ସତ ସପନ ଦେଖିଥିଲା କି ସପନୀ
ସତ ସପନ ଦେଖିଥିଲା କି ସପନୀ
ଗୀତା ବାହାଘରର ଏତେ ବର୍ଷ ପରେ ମାଆ ହେବ।କଥାଟା ଏକାନରୁ ସେକାନ ହୋଇ ଗାଁ ସାରା ଖେଳିଗଲାଣି। ସ୍ୱାମୀ ସପନୀର ଶୁଖିଲା ମୁଁହଁ ଉଜ୍ଜଳ ଦିଶିଲାଣି. ଘରେ ଶାଶୁ,ନଣନ୍ଦ, ଖୁଡିଶାଶୁ, ଦେଠେଇ ଶାଶୁ ଓ ପିଇସୀ ଶାଶୁଙ୍କ ବୋଲିବାଣୀ ଆଉ ଶୁଭୁନି ଗୀତା କାନକୁ ବାଞ୍ଝ ବୋଲି କି ତା ମରଦ ସପନୀର ଦୁତୀୟ ହେବା କଥା ଶୁଣି ଗୀତା ବି ସପନରେ ବିଳିବିଳଉନି ଆଉ।ବରଂ ସପନୀ ଉପରେ ଗୋଡ଼ ହାତ ନଦି ଶୋଇପଡି ସୁନେଲି ସପନ ଦେଖୁ ଦେଖୁ ସପନୀ ତାକୁ ପାଖକୁ ଆଉଜେଇ ନେଇ ପରସ୍ତେ ଗେଲ କରି କହୁଛି ମୁଁ ଜାଣିଥିଲି ତୁ ବାଞ୍ଝ ନୁଁହଁ। ଆଲୋ ମୋଠି ଦୋଷ।ରେଙ୍ଗୁନରେ ଦିନ କାଟୁ କାଟୁ ବୟସ ସମୟ ଗଡିଯାଏ।ତୋ ପାଖକୁ ଆସିଲା ବେଳକୁ ତୋ ପେଟରେ କୋଉ ଫୁଲ କଢ଼ ଥାଏ ଯେ ବଢିବ!ସେଇଥିପାଇଁ ପରା କେତେ ଯୋଗୀଙ୍କଠୁ କେତେ ଜଡି ବୁଟି ଖାଇଛି।
କଡ଼ଲେଉଟାଇ ଗୀତା ତକିଆ ଓଦା କରେ। ମିଛ କଥାକୁ ସତ ମଣି ସପନୀ ଖୁସି ହେଲେ ତା ସଂସାର ବସିଯିବ। ସେ ଜାଣେ ସପନୀ ତା ପିଲାର ବାପ ନୁହେଁ।ସେ କଳଙ୍କିତ ଅଧ୍ୟାୟ ଖୋଲିଦେଲେ ତା ସଂସାର ଉଜୁଡି ଯିବ। ସପନୀକୁ ତା ଠୁ ଅଲଗା କରି ବଞ୍ଚି ପାରିବ ନାହିଁ ଗୀତା।ସେଦିନ ସଞ୍ଜ ରଞ୍ଜ ରଞ୍ଜ କାଠଗୋଛା ମୁଣ୍ଡେଇ ଜଙ୍ଗଲରୁ ଫେରୁଥିଲା ବେଳେ ତାରି ଶାଶୁଘର ଗାଁର ଦିଅର ଲେଖା ହେବେ ରାମିଆ ଓ ଦାମିଆ ତାକୁ ଝୁଣି ଦେବାର କେଇଟା ଦିନ ପରେ ଟ୍ରାକ୍ଟର ଓଲଟି ସେ ଦୁଇଜଣ କାମରୁ ଫେରୁଥିଲା ବେଳେ ତାଙ୍କର ସିନା ମୃତ୍ୟୁ ହେଲା କିନ୍ତୁ ଗୀତାର ପେଟ ଫୁଲୁଥିଲା ଆଉ କଥାଟାକୁ ଚାପି ଦେଇ ଗୀତା ମାଆ ହୋଇଗଲା।ଏକୋଇଶିଆକୁ ପୁଅକୁ ଦେଖି ଗାଁ ଲୋକେ ଥୋକେ କହୁଥିଲେ ଆରେ ସପନୀ ଭାଇ ଖାଲି ତୋ ଦୁଃଖ ନୁହେଁରେ ଗାଁ ଦୁଃଖ ଗଲା ଜାଣ। ଏଇ ଦେଖୁନୁ ତୋ ପୁଅ ଭିତରେ ରାମ ଓ ଦାମର ରୂପ କେମିତି ପ୍ରକଟ ହେଉଛି।ସେ ଦୁଇଜଣ ଗାଁକୁ ଭଲପାଆନ୍ତି ଓ ଗାଁ ତାଙ୍କ ବିନା ଶୁନ୍ୟ ଲାଗୁଥିଲା ତ ଏଣିକି ତୋ ପୁଅ ସେ ଦୁଇଜଣଙ୍କ ନାମରେ ରାଧୁ ହୋଇ ଗାଁରେ ବଢୁ। କଥାଟା ସମସ୍ତଙ୍କ ମନକୁ ପାଇଥିଲା ବେଳେ ସପନୀର ଓହଳା ଥମ ଥମ ମୁହଁକୁ ଚାହିଁ ଗୀତା କହୁଥିଲା ତୁମେ ସେ ଗାଁ ଲୋକଙ୍କ କଥା ଶୁଣି ମନଦୁଃଖ କରିବା ଉଚିତ ନୁହେଁ।ଆମ ସାହି ମାଧବ ପରା କଣ ସେ ନେଟରୁ ୟୁଟୁବ ଦେଖି ଲତା ମଙ୍ଗେଶକର ଓ ଶ୍ରୀଦେବୀ ପୁଣି ଫେରିଆସିଥିବା କଥା କହୁଥିଲା. ଅବିକଳ ସେଇ ରୂପରେ ଶ୍ରୀଦେବୀ ତ ସେଇଭଳି କଣ୍ଠରେ ଲତା ମଙ୍ଗେଶକର. ଦେଖିଥିଲେ ସେ ଟିକି ଝିଅ ଦୁହିଁଙ୍କୁ ଓ ଶୁଣିଥିଲେ ସେ ଟିକି ଝିଅର କଣ୍ଠସ୍ୱର ବୁଝନ୍ତ। ବଡ଼ ହୁଁ ଟେ ମାରି ସପନୀ ଗୁମସୁମ ରହୁଥିଲା କିନ୍ତୁ ପୁଅର ପାଠ ଶାଠ କୋଉଥିରେ ଊଣା କରିନଥିଲା।
ରାଧୁ, ରାଧାମାଧବ ବିଶ୍ୱାଳ ରୂପେ ଯୁବକ ହୋଇ ପାଖ ସହରରେ ପଢୁଥିଲା। ଛୁଟିରେ ଆସିଲେ ପଡିଶା ଘର ଝିଅ ମିନତି ସହିତ ନାରେ ନାରେ ହେବା କଥାଟାକୁ ସପନୀ ବରଦାସ୍ତ କରୁନଥିଲା।ମାଆ ଗୀତା ବୁଝେଇ ଦେଇଥିଲା ଆହେ ତୁମେ ଏତେ ଡ଼ରୁଛ କାହିଁକି? ମିନତି ଆମ ଗାଁ ଝିଅ।ତାକୁ ମୁଁ ଭଲକରି ଜାଣେ। ସେ ଆମ ଘରକୁ ବୋହୁ ହୋଇ ଆସିଲେ ଖରାପ କଣ!ଝିଅଟା ମାଟ୍ରିକ ପାସ କରିଛି। ତା ସାଙ୍ଗକୁ ସବୁ ଘରକରଣା ଜାଣିଛି।ଆମ ପୁଅର ମନ ରଖିବା କଣ ଆମର କର୍ତ୍ତବ୍ୟ ନୁହେଁ!ତୁନି ପଡ଼େ ସପନୀ। ଯୋଉଦିନ ଜଣାଅପଡ଼ିଲା ମିନତି ଗର୍ଭବତୀ ସେଦିନ ଗୀତାର ଗୋଡ଼ ପାଞ୍ଚହାତରେ ପଡୁଥାଏ କିନ୍ତୁ ସପନୀ ସେହିଦିନଠୁ ଆଉ ଗାଁରେ କି ପାଖ ସହରରେ ଦେଖିବାକୁ ମିଳୁନଥିଲା। ସମସ୍ତେ କହୁଥିଲେ କଲିକତାରେ କାଳେ ସପନୀ ଯୋଗୀ ହୋଇ ପ୍ରବଚନ ଦେବାର ଗାଁର କେଇଜଣ ନିଜ ଆଖିରେ ଦେଖି ଆସିଛନ୍ତି।ଗୀତା ଭୋ ଭୋ ରଡୁଥିଲା ତ ପୁଅ ରାଧାମାଧବ ଓ ବୋହୁ ମିନତି କହୁଥିଲେ ତୁ ବ୍ୟସ୍ତ ହୁଅନା ମାଆ।ବାପାଙ୍କୁ ଫେରେଇ ଆଣିବା ଦାଇତ୍ୱ ଆମର।ହେଲେ କଲିକତା କି ଦିଲ୍ଲୀ କି ମୁମ୍ବାଇ, କୋଉଠି ସପନୀର ପତ୍ତା ନଥିବା ବେଳେ ଗୀତା କପାଳରେ ସିନ୍ଦୁର ଟୋପାଟା ଦାଉ ଦାଉ ଜଳୁଥିଲା।
