Nibedita Mishra

Inspirational

4.3  

Nibedita Mishra

Inspirational

ଦୋଛକିରେ

ଦୋଛକିରେ

3 mins
151


ବେଳେବେଳେ ଜୀବନରେ ଏମିତି କିଛି ଦୋଛକି ଆସେ।ଯେତେବେଳେ କି ମନ ଅତ୍ଯନ୍ତ ଅସ୍ଥିର ଓ ଅଧିର ହୋଇ ବସେ।ଆଉ ଅନିଚ୍ଛା ସତ୍ତ୍ବେ ସେଥିରୁ ଗୋଟିଏକୁ ବାଛେ।ହେଲେ ସେ ଅନ୍ଯ ରାସ୍ତାଟିରେ ହଜାଇଥିବା କିଛି ସ୍ମୃତି ଓ ଅବଶୋଷର ବହ୍ନିଟିଏ ଦୁକୁଦୁକୁ ହେଇ ସବୁବେଳେ ମନଓ ହୃଦୟର କୋଣରେ ନିରବରେ ଜଳୁଥାଏ।ସେଥିରୁ ବାହାରୁଥିବା କୁହୁଳା ଧୂଆଁ ଖାଲି ଅନ୍ତରକୁ ଜାଳେ ସିନା ହେଲେ ଲାଭ କିଛି ହୁଏ ନାହିଁ।ଦୋଛକି ରେ ନିଷ୍ପତ୍ତି ଯାହା ବି ନିଆଯାଉ ନା କାହିଁକି କିନ୍ତୁ କିଛି ଗୋଟେ ଭୂଲ ରହିଗଲା ପରି ମନେ ହୁଏ।ସେଇ ଦୁର୍ବଳ ମୁହୁର୍ତ୍ତଟି ଚାଲିଗଲା ପରେ ସବୁକିଛି ସ୍ପଷ୍ଟ ହୋଇଯାଏ।ଇଚ୍ଛା ହୁଏ ପୁଣି ଥରେ ଏକ ପୁନରାବୃତ୍ତି ଲାଗି ,ମାତ୍ର ତାହା ଅସମ୍ଭବ।

ଏଇ ଯେମିତି ମାନିନୀ ପ୍ରଧାନର ଘଟିଥିଲା।

ମାନିନୀ ପ୍ରଧାନ।ସାଧୁ ପ୍ରଧାନ ଯିଏକି ଜଣେ ଭାଗଚାଷୀ।ସ୍ତ୍ରୀ ସୁନନ୍ଦା ସାଧୁ କୋଳରେ ଦୁଇଟି ଛୁଆର ଦାୟିତ୍ବ ଦେଇ ଅନେକ ବର୍ଷ ଆଗରୁ ଆରପାରିରେ।ମାନିନୀ ଓ ରାଜୁ ଦୁହେଁ ସାଧୁ ଆଖିର ତାରା।ସାଧୁ ନିଜେ ପାଠ ପଢିନି କିନ୍ତୁ ଛୁଆ ଦୁହିଁଙ୍କୁ ପାଠ ପଢେଇ ବଡ ମଣିଷ କରିବାକୁ ତାର ଭାରୀ ଇଚ୍ଛା।ତେଣୁ ତାର ସେହି ଇଚ୍ଛା ଓ କଠୋର ପରିଶ୍ରମ ଲାଗି ମାନିନୀ ଆଜି ଦ୍ବାଦଶ ଶ୍ରେଣୀରେ ଓ ରାଜୁ ଦଶମରେ ପଢୁଛି।

ମାନିନୀ ପାଠସାଠ ସବୁଥିରେ ଆଗୁଆ।ସାରା ଗାଁଟାରେ ତାର ଭାରୀ ଆଦର।ସଭିଏଁ ତାକୁ ଭଲ ପାଆନ୍ତି।ହେଲେ ରାଜୁ ସେତେ ଭଲ ପଢେନାହିଁ କିନ୍ତୁ ମାନିନୀ ଅପେକ୍ଷା ରାଜୁ ପାଠପଢି ଆଗକୁ ବଢୁ ବୋଲି ସାଧୁର ଭାରୀ ଇଚ୍ଛା।ପୁରୁଣାକାଳିଆ ଲୋକ ସେ।ତା ଉପରେ ପୁଣି ଅପାଠୁଆ।ତେଣୁ ପୁଅଝିଅ ଭିତରେ ଫରକ କରିବା ସ୍ବାଭାବିକ।

ତା ଅର୍ଥ ନୂହେଁ ଯେ ସେ ମାନିନୀକୁ ଭଲ ପାଏ ନାହିଁ।

କିଛି ବର୍ଷ ସବୁକିଛି ଠିକଠାକ ଚାଲିଥାଏ।ହେଲେ ଜୀବନ ତ ରହସ୍ଯର ଚକାଭଉଁରୀ।କେତେବେଳେ ଯେ କିଭଳି ପରୀକ୍ଷା ନେବ ସେ କଥା କିଏ ବା କହିବ?ସେମିତି କିଛି ଘଟିଲା ସାଧୁ ଜୀବନରେ।ଗୋଟେ ବର୍ଷ ମରୁଡି ପଡିଲା।ସାଧୁ ଚାଷ ଲାଗି ମହାଜନ ଙ୍କଠୁ ଗୁଡାଏ କରଜ କରିଥାଏ।ତେଣୁ ଚାଷ ଉଜୁଡି ଯିବାରୁ ସେ ଚିନ୍ତାରେ ପଡିଥାଏ।ସେ ବର୍ଷ ମାନିନୀର ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ରାଜୁର ଯୁକ୍ତ ଦୁଇ ଶେଷ ବର୍ଷ।ଦୁହେଁ ପରୀକ୍ଷା ଦେବାକୁ ପଇସା ଦରକାର।ପୁଣି ବର୍ଷ ଯାକ ବଞ୍ଚିବାର ବି ଅଛି।ତେଣୁ କିଛି ପଇସା ଉଧାରୀ ମାଗିବା ଲାଗି ସାଧୁ ମହାଜନ ପାଖକୁ ଗଲା।ସେ ଯଦିଓ ମନା କଲେ ନାହିଁ ତଥାପି ସାଧୁ ଆଗରେ ଏକ ଅଜବ ସର୍ତ୍ତ ରଖିଲେ।ସେ କହିଲେ ଯେ

-ସାଧୁ ତୁମେ ଯଦି ତୁମ ଝିଅ ମାନିନୀର ବାହାଘର ମୋ ପୁଅ ବିନୋଦ(ଯିଏକି ମାନସିକ ଅନଗ୍ରସର)ସହ କରିବାକୁ ରାଜି ହେବ ତେବେ ମୁଁ ତୁମ ର ସବୁ କରଜ ମାଫ କରିଦେବି ଓ ତୁମକୁ ସମସ୍ତ ପ୍ରକାରର ସାହାଯ୍ଯ କରିବି।ରାଜୁର ପଢାପଢି ର ସମସ୍ତ ଦାୟିତ୍ବ ନେବି।

ଏକଥା ଶୁଣି ସାଧୁର ମୁଣ୍ଡ ବୁଲେଇଲା।ସେ ଭାବିଲା ଏ କି ପ୍ରକାରର ଦୋଛକି ଟିଏ?ଗୋଟେ ପଟେ ଭବିଷ୍ଯତର ଜୀବନ ଅନ୍ଯ ପଟେ ଝିଅର ଜୀବନର ବଳି ?କଣ କରିବ?

ସେ କିଛିି ସମୟର ଭିକ୍ଷା ମାଗି ସେଠୁ ଚାଲିଆସିଲା।ଘରେ ଆସି ମାନିନୀ ଓ ରାଜୁ ଆଗରେ ସବୁ କହିଲା।ମାନିନୀ ପରିବାର ଲାଗି ବଳିଦାନ ଦେବାକୁ ରାଜି ହେଇଗଲା ଓ କହିଲା

-"ତୁମେ ଚିନ୍ତା କରନି ବାପା ମୋ ଭାଗ୍ଯରେ ଯଦି ଏହା ଅଛି,ତେବେ ସେଇଆ ହିଁ ହଉ।ତୁମେ ତାଙ୍କୁ ହଁ କରିଦିଅ।"

କାରଣ ମାନିନୀ ଭଲଭାବେ ଜାଣିଥିଲା ଯଦି ସେ ଏ ପ୍ରସ୍ତାବରେ ରାଜି ନ ହୁଏ ତେବେ ମହାଜନ ସୁଧ ଆକାରରେ ସାଧୁର ଶେଷ ରକ୍ତ ବୁନ୍ଦାକ ଶୋଷି ନେବ ।ତେଣୁ ସେ ବାଧ୍ଯ ହେଇ ନିଜେ ଦୋଛକିରୁ ଏଇ ରାସ୍ତାଟି ବାଛିନେଲା।

ସାଧୁ ପ୍ରଧାନ ବି ଅନିଚ୍ଛା ସତ୍ତ୍ବେ ଏ ପ୍ରସ୍ତାବରେ ରାଜିହେଲା ସିନା ହେଲେ ମାନିନୀର ଭବିଷ୍ଯତ ପୋଡିଜଳି ଯାଉଥିବା ଦେଖି ଦେଖି ସେ ଭିତରେ ଭିତରେ ଜଳି ଜଳି ମରିଗଲା।ମାନିନୀ ବି ପରେ ନିଜର ନିଷତ୍ତି ଲାଗି ଅନେକ ପସ୍ତେଇ ହେଲା।କିନ୍ତୁ ଯାହା ହେବାର ଥିଲା ତ ହେଇସାରିଥିଲା।ରାଜୁ ବି ବାପା ଚାଲିଯିବା ପରେ ଏକେଲା ହେଇଗଲା।ନାନୀ ପାଖେ ରହିବାକୁ ଭାବିଲା।ସେଥିରେ ବି ମହାଜନ ସର୍ତ୍ତ ରଖିଲା ଯେ ତାକୁ ପାଠ ଛାଡିବାକୁ ପଡିବ।

ଏଥର ମାନିନୀ ପୁଣି ଆଉ ଏକ ଦୋଛକିରେ ପଡିଗଲା।ଗଲାଥର ସିନା ନିଜର ବଳି ଦେଇଦେଲା ହସି ହସି।ହେଲେ ଏ ଥର ନିଜ ସାନ ଭାଇର ବଳି ଦେବାକୁ ତା ପ୍ରାଣ କାନ୍ଦି ଉଠିଲା।

ଦିନେ ରାତିରେ ମାନିନୀ ରାଜୁକୁ ପାଖକୁ ଡାକିଲା।ତା ହାତରେ ପୁଡିଆଟିଏ ଧରେଇ ଦେଇ କହିଲା

-"ଏଥିରେ କିଛି ଖାଇବା ଜିନିଷ ଓ ମୋର କିଛି ଗହଣା ଓଟଙ୍କା ଅଛି।ମୁଁ ସିନା ବାପାଙ୍କ ଲାଗି ମୋ ଜୀବନକୁ ବାଜି ଲଗେଇ ଦେଲି।ତୁ କିନ୍ତୁ ସେମିତି କିଛି କରନି।ତୁ ବଡ ହେଇ ଗଲୁଣି।ନିଜ ଯତ୍ନ ନିଜେ ନେଇ ପାରିବୁ ।ତେଣୁ ଏତକ ନେଇ ଗାଁ ଛାଡି ସବୁଦିନ ଲାଗି ଚାଲି ଯା ଦୁର ସହରକୁ।ତୋ ଜୀବନ ଭଲ ଭାବେ ଗଢା ହଁ ଆଉ ଗୋଟେ କଥା ତୋତେ ମୋ ରାଣ ତୋର କେହି ନାନୀ ଅଛି ବୋଲି ବି ଆଜିଠୁ ଭୂଲିଯିବୁ।"

ନାନୀ ମୁହଁରୁ ଏତକ ଶୁଣି ରାଜୁ ହତବାକ୍ ହେଇଯାଇଥିଲା।ଭୋର ହେଇ ଆସୁଥିଲା।ତେଣୁ ମାନିନୀ ରାଜୁକୁ ଟାଣି ଟାଣି ନେଇ ଗେଟ ବାହାରେ ଛାଡିଦେଇ ଆସିଲା।

ପରଦିନ ସକାଳୁ ଗାଁ ସାରା ଚହଳ ପଡିଗଲା ଯେ ରାଜୁ ମହାଜନ ଘରୁ ଟଙ୍କା ଓ ସୁନା ଚୋରି କରି ପଳେଇଛି।ସାରା ଗାଁ ଟା ରାଜୁକୁ ଛି ଛି କରୁଥାଆନ୍ତି। କିନ୍ତୁ ମାନିନୀ ନିଜ ଭିତରେ ଏକ ଅପୂର୍ବ ଶାନ୍ତି ଅନୁଭବ କରୁଥାଏ।ଅନ୍ତତଃ ଶେଷଥର ଦୋଛକିରେ ନେଇଥିବା ଭୂଲ ନିଷ୍ପତ୍ତିର ଅବଶୋଷର ନିଆଁରେ ଏଥର ଦୋଛକିରେ ନେଇଥିବା ସଠିକ ନିର୍ଣୟ ପାଣି ଢାଳି ଶାନ୍ତ କରୁଥିବା ପରି ଲାଗୁଥିଲା ତାକୁ ।


Rate this content
Log in

Similar oriya story from Inspirational