STORYMIRROR

Gangadhar Nanda

Romance Tragedy

3  

Gangadhar Nanda

Romance Tragedy

ସୁବର୍ଣ୍ଣ ପଞ୍ଜୁରୀ

ସୁବର୍ଣ୍ଣ ପଞ୍ଜୁରୀ

6 mins
253


       ' ଝୁନି !' ---- ' ଏ ଝୁନି -ଇ-ଇ-ଇ . . . . !' ' ଝୁନି ...ଲୋ...ଓ...ଓ . . . !'

ଗଭୀର ଅନ୍ଧକାର ଗର୍ଭରୁ କେଉଁଆଡ଼ୁ ଭାସି ଆସୁଛି ଏକ ବହୁ ପରିଚିତ ସ୍ଵରର ଡାକ ; ସ୍ଵରଟି ଅତି ଆପଣାର ଶୁଭୁଛି । ତଥାପି ଭଲ ଭାବରେ ମନେ ପଡୁନି । . . . . ନିଦ ଭାଙ୍ଗିଗଲା ଝୁନାମଣୀଙ୍କର । ବେଡ଼ ଉପରେ ଉଠି ବସିଲେ । ପାଣି ଢୋକେ ପିଇ ପୁଣି ଶୋଇବାକୁ ଚେଷ୍ଟା କଲେ । ସେ ତାହେଲେ ସ୍ଵପ୍ନ ଦେଖୁଥିଲେ ! ସେ ପରିଚିତ ସ୍ୱରଟି କାହାର ? ଚିହ୍ନା ଚିହ୍ନା ଲାଗୁଛି । ଅନେକବାର ସେ ଏ ଡାକ ଶୁଣିଛନ୍ତି । ଏସବୁ ଭାବିବା ଭିତରେ ପୁଣି ନିଦ ଲାଗିଗଲା । . . . . . . . ' ଝୁନି !' ' ' 'ଆଲୋ ହେ ଝୁନି..ଇ . . ଇ. . . !' ପୁଣି ସେଇ ଡାକ ! ଅନ୍ଧାରରେ କିଛି ଦେଖାଯାଉନି । କାହାର ଦୀର୍ଘନିଶ୍ୱାସ ଶୁଭୁଛି । ଜଣକର ନୁହେଁ, ମିଳିତ ଦୀର୍ଘନିଶ୍ଵାସ । କିଛି ଚୋବାଇ ସାରି ଢୋକିବାର ଶବ୍ଦ ଶୁଣାଗଲା । ସେ କେଉଁଠାରେ ଅଛନ୍ତି ? ଡାକର ପ୍ରତ୍ୟୁତ୍ତର ଦେବାକୁ ଇଚ୍ଛା ଥିଲେ ମଧ୍ୟ ଦେଇପାରୁନାହାଁନ୍ତି ; କାହାର ଗୋଟାଏ କର୍କଶ ଜିଭଟାଏ ହାତକୁ ଚାଟିବାରେ ଲାଗିଛି ।. . . ମନେ ପଡିଗଲା : ବୋଉ ଡ଼ାକୁଛି । ସେ ତା'ଙ୍କ ଘର ସାମ୍ନାରେ ଥିବା ଗୋରୁ ଗୁହାଳରେ ଲୁଚିଛନ୍ତି । ଗୋରୁମାନଙ୍କର ପାକୁଳି ସାଙ୍ଗକୁ ଦୀର୍ଘନିଶ୍ଵାସର ଶବ୍ଦ ଶୁଭୁଛି । କାଇଁଚ ( ତାଙ୍କର ପ୍ରିୟ କାଳି ଗାଈ ) ତାଙ୍କ ହାତକୁ ସ୍ନେହରେ ଚାଟୁଛି । ପିଲାଦିନେ ବାପାଙ୍କ ହାତରୁ ଦୁଷ୍ଟାମି ଜନିତ ଦଣ୍ଡ ପାଇବାର ସମ୍ଭାବନାକୁ ଏଡାଇବାକୁ ଏତେ ପ୍ରଚେଷ୍ଟା । ଏ ମଶା ଡାଉଁଶଙ୍କ ଗହଣରେ ବେଶି ସମୟ ଏଠାରେ ରହି ହେବନି । ବରଂ ମାଡ ହେଲେ ହଉ ! ଏଥର ଝୁନିକୁ ବାହାରକୁ ବାହାରିବାକୁ ପଡିବ । ସେ କିନ୍ତୁ ଗୁହାଳରୁ ବାହାରିବା ପୂର୍ବରୁ ବୋଉ ଆସି ଧରିସାରିଥିଲେ । ଛାଟିପିଟି ହୋଇ ବୋଉ କବଳରୁ ଖସିଯିବାର ଚେଷ୍ଟା କରିବା ଭିତରେ ପୁଣି ନିଦ ଭାଙ୍ଗିଗଲା ।


            ଝୁନାମଣୀ ପଟ୍ଟନାୟକ , ଖ୍ଯାତନାମା ଡାକ୍ତର ଅଶୋକ ପଟ୍ଟନାୟକଙ୍କର ଧର୍ମପତ୍ନୀ । ଭଗବାନ ତାଙ୍କୁ କେଉଁଥିରେ ଅଭାବ ରଖିନାହାଁନ୍ତି । ନିପଟ ଗାଁ ଗହଳିର ଗୋଟିଏ ମଧ୍ଯବିତ୍ତ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ସେ ଆଜି ସହରରେ ବିଳାସମୟ ଜୀବନ ଯାପନ କରୁଛନ୍ତି । ଜଣେ ଡାକ୍ତରଙ୍କର ପତ୍ନୀ ଭାବରେ ପାଖ ପଡୋଶୀମାନଙ୍କଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ କ୍ଷେତ୍ରରେ , ସର୍ବତ୍ର ଆଦର ସମ୍ମାନ ପାଇଛନ୍ତି । ଏବେ ମଧ୍ୟ ପାଉଛନ୍ତି । ପୁଅ ଝିଅ ଦୁଇଟି ଉଚ୍ଚଶିକ୍ଷିତ ହେବା ସହ ବିଦେଶରେ ଭଲ ଚାକିରୀରେ ଅଛନ୍ତି । ଝିଅର ବିବାହ ସରିଯାଇଥିବା ସ୍ଥଳେ ପୁଅର ମଧ୍ଯ ନିକଟରେ ବିବାହ ହେବା ଲାଗି ସବୁ ଠିକ୍ ଠାକ୍ ସରିଛି । ରୋଷେଇ ଠାରୁ ଆରମ୍ଭ କରି ସବୁ କାର୍ଯ୍ୟ କରିଦେବା ଲାଗି ଘରେ ଯଥା ସଂଖ୍ୟକ ଚାକର ପୂଜାରୀ ଅଛନ୍ତି । ଘରେ ସମସ୍ତ ଆଧୁନିକ ସୁଖ ସୁବିଧା ଉପଲବ୍ଧ ଅଛି । ସ୍ୱାମୀ ମଧ୍ଯ ତାଙ୍କୁ ବହୁତ ଭଲପା'ନ୍ତି । ବିବାହ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ କେବେ ସ୍ୱାମୀ ସ୍ତ୍ରୀ ଭିତରେ ମାନ ମନାନ୍ତର ହୋଇନି । କେବେ କେବେ ଏଇ ପାର୍ଟି ଫାର୍ଟିକୁ ଗଲାବେଳେ ଝୁନାମଣୀଙ୍କର ସାମାନ୍ୟ ଗାଉଁଲି ଚଳଣୀ ଓ ବ୍ୟବହାରକୁ ନେଇ ଅଶୋକବାବୁ ସାମାନ୍ୟ ଚିଡି ଯାଆନ୍ତି । ତେବେ ଘରକୁ ଆସିଲା ବେଳକୁ ସେସବୁ କିଛି ନଥାଏ । କିନ୍ତୁ ଗୋଟିଏ ବଡ଼ ଖୁସିର କଥା ହେଉଛି , ବିବାହ ପରେ ପରେ ଝୁନାମଣୀଙ୍କ ଜିଦ ଆଗରେ ହାରମାନି ଅଶୋକବାବୁ ନିଜର କିଛି ପୁରୁଣା ବଦଭ୍ୟାସକୁ ପରିତ୍ୟାଗ କରିପାରିଛନ୍ତି । ବଦଭ୍ୟାସ ବୋଇଲେ କେବେ କେବେ ସାଙ୍ଗମାନଙ୍କ ସାଙ୍ଗରେ କଥା ରକ୍ଷା ନିମିତ୍ତ ସାମାନ୍ୟ ମଦ୍ୟପାନ ଓ ଧୁମ୍ରପାନ । ଏତଦ୍‌ ବ୍ୟତିତ ଆଉ କିଛି କୁଅଭ୍ୟାସ ନଥିଲା । . . . .

         ଝୁନାମଣୀ ଶୋଇବାକୁ ଚେଷ୍ଟା କରୁଥିଲେ । ଏପଟ ସେପଟ ହୋଇ ଦୁଇଥର କଡ଼ ଲେଉଟାଇଲେ । ଆଉଥରେ ନିଦ ଲାଗିବାର ସମ୍ଭାବନା ବହୁତ କମ । ଏବେ ଏବେ ପ୍ରାୟ ଏମିତି ହେଉଛି । ମଝିରାତିରେ ନିଦ ଭାଙ୍ଗିଯିବା ପରେ ଆଉ ନିଦ ଲାଗୁନି । କାହିଁକି ଏପରି ହେଉଛି କେଜାଣି ! କୌଣସି ଦୁଃଶ୍ଚିନ୍ତା ନାହିଁ । ଭବିଷ୍ୟତ ଯୋଜନା ମଧ୍ୟ କିଛି ନାହିଁ । ପୂର୍ବର ସମସ୍ତ ଯୋଜନା ଫଳବତୀ ହୋଇ ସାରିଛି । କିଛି ତ ଅଭାବ ନାହିଁ ; ' ଅଭାବ ?' ହଁ , କ'ଣ ଗୋଟେ ଅଭାବ ରହିଯାଇଛି । ପୂର୍ବରୁ ଥିଲା , ଏବେ ମଧ୍ୟ ଅଛି । କ'ଣ ସେ ଅଭାବ ? ଏତେସବୁ ଥାଇ କି ମଧ୍ଯ କିପରି ଗୋଟାଏ ଶୂନ୍ୟତାବୋଧ ରହିଯାଉଛି । କ'ଣ ଗୋଟାଏ ହଜିଲା ଭଳି କିମ୍ଵା ହରାଇଲା ଭଳି ଲାଗୁଛି । କଣ ସେଇଟା ଠିକ୍ ଭାବରେ ମନେ ପଡୁନି । ଉଠି ବସି ସ୍ଵାମୀଙ୍କ ମୁହଁକୁ ଚାହିଁଲେ । ରୁମରେ ଜଳୁଥିବା ମୃଦୁ ନିଳାଭ ଆଲୋକରେ ନିଦ୍ରିତ ସ୍ୱାମିଙ୍କ ମୁଖମଣ୍ଡଳଟି ଅତ୍ୟନ୍ତ କମନୀୟ ଦେଖାଯାଉଥିଲା । ନିର୍ଲିପ୍ତ ମୁଖମଣ୍ଡଳ । ବୟସାଧିକ୍ୟ ହେତୁ ମଝିରେ ମଝିରେ ଘୁଙ୍ଗୁଡି ଶବ୍ଦ ସାମାନ୍ୟ ବଢିଯାଇ ପୁନର୍ବାର ପୂର୍ବ ଅବସ୍ଥାକୁ ଫେରିଆସି ଏକ ନିର୍ଦ୍ଦିଷ୍ଟ ତାଳର ମୂର୍ଚ୍ଛନା ସୃଷ୍ଟି କରୁଥିଲା । ଏସବୁ ପୂର୍ବରୁ ଅଭ୍ୟାସଗତ ହୋଇ ଯାଇଥିଲେ ମଧ୍ୟ ଆଜି କାହିଁକି ଭାରି ବିରକ୍ତ ଲାଗୁଥିଲା । ହାତ ଦ୍ଵାରା ସ୍ୱାମୀଙ୍କୁ ସାମାନ୍ୟ ଠେଲିଦେଇ ଡାକିଲେ , ' ଶୁଣୁଛ ? ଚିକିଏ ଉଠିବଟି ! ମୋତେ କିଛି ଭଲ ଲାଗୁନି ।' ନିଦ ମଳ ମଳ ଆଖିରେ ଅଶୋକବାବୁ ଉଠିକରି ବସିଲେ । ମୁହଁରେ ଆଶ୍ଚର୍ଯ୍ୟ ଭାବ । ' କ'ଣ ହେଲା ? ଦେହ ଠିକ୍ ଲାଗୁଛି ତ ?' 

' ହଁ , ମୁଁ ଠିକ ଅଛି । ନିଦ ଲାଗୁନଥିଲା , ସେଥିପାଇଁ ଡାକିଦେଲି ।' 

' ଓକେ । ଏବେ ଶୋଇପଡ ।' ଅଶୋକବାବୁ ଏତକ କହିସାରି ଶୋଇବାକୁ ଉଦ୍ୟତ ହେଲେ ।

' ନାଇଁ ତୁମେ ଏବେ ଶୁଅନି । ଆମେ ଟିକିଏ କଥା ହେବା । କଥା ହେଲେ ମତେ ଟିକେ ଭଲ ଲାଗିବ ।' ଝୁନାମଣୀ ଅଳି କଲେ ।

' ଅଲରାଇଟ୍ , ମୁଁ ତାହେଲେ ବାଥରୁମରୁ ଆସେ , କଥା ହେବା ।' ଅଶୋକବାବୁ ବାଥରୁମରେ ପଶି ଭିତରୁ ଦରଜା ବନ୍ଦକଲେ ।

         ପୁନର୍ବାର ଭାବନା ରାଜ୍ୟକୁ ଫେରିଗଲେ ଝୁନାମଣୀ । କ'ଣ ଗୋଟାଏ ଅଭାବ ରହିଯାଉଛି । ମନେପକାଇବାକୁ ଚେଷ୍ଟା କଲେ । ଝାପ୍ସା ମନେ ପଡିଲା । ବିକାଶ ପ୍ରଧାନ ; ପାଖ ଗାଁ'ରେ ଘର । ହାଇସ୍କୁଲରେ ଝୁନାମଣୀଙ୍କ ଉପର ବ୍ୟାଚରେ ପଢୁଥିଲା । ସ୍କୁଲରେ ବହୁତ ଦୁଷ୍ଟାମୀ କରେ । ସ୍କୁଲ ଛାଡ଼ିବା ପରେ ଦୁଷ୍ଟାମୀ ଆହୁରି ବଢିଲା । ସ୍କୁଲ ଯିବା ବାଟରେ ବସିରହି ଆଡ୍‌ଡ଼ା ଜମାଏ । ଝିଅପିଲାଙ୍କୁ କମେଣ୍ଟ କରେ । ସିଗାରେଟ ଟାଣି ମୁହଁକୁ ଧୂଆଁ ଛାଡେ । ବେଳେ ବେଳେ ମଦ ପିଏ ବୋଲି ଝୁନି ଶୁଣିଛି । କିନ୍ତୁ ସବୁ କାମରେ ଧୁରନ୍ଧର । ଫାଜିଲାମିରେ ଯେମିତି , କାହାର ଉପକାର କରିବାରେ ବି ସେମିତି । ଗାଁ'ର କୋଠମାଠ କାମ ମଧ୍ଯ ବଡ ଉତ୍ସାହ ସହକାରେ କରେ । ତେଣୁ ଗାଁ' ଲୋକ ସବୁ ଜାଣିଲେ ବି ତାକୁ କେହି କିଛି କହନ୍ତିନି । କିନ୍ତୁ ବିକାଶ ଝୁନିକୁ କେବେ କିଛି କୁହେନି । ବରଂ ଦେଖିଲେ ଚୁପ ହୋଇ ଯାଏ । ତା'ର ବେପରୁୱା ଢଙ୍ଗଢାଙ୍ଗ ଝୁନିକୁ ଭାରି ଭଲ ଲାଗେ । ଅଜାଣତରେ ଝୁନିର କିଶୋରୀ ମନ ଭିତରେ ବିକାଶ ପ୍ରତି ଦୁର୍ବଳତା ଆସି ଯାଇଥିଲା । ବିକାଶକୁ ନେଇ ନୂଆ ନୂଆ ସ୍ୱପ୍ନ ଦେଖିବା ଆରମ୍ଭ କରୁଥିଲା ଝୁନି । ଦିନେ ମନ ଖୋଲି କହିଦେବ ବୋଲି ଭାବିଲା । 

' ବିକାଶ ଭାଇ ! ତୁ ମଦ ସିଗାରେଟ ଆଦି କାହିଁକି ପିଉଛୁ ? ସେଗୁଡାକ ନଖାଇଲେ କଣ ଭାସିଯିବ ?' 

' ତୋର କ'ଣ ଅସୁବିଧା ହେଉଛି ?' ଚିରାଚରିତ ବେପରୁୱା ଢଙ୍ଗରେ ଉତ୍ତର ଦେଲା ବିକାଶ । 

 ' ମୋର ଅସୁବିଧା ହେଉଛି ବୋଲି କହୁଛି ।' ବୁଝିବାକୁ ଚେଷ୍ଟା କଲେ ବୁଝନ୍ତୁ ।' ସେଦିନ ଝୁନିର ଏ ଉତ୍ତର ଶୁଣି ନିର୍ବାକ ହୋଇଯାଇଥିଲା ବିକାଶ ।

 ପରଦିନ ବିକାଶ ଦେଖାହେଲା ।

' ଏ ଝୁନି ! ଶୁଣ୍ ।' ଧିରେ ଧିରେ ବିକାଶ ପାଖକୁ ଆସିଲା । ' ତୁ ଭଲ ଘର ପିଲା । ଭଲ ପଢୁଛୁ । ବଡ ଘରେ ବାହା ହବୁ । ମୋ ଭଳି ହତଭାଗାଠାରୁ ପାଇବୁ କ'ଣ ?' କହିସାରି ବିକାଶ ପାଟିରୁ ଧୂଆଁ ଛାଡିଲା । ପାଟିରୁ ମଦ ଗନ୍ଧ ଷ୍ପଷ୍ଟ ବାରି ହୋଇପଡ଼ୁଥିଲା ।

ତା'ପରଠାରୁ ଆଉ କେବେ ବିକାଶ ସଙ୍ଗେ ଦେଖା ହେଇନି । ଜାଣି ଶୁଣି ସେ ଆଡେଇ ହୋଇ ରହେ । ଏବେ କେଉଁଠି ଥିବ , କ'ଣ କରୁଥିବ କେଜାଣି ?

        ବାଥରୁମ ଦରଜା ଖୋଲା ଶବ୍ଦରେ ଧ୍ୟାନ ଭଙ୍ଗ ହେଲା । 

' କ'ଣ କହୁଥିଲ କୁହ ।' କହିସାରି ଅଶୋକବାବୁ ପାଖରେ ଆସି ବସିଲେ । 

' ଡ୍ରଇଁରୁମକୁ ଚାଲ ।' କହିସାରି ଝୁନାମଣୀ ଆଗେ ଆଗେ ଚାଲିଲେ । 

ଡ୍ରଇଁରୁମର ୱାର୍ଡରୋଵ ଥାକରେ ସଜ୍ଜିତ ହୋଇ ରହିଛି ବିଭିନ୍ନ ଦାମୀ ବ୍ରାଣ୍ଡର ମଦ ଓ ସିଗାରେଟ । ଘରକୁ କେବେ କେହି ଅତିଥିଙ୍କର ଆଗମନ ହେଲେ ଏସବୁର ଆବଶ୍ୟକତା ପଡ଼େ । ଝୁନାମଣୀ ନିଜ ହାତରେ ଗୋଟିଏ ପେଗ୍ ବନେଇ ସାରି ଅଶୋକବାବୁଙ୍କୁ ବଢେଇଲେ । 

' ମୁୁଁ ପରା ଛାଡି ଦେଇଛି । ପୁଣି ଏ ସବୁ କଣ ?' ଅଶୋକ ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରୁଥିଲେ ।

' ତୁମେ ଏଇ ଗୋଟିଏ ଥର ନିଅ , ପ୍ଲିଜ ।'

 ଅଳ୍ପ ଟିକିଏ ପିଇସାରିବା ପରେ ବାନ୍ତି ଓକାର ଆରମ୍ଭ ହେଲା । 

ଟିକିଏ ପରେ ଅଶୋକବାବୁ ଦମ ନେଇ ବସିଲେ । ' ମୋତେ ଟିକିଏ ଆମ ଗାଁ'କୁ ନେଇପାରିବ ? ଏ ସୁନା ପଞ୍ଜୁରୀରୁ ମୁଁ କିଛି କ୍ଷଣ ପାଇଁ ମୁକ୍ତ ହେବାକୁ ଚାହୁଁଛି ।' ଝୁନାମଣୀ ପଥର ଭଳି ବସିରହିଥିବା ଅବସ୍ଥାରେ କହିଲେ । କିଛି ସମୟ ନିରବରେ ବିତିଗଲା । କେବଳ ସିଲିଂ ଫ୍ୟାନ ଫୁଲ ସ୍ପିଡ୍‌ରେ ବୁଲିବାର ଶବ୍ଦ । 

' ଖଣ୍ଡିଏ ସିଗାରେଟ ଟାଣ ।' ଏତକ କହିବା ସହିତ ଝୁନାମଣୀ ଅଶୋକବାବୁଙ୍କ ହାତକୁ ସିଗାରେଟ ଓ ଲାଇଟର ବଢେଇଲେ ।

ପୁନଃ ପୁନରାବସ୍ଥା ! ଅଶୋକବାବୁ କାଶି କାଶି ବେଦମ ହେଲେ । 

' ଧେତ୍ , ତୁମ ଦେଇ କିଛି ହେବନି ।' ଝୁନାମଣୀ ଏତକ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଆକ୍ଷେପ କରିସାରି ବାହାର ଲନକୁ ଆସିଲେ । 

          ଆକାଶରେ କୁଆଁତାରା ସ୍ପଷ୍ଟ ଦେଖା ଯାଉଛି । ନିସ୍ତବ୍ଧ ରାତି ତା'ର ଅଖଣ୍ତତା ବଜାୟ ରଖିବାକୁ ଚେଷ୍ଟାକରି ବିଫଳ ହେଉଛି । ଦୂରରୁ ଟ୍ରେନର ସାଇରନ ଶୁଭୁଛି । ଝୁନାମଣୀ ନିଜ କିଶୋରୀ ଜୀବନର ମଧୂର ସ୍କୃତିକୁ ସାଉଁଟିବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି । ବାହାହେବା ପରେ ଶାଶୁଘରେ କେହି ଝୁନି ଡାକନ୍ତିନି । ପରମ୍ପରା ନାମରେ ସେ ନାମଟି ବଳି ପଡିଯାଇ ନୂଆ ନାମ ଦିଆହୋଇଛି । କେବଳ ଝୁନାମଣୀ ନାମଟି ଯୋଗ୍ୟତା ଭିତ୍ତିକ ସାର୍ଟିଫିକେଟରେ ଅଙ୍କିତ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ବଜାୟ ରହିଛି ।

 ଏଇ ଅଭାବବୋଧ ପାଇଁ ନିଦ ହେଉନି । ବୋଉ ମରିବା ଅନେକ ଦିନ ହେଇଗଲାଣି । ଆଉ କେହି ଝୁନି ଡାକୁନାହାଁନ୍ତି । ଆଗକୁ କେହି ଡାକିବେନି ମଧ୍ୟ । ହୃଦୟର କେଉଁ ଗଭୀର ପ୍ରଦେଶରୁ ମଝିରେ ମଝିରେ ସେ ଡାକର ଲହରୀ ଆସି କର୍ଣ୍ଣପଟଳର ଅନ୍ତଃପ୍ରଦେଶକୁ ଭେଦ କରିଯାଉଛି । ସହରୀ ଜୀବନର ବ୍ୟସ୍ତତା ଭିତରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅନ୍ତରଙ୍ଗ ଆଳାପର ସମ୍ପୁର୍ଣ୍ଣ ଅଭାବ । ପଦେ ପଦେ କଥାରେ କାମ ଚଳିଯାଏ । ତେଣୁ ନାମକୁ ନେଇ ସମ୍ବୋଧନର ଅବକାଶ ନଥାଏ । ପିଲାମାନେ ମାମା ଡାକିବା ସହିତ ଅନ୍ୟମାନେ ମା' , ମାଡାମ ଇତ୍ୟାଦି ସମ୍ଭ୍ରମତା ବୋଧ ଶବ୍ଦଗୁଡିକର ସାହାରା ନିଅନ୍ତି । ***

           ସକାଳ ହୋଇ ଆସିଲାଣି । ଝୁନାମଣୀ ପ୍ରକୃତିସ୍ଥ ହେଲେ । ମନେ ମନେ ଗାଁ'କୁ ଯିବାର ନିଷ୍ପତ୍ତି ନେଇସାରି ନିତ୍ୟକର୍ମ ସାରି ଗାଡିରେ ବସିଲେ । ଡ୍ରାଇଭର ଗୋପାଳ କାର ଚଳାଉଥିଲା । ପ୍ରାୟ ଘଣ୍ଟାକର ରାସ୍ତା । କାରର ଝରକା ଦେଇ ବାହାରର ଦୃଶ୍ୟ ଦେଖିବା ଭିତରେ ଜନ୍ମମାଟି ପାଖେଇ ଆସୁଥିଲା । 

'କାହିଁକି ସେ ଗାଁ'କୁ ଯାଉଛନ୍ତି ? ଗାଁ'ରେ ସେମିତି କେହି ନିଜର ନାହାଁନ୍ତି । ବାପା ବୋଉଙ୍କର ଅନେକ ଦିନ ତଳୁ ଦେହାନ୍ତ ହୋଇ ସାରିଛି । ଦାଦା ବହୁ କୁଟୁମ୍ବି ଥିବାରୁ ଚଳିବା ସୁବିଧା ପାଇଁ ‌‌ପୈତୃକ ଘର ଖଣ୍ଡିକ ତାଙ୍କୁ ଦାନ ଦିଆ ସରିଛି । ଅବଶ୍ୟ ଯେତେବେଳେ ଗଲେ ଚ଼ର୍ଚ୍ଚାବାର୍ଚ୍ଚାରେ କିଛି ଅସୁବିଧା ହୁଏନି । ଦାଦାଙ୍କର ମଝିଆ ପୁଅ ସୁରେଶ , ଝୁନାମଣୀଙ୍କର ବାଲ୍ୟସାଥି ତଥା ସହପାଠୀ ଥିଲା । ମଝିରେ ମଝିରେ ତା'ଠାରୁ ଫୋନ ମାଧ୍ୟମରେ ଗାଁ'ର ଭଲମନ୍ଦ ଖବର ମିଳେ । 

                  ଦାଦାଙ୍କ ଦ୍ଵାର ସମ୍ମୁଖରେ ପହଞ୍ଚିସାରି ଗୋପାଳ ହର୍ଣ୍ଣ ମାରିଲା । ଝୁନାମଣୀ ଦାଣ୍ଡ ପାହାଚ଼ ଅତିକ୍ରମ କରି ଘର ଭିତରକୁ ପ୍ରବେଶ କଲେ । ଯଥାବିଧି ଆଦର ଅଭ୍ୟର୍ଥନା ସରିବା ଭିତରେ ପ୍ରାୟ ଘଣ୍ଟାଏ ସମୟ ଅତିକ୍ରାନ୍ତ ହୋଇଗଲା । ମନ ଟିକେ ହାଲକା ଲାଗୁଥିଲା । ଝୁନାମଣୀ ଫେରିବା ପାଇଁ ବାହାରିଲେ । ଦାଣ୍ଡ ବାରଣ୍ଡାକୁ ଆସି ସାମ୍ନାରେ ଥିବା ଅର୍ଦ୍ଧଭଗ୍ନ ଗୁହାଳକୁ ଚାହିଁଲେ । ସେଠାରେ ଗାଈ ବଦଳରେ କିଛି ଶୁଖିଲା ଜାଳ କାଠ ନିଜର ଆଧିପତ୍ୟ ବିସ୍ତାର କରି ରହିଥିଲେ । 

'ସୁରେଶ !' ଝୁନାମଣୀ ଡାକିଲେ ।

'ହଁ କହ ! କଣ ହେଲା ?' ବିଦାୟ ଜଣାଇବାକୁ ଆସି ପାଖରେ ଠିଆ ହୋଇଥିବା ସୁରେଶ ଉତ୍ତର ଦେଲା ।

'ହାଇସ୍କୁଲରେ ଆମର ଜଣେ ସିନିଅର ବ୍ୟାଚ଼ର ପିଲା ବିକାଶ ପ୍ରଧାନ ; ତୋର ମନେ ଅଛି ?' 

'ହଁ ମନେଅଛି । ତା' କଥା କାହିଁକି ପଚାରୁଛୁ ?'

'ନାଇଁ ଏମିତି ପଚାରି ଦେଲି । ସେ ଏବେ କଣ କରୁଛି ?'

'ଅର୍ଦ୍ଧ ପାଗଳ ଅବସ୍ଥା । ଅଧା କଣ , ପୁରା ପାଗଳ କହିଲେ ଠିକ୍ ହେବ । ବିବାହ କଲାନି । ଜମିବାଡି ସବୁ ନିଶାପାଣିରେ ଗଲା । ଏବେ ଅନ୍ୟମାନଙ୍କ ଦୟାରେ ଖାଉଛି । ନିଜ ଭଙ୍ଗା ଘରେ ଶୋଉଛି ।' ସୁରେଶ ଉତ୍ତର ଦେଲା ।

'ଏବେ ସେ କେଉଁଠି ଥିବ ?' ଝୁନାମଣୀ ଅନ୍ୟମନସ୍କ ଭାବରେ ପଚାରିଲେ ।

' ହାଇସ୍କୁଲ ପାଖରେ ଥିବା ଚା' ଦୋକାନରେ ବସିଥିବ ।'

'ହଉ ଠିିକ ଅଛି । ମୁଁ ଏବେ ଆସୁଛି । ସୁବିଧା ଅସୁବିଧା କଥା ଜଣେଇବୁ ।' କହିସାରି ଝୁନାମଣୀ ଗାଡିରେ ବସିଲେ । କିଛି ସମୟ ପରେ ଗାଡି ହାଇସ୍କୁଲ ପାଖରେ ପହଞ୍ଚିଲା । ଗୋପାଳକୁ ଗାଡିରେ ରହିବାକୁ କହି ଝୁନାମଣୀ ସୁରେଶ କହିଥିବା ଚା' ଦୋକାନ ପାଖକୁ ଧିରେ ଧିରେ ଗଲେ । ତେଲିଆ କାଠ ବେଞ୍ଚରେ କେହିଜଣେ ମଇଳା ଚଦରଟିଏ ଘୋଡି ହୋଇ ବସିଥିଲା । 

'ଏଠାକୁ ବିକାଶ ପ୍ରଧାନ ନାମକ ଜଣେ ଲୋକ ଆସନ୍ତି କି ?' ଦୋକାନୀ ଉଦ୍ଦେଶ୍ୟରେ ଝୁନାମଣୀ ପଚାରୁଥିଲେ । ଦୋକାନୀ ଉକ୍ତ ଚ଼ଦର ପରିବେଷ୍ଟିତ ହୋଇ ବସି ରହିଥିବା ବ୍ୟକ୍ତିଟି ପ୍ରତି ଆଖିରେ ଇଶାରା କଲା । ବ୍ୟକ୍ତିଟି ମଧ୍ୟ ନିଜ ନାମ ଉଚ୍ଚାରଣକାରୀଙ୍କୁ ଦେଖିବା କୌତୁହଳରେ ପ୍ରଶ୍ନକର୍ତ୍ତୀଙ୍କୁ ମୁହଁ ଉଠାଇ ଚାହିଁଲା । ଅଯତ୍ନ ବର୍ଦ୍ଧିତ ଶ୍ମଶ୍ରୁ ପରିବେଷ୍ଟିତ ଶୁସ୍କ ମୁଖମଣ୍ଡଳର କୋଟରଗତ ଚକ୍ଷୁ ଦୁଇଟିରେ ମୂହୁର୍ତ୍ତକ ପାଇଁ ଏକ ଚ଼ମକ ଦୃଶ୍ୟମାନ ହୋଇ ଉଭେଇ ଗଲା ।

'ଝୁନି ! ତୁ ଭଲରେ ଅଛୁ ତ ?' ପାତାଳ ଗର୍ଭରୁ ସ୍ଵରର ସ୍ଫୁରଣ ହେବା ଭଳି ପ୍ରତୀୟମାନ ହେଲା । ଏଥର ଚମକିବା ପାଳିଥିଲା ଝୁନାମଣୀଙ୍କର ।

'ବିକାଶ ଭାଇ ! ଏଠାରେ . . . . ଏ ଅବସ୍ଥାରେ . . . .!'

'.... . ' । ପ୍ରତ୍ୟୁତ୍ତରରେ ଶୁସ୍କ ଓଠରେ ଖେଳିଗଲା ଗୋଟିଏ ଛୋଟିଆ ସ୍ମିତହାସ୍ୟ ।

'ଆଜ୍ଞା ! ବଦ୍ଧ ପାଗଳଟାଏ । ତା' ସାଙ୍ଗେ କଥା ହେଇ କିଛି ଲାଭ ନାହିଁ । ତା'ର ନିଜ ନାଁ ବି ମନେ ନାହିଁ । ତା' ସାଙ୍ଗେ ଆପଣ କି କଥାବାର୍ତ୍ତା ହେଉଛନ୍ତି ?' ବିସ୍ମିତ ଦୋକାନୀଟି ପଚାରୁଥିଲା । 

'ପାଗଳ ! ପାଗଳାମୀଟା କଣ ଟିକିଏ କହିଲ , ମୁଁ ଶୁଣେ ।' 

'ନାଇଁ ଆଜ୍ଞା , ସେ କାହାକୁ କିଛି କୁହେନି । ବାସ୍ , ଦିନସାରା ଏଇଠି ବସିଥିବ । ଖାଇବାକୁ ଦେଲେ ଖାଇବ ; ନଦେଲେ ବି ମାଗିବନି । ମନ ସମ୍ଭାଳେନି ; ଘରୁ ଆଣି ଖାଇବାକୁ ଦିଏ । ଆମ ଘରେ ପ୍ରବଳ ଅଶାନ୍ତି । ଅଭାବ କଷ୍ଟରେ ଆଉ ଗୋଟିଏ ପେଟକୁ ଦାନା ଯୋଗାଇବା କିଛି କମ କଥା ନୁହେଁ ଆଜ୍ଞା । ପଚାରିଲେ କହିବ , ମୁଁ ଜଣକୁ ଅପେକ୍ଷା କରିଛି । ସେ ଆସିଲେ ତୋ ପଇସା ପାଇଯିବୁ । ଭଗବାନ ଜାଣନ୍ତି , ସେ କାହାକୁ ଅପେକ୍ଷା କରିଛି !'

'ସେ ଏବେଠାରୁ କାହାକୁ ଆଉ ଅପେକ୍ଷା କରିବନି ।' କହିସାରି ଝୁନାମଣୀ ଗୋପାଳକୁ ହାତ ହଲାଇ ଡାକିଲେ । 

'ଏ ଲୋକଟିର ଖର୍ଚ୍ଚ ବାବଦରେ କେତେ ଟଙ୍କା ପାଇଲେ ଖୁସିହେବ ?'

'ଟଙ୍କା ଦି' ହଜାର ହେଲେ ଆଜ୍ଞା କେତେ କଥା । ହେଁ . .ହେଁ. . .ହେଁ .. l'

'ନିଅ ।' ଝୁନାମଣୀ ଭ୍ୟାନିଟ ବ୍ୟାଗ ଦରାଣ୍ଡିସାରି ଯାହା ମିଳିଲା ଦେଇଦେଲେ । ହାତଖର୍ଚ୍ଚ ପାଇଁ ଅତିକମରେ ଦଶହଜାରରୁ ଅଧିକ ଟଙ୍କା କ୍ୟାଶ ଆକାରରେ ସର୍ବଦା ପାଖରେ ଥାଏ ।

'ଏ ଲୋକ ଆଜିପର୍ଯ୍ୟନ୍ତ ମୋତେ ହିିଁ ଅପେକ୍ଷା କରିଥିଲା ।'

'ଆଁ. . . . , ଆପଣଙ୍କୁ ଅପେକ୍ଷା କରିଥିଲା !' ଦୋକାନୀର ବିସ୍ମୟ ଚକିତ ସ୍ୱର ଶୁଭିଲା ।

 ଝୁନାମଣୀଙ୍କର କହିବା ମୁତାବକ ଗୋପାଳ ବିକାଶକୁ ନେଇ ଗାଡିରେ ବସାଇଲା । 

   * * * *

      ଦିନ ପନ୍ଦରଟା ମଧ୍ୟରେ ଝୁନାମଣୀଙ୍କ ତତ୍ତ୍ଵାବଧାନରେ ଓ ଅଶୋକବାବୁଙ୍କ ସହାୟତାରେ ବିକାଶ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଗ୍ରାମକୁ ଫେରିଲା । ଆଵଶ୍ଯକୀୟ ଟଙ୍କା ପଠାଯାଇ ସୁରେଶ ଦ୍ଵାରା ବିକାଶର ଭଗ୍ନଗୃହଟିର ପୁନଃନିର୍ମାଣ ହେବା ସହିତ ଚଳିବା ପାଇଁ ସୁବନ୍ଦୋବସ୍ତ ମଧ୍ୟ କରି ଦିଆଗଲା । ******

                ରାତ୍ର ପ୍ରାୟ ତିନିଟା । ଝୁନାମଣୀଙ୍କର ନିଦ ଭାଙ୍ଗିଗଲା । ଉଠିକରି ବାଲକୋନିରେ ଆସି ଛିଡା ହେଲେ । ଗୋଟିଏ ଦୂରଗାମୀ ଏକ୍ସପ୍ରେସ ଟ୍ରେନର ସାଇରନ ଶୁଭୁଥିଲା । ନିଜ କାନ୍ଧରେ କାହାର ସ୍ପର୍ଷ ପାଇ ଝୁନାମଣୀ ପଛକୁ ଚାହିଁଲେ । ନିଜ ସ୍ୱାମୀଙ୍କର ସ୍ନେହ ଆଦର ଭରା ନିବିଡ ସ୍ସର୍ଷ । ଏବେ ଆଉ ଟ୍ରେନର ସାଇରନ ଶୁଣିଲେ ଭୟ ଲାଗୁନି । ସମାପ୍ତ ।। 

     ଜୟ ଜଗନ୍ନାଥ 🙏



       


Rate this content
Log in

Similar oriya story from Romance