Anuja Mohanty

Drama Tragedy

3  

Anuja Mohanty

Drama Tragedy

ମୁକ୍ତ ଆକାଶ

ମୁକ୍ତ ଆକାଶ

5 mins
245



ଝରକା ଫାଙ୍କ ଦେଇ ରାସ୍ତା ପାଖରେ ଏକ ଶିମିଳି ଗଛରେ ବସିଥିବା ପକ୍ଷୀଟିକୁ ଦେଖୁଥାଏ ସୁମି । ଦଲକାଏ ପବନରେ ଝୁଲି ଝୁଲି ପକ୍ଷୀଟି ତା ଭାଷାରେ ଗୀତ ଗାଉଥାଏ । ସୁମି ପକ୍ଷୀଟିକୁ ଦେଖି ତା ପିଲାଦିନର ସ୍ମୃତିକୁ ତାଜା କରୁଥିଲା । ସେ ବି ଦିନେ ମୁକ୍ତ ଆକାଶରେ ମୁକ୍ତ ବିହଙ୍ଗ ସାଜି ଘୂରିବୁଲୁଥିଲା । ନା ସେ ଜାଣିଥିଲା ଆବଦ୍ଧ ନା ସେ ଜାଣିଥିଲା ସଂସାରର ବନ୍ଧନ, କେବଳ ଘୂରି ବୁଲୁଥିଲା ଏ ଡାଳରୁ ସେ ଡାଳ । ହେଲେ ଆଜି ସେ ବିହଙ୍ଗଟି କ୍ଷତ ବିକ୍ଷତ ହୋଇ ସଂସାରର ପଞ୍ଜୁରୀରେ ଆବଦ୍ଧ !

      ଦୁଇ ଝିଅରେ ସାନ ଝିଅ ବୋଲି ବାପା ବୋଉଙ୍କର ଜୀବନ ଥିଲା ସୁମି । ଅତି ଅଲିଅଳି ଓ ଗେହ୍ଲାରେ ବଢିଥିଲା । ଝିଅ ତ ନୁହେଁ ପୁଅଟି ଭଳି ଘରର ସବୁ କାମଦାମ କରିଦେଉଥିଲା । ଫୁଅଙ୍କ ଭଳି ସାଇକେଲ ଚଲାଉଥିଲା । ପୁଅଙ୍କ ସଙ୍ଗେ କୁମାର ପୂର୍ଣ୍ଣମୀରେ କାଚ ବାଟି ଖେଳ ଖେଳୁଥିଲା । ହାଟକୁ ଯିବା,କଣ୍ଟ୍ରୋଲରୁ ଚାଉଳ ଆଣିବା, ବାହାଘର କି ଶୁଦ୍ଧଘରେ ବନ୍ଧୁବାନ୍ଧବ ଘରକୁ ଯାଇ ବନ୍ଧୁ ରକ୍ଷା କରୁଥିଲା । ଆଉ ଦିନେ ଏକା ଏକା ଚାଳ ଓଟାରି ପକେଇ ଘର ଛପର କରିଦେଇଥିଲା । ସୁମିର ଏହି ସବୁ କାର୍ଯ୍ୟକଳାପ ଦେଖି ଗାଁ ଲୋକ ଅଣ୍ଡିରା ଚଣ୍ଡୀ”, ସାହିପଡିଶା “ଉଦଣ୍ଡୀ” ଆଉ ଘରେ ଭଉଣୀ ରଣଚଣ୍ଡୀ ବୋଲି ଡାକନ୍ତି । ବାପା ଗାଁ ଉ.ପ୍ରା.ସ୍କୁଲର ପ୍ରଧାନ ଶିକ୍ଷକ ବୋଲି ସେ ଅଧା ଦିନ ସ୍କୁଲ ଯାଏ ହେଲେ ତାର ସ୍ମରଣ ଶକ୍ତି ପ୍ରଖର ବୋଲି ସବୁ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୁଏ । ସେଥିପାଇଁ ତାକୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଭଲପାଉଥିଲେ । ସୁମିକୁ ଦେଖି ବାପା ବୋଉଙ୍କର ପୁଅ ନହେବାର ଅବଶୋଷ ଧୀରେ ଧୀରେ ମନରୁ ଅସ୍ତହୋଇଗଲା । ବଡଭଉଣୀ ସବୁବେଳେ କହୁଥାଏ ବୋଉକୁ, ତୁ ତାକୁ ସବୁବେଳେ ଗେହ୍ଲା କରୁଛୁ ନାମ ଦବଟି ଦିନେ ରହ ଦେଖୁବୁ। ସୁମି ଭଉଣୀକୁ ଜିଭ ଦେଖେଇ ବୋଉ କୋଳରେ ଯାଇ ଦୁଲ୍ କରି ବସିପଡି କହେ, ତୋର ଈର୍ଷା ହେଉଛି କି ହୁଁ ? 

      ସୁମି କଲେଜରେ ବି.ଏ ପଢିଲା ବେଳକୁ ଭଉଣୀର ବାହାଘର ହୋଇଯାଇଥିଲା । କିଛିଦିନ ପରେ ବାପା ମଧ୍ୟ ଚାକିରିରୁ ଅବସର ନେଇଥିଲେ । ଭଉଣୀ ପୁଅ ରାଜା ଆସି ସୁମି ପାଖରେ ରହି ପଢୁଥିଲା । ସେ ସୁମିକୁ ବହୁତ ଭଲପାଏ । ଦିନେ କଲେଜରୁ ଫେରି ଦେଖେ ,ଭଉଣୀ ଭିଣେଇ ଆସିଛନ୍ତି ସୁମି ପାଇଁ ବିବାହ ପ୍ରସ୍ତାବ ନେଇ । ଭଉଣୀ ବାପାଙ୍କୁ କହୁଥାଏ ସୁମିକୁ ଅଣଆଡିଆ କରି । ସୁମି ବାଆଁରେଇ ସବୁ ଶୁଣୁଥାଏ । ଭଉଣୀ କହୁଥାଏ ବାପାଙ୍କୁ- “ଆଙ୍କ ଗାଁ ପାଖରେ ପୁଅର ଘର । ପୁଅର ନାଁ ସୁଶାନ୍ତ । ଗୋଟିଏ ପୁଅ, ପୁଅର ବାପା ନାହିଁ । ମା’କୁ ପେନସନ୍ ମିଳୁଛି । ପୁଅର ଗୋଟେ ବଡଶାଢୀ ଦୋକାନ ବଜାରରେ ଅଛି । ସୁମିକୁ ସେଠି କଲେ ରାଣୀ ହୋଇରହିବ ।ବାପା କହିଲେ ସୁମିକୁ ପଚାରେ ସେ କ’ଣ କହୁଛି । ଓଃ,ହୋ ତାକୁ କ’ଣ ପଚାରିବ ଯେ ? ସେ କଣ ଆଉ ହଁ କହିବ । ତମେ ତାକୁ ବୁଝେଇବ ତାର ତ ଏବେ ନହେଲେ କେବେ ତ ବାହାଘର ହବ ? ଏଭଳି ସୁଯୋଗ ଜମା ହାତ ଛଡା କରନି ବାପା । ବାପା ଟିକେ ଚିନ୍ତା କରି କହିଲେ ମୁଁ ତାକୁ ମୋ ପାଖେ ରଖିଥାନ୍ତି ଘର ଜୁଆଇଁ କରିରଖିହବନି ? ତୁତ ରହିବୁନି ମନାକଲୁ । ଆମେ ବୁଢା ବୁଢୀ ହେଲୁଣୁ, କେତେବେଳେ କେଉଁ କଥା । ଆମର ତ ପୁଅ ନାହିଁ ପାଖରେ କେହି ତ ରହିବ ? ସୁମି ଆର ଘରେ ଥାଇ ବାପାଙ୍କ କଥା ଶୁଣି ଭାରି ଖୁସି ହେଉଥିଲା । ସେତେବେଳ କଥା ଅଛି ତମେ ଏବେଠାରୁ ବ୍ୟସ୍ତ ହେଲେ କଣ ହବ ବାପା । ବାପା କହିଲେ ହଉ ତାଙ୍କ ଘରୁ ଲୋକ ଆସନ୍ତୁ ଦେଖିବା କଣ କରିହେବ । ଭଉଣୀ ଆରେ ତମେ ଯଦି ରାଜି ହେବ ସେମାନେ କାଲିକି ଆସିବେ ଦେଖିବାକୁ । ସେମାନେ ମୋତେ କହିଥିଲେ । ବାପା ହଉ ତୁ କହ ଆସନ୍ତୁ ସେମାନେ ମୁଁ ସୁମିକୁ ବୁଝେଇଦେବି । ଭଉଣୀ ଚାଲିଗଲାପରେ ସୁମିକୁ ବାପା ବୋଉ ଦୁଇଜଣ ବୁଝେଇବାରୁ ସୁମି ରାଜି ହେଲା ବାହାଘର ପାଇଁ । ବାହାଘର ପାଇଁ ରାଜି ତ ହେଇଗଲା ହେଲେ ସୁମିକୁ ଆଉ ରାତିରେ ନିଦ ନାହିଁ ଭାବନା ରାଜ୍ୟରେ ବୁଡିବାରେ ଲାଗିଲା, ମନକୁ ମନ ଗୁଣୁଗୁଣୁ ହେଇ କହୁଥାଏ ଯିଏ ଆଜିଯାଏ ପୁଅ ହୋଇ ରହୁଥିଲା ସେ ପୁଣି ଗୋଟେ ପୁଅ ସହିତ ଘରସଂସାର କରିବ କେମିତି ? ଆଉ କାହା ଘରେ ରହିବ କେମିତି ? ବାପା ବୋଉକୁ ଛାଡି ଯିବ କେମିତି , ସେମାନେ କଣ ମୋ ବିନା ରହିପାରିବେ ? ଏମିତି ଅସଂଖ୍ୟ ପ୍ରଶ୍ନର ପୁଟୁଳି ଖୋଲୁଥାଏ ତା ମନରେ ଓ ନିଜେ ଅଡୁଆ ସୂତାରେ ଛନ୍ଦି ହେଲାଭଳି ନିଜ ପ୍ରଶ୍ନରେ ଛନ୍ଦି ହେଇଯାଉଥାଏ । ସୁମିର ରାତି ପାହିଗଲା ସେଇ ପ୍ରଶ୍ନ ସବୁର ଉତ୍ତର ଖୋଜିବାରେ । ବୋଉ ଆସି କହିଗଲାଣି ଶୀଘ୍ର ଯାଇ ନିତ୍ୟକର୍ମ ସାରିବାକୁ । ଆସିବେ ପୁଅ ଘରଲୋକ ଦେଖିବାକୁ । ସବୁଦିନ ଠାରୁ ଆଜି ଟିକେ ଅଲଗା ଲାଗୁଥିଲା କାରଣ ତାକୁ ଶାଢୀ ପିନ୍ଧିବାକୁ ପଡ଼ିଲା । ସୁଶାନ୍ତର ଘରଲୋକ ଆସି ଦେଖିଲେ ଓ ସାତଦିନ ଭିତରେ ବାହାଘର ଠିକ୍ ହେଲା କାରଣ ସୁଶାନ୍ତର ମା’ ଦେହ ଭଲନଥିଲା । ସୁମିକୁ କିଛି ଭାବିବା ପାଇଁ ବି ସମୟ ନଥିଲା । ବାହାଘର ଦିନ ହାତଗଣ୍ଠି ପଡିଲା ବେଳେ ସୁଶାନ୍ତର ମାଉସୀ ପୁଅ ଭାଇ ୭୦ହଜାରେ ଦେଲେ ବାହାଘର ହବ ବୋଲି ଅଡି ବସିଲେ । ଶେଷରେ ସମସ୍ତେ ବୁଝାସୁଝା କରିଲେ ଭୋଜି ଦିନ ସବୁତକ ଟଙ୍କା ଦିଆଯିବ । ବାହାଘର ଯେମିତି ସେମିତି ହୋଇ ସରିଗଲା । ସୁମି ଶାଶୁଘରେ ପହଞ୍ଚିଲା ହେଲେ ମନ ତାର ବାପାଙ୍କ ପାଖରେ କେମିତି ଟଙ୍କା ଦେବେ ଏତେ କମ ସମୟରେ କୋଉଠୁ ଆଣିବେ । ଭୋଜି ଦିନ ବାପା ଯେମିତି ଆସିଛନ୍ତି ଦେଖି, ସୁମି ଏତେ ଲୋକଙ୍କ ଗହଳିରେ ନଜର ବଞ୍ଚେଇ ବାପାକୁ ପଚାରିଲା ଟଙ୍କା କୋଉଠୁ ଆଣିଲ ? ନା’ରେ ମା ୫୦ହଜାର ଆଣିଛି ଆଉ ନାହିଁ ମୋ ପାଖରେ ପରେ ଦେଇଦେବି । ସୁମି ଏ ସବୁ ଶୁଣିକି ଭୋ ଭୋ ହୋଇ କାନ୍ଦିଲା । ଏହି ସମୟରେ ସୁଶାନ୍ତ ଗୋଟେ କାଗଜ ପୁଡିଆଟି ଧରେଇଦେଲା ସୁମିର ବାପାଙ୍କୁ ଆଉ କହିଲା ମୋ ଘରଲୋକଙ୍କ ସାମ୍ନାରେ ମୋତେ ଦେଇଦେବେ ବାପା । ସୁମି ପଚାରିଲା ସେଥିରେ କଣ ଅଛି ? ୭୦ହଜାରେ ଅଛି ବାପାଙ୍କୁ କହିଦିଅ ସେ ତାଙ୍କ ଟଙ୍କା ନେଇଯିବେ । ସତକୁ ସତ ସୁମି ରାଣ ନିୟମ କରି ବାପାଙ୍କୁ ଟଙ୍କା ନେବା ପାଇଁ କହିଲା । ସୁମି ମନେ ମନେ ଖୁସି ହେଇ କହିଲା ସୁଶାନ୍ତ ଭଳି ସ୍ଵାମୀ ପାଇ ମୋ ଜୀବନ ଧନ୍ୟ ହେଇଗଲା ବାପା । ହଁ ରେ ମା ମୁଁ ବି ଖୁସି ଗୋଟେ ପୁଅ ବଦଳରେ ଆଉ ଗୋଟେ ପୁଅ ପାଇଲି । ସୁମି ତା ମନର ମଣିଷକୁ ନେଇ ତା ସଂସାରର ଗାଡି ଆଗକୁ ବଢେଇଚାଲିଲା ।

      ସୁମିର ବାହାଘରକୁ ସାତ ବର୍ଷ ପୁରି ଗଲାଣି । ସୁମି ୟାଭିତରେ ଝିଅରୁ ସ୍ତ୍ରୀ, ସ୍ତ୍ରୀ ରୁ ବୋହୂ ଆଉବୋହୁ ରୁ ମା ହୋଇସାରିଲାଣି । ଦୁଇଟା ଗୁଲଗାଲିଆ ଝିଅକୁ ନେଇ ତାର ଖୁସିର ସଂସାର ଚାଲିଥିଲା ବେଳେ ,ଏପରି ଏକ ଦିନ ଆସିବ ସୁମିର ଜୀବନରେ ସେ କଳ୍ପନା କେବେ କରିନଥିଲା । ଦିନେ ହଠାତ୍ ସୁଶାନ୍ତ ଶୁଣିବାକୁ ପାଇଲା ସୁମିର ବାପା ତାଙ୍କ ସବୁତକ ଜମି ବଡଝିଅର ପୁଅ ନାଁରେ କରିଦେଇଛନ୍ତି । ସୁମିକି ସୁଶାନ୍ତ ଆସି କହିଲା ଆମର ଦୁଇଟା ଝିଅ !

ବାପା ସବୁତକ ତାଙ୍କ ନାଁରେ କରିଦେଲେ । ଆମେ କେସ୍ କରିବା ବାପାଙ୍କ ନାଁରେ ମୋତେ ସେ ଜମିରୁ କିଛି ଭାଗ ଦରକାର । ସୁମି ଆଁ କରି ଚାହିଁ ରହିଥିଲା ସୁଶାନ୍ତକୁ । କିଛି ସମୟ ନୀରବ ରହି ସୁମି କହିଲା ଆମର କ’ଣ ଦରକାର ସେ ଜମି ! ଆମର ଯେତିକି ଅଛି ଆମେ ଖୁସିରେ ଚଳିଯିବା । ଭଉଣୀ ବାପାଙ୍କର ଦେହ ଖରାପ ବେଳେ କେତେ ସେବା କରିଛି ମୁଁ ତ ଖାଲି ହସ୍ପିଟାଲରେ ଦେଖା କରିକି ଆସିଲି । ଆମ ଘରେ ବାପାଙ୍କ ଅନ୍ତେ କେହି ତ ରହିବେ ସେ ରହିଲା ଏଥିରେ ଅସୁବିଧା ରହିଲା କୋଉଠି ? ନଉ ସେ ସବୁ ଜମି । ଆମେ ଆମ ରୋଜଗାରରେ ନିଜେ ଚଳିଯିବା । ସୁମିର କଥା ଶୁଣି ସୁଶାନ୍ତର ଧର୍ଯ୍ୟର ବନ୍ଧ ଭାଙ୍ଗିଗଲା ସୁମି ଯାହା କେବେ ସ୍ଵପ୍ନରେ ଭବିନଥିଲା ସୁଶାନ୍ତ ସେଦିନ ଘଟେଇଦେଲା । ସୁମିର ଏଇ ପଦେ କଥାରେ ତା ସୁନାର ସଂସାର ଭାଙ୍ଗି ଚୁନ୍ ମାର ହୋଇଗଲା । ସୁମିର ଖୁସିରେ ଜୋରେ ଜୁଆର ଆସି ଭଟ୍ଟା ପଡିଗଲା । ସେଦିନ ସୁଶାନ୍ତର କ୍ରୋଧର ଶିକାର ହେଇଗଲା ସୁମି । ସୁମିକୁ ସୁଶାନ୍ତ ବେଲ୍ଟ ଓ ଚପଲରେ ମନ ଇଚ୍ଛା ବାଡେଇ ଦେଇଗଲା । ସୁମିର ଚୁଟି ଘୋଷାଡ଼ି ଗୋଟେ ଅନ୍ଧାର ଘରେ ପୁରେଇ ରଖିଲା ଯେତେ ଯାଏ ସେ ନମାନିଛି କେସ୍ କରିବାପାଇଁ ଓ ନିଜେ ବାହାରକୁ ଚାଲିଗଲା । ଝିଅ ଦୁଇଟି ବାହାରେ ଥାଇ ମା ମା ଡାକି କାନ୍ଦୁଥାନ୍ତି । ସୁଶାନ୍ତର ଭଦ୍ର ମୁଖା ଭିତରେ ଏତେ ବଡ ଲୋଭି ସଇତାନ ଲୁଚିଥିଲା ସୁମିକୁ ଟିକେ ବି ଆଭାସ ହୋଇନଥିଲା । କ୍ଷଣକରେ ତା ଜୀବନ ଗୋଟେ ନାଟକର ରଙ୍ଗମଞ୍ଚ ସାଜିଗଲା । ଭାଙ୍ଗିଗଲା ପୁରୁଷଙ୍କଉପରୁ ତା’ର ଥିବା ବିଶ୍ଵାସ ଓ ଭରସା । ତା ମନର ମୁକ୍ତ ବିହଙ୍ଗ ଆଜି ଦିଗହରା ହୋଇ ଘୂରିବୁଲୁଥିଲା । କ’ଣ କରିବ ସେ ! ଦୁଇ ଝିଅଙ୍କୁ ଏ ରାକ୍ଷସ ହାତରେ ଛାଡି ଦେଇ ମରଣକୁ ବି ନିଜର କରିପାରିବନି । ତାକୁ ଯେମିତି ହେଉ ବଞ୍ଚିବାକୁ ହବ ! ବଡ ଝିଅ ସାହାଯ୍ୟରେ ତାଲା ଭାଙ୍ଗିଲା । ଦୁଇ ଝିଅଙ୍କୁ ସାଙ୍ଗରେ ଧରି କେଉଁ ଏକ ଅଜଣା ରାଜ୍ୟରେ ଯାଇ ବସା ବାନ୍ଧିରହିଲା । ନିଜେ ଖବରକାଗଜ ଅଫିସରେ ଚାକିରି କରି ଦୁଇ ଝିଅଙ୍କୁ ପଢେଇଲା । ପୂର୍ବ ପରି ନିଜେ ବାପା ଓ ମା’ ଦୁହିଁଙ୍କର କର୍ତ୍ତବ୍ୟ ତୁଲେଇଲା । 



Rate this content
Log in

Similar oriya story from Drama