Anuja Mohanty

Romance Tragedy

4  

Anuja Mohanty

Romance Tragedy

ସନ୍ଧ୍ୟା

ସନ୍ଧ୍ୟା

3 mins
205



ପ୍ରେମ ...ଏକ ଶବ୍ଦ ଯାହା ମନ,ହୃଦୟ ଓ ପ୍ରାଣକୁ ଏକାଠି ବାନ୍ଧି ରଖେ । ମନ ଓ ହୃଦୟର ଭାଷା ସହିତ ଜଡ଼ିତ ହୋଇରହେ । ହୃଦୟ ତ କେବେଳ ପ୍ରେମର ହିଁ ପ୍ରତୀକ । ପ୍ରେମକୁ କେବେ କେହି ଛୁଇଁଚି ନା କେବେ ଦେଖିପାରିଛି କେବଳ ଅନୁଭବ ହିଁ ପ୍ରେମର ସଂଜ୍ଞା । ସମସ୍ତେ କୁହନ୍ତି ପ୍ରେମରେ ପ୍ରତାରଣା ନଥିଲେ ପ୍ରେମର ମଜା ନାହିଁ । କିନ୍ତୁ ମୋ ପ୍ରେମ ଥିଲା ଟିକେ ନିଆରା ପ୍ରତାରଣା ବିହୀନ, ସେଥିରେ କହିବାକୁ କିଛି ଶବ୍ଦ ନଥିଲା !! କେବଳ ଥିଲା ନିରୋଳା ଭଲପାଇବା ।


ଆଜି କାହିଁକି ଏ ନିର୍ଜ୍ଜନ ବର୍ଷା ରାତ୍ରିରେ ପୁରୁଣା ସ୍ମୃତି ସବୁ ମନ ଭିତରେ ଆଉଟୁ ପାଉଟୁ ହେଉଛି ।

କାହିଁକି ଆଜି ବିଗତ ଦିନରେ ଘଟିଯାଇଥିବା ଘଟଣା ମୋ ଆଖି ସାମ୍ନାରେ ନାଚି ଉଠୁଚି ?? ଭୁଲିନାହିଁ ମୁଁ ଆଜି ଯାଏ ତାକୁ ... !!!

ମାନେ ସନ୍ଧ୍ୟାକୁ ....।


ସନ୍ଧ୍ୟା... ମୋ ପଡ଼ୋଶୀ ଘରେ ଭଡାରେ ଥିଲା । ତା’ ବାପା ବି.ଏସ.ଏନ.ଏଲ ରେ କିରାଣୀ ଚାକିରୀ କରିଥିଲେ । ତାଙ୍କ ଘର ଖୋର୍ଦ୍ଧାରେ । ସନ୍ଧ୍ୟା ତାଙ୍କର ଏକମାତ୍ର ଝିଅ ଥିଲା । ସନ୍ଧ୍ୟା ଶ୍ୟାମଳ ରଙ୍ଗର ଥିଲେ ବି ତା ମୁଖର ଗଢଣ ଦେଖିଲେ ଯେ କେହି ବି ବିମୋହିତ ହୋଇଯିବ । ସେ +୨ ପଢିଲା ବେଳେ ଏଠାକୁ ଆସିଥିଲା । ମୋ ଭଉଣୀ ତାଙ୍କ ଘରକୁ ଯାଏ ଓ ତାଠାରୁ ଜାଣିବାକୁ ପାଇଲି ସେ ମୋରି କଲେଜରେ ଅଧ୍ୟୟନ କରୁଛି । ଆମେ ଦୁଇଜଣ ଏକା କ୍ଳାସରେ ଥାଇ ମଧ୍ୟ କେବେ ଦୁହେଁ ଏକାଠି କଥା ହେବାର ସୁଯୋଗ ପାଇନଥିଲୁ କି ସେଥିପ୍ରତି ଧ୍ୟାନ ଦେଇନଥିଲୁ ।


ସନ୍ଧ୍ୟାର ପରିବାର ଦିନ କେଇଟା ଭିତରେ ଆମର ଅତି ଆପଣାର ହୋଇଯାଇଥିଲା । ସନ୍ଧ୍ୟା ଆଉ ମୁଁ ଦୁହେଁ ଏକାଠି ଟ୍ୟୁସନ୍ ହେଉଥିଲୁ । ଏକାଠି ପଢିବା ଭିତରେ ଆମେ ଦୁହେଁ ଧିରେ ଧିରେ କଥାବାର୍ତ୍ତା କରିବାକୁ ଲାଗିଲୁ । ଏମିତି କଥା ହେଉ ହେଉ ଫୋନ୍ ରେ ବି ଗପିବାକୁ ଆରମ୍ଭ କରିଦେଲୁ । ଆମ ଦୁଇଜଣଙ୍କ ଭିତରେ ବନ୍ଧୁତା ନିବିଡ ହେବାରେ ଲାଗିଲା । ଆମ ମଧ୍ୟରେ ରାଗରୁଷା ମାନ ଅଭିମାନ ବଢ଼ିବାରେ ଲାଗିଲା । ରାଗରୁଷା ଆଉ ଅଭିମାନରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ଶବ୍ଦଟି ମନରେ ବସା ବାନ୍ଧି ସାରିଥିଲା । ଦୁହେଁ ଦୁହିଁଙ୍କୁ ଭଲପାଉଥିଲୁ ହେଲେ ବନ୍ଧୁତା ଭାଙ୍ଗିଯିବାର ଡର ମନରେ ରହିଥିଲା । କେହି ସାହସ କରି କହିପାରୁନଥିଲୁ । +୨ ସାରିଲା ପରେ ସନ୍ଧ୍ୟାର ବାପା ଅଲଗା କଲେଜରେ ଆଡମିସନ୍ କରେଇଦେଲେ । ସନ୍ଧ୍ୟା ସହିତ ଆଉ ଦେଖା ହେଇପାରୁନଥିଲା । କେବଳ ଛୁଟିଦିନ ମାନଙ୍କରେ ସାକ୍ଷାତ ହେଉଥିଲା । ସନ୍ଧ୍ୟା ଏବେ ମୋ ସହିତ କଥା ହେଲାବେଳେ ନୀରବ ରହୁଥିଲା । ମୋ ମନରେ ସନ୍ଦେହ ବସା ବାନ୍ଧିଲା । ତା’ର ନୀରବତା ମୋ ମନକୁ ଦୃଢ କରିବାରେ ଲାଗିଲା ତାକୁ ପ୍ରପୋଜ୍ କରିବାପାଇଁ ।


ଦିନେ ଉପଯୁକ୍ତ ସମୟ ଦେଖି ତାକୁ ପ୍ରପୋଜ୍ କଲି । ସେ ଉତ୍ତର କିଛି ନଦେଇ ଘର ଭିତରକୁ ଚାଲିଯାଇଥିଲା । .....ମୋତେ କଷ୍ଟ ହେଉଥିଲା କାଳେ ମୋ ଭଲପାଇବାରେ ବନ୍ଧୁତ୍ଵ ବଳି ପଡିନଯାଉ । ସାରା ରାତି ଫୋନ୍ କୁ ଅପେକ୍ଷା କରିଥାଏ । କିଛି ବି ଉତ୍ତର ସେପଟୁ ଆସିଲା ନାହିଁ । ମନ ଭିତରଟା ଛଟପଟ ହେଉଥାଏ । ଶରୀରଟା ପ୍ରାଣ ବିହୀନ ହୋଇଯାଉଥିଲା । ଠିକ୍ ସେହି ସମୟରେ ମୋ ଝରକା ପାଖରେ କେହି ଜଣେ ଠିଆ ହେବାର ପ୍ରତିଛବି ଘରର କାନ୍ଥରେ ପ୍ରତିଫଳିତ ହେଉଥିଲା । ହଠାତ୍ ଝରକା ଆଡକୁ ଚାହିଁଦେଲି ଦେଖିଲି ସନ୍ଧ୍ୟା ଠିଆ ହେଇଛି । ବାହାରକୁ ଯାଇ ଦେଖିଲି.... ଓଃ !!! ସନ୍ଧ୍ୟା ତୁମେ !!! ମୁଁ ତ ଆଉ କିଏ ଭାବି ଡ଼ରିଯାଇଥିଲି ।


ସନ୍ଧ୍ୟା ମୋ ଆଡକୁ ଚାହିଁ ଆଖିରେ ଆଖି ମିଶେଇ କହିଥିଲା... ଶୁଣିବ ତୁମ ପ୍ରଶ୍ନର ଉତ୍ତର ...। ମୁଁ ଅଧିକ ଉତ୍ସାହ ଦେଖେଇ କହିଥିଲି ହଁ ହଁ ହଁ..... ସନ୍ଧ୍ୟା !!! ତେବେ ଶୁଣ.... “ମୁଁ ତୁମକୁ ବହୁତ ଭଲପାଏ” ନିଜଠୁ ଜୀବନଠୁ ବି ଅଧିକା । ହେଲେ..... !! ମୁଁ ଖୁସିରେରେ ଉତ୍ତଫୁଲ୍ଲିତ ହୋଇ ପଚାରିଲି ହେଲେ.... ପୁଣି କ’ଣ ସନ୍ଧ୍ୟା ?? କୃଷ୍ଣ ରାଧାଙ୍କର ଅମର ପ୍ରେମର ଦ୍ଵାହି ଦେଇ ସେ ବୁଝେଇ ଚାଲିଲା । ପ୍ରେମରେ ଜାତି ହେଉଛି ବଡ ପ୍ରତିବନ୍ଧକ । ତୁମେ ବ୍ରାହ୍ମଣ ଆଉ ମୁଁ ଜଣେ ନିଚ୍ଚ କୁଳର ଝିଅ । ଆମ ପ୍ରେମ ଦୁଇ ପରିବାରରେ ବିଶୃଙ୍ଖଳା ସୃଷ୍ଟି କରିବ ?? ଆମର ବି ପରିଣତ ବୟସ ହୋଇନାହିଁ ଯେ ସମସ୍ତଙ୍କୁ ବୁଝେଇ ପାରିବା । ମୁଁ ମୋ ପରିବାରକୁ ଦୁଃଖ ଦେଇପାରିବନି । ଆଉ ମୁଁ ଜାଣିଛି ତୁମେ ମଧ୍ୟ ତୁମ ପରିବାରକୁ କଷ୍ଟ ଦେବାକୁ ଚେଷ୍ଟା କେବେ କରିବନି ।

ଏହାର କେବଳ ଗୋଟିଏ ମାତ୍ର ରାସ୍ତା...ଦୁହେଁ ପରସ୍ପରକୁ ଏତେ ମାତ୍ରରେ ଭଲପାଇବା ଯେ ଜୀବନରେ କେହି କାହାକୁ ଭୁଲିପାରିବାନି କି ଭୁଲବୁଝିବାନି...! ଆମର ପ୍ରେମ ଚିରଦିନ ପାଇଁ ଆମ ମନରେ ଅମର ରହିବ ..ଠିକ୍ ଯେମିତି ରାଧା ଆଉ କୃଷ୍ଣଙ୍କ ଶାଶ୍ଵତ ଓ ସ୍ଵଚ୍ଛ ପ୍ରେମ ଭଳି ।


ସନ୍ଧ୍ୟା କଥାରୁ ଜଣାପଡୁଥିଲା ତା ଗଳାର ସ୍ଵର ଭାରି ଭାରି ହେଲାଣି ଏବଂ କୋହ ସମ୍ଭାଳି ନପାରି ମୋତେ ଜୋରରେ ଧରି କାନ୍ଦି ପକେଇଲା । ମୁଁ ବି ନିଜକୁ ସମ୍ଭାଳି ପାରିନଥିଲି । ଛୋଟପିଲାଙ୍କ ପରି ଜୋରରେ କାନ୍ଦିବାକୁ ଲାଗିଲି । ସନ୍ଧ୍ୟା ସେହି ଦିନଠାରୁ ମୋ ପାଖରୁ ବିଦାୟ ନେଇ ଯାଇଥିଲା । ଆମ ସମ୍ପର୍କର ଡୋର ସେଇଠି ଛିଡି ଗଲା । ବହୁତ କଷ୍ଟ ଅନୁଭବ କଲି । ଯେମିତି ମୋର ହୃଦୟର ସ୍ପନ୍ଦନ ବନ୍ଦ କରିଦେଲା ।


ଏତେ ବର୍ଷ ହେଲାଣି ତାକୁ କେବେବି ଆଉ ଦେଖିନି କି ଖୋଜିବାକୁ ଚେଷ୍ଟା ବି କରିନି । କିନ୍ତୁ ଘରର ସବୁ କାନ୍ଥରେ ରାଧା କୃଷ୍ଣଙ୍କର ଚିତ୍ର ଟଙ୍ଗେଇଛି କେବଳ ସନ୍ଧ୍ୟା ପାଇଁ !! ପ୍ରତି ମୁହୂର୍ତ୍ତରେ ରାଧାଙ୍କୁ ଦେଖିବା ପାଇଁ ?? ରଧାଙ୍କୁ ତ୍ୟାଗର ପ୍ରତୀକ କୁହନ୍ତି । ଯିଏ ସାରା ଜଗତକୁ ନିଜ ପ୍ରେମ ଉତ୍ସର୍ଗ କରିଛନ୍ତି । ତା’ମାନେ ସନ୍ଧ୍ୟା କ’ଣ ରାଧାଙ୍କର ପ୍ରତୀକ ସଦୃଶ....???



Rate this content
Log in

Similar oriya story from Romance