Soumya Shubhadarshinee

Romance Tragedy

3  

Soumya Shubhadarshinee

Romance Tragedy

ସ୍ଥିରତା

ସ୍ଥିରତା

5 mins
404



 ସହବାସର ସଫଳତା ସହଭାଗିତା ଉପରେ ହିଁ । ଗୋଟେ ସାମାଜିକ ସମ୍ପର୍କ , ଦୁଇଟି ଅପରିଚିତ ମଣିଷଙ୍କ ଭିତରେ ସହଜ ନୁହେଁ ଏଇ ସହଭାଗିତା ବ୍ୟତିରେକ । ନିଜ ନିଜର ଯନ୍ତ୍ରଣା ସହ ପରସ୍ପରର ବେଦନା ମଧ୍ୟ ସମ ଭାବରେ ବାଣ୍ଟି ନେବାର କଳା ହିଁ ଜୀବନ ।


★★★★★


 ଜୀବନଟା ପୃଥିବୀର ଆବର୍ତ୍ତନ କି ପରିକ୍ରମଣ ନୁହେଁ ଯେ ମାନିବ ନିର୍ଦ୍ଦିଷ୍ଟ ଅକ୍ଷ କି କକ୍ଷ ପଥ । ହେଇଯିବ ଏକଦମ ସମୟାନୁବର୍ତ୍ତି ; ଥରେ ଆବର୍ତ୍ତନ ପାଇଁ ଚବିଶ ଘଣ୍ଟା ଆଉ ଥରୁଟିଏ ପରିକ୍ରମଣ ପାଇଁ ତିନି ଶହ ପଞ୍ଚସଠି ଦିନ । ନା ' ଜୀବନଟା ଧୂମକେତୁ ଭଳି ଅନିଶ୍ଚିତ । ଜଣା ନଥାଏ ଏହାର ଗତିବିଧି । କେବେ ଆସେ ଆଉ କେବେ ଯାଏ କେହି ଜାଣନ୍ତି ନାହିଁ । 

ଅନିଶ୍ଚିତତା ହିଁ ଜୀବନର ସବୁଠାରୁ ବଡ଼ ପରିଚୟ । ଏଠି ନିଶ୍ୱାସକୁ ବିଶ୍ୱାସ ନାହିଁ ।

 ଏମିତି କ୍ଷଣସ୍ଥାୟୀ ଜୀବନକୁ ଜିଇଁବାରେ କାର୍ପଣ୍ୟ କରିବା ମୂର୍ଖାମୀ । ଏଠି ପ୍ରତି ମୁହୂର୍ତ୍ତକୁ ନୂଆ ରୂପ ଦେବା ଉଚିତ । ପ୍ରତି ନିଶ୍ୱାସକୁ ନୂଆ ଉନ୍ମାଦନା ଦେବା ଜରୁରୀ । ପ୍ରତି ସ୍ପନ୍ଦନକୁ ନୂଆ ଉର୍ଜା ଦେବା ଆବଶ୍ୟକ । ଏଠି କାଲି ବୋଲି ଶବ୍ଦଟା ହିଁ ନଥାଏ ପ୍ରକୃତରେ। କାରଣ କେହି ଯେ କାଲିକୁ ଦେଖିପାରିବ , କହିବା ସହଜ ନୁହେଁ। କିଏ ଦେଖିଛି କାଲିକୁ କାଲି ନଆସିବା ଯାଏଁ ହାଁ !

 ମୟୁରୀ ରାୟ ଏମିତି ଦେଖେ ଜୀବନକୁ ଗୋଟେ ଭିନ୍ନ ଲେନ୍ସ ରେ । ତା'ର ପ୍ରତି ମୁହୂର୍ତ୍ତରେ ସ୍ପାର୍କ ଲୋଡ଼ା । ସେ ଜୀବନକୁ ଉପଭୋଗ କରିବାକୁ ଚାହେଁ ପ୍ରାଣଭରି । ଜୀବନକୁ ଟିକିଏ ମଧ୍ୟ ସିରିୟସ କରିବାକୁ ଇଚ୍ଛା ହୁଏନି ତା'ର । ଖାଅ , ପିଅ , ନାଚ , ଗାଅ , ମତୁଆଲା ହୁଅ ଆଉ ଥକି ଯାଅ । ବାସ ଏତିକିରେ ହିଁ ତୃପ୍ତି । ବଢିଆ ରାତି ଭର୍ତ୍ତି ନିଦ ମିଳିବ ଆଉ ଗୋଟେ ସତେଜ ସକାଳ ଉପହାର ପାଇବ । 

 ଏମିତି ଆଧୁନିକା ଝିଅଟି ପ୍ରତି ଅଂଶୁ ଆକର୍ଷିତ ହେବା ଅସ୍ୱାଭାବିକ ନୁହେଁ । ଝିଅଟା ମୁକ୍ତ ଚେତନା ଆଉ ଅପୁର୍ବ ରୂପର ଚମତ୍କାର ଯୁଗଲବନ୍ଦୀ । ଆଖି ଲାଖିଲା ଭଳି ଗୋଟେ ମାଷ୍ଟର୍ ପିସ୍ । ଏମିତି ଝିଅଟେ ସହ କିଛି ମୁହୂର୍ତ୍ତ ବିତେଇବା ବି ସୌଭାଗ୍ୟ ।

ଆଉ ଯଦି ଝିଅଟା ଏକଦମ ହାତ ପାହାନ୍ତାରେ ମିଳିଯିବ ତେବେ ?

 ଅଂଶୁ ଭଳି ସାଧାରଣ ମଣିଷର ଚିତ୍ତ ବିଚ୍ୟୁତି ହେବା ସ୍ବାଭାବିକ । ସେ ତ ଆଉ ରାମଚନ୍ଦ୍ର ନୁହେଁ ଯେ ଏକପତ୍ନୀ ବ୍ରତରେ ବ୍ରତୀ । ସେ ଆଜିର ସମୟର ଗୋଟେ ନର୍ମାଲ ମଣିଷ ଯାହା ଭିତରେ ହଜାରେ ଅବିଗୁଣ । 

 ସବୁ ଠିକ ଥିଲା , ମୟୂରୀ , ପବ୍ ,ପାର୍ଟି , ଡ୍ରିଂକ୍ସ , ହୋଟେଲ । ଏକଦମ ରଙ୍ଗୀନ । ଅଂଶୁ ପାଖରେ ଆଲିବାବା ଖଜାନା ଆଉ ମୟୂରୀ ପାଖରେ ଯୌବନର ଗନ୍ତାଘର । ଉଭୟ ବେଶ ତୃପ୍ତ ଥିଲେ । ବେଶ ସୁଖୀ ଥିଲେ ଜେଯାଏଁ ସୁଲଗ୍ନାକୁ ଖବର ନଥିଲା ।

--------------


 ପେନ୍ ଡ୍ରାଇଭ୍ ଟା କୁ ଲ୍ୟାପଟପ୍ ରୁ କାଢି ନେଲା ସୁଲଗ୍ନା । ପୁଣି ଥରେ ଦେଖିନେଲା ସୁନ୍ଦର ସୁନେଲି ରଙ୍ଗର ଖୋଳପା ଭିତରେ ସାଇତା ନିର୍ଜୀବ ଯନ୍ତ୍ର ଟାକୁ । କେଡେ ଟିକେ ଯନ୍ତ୍ର କିନ୍ତୁ କେତେ ଭୟଙ୍କର କେତେ ବିଷାକ୍ତ ଓଃ ! କ'ଣ ଆବଶ୍ୟକତା ଥିଲା ଏମିତି ଯନ୍ତ୍ରଟେ ବନେଇବାର । ଯାହା ନିଶବ୍ଦରେ ଭୂମିକମ୍ପ କରିପାରେ ଜୀବନରେ । କାହିଁକି ତା' ହାତରେ ପଡିଲା ଆଜି ଅଂଶୁର ଏଇ ପେନ୍ ଡ୍ରାଇଭ୍ ? 

 ଅଂଶୁ ତୁମେ ଅନ୍ୟ ସହ ସମ୍ପର୍କରେ ଏତକ ମୋର ଜାଣିବା କି ଜରୁରୀ ଯେ । ତୁମେ ତ ଅନେକ ଦିନ ହେଲା ଏମିତି ବିପଥଗାମୀ , କାହିଁ ମୁଁ ତ ଦୁଃଖ ପାଉନଥିଲି । ତୁମେ ଥିଲ ଠିକ ଆଗଭଳି ଭାରି ସୁନ୍ଦର ଆଉ ବେଶ ଆପଣାର । ଯାହାକୁ ମୁଁ ପ୍ରାଣଭରି ଭଲପାଉଥିଲି । ଯାହାକୁ ନେଇ ଅଗଣିତ ସ୍ୱପ୍ନ ଦେଖୁଥିଲି । କିନ୍ତୁ ଦେଖ ଏଇ ପେନ୍ ଡ୍ରାଇଭ୍ ରେ ସାଇତା ତୁମ ଅନୈତିକ ସମ୍ପର୍କରେ ପ୍ରମାଣ ପାଇବା ପରେ ତୁମେ ମୋତେ ଘୃଣ୍ୟ ଲାଗୁଛ । ତୁମ ପ୍ରତି ମୋର ଭୟଙ୍କର ବିତୃଷ୍ଣା ଆସୁଛି । ମୁଁ ଆଉ ତୁମ ସହ ସହବାସ କରିବା ସଂକ୍ରାନ୍ତରେ ଭାବି ମଧ୍ୟ ପାରୁନି । 


 ଅଂଶୁ ଆଉ ବାଣ୍ଟି ପାରିବି ନାହିଁ ମୁଁ ନିଜର ନିଜତ୍ବ ତୁମ ସହ । କାରଣ ତୁମେ ମୋତେ ନିଜ ପୃଥିବୀରୁ ବେଶ ଦୂରକୁ ଦୁରେଇ ସାରିଛ । ଯେଉଁଠି ପରସ୍ପରକୁ ବୁଝିବାର ସାମର୍ଥ୍ୟ ନାହିଁ ସେଠି କି ଘର ଆଉ ଗଢିବା କୁହ । ଜାଣିଛ ସହବାସ ପାଇଁ ସହଭାଗିତାରେ ଆବଶ୍ୟକତା ସର୍ବାଧିକ । ମୁଁ ତୁମ ସହ ଆଉ ସହଭାଗିତାର ସମ୍ପର୍କଟିଏ କଳ୍ପନା କରିପାରୁନି ଅଂଶୁ ନା ' ପାରୁନି । ମୋର ବରଂ ତୁମକୁ ମୁକ୍ତ କରିଦେବା ଉଚିତ । ତୁମକୁ ମୁଁ ଏତେ ଭଲପାଏ ଯେ ତୁମ ସୁଖଦ ଜୀବନରେ ଗୋଟେ ଅନ୍ତରାୟ ହେବାକୁ ଇଚ୍ଛା ନାହିଁ ।


  "ତୁମକୁ ହଜାରେ ଅବିଗୁଣ ସହ ଅପେଣେଇଛି ତେଣୁ କେବେ ଅଭିଯୋଗ ରଖିବି ନାହିଁ ହୃଦୟରେ । କହୁଛି ଯାହା ତାହା କେବଳ ଗୋଟେ ଆବଶ୍ୟକତା । ଦିନେ କହିଥିଲ ନା' ମୁଁ ଅଛି କି ନାହିଁ ତୁମ ସହ ଜଣା ପଡୁନି । ଆରେ ମୁଁ ସବୁବେଳେ ରହିଲେ ଦିଶିବି ଆଉ କୁଆଡୁ । ବେଳେବେଳେ ହଜିବା ଜରୁରୀ ତେଣୁ ତୁମକୁ ମୁକ୍ତ କରୁଛି ।''

 ବସ୍ ଏଇତକ ଲେଖା ଥିବା ଛୋଟ ସ୍ଲିପ ଟିଏ ଦର୍ଜା ରେ ଛାଡି ଚାଲିଗଲା ସୁଲଗ୍ନା ନିଜର ଦଶ ବର୍ଷର ଘରକୁ ଛାଡି । ଠିକ କଲା କି ଭୁଲ କାହିବା ବଡ଼ କଷ୍ଟ । ପୁଅକୁ ନିଜ ସହ ରଖିନେଲା ଆଉ ଅଂଶୁକୁ ମୁକ୍ତ କରିଦେଲା । ବିବାହ ବିଚ୍ଛେଦ ଉଭୟ ଏବେ ବଡ଼ ସହଜ ଆମ ସମାଜରେ , ଏଇତକ ପଶ୍ଚିମା ପୃଥିବୀର ଅବଦାନ ।

 ଅଂଶୁ ପ୍ରଥମେ ପ୍ରଚେଷ୍ଟା କରିଥିଲା । ନିଜ ହାତଗଢା ଜୀବନକୁ ଏମିତି ହଠାତ ଭାଙ୍ଗି ଦେବାର ଇଚ୍ଛା କାହାର ଭଲା ହୁଏ । କିନ୍ତୁ ସୁଲଗ୍ନା ନିଜ ଜିଦରେ ରହିଲା । ଗୋଟେ ଅସ୍ଥିର ମଣିଷ ସହ ଜୀବନ କେବେ ସଫଳ ନୁହେଁ । ଏତକ ବୁଝିବା ଆଉ ବାକି ନଥିଲା ।


 ମୟୂରୀ ଥିଲା ଆଉ ଗୋଟେ ସବଳ କାରଣ , ସେ ରାଜି ହେଇଗଲା ବେଶ ସହଜରେ ସହଭାଗିତା ପାଇଁ ସାମାଜିକ ପରିଚୟ ସହିତ । ବାସ ଆରମ୍ଭ ହେଇଗଲା ନୂଆ ଅଧ୍ୟାୟ ଲିଭ ଇନ୍ ର ।


------------------------------


ସକାଳର ବେଡ଼ଟି ମିଳୁଥିବା ହାତ ଯୋଡିକ ଯେ କେଡେ ଜରୁରୀ ବୁଝା ପଡେ ଯେବେ ସେଇ ଚା' ଟିକକ ମିଳେ ନାହିଁ । ଆଦତ ହେଇଯାଇଥିଲା ଅଂଶୁର । ଦଶ ବର୍ଷର ଆଦତ କ'ଣ ସହଜରେ ଯାଏ ?


 ମୟୂରୀ କିନ୍ତୁ ଶୋଇ ରହୁଥିଲା ଦିନ ଦଶ ଯାଏଁ । ଅଂଶୁ ଅଫିସ ଗଲାପରେ ଫୋନ୍ କରି ବୁଝୁଥିଲା , '' ହନି ତୁମେ ବ୍ରେକଫାଷ୍ଟ କରିନ କି ? କାହିଁ ମୋ ପାଇଁ କିଛି ତ ରଖିନ ଆଟ ଲିଷ୍ଟ କଫି ଟିକେ ତ ରଖିବା ଉଚିତ । ''

 ଅବଶ୍ୟ ଠିକ ଥିଲା ମୟୂରୀ କାରଣ ଏମିତିହିଁ ସାଇତି ଥିଲା ଅଂଶୁ ତାକୁ ଆରମ୍ଭରୁ । ତା'ର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବା ମେସିନ୍ ଥିଲା ଅଂଶୁ । ଆଜି ହୋଟେଲ , କାଲି ପିକନିକ , ଆଉ କେବେ ଡିସ୍କୋ ନେଉଥିବା ମଣିଷ ଥିଲା ଅଂଶୁ । ମୟୂରୀ ଏମିତି ଘର ଭିତରେ ବାନ୍ଧି ହେଇ , ବାଧ୍ୟ ସ୍ତ୍ରୀ ର ଅଭିନୟ କରିବାରେ ବିଶ୍ୱାସ ହିଁ କରୁନଥିଲା । ସେ ଆଜନ୍ମ ମୁକ୍ତ ଯେ ପ୍ରତି ମୁହୂର୍ତ୍ତରେ ସ୍ପାର୍କ ର ସନ୍ଧାନରେ । କାରଣ ସେ ସ୍ତ୍ରୀ ନଥିଲା ।


 ସେ କେବେ ରୋଷେଇ କରି ଅପେକ୍ଷା କରିବାର ଦେଖା ଯାଉନଥିଲା । କେବେ ପୂଜା କରି ଭୋଗ ଲଗେଇବାର ଦୃଷ୍ଟାନ୍ତ ନଥିଲା । କେବେ ଶାଶୁ ଶ୍ୱଶୁରଙ୍କ ପାଇଁ ଚିନ୍ତା ଟିକେ କରିବା , ଫୋନ୍ ଟିକେ କରିବାର ଇଚ୍ଛା ମଧ୍ୟ କରୁନଥିଲା । ମୋଟାମୋଟି ଭାବେ ସେ ସ୍ତ୍ରୀ ମ୍ୟାଟେରିଆଲ୍ ନଥିଲା ।


 ଅଂଶୁକୁ ଏମିତିହିଁ ଲାଗିଲା ଧୀରେ ଧୀରେ । ସେ ଅତି ତୀବ୍ର ଭାବରେ ଗୋଟେ ସୁଲଗ୍ନାର ସନ୍ଧାନ କରୁଥିଲା ହୁଏତ ମୟୂରୀ ଭିତରେ । ଜୀବନରେ ସହଭାଗିତାରେ ଗଢ଼ା ଯାଇଥିବା ଘରଟେ ପୁଣି ଆଉ ଗୋଟିଏ ମଣିଷ ସହ ଗଢିବା ଯେ ସହଜ ନୁହେଁ ବୁଝିଗଲା ଅଂଶୁ ।


 ମୟୂରୀ ଠିକ ଥିଲା କାରଣ ସେ ସୁଲଗ୍ନା ନୁହେଁ । ତେଣୁ ତା ଭିତରେ ସୁଲଗ୍ନା ଟିଏ ଖୋଜିଲେ ସେ କ'ଣ କରିବ ? କେମିତି ତୃପ୍ତ କରିବ ଅଂଶୁକୁ । ସେ ମୟୂରୀ ଯେ ପବ୍ ରେ ନାଚିପାରେ ସାରା ରାତି , ସ୍ୱିମିଙ୍ଗ କରିପାରେ ଜଳପରୀ ଭଳି , ଡ୍ରାଇଭ୍ କରିପାରେ ଦ୍ରୁତରୁ ଦ୍ରୁତତର । କିନ୍ତୁ ସେ ରୋଷେଇ କାରିପାରେନା , ପୂଜା ପାଠ କରନା । 


 ଏଥିରେ ସେ ବ୍ୟସ୍ତ ହେବ କାହିଁକି , ସମ୍ପର୍କରେ ରହିବା ଅର୍ଥ ନିଜ ଅସ୍ତିତ୍ବକୁ ହରେଇବା ନୁହେଁ । ସମ୍ପର୍କ କେବଳ ଗୋଟେ ଲଙ୍ଗ ଡ୍ରାଇଭ୍ । ଯେତେଦିନ ଇଚ୍ଛା କର ମନ ଭରିଗଲେ ବିରତି ନିଅ । 


 ବର୍ଷ ଟିଏ ଭିତରେ ଭରିଗଲା ମନ । ଅଂଶୁ ସୁଲଗ୍ନା ମନସ୍କ ହେଲା ଅଧିକରୁ ଅଧିକ ଆଉ ମୟୂରୀ ମୁକ୍ତି ଖୋଜିଲା ଆହୁରି ଅଧିକ । ତାକୁ ତା' ଜୀବନ ଘଷରା ଲାଗିଲା ଆଉ ଦିନେ ସେ ଚେକ୍ ଆଉଟ୍ କରିଗଲା ।

 ଏଇନେ ଅଂଶୁ ପାଖରେ ସୁଲଗ୍ନାକୁ ପୁଣି ଥରେ ଫେରେଇ ଆଣିବାର ଆବଶ୍ୟକତା ଥିଲା ଭୟଙ୍କର ଭାବରେ । ସେ ଏବେ ସୁଲଗ୍ନା ଆଉ ପୁଅକୁ ଖୋଜିଲା ବଡ଼ ବ୍ୟତିବ୍ୟସ୍ତ ହେଇ । ଆଉ ଛାଡି ଦେଇଥିବା ସେଇ ସହଭାଗିତାର ଡୋର କୁ ପୁଣି ଭିଡି ଧରିବାର ଇଚ୍ଛାଟେ ପ୍ରବଳ ଭାବରେ ଆକର୍ଷଣ କଲା ।

 କିନ୍ତୁ ଏମିତି ପ୍ରତାରଣା ପାରେ ସୁଲଗ୍ନା କ'ଣ ଆପଣେଇ ନେବ ପୁଣି ଥରେ ଅଂଶୁକୁ ?.....


 ଜୀବନରେ ଗୋଟେ ସ୍ଥିରତା ହଜେଇ ଦେଲେ ଯେ କେମିତି ବିକ୍ଷିପ୍ତ ହେଇଯାଏ ବେଶ ବୁଝୁଥିଲା ଅଂଶୁମାନ ।


Rate this content
Log in

Similar oriya story from Romance