Ranjit Sahu

Romance Tragedy Inspirational

4  

Ranjit Sahu

Romance Tragedy Inspirational

ବିଚ୍ଛେଦ

ବିଚ୍ଛେଦ

5 mins
349


"କଣ ବାକ୍ୟଟିଏ ସରିବା ପୂର୍ବରୁ ଅଳ୍ପ ବିରାମ ନ ଲାଗି ପୁର୍ଣ୍ଣ ବିରାମଟିଏ ଲାଗି ପାରେ ? ଫୁଲଟିଏ ଫୁଟିବା ପୂର୍ବରୁ ମଉଳିଯାଇ ପାରେ ?"ମୋତେ ପ୍ରଶ୍ନ କଲା ଦେବାଶିଷ I ସବୁ ବେଳେ ହସ ହସ ମୁଁହରେ ଥିବା ଦେବାଶିଷ ମୁଁହରେ ଚିନ୍ତା ଏବଂ ବ୍ୟଥାର ରେଖା ଗୁଡିକ ସ୍ପଷ୍ଟ ବାରି ପାରୁଥିଲି ମୁଁ I ସନ୍ଧ୍ୟା ସମୟରେ ଫଗୁଣ ମଳୟର ଆନନ୍ଦ ନେବା ସହିତ ବଗିଚାରେ ପାଣି ଦେବାରେ ବ୍ୟସ୍ତ ଥିଲି ମୁଁ I ବସନ୍ତର ସୁରଭିତ ସନ୍ଧ୍ୟାରେ କିନ୍ତୁ ଦେବାଶିଷର ଆଗମନ ଭରି ଦେଇଥିଲା ଏକ ଗମ୍ଭୀରତା I ଦେବାଶିଷ ପୁଣି ଆସିଥିଲା ମୋ ସହ ବାର୍ତ୍ତାଳାପ କରିବାକୁ, କହିବାକୁ ତାହାର ପ୍ରେମର ଅଭିଜ୍ଞତା ଆଉ ବଖାଣିବାକୁ ତାହାର ହୃଦୟରେ ବହୁଥିବା ତୋଫାନ ବିଷୟରେ I ଏକ ଅଲଗା ପ୍ରକାରର ଅନ୍ତରଙ୍ଗ ହୋଇ ଯାଇଥିଲା ମୋ ସହିତ ଅଳ୍ପ କିଛି ଦିନ ମଧ୍ୟରେ I ବୟସର ପାର୍ଥକ୍ୟକୁ ନଜର ଅନ୍ଦାଜ କରି ଦେବାଶିଷ ଖୋଲି ଚାଲିଥିଲା ତାହାର ମନର ବହିକୁ ମୋ ଆଗରେ: ପୃଷ୍ଠା ପରେ ପୃଷ୍ଠା ଓଲଟେଇ କହି ଚାଲିଥିଲା ତାହାର ପ୍ରଥମ ପ୍ରେମର ଅଭିଜ୍ଞତା I ସତରେ ବୟସ ବୋଳି ଚାଲିଥିଲା ତାହାର ଦେହରେ ଆଉ ମନରେ ଏକ କୁହୁକ ଯାହାକୁ ଚାହିଁ ମଧ୍ୟ ସିଏ ଏଡେଇ ପାରୁନଥିଲା I ସେହି ପ୍ରଭାବରେ ପାଠ୍ୟକ୍ରମର ପ୍ରତିଦ୍ଵନ୍ଦିତା ରୂପାନ୍ତରିତ ହୋଇଥିଲା ପ୍ରେମର ମୁକାବିଲାରେ ! ତାହାର ବାର୍ତ୍ତାଳାପର ସାରାଂଶ ଥିଲା ସହପାଠୀଙ୍କ ମଧ୍ୟରେ ଯେମିତି ଏକ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିଲା : କିଏ ନିଜକୁ କେତେ ବଡ ପ୍ରେମିକ ଭାବରେ ପରିଚିତ କରେଇ ପାରିବ ସାଙ୍ଗ ମେଳି ଭିତରେ ଆଉ ବାହା ବାହା ନେଇ ପାରିବ ! ଅନେକ ସମୟ ପର୍ଯ୍ୟନ୍ତ ତାହାର କାହାଣୀ ସବୁ ଶୁଣିଲା ପରେ ନିଜର ମନର ଭାବନାକୁ ପରିପ୍ରକାଶ କରି କହିଲି, " ଏ ବୟସରେ ସମସ୍ତ ନିଜକୁ ଚଳଚ୍ଚିତ୍ର ତାରକା ଭାବନ୍ତି ଆଉ ନିଜକୁ ବଡ ପ୍ରେମିକ ଭାବନ୍ତି I ତୁମ ସହ ହୋଇଥିବା ଘଟଣାଟି କିଛି ନୂଆ ନାହିଁ; ତୁମ ପୂର୍ବରୁ ଅନେକ ଯୁବକଙ୍କ ସହ ଘଟିଥିଲା ଏବଂ ଭବିଷ୍ୟତରେ ମଧ୍ୟ ଘଟିବ I ତେଣୁ ଏହି ଛୋଟ କଥାଟିକୁ ଦେହକୁ ନିଅ ନାହିଁ, ଜୀବନରେ ବହୁତ କିଛି କରିବାକୁ ଅଛି ତୁମକୁ I" 


"ନା ନା ମୁଁ କାହା, ସହ ପ୍ରତିଦ୍ଵନ୍ଦିତା କରୁ ନାହିଁ, ମୁଁ ପ୍ରକୃତରେ ଭଲ ପାଏ ଶିଖାକୁ, ତମେ ବୁଝୁ ନାହଁ I ବୟସର ଦୋଷ କେମିତି ହେଲା? ମୁଁ କଣ ଆଉ ପନ୍ଦର କି ସତର ବର୍ଷର ହୋଇଛି କି? ବାଇଶି ପାର ହେବାକୁ ଆସିଲାଣି ," ଦେବାଶିଷ କହିଲା I "ସେଥି ପାଇଁ କଣ ଆଉ ତୁମର ପସନ୍ଦର ପରଫ୍ୟୁମ ଲଗେଇନାହଁ କି ଆଜି?" ମୁଁ ପଚାରିଲି ତାକୁ ଟିକିଏ ଚିଡ଼େଇବା ଲାଗି I "କିଛି ଆଉ ଭଲ ଲାଗୁନାହିଁ, ଘରେ ମଧ୍ୟ ବହୁତ ଥର ଆକଟ କଲେଣି, ମୋର ବଢୁଥିବା ଦାଢ଼ି ଦେଖିକି," ଦେବାଶିଷ କହିଲା I "ମୁଁ ଆଉ ମଧ୍ୟ ଶୁଣିଲି ତୁମେ ଆଜି କାଲି ଚକୋଲେଟ ଖାଇବାକୁ ଭଲ ପାଉ ନାହଁ ! ଯେଉଁ ଚକୋଲେଟ ତୁମର ପିଲାଦିନରୁ ବହୁତ ପସନ୍ଦ ଥିଲା, ତାହାକୁ ଆଉ ଆଜି କାଲି ଦେଖିବାକୁ ମଧ୍ୟ ଚାହୁଁନ, ଖାଇବା କି ଚାଖିବା ଦୂରର କଥା," ମୁଁ କହିଲି I "ଚକୋଲେଟ ମଧ୍ୟ ଆଉ ଭଲ ଲାଗୁ ନାହିଁ କାହିଁକି କେଜାଣି I ଏଥର ଶିଖା ଦେଇଥିବା ଚକୋଲେଟଟି ମଧ୍ୟ ଏକ ପ୍ରକାର ପିତା ଲାଗିଲା ଖାଇଲା ପରେ I ଯଦିଓ ମୁଁ ଡାର୍କ ଚକୋଲେଟ ବହୁତ ପସନ୍ଦ ଆଉ ବହୁତ ଖାଇଛି I ସାଧାରଣତଃ ମୋତେ ସେଥିରେ ଥିବା କଟୁତା କେବେ ଆଭାସ ହୁଏ ନାହିଁ, ଏବେ କାହିଁକି କେଜାଣି ଅଭୁତ ଅରୁଚିକର ଲାଗୁଛି," ଦେବାଶିଷ ଉତ୍ତର ଦେଲା I "କିଛି ଘଟିଛି କି ଏହା ଭିତରେ?" ମୁଁ ପଚାରିଲି I "ଏଥର ଶିଖା ଚକୋଲେଟ ଦେଲା ବେଳେ କାହିଁକି କେଜାଣି ଲାଗିଲାନି ମୋତେ ତାହାର ଆତ୍ମିୟତା ଯୋଗୁଁ ଦେଉଛି I ଖାଲି ଚକୋଲେଟ ଦିଏ ବୋଲି ଆଉ ଗତ ଦୁଇ ବର୍ଷ ହେଲା ଦେଉଥିଲା ବୋଲି ଦେଲା ଭଳି ଲାଗିଲା," ଦେବାଶିଷ ଉତ୍ତର ଦେଲା I ତାହାର କଣ୍ଠର ଭାରୀପଣକୁ ମୁଁ ଶୁଣି ପାରୁଥିଲି I "କିନ୍ତୁ ତୁମକୁ କାହିଁକି ସେମିତି ଲାଗିଲା? କିଛି ହେଇଥିଲା କି ଏହା ଭିତରେ," ମୁଁ ପଚାରିଲି I "କିଛି ନାହିଁ , କିନ୍ତୁ ମୁଁ ଦେଖିଲି କ୍ଳାସ ପରେ ସିଏ ସୁବ୍ରତକୁ ମଧ୍ୟ ଚକୋଲେଟ ଦେଲା ! ପରେ ଜାଣିଲି ସିଏ ଦୁଇ ବର୍ଷ ହେଲା ସୁବ୍ରତକୁ ମଧ୍ୟ ଚକୋଲେଟ ଦେଉଛି," ଦେବାଶିଷ କହିଲା I "ତାହା ହେଲେ ଏଥିରେ ଏତେ ଭାବିବାର କଣ ଅଛି?" ମୁଁ ପଚାରିଲି I "କାହିଁକି କେଜାଣି ମୋର ମନ କହୁଛି ସିଏ ବୋଧେ ସୁବ୍ରତ ସହ ଅଧିକ ଘନିଷ୍ଠ !" ଦେବାଶିଷ ଭାରି ସ୍ଵରରେ କହିଲା I "ତୁମେ ହୁଏତ ଅଧିକ ନିରାଶ ହେଇ ଯାଇଛ, ସନ୍ଦେହର ଘେରରେ ରହି ଯାଇଛ, ଅଥବା ଇର୍ଷ୍ୟାରେ ପ୍ରଭାବିତ ହୋଇଛ ," ମୁଁ କହିଲି I "ସେ ସବୁ ଠାରୁ ଅଧିକ ସାଙ୍ଘାତିକ ଜିନିଷଟିଏ ହେଇଛି," ଦେବାଶିଷ କହିଲା," ମୁଁ ଦୁହିଁଙ୍କୁ ଆଲିଙ୍ଗନ କରି କିସ୍ସ ଡେ ଦିନ କିସ୍ସ କରିବାର ଦେଖିଛି I ମୁଁ ଜାଣି ସାରିଲିଣି, ସିଏ ମୋତେ ପର କରି ସାରିଲାଣି," ଦେବାଶିଷ କହିଲା I "କିନ୍ତୁ ତୁମେ ଯଦି ତାକୁ ଭଲ ପାଅ ତାହା ହେଲେ ତାତାହାର ଖୁସିରେ ତୁମେ ଖୁସି ହେବା କଥା," ମୁଁ କହିଲି," ଜୀବନର ଲମ୍ବା ଯାତ୍ରାରେ କିଏ କେତେ ଦିନ କାହା ସହିତ ରହିବ କିଏ ଜାଣେ? ତାହା ବ୍ୟତୀତ ତୁମକୁ ତ ସିଏ ବନ୍ଧୁ ରୂପରେ ପ୍ରତ୍ୟାଖାନ କରି ନାହିଁ !" "ସେହି କଥା ତ ଅଧିକ ବାଧିଲା I ମୋତେ କେବେ ହଁ ମଧ୍ୟ କହିଲାନି କି ମନା ମଧ୍ୟ କଲାନି ସିଧା ସଳଖ ! ମୁଁ ତ କହି ପାରିବିନି ମୋତେ ଧୋକା ଦେଇଛି ବୋଲି, ପ୍ରତିଶ୍ରୁତି ଦେଇକି," ଦେବାଶିଷ କହିଲା I "ମୁଁ ବୁଝି ପାରୁଛି, ଭାବି ନିଅ ଏଇଟା ଗୋଟିଏ ତରଫା ପ୍ରେମ ଥିଲା," ମୁଁ କହିଲି ସାନ୍ତ୍ଵନା ଦେବା ଲାଗି I କଲେଜ ଜୀବନରେ ସହ ପାଠୀ ଏବଂ ସହ ପାଠିନୀଙ୍କର ପ୍ରେମ ଆଉ ବିଚ୍ଛେଦ କିଛି ନୂଆ ଘଟଣା ନଥିଲା ମୋ ଲାଗି I ଅନେକ ସାଙ୍ଗ ସାଥୀଙ୍କୁ ଦେଖିଛି ବୟସର ଉନ୍ମାଦରେ ମାତି, ପ୍ରେମର ବେଳା ଭୁଇଁରେ ବାଲିଘର ଗଢିବାର ଆଉ ସମୟର ଢେଉରେ ଭଙ୍ଗା ବାଲିଘରକୁ ଦେଖି ଲୁହ ଝରେଇବାର I କାଳ କ୍ରମେ ସମସ୍ତେ ବ୍ୟସ୍ତ ହୋଇ ଯାଇଥିଲେ ନିଜର ପାରିବାରିକ ଜଞ୍ଜାଳରେ ଏବଂ ଅତୀତରେ ହଜି ଯାଇଥିଲା ସେମାନଙ୍କ ଜୀବନ ବହିର କିଛି ପୃଷ୍ଠା I କିନ୍ତୁ ଦେବାଶିଷର କଥାରେ ଥିଲା ଏକ ସଚ୍ଚୋଟପଣ ଯାହାକୁ ମୁଁ ଅନୁଭବ କରି ପାରୁଥିଲି ଏବଂ ସହଜରେ ଏଡେଇ ଦେଇ ପାରିଲି ନାହିଁ I ମୁଁ ଚାହିଁ ଥାଏ ଦେବାଶିଷ ମୁଁହକୁ I ହସକୁରା ଟୋକାଟା ମଳିନ ପଡି ଯାଇଛି ଦୁଇଟି ଦିନରେ ! ଫଗୁଣର ସୌରଭ ନିଷ୍ପ୍ରଭ ହୋଇ ଯାଇଛି ତାହାର ଲାଗି I ମୁଁହରେ ବଢିଥିବା ଦାଢୀଟି ଯେମିତି ତାହାର ଦୁଃଖ ନିଵାରଣର ଏକ ମାତ୍ର ସାଧନ I ମନେ ପଡିଗଲା ମୋର ଯୁବ ବୟସର କଥା I ଅନେକ ସହପାଠୀ ପ୍ରେମରେ ନିରାଶ ହୋଇ କିମ୍ବା ବିଚ୍ଛେଦରେ ଆହତ ହୋଇ ଏମିତି ରୂପ ସବୁ ଧରିଥିଲେ I "ଯଦି ଚାହୁଁଚ ଚାହା କପଟିଏ ପିଇକି ଯାଅ I ମନ ଫୁର୍ତ୍ତି ଲାଗିବ I ମୋର କାମ ସରିଲା, " ମୁଁ ନିମନ୍ତ୍ରଣ ଦେଲି ଦେବାଶିଷକୁ I ମୋ ସହ ବସିକି ଚାହା ପିଉ ପିଉ ଦେବାଶିଷ କହିଲା, " ପ୍ରତାରଣା ପାଇଲେ ବିଚ୍ଛେଦର ଦୁଃଖ ସହଜ ଲାଗେ ଆଉ ପ୍ରତାରଣା ନ ପାଇଥିଲେ ବିଚ୍ଛେଦ ଅସହ୍ୟ ହୋଇ ଯାଏ, କେମିତି ବୁଝେଇବି ତୁମକୁ?" ଆଖିରେ ତାହାର ଲୁହ ଜକେଇ ଆସିଥିଲା I "ଆଶା କରୁଛି ତୁମେ ଅଧିକ ଦିନ ଏମିତି ମର୍ମାହତ ହୋଇ ରହିବନି," ମୁଁ କହିଲି, କିଛିଟା ଆଶ୍ବସ୍ତି ଦେବା ପ୍ରୟାସରେ I "ମୁଁ ଆସୁଛି, ଚାହା ଭଲ ଲାଗିଲା," କହି ଉଠିଗଲା ଦେବାଶିଷ I ପ୍ରେମର ଯେଉଁ ଦୁନିଆଁରେ ସିଏ ପାଦ ରଖି ସାରିଛି, ମୋର ସେ ଦୁନିଆଁକୁ ଯିବାର ସମ୍ଭାବନା କମ I କିନ୍ତୁ ତାହାର ଭାବ ଭଙ୍ଗୀରେ ଅନୁଭଵ କରିବାକୁ ଲାଗିଥିଲି ଏକ ମାର୍ମିକ ଯନ୍ତ୍ରଣା I ଯନ୍ତ୍ରଣା ପ୍ରତାରଣାର ନ ଥାଇ ହଁ ହୋଇଥିବା ବିଚ୍ଛେଦର I ଶୁଣି ପାରିଥିଲି ପ୍ରେମର ଅସଫଳତା ର ପ୍ରତିଧ୍ଵନି ତାହାର ପ୍ରତିଟି ଉବାଚରେ I ଦାମିକା ପରଫ୍ୟୁମ ବଦଳରେ ତାହାର ଦେହରୁ ନିର୍ଗତ ହେବାକୁ ଲାଗିଥିଲା ନିରାଶାର ବାସ୍ନା I ବିଚ୍ଛେଦର ଆଘାତରେ ନିଜର ରୂପ ରଙ୍ଗ ହରେଇ ବସିଥିଲା ଯୌବନର ଚରମ ସୀମାରେ ଥିବା ଯୁବକ ଜଣେ !ଯାହା ହେଲେ ମଧ୍ୟ ମୋ ଉପରେ ଆସ୍ଥା ରଖି ମୋ ଠାରୁ କିଛି ଆଶ୍ଵସନା ପାଇବା ଲାଗି ଆସିଛି ସିଏ I ତାହାର କାନ୍ଧକୁ ଥାପୁଡ଼େଇ କହିଲି, "ବୋଉଙ୍କ ସକାଳ ପୂଜା ପାଇଁ କିଛି ଫୁଲ ନେଇଯାଅ I ସମୟ ସବୁ କିଛି ବଦଳାଇଦିଏ, ପ୍ରେମ ଆଉ ବିଛେଦରେ ମଧ୍ୟ," କହିକି ମୁଁ ଧରେଇଦେଲି, ପୂଜା ପାଇଁ ତୋଳିଥିବା ଫୁଲରୁ ଥୋଡଏ I ଦେବାଶିଷ ଚାଲିଗଲା ତାହାର ଘରକୁ ଆଉ ମୁଁ ଭାବିବାକୁ ଲାଗିଲି 'ପ୍ରେମର ପ୍ରକୃତ ଅଭିଜ୍ଞତା ହୁଏତ ବିଚ୍ଛେଦରେ ହିଁ ଲୁଚି ଥାଏ ?'


Rate this content
Log in

Similar oriya story from Romance