ଛଳନା
ଛଳନା
"ସୁନ୍ଦର ହୋଇଛି ଗୋଲାପଟି ! ତୁମେ କେଉଁଠାରୁ ପାଇଲ ଏତେ ସତେଜ ଗୋଲାପଟିଏ?" ଶିଖା ପଚରିଲା ଧନ୍ୟବାଦ ଜଣେଇ ଦେବାଶିଷ ଠାରୁ ଗୋଲାପଟି ଗ୍ରହଣ କରୁ କରୁ I
"ତୁମକୁ ପସନ୍ଦ ହେଲା, ଏହାହିଁ ଯଥେଷ୍ଠ I ଏତିକି କହିବି,କେଉଁଠାରୁ ଚୋରି କରିକି ଆଣିନି," କହି ମୁରୁକି ହସିଦେଲା ଦେବାଶିଷ I ଶିଖାକୁ ପସନ୍ଦ ହୋଇଗଲା ଗୋଲାପଟି ! କେତେ ଖୁସିର କଥା I ତାହାର ସବୁ ଶ୍ରମ ସାର୍ଥକ ହୋଇଗଲା !
ପ୍ରେମର ସୁଅରେ ଭାସୁଥିବା ମଣିଷଟିଏ କଣ ଆଉ ଅବା ଖୋଜିବ? ଜଣେ ମନ ବୁଝୁଥିବା ବ୍ୟକ୍ତି ବ୍ୟତୀତ? କେତେ ମାସ ହେଲାଣି ଅପେକ୍ଷା କରଥିଲା ଏହି ଦିନକୁ, ଯେବେ ସିଏ ଶିଖାକୁ ତାହାର ମନ କଥା କହିବ: ଗୋଲାପଟିଏ ଦେବା ସହିତ !
ଶିଖା ଯାହାର ଗୋଲାପୀ ଓଠର ହସ ନିଆଁ ଲଗେଇଦିଏ କଲେଜର ସବୁ ଟୋକାଙ୍କ ହୃଦୟରେ ଆଉ ଯାହାର ଆଖିରେ ସମସ୍ତଙ୍କୁ ଦିଶିଯାଏ ସେମାନଙ୍କର ଭବିଷ୍ୟତର ସଂସାର I ସାଉଁଳିଆ ରଙ୍ଗର ସାଦା ସିଧା ରୂପ ନକ୍ସା ଥିବା ଝିଅଟିରେ କେଜାଣି କେଉଁ ମାୟା ଭରି ରହିଥାଏ, ସମସ୍ତେ ତାହା ସହ ଘଡ଼ିଏ ନ ହେଲେ ବି କମ ସେ କମ ପଦଟିଏ କଥା ହେବାକୁ ଆଗଭର I ଶିଖାକୁ ସିଏ ଡାକିଥିଲା କଫି ଆଉ ସ୍ନାକ୍ସ ପାଇଁ I ଶିଖାର ଆମନ୍ତ୍ରଣର ସ୍ବୀକୃତିରେ ଆଶ୍ଚର୍ଯ୍ୟ ହେଇଥିଲା ଯେତିକି ଖୁସି ହେଇଥିଲା ସେତିକି I ତାହା ସହ କେମିତି ରାଜି ହେଇଗଲା ? କେତେ ଜଣ ତ ଡ଼ାକିଥିବେ? ଅନେକ ପ୍ରଶ୍ନ ତାହାର ମନରେ ଭରିବାକୁ ଲାଗିଥିଲା କିନ୍ତୁ ସବୁକୁ ଏଡେଇ ଦେଇଥିଲା ସିଏ ଆଉ ପ୍ରସ୍ତୁତ ହୋଇ ଯାଇଥିଲା ତାହାର ସାକ୍ଷାତକାରକୁ କେଫେରେ I
ସାଧାରଣ ପୋଷାକରେ ଆସିଥିଲା ଶିଖା, ଯେମିତି ନିତିଦିନିଆ ଭେଟଘାଟ କରିବା ସମୟରେ ଆସେ I ଟିକିଏ ନିରାଶ ହୋଇଥିଲେ ମଧ୍ୟ ଦେବାଶିଷ କିଛି କହିଲାନି I ଶିଖା ଆସିଛି ତାହାହିଁ ବହୁତ ବଡ କଥା !
"କଣ ପସନ୍ଦ କର ତୁମେ? ସ୍ନାକ୍ସ ଆଉ କଫିରେ?" ଔପଚାରିକତାରେ ପଚାରିଲା ଦେବାଶିଷ I
"କାପୁଚିନୋ ଆଉ କୁକିସ,"ଶିଖା କହିଲା ଚେୟାରଟିଏ ତାହା ଆଡକୁ ଟାଣି ନେଉ ନେଉ I
"ହଉ, ଅର୍ଡର କରିଦେଉଛି I ଏଇଟା ତୁମ ପାଇଁ ଆଣିଥିଲି," କହିକି ଗୋଲାପଟିକୁ ତାହା ଆଡକୁ ବଢ଼େଇଦେଲା ଦେବାଶିଷ I
ସୁନ୍ଦର ହୋଇଛି କହିକି ଗୋଲାପଟିକୁ ଚୁମ୍ବନଟିଏ ଦେଇ ଟେବୁଲ ଉପରେ ଥୋଇ ଦେଲା ଶିଖା I ଦେବାଶିଷ ମନରେ ଅନେକ ଆଶା ଆଉ ସ୍ଵପ୍ନ ବସା ବାନ୍ଧିବାକୁ ଲାଗିଲେ I ଫୁଲଟିକୁ ଗ୍ରହଣ କରିନେଲେ ବହୁତ ଖୁସି ହୋଇ ଥାନ୍ତା ଦେବାଶିଷ କିନ୍ତୁ ଶିଖା ତ ତାହା ଠାରୁ ଢ଼େର ଅଧିକ କିଛି କରିଦେଲା ! ତାହା ଆଡକୁ ମୁରୁକି ଚାହିଁଲା ଦେବାଶିଷ ଆଉ କହିଲା, "ଆଜି ବହୁତ ଖୁସି ଲାଗିଲା ତୁମେ ଆସିଲ I "
"ହଁ, ମୁଁ କାହାକୁ ପ୍ରାୟ ମନା କରେନି ଯଦି ସମୟ ଥାଏ, ଆଉ ଏତେ ସୁଆଦିଆ କଫିକୁ କେବେ ମଧ୍ୟ ନୁହେଁ," ଶିଖା କହିଲା I
ତାହାର କଥା ଯେପରି ମହୁରେ ଭରିଥିଲା ଆଉ ଆତ୍ମା ବିଭୋର କରୁଥିବା ଝଙ୍କାରଟିଏ ଭରି ଦେଲା ଦେବାଶିଷ ମନରେ I ଶିଖା ପାଖରେ ଥିବା ଗୋଲାପର ମହକ ଯେମିତି ଆସି ତାହାକୁ ରୋମାଂଚିତ କରିବାକୁ ଲାଗିଥିଲା I ଶିଖାର ମୁଁହରେ ତାକୁ ଦିଶିବାକୁ ଲାଗିଥିଲା ଏକ ଲାଳିମା I ଲାଗୁଥିଲା ଯେପରି ଶିଖା ଗୋଲାପଟିକୁ ସ୍ପର୍ଶ କରିନି, ତାକୁ ହିଁ ସ୍ପର୍ଶ କରିଛି !
କିନ୍ତୁ ମନର ଭାବବିହ୍ଵଳତାକୁ ଦବେଇ ବାର୍ତ୍ତାଳାପ ଆଗେଇବାକୁ ଦେବାଶିଷ ପଚାରିଦେଲା "ତୁମକୁ ଆଜି କେହି ଡାକି ନାହାନ୍ତି କି?"
"ଡ଼ିନର ଅଛି ସୁବ୍ରତ ସହ, ସିଏ ଡାକିଛି, ତେଣୁ ଆଉ କିଛି ପ୍ରୋଗ୍ରାମ ରଖିନି ଆଜି I ତୁମ ସହ କଫି ଆଉ ତାହା ସହ ଡିନର I ସୁବ୍ରତ ବହୁତ ଥର କହି ସାରିଲାଣି ତାହା ସହ ଡିନର କରିବାକୁ , ମୋର ମନା କରିବାକୁ ଇଛା ହେଉ ନାହିଁ କି ଟାଳିବାକୁ ଆଉ ଇଚ୍ଛା ହେଉ ନାହିଁ I ସ୍ପଷ୍ଟବାଦୀ ମଣିଷଟିଏ ସୁବ୍ରତ I ତେଣୁ ତାକୁ କିଛି ଗୋଟାଏ ବାହାନା କରି ଏଡେଇ ବାକୁ ମଧ୍ୟ ଭଲ ଲାଗୁନି, " ଶିଖା ଉତ୍ତର ଦେଲା I ସୁବ୍ରତ ବିଷୟରେ ଗପିବାକୁ ଲାଗିଲା ଶିଖା I
ଚମକି ପଡିଲା ଦେବାଶିଷ I ତାହା ମନରେ କାହିଁକି ଆସି ନଥିଲା ଏହି ବିଚାର ! ନିଜର ମୁଁହରେ ଉଠୁଥିବା ଭାବକୁ କୌଣସି ମତେ କାବୁ କରିକି କହିଲା,"ଭଲ କଥା କିନ୍ତୁ ଏଠି ଆଉ ଯାହା ଖାଇବା ପିଇବାକୁ ଇଛା ହେଉଛି କହି ଦେବI"
"ମୋର ଏତିକି ବହୁତ, ଆଉ ଧନ୍ୟବାଦ ମୋତେ ଡାକି ଥିବାରୁ I ମୋର ଜଣେ ନିହାତି ଅନ୍ତରଙ୍ଗ ବନ୍ଧୁଠାରୁ ଆଜି ଏମିତି ଗୋଟିଏ ଟ୍ରିଟ ପାଇ ବହୁତ ଖୁସି ଲାଗୁଛି I ଏ ଗୋଲାପଟି ବହୁତ ସୁନ୍ଦର ହୋଇଛି, ମୁଁ ଗୋଲାପଟିକୁ ଦେଖିଲେ ନିଜକୁ ଅଟକେଇ ପାରେନା, ତାକୁ ଚୁମି ପକାଏ I ଘରେ ବହୁତ ଥର ଗାଳି ମଧ୍ୟ ଶୁଣିଛି, ଅନିଚ୍ଛା ସତ୍ଵେ ବେଳେ ବେଳେ ଠାକୁରଙ୍କ ଫୁଲକୁ ଚୁମି ଦେଇକି I ତୁମର ଏହି ଫୁଲଟି ବେଶ ସୁନ୍ଦର ଆଉ ମହକ ଭରା ତେଣୁ ନିଜ ଉପରେ କାବୁ ରଖିବା ଏକ ପ୍ରକାର ଅସମ୍ଭବ ଥିଲା, " ଶିଖା କହିଲା I
"କିଛି ଅସୁବିଧା ନାହିଁ, ଯାହା ଇଛା ତୁମର, ମୁଁ ତ କେବଳ ନିଜର ମନର ଭାବନା ଜଣେଇବାକୁ ଦେଇଛି," ଦେବାଶିଷ କହିଲା I
"ଓଃ କଣ ଅଛି ତୁମ ମନରେ?" ଶିଖା ପଚାରିଲା କଫି କପଟିକୁ ଟେବୁଲରେ ରଖିକି, ଦୁଇଟା କହୁଣୀକୁ ଟେବୁଲ ଉପରେ ଥୋଇ ଦେଇ ପାପୁଲିରେ ନିଜ ମଥାକୁ ଆଶ୍ରା କରିକି I
"ମୁଁ ତୁମକୁ ଭଲ ପାଏ, ହୃଦୟରୁ, ପ୍ରକୃତରେ ପ୍ରେମ କରୁଛି ତୁମ, ତୁମର .." ଦେବାଶିଷ କହିଲା ଟିକିଏ କୁଣ୍ଠାବୋଧ କରି I
"ହୃଦୟରୁ ମାନେ? ମୋର ରୂପ ରଙ୍ଗ କଣ ତୁମର ପସନ୍ଦ ନୁହେଁ, " ଶିଖା ପଚାରିଲା ଟିକିଏ ଉତ୍ସୁକ ହୋଇ ଦେବାଶିଷ କିଛି ଆଉ କହିବା ଆଗରୁ I
"ମୁଁ ତୁମକୁ ଭଲ ପାଏ, ଯଦି ଖାଲି ରୂପ ରଙ୍ଗକୁ ଭଲ ପାଇବାର ଥିଲେ, ହୁଏତ ଅନ୍ୟ କାହାକୁ ଭଲ ପାଇଥାନ୍ତି," ଦେବାଶିଷ କହିଲା I
"ତୁମ ଜାଣ ଦେବାଶିଷ ମୋର ସେ ଶାଶ୍ଵତ ପ୍ରେମରେ ବିଶ୍ଵାସ ନାହିଁ I ମୋ ପାଖରେ ସେତିକି ସମୟ ମଧ୍ୟ ନାହିଁ I ମୁଁ ଜୀବନ ସଂଘର୍ଷରେ ଜର୍ଜରିତା ଏକ ପ୍ରାଣୀ I ସଂସାରର ସମସ୍ୟା ସହିତ ସଂସାରଟିଏ କରିବାର ସମସ୍ୟା ମଧ୍ୟ ମୋର ଅଛି I ଏହି ଭଲ ପାଇବା, ସାହାଯ୍ୟ କରିବା, ସୁଖ ଦୁଃଖ ହେବା ଏହା ସବୁ ତ ଚାଲି ଥାଏ I ଏହାକୁ ଯଦି ତୁମେ ପ୍ରେମ ଭାବୁଛ ମୁଁ ତୁମ ସହ ସହମତ ନୁହେଁ," ଶିଖା କହିଲା I
"ଆଉ ସୁବ୍ରତ ଯେଉଁ ପ୍ରେମ କରୁଛି ସେଇଟା କଣ ପ୍ରେମ, ଆଜି ଏହା ସହିତ କାଲି ତାହା ସହିତ ତା ପରେ ଆଉ କାହା ସହିତ ! ସିଏ ତ ଆଜି ଯାଏଁ ଠିକ କରି ପାରିନି ସିଏ ଗୋଟିଏ ଝିଅଟିଏ ଠାରୁ କଣ ଚାହୁଁଛି," ଟିକିଏ ବିବ୍ରତ ହେଇ କହିଲା ଦେବାଶିଷ I ନ ଚାହିଁଲେ ମଧ୍ୟ ସୁବ୍ରତ ପାଇଁ ଜାତ ହୋଇଥିବା ତାହାର ଈର୍ଷ୍ୟା ପ୍ରତିଧ୍ଵନିତ ହୋଇଥିଲା ତାହାର ସଂଳାପରେ I
କ୍ଷଣକ ପାଇଁ ନିରବି ଗଲା ଶିଖା ଆଉ ତାହା ପରେ କହିଲା, " ସୁବ୍ରତ କଣ ଭାବେ କଣ ନ ଭାବେ ମୁଁ ଜାଣେନା, କିନ୍ତୁ ସିଏ ମୋତେ ପାଇଁ ଡାକିଛି ଆଉ ମୁଁ ହଁ କହିଛି ତେଣୁ ମୁଁ ଯିବି I ସିଏ କାହାକୁ ପ୍ରେମ କରୁ କି ନ କରୁ ସେଥିରେ ମଧ୍ୟ ମୋର କହିବାର କିଛି ନାହିଁ,କିନ୍ତୁ ଏହା ମଧ୍ୟ ସତ ସମସ୍ତେ ଜାଣିଛନ୍ତି ସୁବ୍ରତ କେବେ ଛଳନା କରି ନାହିଁ I ସେଥି ପାଇଁ ତ ସମସ୍ତେ ତାହା ସହ ମିଶୁଛନ୍ତି," ଶିଖା କହିଲା I
"ନା, ନା ମୁଁ ସେ କଥା କହୁନି I ସିଏ କାହାକୁ ଧୋକା ଦେଇଛି ବୋଲି ମୁଁ କହୁନି I କିନ୍ତୁ ଭାବି ଦେଖ ପ୍ରେମ ଏକ ସୁନ୍ଦର ଅଭିଜ୍ଞତା, ଏକ ଶାଶ୍ଵତ ଆଭାସ ଯେମିତି ରାଧା କୃଷ୍ଣଙ୍କର," ଦେବାଶିଷ କହିଲା !
"ହା, ହା , ହା ," ହସିଲା ଶିଖା I "ହଉ ମୋର ସେ ରାଧା କୃଷ୍ଣ ପ୍ରେମ ମଧ୍ୟ ଲୋଡ଼ା ନାହିଁ,ମୁଁ ବାସ୍ତବିକ ଜୀବନଟିଏ ବଞ୍ଚୁଛି ଆଉ ବଞ୍ଚିବାକୁ ଚାହୁଁଛି I ତୁମେ ମୋର ସମ ବୟସ୍କ ହେଲେ ମଧ୍ୟ ଟିକିଏ ଇମେଚ୍ୟୁର I ହଉ କଫି ଆଉ କୁକିସ ପାଇଁ ବହୁତ ଧନ୍ୟବାଦ I କାଲି କଥା ହେବ I ମୋତେ ବହୁତ କାମ ସାରିବାକୁ ପଡ଼ିବ ଡ଼ିନର ପୂର୍ବରୁ I ତୁମ ସହ କୋଉ ଦିନ ଡିନର କରିବି କିନ୍ତୁ ସେ ଟ୍ରିଟ ମୋ ତରଫରୁ," ଶିଖା କହିଲା I
"କଣ ଟ୍ରିଟ ବଦଳରେ ଟ୍ରିଟ ?" ଦେବାଶିଷ ପଚାରିଲା I
"ସେମିତି ନୁହେଁ କିନ୍ତୁ ମୋତେ ଭଲ ଲାଗେ ତୁମ ସହ ବସି ଗପିବାକୁ, ଆଉ ଆମେ ତ କେତେ ଥର ଆଗରୁ ବି ଡ଼ିନର କରିଛେ ସାଥିରେ, " କହି ଉଠିଗଲା ଶିଖା I
"ତୁମେ କଣ ମୋର ପ୍ରେମ କଥା ଶୁଣି ବିଗିଡି ଗଲ କି?"ଦେବାଶିଷ ପଚାରିଲା I
"ନା, ରାଗିବି କାହିଁକି? ବହୁତ କାମ ଅଛି, ନ ହେଲେ ହୁଏତ ଆଉ କିଛି ସମୟ ରହି ଥାଅନ୍ତି," ଶିଖା କହିଲା I
"ମୁଁ ଭାବିଲି ତୁମେ ମୋର ପ୍ରେମକୁ ଭୁଲ ବୁଝିଲ କିନ୍ତୁ ମୁଁ ଛଳନା କରି ପାରେନା," ଦେବାଶିଷ କହିଲା I
"ମୁଁ କିଛି ଭୁଲ କି ଠିକ ବୁଝିନି I ଭାବି ଦେଖ, ଦେହ ବିନା କଣ ପ୍ରେମ ହୋଇ ପାରେ? ଦେହର ମୋହ ବିନା କଣ ପ୍ରେମ ସମ୍ଭବ? ସତ କଥା ହେଲା ସବୁ ପ୍ରେମର ଶେଷ ଲକ୍ଷ ହେଲା ଦେହଟିଏ! ଯିଏ ଏହି ସତ୍ୟତାକୁ ଅଦେଖା କରଛି କିମ୍ବା ଏହାକୁ ଅନ୍ୟ ରୂପରେ ଦେଖେଇବାକୁ ଚେଷ୍ଠା କରୁଛି, ସିଏ କେବଳ ଛଳନା କରୁଛି ! ମୁଁ ତୁମକୁ ଭଲ ପାଏ ମାନେ ତୁମର ଦେହକୁ ମଧ୍ୟ ଭଲ ପାଏ, ତୁମେ ଦେଖିବାକୁ ଆକର୍ଷକ ହେଇଥାଅ ବା ନ ହେଇଥାଅ! ଭାବି ଦେଖ ଥରେ, ଯିଏ ପ୍ରେମକୁ ଦେହ ସହ ଯୋଡୁଛି ସିଏ ଛଳନା କରୁଛି ନା ଯିଏ ଦେହକୁ ଆଉ ପ୍ରେମକୁ ଅଲଗା କରି, ପ୍ରେମର ପରିଭାଷା ସ୍ଥାପନ କରିବାକୁ ଚେଷ୍ଠା କରୁଛି ସିଏ ଛଳନା କରୁଛି !"ନିଜର ଚେୟାରଟିକୁ ପଛକୁ ଘୁଞ୍ଚେଇ ଯିବାକୁ ଉଠୁ ଉଠୁ କହିଲା ଶିଖା I
ବସି ଭାବିବାକୁ ଲାଗିଲା ଦେବାଶିଷ I ଚକୋଲେଟର ମିଠାସ କୁଆଡେ ଯେମିତି ଉଭେଇ ଯାଇଥିଲା I ପାଖରେ ଥୁଆ ହୋଇଥିବା ହୋଇଥିବା ଗୋଲାପଟିକୁ ଦେଖିଲା I ତରବରରେ ଶିଖା ଭୁଲି ଯାଇଥିଲା ଗୋଲାପଟିକୁ ନେବାକୁ I କେତେ କଷ୍ଟରେ ତାକୁ ଆଣିଥିଲା ସିଏ ସାହୁ ବାବୁଙ୍କର ବାଡିରୁ ଅନେକ ଅନେକ ଗୋଲାପ ଭିତରୁ ଖୋଜିକି ଆଉ ତାଙ୍କୁ ନିଜର ମନ ବ୍ୟଥା ଜଣେଇକି ! ଶିଖାର ଲିପସ୍ଟିକ ଚିହ୍ନ ଏବେ ମଧ୍ୟ ସତେଜ ଦିଶୁଥିଲା ତାହାର ପାଖୁଡାରେ ! କିନ୍ତୁ ସେ ରଙ୍ଗ ଥିଲା କୃତ୍ରିମ, ଆଉ ଗୋଲାପର ରଙ୍ଗ ଥିଲା ପ୍ରାକୃତିକ : ଠିକ ତାହାର ଭାବନା ଭଳି ଥିଲା ଗୋଲାପର ରଙ୍ଗ, ସ୍ଵତଃ ଜାତ ଆଉ ଠିକ ଲିପିସ୍ଟିକର ରଙ୍ଗ ଭଳି ଥିଲା ଶିଖାର ଭାଵନା, କ୍ଷଣସ୍ଥାୟୀ, ଯାହା ଗୋଟିଏ ଚୁମ୍ବନରେ ଶେଷ ହୋଇ ଯାଇଥିଲା !
କିନ୍ତୁ ସତରେ ଭାବିବାକୁ ଗଲେ ଶିଖା ମଧ୍ୟ ତ ତାହା ସହ ଛଳନା କରି ନାହିଁ ! କିନ୍ତୁ ସୁବ୍ରତ ବିଷୟରେ? ସିଏ କଣ ଶିଖାକୁ ପଚାରିଥିଲା ସବୁ ବିବରଣୀ? ଶିଖା କାହିଁକି କହିଲା ସୁବ୍ରତ ବିଷୟରେ ଏତେ ସବୁ? ସୁବ୍ରତର ଛଳନାର ସିଏ ଶିକାର ହେଇଯାଇଛି କି ? ସୁବ୍ରତ ବହୁତ ଚାଲାକ, ତାହାର ଛଳନା ଧରା ପଡେ ନାହିଁ ! ସ୍ମସାଟେ ତାକୁ ସ୍ପଷ୍ଟବାଦୀ ଭାବନ୍ତି କିନ୍ତୁ ସିଏ କେବଳ ଛଳନା କରେ ନିଜର ବନ୍ଧୁତ୍ଵର ଆଉ ନିଜର ସହାନୁଭୁତିର ! କେମିତି କେଜାଣି ଦୁନିଆଁ ପ୍ରେମକୁ ଅନେକ ରୂପରେ ବୁଝି ପାରିଛି କିନ୍ତୁ ଛଳନାକୁ ବୁଝି ପାରିନି ! ଭାବନାର ଘେରରେ ଘୁରି ବାକୁ ଲାଗିଲା ଦେବାଶିଷ I
ଝାଉଁଳିବାକୁ ଲାଗିଥିଲା ଟେବୁଲ ଉପରେ ଲିପଷ୍ଟିକ ଦାଗ ପଡିଥିବା ଗୋଲାପଟି ।