STORYMIRROR

Nibedita Mishra

Romance Inspirational

4  

Nibedita Mishra

Romance Inspirational

ନିଜ ପାଇଁ କିଛି ସମୟ

ନିଜ ପାଇଁ କିଛି ସମୟ

3 mins
372


ଏଇ ସଂସାର କର୍ମମୟ। ଏହିସଂସାରକୁ ଯିଏ ବି ଆସେ। ତାକୁ କର୍ମ କରିବାକୁ ପଡେ। ବେଳେ ବେଳେ ସେହି ସବୁ କର୍ମ ଲାଗି କେହି କେହି ନିଜର ପୁରାଜୀବନକୁ ସମର୍ପିତ କରି ଦିଅନ୍ତି। କର୍ମ କରି କରି ଆଗେଇ ଚାଲନ୍ତି ଜୀବନପଥରେ। ବାକି ପଛରେ ରହିଯାଏ ଯାହା ତାହା ହେଉଛି କିଛି ଅଧୁରା ସ୍ବପ୍ନ। ଯାହା କର୍ତ୍ତବ୍ଯ ଓ ଦାୟିତ୍ବର ଝାଞ୍ଜି ଖରା ବାଜି ବାଜି ଝାଉଁଳି ପଡେ।ସୁଯୋଗ ପାଇଲେ ସେମାନେ ବାରମ୍ବାର ପୁଣି ଅଙ୍କୁରିତ ହେବାର ଚେଷ୍ଟା କରନ୍ତି । କେବେ ଯଦି ଅନୁକୁଳ ପରିବେଶ ମିଳିଯାଏ,ତେବେ ସେଗୁଡିକ ଏକ ବିଶାଳକାୟ ଦ୍ରୁମରେ ପରିଣତ ହେଇଯାଆନ୍ତି। 

ମାନିନୀ ପଟ୍ଟନାୟକ। ନାରୀ ଜୀବନର ପ୍ରତ୍ଯେକଟି ଚରିତ୍ରରେ ନିଖୁଣ ଅଭିନୟ କରି କରି ଆଜି ବୟସର ଅପରାହ୍ନରେ। ବୟସବେଶୀ ନୁହେଁ ମାତ୍ର ୫୫ ବର୍ଷ ମାତ୍ର ସଂସାରର ଜଞ୍ଜାଳ ଓ ଦାୟିତ୍ବ ବୋହି ବୋହି ସେ ମାନସିକ ଓ ଶାରୀରିକ ଭାବେ ଏକରକମର ଥକି ଯାଇଛି। ଭୁଲି ଯାଇଛନ୍ତି ନିଜର ଅସ୍ଥିତ୍ବ ଓ ପ୍ରତିଭାକୁ। ପିଲାଟି ଦିନରୁ ମା ଚାଲିଗଲା। ବାପା ଅମୀୟ ପଟ୍ଟନାୟକ ଏକ ବ୍ଯବସାୟୀ(ମିଠା ଦୋକାନୀ)। ତାଙ୍କ ପାଖେ ପିଲା ଦୁଇଟା ଲାଗି ସମୟ ନ ଥିଲା। ତେଣୁ ମାନିନୀ ପିଲାଟି ଦିନରୁ(୭ବର୍ଷ ବୟସରୁ) ନିଜର ଓ ନିଜ ଛୋଟ ଭଉଣୀର ଯତ୍ନ ନେଇଆସିଛି। ନଳିନୀ ପଟ୍ଟନାୟକ(ମାନିନୀଙ୍କ ସାନ ଭଉଣୀ) ମାନିନୀଙ୍କ ଅନାବିଳ ସ୍ନେହ ଓ ଯତ୍ନ ଲାଗି କେବେ ବି ନିଜ ମା'ର ଅନୁପସ୍ଥିତିକୁ ଅନୁଭବ କରି ପାରିନି। ମାନିନୀ ପିଲାଟି ଦିନରୁ ଲେଖାଲେଖି କରିବାକୁ ଭାରୀ ଭଲପାଏ। ସମୟ ପାଇଲେ କାଗଜ କଲମ ଧରି ବସିପଡେ। ମନରେ ଆସୁଥିବା ବିଭିନ୍ନ ଭାବନାକୁ ଶବ୍ଦର ରୂପ ଦେଇ କାଗଜରେ ଉତାରି ଦିଏ। ପାଠପଢି ଔପନାସିକାଟିଏ ହେବାକୁ ତାର ଭାରି ଇଚ୍ଛା।ଏଇ ଯେମିତି ପ୍ରତିଭା ରାୟଙ୍କ ପରି।ମାନିନୀକୁ ଯେତେବେଳେ ୧୭ ବର୍ଷ ହଠାତ୍ ତା ବାପା ହାର୍ଟ ଆଟାକରେ ଚାଲିଗଲେ। ଅନିଚ୍ଛାସତ୍ତ୍ବେ ମାନିନୀ ପଢା ବନ୍ଦ କରି ଦୋକାନରେ ବସିଲା। ବନ୍ଧୁବାନ୍ଧବ ଅନେକ ଟାହିଟାପରା କଲେ। ମାନିନୀ କିନ୍ତୁ ସେ ସବୁକୁ ଖାତିର ନ କରି ଏ ଯୁଦ୍ଧକୁ ଲଢିଚାଲିଲା ଏକା ଏକା। ନଳିନୀକୁ ପାଠ ପଢେଇ ନିଜ ଗୋଡରେ ଠିଆ କଲା। ତା ବିବାହ କରିବାକୁ ବୟସ ହେବାରୁ ସେ ଭଲ ପାତ୍ରଟିଏ ଖୋଜି ତାକୁ ବାହା ଦେବାକୁ ଚାହିଁଲା। ହେଲେ ନଳିନୀ ର ଏକାଜିଦ ମୁଁ ବାହା ହେଇ ପଳେଇଲେ ତୁ କେମିତି ରହିବୁ? ତେଣୁ ଯଦି ବାହା ହେବା ତେବେ ଦୁହେଁ ଏକାଦିନେ ବିବାହ କରିବା। 

ଏହାପରେ ମାନିନୀର ସମ୍ପର୍କୀୟ ମାନେ ଖୋଜାଖୋଜି କରି ମାନିନୀ ଓ ନଳିନୀର ବିବାହ ଲାଗି ବରପାତ୍ର ଠିକ କଲେ ନଳିନୀ ଏମ୍ ଏ ବିଇଡି ପାଠ ପଢିଥିବାରୁ ତାକୁ ଗୋଟେ ଭଲ ଶିକ୍ଷକ ପାତ୍ରଟିଏ ଜୁଟିଲା। କିନ୍ତୁ ମାନିନୀ ଲାଗି ସାଧାରଣ ଦୋକାନୀଟିଏ(ରାଜେଶ ମହାନ୍ତି) ଜୁଟିଲା। ଯିଏକି ବିବାହ ପରେ ମାନିନୀ ଘରେ ରହିଲା ଓ ନିଜର ଦୋକାନ ସାନ ଭାଇକୁ ଦେଇ ମାନିନୀର ଦୋକାନ ସମ୍ଭାଳିଲା। କିଛିଦିନ ପରେ ମାନିନୀ ଦିଅରର ଗୋଟେ ଏକ୍ସିଡେଣ୍ଟରେ ଜୀବନ ଚାଲିଗଲା। ତେଣୁ ମାନୀନୀର ଶାଶୁଶ୍ବଶୁର ବି ଆସି ତାଙ୍କ ସାଙ୍ଗେ ରହିଲେ। ଏହା ଭିତରେ ମାନିନୀ ୩ଟି ଛୁଆର ଜନନୀ ହେଇ ସାରିଥିଲା। ଦୀର୍ଘ ୨୮ ବର୍ଷ ବିତିଗଲାଣି। ଜୀବନର ଅନେକ ଉତ୍ଥାନ ପତନ ଦେଇ ଗତିକରିଛି। ଶାଶୁଶ୍ବଶୁରଙ୍କ ସେବା,ସ୍ବାମୀଙ୍କ ଆନୁଗତ୍ଯ,ଛୁଆ ମାନଙ୍କ ଲାଳନପାଳନ କରୁ କରୁ ମାନିନୀର ହାତରୁ ତାର ସେହି ଅତିପ୍ରିୟ କଲମଟି ଜୀବନ ରାସ୍ତାରେ କୋଉଠି ଗୋଟେ ହଜିଯାଇଥାଏ। ମାନିନୀର ସ୍ବାମୀ ବି ସେତେ ବେଶୀ ପଢାପଢି କରି ନଥିଲେ। ତଥାପି ସେ ଲକ୍ଷ କରିଛନ୍ତି ମାନିନୀ ବେଳେବେଳେ ନିରୋଳା ବେଳାରେ ଆଲମିରା ଖୋଲି ଗୁଡାଏ କାଗଜ ପତ୍ର ବାହାର କରି ପଢେ । ସେଗୁଡିକୁ ପଢିବା ବେଳେ ତା ଆଖିରୁ ଅଜାଣତରେ ଲୁହ କେଇବୁନ୍ଦା ଝରିପଡେ। 

ତାକୁ ପଚାରିଲେ ସେ କିଛି ନା କିଛି ବାହାନା କରି ସେ ସବୁକୁ ଆଡେଇ ଯାଏ। ସେ ଯାହା ହଉ ରାଜେଶ ବି ବେଶି ବାଧ୍ଯ କରି ପଚାରେନି। 

ଆଜି ମାନିନୀର ସବୁ ଛୁଆମାନେ ନିଜ ନିଜ ସଂସାରରେ ବ୍ଯସ୍ତ। ସେଦିନ ଥାଏ ମାର୍ଚ୍ଚ ୮ ତାରିଖ ବିଶ୍ବ ମହିଳା ଦିବସ।ମାନିନୀର ସ୍ବାମୀ ଦୋକାନରେ ବସିଥାଆନ୍ତି ।ସେଇ ପାଖ ସ୍କୁଲରେ ମହିଳା ଦିବସ ପାଳନ ହେଉଥାଏ।ମିଟିଂର ଭାଷଣ ସବୁ ମାଇକରେ ବାହାରକୁ ଶୁଭୁଥାଏ,ରାଜେଶ ସେ ସବୁକୁ ମନ ଦେଇ ଶୁଣୁଥାଏ। 

           ସେଦିନ ସଂଧ୍ଯାବେଳେ ଘରକୁ ଫେରିବା ବେଳେ ରାଜେଶ ହାତରେ ଥିଲା ଇଗନୁର ଡିଷ୍ଟାନ୍ସ କୋର୍ସର ଫର୍ମ। ସେ ସେଇଟିକୁ ମାନିନୀ ହାତରେ ଧରେଇ ଦେଇ କହିଲା ମାନିନୀ ସବୁ ଜଞ୍ଜାଳ ତ ସରିଲା। ଏବେ ନିଜ ପାଇଁ ସମୟ ଦିଅ। ତୁମର ଅଧୁରା ସ୍ବପ୍ନ କୁ ପୁରଣ କର। ମୋତେ ବି ମାନିନୀର ବର ନୁହେଁ ଔପନ୍ଯାସିକା ମାନିନୀ ପଟ୍ଟନାୟକଙ୍କ ସ୍ବାମୀ ବୋଲି ପରିଚିତ ହେବାକୁ ଇଚ୍ଛା ଅଛି। 

ମାନିନୀ ଫର୍ମ ଦେଖି ଖୁସିରେ ରାଜେଶଙ୍କୁ କୁଣ୍ଢେଇ ପକେଇଲା। 


Rate this content
Log in

Similar oriya story from Romance