ସବୁଜ ରଙ୍ଗର ଡ୍ରେସ୍
ସବୁଜ ରଙ୍ଗର ଡ୍ରେସ୍
ସ୍ମିତା ନିଜ ଆଠ ବର୍ଷର ଝିଅର ଡ୍ରେସ୍ ସଜାଡ଼ୁ ଥିଲା ଥାକରେ ରଖିବ ବୋଲି । ଝିଅ ଭାରି ସୁତୁରି ଟିକେ ବି ଏପଟ ସେପଟ ହେବନି । ଡ୍ରେସ୍ରେ କୌଣସି ଦାଗ ଟିକେ ବି ଲେଗେଇ ଦିଏନି । ସ୍କୁଲ ଡ୍ରେସ୍ ସବୁଦିନ ସଫା ଦେଖାଯାଉଥିବା ଦରକାର । ନହେଲେ ୱାଶିଂ ମେସିନ୍ ରେ ଭର୍ତ୍ତି କରିଦେଇ ଯିବ, ଆଉ କହିବ ‘ମାମା ଟିକେ ଏଗୁଡ଼ିକୁ ସଫା କରିଦେଇଥିବ’ । ସ୍ମିତା ଥାକରେ ଡ୍ରେସ୍ ଭାଙ୍ଗିକି ରଖିବା ସମୟରେ ତା ନଜର ପଡିଲା ଗୋଟେ ସବୁଜ ରଙ୍ଗର ଫ୍ରକ୍ ଟି ଉପରେ । ତାକୁ କାଢି ଦେଖିଲା, କହିଲା ଏ ତ ମୋ ସେ ପିଲାବେଳର ଡ୍ରେସ୍ ଭଳି ଦେଖାଯାଉଛି । ହାତରେ ଡ୍ରେସ୍ ଟିକୁ ଧରି ଦୁଇ ଟୋପା ଲୁହ ନିଗିଡି ପଡିଲା ସେ ଡ୍ରେସ୍ ଉପରେ । ପୁରୁଣା ସ୍ମୃତି ସବୁ ପବନରେ ଭାସି ଆସିଲା ତା ଆଖି ସାମ୍ନାକୁ । ହଜିଗଲା ତା ପିଲାବେଳରେ ବିତେଇ ଥିବା ସେଇ ମୁହୂର୍ତ୍ତକୁ ।
ସ୍ମିତାର ବାପା ରାଉରକେଲାରେ ଚାକିରୀ କରିଥିଲେ । ତାଙ୍କର ଯୌଥ ପରିବାର ଥିବାରୁ ବୁଢ଼ୀ ମା ର ନିର୍ଦ୍ଦେଶ କ୍ରମେ ତା ବୋଉ ଆଉ ସେ ରାଉରକେଲା ଯାଇପରନ୍ତି ନାହିଁ । ତା ବାପା ବର୍ଷକୁ ଦୁଇଥର ଗାଁକୁ ଆସନ୍ତି । ରଜ ଆଉ କୁମାର ପୂର୍ଣ୍ଣମୀ ଦୁଇଟି ପର୍ବରେ ସ୍ମିତା ପାଇଁ ଖୁବ୍ ସୁନ୍ଦର ସୁନ୍ଦର ଡ୍ରେସ୍ ଆଣନ୍ତି । ସ୍ମିତା ସେ ଡ୍ରେସ୍ ପିନ୍ଧି ସବୁ ସାହି ଆଡେ ତା ସାଙ୍ଗମାନଙ୍କୁ ଦେଖେଇ ଦେଇ ବୁଲି ଆସେ । ସମସ୍ତେ ସୁନ୍ଦର ହୋଇଛି କୁହନ୍ତି, ଆଉ କିଏ ଆଣିଛି ବୋଲି ପଚାରିଦେଲେ ତା ଛାତି କୁଣ୍ଡେମୋଟ ହୋଇଯାଏ । ଫୁଲେଇ ହୋଇ କୁହେ ; ମୋ ବାପା ରାଉରକେଲାରୁ ଆଣିଛନ୍ତି । ଏଠି ଏମିତିକା ଡ୍ରେସ ମିଳିବନି । ହଁ ।
ସ୍ମିତାର ସବୁଠୁ ଅଧିକ ପସନ୍ଦ ସେ ସବୁଜ ରଙ୍ଗର ହାତ କଟା ଡ୍ରେସ୍ ଟି । ସେଥିରେ ଝାପ୍ସା ଧଳା ରଙ୍ଗରେ ପତ୍ରଗୁଡିକ ଅଙ୍କା ହୋଇଥିଲା । ହାତ କଟା ଡ୍ରେସ୍ ସେ ଗାଁରେ ତାସାଙ୍ଗର ପିଲାଙ୍କର କାହାର ନଥାଏ ।
ଦିନେ ତା ସାଙ୍ଗ ଟିକିନା ସାଙ୍ଗରେ ବାଲିରେ ଖେଳୁଥିଲା । ସେହି ସମୟରେ ଲିପି ଡାକିଲା ଚାଲ ଯିବା ଶିବା ଅଜା ଘରେ କେହି ନାହାନ୍ତି । ତାଙ୍କ ବାଡିରୁ ପିଜୁଳି ଆଣିବା, କେତେ ମିଠା ସେ ପିଜୁଳି ! ତୁ ଖାଇଲେ ତୋ ପାଟିରୁ ଛାଡିବନି । ପିଜୁଳି ନାଁ ଶୁଣି ସ୍ମିତା ପାଟିରୁ ଲାଳ ବୋହିଯାଉଥାଏ । ପିଜୁଳି ପ୍ରତି ସ୍ମିତାର ବହୁତ ଦୁର୍ବଳତା ଥିଲା । ହେଲେ ଶିବା ଅଜା ଘର କଥା ଭାବି ଟିକେ ଡରିଯାଏ । ସେ ବୁଢା ଭାରି କୃପଣ । ଦେହରୁ ମଳି ଟିକେ ବି କାହାକୁ ଦେବନି , ପିଜୁଳି ତ ଦୂରର କଥା । ବୁଢାର କଳା ରଙ୍ଗକୁ ଢିମା ଢିମା ଆଖି ଦୁଇଟି ତା ସାଙ୍ଗକୁ ପାଚିଲା ଦାଢି କେରାଏ ଭାରି ଡରଲାଗେ ସ୍ମିତାକୁ ସେ ଚେହେରା । ସେଥିରେ ପୁଣି ବୁଢାର ଗୋଟେ ବଙ୍କୁଲି ବାଡ଼ି ଅଛି , ବୁଢା କଥା କଥାକରେ ବାଡିଟିକୁ ଉଠେଇଦିଏ ।
ସାଙ୍ଗ ମାନଙ୍କ କଥାରେ ସେଦିନ ସାହସ ଜୁଟେଇ ଗଲା ପିଜୁଳି ଆଣିବାକୁ ଶିବା ଅଜା ଘର ବଗିଚାକୁ । ପିଜୁଳି ଦେଖି ଗଛ ଉପରକୁ ତିନିଜଣ ଯାକ ଚଢି଼ଗଲେ । ସ୍ମିତା ଗଛର ଅଗ୍ର ଭାଗରେ ଚଢ଼ିଗଲା । ମନଭରି ପିଜୁଳି ସମସ୍ତେ ଖାଇଲେ , ଆଉ କିଛିଟା ତୋଳୁଥିଲେ ଏତିକିବେଳେ ଶିବା ଅଜାର ବଙ୍କୁଲି ବାଡିର ଶବ୍ଦ ବାଜିଲା ତିନି ଜଣଙ୍କ କାନରେ । ହାଠାତ୍ ଡରି ଯାଇ ଟିକିନା ଓ ଲିପି ତଳକୁ ଡିଆଁ ମାରିଲେ କିନ୍ତୁ ସ୍ମିତା ଉପରେ ରହିଗଲା । ଶିବା ଅଜା ସେ ଦୁଇଜଣଙ୍କୁ ଧରିପକେଇ ଗାଳି କରିଲା ଓ ଡରେଇଲା ଆଉ ଯେମିତି ତା ବଗିଚାକୁ ନ ଆସିବା ପାଇଁ । ସେ ଦିହେଁ କାନ୍ଦି କାନ୍ଦି ରାସ୍ତା ଉପରକୁ ଗଲେ । ତାଙ୍କର ମନେ ପଡିଗଲା ସ୍ମିତା କାହିଁ ? ଟିକିନା କହିଲା
ମଲା ପଡି ସେ ! ସେ ବୁଢ଼ା ତାକୁ ଆଜି ବାଡେଇ ପକେଇଥିବ, ବିଚାରି !
ସେମାନେ କିଛି ସମୟ ସ୍ମିତାକୁ ଅପେକ୍ଷା କରି ଦେଖିଲେ ସ୍ମିତା ପୁଳାଏ ପିଜୁଳି ଧରି ଆସୁଛି ! ଲିପି ଆଶ୍ଚର୍ଯ୍ୟ ହୋଇ ପଚାରିଲା ତୋତେ ସେ ବୁଢା ଛାଡିଦେଲା କିଲୋ । ସ୍ମିତା ହସି ହସି କହିଲା ଜାଣିଲୁ ସେ ବୁଢା ମୋତେ ଦେଖିପାରିନାହିଁ ! କେମିତି କହୁଲୁ ? କେମିତି ବୋଲି ଟିକିନା ପଚାରିଲା । ମୋର ଏଇ ଡ୍ରେସ ପାଇଁ ଆରେ ଶିବା ଅଜା ତମ ଦୁଇଜଣ ସାଙ୍ଗେ କଥା ହେବା ଦେଖି ମୁଁ ପୁରା ଡରିଯାଇ ଗଛର ଗୋଟେ ଡାଳକୁ କୁଣ୍ଢେଇ ଧରିପକେଇଲି । ତାପରେ ମୋର ଏ ଡ୍ରେସଟି ସବୁଜ ରଙ୍ଗ ଥିବାରୁ ପତ୍ର ସଙ୍ଗେ ମିଶିଗଲି, ବୁଢା ଆଉ ଦେଖିପାରିଲନାହିଁ ।
କିଛି ସମୟରେ ଶିବା ଅଜା ଏପଟ ସେପଟକୁ ଚାହିଁ ପଳେଇ ଯିବା ଦେଖି ମୁଁ ଗଛ ଉପରୁ ତଳକୁ ଓହ୍ଲେଇ ଆସିଲି । ଲିପି କହିଲା ଯାହା ହେଉ ତୋ ଭାଗ୍ୟ ଭଲ ତୋତେ ତୋ ଡ୍ରେସ ବଞ୍ଚେଇଦେଲା ,ନହେଲେ ସେ ବୁଢା ଯୋଉ ପ୍ରକୃତିର ନା ଆଜି ଛାଡିନଥାନ୍ତା ; ନିଜେ ତ ମାରିଥାନ୍ତା ପୁଣି ଘରେ ବି ଯାଇ କହିଦେଇଥାନ୍ତା ଗୁଡ଼ାଏ ଆଜି ମାଡ଼ ଖାଇଥାନ୍ତେ । ତିନିଜଣ ହସା ହସି ହୋଇ ଘରକୁ ଫେରିଲେ ।
ଠିକ୍ ଏହି ସମୟରେ ଝିଅର ଡାକରୁ ପ୍ରକୃତିସ୍ଥ ହୋଇଉଠିଲା ସ୍ମିତା । ଧଡପଡ ହୋଇ ଡ୍ରେସଟି ଥାକ ଉପରେ ରଖି ଆଖି ଲୁହ ପୋଛିପକେଇଲା । ପିଲାଦିନର ଏ ଅଭୂଲା ସୁନ୍ଦର ସ୍ମୃତିଟି ଆଜି ଯେମିତି ତାକୁ ତାଜା କରିଦେଇଛି ତା ମନ ଅଗଣାରେ ।
