STORYMIRROR

Priyaranjan Biswal

Romance Tragedy

5.0  

Priyaranjan Biswal

Romance Tragedy

ତରୁଣ ବୟସ ପ୍ରେମ

ତରୁଣ ବୟସ ପ୍ରେମ

5 mins
514


ସାହିଲ୍ ଏକ ଷୋହଳ ସତର ବର୍ଷର ପିଲା ଟିଏ। ନୂଆ ନୂଆ college ଯାଉଥାଏ। କଲେଜର ତା ବୟସର ସୁନ୍ଦରୀ ତରୁଣିମାନଙ୍କୁ ଦେଖି ନିଜ ମନରେ ଏକ ନୂତନ ଉନ୍ମାଦନା ଅନୁଭବ କଲା ସାହିଲ୍। ସେହି ସୁନ୍ଦରୀ ତରୁଣୀ ମାନଙ୍କ ମଧ୍ଯରେ ସଞ୍ଜନା ନାମକ ଏକ ସୁନ୍ଦରୀ ତରୁଣୀ ଥିଲା ପ୍ରଥମ ଦେଖାରେ ସାହିଲ୍ ସଞ୍ଜନା ପ୍ରେମରେ ପଡିଗଲା। ଆଉ ନିଜର ମନର ଭାବକୁ ସଞ୍ଜନା ଆଗରେ ପରିପ୍ରକାସ କରିବା ପାଇଁ ଏକ ଚିଠି ଲେଖି ସଞ୍ଜନାର ଏକ ସାଙ୍ଗ ହାତରେ ସଞ୍ଜନା ନିକଟକୁ ପଠାଇଲା। ସଞ୍ଜନା ଚିଠି ଖୋଲି ପଢିଲା। ଚିଠିରେ ଲେଖା ଥିଲା....


ପ୍ରିୟତମା,

      ମୁଁ ତୁମପାଇଁ ପାଗଳ ପ୍ରାୟ। ଏକା ବେଳେ ମୁଁ ଦୁଇଟା କଥା ଭାବି ପାରେନା। ଯେତେବେଳେ ବି କିଛି ଭାବୁଛି ମୋ ପ୍ରତି ଭାବନାରେ କେବଳ ତୁମେ ହିଁ ତୁମେ। ଯାହା ବିଷୟରେ ଭାବେ, ବେସି କଥାବି ଭାବି ପାରେନା, ତୁମକୁ ଛାଡି। ତୁମ ପାଖରେ ମୁଁ ନଥାଇପାରେ କିନ୍ତୁ ମୋ କଳ୍ପନା ସବୁବେଳେ ତୁମ ପାଖରେ ରହିଛି ଆଉ ଆଗକୁ ମଧ୍ଯ ଏମିତି ରହିଥିବ। ମୋ କଳ୍ପନାରେ ତୁମ ପ୍ରେମ ଓ ଆଦର କରିବାର ହଜାର ହଜାର କୌଶଳ ମତେ ଛନ୍ଦି ପକାଏ।

 

   ହୃଦୟରେ ଆଉ କାହାର ସ୍ଥାନ ନଥାଏ, ସେ ସ୍ଥାନରେ ତୁମେ ହିଁ ସବୁବେଳେ ବସିଥାଅ। ସୁରଭି ଥାଏ, ଆବେଗ ଥାଏ।କିନ୍ତୁ ବୁଝିପାରେନା ଈଶ୍ୱର ମୋ ଉପରେ ଏତେ ନିର୍ଦୟ କହିଁକି? ପ୍ରତି ମୁହୂର୍ତ୍ତରେ ସେ ମତେ ବାଧ୍ୟ କରୁଛନ୍ତି ତୁମଠାରୁ ଅଲଗା ରହିବା ପାଇଁ। ହେଲେ ଏ ବିରହ ର ଜ୍ୱଳାକୁ ମୁଁ ଆଉ ସହ୍ଯ କରିପାରୁନି। ଆଜି ରାତି ମୁଁ ତୁମ କଥା ଭାବି ଭାବି ଥରିବାକୁ ଲାଗିଲି। ତୁମେ ଆସ ମୁଁ ସେଠାକୁ ଯାଉଛି ବୋଲି କରି ହଠାତ୍ ଉଠି ପଡିଲି, ପୁଣି ବସିପଡିଲି କେତେ ଦ୍ୱନ୍ଦରେ। ଏଇଟା ଜୀବନ ନୂହେଁ । ଏଇଟା ମୁଁ କେବେ ଅନୁଭବ କରିନଥିଲି।ତୁମେ ମୋର ସାରା ସତ୍ତାଟାକୁ ଆପଣାର କରି ନେଇଛ।

 

  ତୁମ କଥା ଭାବିଲା ବେଳେ ମୁଁ ବୋକା ପାଲଟି ଯାଏ ଆଉ ଖୁସିରେ ଆତ୍ମହରା ହୁଏ। ସ୍ୱପ୍ନିଳ ଆବର୍ତ୍ତରେ ମୁଁ ଭଉଁରୀ ଖାଏ। ଯେଉଁଠି ଭାବେ ଆଉ ହଜାର ହଜାର ବର୍ଷ ରହି ଯାଆନ୍ତି କି? ଏଇ ପୁଣି ମଣିଷର କି ଅବସ୍ଥା? ତାପରେ ମୁଁ ପ୍ରେମରୁ ଉତୁରି ଆସୁଛି। ପ୍ରତି ଲୋମ କୂପରେ ମୁଁ ତୁମକୁ ଅନୁଭବ କରୁଛି। ବଞ୍ଚିଛି ତ ଏହି ପ୍ରେମ ପାଇଁ। ଦେଖୁଛି ମୁଁ ଧିରେ ଧିରେ ତୁମ ପ୍ରେମର ବୁଢିଆଣୀ ଜାଲରେ ଛନ୍ଦି ହୋଇ ପଡୁଛି। 

  

 ହେ ମୋର ପ୍ରିୟତମା ତୁମେ କିନ୍ତୁ ଜାଣିନାହଁ ମୋ ଚିଠି ସେଠି କଥା କହୁଛି। ଗତକାଲି ତୁମେ ଯେତିକି ସୁନ୍ଦର ଓ ଲୋଭନୀୟ ଦେଖାଯାଉଥିଲ, ଆଜିବି ସେମିତି। ହଁ ଗତକାଲି ସଞ୍ଜବେଳ ସାରା ମୁଁ ଗୁଣୁଗୁଣୁ ହେଉଥିଲି- ତୁମେ ମୋର ତୁମେ ମୋର। ସତରେ ମୁଁ ଅନୁଭବ କଲି ପରୀ ରାଇଜର ଅପ୍ସରା ମାନେ ବି ତୁମ ଆଗରେ ଫିକା।


        ଇତି ତୁମ ଉତ୍ତର ଅପେକ୍ଷାରେ।

              ସାହିଲ୍

   

 ସଞ୍ଜନା ଚିଠି ପଢି ସାରିବା ପରେ ସାହିଲ୍ କୁ ଦେଖାକରି ତାର ପ୍ରେମ ନିବେଦନକୁ ସ୍ୱୀକାର କଲା। ତାପରେ ଉଭୟଙ୍କ ମଧ୍ଯରେ ସମ୍ପର୍କ ଧିରେ ଧିରେ ନିବିଡ ହେବାକୁ ଲାଗିଲା। ଉଭୟ ପରସ୍ପର ସହ ଅଧିକ ରୁ ଅଧିକ ସମୟ ବିତାଇବାକୁ ଲାଗିଲେ। କ୍ଲାସ ବନ୍ଦ କରି ପାର୍କ ଓ ସିନେମା ଦେଖିବାରେ ସମୟ ବିତାଇଲେ। ସାହିଲ୍ ସଞ୍ଜନା ପ୍ରେମରେ ଏତେ ମାତ୍ରାରେ ବୁଡିଗଲା ଯେ ପୁରା ଦୁନିଆକୁ ଭୁଲିଗଲା। ଏମିତିକି ନିଜର ସବୁ ସାଙ୍ଗ ମାନଙ୍କ ଠାରୁ ମଧ୍ଯ ଦୁରେଇଗଲା। ତା ଜୀବନ ଯେମିତି ସଞ୍ଜନା ଠାରୁ ଆରମ୍ଭ ଆଉ ସଞ୍ଜନା ଠାରେ ଶେଷ। ଉଭୟଙ୍କର ପ୍ରେମ ସମ୍ପର୍କ ବିଷୟରେ ଧିରେ ଧିରେ କଲେଜ ଓ କଲେଜ ବାହାରେ ଚର୍ଚ୍ଚା ଆରମ୍ଭ ହେଇଗଲା, କିନ୍ତୁ ଏସବୁ କଥା ଯେମିତି ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଉ ନଥିଲା। ତାଙ୍କ ପ୍ରେମର ଚର୍ଚ୍ଚା ସମ୍ପର୍କରେ ଯେତେବେଳେ ସାହିଲ୍ ଓ ସଞ୍ଜନା ଜାଣିଲେ ସାହିଲ୍ କହିଲା "ପ୍ରେମ ଅଟେ ଏମିତିକା ଗୋଟେ ଆଟମବମ୍", ସଞ୍ଜନା କହିଲା "ପ୍ରତି କ୍ଷଣେ ଦିଏ ଖାଲି ମିଠା ବଦନାମ୍"। ଏମିତି ଏମିତିରେ କଲେଜ ପଢା ସରିଗଲା। ସମସ୍ତେ ନିଜ ନିଜ ରାସ୍ତାରେ ଆଗକୁ ବଢିଗଲେ। ସାହିଲ୍ ଓ ସଞ୍ଜନା ମଧ୍ଯ ପରସ୍ପର ଠାରୁ ଅଲଗା ହୋଇଗଲେ। ଏବଂ ତାପରେ ଉଭୟଙ୍କ ମଧ୍ଯରେ କୌଣସି ଯୋଗାଯୋଗ ରହିଲା ନାହିଁ। ସାହିଲ୍ ସତ ଚେଷ୍ଟା ପରେବି ସଞ୍ଜନାର କୌଣସି ଖୋଜ୍ ଖବର ପାଇଲା ନାହିଁ।ଧିରେ ଧିରେ ତାର ସବୁ ସ୍ୱପ୍ନ ତାସର ଘର ପରି ଉଜୁଡିଗଲା। ଧୁଳିସାତ୍ ହେଇଗଲା ତା ସ୍ୱପ୍ନର ପ୍ରେମ ନଅର। ତା ହୃଦୟ ଭାଙ୍ଗି ଖଣ୍ତ ଖଣ୍ତ ହେଇଗଲ

ା। ସେ କେବେବି ଭାବିନଥିଲା ଯେ ସଞ୍ଜନା ଏମିତି ଅଧା ରାସ୍ତାରେ ତାକୁ ଏକା କରି ହାତ ଛାଡି କୁଆଡେ ଚାଲିଯିବ ବୋଲି। ସିଏ ହୋଇଗଲା ପୁରା ଏକା। ନିଃସଙ୍ଗତା ତାକୁ ଯେମିତି ଏକାନ୍ତରେ ବାରମ୍ବାର ଦଂଶନ କଲା। ତା ପରିବାରରେ ଅନେକ ଲୋକ ଥିଲେ, ପ୍ରଚୁର ଧନ ସମ୍ପତି ଥିଲା ମାତ୍ର କାହା ପାଖରେ କାହାପାଇଁ ଗୋଟିଏ ବି ସେକେଣ୍ତ ସମୟ ନଥିଲା। ସାହିଲ୍ ପାଖରେ କେବଳ ରହିଯାଇଥିଲା ତା ଅତୀତ ଦିନର କିଛି ସ୍ମୃତି। ସେଇ ସ୍ମୃତିକୁ ସାଉଁଟି ଲେଖିବସିଲା ଜୀବନର ଶେଷ ଚିଠି। ଚିଠିରେ ଲେଖିଲା---

  

ପ୍ରିୟତମା,

      ତମେ ମୋ ମନର ମାନସୀ। ଅନେକ ଦିନ ପରେ ତୁମକୁ ଚିଠି ଲେଖୁଛି ଆଜି। ଜାଣିନି ଏ ଚିଠି ତୁମେ କେବେ ପାଇବ କି ନାହିଁ? କିନ୍ତୁ ଯଦିବି କେବେ ପାଅ ମୁଁ କିନ୍ତୁ ସେତେବେଳେ ନଥିବି। ଦିନେ ତୁମ ପାଖକୁ ରାତି ରାତି ଚେଇଁ ଚିଠି ଲେଖୁଥିବା ପୁଅଟି,ଆଜି କଣ ଲେଖିବ ବୋଲି ଭାଷା ପାଉନି। ସତରେ କେତେ ବଦଳି ଯାଇଛ ତୁମେ? ନା ତୁମକୁ ବଦଳାଇ ଦେଇଛି ଏ ସମୟ?

  

 ତୁମପାଇଁ ଦିନେ କବିତା ଲେଖିବାରେ ଡାଏରୀରେ ପୃଷ୍ଠା ଅଣ୍ଟୁ ନଥିଲା। କଳ୍ପନାର ନାୟୀକା କରି ଗଳ୍ପ ଲେଖିବାରେ କ୍ଲାନ୍ତ ନଥିଲି। କିନ୍ତୁ ଆଜି ସମୟର ଦୋ ଛକିରେ ଠିଆ ହୋଇ ମୁଁ ବିଷର୍ଣ୍ଣ ବଦନରେ ଅତିତକୁ ପକ୍ଷାଳନ କରୁଛି ଖାଲି। ଲାଗୁଛି ସେଇ ସବୁଜିମା ଭରା ଦିନଟିକୁ କେଉଁଠି ହଜାଇ ଦେଇଛ ତୁମେ। ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସବୁ କବିତା ମୋର ଗଦ୍ଯ ପାଲଟି ଯାଉଛି ଧିରେ ଧିରେ। 


   ସେଦିନର ସ୍ମୃତି ମୋର ଆଖି ଆଗରେ ନାଚି ଉଠୁଛି। ତୁମର ମନେ ଅଛି ପ୍ରିୟା ସେଦିନର ନିଆରା ସ୍ମୃତି? ଆଖି ବୁଜିଦେଲେ ଜଳଜଳ ହୋଇ ଭାସି ଯାଉଛି ସେଦିନର ଛବି। ଆମେ ଯେତେବେଳେ ଏକାନ୍ତରେ ବସୁଥିଲେ ସେ ସମୟର କିଛି କଥା, କିଛି ନିରବତା, କିଛି ଦିର୍ଘ ଶ୍ୱାସ ଭିତରେ ଆଖି ପଢିଥିଲା ଆଖିର କବିତା।ସାମାନ୍ଯ ଛୋଟ ଭଅଁର ଟିଏ ମୁଁ ଥିଲି। ତୁମେ ମତେ ଆଦରରେ ସାଉଁଟି ନେଇ କରିଦେଲ ତୁମ ପ୍ରେମ ସାମ୍ରାଜ୍ଯର ରାଜାଟିଏ। ଧୂଳିର ଫୁଲଟିଏ ଥିଲ ତୁମେ। ମୁଁ ତୁମକୁ ସାଉଁଟି ଆଣି କରିଥିଲି ମୋ ପ୍ରେମ ସାମ୍ରାଜ୍ଯର ରାଣୀ। ମୋ ଖୋଲା ହୃଦୟଟିରେ ଭଲପାଇବାର ସ୍ୱାକ୍ଷର କରିଦେଲ ତୁମେ। ବାସ୍ କେବଳ ତୁମର ଭାବନା, ତୁମର ସ୍ୱପ୍ନ ଆଉ ତୁମ କଳ୍ପନାରେ ବିତିଯାଉଥିଲା ଦିନରାତି ମୋର। ଆମ ଭଲପାଇବା ଦିନର ମିଠା ମିଠା ସ୍ମୃତି ସବୁ ଜହ୍ନର ଓଠରୁ ଜ୍ଯୋସ୍ନା ହୋଇ ଝରିପଡୁଥିଲା। ତାରାଙ୍କ ଆଖିରୁ ସବୁଜିମା ସ୍ୱପ୍ନ ହୋଇ ଛାଇଯାଉଥିଲା। ସେଇ ମିଠା ଅତୀତର ସ୍ମୃତି ଉପରେ ମାଡି ଯାଇଛି ବର୍ତ୍ତମାନର ଧୂଳି। 


   ପ୍ରିୟତମା ତୁମେ ମୋ ପାଇଁ ଶୀତର ଉଷ୍ଣତା, ବର୍ଷାର ମହ୍ଲାର, ଫଗୁଣର ମଳୟ ଆଉ ଗ୍ରୀଷ୍ମର ଶୀତଳତା। ତୁମପାଇଁ ମୋ ପୃଥିବୀରେ ଚିର ବସନ୍ତର ସବୁଜିମା। କୋକିଳର କାକଳି, ପ୍ରେମର ବର୍ଣ୍ଣାଳୀ ଓ ମନ ଆକାଶର ଇନ୍ଦ୍ରଧନୁର ଅରୁଣିମା। ଜନ୍ମ ଜନ୍ମର ସମ୍ପର୍କ ତୁମର ଆଉ ମୋର। ତୁମେ ମୋ ହୃଦୟର ସ୍ପନ୍ଦନ। ତୁମ ପାଇଁ ହିଁ ବଞ୍ଚିରହିଛି ମୁଁ।


   ଆଜି ଶେଷ ଅନୁରୋଧଟିଏ ରଖିବ ମୋର? ଚାଲ ଆଉଥରେ ଫେରିଯିବା ସେଇ ଅତୀତକୁ। ସମୟର‌ ଧୂଳିଝଡରେ ପୁଣିଥରେ ଏକାଠି ପଢି ବସିବା ଆମର ସେଇ ପୁରୁଣା ଚିଠିକୁ,ଆଉ ହଜିଯିବା ତା ମିଠା ମହକରେ। କିନ୍ତୁ ତୁମେଯେ ଆଉ କେବେ ଫେରିପାରିବନି। ମୁଁ ବି ଆଉ ସହି ପାରୁନି ଏହି ବିରହ ର ଜ୍ୱଳନ୍ତା ଅଗ୍ନିକୁ, ତେଣୁ ସବୁଦିନ ପାଇଁ ଆଜି ମୁଁ ନେଉଛି ବିଦାୟ। ପୁଣି ଦେଖା ହେବା ଆର ଜନ୍ମରେ ସେଥିପାଇଁ ମତେ ଶୋଇବାକୁ ହେବ ଚିର ନିଦ୍ରାରେ। ବିଦାୟ। 

     ‌‌‌‌‌        ଇତି 

      ତୁମର ଅଯୋଗ୍ଯ ପ୍ରେମିକ ସାହିଲ୍


ଚିଠି ଟି ଲେଖି ସାରିବା ପରେ ସାହିଲ୍ ପିଇଦେଲା ବିଷ। ସ୍ୱଭାଗ୍ଯ ବସତଃ ପଡିଶା ଘରର ଲୋକମାନେ ସାହିଲ୍ କୁ ଠିକ୍ ସମୟରେ ଡାକ୍ତରଖାନା ନେବାରେ ସମର୍ଥ ହେଲେ। ଡାକ୍ତର ମାନେ ସାହିଲ୍ ର ଜୀବନ ବଞ୍ଚାଇଦେଲେ ସତ କିନ୍ତୁ ବିଷର ପ୍ରଭାବ ଏତେ ଅଧିକ ଥିଲା ଯେ ସାହିଲ ମସ୍ତିଷ୍କ ଭାରସାମ୍ଯ ହରାଇ ପାଗଳ ହୋଇଗଲା। ଏବେ ସେ କେବେ ଠିକ୍ ହେବ ତାହା କେବଳ ସେଇ ଭଗବାନଙ୍କୁ ଜଣା। ତେବେ ସାହିଲର ଏପରି ଅବସ୍ଥା ପାଇଁ ଦାୟୀ କିଏ? ତରୁଣ ବୟସର ପ୍ରେମ, ନା ପ୍ରେମିକା ସଞ୍ଜନା? ଏ ସମାଜ ନା ତାର ନିଃସଙ୍ଗତା? ନା କାହା ପାଖରେ ଟିକିଏ ଦୁଃଖ ସୁଖ ହେବାପାଇଁ ଗୋଟିଏ ସେକେଣ୍ତ ସମୟ ନଥିବା ତା' ପରିବାର ଲୋକ ମାନଙ୍କର???

  


Rate this content
Log in

Similar oriya story from Romance