ନୂଆ ବୋହୂ
ନୂଆ ବୋହୂ
ସତରେ ଆଜି ଭାରି ସ୍ଵାମୀଙ୍କ ଉପରେ ବିରକ୍ତି ଲାଗୁଛି । ଟିକେ ମୋ ପାଖରେ ଠିଆ ହେଇଯାଇଥିଲେ କ’ଣ ଟା ବେଦ ଅଶୁଦ୍ଧି ହୋଇଯାଇଥାନ୍ତା । ସେ ଭଲ ଭାବରେ ଜାଣିଛନ୍ତି ମୁଁ ତାଙ୍କ ଗାଁ ସହିତ ପରିଚିତ ନୁହେଁ । ତାଙ୍କ ପଡୋଶୀ ଘରୁ ବୁଢୀ ମା’ ଆସିଛନ୍ତି, ନୂଆ ବୋହୂ ଦେଖିବାକୁ । ମୋତେ କହି ବାହାରକୁ ପଳେଇଗଲେ । ଅଧ ଘଣ୍ଟା ହେଲାଣି ଠିଆ ହୋଇ ହୋଇ କଣ୍ଢେଇଟେ ଭଳି ଖାଲି ମୁଣ୍ଡ ହଲଉଛି ସେ ବୁଢୀ ମା’ କଥାରେ । କ’ଣ ବା ଆଉ କରିପାରିବି । ମାତ୍ର ପାଞ୍ଚଦିନ ହେଲା ବୋହୂ ହୋଇକି ଆସିଛି ତାଙ୍କ ଗାଁକୁ । ସେ ମା ତ ମୋର ଗୋଟେ ଫୁଲ୍ କ୍ଳାସ୍ ନେଲେଣି । ପୁଣି ତାଙ୍କ ମନରେ ଅନେକ ପ୍ରଶ୍ନ ମୋ ଜିନିଷ ପତ୍ର ଦେଖିକି ।
ଖଟକୁ ଆଉଁସି ପଚାରିଲେ ,ତୋ ବାପା ଏଇ ଖଟଟା ଦେଇଛି, ଶାଳ କାଠଟି ?
ଆଲମାରିଟା କେତେ ପଡିଲା ? ତା’ପରେ ମୋ ହାତକୁ ଅନେଇଲେ ଚୁଡିକୁ ଦେଖି ପଚାରିବାକୁ ଲାଗିଲେ , ଏଇଟା ସୁନାର ।
ପୁଅକୁ ଚେନ୍ ଟେ ଦେଇଛ ନା ନାହିଁ ? ଆଉ ହଁ ତୋତେ ରୋଷେଇ ଆସେ କି ନାହିଁ ?
ମୋ ନାତି ତ ହୀରାଟାଏ । ଭାରି ସରଳ । ତା ମନ କଥା ବୁଝିବୁ । ଶାଶୁ ଆଉ ଶଶୁରଙ୍କ କଥା ଯେତେ କାମ ଥିଲେ ବି ଆଗ ବୁଝିବୁ । ମୋର ମୁଣ୍ଡ ଖରାପ ହେଇଗଲାଣି ବୁଢୀ ମା’ର ବାଣୀ ଶୁଣି ଶୁଣି, ପ୍ରଶ୍ନର ଯେମିତି ଅସରନ୍ତି ପେଡ଼ିଟେ ଖୋଲିଛନ୍ତି ମୋ ଆଗରେ । ଭାବୁଥାଏ ନଣନ୍ଦ ମୋତେ ଆସି ଡାକି ଦିଆନ୍ତେ କି ? ସେଇ ବାହାନାରେ ଏଠୁ ମଣିଷ ତ୍ରାହି ପାଇ ଯାଆନ୍ତା । ଭାଗ୍ୟକୁ ନଣନ୍ଦ ଆସି କହିଲେ କ’ଣ କିଲୋ ମା’ ତୋର ବୋହୂଦେଖା ସରିନି, ଭାଉଜ ତୁମକୁ ସେପଟେ ଡାକୁଛନ୍ତି କହି ହାତରେ ଠାରି ଦେଲେ ସେପଟକୁ ଯିବାପାଇଁ, ଆଉ ସେ... ବୁଢୀ ମା’ ସହିତ ଗପିବାକୁ ଲାଗିଲେ । ଦୀର୍ଘ ନିଶ୍ଵାସ ପକେଇ ମୁଁ ସେଠୁ କାଳ ବିଳମ୍ବ ଡେରି ନକରି ଚାଲିଆସିଲି । ଭାବିଲି ସବୁ ନୂଆ ବୋହୂଙ୍କର ପରସ୍ଥିତି କ’ଣ ଏମିତି ହେଉଥିବ ?
