Soumya Shubhadarshinee

Romance

2.8  

Soumya Shubhadarshinee

Romance

ସନ୍ଧିପତ୍ର

ସନ୍ଧିପତ୍ର

6 mins
490


 

      ସବୁବେଳେ ଆମକୁ ଏମିତିହିଁ ଲାଗେ ନିଜ ଅକ୍ତିଆରରେ ଅଛି ସବୁକିଛି , ହାତ ପାଆନ୍ତାର ପ୍ରଜାପତି ପରି । ନିର୍ଧୁମ ଧାଉଁ ଥାଏ ମନ ସେଇ ପ୍ରଜାପତି ପଛରେ , ହେଲେ ସେ ଏଇ ଦିଶେ ପୁଣି ଏଇ ଲୁଚେ !

  ଶୋଭନ ପୁଣି ଗଣିଲା ଏକ, ଦୁଇ , ତିନ ,

ବାସ ସେତିକି ! ଏତେ ବଡ଼ ପାର୍କ କିନ୍ତୁ ଡାଲିଆ ଫୁଲ ଫୁଟିଛି ଜମା ତିନଟା । ବହୁତ ପ୍ରକାର ଫୁଲ ସେଠି ସୂର୍ଯ୍ୟମୁଖୀ ,କସ୍ ମସ୍ , ସେବତୀ , ଗେଣ୍ଡୁ ଏମିତି

କେତେ । ହେଲେ ଆଖି ଅଟକେ ସେଇ ଡାଲିଆ ପାଖରେ । କାରଣ ସେଗୁଡ଼ାକ ରଙ୍ଗୀନ , ଖୁବ୍ ରଙ୍ଗୀନ , ଠିକ ଶୀର୍ଷା ଭଳି ।


ଗୋଟେ ଗାଢ଼ ନାଲି , ଗୋଟେ ଗାଢ଼ ହଳଦୀ ଆଉ ଗୋଟେ ଧଳା ଆଉ ବାଇଗେଣୀ ମିଶା । ଲାଷ୍ଟ ଇୟର୍ ପୂରା ଶୀତ କଟିଥିଲା ଏଇ ଫୁଲ ଆଉ ଶୀର୍ଷା ସହ ।

 ଜିଦ କରୁଥିଲା ଶୀର୍ଷା , '' ଆରେ ଚାଲନା ଯିବା ଟିକେ ପାର୍କ । ପ୍ରମିସ କିଛି ବଦମାସି କରିବିନି , ଖାଲି ଖୋଲା ପବନ ଟିକେ ପିଇବି ବାସ ।'' ହସୁଥିଲା ଶୋଭନ ଆଉ କହୁଥିଲା , '' ନା' ନା' ଗରମ କଫି ପିଇବୁ ପବନ କିଆଁ !'' ଆଉ ତା' ହସ ସହ ତାଳ ଦେଇ ହସୁଥିଲା ଶୀର୍ଷା ।


  ଶୀର୍ଷା ଫୁଲ ପରି ଫୁଲେଇ , ସୁନ୍ଦରୀ , ରଙ୍ଗମୟୀ ଆଉ ଭାରି ଚଳଚଞ୍ଚଳ । ପ୍ରଥମ ଦେଖାରେ କହି ପକେଇଥିଲା , '' ଇ ମାଁ , ତୁମର କେହି ଜି . ଏଫ ନାହିଁ !''

 ଶୋଭନର ଆଖିରେ ପ୍ରଶ୍ନଟେ ଭାସି ଉଠିଥିଲା ,'' ଝିଅଟିର ମୁଣ୍ଡ ଖରାପ ନା' କ'ଣ ? ଏମିତି ବିଚିତ୍ର ପ୍ରଶ୍ନ କେହି ଅପରିଚିତକୁ କ'ଣ ପଚାରେ ?''


ସେ ଦୁହେଁ ଅପରିଚିତ ଥିଲେ , ସାଥୀହେଇ ଗୋଟିଏ ମଲ୍ ରେ କାମ କରି ମଧ୍ୟ । ଶୋଭନ ନିଜ ବନ୍ଧୁ ଅନୁପ ସହ କଥା ହେଉଥିଲା , '' ଆଜିକାଲି ଭଲ ଝିଅଟେ ମିଳିବା ମୁସ୍କିଲ !'' ସେଇଠି ବସିଥିବା ସେଲ୍ସ ଗାର୍ଲ ସଙ୍ଗେ ସଙ୍ଗେ ପଚାରିଦେଲା ଏମିତି ପ୍ରଶ୍ନ । ସେଇଠୁ ପରିଚିତ ହେଇଗଲେ ଦୁହେଁ । ଶୋଭନର ମୁହଁର ଆଶ୍ଚର୍ଯ୍ୟ ପଢ଼ି ଶୀର୍ଷା ହସିଥିଲା ଅଳ୍ପ ଆଉ କହିଥିଲା , 

'' ସରି , ଭାରି ବୋର ଲାଗୁଥିଲା ତ' ତେଣୁ ଟିକେ ଗପ ଯୋଡ଼ିଦେଲି , ମୁଁ ନୂଆ ଜଏନ୍ କରିଛି ଶୀର୍ଷା ସେନ୍ । ଆଉ ତୁମେ ଦୁହେଁ ?''


 ହସୁଥିବା ଶୀର୍ଷା ଗାଲରେ ଚମତ୍କାର ଭଉଁରୀ ଠିକ ପ୍ରୀତି ଜିଣ୍ଟା ପରି ! ବେଶ ସୁନ୍ଦର ଲାଗିଥିଲା ଶୋଭନକୁ । ଆଉ ସେଇ ଭଉଁରୀ ଭିତରେ ହଜିଗଲା ଶୋଭନର ଅସ୍ତିତ୍ୱ । ସେଇତକ ଆଦ୍ୟ ପରିଚୟ , ପରେ କେତେବେଳେ ସମ୍ପର୍କରେ ବଦଳି ଗଲା ବୁଝାପଡ଼ିଲା ନାହିଁ ।


   ଶୋଭନର ଅଣନିଶ୍ୱାସୀ ମଲ୍ ଜୀବନରେ ସୁଖ ଭରିଦିଏ ଝିଅଟା । ମଲ୍ ପରି ବିଚିତ୍ର ପୃଥିବୀ ଯେଉଁଠି ପବନରବି ଦାମ ଦେବାକୁ ହୁଏ , ଏ. ସି. ର ଥଣ୍ଡା ପବନ ଭାରି ଦାମୀ ! ସେଇଠି କିନ୍ତୁ ସବୁ ମଣିଷଙ୍କ ଭିଡ଼ , ଧନୀ ଲୋକ ବୋଲି ଦେଖେଇ ହେବାକୁ । ହଜାରେ ପୋଷାକ ଟ୍ରାଇ କରି ଗୋଟିଏବି କିଣୁ ନଥିବା ଫୁଲେଇ ପ୍ରେମିକା ଆଉ ଜବରରଦସ୍ତି ହଳେ ଜାଗାରେ ଚାରିହଳ ଡ୍ରେସ୍ କିଣୁଥିବା ଚୁଲବୁଲି ସ୍ତ୍ରୀ ସଭିଏଁ ଗୋଟିଏ ଛାତ ତଳେ ମିଳନ୍ତି ଏଠି । ଶୋଭନ ଦେଖେ ସେଇ ଝିଅଙ୍କୁ ଆଉ ଭାବେ ଝିଅର ମନ କେବଳ ଧନବାନ ପ୍ରେମିକ ପାଇଁ ତିଆରି ହେଇଥାଏ । ଯେ ତା'ର ଅଗଣିତ ଆଵଶ୍ୟକତାକୁ ଚୁଟକି ବଜେଇ ପୂରଣ କରିଦେବ ଠିକ ଜିନ୍ ପରି । ଖାସ ସେଥିପାଇଁ ଝିଅ ସବୁ ଭୟ ଦିଅନ୍ତି ଆଉ ହତାଶା ଭରନ୍ତି ତା' ଭିତରେ । କିନ୍ତୁ ଶୀର୍ଷା ସେମିତି ଲାଗେନି । ଝିଅଟି ଭିନ୍ନ କାରଣ ସେ ଶୋଭନକୁ ବୁଝିପାରେ ବେଶ। ପକେଟ ନୁହେଁ ମନ ଦେଖିପାରେ !.........


  ଜୀବନଠାରୁ ବହୁତ କିଛି ଚାହେଁନି ଶୀର୍ଷା ଚାହେଁ କେବଳ ଟିକେ ବିଶ୍ୱାସ , ଯାହାକୁ ନେଇ ଘର ଗଢି ହେବ । ବେଳେବେଳେ ଅବୁଝା ହୁଏ ଶୀର୍ଷା ଆଉ କୁହେ, '' ଜାଣ ବିଶ୍ୱାସ ମିଳେନି ଆଜିର ସମୟରେ , ଭାରି ଅଭାବ ସେତକର ! '' ଶୋଭନ ଶକ୍ତ ଭାବେ ଶୀର୍ଷା ହାତକୁ ବାନ୍ଧି ନିଏ ନିଜ ହାତରେ ଆଉ କୁହେ, '' ଏଠି କିନ୍ତୁ ତୋ ଲାଗି ଭରପୁର ବିଶ୍ୱାସ ଅଛି ।"


 ଶୀର୍ଷା ଆହୁରି ଶକ୍ତ କରିନିଏ ସେ ବାହୁ ବନ୍ଧନ , ଯେମିତି କେବେ ଫିଟିବାର ନୁହେଁ ।

କିନ୍ତୁ ସମ୍ପର୍କରେ କିଛି ଗୋଟେ ସମ୍ପୂର୍ଣ୍ଣ ବିଶ୍ୱାସ ଯୋଗ୍ୟ ନଥାଏ ବୋଧେ !........


 ବେଶ ଆତ୍ମୀୟତା ସହ ଶୀର୍ଷା ଘର ଗଢିବାର ନିଶା ଲଗେଇ ଦିଏ ଶୋଭନକୁ । ବାୟାବସା ପାଇଁ ମନପ୍ରାଣ ଦେଇ କାଠିକୁଟା ଯୋଗାଡେ ଶୋଭନ । ମେସ୍ ରୁ ବାହାରି ଟୁ ରୁମ୍ ସେଟ୍ ନିଏ। ଛୋଟ ଛୋଟ ସ୍ୱପ୍ନ ଦେଇ ସଜାଏ ସେଇ ଘରର କୋଣ ଅନୁକୋଣ । ରଙ୍ଗଠୁ ନେଇ ରୂପ ଯାଏଁ , ସବୁକିଛି ଗଢେ ଶୀର୍ଷାର ମନ ମୁତାବକ । ଏଇ ସହରର ଗଳିକନ୍ଦି ବୁଲି ବୁଲି କିଣେ ଶୀର୍ଷା ସୁନ୍ଦର ଖଟ , ଡ୍ରେସିଂ ଟେବଲ୍ , ଗଡ଼ରେଜ , ପରଦା , ମ୍ୟାଟ୍ ,ଗଲିଚା , କୁସନ୍ ଏମିତି ଅଗଣିତ ଘର ଗଢ଼ା ଜିନିଷ । ଶୋଭନ ଗୋଟେ ପରିପୂର୍ଣ୍ଣ ଘର ଗଢିଲେ ହିଁ ଶୀର୍ଷା ନିଜ ମାମା ଆଉ ପାପାଙ୍କୁ ଜଣେଇବ ତାଙ୍କ ସମ୍ପର୍କରେ , ଏମିତି ସନ୍ଧିପତ୍ର କରେ ଶୀର୍ଷା।


ଉଭୟ ସମାନ ଭାବରେ ଇନଭେଷ୍ଟ କରନ୍ତି ସେଇ ଘରଟିରେ ,ତେଣୁ ବିଶ୍ୱାସର ସୌଧ ବେଶ ସୁନ୍ଦର ଲାଗେ ।ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରେ ଶୀର୍ଷା , ସେମାନଙ୍କ ସନ୍ଧିପତ୍ରରେ । ଫେବୃଆରୀ ୧୪, ସେଇଦିନ ଏକ ଆଉ ଅଭିନ୍ନ ହେଇଯିବେ ସେମାନେ । ତା' ପରିବାର ସହ ଭେଟ ହେବ ଆଉ ସବୁ ସ୍ୱପ୍ନ ବାସ୍ତବ ହେଇଯିବ । ଆଉ ମିଳିତ ହେବାର ସ୍ଥାନ ନିର୍ଦ୍ଧାରିତ ହୁଏ ଏଇ ପାର୍କ , ତାଙ୍କ ବାୟାବସାର ଖୁବ୍ ନିକଟରେ । ଶୋଭନ ନିଜକୁ ପ୍ରସ୍ତୁତ କରେ ବେଶ ବ୍ୟବସ୍ଥିତ ଭାବରେ । ଶୀର୍ଷା କହିଥିବା ବ୍ଲୁ ଡ୍ରେସ୍ , ଘଣ୍ଟା , ତା' ପସନ୍ଦର ସେଣ୍ଟ ଆଉ ଲକି ସ୍ୱସ୍ତିକ ଲକେଟ ସହ । ଦେଇ ଥାଏ ଶୀର୍ଷା ସେଇ ଲକେଟ , ଆଉ ସବୁବେଳେ କହୁଥାଏ ,'' ଶୁଣ ଏଇଟା ଲକି ତୁମ ପାଇଁ ମୁଁ ତୁମ ଜାତକ କଷି ପଣ୍ଡିତଙ୍କ ପାଖରୁ ଆଣିଛି ଖାସ ଆମ ସୁଖଦ ଜୀବନ ପାଇଁ ।'' ଠିକ ରୁହେ ସବୁ , ସମାନ ଚାକିରୀ , ଉତ୍ତମ ବୁଝାମଣା , ପରସ୍ପର ପ୍ରତି ଶ୍ରଦ୍ଧା , ମନବୁଝିବାର ସାମର୍ଥ୍ୟ ତଥାପି ଏମିତି ଘଟେ ?

  

   ଆସେନି ଶୀର୍ଷା ସେଦିନ , ତା' ପର ଦିନ , ଆଉ ତା' ପର ଦିନବି ନା' ତ ପାର୍କ ନା' ମଲ୍ । ଶୋଭନ ଫୋନ୍ କରେ ଶୀର୍ଷାକୁ ଅନେକ ଥର କିନ୍ତୁ ସେଇଟି ଅସମ୍ଭବ ଭାବେ ନୀରବ ରୁହେ । ଯାଏ ଶୀର୍ଷା ଘରକୁ କିନ୍ତୁ ତାଲା ପଡିଥାଏ ସେଠି । ବୁଝେ ଘର ମାଲିକ ଠାରୁ ଶୀର୍ଷା କଥା , କିନ୍ତୁ ଜଣା ନଥାଏ ତାକୁ ବିଶେଷ କିଛି । ଘର ମାଲିକର ସେଇ ସୁନ୍ଦର ଶୁଆ ଯେ ସବୁବେଳେ ଡାକେ ତାକୁ 'ଶୋଭନ ଆ ' କହି । ତାକୁବି ପଚାରେ ଶୋଭନ , '' ମିଟୁ ଶୀର୍ଷା କାଇଁ ?'' ମିଟୁ ଫଡ ଫଡ ହୁଏ ଆଉ କୁହେ ,'' ରାଧେ ରାଧେ !''


ଫେରିବାକୁ ହୁଏ ତାକୁ ବେଯାଏ ହତାଶା ଠୁଳେଇ !.  

 ପଚାରେ ଶୀର୍ଷାର ବେଷ୍ଟ ଫ୍ରେଣ୍ଡ ଟିନାକୁ କିନ୍ତୁ ବିଚିତ୍ର ଭାବେ ସେ ବି ଜାଣିନଥାଏ

କିଛି । ଟିନା କେବଳ ଉଦାସ ଦିଶେ ଆଉ ଶୋଭନ ସହ ମିଶି କାନ୍ଦେ ଖୁବ୍ । କିନ୍ତୁ ଏତେ ସବୁ ପ୍ରଚେଷ୍ଟା ପରେବି କିଛି ଲାଭ ହୁଏନି । ଏମିତି ଶୀର୍ଷା ସେନ୍ ନାମ୍ନୀ ଝିଅଟି ହଜିଯାଏ କେଉଁଠି ଗୋଟେ ବିନା ଉପକ୍ରମରେ !....


    ଶୋଭନ ସେ ଘର ଭିତରେ ଶୀର୍ଷାକୁ ଅନୁଭବ କରେ ଭୟଙ୍କର ଭାବରେ । ହେବା ମଧ୍ୟ ସ୍ୱାଭାବିକ , କାରଣ ସେଇଟା ଶୀର୍ଷାର ଘର । ଘରର ପତ୍ୟକ ବସ୍ତୁ ଶୀର୍ଷାର ସ୍ମୃତିକୁ ସତେଜ କରିବାରେ ବେଶ ତତ୍ପର । କାନ୍ଥରେ ଲାଗିଥିବା ସଫେଦ ରଙ୍ଗ ଶୀର୍ଷା ନିଜେ ବାଛି ଥିଲା ପେଣ୍ଟ୍ ଦୋକାନକୁ ଯାଇ ।


'' ଜାଣ ବିଲକୁଲ ସଫେଦ ରଙ୍ଗ ଲାଗିବ, ଯେମିତି ସବୁ ଲାଇଟ୍ ରିଫ୍ଲେକ୍ଟ ହେବ ଆଉ ଉଜ୍ଜ୍ବଳ ଲାଗିବ ମୋ ଘର ।" ଠିକ କୁହେ ଶୀର୍ଷା ସତରେ ଘର ବହୁତ ଉଜ୍ଜ୍ବଳ ଲାଗୁଛି କିନ୍ତୁ ଏବେ ଲାଇଟ୍ ଜଳୁନି ସେଠି । ଅନ୍ଧକାର ସହ ବନ୍ଧୁତା କରିନେଇଛି ଶୋଭନ ।  ସେଇ ଲାଫିଙ୍ଗ୍ ବୁଦ୍ଧ ଯାହା ଶୀର୍ଷା କିଣିଥିଲା ଫେନ୍ସୁଇ ଦୋକାନରୁ , ହସୁ ନାହାଁନ୍ତି ଆଉ । ଦିଶୁଛନ୍ତି ଠିକ ଶୋଭନ ପରି ଉଦାସ ।


  ସେଇ ହାଲ୍କା ବାଇଗଣୀ ରଙ୍ଗର ପରଦା ଫିକା ଲାଗୁଛି , ପରସ୍ତ ପରସ୍ତ ଧୂଳିର ଆସ୍ତରଣ ତଳେ । ଠିକ ଶୋଭନର ଧୁଳି ଲଗା ସ୍ୱପ୍ନ ପରି । ଶୋଭନକୁ ସବୁଠୁ ଅଧିକ କଷ୍ଟ ଦେଉଛି ଡ୍ରଇଂ ରୁମରେ ଥିବା ଉଡ଼ନ୍ତା ହଂସ ଯୋଡିର ସେଇ ସୁନ୍ଦର ପେଣ୍ଟିଂ ଯାହା ନିଜେ ଆଙ୍କିଥିଲା ଶୀର୍ଷା । ଯଦି ଚାଲି ଯିବାର ଥିଲା ଏମିତି ମୋହ ଲଗେଇବାରକି ଆବଶ୍ୟକ ଥିଲା ! ଶୋଭନ ସେଇ ପେଣ୍ଟିଂ ଉତାରି ଦେଲା କାନ୍ଥରୁ । ସହି ହେଲାନି ସେ ଉଡ଼ନ୍ତା ଯୋଡିର ସୁଖ !

ଏକାକୀ ଜୀଉଁଥିବା ମଣିଷ ଆଉ ସାଥି ହରେଇ ଜୀଉଁଥିବା ମଣିଷ ଭିତରେ ପାର୍ଥକ୍ୟ ଖୁବ୍ ସୁକ୍ଷ୍ମ କିନ୍ତୁ ପ୍ରଛନ୍ନ !.....

ବେଶ ଅନୁଭବ କରୁଛି ଶୋଭନ । ଏକା ଥିଲା ସେ ଭଲ ଥିଲା , ଏମିତି କଷ୍ଟ ପାଉ ନଥିଲା । କିନ୍ତୁ ଶୀର୍ଷା ଯିବାପରର ଏକାକିତ୍ୱ ଓଃ !.......


   ସବୁବେଳେ ଲାଗୁଛି ଏଇ ଆସିଯିବ ଶୀର୍ଷା । ଅଫିସରୁ ଫେରି ସେ ପହଞ୍ଚିଲା ବେଳକୁ ଦେଖିବ ଖୋଲା ଘର  , ଉଜ୍ଜ୍ୱଳ ଆଲୋକରେ ଭିଜା ପରିବେଶ ଆଉ ସୁନ୍ଦର କଫି କପ ସହ ଅପେକ୍ଷା କରିଥିବା ଶୀର୍ଷା ।

ଗପିବ ବହୁତ : ଜାଣ ଏଇଟା ହେଲା , ସେଇଟା ହେଲା , ମୁଁ ଏମିତି ଫସିଗଲି , ଫୋନ୍ ହଜିଗଲା , କିଡ଼ନ୍ୟାପ୍ ହେଇଯାଇଥିଲି , ଗୁଣ୍ଡା ଉଠେଇ ନେଇଥିଲା , ହେ ଗୋଟେ ଆକ୍ସିଡେଣ୍ଟରେ ଚାଲିଗଲା ମୋର ସ୍ମୃତି ଠିକ 'ସଦ୍ମା ' ଫିଲ୍ମର ଶ୍ରୀଦେବୀ ପରି । ତା'ର ହଜାରେ ଗପ କେବଳ

ନିଶବ୍ଦରେ ଶୁଣିବ ଶୋଭନ । ଆଉ ଦେଖୁଥିବ ତାକୁ ଅପଲକ ନୟନରେ ଘଡ଼ିଏ କାଳ। ଭୁଲିଯିବ ସ୍ଥିତି , ପରିସ୍ଥିତି , ଭୋକ , ଶୋଷ ବାସ !..........


 କିନ୍ତୁ ହୁଏନି ସେମିତି । କ୍ୟାଲେଣ୍ଡର ର ପୃଷ୍ଠା ଲେଉଟୁ ଥାଏ ଆଉ ବିତୁଥାଏ ଧୋକା ଦିଆ ସମୟ । ବିତି ଯାଏ ପୂରା ୩୬୫ ଦିନ , ୫୨ ସପ୍ତାହ , ୧୨ ମାସ , ୧ବର୍ଷ । ଆସେନି ଶୀର୍ଷା , ଲାଗେନି ତା' ଫୋନ୍ , ଶୁଭେନି ତା' ବକ ବକ, ଦିଶେନି ତା' ଫୁଲେଇ ଢ଼ଙ୍ଗ । ଝୁରେ କେବଳ ଝୁରେ ଶୋଭନ , କିନ୍ତୁ ସେଇ ମଲ୍ , ସେଇ ଘର , ସେଇ ପାର୍କକୁ ଛାଡି ପାରେନି । ଲାଗେ କାଳେ ଶୀର୍ଷା .........


  ଶୀତ ରାତି , ଫେବ୍ରୁଆରୀର । ଶୋଭନ ଚୁପ ଚାପ ନିଜ ଭିତରେ ହଜି ବସିଥିଲା ବାଲକୋନିରେ ଅନ୍ୟମନସ୍କ ହେଇ , ଶୀତର ଭୟକୁ ବେଖାତିର କରି । ହଠାତ୍ ଶୁଭିଲା କଲିଂ ବେଲ୍ । କେହି ଏତେ ରାତିରେ ଆସିବାର ସମ୍ଭାବନା ନାହିଁ ଯଦିଓ ତଥାପି ଦେଖିବାକୁ ହେବ । ଦରଜା ଖୋଲିଲା ଶୋଭନ ଆଉ ଆଶ୍ଚର୍ଯ୍ୟ ହେଲା । ଶୀର୍ଷା ଥିଲା ଶୀତ ସହିତ , ବିଲକୁଲ ସେମିତି । ଖୁବ୍ ସାବଲୀଳ ଭାବେ ଆସିଗଲା ଘର ଭିତରକୁ ଆଉ ନିଜ ଚିରାଚରିତ ଢଙ୍ଗରେ କହିଲା , '' ପ୍ଲିଜ କଫି ପିଇବାକୁ ଖୁବ୍ ଇଚ୍ଛା , ବନେଇ ଦିଅ ନା' !''


 ଶୋଭନ ବିନା ପ୍ରତିକ୍ରିୟାରେ କିଚେନ୍ କୁ ଯାଇ ବନେଇଲା ବୃ , ଶୀର୍ଷାର ଫାବ୍ । ଶୀର୍ଷା ଠିକ ସେମିତି ପିଇଲା କଫି , ସୁଡୁ ସୁଡୁ ଶବ୍ଦ କରି । କଫି ସରିଗଲା ପରେ କାନ୍ଦିଲା ଖୁବ୍ ଗଳା ଫଟେଇ ଶୋଭନକୁ ଧରି । ଶୋଭନବି କାନ୍ଦିଲା ଖୁବ୍ । କହିଲା ନାହିଁ ଶୀର୍ଷା ନିରୁଦ୍ଦିଷ୍ଟ ହେବାର ରହସ୍ୟକି ପଚାରିଲା ନାହିଁ ଶୋଭନ । ସେ ଦୁହେଁ କେବଳ ଲୁହ ଝରେଇ ଧୋଉଥିଲେ ହୃଦୟରେ ଛାଇଥିବା ଦୁଃଖର ଧୁଳି । ଆଉ ଭରୁଥିଲେ ଆଗାମୀ ଦିନର ସମ୍ଭାବନାର ଆଲୋକ ।

    ରାତିର ସମୟ ଜଣଉଥିଲା ବାରଟା ହେଇସାରିଛି ଆଉ ଫେରୁଆରୀ ୧୪ ଆସି ସାରିଛି ।ସନ୍ଧିପତ୍ରରେ ସେଇଦିନହିଁ ତ' ନିର୍ଦ୍ଧାରିତ ହେଇଥିଲା , ବର୍ଷ ତ' ନିର୍ଦ୍ଧାରିତ ହେଇ ନଥିଲାନା ।...

              

   


Rate this content
Log in

Similar oriya story from Romance