STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ପକ୍ଷୀ ଫେରେ ନୀଡ଼େ

ପକ୍ଷୀ ଫେରେ ନୀଡ଼େ

4 mins
0

ବୋଉ ବାପା ଗାଁ ଘର ନ ଛାଡ଼ି ହଇରାଣ ହେଉଛନ୍ତି. ବାପାଙ୍କ କାଶ ସାଙ୍ଗକୁ ବୋଉର ଆଣ୍ଠୁ ଗଣ୍ଠି ଓ ଅଣ୍ଟା ବିନ୍ଧା. ସେ ଦୁହେଁ କେମିତି ଚଳିବେ ଏଣିକି ବୋଲି ଅନେକ ଥର ପାଟି ଫିଟାଇ ଶୁଣେଇ ଶୁଣେଇ ସ୍ୱାମୀ ମିହିର କହୁଥିଲେ ମଧ୍ୟ ସ୍ତ୍ରୀ ଲିଲି କିଛି ଉତ୍ତର ଦେବା ଦୂରର କଥା ସମାଧାନ ର ବାଟ କହନ୍ତି ନାହିଁ.ମିହିରଙ୍କର ମନେପଡେ ବାହାଘର କେଇ ମାସ ପରେ ଲିଲିଙ୍କ ଅସୁବିଧା ଶୁଣି ଗାଁ ଛାଡିବାକୁ ନିଷ୍ପତ୍ତି ନେଲାବେଳେ ବୋଉ କେମିତି କଇଁ କଇଁ କାନ୍ଦୁଥିଲା ଓ ବାପା କହୁଥିଲେ କଣ ସବୁ ଅସୁବିଧା ତୋର ଗାଁରେ କହ ବୋହୁ ମାଆ ମୁଁ ସବୁ ସଜାଡି ଦେବି. ନୂଆବୋହୂଟା ଗାଁ ଛାଡ଼ି ଗଲେ କାହାକୁ କି ଉତ୍ତର ଦେଇପାରିବି କହିଲୁ ବୋହୁ ମାଆ!ଚୁପ ରହିଥିଲା ଲିଲି.ସମାଧାନ ର ସୂତ୍ର କଣ ବାପା ବୁଝିପାରିଥାନ୍ତେ ଯେ ସେ କହିଥାଆନ୍ତା ସେତେବେଳେ! ଯେ ଗାଁ ଗୋଟାକ ଯାକର ପିଲା ତା ବେଡ଼ ଉପରେ ଚଢି ଖେଳିବା, ଡେଇଁବା, ନାଚିବା ତଥା କୁଦିବା ତାର ପସନ୍ଦ ନୁଁହଁ. ସ୍ୱାମୀ ମିହିର ଯେବେ କହିଥିଲେ ରାତିରେ ବେଡ଼ସିଟ ବଦଳେଇ ଦେଲେ ହେବନି!ଲିଲି କହିଥିଲା ତାହା ହୁଏତ କରିହେବ କନ୍ତୁ ତୁମ ବୋଉଙ୍କର ଯୋଉ ଅଭ୍ୟାସ ତାହା ସବୁ କଣ ବଦଳେଇ ପାରିବି!ତରକାରୀ କଡେଇଟାକୁ ହାତ ମାରି ଘଷି ଘଷି ବାଢିବା ପରେ ମଧ୍ୟ ପାପୁଲି ପୋଛି ପୋଛି ଘଷିବା ଥାଳିଆରେ କଣ ଦରକାର? ପୁଣି ଶୁଭେନାହିଁ ବୋଲି କାନ ପାଖରେ କହିଲା ବେଳେ ଲିଲିର ବାନ୍ତି ବାହାରି ଆସେ ବୋଲି କେମିତି କହିପାରିଥାନ୍ତା ଯେ ସେ ଶଶୁର ବାପାଙ୍କୁ! ପୁଣି ଗାଁ ଜଳଖିଆ ଦୋକାନରୁ ବରା ପିଆଜି ଓ ପକଡି ପଲିଥିନ ରେ ଆଣିବେ କି ଠୁଙ୍ଗା ରେ ଆଣିବେ କଣ, କାନିରେ ଆଣି ସ୍ନେହରେ ଦେଲାବେଳେ ଲିଲିଙ୍କର ମନେ ପଡେ କେତେ ଯେ ଗାଁ ପିଲାଙ୍କର ନାକ ପୋଚ୍ଛା ହୋଇନି ସେ ପଣତରେ ତାର ହିସାବ ନାହିଁ .ଖାଲି କଣ ସେତିକି!ଗାଁର ଯେତେ ବୁଢ଼ୀ ମଣିଷ ସେମାନଙ୍କୁ କିଏ ଖୁଡି ଶାଶୁ, କିଏ ପିଇସୀ ଶାଶୁ, କିଏ ମାଇଁ ଶାଶୁ ହେବେ କହି ତାଙ୍କ ବେଡ଼ ରେ ଶୁଆଇ କହନ୍ତି ଗୋଡ଼ ଘଷିଦେବାକୁ ଯେ କାହାର ପାଦ ଫାଟି ଆଁ କରିଥିବ ତ କାହାର ଗୋଡ଼ ସାରା ଗୋବର ଲାଗି ଶୁଖିଥିବ. ଏସବୁ କଥାକୁ ମିହିର ତୁଛ ମନେ କରନ୍ତି ଓ କହନ୍ତି ପିଲାଦିନୁ ମୋ ଭଉଣୀ ଓ ମତେ ତ ସେ ସେମିତି ପଣତ ଆଢୁଆଳ ରେ ରଖି ଆସିବା ସହ ସେଇମାନଙ୍କୁ ନିଜର କରି ଚଳି ଆସିଛି . ଏବେ ତାର ସେ ଅଭ୍ୟାସ ବଦଳେଇବାକୁ ହେଲେ ତାକୁ ଆମ ପାଖକୁ ଆଣିବା ଦରକାର କିନ୍ତୁ ଲିଲି ଚୁପ ରୁହନ୍ତି. କିଛି କହୁଥିବା କଥାର ସିନା ସମାଧାନ ଅଛି ଆଉ ଯିଏ ଚୁପ ରହିବ ତା ପାଇଁ ଉପାୟ କଣ ଭାବି ମିହିର ଖାଲି ଏତିକି କୁହନ୍ତି ମାଆ ହେଲେ ଜାଣିବ. ଲିଲି କିନ୍ତୁ ମାଆ ହୋଇ ଦୁଇ ପୁଅ ଝିଅଙ୍କୁ ନିଜ ବାପାଙ୍କ ଘରେ ନିଜ ମାଆ ହେପାଜତ ରେ  ଛାଡିଲେ ଓ ଦେଖେଇଦେଲେ ମିହିରଙ୍କୁ ଦେଖ ମୋ ବୋଉର ପରିଷ୍କାର ରହିବା ଓ ରଖିବାର ଶୈଳୀ କେମିତି ଦେଖି ଶିଖ !
    ଏବେ ଶଳା ର ବାହାଘର ତ ଲିଳିଙ୍କର କାଂଜିବରମ ପାଟ ଦରକାର. ମିହିର ଯେତେ କହିଲେ ବାହାଘର ବେଳେ ତୁମ ଘରୁ ପିନ୍ଧି ଆସିଥିବା ପାଟ ବା ଆମଘରୁ ତୁମପାଇଁ କିଣା ଯାଇଥିବା ପାଟ ଏଯାଏଁ ପଡ଼ିରହିଛି.ପୁଣି ବୋଉ ମୋର ତା ବାହାଘର ବେଳର ପାଟ ଦେଇଛି ବୋହୁକୁ କାଳେ ଵିଧି ଓ ପରମ୍ପରା କହି. ସ୍ୱାମୀ କିନ୍ତୁ କୋଉ ସାହାସରେ କହିବେ ସ୍ତ୍ରୀ କୁ ମୋ ବୋଉର ଡ୍ରାଏ ୱାଶ ହୋଇ ଆସିଥିବା ପାଟ ପିନ୍ଧି ଯିବାକୁ. ସମାଧାନ କଥା ନକହି ଏମିତି ନିରବୀ ଯିବେ ସ୍ତ୍ରୀ ଲିଲି ଯେ ବରଂ ଭାଷାର ଅଭିଯୋଗ ତା ଠାରୁ ଢେର ଗୁଣେ ଶ୍ରେୟ ବୋଲି ମନେ କରନ୍ତି ମିହିର . ଖାଲି ପାଟ ହୋଇଥିଲେ ଯାହା ହୋଇଥାନ୍ତା ସେଥିରେ ପୁଣି କାନଫୁଲ ହଳେ ଦରକାର ଲିଲିଙ୍କର ତ କଣ କରିବେ ମିହିର. ତଥାପି ନିକିତିର ଦଣ୍ଡି ସମାନ ରଖିବାକୁ ସ୍ତ୍ରୀଙ୍କୁ ନେଇ ସେ ପ୍ରଥମେ ସହରର ବଡ଼ ସୁନା ସୋ ରୂମ ଖିମଜୀ ରେ ପହଁଚିଲେ. ମାଲିକ ତାଙ୍କ ସାଙ୍ଗ. ବାକି ମିଳିଯିବ ଭାବି ସେଠି ପହଁଞ୍ଚି ତାଙ୍କ ପୁଅ ଠୁ ଶୁଣିଲେ ସୁନା ଦୋକାନୀ ସୁରେଶ ବାବୁ ଗୁରୁତର ଅଛନ୍ତି. ଆକ୍ସିଡେଣ୍ଟ ପରେ ବାପାଙ୍କ ଗୋଡ଼ କଟା ହେବା ସହ ଆମ ଦୋକାନରେ ସେଲ୍ସ ମ୍ୟାନ ରୂପେ କାମ କରୁଥିବା ଝିଅଟି ସ୍ମଗଲର ରୂପେ ପୋଲିସ ହାତରେ ଧରା ପଡିବା ଯୋଗୁଁ ଦୋକାନ ବନ୍ଦ ଥିଲା କିନ୍ତୁ ବାପାଙ୍କ ଗୋଡ଼ ଅବସ୍ଥା ପାଇଁ ତାଙ୍କୁ ଭେଲୋର ନେବାକୁ ପଡିବ. ପୁଣି ପୋଲିସ କେଶ ବୁଝି ସେ ଝିଅକୁ ମୁକୁଳେଇବାକୁ ପଡିବ ତ ଆଜି ଦୋକାନ ଖୋଲୁଛି. ଆଉ ବାକିର ପ୍ରଶ୍ନ କୋଉଠୁ ଉଠୁଛି ଆଜ୍ଞା! ମିହିର ଧନ୍ୟବାଦ ସହ ମାଲିକ ସୁରେଶ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ଆଗେଇ ଯାଉଥିଲେ ଆଉ ଏକ ସୁନା ଦୋକାନ କୁ ତ ଲିଲି ପାଖକୁ ଆସି କହୁଥିଲେ ମୋର କାନ ଫୁଲ ଦରକାର ନାହିଁ ବରଂ ଚାଲ ବସ ଟାଇମ ଅଛି ଗାଁକୁ ଯାଇ ବାପା ବୋଉଙ୍କୁ ନେଇ ଆସିବା. ବାହାଘର ବେଳେ ତୁମ ବୋଉ ମତେ ଦେଇଥିବା କାନଫୁଲ ଦୁଇଟି ମଜେଇ ଦେଇ ତାଙ୍କ ପାଟ ପିନ୍ଧି ମୁଁ ଭାଇ ବାହାଘରକୁ ଚାଲିଯିବି.ବସ କୁ ଯିବା ପୂର୍ବରୁ ପିଲାଙ୍କୁ ଆଣିବାକୁ ଘରେ ପହଁଞ୍ଚି ମିହିର ଓ ଲିଲି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବାପା ବୋଉଙ୍କୁ ଦେଖି. ବାପା କହୁଥିଲେ ଏ ଲକ୍ଷେ ଟଙ୍କା ରଖ. ଆମ ବାଉଁଶ ବାରି ଟା ଗାଁ ରାସ୍ତାରେ ମିଶୁ ଥିବାରୁ ମତେ କମ୍ପେନସେସନ ମିଳିଛି. ମିହିର ଲିଲି ପାଇଁ ପାଟ ଓ କାନଫୁଲ କିଣି ବଳକା ଟଙ୍କା ଲିଲି ଙ୍କ ହାତକୁ ଦେଲା ବେଳେ ଲିଲି କହୁଥିଲା ବାପାଙ୍କ ପାଇଁ କମ୍ବଳ ଓ ବୋଉଙ୍କ ପାଇଁ ଶାଲ ନେଇଆସ. ବାପା ବୋଉ କିନ୍ତୁ କହିଥିଲେ ଆରେ ପୁଅ ତୋ ଶଳା ବାହାଘର ଆଗକୁ. ଖର୍ଚ୍ଚ ର ବେଳ. ପଇସା ରଖିଥା. ଶୀତ ଯାଇ ବସନ୍ତ ଆସିଲାଣି. ଆର ବର୍ଷ ମଣ୍ଡିରେ ଧାନ ବିକି ଟଙ୍କା ତୋ ହାତକୁ ଦେଲେ ତୁ ଆମ ବୋହୁ ପସନ୍ଦର ଶାଲ ଓ କମ୍ବଳ ଆମ ପାଇଁ କିଣିଦେବୁ.ଲିଲି ଏଥର ବାପା ବୋଉଙ୍କୁ ଗାଁକୁ ଫେରିଯିବାରୁ ଯେତେ ବାରଣ କଲେ ମଧ୍ୟ ସେମାନେ ରହିନଥିଲେ. ପଛରୁ ପୁଅ ଝିଅ ବବି ଓ ରୁବି କହୁଥିଲେ ଆମକୁ ମହାଭାରତ ଓ ରାମାୟଣ କାହାଣୀ କିଏ କହିବ ଜେଜେ? ଆରିଷା ପିଠା, ରାଶି ଲଡ଼ୁ କିଏ କରିକି ଦେବ ଜେଜେମାଆ!ଆମେ ପୁଣି ଆସିବୁ କହି ଅଟୋରେ ବସିଥିଲେ ବାପା ଓ ବୋଉ.ବାପା ବୋଉଙ୍କ ଦେହ ଠିକ ରହୁନି ଗାଁରେ.କେମିତି ଚଳିବେ କହି ବ୍ୟସ୍ତ ହେଉଥିଲେ ସ୍ୱାମୀ ମିହିର ତ ସମାଧାନ ମୁଁହଁ ରେ ନକହି ଲୁଗାପଟା ସଜାଡୁଥିଲେ ଲିଲି. ସବୁଦିନ ପାଇଁ ଯିବାକୁ ଗାଁକୁ.



Rate this content
Log in

Similar oriya story from Inspirational