ସନ୍ତକ
ସନ୍ତକ
କାହା ଜୀବନ କେମିତି ଚାଲୁ ଚାଲୁ ଶତାବ୍ଦୀ ଜୀବନ ଵି ଚାଲୁଥିଲା. ନିସଙ୍ଗତା ରେ ପରିପୂର୍ଣ୍ଣ ଜୀବନ ରେ ସେହି ସବୁଜ ରଙ୍ଗ ର ଲଫାପା ଭିତରେ ଗୋଲାପୀ ଚିଠିଟା ତାକୁ ଜୀବନର ଫଗୁଣ ଦେଖେଇଦେଉଥିଲା. ସୂର୍ଯ୍ୟଙ୍କ ଦକ୍ଷିଣା୍ୟାନ ଓ ଉତ୍ତରାୟଣ ଗତି ପରି ପ୍ରତ୍ୟେକ ଜୀବନ ଆରମ୍ଭ ହୁଏ ସେଇ ଚାଟଶାଳୀ ପାଠ ସତ କହିବାକୁ କିଆଁ ଡରିବି.. ସତ କହି ପଛେ ମଲେ ମରିବି. ଶତାବ୍ଦୀ କିନ୍ତୁ କାହାକୁ କହିବ ସତ ବରଂ ସତ୍ୟ ଚେତନା ଓ ଚୈତନ୍ୟ ଉଦ୍ରେକ ହେବା ପୂର୍ବରୁ ସେ ଭାବି ବସେ ସେଇ ସତ୍ୟ ଉପଲବ୍ଧି ପାଇଁ ଘର ଛାଡ଼ିଥିବା ବୁଦ୍ଧଦେବ ଙ୍କ କଥା. ରାଜାପୁତ୍ର ପୁଣି ଯଶୋଧାରା ପରି ପତ୍ନୀ ଓ ଶିଶୁପୁତ୍ର ରାହୁଳ ତଥାପି ଜୀବନରେ କୋଉ ଗତି ପ୍ରାପ୍ତି କରି ଶାନ୍ତି ପାଇବାକୁ ଘର ଛାଡ଼ି ସନ୍ୟାସୀ ହୋଇଗଲେ ବୁଦ୍ଧ!ସତ୍ୟର ସନ୍ଧାନ ପାଇ ସତ୍ୟଚେତନା ଦେଇ ଲୋକେ ଯଦି ସଂସାର ରେ ନରହିବେ କି ସଂସାର ପ୍ରତି ବିମୁଖ ହେବେ ତେବେ ଜୀବନ ଏମିତି ଚାଲିବ କେମିତି!ଆଗକୁ ବଢିବ କେମିତି!ଯେମିତି ବୁଦ୍ଧ ବୌଦ୍ଧ ଧର୍ମ ର ସତ୍ୟ ଚେତନା ପାଇ ରାଜାବାଟୀ କୁ ଫେରିଆସିବା ପରେ ଯଶୋଧାରା ଙ୍କର ଏକମାତ୍ର ପ୍ରଶ୍ନ ଥିଲା ସଂସାର ରେ ରହି ସାଂସାରିକ କର୍ତ୍ତବ୍ୟ ବୋହି ଵାଟ ଚାଲୁ ଚାଲୁ କଣ ସତ୍ୟ ଉପଲବ୍ଧି କରି ହେବନି!ବୁଦ୍ଧ ଙ୍କ ପାଟିରୁ ବଚନ ବାହାରିନଥିଲା କେବଳ କହିଥିଲେ ବୁଦ୍ଧ ଶରଣମ ଗଛାମି... ସଙ୍ଘମ ଶରଣମ ଗଛାମି.ଆଜି ଶତାଦ୍ଦୀ ମଧ୍ୟ ଭାବୁଥିଲା ସେ ଯଶୋଧାରା ନୁଁହଁ. ତାର ମାଙ୍ଗାଳିକ କର୍ମ ପୂର୍ବରୁ ଅସିତ ସନ୍ୟାସ ଗ୍ରହଣ କରିନେଲେ. କାହିଁକି ର ଉତ୍ତର ପାଇନି ସେ କି ଆଉ କାହା ହାତ ଧରି ବାଟ ଚାଲିବାକୁ ଚାହିଁନି ସେ. ଏମିତି ରେ ସେ ରୋଜଗାରକ୍ଷମ ଆଉ ତା ସାଥିରେ ସେଇ ସାତଗଣ୍ଠି ଧନ ଅସିତ ର ମଳିଚିଆ ଧରି ଆସୁଥିବା ସେଇ ଚିଠି ଖଣ୍ଡକ ତ ତାର ସର୍ବସ୍ବ. ସେଇ ଚିଠିଟିକୁ ପଢି ସେ ତା ଭିତରେ ପାଏ ଖରାର ଦହନ, ବର୍ଷା ଛିଟା ର କମ୍ପନ ଶୀତ ର ସମ୍ବେଦନ ବସନ୍ତ ର ଆଗମନ ସହିତ ଶରତ ହେମନ୍ତ ର ମିଶ୍ରଣ. ସେଇ ଚିଠି ଟି ହିଁ ତାକୁ ବଞ୍ଚିବାର ପ୍ରେରଣା, ଭାବିବାର ଯୋଜନା ପୁଣି ସୁସାହିତ୍ୟ ର ଚେତନା ଆଣିଦିଏ. ନାଲି ପାଟ କନା ଗୁଡା ସେଇ ଚିଠି ଖଣ୍ଡକ ତ ତା ଜୀବନ. ତାକୁ ନେଇ ଏମିତି ବାଟ ଚାଲୁଛି ଶତାବ୍ଦୀ.
ସେଦିନ ସହରରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ଓ ସତ୍ୟଚେତନାର ନବଉନ୍ମେଷ ବାଣ୍ଟୁଥିବା କଥାବାଚକ, ଅସିତ ନିଜେ ତା ଘରେ ଉପସ୍ଥିତ. ପୁଣି ସେହି ଦୃଶ୍ୟର ପୁନରାବୃତ୍ତି. ସେହି ବୁଦ୍ଧ ଙ୍କ ଅନୁନୟ ବିନୟ ବୁଦ୍ଧ ଶରଣମ ଗଛାମି... ସଙ୍ଘ ଶରଣମ ଗଛାମି ଭଳି ଅସିତ ଙ୍କର ଗୋଟିଏ ଶବ୍ଦ ସେ ଚିଠି, ସେ ଚିଠି ମତେ ଫେରେଇ ଦିଅ. ମୁଁ ବଞ୍ଚିବି କେମିତି ପଚାରିଥିଲା ଶତାବ୍ଦୀ. ବଞ୍ଚିବାକୁ ତୁମେ ନିଜେ ସମର୍ଥ ବତ୍ସ. ଅନ୍ୟର ଗୋଟେ ପାକ୍ଷିକ ଦୁର୍ବଳ ମୁହୂର୍ତ୍ତ ର କେଇଧାଡି ଲେଖା ଥିବା ଚିଠି କଣ ତୁମ ବଞ୍ଚିବାର ବାଟ ଅବା ପଥ କି ପାଥେୟ ହୋଇପାରେ!ଫେରାଇଦିଅ ମତେ ସେହି ଭୁଲ ଵା ଅସତ୍ୟ ସଂସାର ର ଲୋଭ ମାୟା, ମୋହ ଓ ଲୁହ ତଥା କୋହ ଭରା ଆବେଗପୂର୍ଣ୍ଣି ସେ ଚିଠି. ପାଟି କରି ଉଠିଲା ଶତାବ୍ଦୀ ନା ଏହା ଅସମ୍ଭବ. ତୁମେ ବର୍ତ୍ତମାନ ସାଧୁ, ସନ୍ଥ ଓ ସତ୍ୟଚେତନା ରେ ଉଦବୁଦ୍ଧ ସନ୍ୟାସୀ.ତୁମେ ଅନ୍ୟର ବଞ୍ଚିବାର ସାହାରା କୁ ତା ଠାରୁ ଅଲଗା କରିପାରିବ ନାହିଁ ସାଧୁ ବାବା. ଫେରିପଡୁଥିଲେ ଦଳ ବଳ ଘେନି କଥାବାଚକ ଅସିତବାବା. ଆଉ ଚିଠିଟିକୁ ଜାବୁଡି ଧରି କଇଁ କଇଁ କାନ୍ଦୁଥିଲେ ଶତାବ୍ଦୀ.

