STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ସେଇ ପ୍ରଶ୍ନ

ସେଇ ପ୍ରଶ୍ନ

5 mins
0

ଜୀବନ ଖୁବ ସୁନ୍ଦର ଚାଲୁଥିଲା ବେଳେ ଆଜି ସ୍ୱାମୀ ଅଖିଳେଶ ଓ ସ୍ତ୍ରୀ ସୁଜାତା ଦୁହେଁ ଆଗପଛ ଅବସର ନେବା ପରେ ଏତିକି ଅନ୍ତତଃ ବୁଝିସାରିଥିଲେ ଯେ ପୁଅ ବୋହୁ ହୁଅନ୍ତୁ ଅବା ଝିଅ ଜୋଇଁ ସେମାନେ ତାଙ୍କ ଜୀବନ, ଜୀବିକା ରେ ବ୍ୟସ୍ତ. ତା ଭିତରେ ବାପା ମାଆ ଙ୍କୁ ନେଇ ପାଖରେ ରଖିଲେ ଦୁହେଁ ବୁଲାବୁଲି କରି ଫେରିଆସନ୍ତି ଅଖିଳେଶ ଓ ସୁଜାତା ପୁଣି ଘରକୁ. ଅଧିକ ଦିନ ରହିଲେ ଅନୁଭବ ହୁଏ ଛାଡିଆସିଥିବା ନିଜ ଘର ମଧ୍ୟ ହାତଠାରି ଡାକୁଛି. ଏଇ ଯେମିତି କୋଉଠି ଇଲେକ୍ଟ୍ରି ତ କୋଉଠି ପାଣି ପାଇପ ପୁଣି କୋଉଠି କାନ୍ଥ ଧଉଳା ତ କୋଉଠି ଫର୍ଣ୍ଣିଚର ଇତ୍ୟାଦିର ରଙ୍ଗ ହେବା ଦରକାର. ପୁଣି ଓଳା, ପୋଚ୍ଛା, ଝଡାଝଡି କଲାବେଳେ କୋଉଟା ମଧ୍ୟ ରଦ୍ଦି ବୋଲି ମନେହୁଏନା ତ ସାଇତି ସାଇତି ଅଳିଆ ଆବର୍ଜ୍ଜନା ରେ ଘର ଭର୍ତ୍ତି.ଫୋପାଡ଼ି ହୁଏନା କିନ୍ତୁ ସେଇ ପୁରୁଣା ଚପଲ କି ଜୋତା ହଳ ହଳ, କି ଫୋପାଡି ହୁଏନା ଦୁଇ ଚାରିଟା ଲେଖାଏଁ ହେଲମେଟ କି ଫୋପାଡି ହୁଏନା ରେନ କୋର୍ଟ ଅବା ଛତାଗୁଡିକୁ କାରଣ ପିଲେ ଘରକୁ ଆସିଲେ ଖୋଜି ବସନ୍ତି ସେସବୁକୁ ଋତୁ ଅନୁଯାୟୀ.ଅବା ବାଇକ ନେଇ ପୁରୀ ଯିବାକୁ. ଏମିତିକି ନିମନ୍ତ୍ରଣ କାର୍ଡ ଗୁଡିକୁ ମଧ୍ୟ ଫୋପାଡି ପାରନ୍ତିନି ସୁଜାତା. ଭାବନ୍ତି କିଏ କେତେ ଶ୍ରଦ୍ଧା, ସମ୍ମାନ ଓ ଆନ୍ତରିକତାରେ ପୁଅ ବ୍ରତଘର, ଝିଅ ବାହାଘର କି ପୁଅ ବାହାଘର ନିମନ୍ତ୍ରଣ କାର୍ଡ ଛପେଇ ସେଥିରେ ହଳଦୀ, ସିନ୍ଦୁର ଲଗେଇ, ଅରୁଆ ଚାଉଳ ଭରି, ଗୁଆ ସହିତ ଅବା ଖାଲି ରେ ହେଉ ଦେଇଯାଇଛନ୍ତି ଆନ୍ତରିକତା ରେ ଯେତେବେଳେ ତାକୁ ଫିଙ୍ଗିବା କି ଫୋପାଡିବା କି ଚିରିବାକୁ ହାତ ଯାଏନି ସୁଜାତାଙ୍କର.ତ ଅଳିଆ ହେଉଥାଏ ନିମନ୍ତ୍ରଣ ପତ୍ର ଗୁଡା ପଲିଥିନ ଥାକ ଥାକ. ପୁଣି ଫୋପାଡି ହୁଏନି ପିଲାଙ୍କର ପୁରୁଣା ଡ୍ରେସ. କେତେ ସ୍ମୃତି ବିଜଡିତ ସେହି ପୁରୁଣା ଡ୍ରେସକୁ ଗନ୍ଥା କଲେ ଯେମିତି ଲାଗେ ପିଲାଙ୍କ ଦେହରେ ଛୁଞ୍ଚି କେଞ୍ଚି ହେଇଯିବ. କାହାକୁ ଦେଇ ମଧ୍ୟ ହୁଏନି କାରଣ ସମସ୍ତଙ୍କର ନିଜ ସ୍ୱାଭିମାନ ରହିଛି.ଏମିତିକି ଘରେ କାମ କରୁଥିବା ରମା କହେ ଦେବ ଯଦି ନୂଆ ଖଣ୍ଡେ ଦିଅ ମାଆ. ବଡ଼ ଭାଇ ଭଉଣୀଙ୍କର କଣ ସାନ ଭାଇ ଭଉଣୀମାନେ ଥିଲେ ପିନ୍ଧନ୍ତିନି!ମୁଁହଁ ଖୋଲି କହିଲେ ମଧ୍ୟ ଖାଲି ପାଟି ସାରିବା ନାଁ ହୁଏ. ଆଉ ସେ ଯେବେ ଦୁଇରୁ ଅଧିକା ଥିବା ପ୍ରେସର କୁକୁର ଗୋଟେ ନାତି ପାଇଁ ଖେଚେଡ଼ି କରିବ କହି ମାଗିନିଏ ଓ ଦୁଇଟା ଥର୍ମୋଫ୍ଲାସ ଦେଖି ଗୋଟିଏ ଅସୁସ୍ଥ ନାତୁଣୀ ପାଇଁ ଗରମ ପାଣି ରଖିବାକୁ ମାଗିନିଏ, ପୁଅ କହେ କୋଉଟା ଦେବା କଥା କୋଉଟା ନଦେବା କଥା ମାଆ କୁ ଜଣା ନାହିଁ. ଝିଅ ମଧ୍ୟ କହେ ମୁଁ ଦେଇଥିବା ବାପାଙ୍କ ପାଇଁ ଦୁଇଦୁଇଟା କାଲକୁଲେଟର, ବ୍ଲଡପ୍ରେସର ମପା ଯନ୍ତ୍ର କି ଥର୍ମୋମିଟର ଆଉ ଦେଇଦେବୁନି ମାଆ ରମାକୁ.ତ ପୁଅ ଭଉଣୀ କୁ କହୁଥାଏ ଦେଖୁନୁ ମୁଁ ଆଣିଦେଇଥିବା ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ଯଥା ଗୋଡ଼ ହାତ ଘଷିବାକୁ ଓ ଅନ୍ୟାନ୍ୟ ଉପକରଣ ସବୁ କେମିତି ମଇଳା, ଅସନା ଓ ଧୂଳିଧୂସରିତ ହୋଇ ପଡିଛି!ଏଗୁଡା ରମାକୁ କହି ସଫା ସଫି କରେଇବା କଥା କି ନୁଁହଁ!ରମା ତ ଶୁଣେନି ବରଂ ଅଖିଳେଶ ସେଗୁଡିକୁ ଝାଡ଼ି ଝୁଡି ରଖାଥୁଆ କରୁ କରୁ ଡଷ୍ଟ ଆଲର୍ଜି ଯୋଗୁଁ କାଶ, କଫ ଓ ଶ୍ୱାସ ରେ ପୀଡିତ ହେଉ ହେଉ ସାଇଟିକା, ଆଜମା, ଧଇଁସଇଁ ଇତ୍ୟାଦି ରୋଗ ଭୋଗୁଥିବା ବେଳେ ସୁଜାତା ଅସାବଧାନତା ରେ ପଡିଯାଇ ବାମ ହାତ ଅଚଳ ଯୋଗୁଁ ନା ଲୁଗା ପଟା ପିନ୍ଧୁଛନ୍ତି ନା ନିଜ ବେଡ଼ ଝାଡ଼ିପାରୁଛନ୍ତି!ରମା ମଧ୍ୟ ନାକ ଟେକେ. କେବେ କରେ ତ କେବେ ମୁଁହଁ ବୁଲେଇ ଚାଲିଯାଏ. ପୁଅ ଡାକେ ଓ ଝିଅ ଖୋଜେ କିନ୍ତୁ ସୁଜାତାଙ୍କର ସେହି ଗୋଟିଏ ପ୍ରଶ୍ନ ମନରେ!ରମା କରିପାରୁନି. ବୋହୁ କେତେ ଦିନ କରିବ!ଝିଅ ନିଜ ଶାଶୁ ଶାଶୁରଙ୍କ ଦାଇତ୍ୱ ଓ ପିଲାମାନଙ୍କ ଦାଇତ୍ୱ ନେବ ନା ବାପା ମାଆଙ୍କର ସେବା କରିବ . ତେବେ ଶେଷ ଜୀବନରେ ଅନାଥା ଆଶ୍ରମକୁ ଚାଲିଯିବା କି?ପଚାରନ୍ତି ସୁଜାତା. ସେଇ ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରୁଥିବାରୁ ସ୍ୱାମୀ ବିରକ୍ତ ହୁଅନ୍ତି. ଆଗଚଲା କଥା ତୁମର ଯିବନି କହି ବିରକ୍ତ ହୁଅନ୍ତି. ପୁଣି କେବେ ଆଗତ ଚଢେଇକୁ ବେସର ବଟା ହେଉଛି କହି ପାଟି କରନ୍ତି ସୁଜାତାଙ୍କୁ ତ ସେ ନିଜ ପ୍ରଶ୍ନ ନିଜ ଭିତରେ ରଖି ଚୁପ ହୋଇଯାଆନ୍ତି.
     ଏମିତି ଚୁପ ରହି କଷ୍ଟେ ମଷ୍ଟେ ନିଜ ସିଂଘରେ ନିଜେ ମାଟି ତାଡି ଚାଲୁଥିବା ସୁଜାତା ମାନସିକ ଭାବେ ଭାଙ୍ଗି ପଡନ୍ତି. ବାସ୍ତବବାଦୀ ଚିନ୍ତାଧାରା ର ମଣିଷ ସେଇ ପ୍ରଶ୍ନ ସ୍ୱାମୀଙ୍କୁ ପଚାରିବାକୁ ଆଉ ସାହାସ କରୁନଥିଲେ ମଧ୍ୟ ଶାରୀରିକ ଅବକ୍ଷୟ ତାଙ୍କୁ ନିସ୍ତେଜ କରେ. ପ୍ରଥମରୁ ଭାବୁଥିଲେ ରମା ଅଛି. ଯାହା ନେଉଛି ନେଉ, ଯାହା କରୁଛି କରୁ ହେଲେ ସିଏ ବି ମଣିଷ. ସେ ମଧ୍ୟ ଅସୁସ୍ଥ ହେବା ପରେ ଆଉ ଆସିଲାନି. ଅନ୍ୟ ଲୋକ ତା ସ୍ଥାନରେ ମିଳିଲେନି. ଘର କାମ ଅପେକ୍ଷା ସ୍ତ୍ରୀ ଲୋକମାନେ ଆଜିକାଲି ଇଟା ଭାଟି କାମ, ଶ୍ରମିକ କାମ ଓ ଧାନ ରୁଆ, ବିଲ ବଛା କୁ ଅଧିକ ପସନ୍ଦ କଲେଣି. ଅଖିଳେଶ ଯେତେ କହିଲେ ବି ଘରୋଇ କାମ ମାତ୍ର ଦୁଇ ଘଣ୍ଟାର ପୁଣି ଛାଇ ତଳ ସାଙ୍ଗକୁ ଜଳଖିଆ ଓ ଭୋଜନ ର ବ୍ୟବସ୍ଥା ଥାଏ କିନ୍ତୁ ସେକଥା ସୁଜାତାଙ୍କୁ ଶୁଣେଇଲେ ଲାଭ ନାହିଁ ବରଂ ଲୋକଙ୍କୁ ବୁଝେଇ କାହାକୁ ଘରର ଛୋଟ ମୋଟ କାମ ପାଇଁ ରଖିବାକୁ ଲୋକ ବୁଝି ଆଣିବା ଆଉ ସମ୍ଭବ ନୁଁହଁ ଅଖିଳେଶ ଙ୍କ ଦ୍ୱାରା. ଆଗରୁ ପୁଅ ଝିଅଙ୍କ ପାଖକୁ ଗଲେ ବୁଲାବୁଲି, କିଣାକିଣି ଇତ୍ୟାଦି ସହିତ ବହୁତ ଦେବଦେବୀ ଦର୍ଶନ କରିବାକୁ ମିଳୁଥିଲା. ଏବେ କିନ୍ତୁ ପୁଅର ଟିକି ପୁଅ ବୁଝିପାରିବନି କି କାହିଁକି ଜେଜେମାଆ ଆଗପରି ତାକୁ କାଖ କରୁନି!ସେଇ ଜଣେ ତ କେବଳ ତା ଦୁଃଖ ବୁଝୁଥିଲା. ଘୋଡାଗାଡି କି ରିକ୍ସା ନମିଳିଲା ବେଳେ ନିଜ କାଖରେ ତୋଳି ନେଇ ଟିକେ ବିରାମ ଦେଉଥିଲା ତା କୁନି କୁନି ପାଦକୁ ତ ଏବେ ଜେଜେମାଆ କାହିଁକି ତାକୁ ଧରୁନି ବୋଲି ସେ ସିନା ବୁଝିପାରେନି ହେଲେ ଜେଜେମାଆ ଲାଜ ସରମରେ ବାର୍ଦ୍ଧକ୍ୟ ଘୋଡାଉ ଘୋଡାଉ ପୁଅ ଘରକୁ ଯିବାକୁ ରାଜି ନୁଁହଁ ଆଉ କି ଝିଅ ଘରେ ତା ଶାଶୁ ଶାଶୁରଙ୍କ ସହ ଚଳିବାକୁ ମାଡି ମାଡି ପଡେ ଯଦିଓ ସେ ଦୁହେଁ ବହୁତ ଭଲ. ଗୋଡ଼ ଦୁଇ ଉଠାଇ କିନ୍ତୁ ପାଦ ପଡ଼େନି ପୁଅ ଘରକୁ ଅବା ଝିଅ ପାଖକୁ. ପାଦ ବଢିଗଲା କିନ୍ତୁ ସ୍ୱର୍ଗକୁ. ଅଳତା ଲଗା ଗୋରା ଗୋରା ପାଦ ଦୁଇଟି ସୁଜାତାଙ୍କର କୋକେଇରୁ ଓହଳି ଓହଳି ପୁରୀ ସ୍ୱର୍ଗଦ୍ୱାର ଯାଏଁ ଯିବା ଦୃଶ୍ୟକୁ ମନେ ପକାଇ କାନ୍ଦିଲେ ପୁଅ, ଝିଅ, ଜୋଇଁ,ବୋହୁ ଓ ନାତି,ନାତୁଣୀ ତଥା ଦୁଇପଟର ଭାଇଭଉଣୀ. ପରେ ପରେ ଭୁଲିଗଲେ କାହାର କୋଉ କର୍ତ୍ତବ୍ୟ ଓ ଦାଇତ୍ୱବୋଧ ଯୋଗୁଁ.ତ ଏକା ହୋଇଗଲେ ଅଖିଳେଶ. ମନେ ପଡୁଥିଲା ସ୍ତ୍ରୀଙ୍କ ସେହି ଶେଷ କିନ୍ତୁ ଏକା ପ୍ରଶ୍ନ. ଅନାଥା ଆଶ୍ରମ କୁ ଚାଲିଗଲେ କେମିତି ହୁଅନ୍ତା!ପେନସନ ପଇସା ଧରେଇ ଦିଅ ଓ ଜଞ୍ଜାଳ ମୁକ୍ତ ରୁହ.ସତକୁ ସତ ସେୟା ହେଲା. ଅଖିଳେଶ ସହରର ଖ୍ୟାତନାମା ଅନାଥଆଶ୍ରମକୁ ଚାଲିଗଲେ. ଜଞ୍ଜାଳ ନଥିବ କି ସ୍ମୃତି ଜାବୁଡି ଧରୁନଥିବ ମନ କି ହୃଦୟ ବରଂ ସହସାଥି ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କ ସହ ଜୀବନ ଅତିବାହିତ ହେବ ଐଶ୍ଵର୍ଗିକ ଚିନ୍ତା ରେ. ଚେତନା ଆସିବ ମନ ହୃଦୟରେ ସମସ୍ତଙ୍କୁ କ୍ଷମା କରିଦେବାକୁ. ଚୈତନ୍ୟ ଆସିବ ଏହି ଯେ କି ଲୋଭ କି ମାୟା!ସବୁ ତୁଛ ଓ ସବୁ ଅଳୀକ.ଜୀବନ ର ମାନେ ଦୁଇଦିନିଆଁ ଅର୍ଥାତ ଦୁଇଟି ନିଆଁ.
    ଝିଅ ଆସୁଥିଲା ଓ ପୁଅ ଆସୁଥିଲା. ଦିନାକେତେ ସବୁ ଠିକ ଚାଲିଥିଲା. କିଛି ଦିନ ପରେ ସବୁ ଭୁଲିଗଲେ ଅଖିଳେଶ. ପଇସା ଟଙ୍କା ଚିହ୍ନିଲେନି. ଠିକ ଠିକ କଥା କହିଲେନି କି କାହାକୁ ଦେଖି ଜାଣିପାରିଲେନି ସେ କିଏ. ପୁଅ ଆଉ ଆସୁନଥିଲା. ଝିଅ ମଧ୍ୟ ଆସିବାର ଦୂରତା ବଢ଼େଇ ଦେଇଥିଲା କିନ୍ତୁ ସେଦିନ ଆସି ଯାହା ଦେଖିଲା ଉପଚାରିକା ମୁଠା ମୁଠା ପଇସା ନେଇ ମଧ୍ୟ ବାପାଙ୍କୁ ଯୋଉ ଭଳି ବ୍ୟବହାର ଓ ଘୋଷଡା ଘୋଷଡ଼ି ତଥା ପକା ଉଠା କରୁଥିଲା ତାହା ଦେଖି ଝିଅ ସେଦିନ ଖୁବ କଇଁ କଇଁ କାନ୍ଦୁଥିଲା. ଭାଇ ଆଗରେ ସବୁ କହିବାରୁ ସେ ଉପରିସ୍ଥଙ୍କୁ ଜଣାଇବା ପରେ କିଛି ଦିନ ଠିକ ଠାକ ଚାଲିଥିଲା ସତ ହେଲେ ବେଡ଼ ଅପରିସ୍କାର କରୁଥିବା ଓ କିଛି ଜାଣିପାରୁନଥିବା ଅଖିଳେଶ ଙ୍କ ଦୁଃଖର ସୀମା ନଥିଲା. ପୁଅ ଏବଂ ଝିଅ ଏବେ ଅନୁଭବ କରୁଥିଲେ ଯେ ମାଆ କଥାରେ ବାପାଙ୍କୁ ଅନାଥ ଆଶ୍ରମରେ ଛାଡିବାର ନଥିଲା. ସେଦିନ ଭାଇ ଭଉଣୀ ଦୁହେଁ ଜଗନ୍ନାଥଙ୍କ ପାଖରେ ମୁଣ୍ଡିଆ ମାରି ଦୁଃଖର ସହିତ ବାପାଙ୍କୁ ନେଇଯିବାକୁ ଜଣାଉଥିଲେ. ସତକୁ ସତ ବାପା ଚାଲିଯାଇଥିଲେ କିନ୍ତୁ ତାଙ୍କ ମୁଣ୍ଡ ତଳେ ଥିବା ଡାଇରୀରେ ଲେଖିଥିଲେ ପୁଅ ଝିଅ ଜାଣିବ, ତୁମ ମାଆ ର ଶେଷ ପ୍ରଶ୍ନକୁ ସମ୍ମାନ ଜଣେଇ ଅନାଥାଆଶ୍ରମରେ ରହିବା ନିଷ୍ପତ୍ତି ଠିକ ନା ଭୁଲ ପରବର୍ତ୍ତୀ ପିଢିଙ୍କୁ ବୁଝେଇବ. ଚିଠି ପଢି ହତବାକ ପୁଅ ଓ ଝିଅ ଉଭୟଙ୍କ ଆଖିରୁ ଶ୍ରାଵଣ ଧାରା ଆଉ ବନ୍ଦ ହେବାର ନାମ ନେଉନଥିଲା ଦୁହିଁଙ୍କର .



Rate this content
Log in

Similar oriya story from Tragedy