Anuja Mohanty

Inspirational Others

3  

Anuja Mohanty

Inspirational Others

ଭାଷା ପରିବର୍ତ୍ତନ

ଭାଷା ପରିବର୍ତ୍ତନ

3 mins
217


ଜୁନ ୩ ତାରିଖ...! ଏଇ ତାରିଖରେ ଆମର ବିବାହ ହୋଇଥିଲା । ମୁଁ ଓ ଅଶୋକ ଏକ ପବିତ୍ର ବନ୍ଧନରେ ସାତ ଜନ୍ମ ପାଇଁ ବାନ୍ଧି ହୋଇଯାଇଥିଲୁ । ଜୀବନରେ ସ୍ଵାମୀ ରୂପରେ ଜଣେ ବନ୍ଧୁଙ୍କୁ ପାଇଥିଲି । କିଛି ଖଟା ମିଠା ସ୍ମୃତି ଓ ଅନୁଭୂତିକୁ ନେଇ ସଂସାର ଆଗକୁ ବଢୁଛି । ଚାହୁଁ ଚାହୁଁ ଗତ କାଲିକୁ ଆମ ବାହାଘର ୪ ବର୍ଷ ବିତିଯିବ ।


ସବୁ ବର୍ଷ ପରି ଏ ବର୍ଷ ବି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଦୁହେଁ ମନବଳେଇଲୁ । ଘରର ସମସ୍ତ ସଦସ୍ୟଙ୍କ ସହିତ ପୁରୀ ଯିବା ପାଇଁ ରାତିରେ ଆଲୋଚନା କଲୁ । ହେଲେ ଜଗନ୍ନାଥଙ୍କ ପାଖରେ ଅଧିକ ଭିଡ଼ ହେଉଥିବାରୁ ଶାଶୁଙ୍କର ଇଚ୍ଛାଥାଇ ମଧ୍ୟ ରାଜି ହେଉନଥିଲେ କାରଣ ତାଙ୍କର ଉଚ୍ଚ ରକ୍ତଚାପ ରୋଗ ଥିଲା । ଦିଅର କହିଲେ- ରାତି ତିନିଟାରେ ଗଲେ ପୁରୀରେ ଭୋରୁ ପହଞ୍ଚିଯିବା ଏବଂ ଦର୍ଶନ ବି ଫାଙ୍କାରେ କରିହେବ । ତାଙ୍କ କଥାରେ ସମସ୍ତେ ରାଜି ହେଲୁ ଏବଂ ଗାଡିବାଲାକୁ ଫୋନ୍ କରି ଠିକ୍ ସମୟରେ ପହଞ୍ଚିବାକୁ କୁହାଗଲା ।

ସମସ୍ତେ ନିତ୍ୟକର୍ମ ସାରି ନିର୍ଦ୍ଧାରିତ ସମୟରେ ପୁରୀ ଯିବାଲାଗି ବାହାରିପଡିଲୁ । ଗାଡିବାଲା ମଧ୍ୟ ଠିକ୍ ନିର୍ଦ୍ଧାରିତ ସମୟରେ ଘର ଆଗରେ ଠିଆ ହୋଇଗଲେ । ଠାକୁରଙ୍କ ନାମ ଧରି ଗାଡିରେ ବସିଲୁ । ଗାଡ଼ିରେ ଜଗନ୍ନାଥଙ୍କ ଭଜନ ଲାଗିଥିବାରୁ ମନରେ କଳିଆର ଦର୍ଶନ ପାଇଁ ଉତ୍କଣ୍ଠା ବଢିଯାଉଥାଏ । ସାକାଳୁ ସକାଳୁ ରାସ୍ତା ଫାଙ୍କା ଥିବାରୁ ଡ୍ରାଇଭରବାବୁ ଅଧିକ ବେଗରେ ଗାଡି ଚଳାଉଥିଲେ । ଡ୍ରାଇଭରବାବୁଙ୍କ ପାଖରେ ଅଶୋକ ବସିଥିଲେ ଓ ତାଙ୍କୁ ଟିକେ ଧୀରେ ଚଲେଇବାକୁ କହିଲେ।

ଗାଡିଟି ରାସ୍ତାରେ କୌଣସି ଜାଗାରେ ଅଟକି ନଥିଲା । ଏକା ନିଶ୍ୱାସରେ ମା ବାଟମଙ୍ଗଳାଙ୍କ ପାଖରେ ପହଞ୍ଚିଗଲା । ସେଠି ମା ଙ୍କ ପାଖରୁ ଦର୍ଶନ ସାରି ଚଞ୍ଚଳ ବାହାରିଗଲୁ ଜଗନ୍ନାଥଙ୍କ ଦର୍ଶନ କରିବା ଲାଗି ।

ଗଡ଼ିଟିକୁ ପାର୍କିଂ ସ୍ଥଳରେ ରଖି ଚାଲି ଚାଲି ବଡ଼ଦାଣ୍ଡରେ ଆଗେଇ ଗଲୁ ବଡ଼ଠାକୁରଙ୍କ ଦର୍ଶନପାଇଁ ।

ଅରୁଣ ସ୍ତମ୍ବରୁ ମୁଣ୍ଡିଆ ମାରି ବାଇଶି ପାହାଚ ନିକଟରେ ପହଞ୍ଚୁ ପହଞ୍ଚୁ କାନରେ ହିନ୍ଦୀ ଭାଷାରେ କିଛି ସେବାୟତ ମାନେ କଥା ହେବାର ଶୁଣିଲି । ଭଗବାନଙ୍କ ବେଢ଼ା ଭିତରେ ବଙ୍ଗାଳୀ ଭାଷାରେ ଭାଇନା କିଛି ଲୋକଙ୍କୁ ବୁଝାଉଥିବାର ଦେଖିଲି । ସେତିକି ନୁହେଁ ମନ୍ଦିରର ମୁଖଦ୍ୱାର ନିକଟରେ ଜଣେ ଲୋକ ତୁଳସୀ ମାଳ ବିକୁଛି ପୁଣି ହିନ୍ଦୀରେ ଲୋକଙ୍କୁ କହୁଛି । କିଛି ନୂଆ ନୂଆ ଲାଗୁଥିଲା ମୋତେ, ଛାଡ଼ କହି ଆଗକୁ ଆମେ ସମସ୍ତେ ବଢ଼ିଲୁ । ମନ୍ଦିରରେ ଠାକୁରଙ୍କର ଦୁର୍ଲ୍ଲଭ ଦର୍ଶନ ପାଇଲୁ । ଗହଳି ନଥିବାରୁ ତିନିଥର ଚତୁର୍ଦ୍ଧା ମୁରତିଙ୍କୁ ଦର୍ଶନ କରି ମଧ୍ୟ ମନ ଭରୁନଥାଏ । ସେଇ ଦୁଇ ଚକା ଆଖିରେ ନିଜକୁ ହଜେଇ ଦେବାକୁ ଇଚ୍ଛା ହେଉଥାଏ ।

ଠାକୁରଙ୍କ ବେଢ଼ାରେ କିଛି ସମୟ ବିତେଇଲା ପରେ ମା ବିମଳାଙ୍କ ଦର୍ଶନ ପାଇଁ ଗଲୁ । ସେଠି ପ୍ରବେଶ ଦ୍ୱାର ପାଖରେ ମୁଣ୍ଡିଆ ମାରୁଥିଲି କିଛି ଶବ୍ଦ ଶୁଭିଲା " ଇଧର ଆଓ ମାତାଜୀ କା ଦର୍ଶନ କରୋ, ମାତାଜୀ କୋ ଫୁଲ୍ ଚଢାଓ, ସିନ୍ଦୂର୍ ଲେଜାଓ.... "। କିଛି ସମୟ ପାଇଁ ଭାବି ନେଲି; ମୁଁ ରାଜ୍ୟ ବାହାରରେ ଥିବା କୌଣସି ମନ୍ଦିରରେ ମୁଣ୍ଡିଆ ମାରୁଛି କି ? ମୁଁ ଆଖି ଖୋଲି ପ୍ରକୃତିସ୍ଥ ହେଲି , ଆରେ... ! ମା'ଙ୍କ ମନ୍ଦିରରେ ମୁଣ୍ଡିଆ ମାରୁଥିଲି । ଆଗରେ ଭାଇନା ଜଣେ ସିନ୍ଦୂର, ଶଙ୍ଖା ଓ ଫୁଲ ହାର ଧରି ଏଭଳି ଡାକୁଛନ୍ତି । ଆଉ ନିଜକୁ ସମ୍ଭାଳି ପାରିଲିନି ବାଧ୍ୟ ହୋଇ ପଚାରିଲି ; ଭାଇନା ଏଠି ଆଉ କେହି ଓଡ଼ିଆ ଭାଷାରେ କଥା ହେଉନାହାନ୍ତି କାହିଁକି ? କଥାରେ ଅଛି "ଆମେ ଓଡ଼ିଆ ଆମ ଭାଷା ବଢିଆ" । 

ସେ ସଙ୍ଗେ ସଙ୍ଗେ ପ୍ରଶ୍ନର ଉତ୍ତର ଦେଲେ ଏଇ ଭଳି – ଆଜି ବାହାର ରାଜ୍ୟରୁ ଲୋକ ଅଧିକ ଆସିଛନ୍ତି ! ରାଜସ୍ଥାନ,ଉତ୍ତରପ୍ରଦେଶ, କୋଲକାତାରୁ ଅଧିକ ଜଜମାନ ଆସିଛନ୍ତି ତେଣୁ ବାଧ୍ୟ ହୋଇ ସେଇ ଭାଷା ସବୁ କହିବାକୁ ପଡୁଛି ।

ତାଙ୍କ ଉତ୍ତର ଶୁଣି ମୁଁ ଆଉ ଗୋଟେ ପ୍ରଶ୍ନ କଲି – ଭାଇନା... ସେମାନଙ୍କ ରାଜ୍ୟରେ ତ କୌଣସି ଧର୍ମପୀଠରେ ନନା ମାନେ ଓଡ଼ିଆ ଭାଷା କହୁଥିବା ମୁଁ ତ ଦେଖିନି କି ଶୁଣିନି ?

ଭାଇନା ଆଉ କିଛି ନକହି ମୋତେ ଅଣଦେଖା କରି ତାଙ୍କ କାମରେ ଲାଗିପଡିଲେ ।

ମୁଁ ବି ମୋ ପ୍ରଶ୍ନର ଉତ୍ତର ନପାଇ ଅଯଥା ଯୁକ୍ତିକୁ ଆଗକୁ ବଢିବାକୁ ଦେଲିନାହିଁ ଏବଂ ସେଇଠୁ ଫେରିଆସିଲି । ବେଢାର ସବୁ ମନ୍ଦିରରେ ସେବାୟତ ମାନେ ବିଭିନ୍ନ ଭାଷା ପରିବର୍ତ୍ତନ କରି ଯାତ୍ରୀଙ୍କ ସହିତ କଥା ହେବାର ମୁଁ ଲକ୍ଷ୍ୟ କରୁଥିଲି ।

ସବୁ ଠାକୁରଙ୍କ ଦର୍ଶନ ସାରି ବାଇଶି ପାହାଚରେ କିଛି ସମୟ ବସି ବଡଦାଣ୍ଡକୁ ଫେରିଲୁ ।

ଫେରିବା ସମୟରେ ସିଂହଦ୍ଵାର ନିକଟରେ ମନେ ମନେ ବିଚାରୁଥିଲି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଓଡ଼ିଶାରେ କେତେଦୂର ଆଗେଇଛି ତାହା କେବଳ ସେଇ ଜଗନ୍ନାଥଙ୍କୁ ହିଁ ଜଣା ! ମୋ ଭାଷା ମୋ ଓଡ଼ିଶାକୁ ସେଇ ବ୍ରହ୍ମାଣ୍ଡ ଠାକୁରଙ୍କର ଶାହା ଭରସା ...।



Rate this content
Log in

Similar oriya story from Inspirational