ସମ୍ମୋହନ
ସମ୍ମୋହନ
ଧରାକୁ ଆସିଛି ଋତୁ ଫାଲ୍ଗୁନୀ. ପ୍ରକୃତି ରେ ରଙ୍ଗ ସମ୍ଭାର ଭରି ନବପଲ୍ଲଵ ର ଆଗମନ ରେ ଆସିଛି ହୋଲି. ମଣିଷ ସମାଜ ଖେଳୁଛି ରଙ୍ଗ ହୋଲି. ଭାଇଚାରା ର ପ୍ରତୀକ ହୋଲି. ଟିକେ ରଙ୍ଗ ଦେବା ଓ ନେବା ର ସମ୍ମୋହନ. କେତେ ଆପଣା ପଣ. ଜୀବନ ଜିଇଁବାର ଅଦ୍ଭୁତ ଶୈଳୀ ଆମ ମାଟିର ସଂସ୍କୃତି ଭିତରୁ ଗୋଟିଏ ଏ ହୋଲି. ଦୋଳ ପୂର୍ଣ୍ଣମୀ ରେ ପ୍ରେମମୟୀ ରାଧା ଙ୍କ ସହ କୃଷ୍ଣ ଙ୍କୁ ରଙ୍ଗ ଦେଇ, ଝୁଲା ଝୁଲଣ ରେ ଝୁଲାଇ, ଦ୍ୱାରେ ଦ୍ୱାରେ ପନ୍ତି ଖୁଆଇ ମଣିଷ ନିଜ ମନରେ ହୋଇଛି ରଙ୍ଗମନସ୍କ. ଅପରକୁ ରଙ୍ଗରେ ରଙ୍ଗେଇ କହିବ ତତେ ରଙ୍ଗ ଦେଲି ମତେ ଭାଇ ଡାକିବୁ ବୋଲି. କୃଷକ ମଧ୍ୟ ବିସ୍ମିତ. ଝରା ପତ୍ର ସମାହାର ରେ ଜମି ତାର ଅପୂର୍ବ ରଙ୍ଗରେ ରଙ୍ଗୟିତ. ଥୁଣ୍ଟା ବରଗଛ ମଧ୍ୟ କେଇଟା ଦିନରେ ହେବ ନବ ପଲ୍ଲବିତ. ପ୍ରକୃତି ଓ ପୁରୁଷ ଭିତରେ ସମ୍ମୋହନ ର ବାର୍ତ୍ତା ଦେଉଥିବା ମାଆ ରାଧା ଓ କୃଷ୍ଣଙ୍କ ମଧ୍ୟରେ ରଙ୍ଗ ଖେଳ ଭିତରେ ମଣିଷ ସମାଜ ବି ହଜି ଯାଇଛି, ଭିଜି ଯାଇଛି.
ସେପଟେ ଗୋଟେ ବଣ ଭିତରେ ବରଫ ବର୍ଷା. ସତେ ଯେମିତି ଧବଳ ରଙ୍ଗ ଟୋପା ଟୋପା ଖସିପଡୁଛି. ଗୋଟେ ପଟେ ପ୍ରକୃତିର ସମ୍ମୋହନ ଭିତରେ ଅନ୍ୟପଟେ ବାଘ ଓ ମେଷ ଭିତରେ ମତେ ଛୁଁ ର ସମ୍ମୋହନ. ଖସିଯିବ ମେଷ ନା ଧରିନେବ ବାଘ. ବାଘ ପରାକ୍ରମୀ, ବଳୁଆ.ଛାର ମେଷଟିକୁ ଧରିନେଇ ପାରିବ. ନିର୍ଣ୍ଣାଏକ କିନ୍ତୁ ଅଦୃଶ୍ୟରେ ରହି ଦେଖେଇଦେବେ କିଛି ଉଦାହରଣ. ସମ୍ମୋହନ ର ଗୁଣନ ଫେଡ଼ାଣ ମିଶାଣ ଓ ହରଣ. ବରଫ ଭିତରେ ଦୌଡ଼ି ଦୌଡ଼ି ଉଭୟ ବାଘ ଓ ମେଷ ହାଲିଆ. ଦୁଇ ଜଣଙ୍କର ଜୀବନ ପାଇଁ ସଂଘର୍ଷ, ଜୀବନ ବଞ୍ଚାଇବାକୁ. ମେଷ ଜୀବନ ରକ୍ଷା କରି ଖସି ପଳେଇବାକୁ ତ ଅନ୍ୟ ଜଣେ ବାଘ ଶୀକାର କରି କ୍ଷୁଧା ନିବାରଣ କରି ଜୀବନ ବଞ୍ଚାଇବାକୁ. ସୃଷ୍ଟିର କି ବିଚିତ୍ର ସମ୍ମୋହନ!ବରଫ ଭିତରେ ଦୌଡ଼ି ଦୌଡ଼ି ମେଷ ଦେଖିଲା ସେ ପୋତି ହୋଇ ପଡିଛି. ଭଲ ହେଲା ଜୀବନ ବଞ୍ଚିଗଲା. ଏ ଥଣ୍ଡା ବରଫ ଭିତରେ କିନ୍ତୁ ବଞ୍ଚିବ କେମିତି ସେ!ନିଜକୁ ବଂଚେଇବାକୁ ପାଇଛି ଦୁଇଟି ଶିଙ୍ଘ. କେଞ୍ଚି କେଞ୍ଚି ଉପରକୁ ଉଠି ଗଲା. ଦେଖିଲା ଅଳ୍ପ ଦୂରରେ ବାଘ କିନ୍ତୁ ମୋଟା ବରଫ ଆସ୍ତରଣ ତଳେ. ଚେଷ୍ଟା କରି ମଧ୍ୟ ବାହାରି ପାରୁନି ବରଫ ଭିତରୁ. ବାଘର ଗର୍ଜ୍ଜନ ଏଠି କାମ କରୁନି କି କାମ କରୁନି ଦୌଡ଼ି ଦୌଡ଼ି ଶୀକାର କୁ କାବୁ କରିବା କ୍ଷମତା. ସଂଘର୍ଷ ର ସମ୍ମୋହନ ପଛକୁ ବୁଲି ଦେଖି ମେଷ ଅଟକି ଗଲା. ବାଘର ବଳ ଅଛି. ତାକତ ବା ବଳ କାମ ଦେଉନି. ମେଷ ଜାଣେ ବାଘକୁ ରକ୍ଷା କଲେ ସେ ତାକୁ ମାରି ଖାଇବ ତଥାପି କୋଉ ସମ୍ମୋହନ ରେ କେଜାଣି ପଛକୁ ଫେରିଲା ମେଷ. ବାଘର ଏବେ ବିକଳ ଚାହାଣୀ. ଶିଂଘ ଦୁଇଟିରେ ବରଫ ତାଡିବାକୁ ଲାଗିଲା ମେଷ ଓ ଅତି ଆକ୍ଳେଶ ରେ ବରଫ ମୁଣ୍ଡା ଭିତରୁ ବାହାରି ଆସିଲା ବାଘ.
ଏଥର ଆଖିରେ ଆଖିଏ ଭୟ ସହ ପଛକୁ ପଛକୁ ପଦ ଗୋଟି ଚାଳନା କରୁଥିଲା ମେଷ. ନିଶ୍ଚିନ୍ତ ମୃତ୍ୟୁ ଆଗେଇ ଆସୁଛି ତା ନିକଟକୁ ବାଘ ରୂପରେ. ଏଇଠି ମେଷ ନିଶ୍ଚୟ ମଲା. ଭଗବାନ କିନ୍ତୁ ବାର୍ତ୍ତା ଟିଏ ଦେବାକୁ ଚାଁହାଁନ୍ତି ବୋଧେ. ବାଘ ଆଗେଇ ଆସିଲା. ମେଷ ସ୍ଥିର ଥିଲା. ଆଖି ବୁଜି ଦେଲା ମେଷ. ବାଘ ପାଖକୁ ଆସି ଥରେ ଚାଟି ଦେଲା ମେଷକୁ. ଆଉ ଆଖି ଖୋଲିବାର ନଥିଲା ମେଷର ବୋଲି ଭାବିଥିବା ମେଷ କିନ୍ତୁ ଆଖି ଖୋଲି ଦେଖିଲା. ବାଘ ଫେରିଯାଉଛି. ତା ଜୀବନ ବଞ୍ଚିଯାଇଛି. ଦୁହେଁ ବୁଝିଥିଲେ କ୍ଷମା କଲେ କ୍ଷମତା ମିଳଇ ବାର୍ତ୍ତାଟିଏ ହୋଇ ନା ଆଉକିଛି ଭାବୁ ଭାବୁ ଏପଟେ ମଣିଷ ସମାଜରେ ଚାଲିଥିଲା ହୋଲି ବେଳେ ଲଢେଇ. ବିଧବା ମାଆ ର ଧଳା ରଙ୍ଗର ଶାଢୀରେ ରଙ୍ଗ ବୋଳିଲା କିଏ!ଚାଁହୁଁ ଚାହୁଁ ହାଙ୍ଗାମା. ରଙ୍ଗ ପରିବର୍ତ୍ତେ , ଠେଙ୍ଗା ବାଡ଼ି, କଟୁରୀ ଓ ଫାର୍ସା ରେ ବିଭକ୍ତ ହେଲା ଦୁଇଦଳ. ହୋଲି ର ରଙ୍ଗ ରକ୍ତ ହୋରୀରେ ଲାଲ ହୋଇଯିବା ପୂର୍ବରୁ ମାଆ ଟି କହୁଥିଲା ମୁଁ ନିଜେ ନିଜକୁ ରଙ୍ଗ କରିଛି. କେହି କାହିଁକି ରଙ୍ଗ କରିବ ମତେ!ମୁଁ ଖାଲି ସମ୍ମୋହନ ରେ ନିଜକୁ ନିଜେ ରଙ୍ଗ କରିଛି. ମାରିବ ତ ମତେ ମାର. ହାଣିବ ତ ମତେ ହାଣ. ଏଥିରେ ବି ସମ୍ମୋହନ ଥିଲା. ସବୁ ତୁନି ପଡିଲେ. ପୁଣି ରଙ୍ଗ ଅବୀର ଉଡି କହୁଥିଲା ବାଘନିସହନାଲା.
ଆଜି କଥା କାଲିକୁ ନାହିଁ. ଆରବର୍ଷ ହୋଲି କଥା ଏବର୍ଷ କୁ ଥିବ ଅବା କାହିଁ!ଏ ବର୍ଷ ପୁଣି ହୋଲି ଆସିଥିଲା. ବଡ଼ରୁ ଛୋଟ ଯାଏଁ ସମସ୍ତେ ରଙ୍ଗ ଖେଳିବାକୁ ବାହାରି ଥିଲା ବେଳେ ଦୁଇଟି ଛୋଟ ଛୋଟ ପୁଅ ଓ ଝିଅ ଯଥାକ୍ରମେ ମୁନା ଓ ଝିଅ ହନି ସବୁ ସାଙ୍ଗମାନଙ୍କୁ ଏକଜୁଟ କରି ସ୍ଲୋଗାନ ଦେଇ ଦେଇ ଚାଲିଥିଲେ କହି କହି ଯେ ପ୍ରକୃତିର ରଙ୍ଗ ଖେଳିବା ଉଚିତ କିନ୍ତୁ ରେଢ଼ାମିନ ଇତ୍ୟାଦି କେମିକାଲ ମିଶା ରଙ୍ଗ ବା ପିଚକାରୀ କେହି ଖେଳନାହିଁ. ବଜାରରେ ଏବେ ଭଲ ରଙ୍ଗ ମିଳୁଛି ଯାହା ମୁରୁଜ ପ୍ରସ୍ତୁତି ପରି ଗଛର ପତ୍ର ନେଳି, ବିଟ ଭଳି ପରିବା ର ରସ ନାଲି, ଗାଜର ରସ ପରି ହଳଦିଆ ଓ ଶାଗ ରସ ପରି ସବୁଜ ରଙ୍ଗ ସବୁରୁ ତିଆରି ହର୍ବାଲ ରଙ୍ଗ . ସେହି ସବୁ ରଙ୍ଗରୁ ତିଆରି ହୋଇ ବଜାରରେ ମିଳୁଥିବା ଭିର୍ନ୍ନ ଭିର୍ନ୍ନ ହର୍ବାଲ ରଙ୍ଗ ସବୁ ଲଗେଇବାକୁ ସ୍ଲୋଗାନ ଦେବା ସହ ନଈକୁ ଗାଧେଇ ନଯିବାକୁ କହୁଥିଲେ. ସେ ଦୁହେଁ ଏକଥା କହିଲା ବେଳେ କାନ୍ଦି ପକାଉଥିଲେ. ଆର ବର୍ଷ ହୋଲି ବେଳେ ମୁନାର ଭାଇ ଓ ହନି ର ଭାଇ ଦୁହେଁ, ମୁନା ଓ ହନି ଦୁହିଁଙ୍କ ନିଜ ଆଖି ଆଗରେ ନଈରେ ବୁଡିଯିବାର ଦୃଶ୍ୟ ଏଯାଏଁ ଦୁହିଁଙ୍କ ମାନସପଟରୁ ଲିଭି ନଥିଲା.
ସେପଟେ ଏବର୍ଷ ହୋଲି ପୂର୍ବ ଦିନ ନୂଆ କରି ଶପଥ ନେଇଥିବା ବାଘ ରାଜା ସଭା କରି କହିଥିଲେ କି ଜଙ୍ଗଲ ରେ ଥିବା ସମସ୍ତ କ୍ଷୁଦ୍ର ଜନ୍ତୁ, କୀଟ ଓ ପତଙ୍ଗଙ୍କ ମଧ୍ୟରେ କୌଣସି ନା କୌଣସି ଦକ୍ଷତା ଥିବା ବେଳେ ଦୟା, କ୍ଷମା, ଆତ୍ମବଳି ତଥା ଵିଵେକୀ ପଣ ଆଦି ସୁଗୁଣ ଗୁଡିକ ରହିଛି. ଏକଥା କହୁଥିଲା ବେଳେ ବାଘ ରାଜାଙ୍କ ଆଖିରେ ଆରବର୍ଷ ର ଦୃଶ୍ୟ ନାଚୁଥିଲା. ଏହିକି ଯେ ବରଫ ଭିତରୁ ବାହାରି ନପାରି ତାଙ୍କ ଜୀବନ ଚାଲିଯାଉଥିବା ବେଳେ ମେଷ ଯଦି ତା ଶିଙ୍ଘ ସାହାଯ୍ୟରେ ବରଫ ତାଡି ତାଙ୍କୁ ବାହାରକୁ ଆଣିନଥାନ୍ତା ତେବେ ତାଙ୍କର ନିଶ୍ଚୟ ପ୍ରାଣବାୟୁ ଉଡି ଯାଇଥାନ୍ତା. ତାଙ୍କୁ ବଞ୍ଚେଇବା ବେଳେ ମେଷ ଭୁଲିନଥିଲା ଯେ ବରଫରେ ପୋତି ହେବା ପୂର୍ବରୁ ବାଘ ତାକୁ ଧରି ଖାଇବାକୁ ପ୍ରୟାସ ଜାରି ରଖିଥିଲା. ସେ କିନ୍ତୁ ସବୁ ଜାଣି ମଧ୍ୟ ବାଘର ଜୀବନ ବଞ୍ଚାଇ ମେଷ ଯେଉଁ ଆଦର୍ଶ ଓ ଦକ୍ଷତା ଦେଖେଇଲା ତାହା ବାଘ କେବେ ଭୁଲିନାହିଁ. ସେଇଥିପାଇଁ ସଭା କରି ସେ ଆଜି ସବୁ ବଡ଼ ଜୀବମାନଙ୍କୁ ଛୋଟ ଜୀବମାନଙ୍କ ପ୍ରତି ଦୟା ଦେଖେଇବାକୁ କହି ଜୀବେ ଦୟା ରୂପେ ହୋଲି ଖେଳିବାକୁ ପ୍ରସ୍ତୁତିକରଣ କରିବାକୁ ସମସ୍ତଙ୍କୁ କହୁଥିଲା.ଏପଟେ ବିଧବା ଜେଜେମାଆ, ଯିଏ ଆରବର୍ଷ ତାଙ୍କ ଧଳା ଶାଢୀରେ କେହି ରଙ୍ଗ ପିଚକାରୀ ପକେଇଦେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ସଂଘର୍ଷ ବଡ଼ କଷ୍ଟରେ ସମାଧାନ ହୋଇଥିଲା,ଏବର୍ଷ ସେହିକଥାର ସମ୍ମୋହନ ରେ ପରିଣତି ଏମିତି ହୋଇଥିଲା କି ସମସ୍ତେ ରଙ୍ଗ ଖେଳ ସାରି ତାଙ୍କ ଘରେ ଏକତ୍ରିତ ହୋଇଥିଲେ କାରଣ ରଙ୍ଗ ର ପର୍ବ ହୋଲି ତାଙ୍କ ସ୍ୱାଭାବିକ ମୃତ୍ୟୁର ବାର୍ଷିକୀ ଥିଲା.
