ପ୍ରିୟ ହୃଦୟ କଥା- ୧୨
ପ୍ରିୟ ହୃଦୟ କଥା- ୧୨
ଯେଉଁ ବ୍ଯକ୍ତିର ସମ୍ପର୍କ ଯେତେ ମଜବୁତ୍ ସେ ବ୍ଯକ୍ତି ସେତେ ସଶକ୍ତ।
ସଫଳତା ପାଇଁ ଦଳଗତ କାର୍ଯ୍ଯ ନିହାତି ଆବଶ୍ଯକ। ଆପଣ ଯେତେ ବି ସକ୍ଷମ ହୁଅନ୍ତୁନା କାହିଁକି, ଆପଣଙ୍କୁ କେବେ ନା କେବେ ଅନ୍ଯମାନଙ୍କର ସାହାଯ୍ଯ ନିଶ୍ଚିତ ନେବାକୁ ହେବ। ଏଥିପାଇଁ ଏହା ଅତ୍ଯନ୍ତ ଜରୁରୀ ଯେ ଆପଣ ସମ୍ପର୍କ ଯୋଡି ଚାଲନ୍ତୁ। ଏ ସମ୍ପର୍କ ଦ୍ୱାରା ଆପଣଙ୍କୁ ଆଜି କଣ ଲାଭ ମିଳିବ? ଏହା ଚିନ୍ତା ନକରି ସମ୍ପର୍କ ସ୍ଥାପନ କରନ୍ତୁ। ଭବିଷ୍ଯତକୁ ନଜରରେ ରଖନ୍ତୁ। ଦୂରଦୃଷ୍ଟି ସମ୍ପର୍ଣ୍ଣ ହୁଅନ୍ତୁ।
ମହାଭାରତରେ କୌରବଙ୍କ ସହ ଯୁଦ୍ଧ କରିବା ପାଇଁ ପାଣ୍ଡବମାନଙ୍କ ନିକଟରେ କିଛିବି ନଥିଲା। ନା ସେନା, ନା ହତ ହତିଆର ବା ଅସ୍ତ୍ରଶସ୍ତ୍ର ନା ରାଜ୍ଯ। କିନ୍ତୁ ଥିଲା କେବଳ ସମ୍ପର୍କ। ଯାହା ସେମାନେ ଅତୀତରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକଙ୍କ ସହ ସ୍ଥାପନ କରିଥିଲେ। ଦୌପଦିଙ୍କୁ ବିବାହ କଲେ, ତେଣୁ ତାଙ୍କ ପିତା ପାଞ୍ଚାଳ ରାଜ୍ଯର ରାଜା ତାଙ୍କର ସମ୍ପର୍କୀୟ ହୋଇଗଲେ। ଅର୍ଜୁନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କୁ ବିବାହ କଲେ, ତେଣୁ କୃଷ୍ଣଙ୍କ ରାଜଧାନୀ ଦ୍ୱାରିକା କୁଟନୈତିକ ସ୍ତରରେ ପାଣ୍ଡବଙ୍କ ସହାୟତା ପାଇଁ ଆଗକୁ ଆସିଲେ। ଅର୍ଜୁନ ତାଙ୍କ ପୁତ୍ର ଅଭିମନ୍ଯୁର ବିବାହ ମତ୍ସ୍ଯ ରାଜ୍ଯର ରାଜକୁମାରୀ ଉତ୍ତରାଙ୍କ ସହ
କରାଇଲେ, ତେଣୁ କୁରୁକ୍ଷେତ୍ରରେ ମତ୍ସ୍ଯ ସେନା ପାଣ୍ଡବଙ୍କ ସପକ୍ଷରେ ଯୁଦ୍ଧ କଲେ। ଅତୀତରେ ବନବାସ ସମୟରେ ଭୀମ ରାକ୍ଷସୀ ହିଡିମ୍ବାକୁ ବିବାହ କରିଥିଲେ, ଓ ଏହି ସମ୍ପର୍କରୁ ଜାତ ପୁତ୍ର ଘଟ୍ଟୋତକୋଚ ମହାଭାରତ ଯୁଦ୍ଧରେ ପାଣ୍ଡବ ମାନଙ୍କ ପକ୍ଷରୁ ଯୁଦ୍ଧକରି ବୀରଗତିକୁ ପ୍ରାପ୍ତ ହେଲା, ମାତ୍ର କର୍ଣ୍ଣ ଓ କୌରବଙ୍କର ଏକ ବିରାଟ ଯୋଜନାକୁ ପଣ୍ଡ କରିବା ସହ ପାଣ୍ଡବମାନଙ୍କର ପ୍ରାଣ ରକ୍ଷା କରିବାରେ ସମର୍ଥ ହେଲା।
ପାଣ୍ଡବମାନେ ଅସଂଖ୍ଯ ବାଧା ସତ୍ତ୍ୱେ ଯଦି କୁରୁକ୍ଷେତ୍ର ଯୁଦ୍ଧରେ ବିଜୟୀ ହେଲେ, ତେବେ ତାହା କେବଳ ସେମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ ସମୟରେ ସ୍ଥାପିତ କରାଯାଇଥିବା ଏହି ସମ୍ପର୍କ ଗୁଡିକର ଏକତ୍ର ବଳ କାରଣରୁ ହିଁ ସମ୍ଭବ ହୋଇ ପାରିଲା।
ଏଠାରେ ଶିକ୍ଷା କରିବାର ବିଷୟ ହେଉଛି- ଆପଣଙ୍କର ସମ୍ପର୍କୀୟମାନଙ୍କ ସଂଖ୍ଯା ଯେତେ ଅଧିକ ହେବ, ଆପଣଙ୍କ ସଫଳତାର ସମ୍ଭାବନା ମଧ୍ଯ ସେତେ ଅଧିକ ହେବ। ତେଣୁ କ୍ଷଣିକ ଲାଭ ବା ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମ୍ପର୍କ ଗଢିବା ଅପେକ୍ଷା ହୃଦୟରୁ ସମ୍ପର୍କ ସ୍ଥାପନ କରନ୍ତୁ, ଦେଖିବେ ଏହା ନିଶ୍ଚିତ ଆପଣଙ୍କୁ ଆଜୀବନ ଲାଭ ପ୍ରଦାନ କରିବ। ତେବେ ପ୍ରକୃତେ ଆପଣ କଣ କରିବାକୁ ଚାହାଁନ୍ତି, ସେ ବିଚାର ଓ ନିଷ୍ପତି ବାସ୍ତବରେ ଏବେ କେବଳ ଆପଣଙ୍କର।