STORYMIRROR

Anuja Mohanty

Tragedy Others

3  

Anuja Mohanty

Tragedy Others

ମୃତ୍ୟୁର ଏମିତି ଏକ ରୂପ

ମୃତ୍ୟୁର ଏମିତି ଏକ ରୂପ

3 mins
246

ମୋ ଦାଦା ରାଗି ସ୍ଵଭାବର ଲୋକ । ଯେତେ ଜେଜେ ବୁଝେଇଲେ ବି ସ୍ଵଭାବ ବଦଳେଇ ପାରୁନାହାନ୍ତି । ମୋତେ ତାଙ୍କ ଆଗରେ ଠିଆ ହେବାପାଇଁ ଡର ଲାଗେ । ତାଙ୍କ କଥାରେ ଚାଲିଲେ ସବୁ ଠିକ୍ ; ଆଉ ଟିକେ ଭୁଲ ହେଲେ ରାଗିଯାଇ ପାଟି କରନ୍ତି । ଏମିତିକି ଖୁଡୀ ମଧ୍ୟ ତାଙ୍କ ରାଗ ଆଗରେ ଚୁପ ରୁହନ୍ତି । ସେ ଯାହା ବୁଝିଥିବେ ସେଇଟା ହେବା ଦରକାର । ତାଙ୍କ ନିଷ୍ପତି ଆଗରେ ଭଗବାନ ବି ଆସିଲେ ତାଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ । ହେଲେ ସେ ଏତେ ସରଳ ଲୋକ ତାଙ୍କୁ ପ୍ରାୟ ବାହାର ଲୋକ ଠକି ଦିଅନ୍ତି । ସେ ଛନ୍ଦ କପଟ ଭିତରେ ପଶି ପାରନ୍ତି ନାହିଁ । ଯିଏ ଯାହା କହିବ ସବୁ କରିଦେବେ ହେଲେ ପ୍ରତିବଦଳରେ କାହାକୁ କିଛି ମାଗିବେ ନାହିଁ ।


ଖୁଡୀଙ୍କୁ ବହୁତ ଭଲପାଆନ୍ତି ହେଲେ ସବୁ ରାଗ ତାଙ୍କ ଉପରେ ସୁଝେଇ ଦିଆନ୍ତି । ଖୁଡୀ ବହୁତ ମନ ଦୁଃଖ କରନ୍ତି କିନ୍ତୁ ଦାଦାଙ୍କୁ ବହୁତ ସମ୍ମାନ ଦିଅନ୍ତି । ଦାଦା ରାଗି ବୋଲି ଖୁଡୀ ସାହି ପଡିଶା ଲୋକଙ୍କ ସହିତ ମିଶିବାକୁ ଡ଼ରନ୍ତି । ଦାଦା କେବଳ ଚାହାନ୍ତି ଖୁଡୀ ତାଙ୍କ ଆଖି ଆଗରେ ସବୁବେଳେ ରୁହନ୍ତୁ । ସେଥିପାଇଁ ସେ ପସନ୍ଦ କରନ୍ତି ନାହିଁ ଖୁଡୀ କାହା ସଙ୍ଗେ ମିଶାନ୍ତୁ । ସନ୍ଧ୍ୟା ହେଲେ ଦୁହେଁ ସେମିତି ଚୁପ ଚାପ୍ ବସିଥିବେ । କେବଳ ପଦେ ଅଧେ କଥା ହୁଅନ୍ତି । ମୁଁ ସବୁବେଳେ ଭାବେ ! କେମିତି ଏତେ ନୀରବରେ ବସିବାକୁ ଖୁଡୀ ଗ୍ରହଣ କରିନେଲେ । ତାଙ୍କର ଖାଇବା ପସନ୍ଦ ନ ଆସିଲେ ସିଧା ଚେୟାରରୁ ଉଠିପଡିବେ ଏବଂ ବଜାରରୁ ଯାଇ ଖାଇନେବେ । ମାସେ ହେଲାଣି ଖୁଡୀଙ୍କ ଉପରେ ରାଗି ଘରେ ଖାଉନାହାନ୍ତି । ଖୁଡୀ ବାରମ୍ବାର ପଛରୁ ଆସି ଡାକୁଛନ୍ତି ,ସେ ଶୁଣିବାପାଇଁ ନାରାଜ ।


କାଲିଠାରୁ ଦାଦାଙ୍କ ଦେହ ଭଲନାହିଁ , ସେ କିଛି ଖାଉନାହାନ୍ତି , ପାଣି ପିଇଲେ ବି ବାନ୍ତି ହେଇଯାଉଛି । ମୋ ବାପା ଆଜି ଦାଦାଙ୍କୁ ଡାକ୍ତରଖାନା ନେଇଗଲେ । ଡାକ୍ତର କହିବା ଅନୁସାରେ ସବୁ ପ୍ରକାରର ପରୀକ୍ଷା କରାଗଲା । ପରୀକ୍ଷାରୁ ଜଣାପଡିଲା ଖାଦ୍ୟନଳୀରେ ଷ୍ଟୋନ୍ ହୋଇଛି । ଡାକ୍ତର କହିଲେ ମେଡ଼ିସିନ୍ ଯୋଗେ ଭଲହୋଇଯିବ । ଗୋଟେ ମାସ ମେଡ଼ିସିନ୍ ଖାଇ ସୁସ୍ଥ ହେବାରେ ଲାଗିଲେ । ସୁସ୍ଥ ହେବା ସଙ୍ଗେ ସଙ୍ଗେ ଦାଦାଙ୍କ ସ୍ଵଭାବରେ ବି ପରିବର୍ତ୍ତନ ଦେଖାଗଲା । ସମସ୍ତଙ୍କ ସହିତ ଖୁସିରେ କଥା ହେବା, ଖୁଡୀଙ୍କୁ ସବୁକଥାରେ ବାରଣ ନକରିବା କି ତାଙ୍କ ଉପରେ ଆଉ ରାଗିବା ନଥିଲା ।

ହେଲେ ସମୟ ସମସ୍ତଙ୍କ ସହିତ ଗୋଟେ ଅଜବ ଖେଳ ଖେଳିଲା ! ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।


ମାସେ ପରେ ଆଉଥରେ ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଦେଖା କରି ଖୁସିରେ ଘରକୁ କାରରେ ଫେରୁଥିଲେ ଦାଦା ଆଉ ଖୁଡୀ । କିନ୍ତୁ ମାଝି ରାସ୍ତାରେ ଦାଦାଙ୍କ ତଣ୍ଟି ଶୁଖିଯିବାରୁ ପାଣି ମାଗି ପିଇନେଲେ । ଘରପାଖରେ ପହଞ୍ଚି ଅଟୋରୁ ଆଉ ଓହ୍ଲାଇ ପାରିଲେ ନାହିଁ । ଖୁଡୀ ବିକଳରେ ସମସ୍ତଙ୍କୁ ଡାକ ଛାଡିଲେ ହେଲେ ଦାଦା ଖନେଇ ଖନେଇ କହୁଥାନ୍ତି ; କାହାକୁ ଡାକନି ମୁଁ ଚାଲିକି ଯାଇପାରିବି । ବହୁତ ଚେଷ୍ଟା କରି ଦାଣ୍ଡଘର ଯାଏ ଆସିପାରିଲେ ଓ ସେଇଠି ପଡିଗଲେ । ଖୁଡୀ ତାଙ୍କୁ କୋଳରେ ମୁଣ୍ଡରଖି ଶୁଆଇଦେଲେ । ଜେଜେ, ବାପା, ବୋଉ ଓ ମୁଁ ଘର ଭିତରୁ ଦଉଡି ଗଲା ବେଳକୁ ଦାଦାଙ୍କର ନିଶ୍ଵାସ ଜୋରେ ଚାଲିଥିଲା । ବାପା ବ୍ୟସ୍ତ ହୋଇ ଆମ୍ବୁଲାନ୍ସ ଡାକିଲେ କିନ୍ତୁ ଦାଦା ଅଳ୍ପ ସମୟ ମଧ୍ୟରେ ଖୁଡୀଙ୍କ ହାତକୁ ଧରି ପକେଇଲେ ଓ ସେଇଠି ହିଁ ତାଙ୍କର ପ୍ରାଣ ବାୟୁ ଉଡିଗଲା । ଖୁଡୀଙ୍କର ଯେମିତି ମୁଣ୍ଡ ଉପରୁ ପାହାଡ ଖସିଗଲା । ଖୁଡୀ ସବୁକିଛି ବୁଝି ମଧ୍ୟ ତଟକା ହୋଇ ରହିଗଲେ.....!! ଖୁଡୀ ସେହି ଠାରେ ପଥର ପାଲଟି ଗଲେ । କେତେ ଆଶା ଓ ସ୍ଵପ୍ନ ନେଇ ଖୁଡୀ ଘରକୁ ଫେରୁଥିଲେ ନୂଆ କରି ସଂସାର ଗଢିବେ । ସେ ସ୍ଵପ୍ନ ଯେମିତି ସ୍ଵପ୍ନ ହୋଇ ରହିଗଲା । 


ଦାଦା ଭଲ ହୋଇ ଘରକୁ ଫେରୁଥିଲେ ଅଥଚ ଫେରି ପାରିଲେ ନାହିଁ ! ମୃତ୍ୟୁର ଏମିତି ଏକ କରାଳ ରୂପ ମୁଁ ସେଇଦିନ ଦେଖିଥିଲି । 


Rate this content
Log in

Similar oriya story from Tragedy