ସ୍ମୃତି
ସ୍ମୃତି
ସ୍ମୃତି ଏପରି ଏକ ଜିନିଷଟିଏ ଯାହା ସବୁବେଳେ ସମାନ ରୂପରେ ମିଳେ।ଆଉ ଯେତେବେଳେ ମିଳେ ସେତେବେଳେ ମଣିଷକୁ ସମଗ୍ର ଭିଜେଇ ଦିଏ ଏକ ମିଠା ମିଠା ଅନୁଭୂତିର ବର୍ଷା ବୁନ୍ଦାରେ।
ଏମିତି କିଛି ମିଠା ମିଠା ଅନୁଭୂତିରେ ଭିଜିଯାଇଥିଲା ମାନିନୀ ସେଦିନ ମଲ୍ ରେ ସେ ଗୋଲାପୀ ଡ୍ରେସ୍ ଟିକୁ ଦେଖି।ଏମିତି ଏକ ଗୋଲାପୀ ଡ୍ରେସରୁ ହିଁ ତ ଆରମ୍ଭ ତା'ର ପ୍ରେମ କାହାଣୀ।
ସେଦିନ ଝଡିବର୍ଷା ଲାଗି ରହିଥାଏ।ମାନିନୀ ତରତର ହୋଇ କଲେଜ ଯିବାକୁ ବାହାରି ଥାଏ।କାରଣ ପ୍ରାକ୍ଟିକାଲ କ୍ଲାସଥାଏ।ଅନ୍ୟଦିନ ହେଇଥିଲେ ନ ଯାଇଥିଲେ ବି ଚଳିଥାଆନ୍ତା,କିନ୍ତୁ ଆଜି ତ ମିସ୍ କରିହେବନି।ତେଣୁ ସେ ଏକ ନିଃଶ୍ବାସରେ ଚାଲିଥାଏ ବସଷ୍ଟାଣ୍ଡ ଆଡକୁ।ରାସ୍ତା ସାରା ଠାଏ ଠାଏ ପାଣି ଜମି ରହିଥାଏ।ତେଣୁ ମାନିନୀ ଯଥାସମ୍ଭବ ଡ୍ରେସଟିକୁ ଜାକିଜୁକି ଧରି ବଡ ବଡ ପାହୁଣ୍ଡ ପକେଇ ଆଗେଇ ଚାଲିଥାଏ।
ଠିକ୍ ଏହି ସମୟରେ ପଛପଟୁ ଗୋଟେ ବାଇକ ଟେ ମାନିନୀକୁ ଭୁସ୍ କରି କ୍ରସ କରି ଚାଲିଗଲା।ଆଉ ତା ଅବଦାନ ସ୍ବରୁପ କିଛି କାଦୁଅ ଛିଟା ମାନିନୀର ଡ୍ରେସ୍ ଉପରେ ପଡିଗଲା।
ଅବଶ୍ଯ ସେ ପୁଅଟି କିଛି ଆଗକୁ ଯାଇ ବାଇକ୍ ଟି ଅଟକାଇ ମାନିନୀକୁ ହେଲମେଟର କାଚ ଟେକି ଚାହିଁଲା ।କିନ୍ତୁ sorry କହିବାକୁ ସାହାସ କଲାନି।କାଳେ ଗାଳିଖାଇବା ଡରରେ ବୋଧେ।
ମାନିନୀ କ'ଣ କରିବ ଭାବିପାରିଲା ନାହିଁ।ସେ ବି ସେ ପୁଅଟିକୁ ଚିହ୍ନି ନ ଥିଲା ଆଉ ତା ପାଖେ ସମୟ ବି ନ ଥିଲା ।ପ୍ରଥମେ ଭାବିଲା ଘରକୁ ଯାଇ ଡ୍ରେସଟା ବଦଳେଇ ଆସିବ କିନ୍ତୁ ଗଲାନି।କାରଣ ଯଦି ଘରକୁ ଫେରିବ ତେବେ କ୍ଲାସ୍ ପାଇଁ ଡେରିହେଇଯିବ।ତେଣୁ ବିଚାରି ଡ୍ରେସଟିକୁ ରୁମାଲରେ ଟିକିଏ ପୋଛାପୋଛି କରିଦେଇ କାନ୍ଦ କାନ୍ଦ ମୁହଁରେ ବସରେ ଚଢିଲା।
ଗୋଲାପୀ ଡ୍ରେସ୍ ରେ କାଦୁଅ ଛିଟାଗୁଡା ପୁରା ସ୍ପଷ୍ଟ ଦେଖାଯାଉଥିଲା।ସେ ବିଚାରି ତାକୁ ରୁମାଲରେ ଯେତିକି ସମ୍ଭବ ପୋଛାପୋଛି କରି କଲେଜରେ ପହଞ୍ଚିଲା।ଯେନତେନ କ୍ଲାସ ସାରି ସଂଧ୍ଯାରେ ଘରକୁ ଫେରିଲା।
ହେଲେ ଘରେ ପହଞ୍ଚିଲା ବେଳେକୁ ତା ପାଇଁ ଏକ ବିରାଟ ସରପ୍ରାଇଜ ଟେ ଥିଲା ବୋଲି ତାକୁ ଜଣା ନ ଥିଲା।
ମାନିନୀ ଘରେ ପହଞ୍ଚିଲା ବେଳକୁ ଘର ବାଟ ମୁଁହରେ କେତେ ଗୁଡିଏ ନୂଆ ଜୋତା ଚପଲ ଦେଖି ଟିକିଏ ହଡବଡେଇ ଗଲା।ହେଲେ ସେ କିଛି ପଚାରିବା ବା ଭାବିବା ପୂର୍ବରୁ ତା ମା ଆସି ତାକୁ କହିଲେ ଯେ- "ମାନିନୀ ତତେ ଦେଖିବାକୁ ପୁଅ ଘର ଆସିଛନ୍ତି।"
ସେମାନେ ବାଟଘରେ ବସିଥାଆନ୍ତି।ତେଣୁ ମାନିନୀ ବାଧ୍ଯହୋଇ ସେମାନଙ୍କ ସାମନ୍ନାରେ ସେ କାଦୁଅ ଛିଟା ଡ୍ରେସ୍ ଟି ପିନ୍ଧି ଆସିଲା।ଆସିଲାବେଳେ ତା ମା ତାକୁ ସେ ପୁଅଘର ଲୋକଙ୍କୁ ପରିଚୟ କରାଇଦେଲେ।ସେ ସେମାନଙ୍କୁ ନମସ୍କାର ଗୋଟିଏ ଲେଖାଏଁ କରି ଭିତରକୁ ଚ
ାଲିଗଲା।
କିଛି ସମୟ ପରେ ଭଲ ଶାଢୀଟିଏ ପିନ୍ଧି ଆସିଲା।ଚା ଜଳଖିଆର ଔପଚାରିକତା ପରେ ସମସ୍ତେ ମାନିନୀ ଓ ସେ ପୁଅଟିକୁ ଗୋଟିଏ ରୁମରେ ଏକେଲା ଛାଡି ଚାଲିଗଲେ।
କିଛି ସମୟ ପୁଅଟି ଚୁପ ରହିଲା ପରେ କହିଲା ଯେ-
-ଗୋଟେ କଥା କହିବି ଖରାପ ଭାବିବନି ତ?
-କୁହନ୍ତୁ
-ତୁମ ଉପରେ ଗୋଲାପୀ ଡ୍ରେସଟା ଭାରି ମାନୁଥିଲା।
-ଧନ୍ଯବାଦ(ମାନିନୀ ଲାଜେଇକି ଉତ୍ତର ଦେଲା)
-ତୁମର କିଛି କହିବାର ଅଛି କି?
-ନା(ମୁଣ୍ଡ ହଲାଇ କହିଲା ମାନିନୀ)
ତା ପରେ ଘର ଲୋକ ସବୁ ଆସିଗଲେ।
ପରେ ପୁଅଘରୁ ସମ୍ମତି ଆସିଲା।ମାନିନୀ ତଥା ତା'ର ପରିବାରର ମଧ୍ଯଏହି ପ୍ରସ୍ତାବରେ ବହୁତ ଖୁସି ଥିଲେ।କାରଣ-ସେ ପୁଅଟି ମାନିନୀ ବାପାଙ୍କ ଅଫିସ୍ ସାଙ୍ଗ(ଯିଏ କି ମାନିନୀ ଘର ପାଖାପାଖି ରହନ୍ତି)ଙ୍କର ସମ୍ପର୍କୀୟ ଥିଲା।ତେଣୁ ବିନା କୌଣସି ଆପତ୍ତି ବଂର ସର୍ବ ସହମତିରେ ବେଶ ହସଖୁସିରେ ବିବାହ କାର୍ଯ୍ଯ ହେଲା।
ଚଉଠି ରାତିରେ---
ରୁମ୍ ଭିତରକୁ ପଶୁ ପଶୁ ସେ ମାନିନୀ ହାତକୁ ଗିଫ୍ଟ ଟେ ବଢେଇ ଦେଲେ ।
ମାନିନୀ ଗିଫ୍ଟଟି ଖୋଲି ଦେଖିଲା ବେଳକୁ ଅବିକଳ ସେମିତିଆ ଗୋଲାପୀ ଡ୍ରେସଟେ ତା ଭିତରେ ଥିଲା।ଯେମିତି ଗୋଲାପୀ ଡ୍ରେସଟା ତାର କାଦୁଅ ପଡି ଖରାପ ହେଇ ଯାଇଥିଲା।ମାନିନୀ ବହୁତ ଖୁସି ହୋଇଗଲା।
ତା ପରେ ସେ କହିଲେ -
-ମାନିନୀ ଆଇ ଆମ ସରି ।
-କିନ୍ତୁ କାହିଁକି?
-ସେଦିନ ତୁମ ଡ୍ରେସରେ କାଦୁଅ ମୋ ଭୂଲ ଯୋଗୁଁ ପଡିଯାଇଥିଲା।
ମାନିନୀ କିଛି ସମୟ ଆଶ୍ଚର୍ଯ୍ଯରେ ତାଙ୍କୁ ଚାହିଁଲା।ତା ପରେ ଜୋର୍ ଜୋର୍ ରେ ହସିଲା।..........
-ହେଲେ ତୁମେ କେମିତି...?
-ଆରେ...ସେ ଦିନ ମୁଁ ମୋ ମାଉସୀଙ୍କ ଘରକୁ ବୁଲିବାକୁ ଯାଇଥିଲି।ସେଇଠି ମାଉସୀ ମୋତେ ତୁମ କଥା କହିଲେ ଓ ସଂଧ୍ଯାରେ ଦେଖିଯିବା ବୋଲି କହିଲେ।ତେଣୁ ମୁଁ ଦାଢି ଖିଅର ହେବାକୁ ତରତର ହେଇକି ରେନିକୋଟ୍ ଓ ହେଲମେଟ ପିନ୍ଧି ବଜାରର ସେଲୁନ କୁ ଯାଉଥିଲି।ଆଉ ବାଟରେ......ଆଉ ସଂଧ୍ଯାରେ ପହଞ୍ଚିଲା ବେଳକୁ ସେ ଝିଅଟି ତୁମେ,
-ଓଃ ।ଏବେ ବୁଝିଲି
ଦୁହେଁ ହସି ହସି ଗଡିଗଲେ.....
------
ମାନିନୀର ସ୍ବାମୀ ମାନିନୀ ପାଖକୁ ଆସି କହିଲେ ଯେ-
-ମାନିନୀ ଏ ଡ୍ରେସ୍ ଟା ନେବ କି? ସେତେବେଳୁ ହାତରେ ଧରି ଠିଆ ହେଇ ମନେ ମନେ ହସୁଛ ଯେ?
-ନାଇଁ କିଛି ନାଇଁ।ହଁ ନେବି ଭାବୁଥିଲି ଯେ.....ତୁମେ ତ ଏଥର କାଦୁଅ ଛିଟକେଇ ନ।ତେବେ କେମିତି କିଣି ଦେବ ଯେ?ଏତିକି କହି ମାନିନୀ ହସିଦେଲା।
ଦୁହେଁ ନୂଆ ଡ୍ରେସ ଟିକୁ କିଣି ଘରକୁ ଫେରିଲେ।ସେଦିନ ସଂଧ୍ଯାଟା ବି କେମିତି ଗୋଲାପୀ ଗୋଲାପୀ ଲାଗୁଥିଲା ମାନିନୀକୁ।
ସତରେ ପ୍ରେମ ଠୁ ପ୍ରେମର ସ୍ମୃତି ଗୋଲାପୀ ଲାଗେ।।