାରିଲି I 

ହରି ଭାଇ କିଛି ସମୟ ନୀରବ ରହିଲେ ଆଉ କହିଲେ, " ତୁ ମୋର ଚିନ୍ତା କରେନା I ଯେ ଯାଏଁ ହାତ ଗୋଡ ଚାଲୁଛି, ସେ ଯାଏଁ ମୋର କିଛି ଅସୁବିଧା ନାହିଁ I ଯଦି କିଛି ସେମିତି ହୁଏ ତାହା ହେଲେ ନିଜର ସଞ୍ଚୟ ଭରସା ହେବ I ଟିଟୁ ତ ବୁଢା ହେଇଗଲାଣି ଆଉ ବେଶୀ ଦିନ ବଞ୍ଚିବ ନାହିଁ I ସେତେ ଦିନ ଯାଏଁ ଯଦି ମୋର କିଛି ନ ହୁଏ ତାହା ହେଲେ ଭଲ କଥା I ତାହା ପରେ ହୁଏତ କୌଣସି ଆଶ୍ରମରେ ଯାଇ ଶେଷ ସମୟ କାଟିବି ବୋଲି ଭାବୁଛି I 

ମୁଁ ନିରବ ରହିଗଲି I ଶାସ୍ତ୍ରରେ ନିପୁଣ ପଣ୍ଡିତ ମାନେ ମଧ୍ୟ ହରି ଭାଇଙ୍କର ସେହି ଜୀବନ ଦର୍ଶନ ହୁଏତ ପାଇ ପାରିବେନି ଯାହା ହରି ଭାଇ ଏକାକୀ ଜୀବନେ ପାଇଛନ୍ତି I ସତରେ ନିଜକୁ ଚିହ୍ନି ପାରିବା ମଣିଷଟିଏ ସବୁ ବେଳେ ସୁଖୀ ହୋଇ ଥାଏ, ଶାନ୍ତିରେ ଥାଏ, ଧନ ଥାଉ କି ନ ଥାଉ !

"ଭାଇ ପୁଣି କେତେବେଳ ଆସିବି," କହିକି ମୁଁ ହାତ ଧୋଇ ବାହାରିଗଲି ଘରକୁ I ରାସ୍ତା ସାର ଭାବୁଥିଲି, ଏକାକୀ ଜୀବନେ ମଧ୍ୟ ହରି ଭାଇ କେତେ ସୁଖୀ ଥିଲା ଆଉ ମୁଁ ମୋର ସମ୍ପୂର୍ଣ୍ଣ ପରିବାର ସାଥିରେ, ବାପା ମାଆ, ଭାଇ ଭଉଣୀ. ସ୍ତ୍ରୀ ଛୁଆ, ବନ୍ଧୁ , ବାନ୍ଧବ ସମସ୍ତଙ୍କର ସହ ମଧ୍ୟ କେତେ ଅସନ୍ତୁଷ୍ଟ ଥିଲି ! ସଦା ବେଳେ ସମସ୍ତଙ୍କର ଦୃଷ୍ଟିର ପାତ୍ର ହୋଇ, ସବୁ ପ୍ରକାର ସୁବିଧା ପାଇ ମଧ୍ୟ କେମିତି ସଦା ବେଳେ ଅଶାନ୍ତ ଥିଲି ! ହୁଏତ ନିଜକୁ ଚିହ୍ନିବାକୁ କେବେ ଚେଷ୍ଠା କରିନାହିଁ? ନଚେତ ଏକାକୀ ଜୀବନର ଅନୁଭବ ମୋର ନାହିଁ ।



Rate this content
Log in

Similar oriya story from Drama