Anuja Mohanty

Children Stories

3.8  

Anuja Mohanty

Children Stories

ସାଙ୍ଗ

ସାଙ୍ଗ

2 mins
501


ରୁନି ଆଉ ଲୀନା ଦୁଇ ଭଲ ସାଙ୍ଗ ଥିଲେ । କହିବାକୁ ଗଲେ ଲୀନା ରୁନିର ମାମୁଁଝିଅ । ରୁନି ଠାରୁ ଲୀନା ମାତ୍ର ପନ୍ଦର ଦିନ ବଡହେବ । ରୁନି କି ଯେବେ ଚାରି ବର୍ଷ ତା ମାମୁଁ ଓ ତାଙ୍କ ପରିବାର ଲୋକ ତାଙ୍କ ନିଜର ଭିଟାମାଟି ଛାଡି କୌଣସି କାରଣରୁ ପଳେଇ ଆସିଥିଲେ ତାଙ୍କ ଗାଁକୁ ଓ ସେହି ଗାଁରେ ଜମି କିଣି ଘର କଲେ ଓ ରୁନି ଘରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ସେମାନେ ରହିଲେ । ରୁନି ସେତେବେଳ କିଛି ବୁଝିପାରୁନଥିଲା ଏସବୁ କଣ ହଉଛି । ତାକୁ ଖୁସି ଲାଗୁଥିଲା ଲୀନାକୁ ଦେଖି । ଲୀନା ସହିତ ବୁଲିବା , ଖାଇବା , ଶୋଇବା ଖେଳିବା ସବୁ କରୁଥାଏ । ଲୀନା ରୁନି ଘରେ ରହି ପଢୁଥିଲା । ଦୁହେଁ ରୁନିର ବଡବାପାଙ୍କ ଚାଟଶାଳୀରେ ପଢନ୍ତି । ବଡବାପା କୁଆଡେ ଟିକେ ଗଲେ ଏ ଦୁଇଜଣ ଚେୟାର ଉପରେ ବସି ପିଲାଙ୍କୁ ବେତ ଧରି ପାଠ ପଢାନ୍ତି । ରୁନିର ମାମୁଁ ସେଇ ଗାଁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ଏ ଦୁଇଜଣ ମିଶି ବର୍ଷା ଖରା ନ ମାନି କୋଉଠି ଆମ୍ବ ଗଛରେ ଚଢିବା, ପିଜୁଳି ଗଛରେ ଚଢିବା, ଲୁମ୍ବୁ ତୋଳିବା ଓ ବରକୋଳି ଖାଇବା ସବୁ ଏକାଠି କରୁଥାନ୍ତି । ଏହି ପରି ଭାବରେ ତାଙ୍କର ପିଲାଦିନ କଟୁଥାଏ । ଦିନେ ରୁନିର ବାପା ଆସିଥିଲେ (ସେ ଭୁବନେସ୍ଵରରେ ଚାକିରି କରିଥିଲେ) ।


କିଛିଦିନ ରହିଲାପରେ ରୁନିକୁ ନେଇଗଲେ ସହରକୁ ପଢିବା ପାଇଁ । ରୁନି ସେଠିକି ଯାଇ ପୁରା ଏକୁଟିଆ ହେଇଗଲା ସବୁବେଳେ କ୍ୟାଲେଣ୍ଡରରେ ଦେଖୁଥାଏ, କେବେ ରଜ ଆଉ ଦଶହରା ହବ ଓ ସେ ଗାଁକୁ ଯିବ । ସହରର ଚାଲିଚଳନ ତାକୁ ଅଲଗା ଲାଗୁଥିଲା, ଗୋଟେ ଘରେ ରହିବା ଏକୁଟିଆ ଖେଳିବା ତାକୁ ଜମା ଭଲ ଲଗୁନଥିଲା । ଝରକା ପାଖେ ଏକୁଟିଆ ବସିକି କାନ୍ଦୁଥିଏ, ସବୁବେଳେ ଲୀନାକୁ ମନେ ମନେ ଖୋଜୁଥିଲା ।


ଚାହୁଁ ଚାହୁଁ ଦଶହରା ଛୁଟି ଆସିଗଲା ଗାଁକୁ ଯିବାର ସମୟ ଆସିଲା ରୁନିକୁ ଆଉ ନିଦ ନଥିଲା ,ସକାଳୁ ଉଠି ନିତ୍ୟକର୍ମ ସାରି ବାହାରିଲା ବାପା ବୋଉ ସଙ୍ଗେ ଗାଁକୁ । ଗାଁକୁ ଯାଇ ଦେଖିଲା ଲୀନା ତାଙ୍କ ଗାଁର ତିନି ଚାରିଜଣଙ୍କୁ ସାଙ୍ଗ କରିସାରିଲାଣି ରୁନି ସାଙ୍ଗେ ଏତେ ଭଲରେ କଥା ବି ହଉନଥାଏ । ରୁନିର ଅବେଗ ଭରା କଥାକୁ ଶୁଣିବାପାଇଁ ଲୀନା ପାଖେ ସମୟନଥାଏ, ସେ କେବେଳ ତା କଥା ଗପିଚାଲିଲା । ସେ ଧିରେ ଧିରେ ଅନୁଭବ କଲା କି ୟା ଭିତରେ ଲୀନା ସମୟ ସହିତ ବଦଳିଗଲାଣି, କିନ୍ତୁ ସେ ଯେଉଁଠିକୁ ସେଇଠି ରହିଯାଇଛି । ରୁନି ଅନୁଭବ କଲା ସମୟ ଯେମିତି ତା ପିଲାଦିନର ସାଙ୍ଗକୁ ଛଡେଇ ନେଇଯାଇଛି । ଛୁଟି କାଟି ଫେରିଗଲା ସହରକୁ ଓ ସେଠି ସେ ଏକୁଟିଆ ପଣକୁ ଆପଣେଇ ନେଲା । ସେ ବୁଝିଗଲା ଏକଲାପଣ ହିଁ ମଣିଷର ପ୍ରକୃତ ବନ୍ଧୁ ।



Rate this content
Log in