ସାଙ୍ଗ
ସାଙ୍ଗ
ରୁନି ଆଉ ଲୀନା ଦୁଇ ଭଲ ସାଙ୍ଗ ଥିଲେ । କହିବାକୁ ଗଲେ ଲୀନା ରୁନିର ମାମୁଁଝିଅ । ରୁନି ଠାରୁ ଲୀନା ମାତ୍ର ପନ୍ଦର ଦିନ ବଡହେବ । ରୁନି କି ଯେବେ ଚାରି ବର୍ଷ ତା ମାମୁଁ ଓ ତାଙ୍କ ପରିବାର ଲୋକ ତାଙ୍କ ନିଜର ଭିଟାମାଟି ଛାଡି କୌଣସି କାରଣରୁ ପଳେଇ ଆସିଥିଲେ ତାଙ୍କ ଗାଁକୁ ଓ ସେହି ଗାଁରେ ଜମି କିଣି ଘର କଲେ ଓ ରୁନି ଘରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ସେମାନେ ରହିଲେ । ରୁନି ସେତେବେଳ କିଛି ବୁଝିପାରୁନଥିଲା ଏସବୁ କଣ ହଉଛି । ତାକୁ ଖୁସି ଲାଗୁଥିଲା ଲୀନାକୁ ଦେଖି । ଲୀନା ସହିତ ବୁଲିବା , ଖାଇବା , ଶୋଇବା ଖେଳିବା ସବୁ କରୁଥାଏ । ଲୀନା ରୁନି ଘରେ ରହି ପଢୁଥିଲା ।
ଦୁହେଁ ରୁନିର ବଡବାପାଙ୍କ ଚାଟଶାଳୀରେ ପଢନ୍ତି । ବଡବାପା କୁଆଡେ ଟିକେ ଗଲେ ଏ ଦୁଇଜଣ ଚେୟାର ଉପରେ ବସି ପିଲାଙ୍କୁ ବେତ ଧରି ପାଠ ପଢାନ୍ତି । ରୁନିର ମାମୁଁ ସେଇ ଗାଁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ଏ ଦୁଇଜଣ ମିଶି ବର୍ଷା ଖରା ନ ମାନି କୋଉଠି ଆମ୍ବ ଗଛରେ ଚଢିବା, ପିଜୁଳି ଗଛରେ ଚଢିବା, ଲେମ୍ବୁତୋଳିବା ଓ ବରକୋଳି ଖାଇବା ସବୁ ଏକାଠି କରୁଥାନ୍ତି । ଏହି ପରି ଭାବରେ ତାଙ୍କର ପିଲାଦିନ କଟୁଥାଏ । ଦିନେ ରୁନିର ବାପା ଆସିଥିଲେ (ସେ ଭୁବନେଶ୍ୱରରେ ଚାକିରି କରିଥିଲେ) ।
>
କିଛିଦିନ ରହିଲାପରେ ରୁନିକୁ ନେଇଗଲେ ସହରକୁ ପଢିବା ପାଇଁ । ରୁନି ସେଠିକି ଯାଇ ପୁରା ଏକୁଟିଆ ହେଇ ଗଲା ସବୁବେଳେ କ୍ୟାଲେଣ୍ଡରରେ ଦେଖୁଥାଏ କେବେ ରଜ ଆଉ ଦଶହରା ହବ ଓ ସେ ଗାଁକୁ ଯିବ । ସହରର ଚଲିଚଳନ ତାକୁ ଅଲଗା ଲାଗୁଥିଲା, ଗୋଟେ ଘରେ ରହିବା ଏକୁଟିଆ ଖେଳିବା ତାକୁ ଜମା ଭଲ ଲଗୁନଥିଲା । ଝରକା ପାଖେ ଏକୁଟିଆ ବସିକି କାନ୍ଦୁଥିଏ, ସବୁବେଳେ ସନିକି ଖୋଜୁଥିଲା ।
ଦଶହରା ଛୁଟି ଆସିଲା ଆଉ ଋଣି ର ମନ ଖାଲି ବ୍ୟାକୁଳ ହୋଇଉଠୁଥିଲା ଲୀନା ସଙ୍ଗେ ଗପିବା ପାଇଁ । ଯେଉଁଦିନ ଗାଁକୁ ଯିବାର ସମୟ ଆସିଲା ସେଦିନ ରୁନିକୁ ଆଉ ନିଦ ନଥିଲା ସକାଳୁ ଉଠି ନିତ୍ୟକର୍ମ ସାରି ବାହାରିଲା ବାପା ବୋଉ ସଙ୍ଗେ ଗାଁକୁ । ଗାଁକୁ ଯାଇ ଦେଖିଲା ଲୀନା ତାଙ୍କ ଗାଁର ତିନି ଚାରିଜଣଙ୍କୁ ସାଙ୍ଗ କରିସାରିଲାଣି ରୁନି ସାଙ୍ଗେ ଏତେ ଭଲରେ କଥା ବି ହଉନଥାଏ । ରୁନିର ଅବେଗ ଭରା କଥାକୁ ଶୁଣିବାପାଇଁ ଲୀନା ପାଖେ ସମୟନଥାଏ, ସେ କେବେଳ ତା କଥା ଗପିଚାଲିଲା । ସେ ଧିରେ ଧିରେ ଅନୁଭବ କଲା କି ୟା ଭିତରେ ଲୀନା ସମୟ ସହିତ ବଦଳିଗଲାଣି । ଛୁଟି କାଟି ଫେରିଗଲା ସହରକୁ ଓ ସେଠି ସେ ଏକୁଟିଆ ପଣକୁ ଆପଣେଇ ନେଲା । ସେ ବୁଝିଗଲା ଏକଲାପଣ ହିଁ ମଣିଷର ପ୍ରକୃତ ବନ୍ଧୁ ।