Anuja Mohanty

Tragedy

3  

Anuja Mohanty

Tragedy

ବାପାଙ୍କ ପ୍ରତିଶ୍ରୁତି

ବାପାଙ୍କ ପ୍ରତିଶ୍ରୁତି

3 mins
245


ଝିଅ ବଡ଼ ହେବା କ୍ଷଣି ସବୁ ବାପାମାନଙ୍କର ଗୋଟିଏ ଚିନ୍ତା, ସେ ଚିନ୍ତାଟି ହେଲା ବାହାଘର । ଏବେ ମୋ ବାପାଙ୍କର ସେଇ ଚିନ୍ତାଟି ମୁଣ୍ଡରେ ଘରିଛି ।

ଚାକିରିରୁ ଅବସର ନେବା ପୂର୍ବରୁ ମୋତେ ଯେମିତି ହେଉ ଭଲ ପାତ୍ରଟେ ଦେଖି ହାତକୁ ଦି ହାତ କରିଦେବେ । ଭଲ ପାତ୍ରଟେ ଆଜିକାଲି ଖୋଜିବା ବହୁତ ମୁସ୍କିଲ । ବାପା ଏକୁଟିଆ ହୋଇଥିବାରୁ ସେ ତାଙ୍କ ଅବସର ପୂର୍ବରୁ ବୋଝ ହାଲ୍କା କରିଦେବାକୁ ଚାହୁଁଛନ୍ତି । କେତେ ମଧ୍ୟସ୍ଥିଙ୍କୁ ପଇସା ପତ୍ର ଦେଇଛନ୍ତି ଗୋଟେ ପ୍ରସ୍ତାବ ଦେବା ପାଇଁ । ଏମିତିକି ଓଡ଼ିଆ ମାଟ୍ରିମୋନିରେ ସଦସ୍ୟତା ମଧ୍ୟ ଗ୍ରହଣ କରିଛନ୍ତି ।

ଆଜିକୁ ବର୍ଷେ ହେଲାଣି ଗୋଟେ ବି ବିବାହ ଉପଯୋଗୀ ପ୍ରସ୍ତାବଟେ ମିଳିଲାନାହିଁ । ଆଉ ଯୋଉଠି ମିଳିଲା ସେଠି ମୋର ରଙ୍ଗ କଳା ଆଉ ସାମାନ୍ୟ ବି.ଏ. ପଢିଥିବା ହେତୁ ଭାଙ୍ଗିଯାଉଥାଏ । 

ଅନେକ ଦିନ ପରେ ଗୋଟେ ଲୋକ ବାପାଙ୍କ ମୋବାଇଲକୁ ଫୋନ କରି ପୁଅର ବାପା ବୋଲି ପରିଚୟ ଦେଇ "ଆମେ ପ୍ରସ୍ତାବରେ ରାଜି ଅଛୁ " ବୋଲି ନିଜ ଆଡୁ କହିଥିଲେ । ଆଉ ଝିଅ ଦେଖିବାକୁ ଏଇ ରବିବାରେ ଆପଣଙ୍କ ଘରକୁ ଯିବୁ ବୋଲି କହିଥିଲେ । ବାପା ଫୋନ ରଖି ସାରି ମାଆକୁ ଆସି ଖୁସିରେ ଖବରଟି ଦେଲେ । ମାଆ ସବୁ ଠାକୁରଙ୍କୁ ମୁଣ୍ଡିଆ ମାରି ଗୁହାରି ଶୁଣିଥିବାରୁ କୋଟି କୋଟି ପ୍ରଣାମ କରିପକେଇଲେ । ସେଇ ଖୁସି ଭିତରେ ମାଆ ବାପାଙ୍କୁ ପ୍ରଶ୍ନ କଲେ , ଶୁଣୁଛ ସବୁ ଠିକ ଯେ ହେଲେ ପୁଅ ବିଷୟରେ ତ କିଛି ପଚାରିଲନି ? ବାପା ହସି ହସି ଉତ୍ତର ଦେଲେ ମୁଁ ଆଗରୁ ସେ ପୁଅ ବିଷୟରେ ଇନ୍ଟରନେଟରୁ ସଂଗ୍ରହ କରିନେଇଛି । ତମେ ଦେଖିବ ଝିଅ ଆମର ବହୁତ ଭଲରେ ରହିବ ।

ରବିବାର ହେଲା ବାପା ବିଭିନ୍ନ ପ୍ରକାର ଖାଦ୍ୟ ସମଗ୍ରୀରେ ଘରେ ଭର୍ତ୍ତୀ କରିଦେଲେ । ସେମାନେ ଦଶଟାରେ ପହଞ୍ଚି ଗଲେ । ଝିଅକୁ ଦେଖି ସେମାନେ ରାଜି ହୋଇଗଲେ ଏବଂ ବିବାହ ପାଇଁ ତାରିଖ ଠିକ୍ କରିବା ପାଇଁ କହିଗଲେ ।

ମୁଁ ଗୋଟିଏ ଝିଅ ଥିବାରୁ, ବାପା ସବୁବେଳେ ଚାହୁଁଥିଲେ ମୁଁ ତାଙ୍କ ପାଖା ପାଖି ଅଞ୍ଚଳରେ ବିବାହ କରେ । ସେ ଲୋକଙ୍କ ଘର ଆମ ଘରଠାରୁ ମାତ୍ର ଦଶ କିଲୋମିଟର ହୋଇଥିବାରୁ ବାପା ବହୁତ ଖୁସି ଥିଲେ ।

ସେମାନେ ଆଉ ଗୋଟେ ଦିନ ନିର୍ଦ୍ଧାରିତ କରି ଆସିଥିଲେ ଓ ସେଦିନ ମୁଦି ପିନ୍ଧେଇ ଗଲେ । ମୁଦି ଦେଇ ସେମାନେ ଗଲା ପରେ ବାପା ମୋ ପାଖରେ ବସି ମୁଣ୍ଡକୁ ଆଉଁସି କହିଲେ ; ତୁ ଜମ୍ମା ମନ ଦୁଃଖ କରନା ,ସମାଜର ନୀତି ନିୟମରେ ମୁଁ ବନ୍ଧା । ତୁ ବାହା ହେବା ପାଇଁ ରାଜି ନାହୁଁ । ମୁଁ ତୋ ମାଆ ପାଖରୁ ଶୁଣିଥିଲି । ଦେଖ ମାଆ ; କଥାରେ ଅଛି ଝିଅ ଜନମ ପର ଘରକୁ । ଆଜି ଆମେ ଅଛୁ ବୋଲି ତୋତେ କିଛି ଜଣାପଡ଼ୁନି । ସମୟ ଚକ୍ରରେ ଦିନେ ଆମେ ସବୁ ଲୀନ ହେବୁ । ସେତେବେଳେ ଏତେ ବଡ଼ ସାଂସର ରେ ଆହାଃ ପଦେ କହିବାକୁ ତୋ ପାଖେ କେହି ନଥିବେ । ତେଣୁ ନିଜର ଗୋଟେ ସଂସାର କଲେ ଜୀବନର ଶୂନ୍ୟତା ପରିପୂର୍ଣ୍ଣ ହୋଇଯିବ । ମୁଁ ବି ତତେ (ଆଖିରେ ଆଖିଏ ଲୁହ ନେଇ କହୁଥାନ୍ତି)....ମୁଁ ତତେ ଛାଡି ରହିବା କଷ୍ଟ ହେବ କିନ୍ତୁ ମୁଁ ନିଜକୁ ସମ୍ଭାଳି ନେବି । ଏଇ ପାଖରେ ତ ରହିବୁ, ମୁଁ ତୋତେ କଥା ଦେଉଛି ସବୁଦିନ ସକାଳୁ ଚାହା ପିଇବା ବାହାନାରେ ତୋ ଘରକୁ ଯିବି ।

ବାହାଘର ଦିନ ଯେତେ ନିକଟତର ହୋଇଯାଉଥାଏ । ବାପା ସେତେ ବ୍ୟସ୍ତ ଆଉ ବିବ୍ରତ ହୋଇପଡୁଥାନ୍ତି । ବାପା ଏକୁଟିଆ ସବୁ ବୁଝା ବୁଝି କରୁଥାନ୍ତି । ମୋର ବାହାଘର ଦିନ ବନ୍ଧୁବାନ୍ଧବ ଠିକ୍ ଠାକ୍ ରେ ଖାଇଲେ କି ନାହିଁ ସେଗୁଡିକ ମଧ୍ୟ ତଦାରଖ କରୁଥାନ୍ତି ।

ଫୁଲରେ ସଜା ଯାଇଥିବା ଗେଟ୍ ଆଗରେ ବାଣ ଫୁଟିବାର ଶବ୍ଦ ହେଲା । ସମସ୍ତେ ଦଉଡାଦଉଡି ହୋଇ ଗଲେ ବର ଦେଖିବାକୁ । ଠିକ୍ ଏହି ସମୟରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇ ପୁଅଘର ତରଫରୁ ଝଗଡା ଆରମ୍ଭ କରିଦେଲେ । ମୋ ବାପାଙ୍କୁ କିଛି ବରଯାତ୍ରୀ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବାକୁ ଲାଗିଲେ । ସବୁ ବନ୍ଧୁବାନ୍ଧବ ବୁଝା ସୁଝା କରିବାରୁ ବହୁତ ବିଶୃଙ୍ଖଳା ମଧ୍ୟରେ ବିବାହ କାର୍ଯ୍ୟ ସମାପ୍ତ ହେଲା ।

ମୋତେ ଶେଷଥର ପାଇଁ ବାପା କୋଳେଇ ନେଲେ ଆଉ କାନ୍ଦି କାନ୍ଦି ଭଲରେ ରହ କହି ବିଦୟ ଦେଇଦେଲେ ।

ଆଜିକୁ ବିବାହ ଗୋଟେ ମାସ ହେଲାଣି ବାପା ଦିନେ ବି ମୋତେ ଦେଖା କରିବା ପାଇଁ ଆସିନାହାନ୍ତି । ପ୍ରତିଦିନ ମୁଁ ଗୋଟେ କପ ଚାହା ଧରି ଅନେଇ ବସିଛି ତାଙ୍କ ଅସିବା ବାଟକୁ । ମୋ ମନରେ ଗୋଟିଏ ପ୍ରଶ୍ନ ସବୁବେଳେ ଉଙ୍କି ମାରୁଛି; ବାହାଘର ଦିନ କ’ଣ ଏମିତି ଘଟିଗଲା ଯାହା ପାଇଁ ବାପା ନିଜେ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିପାରିଲେନି ?



Rate this content
Log in

Similar oriya story from Tragedy