Anuja Mohanty

Tragedy Inspirational

3  

Anuja Mohanty

Tragedy Inspirational

ଏମିତି ଥିଲା ମୋ ବୋଉ

ଏମିତି ଥିଲା ମୋ ବୋଉ

5 mins
163


ମୋ ନା ମାନସ ଶ୍ରଦ୍ଧାରେ ଘରେ ଡାକନ୍ତି ମାନୁ । ବୟସ ମାତ୍ର ପାଞ୍ଚ ହୋଇଥିଲା , ମୋ ବାପା ଆମ ଦୁହିଁଙ୍କୁ ଛାଡି ଆର ପାରିକୁ ଚାଲିଗଲେ । ଆମେ କହିଲେ, ମୁଁ ଓ ମୋ ବୋଉକୁ ନେଇ ଆମର ଛୋଟ ସଂସାର ।

ମୋ ବାପା ଜଣେ ଦିନମଜୁରିଆ ଥିଲେ । ବାପା ଚାଲିଗଲା ପାଖରୁ ମୋ ବୋଉ ପରଘରେ କାମ କରି ଘର ଚଳାଏ । ବାପାଙ୍କ ଯିବା ପରଠାରୁ ବୋଉ କୌଣସି ଥିରେ ଅଭାବ ରଖେନି ମୋର । ମୋର ସକାଳୁ ମୁହଁ ଧୋଇ ଦେବାରୁ ତାର ସକାଳ ଆରମ୍ଭ ହୁଏ ଯେ ମୁଁ ରାତିରେ ଶୋଇବା ଯାଏଁ । ଛାଇ ଭଳି ମୋ ପାଖେ ପାଖେ ଥାଏ । ଯେମିତି ତା ଦୁନିଆ ଟା କେବଳ ମୋ ପାଖରେ ଆରମ୍ଭ ଓ ମୁଁ ହିଁ ତାର ଶେଷ । ବହୁତ ଭଲ ପାଉଥିଲା ସେ ।

ଗାଁ ପିଲାଙ୍କ ସାଙ୍ଗରେ ଖେଳିଲା ବେଳେ ବୋଉର ଝଗଡା ହେଲେ ମୋତେ ପାଟି କରି ନେଇ ଆସେ । ଆଉ ସେମିତି କେବେ ବଦମାସୀ କରିବୁନି କହି ମୋ ଦେହରେ ଲାଗିଥିବା ଧୂଳି ସବୁ ନିଜ ପିନ୍ଧା ଲୁଗା କାନିରେ ପୋଛି ପକାଏ । ମୁଁ ଟିକେ ଚଗଲା ହୁଏ ବୋଲି ସବୁବେଳେ କୁହେ ; ସେମିତି ଚଗଲା ହଅନା ରେ ମାନୁ , ଧୀରେ ଧୀରେ ବଡ଼ ହେବୁ ଭଲ ବୁଦ୍ଧି କଲେ ସମସ୍ତେ ଭଲ ପାଇବେ । ତୋ ବାପା ଦିନ ମଜୁରିଆ ଥିଲା ସତ, କିନ୍ତୁ କାହା ଆଗରେ ଦିନେ ବି ଆଣ୍ଠୁ ଭାଙ୍ଗି ଠିଆ ହେଇନି । ଏ ଗାଁ ରେ ତୋ ବାପାଙ୍କୁ ସମସ୍ତେ ଭଲପାଉଥିଲେ । ମୁଁ ଚାହୁଁଛି ତୁ ଏମିତି କାମ କରିବୁ ଯେମିତି କି ତୋ ବାପାଙ୍କ ଠୁଁ ତୁ ଅଧିକ ନାଁ କମେଇବୁ । ମୋର ଆଉ କ'ଣ ବା ଦରକାର ।

ପିଲା ବୟସ ଥିଲା ବୋଲି ମୁଁ ବୋଉ କଥାକୁ ଟିକେ ବି କାନରେ ପୁରଏନି । ଖାଲି ଏତିକି ଜାଣେ ସେ ମୋତେ ଅନ୍ଧ ଭଳି ବିଶ୍ୱାସ କରେ ।ଦିନେ ମୁଁ ସ୍କୁଲ ଯିବାବେଳେ ମୋ ସ୍କୁଲ ବ୍ୟାଗ ଭିତରୁ ଗୋଟେ ଦାମିକିଆ କଲମ ଟେ ଖସି ପଡ଼ିଲା । ମୁଁ ତାକୁ ବୋଉର ନଜର ପଡିବା ପୂର୍ବରୁ ତଳୁ ଉଠେଇଲା ବେଳେ, ସେ ପଛପାଖରୁ ଆସି ପଚାରିବାକୁ ଲାଗିଲା ସେଇଟା କାହାର କିରେ ମାନୁ ? ମୁଁ ହଠାତ୍ ବୋଉର ପାଟି ଶୁଣି ଚମକି ପଡ଼ିଲି ଓ ସେ କଲମଟିକୁ ବୋଉର ନଜରରୁ ଲୁଚେଇ ରଖିବାକୁ ଚେଷ୍ଟା କଲି ।କିନ୍ତୁ ମୋ ବୋଉ ନଜରରେ ଲୁଚେଇ ପରିନଥିଲି , ସେ ମୋ ହାତରୁ କଲମଟିକୁ ନେଇ ପଚାରିଲା ଏଇଟା କାହାର ମାନୁ । ବୋଉ କାଳେ ରାଗିବ ବୋଲି ଜାଣିପାରି ବୋଉର ଅଣ୍ଟାକୁ କୁଣ୍ଢେଇ ଧରି ମିଛ କହିଲି ; ସେ କଲମଟା ମୋ ସାଙ୍ଗ ରୁଦ୍ରର । ତା ବାପା ସହରରୁ କେତେ କଲମ ଆଣିଛନ୍ତି । ସେ ସବୁଦିନ ନୂଆ ନୂଆ ଆଣୁଛି । ମୋତେ ଏଇଟା ଭଲଲଗିଲା ତ ସେ ମତେ ଦେଇଛି । ସେ ଆଉ ଏ କଲମଟିକୁ ନବନି କହିଛି ।

ବୋଉ ମୋ କଥା ଶୁଣି କହିଲା ସେ ଦେଇଛି ନା ତୁ ଆଣିଛୁ । ନା ବୋଉ ସତ କହୁଛି , ବହି ଛୁଉଁଛି ସେ ଦେଇଛି । ବୋଉ ଖୁସି ହୋଇ ଗାଲରେ ଗେଲ କରି କହିଲା ହଉ ସେ କଲମଟିକୁ ଭାଙ୍ଗିବୁନି , ସେ ତୋତେ କେଡେ ଶ୍ରଦ୍ଧାରେ ଦେଇଛି । ବୋଉର କଥା ଶୁଣି ମୁଁ ମନେ ମନେ ଖୁସି ହୋଇଗଲି , ମନରେ ଭାବିଲି ଯାହା ହେଉ ବୋଉ କିଛି ଜାଣିପାରୁନି ।ବୋଉ ମୋ ମିଛ ଧରିପାରିଲାନି । ବୋଉର ଏହି ସରଳତା ଧୀରେ ଧୀରେ ମୋ ବୟସ ବଢ଼ିବା ସଙ୍ଗେ ମୋର ଦୁର୍ବଳତାରେ ପରିଣତ ହୋଇଗଲାଣି । ମୁଁ ଛୋଟମୋଟ ଚୋରି କରୁ କରୁ ମୋର ସାହସ ବଢ଼ିଗଲା ।

ମିଛ କହି ବିଭିନ୍ନ ସାମଗ୍ରୀ ଚୋରେଇ ଆଣେ ଓ ସେଗୁଡିକୁ ବିକ୍ରି କରି ବୋଉକୁ ରୋଜଗାର କରିକି ପଇସା ଆଣୁଛି ବୋଲି କୁହେ । ବୋଉ ବି ଖୁସି ହୋଇ ମୋତେ ; ମୋ ପୁଅ କେତେ ଖଟିକି ରୋଜଗାର କରୁଛି କହି ଆଶୀର୍ବାଦ କରିପକାଏ । ମୋ ହାତରୁ ଟଙ୍କା ତକ ନେଇ ଠାକୁରଙ୍କ ପାଖରେ ଥିବା ଗୋଟେ ବାକ୍ସରେ ରଖେ ଓ ସେହି ପଇସାରେ ଘର ଚଳାଏ ।କିନ୍ତୁ ସବୁଦିନ ସମାନ ନଥାଏ । କଥାରେ ଅଛି “ଚୋର ଘର ସବୁବେଳେ ଅନ୍ଧାର ରୁହେନି” । ଗୋଟେ ଦିନ ଆମ ପଡ଼ିଶାଘର ମକରା ଭାଇ ତା ସାଇକେଲଟିରେ ଚାବି ନ ପକେଇ ବାହାରେ ରଖିଥିଲା । ସମସ୍ତେ ଶୋଇଗଲା ପରେ ମୁଁ ମଉକାର ସୁଯୋଗ ନେଇ ତା ସାଇକେଲଟିକୁ ଉଠେଇ ନେଇଆସୁଥିଲି ବିକି ଦେବାପାଇଁ ।

 କିନ୍ତୁ ସେଦିନ ମୋ ଦୁର୍ଭାଗ୍ୟକୁ ତାଙ୍କର ଥିବା କାଳିଆ କୁକୁର ହାଠାତ୍ ମୋତେ ଦେଖି ଭୁକିବାକୁ ଆରମ୍ଭ କରିଦେଲା । କିଏ କିଏ କହି ମକରା ଭାଇ ଦଉଡି ଆସିଲେ । ମୁଁ ଆକୁଳିଆରେ ସାଇକେଲଟିକୁ ଛାଡ଼ି ଦୌଡ଼ିବାକୁ ଆରମ୍ଭ କରୁଥିଲି, ଠିକ୍ ଏହି ସମୟରେ ମକରା ଭାଇର ଟର୍ଚ୍ଚ ମୋ ମୁହଁ ଉପରେ ପଡିଗଲା । ସେ ମାନୁ.... ମାନୁକିରେ... କହି ମୋତେ ଗୋଡେଇଲା ।

ମୁଁ କିଛି ନ ଶୁଣିଲା ପରି ଗୋଟେ ନିଃଶ୍ୱାସରେ ଦଉଡି ଆସି ବୋଉ ପାଖରେ ଶୋଇପଡ଼ିଲି । ମୁଁ ଧଇଁ ସଇଁ ନିଶ୍ଵାସ ନେଉଥିବାରୁ ବୋଉ ଉଠିପଡ଼ି ପଚାରିଲା; କଣ ହେଲା କିରେ ମାନୁ , ତୁ ଏମିତି କାଇଁ ହଉଛୁ । କଣ ହେଲା ତୋର !

ମୁଁ କିଛି ନକହି ଉଠିପଡ଼ି ପାଣି ଦି ଢ଼ୋକ ପିଇଦେଲି । ବୋଉକୁ ଗ୍ଲାସ୍ ଟି ବଢେଇ କହିଲି ବୋଉ ମୁଁ ଗୋଟେ ଭୁଲ....... ହାଠାତ୍ ଘର ଆଗରେ ମକରା ଭାଇ ଆଉ କେତେଜଣ ଗାଁ ଲୋକଙ୍କ ପାଟି ଶୁଭିଲା । ମୋ ଦେହ ତାଙ୍କ ଡାକ ଶୁଣି ଶୀତଳ ପଡିବାରେ ଲାଗିଲା । ସେମାନେ ଜୋରେ ମାନୁ ମାନୁ କହି ଗର୍ଜନ କରି ଦାଣ୍ଡ କବାଟଟିକୁ ବାଡେଇବାକୁ ଲାଗିଲେ ।

ବୋଉ କବାଟ ଖୋଲିବାକୁ ଗଲାବେଳେ ମୁଁ ତାକୁ ଅଟକାଇ ମନା କଲି ,ସେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁ ପଚାରିଲା , କଣ କରିଛୁ ମାନୁ ସତ କହ , ମୋ ବାପାଟା ପରା । ମୋର କହିବାକୁ ଆଉ ସମୟ ନାହିଁ ବୋଉ ମୋତେ ତୁ ବଞ୍ଚେଇ ଦେ । ମୁଁ ତୋତେ ସବୁ ସତ କହିବି ।

ରହ ମୁଁ ବୁଝୁଛି କହି, ବୋଉ ବାରିପଟରେ ଥିବା କବାଟ ଟା ଖୋଲିଦେଲା ଓ ନିଜେ ଦାଣ୍ଡ ପଟେ ଯାଇ ଗାଁଲୋକଙ୍କୁ ସାମ୍ନା କଲା । ମୁଁ ଆଉ ଡେରି ନକରି କବାଟ ପଛରେ ରହିଥିବା ଗୋଟେ କଣାରୁ ସେମାନଙ୍କୁ ଦେଖୁଥିଲି । ବୋଉକୁ ସେମାନେ ମୋ ବିଷୟରେ ସବୁ ବଖାଣିଦେଲେ , ପିଲାବେଳୁ ରୁଦ୍ରର କଲମ ଚୋରି ଠାରୁ ଏବେ ଯାଏଁ ଯାହା ଯାହା କରିଥିଲି, ତଥାପି ବୋଉ କହିଚାଲିଛି ମକରା ତୁ ମିଛ କହୁଚୁରେ, ସେ ମୋ ପୁଅ !! ସେ ପୁଣି ଚୋରି କରିବ !!

ବାରମ୍ବାର ବୋଉ ନ ବୁଝିବାରୁ ଗାଁ ଲୋକେ ରାଗିଯାଇ ଘରଟିକୁ ଜାଳିଦେବାକୁ ଆସୁଥିଲେ , ବୋଉ ତାଙ୍କ ଆଗରେ ଠିଆ ହୋଇ ବିରୋଧ କଲା । ବୋଉକୁ ଘୋଷାଡ଼ି ଦେଇ ତଳେ ପକେଇଦେଲେ ଓ ମୁଁ କେଉଁଠି ଅଛି ବୋଲି ପଚାରିଲେ । ତଥାପି ବୋଉ ତାଙ୍କୁ ମୋ ଉପସ୍ଥିତିର ଆଭାସ ବି ଟିକେ ଦେଲାନାହିଁ । ସବୁ ଲୋକ ମିଶି ମୋ ଆଖି ସାମ୍ନାରେ ମୋ ବୋଉକୁ ପିଟି ପିଟି ମାରିଦେଲେ । ହେଲେ ମୁଁ ହତଭାଗା ସବୁ ଦେଖି ବି ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ବୋଉ ଖୋଲିଥିବା ବାରିପଟ ରାସ୍ତାରେ ଦଉଡି ଦଉଡି ଷ୍ଟେସନ ପଳେଇ ଆସିଲି । ଟ୍ରେନ୍ ରେ ବସିଲା ପାଖରୁ ନିଜକୁ ଦୋଷୀ ମନେକରି ଧିକାରିବାକୁ ଲାଗିଲି । ମୁଁ ଏ କ’ଣ କଲି ବୋଉର ବିଶ୍ଵାସକୁ ଭାଙ୍ଗିଦେଲି । କେଡେ କୁଳାଙ୍ଗାର ମୁଁ ବୋଉର ଶବ ସତ୍କାର ବି କରିପାରିଲିନି । ମୋ ପାଇଁ ମୋ ବୋଉ ଆଜି ଏ ଦୁନିଆରେ ନାହିଁ , ମୁଁ ବଞ୍ଚିବି କେମିତି ! ମୋର ଆଉ କିଏ ଅଛି....ବୁକୁଫଟା କାନ୍ଦ କାନ୍ଦିପକେଇଲି । ଟ୍ରେନ୍ ଟି ଗୋଟେ ଅଜଣା ରାଜ୍ୟରେ ପହଞ୍ଚିଲା । ଟ୍ରେନରୁ ବାହାରକୁ ଆସି ଶପଥ ନେଲି ଯେଉଁ ଭୁଲ ପାଇଁ ମୋ ବୋଉର ଜୀବନ ଗଲା ସେ ଭୁଲ ବଞ୍ଚିଥିବା ଯାଏଁ ଆଉ କେବେ କରିବି ନାହିଁ । ଏବେ କେବଳ ମୋ ବୋଉ ଦେଇଥିବା ସଂସ୍କାରକୁ ନେଇ ନୂଆ କରି ଜୀବନ ଗଢିବି । ଅନ୍ତତଃ ଏତିକି କରି ମୋ ବୋଉର ଆତ୍ମାକୁ ଶାନ୍ତି ଦେଇପାରିବି !


Rate this content
Log in

Similar oriya story from Tragedy