STORYMIRROR

Ranjit Sahu

Romance Tragedy Others

4  

Ranjit Sahu

Romance Tragedy Others

ଗ୍ରୀଷ୍ମର ସ୍ମୃତି ଶେଯ

ଗ୍ରୀଷ୍ମର ସ୍ମୃତି ଶେଯ

4 mins
10

ପ୍ରଖର ଉତ୍ତାପରେ ପ୍ରାଣ କଲବଲ ହେଲେ ଅନୁରାଗ ଚୌଧରୀ ବାବୁଙ୍କର ତାଙ୍କ ଚାଳ ଛପର ଘର କଥା ମନେ ପଡ଼େ I ମନେ ପଡେ ବୋଉ ଆଉ ଖରାଦିନର ସଜ ଦହିପଖାଳ କଥା I ସାଥିରେ ବଡ଼ି ଚୁରା ଆଉ ବାଡ଼ିଶାଗ ଭଜା I କେଉଁଦିନ କେମିତି ମହୁରାଳୀ ମାଛର ଭଜା କି ବେସର ମଧ୍ୟ ଥାଏ ସାଥିରେ I ଖାଇ ସରିଲା ପରେ ରବିବାର ଦିନର ଦିପହରର ନିଦର ସୁଖଟା ଯେମିତି ଉଭେଇ ଯାଇଛି ଜୀବନରୁ I ଛାତ ଉପରେ ନାତି ଟୋକାଟା ଚାରିଟା ଖୁଣ୍ଟ ପୋତି ଗୋଟିଏ ଚାଳ ଛପର କରିକି "ଗ୍ରୀଷ୍ମ ଛତ୍ର" ନାମ ଦେଇକି I ଥଣ୍ଡା ହେବା ବାହାନାରେ ଦିନ ସାରା ଲିଟର ଲିଟର ଥଣ୍ଡା ପେୟ ଉଦରସ୍ଥ କରୁଛି I କେଜାଣି କେମିତି ତାକୁ ସେ କଳା, ଧଳା, ନାଲି, ନାରଙ୍ଗୀ ରଙ୍ଗ ଦିଆ ଅଙ୍ଗାରକାମ୍ଲ ଭରା ଶର୍କରାରେ ପରିପୁର୍ଣ୍ଣ ପାଣି ଗୁଡାକ ଭଲ ଲାଗୁଛି I ଘୋଳ ଦହି ଆଉ ବେଳ ପଣା ତ ସ୍ବପ୍ନ ହେଇ ସାରିଲାଣି ଯେବେତହରୁ ଧର୍ମପତ୍ନୀ ଆର ପାରିକୁ ଚାଲି ଗଲେ I ଥଣ୍ଡା ପାଣି ଗ୍ଲାସଟିଏ ପିଇଦେଇ ଦୀର୍ଘ ନିଶ୍ୱାସଟିଏ ନେଲେ ଚୌଧରୀ ବାବୁ I ଅବସର ପ୍ରାପ୍ତ ସହରୀ ରୁ ପୁଣି ଗ୍ରାମ୍ୟ ଜୀବନକୁ ଆଦରି ନେବା ତାଙ୍କ ପାଇଁ ସହଜ ଥିଲା I ଅସୁବିଧା ଥିଲା ଯଦି ତାହା କେବଳ ତାଙ୍କ ବୋହୁ, ପୁଅ ଆଉ ନାତିଙ୍କ ପାଇଁ I ତେଣୁ ସେମାନେ ସହରରେ ହିଁ ରହିଲେ ଏବଂ କେବଳ ଖରା ଛୁଟିରେ ଆସନ୍ତି ଗାଆଁକୁ I ପରିବର୍ତ୍ତନଶୀଳ ପୃଥିବୀର ପ୍ରାପ୍ତିରେ ଆତ୍ମତୃପ୍ତି ଲୋଡ଼ୁଥିବା ମଣିଷ ପାଲଟି ଯାଇଥିବା ତାଙ୍କର ଉତ୍ତରିଧକାରୀକୁ ପୁରାତନ ଜୀବନଶୈଳୀର ନକ୍ସା ଅପ୍ରୀତିକର ମନେ ହେବାକୁ ଲାଗିଥିଲା I କିନ୍ତୁ ସାମାଜିକ ଚାପ ସମ୍ବରଣ ନ କରି ପାରି ଗ୍ରାମ୍ୟ ଗମନ ପାଇଁ ବାଧ୍ୟ ହେଉଥିବାରୁ ବୈଶାଖର ଉତ୍ତାପରୁ ରକ୍ଷା ପାଇଁ ଆଧୁନିକରଣ କରି ସାରିଥିଲେ ନିଜର ରୂପାନ୍ତରିତ ଗୃହ ଭବନଟିକୁ ତାଙ୍କ ପୁତ୍ର I କିନ୍ତୁ ବିଜୁଳୀ କାଟର ତା କାଟ ନାହିଁ ! ଇନ୍ଭରଟର ଯଥା ପ୍ରାଣ ଚେଷ୍ଠା କରି ନିଶ୍ଚଳ ହୋଇ ସାରିଥାଏ I ଦିନ ଦିପହରରେ ଆଉଟୁ ପାଉଟୁ ହେଉଥିବା ଚୌଧରୀ ବାବୁଙ୍କୁ ମନେ ପଡିଗଲା ଗାଆଁ ପୋଖରୀ କଥା I ତାହା ସାର୍ବଜନୀନ ହୋଇଥିବାରୁ ସେଠାକୁ ଯିବାରେ କୌଣସି କୁଣ୍ଠା ନଥିଲା ତାଙ୍କର I ପୋଖରୀରୁ ପଙ୍କୋଦ୍ଧର ହୋଇ ସେଥିରେ ମୀନ ବ୍ୟବସାୟ ଆରମ୍ଭ ହେଲାଣି, ତେଣୁ ସ୍ନାନରେ ପୂର୍ବର ଆନନ୍ଦ ମିଳେ ନାହିଁ କି ନୟନକୁ ଉତ୍ପଳର ମଞ୍ଜୁଳ ପ୍ରାପ୍ତ ହୁଏ ନାହିଁI ପୋଖରୀ କଡରେ ଥିବା ଝଙ୍କା ଆମ୍ବ ଗଛଟି କେବେ ଠାରୁ ବଳି ପଡି ସାରିଲାଣି ଆଉ ପାଖରେ ଥିବା ଛୋଟିଆ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ I ପାଖରେ ଲାଗିଥିବା କିଛି ଜାମୁକୋଳି ଗଛ କିନ୍ତୁ ଟିକିଏ ଘଞ୍ଚ ହୋଇ ଆସିଲେଣି I ହୁଏତ ସେହି ଛାଇରେ ଟିକିଏ ନିସ୍ତାର ମିଳିବ ଗ୍ରୀଷ୍ମର ଦହନରୁ?


କିଛି ଭାବି ନିଜର ପୁରୁଣା ଛତାଟିକୁ ଆଉ ଗାମୁଛା ଖଣ୍ଡିଏ ନେଇ ବାହାରିଗଲେ ଚୌଧୁରୀ ବାବୁ ପୋଖରୀ ଆଡ଼କୁ I ଘରଠାରୁ ଅନତିଦୂରରେ ପୋଖରୀ I ଗ୍ରୀଷ୍ମତ୍ତାପରେ ଜଳସ୍ତର ଅନେକ ନିମ୍ନଗାମୀ ହୋଇ ସାରିଲାଣି I ଗୋଟିଏ କୋଣରେ ବଗଟିଏ ବସି ବୋଧହୁଏ ପଳାୟନର ପନ୍ଥା ଖୋଜୁଛି? ଛତାଟିକୁ ଜାମୁକୋଳି ଗଛ ତଳେ ଥୋଇ ଦେଇ, ସାଥିରେ ଆଣିଥିବା ଗାମୁଛାଟିକୁ ପାରିଦେଲେ ଚୌଧରୀ ବାବୁ I ଗଛକୁ ଆଉଜି ବସି ଦେଖିବାକୁ ଲାଗିଲେ ପୋଖରୀ ଆଡ଼କୁ I ଅନେକ ଅମ୍ଳାନ ସ୍ମୃତିର ଗନ୍ତାଘର ସେହି ପୋଖରୀଟି I ପିଲାଦିନେ ସାଙ୍ଗ ସାଥୀଙ୍କ ସହିତ କେତେ ସମୟ ଅତିବାହିତ ନ ହେଇଛି ତାହାର ଶୀତଳ ଜଳରେ? କେତେ ପଦ୍ମ ଫୁଲ ତୋଳା ହୋଇ ନ ଦିଆ ଯାଇଛି ମନ୍ଦିରରେ? ବିବାହ ପୂର୍ବରୁ ଯୁବ ବୟସର କେତେ ପ୍ରତିକ୍ଷାର ସନ୍ଧ୍ୟାର ମହକ ଅଦୃଶ୍ୟ ହୋଇନି ତାହାର ଜଳରେ ! କିନ୍ତୁ ଆଜି ପୋଖରୀ ମଧ୍ୟ ତାଙ୍କ ଭଳି ଜ୍ୱଳନ୍ତ ଏହି ଗ୍ରୀଷ୍ମର ଅନଳରେ I ଟିକିଏ ଥଣ୍ଡା ପବନର ଆଭାସ ହେଲା ଭଳି ଲାଗିଲା ଚୌଧରୀ ବାବୁଙ୍କୁ I ଆଖି ପତା ଟିକିଏ ପଡ଼ିବାକୁ ଲାଗିଲା I ମନେ ପଡ଼ିବାକୁ ଲାଗିଲା ଘଟଣାଟିଏ I ପୁନଃ ପ୍ରଦର୍ଶିତ ହେବାକୁ ଲାଗିଥିଲା ଅତୀତ ଏକ ଚଳଚିତ୍ରଟିଏ ପରି I ସେଦିନ ସନ୍ଧ୍ୟାରେ ପ୍ରିୟମ୍ବଦାର ଆଗମନର ପୋଖରୀ କୂଳରେ ପ୍ରତୀକ୍ଷାରତ ଚୌଧରୀ ବାବୁଙ୍କର ଅକସ୍ମାତ ଦୃଷ୍ଟିଗୋଚର ହୋଇଥିଲା ପୋଖରୀରେ ଗୋଡ଼ ଖସି ବୁଡି ଯାଉଥିବା ନୟନତାରା ଆଡ଼କୁ I ଅବିଳମ୍ବେ ଜଳରେ ଝାସ ଦେଇ ତାହାକୁ ସ୍ଥିର କରି ଠିଆ କରି କୂଳଆଡ଼କୁ ଆଣିଲା ବେଳକୁ ପ୍ରିୟମ୍ବଦା ପହଞ୍ଚି ଯାଇଥିଲା ପୋଖରୀ ହୁଡାରେ I ଚୌଧୁରୀ ବାବୁ କିଛି କହିବା ପୂର୍ବରୁ ଅନେକ କିଛି ଆକଳନ କରି ନେଇଥିଲା ପ୍ରିୟମ୍ବଦା I ସନ୍ଦେହୀ ମନକୁ କଣ କେବେ ବୁଝେଇ ହୁଏ ? ଜଣେ ଅବିବାହିତ ପୁରୁଷ, ତାହା ମଧ୍ୟ ଅନ୍ୟ ଜାତିର, ତାହାର ହାତ ଧରି ପୋଖରୀରୁ ବାହାରୁଥିବା ନୟନତାରାର ଦୃଶ୍ୟଟି ପାଷାଣ ଲିଖନ ହୋଇ ସାରିଥାଏ ପ୍ରିୟମ୍ବଦା ମନରେ I ଈର୍ଷ୍ୟା ମଧ୍ୟ ଅନେକ ଜାତ ହୋଇଥିଲା ତାହାର ମନରେ ନୟନତାରା ପ୍ରତି I ନିଶ୍ଚୟ ପିଶାଚୁଣି ଅନୁରାଗକୁ ନିଜର ଫାସରେ ପକେଇ ସାରିଛି I ଛୋଟ ଜାତିର ଲୋକଙ୍କର ଛୋଟ ବୁଦ୍ଧି I ପ୍ରେମରେ ପ୍ରତିଶ୍ରୁତିବଦ୍ଧ ପୁରୁଷକୁ ପଥଭ୍ରଷ୍ଟ କରିବାକୁ, ନୟନତାରା ଭଳି ସୁନ୍ଦରୀ ତରୁଣୀ ଲାଗି କଣ କାଠିକର ପାଠ? ଆଉ ଅନୁରାଗ ମଧ୍ୟ ନିଶ୍ଚୟ ଅନେକ କଥା ଲୁଚେଇଛି ତାହାକୁ ? ନଚେତ କାହିଁକି ସିଏ ଅନେକ ଥର ତାହାକୁ ପଚାରି ଥିଲା, " ମୁଁ ଯଦି ତୁମେ ଆସିଲା ବେଳକୁ ପୋଖରୀ ଭିତରେ କି ବାହାରେ ଓଦା ହେଇ ଠିଆ ହୋଇଥିବି ତାହା ହେଲେ କଣ ହେବ?" ଗାଁଆରେ କଥା ଆଗକୁ ବଢି ଅଧିକ ସମସ୍ୟା ସୃଷ୍ଟି ହେବ ପୂର୍ବରୁ ନୟନତାରାର ବିଦାୟ ହୋଇ ସାରଥିଲା ବଧୂ ରୂପରେ I ନିଜର ଚରିତ୍ରରେ ଲାଗିଥିବା କଳଙ୍କକୁ ହଟେଇ ନ ପାରି , ଶେଷରେ ସହରାଭିମୁଖୀ ହୋଇଥିଲେ ଅନୁରାଗ ଚୌଧରୀ ମଧ୍ୟ I ପ୍ରିୟମ୍ବଦା ତାହାର ନିଜର ଜୀବନର ପଥ ନିର୍ଦ୍ଧାରଣ କରି ସାରିଥିଲା I ଫେରି ଚାହିଁ ନଥିଲା ଆଉ ଚୌଧରୀ ବାବୁଙ୍କୁ I ପର୍ବପର୍ବାଣୀରେ ଗାଁଆ କୁ ଆସିଲେ ମଧ୍ୟ ଅଦେଖା କରେ ତାଙ୍କୁ I 

ପାଣି ଭିତରକୁ କିଛି ଗୋଟିଏ ଖସି ପଡ଼ିବାର ଶବ୍ଦରେ ଚମକି ପଡିଲେ ଚୌଧରୀ ବାବୁ I ଆଖି ଖୋଲି ଦେଖିଲେ ଟୋକାଟିଏ ବୋଧେ ହୁଡ଼ା ଉପରୁ ଝାସ ଦେଇଥିଲା ପାଣିକୁ I ପାଣିରେ ଉବୁଟୁବୁ ହେଉଥାଏ I ଯନ୍ତ୍ରଚାଳିତ ମଣିଷ ଭଳି ପାଣି ଭିତରକୁ ଡେଇଁ ପଡିଲେ ଚୌଧରୀ ବାବୁ I ଟୋକାଟିକୁ ବାହାରକୁ ଟାଣି ଆଣିଲା ବେଳକୁ ବେଶ କିଛି ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ଚୌଧରୀ ବାବୁଙ୍କୁ I "ମୋତେ ମରିବାକୁ ଦିଅ, ମୋତେ କେହି ଘରେ ଭଲ ପାଆନ୍ତି ନାହିଁ, ମୋର ବହୁତ କମ ନମ୍ବର ରହିଛି ପରୀକ୍ଷାରେ, " ଚିତ୍କାର କରୁଥାଏ ଟୋକାଟି I ତାକୁ କଣ ବୁଝେଇବେ କି ନ ବୁଝେଇବେ ଭାବିଲା ବେଳକୁ ଲୋକଙ୍କର ପଦାଚାପ ଶୁଣିବାକୁ ପାଇଲେ ଚୌଧରୀ ବାବୁ I 

ଅନେଇ ଦେଖିଲେ, ଚିର ପରିଚିତା ରୂପରେଖାଟିଏ I ଯୌବନର ରୂପାରଙ୍ଗ ମଳିନ ପଡ଼ିଥିଲେ ମଧ୍ୟ ନାକ ନକ୍ସା ଅପରିବର୍ତ୍ତିତ ରହିଛି I ଚକିତ ହୋଇ ଚାହିଁ ରହିଲା କିଛିକ୍ଷଣ ପ୍ରିୟମ୍ବଦା ତାଙ୍କ ଆଡକୁ I ପଛର ପଛରେ ତାହାର ପରିବାରର ଅନ୍ୟ ସଦସ୍ୟ ମାନେ ଆସି ଜମିବାକୁ ଲାଗିଥିଲେ I ପରକ୍ଷଣରେ ଜାବୁଡି ଧରିଥିଲା ଟୋକାଟିକୁ ପ୍ରିୟମ୍ବଦା I 

"ତୁ କଣ ତୋର ବୋଉ କଥା ଜମା ଚିନ୍ତା କଲୁନି? ଏମିତି ଚିଠି ଲେଖି ଦେଇ ଆସିଗଲୁ ମରିବା ଲାଗି?" ବାହୁନି ହେଉଥାଏ ପ୍ରିୟମ୍ବଦା ଟୋକାଟିକୁ ଜାବୁଡି ଧରି I

କିଛି ଚିନ୍ତା କରି ପାରିଲେନି ଚୌଧରୀ ବାବୁ I "ଅଳ୍ପ ପାଣି ପିଇଦେଇଛି, ଡାକ୍ତରଖାନା ନେବାକୁ ପଡିବ, ଜଳ ଟିକିଏ ଦୂଷିତ ଅଛି ," କହି ଛାଇ ତଳେ ପଡିଥିବା ଶୁଖିଲା ଗାମୁଛାଟିକୁ ପିନ୍ଧି ଛତାଟିକୁ ଧରି ଚାଲିଲେ ଗୃହ ଅଭିମୁଖେ I ଅତୀତର ଉତ୍ତାପଟି ଗ୍ରୀଷ୍ମତ୍ତାପକୁ ବଳିବାକୁ ଲାଗିଥିଲା I 


Rate this content
Log in

Similar oriya story from Romance