ଛାଇ ଆଲୁଅର ଖେଳ
ଛାଇ ଆଲୁଅର ଖେଳ
ଦିନ ପରେ ରାତି ଓ ରାତି ପରେ ପୁଣି ଦିନ। ଏ ତ ସଂସାରର ନିୟମ। ରାତିନ ଥିଲେ ଦିନର ଅପେକ୍ଷା କେହି ବି କରନ୍ତେନି। ଆଉ ଦିନ ନ ଥିଲେ ରାତିକୁ କିଏ ବି କାହିଁକି ମହତ୍ବ ଦିଅନ୍ତା?ସେଥିଲାଗି ବୋଧେ ଭଗବାନଙ୍କର ଏମିତି ରଚନାରାତିଦିନ,ଛାଇଆଲୁଅ ପରି ଜୀବନରେ ଆଗପଛ ହେଇ ଆସନ୍ତି। ପ୍ରତ୍ଯେକ ଜୀବନକୁ କିଛି ନା କିଛି ଶିକ୍ଷା ଦେଇକି ଯାଆନ୍ତି। ସେ ସବୁ କୁ ସଠିକ ଭାବେ ଗ୍ରହଣ କରିପାରିଲେ ଜୀବନ ଆହୁରି ସରସ ଓ ସୁନ୍ଦର ହୋଇଯାଏ।
ଏଇ ଦି ଦିନ ହେଲା ମାନିନୀ ମିଶ୍ରଙ୍କ ଘରର ପରିବେଶ କିଛି ଠିକ ନାହିଁ କାରଣ ତାଙ୍କ ଝିଅ ରାନୁ(ଯିଏକି ଗତ ବର୍ଷ ବିବାହ କରିଥିଲା)ଶାଶୁ ଘରୁ ଝଗଡା କରି ଚାଲିଆସିଛି। ତେଣୁ ଘରେ ମାନିନୀ ଓ ମାନିନୀଙ୍କ ଶାଶୁ(ଶକୁନ୍ତଳା ଦେବୀ)ଭାରୀ ଚିନ୍ତିତ ଅଛନ୍ତି। ରାନୁକୁ ଯେତେ ପଚାରିଲେ ବି ସେ ଝଗଡାର କାରଣ କହୁନି। ଖାଲିକହୁଛି-"ମୁଁ ସେ ଘରକୁ ଯିବିନି।ଏଇଠି ରହିବି।"ଏପଟେ ପୁଣି ସମସ୍ତଙ୍କ ଫୋନରୁ ଶାଶୁଘର ଲୋକଙ୍କ ନମ୍ବର ବି ଡିଲିଟ ମାରି ଦେଇଛି। ଆଗରୁ ସିନା ଲ୍ଯାଣ୍ଡ ଲାଇନ ଥିଲା ଯେ ନମ୍ବର ସବୁ ମନେ ରଖୁଥିଲେ। ହେଲେଏବେ ତ ମୋବାଇଲ୍,ତା ପୁଣି ୧୦/୧୨ ଟିକିଆ ନମ୍ବର କିଏ ବା ମନେ ରଖୁଛି। ତେଣୁ ମାନିନୀ ଠିକ କଲା ଏ ରାନୁକୁ ବେଶୀ ପଚରା ଉଚୁରା ନ କରି ବଂର ଶନିବାର ଦିନ ଅଧାଦିନ ଛୁଟି ନେଇ ତା ଶାଶୁ ଘର ଆଡୁ ଟିକେ ବୁଲି ଆସିବ।
ଆଜି ଶନିବାର। ରାନୁ ଆସିବା ୬ ଦିନ ହେଇଗଲାଣି। ସେଦିନ ମାନିନୀ ଖାଇ ପିଇ ସାରି ଅଫିସ ଗଲା ପରେ ଶକୁନ୍ତଳା ଦେବୀ ରାନୁ ପାଖକୁ ଆସିଲେ। ତାକୁ ବହଲେଇ ଫୁସୁଲେଇ ତା ଆସିବାର କାରଣ ପଚାରିଲେ
-ଆଚ୍ଛା ରାନୁ...ତୁ ମତେ ତୋ ଭଲ ସାଙ୍ଗ ବୋଲି କହୁ ନା। ତେବେ ମୋତେ ତ କହ କଣ ହେଇଛି?
ଟିକିଏ ସମୟ ଚୁପ ରହିବାପରେ କହିଲା
- ଜେଜି ତୁ ଜାଣିଛୁ ସେମାନେ ମୋତେ ତାଙ୍କ ଘରେ ବାସନ ମାଜିବାକୁ କହିଲେ ଚାକରାଣୀ ଆସିଲାନି ବୋଲି କଣ ମୁଁ ବାସନ ମାଜିବି?କାଇଁ ତାଙ୍କ ମା ମାଜିଲେନି?ମୁଁ ଅଫିସରୁ ଥକି କି ଆସିବି ପୁଣି ରାନ୍ଧିବି ,ବାସନ ମାଜିବି। ନା ନା ଏତେ କାମ ମୁଁ କରିପାରିବିନି। ସେଥିଲାଗି ମୁଁ ସେ ଘର ଛାଡିକି ପଳେଇ ଆସିଛି।
ଓହୋ କଥା ତା ହେଲେ ଏଇଆ ଆଚ୍ଛା ତୁ କେତେ ଦିନ ଏ ସବୁ କାମ କଲୁ ଟିକିଏ ଶୁଣେ?
ପୁରା ଦି ଦିନ!ମୁଁ କଣ ଚୀକରାଣୀ ହେବାକୁ ସେଇଠିକି ଯାଇଥିଲି କି?
ତା ହେଲେ ତୁ ତୋ ମା କୁ ଦେଖି ଆଉ କଣ ଶିଖିଲୁ ଯେ?
ମାନେ
ତୋ ମା ବି ତ ଘରର ସବୁ କାମ କରୁଛି। ତାସାଙ୍ଗରେ ପୁଣି ଅଫିସ ବି ଯାଉଛି। ତାହେଲେ?
ମୁଁ ସେସବୁ ଜାଣିନି ମୁଁ ଯିବିନି ମାନେ ଯିବିନି
-ଆଚ୍ଛା ଗୋଟେ ଗପ ଶୁଣ ଗୋଟେ ଝିଅ ଟିଏ ଥିଲା। ଧନୀ ପରିବାରରେ ଜନ୍ମ ହେଇଥିଲା। କୁଟାଖିଅ କୁ ବି ଦିଖଣ୍ଡ କରେନି। ତା ବାହାଘର ହେଲା ଗୋଟେ ପୁଅ ସାଙ୍ଗେ। ଅନ୍ଯଜାତିରେ ନିଜ ପସନ୍ଦରେ ବାହା ହେଇଥିଲା।ତେଣୁ ବାପଘର ଲୋକ ଓ ଶାଶୁ ଘର ଲୋକ କେହିବି ତାକୁ ପସନ୍ଦ କରୁ ନଥିଲେ।ବାହାଘରର ମାତ୍ର ୬ମାସ ପରେ ପୁଅଟି ଗୋଟେ ଦୁର୍ଘଟଣାରେ ଚାଲିଗଲା। ସେତେବେଳକୁ ଝିଅଟି ୨ମାସର ଗର୍ଭ ବତୀ। ସମସ୍ତେ ତାକୁ ଗର୍ଭପାତ କରି ଅନ୍ଯତ୍ର ବାହାହେବାକୁ କହିଲେ। ସେ କିନ୍ତୁ ମନା କଲା। ଶାଶୁଶ୍ବଶୁର ସାଙ୍ଗେ ରହିବି କହିଲା। ସେଗୋଟେ ଝିଅକୁ ଜନ୍ମ ଦେଇଥିଲା। ଝିଅଛୋଟ ଥିଲା ବେଳେ ଯାହା ଯେମିତି ଜମାପୁଞ୍ଜି ବାହାର କରି କରି ଚଳୁଥିଲେ। ତାପରେ ତା ଶ୍ବଶୁର କ୍ଯାନସର ରେ ପୀଡିତ ହେଇ ଚାଲିଗଲେ। ସେଥିରେ ସବୁ ପଇସା ସରିଗଲା। ଏଣେ ଭାଇମାନେ ବି ଦୁରେଇ ଗଲେ। ଗରୀବର କେହି ନାହାନ୍ତି ନା। ସେତେବେଳେ ସେ ବିଚାରୀ ହାରି ନ ଯାଇ ଅଣ୍ଟା ଜବର କରି ପୁଣି ପାଠପଢା ଆରମ୍ଭ କଲା। ପ୍ରଥମେ ଗୋଟେ ସ୍କୁଲରେ କାମ କଲା। ତାପରେ ବ୍ଯାଙ୍କ ପରୀକ୍ଷା ଦେଇ ବ୍ଯାଙ୍କରେ ଚାକିରି କଲା।
ରହ ରହ ରହ ତୁ ମୋତେ ମୋ ମାମାର କାହାଣୀ ଶୁଣଉନୁ ତ?
ହଁ,ସେ ତୋ ମାମା। ଆଚ୍ଛା କହିଲୁ ତୋ ମାମା ତୋତେ କଉଥିରେ ଉଣା କରିଛି?ତା ପାଖେ ତ ବହୁତ ମଉକା ଥିଲା ଏ ଘର ଛାଡି ଚାଲିଯିବାକୁ। ସେ କିନ୍ତୁ ନ ଯାଇ ପରିସ୍ଥିତି ସହ ଲଢିଲା। ଆଉ ଜିତିଲା ବି। ତୁ ତା ଝିଅ ହେଇ ଏତେ ଛୋଟ କଥାରେ ହାରିଗଲୁ?ଆଉ ରହିଲୀ ବାସନ ଓ ରୋଷେ ଇ କଥା। ତୋଶାଶୁ ତ ଆଜମା ରୋଗୀ। ଏବେ ପୁଣି ଶୀତ ଦିନ। ସେ ଯଦିପାଣି ହେବେ। ତେବେ ରୋଗରେ ପଡିବେ,ତେବେ ବି ତ ତୁହିଁ ହଇରାଣ ହେବୁ ନା?ତା ଛଡା ନିଜଘର କାମ ବେଳେ ଅଧେ କରିଦେଲେ କ୍ଷତି କ'ଣ ଯେ ?
ମୁଁ ବୁଝିଗଲି ଜେଜେ ମା। ଆଉ ଏମିତି ଭୂଲ ହବନି।
ହଁରେ ମା ସମସ୍ତଙ୍କ ଜୀବନରେ ଏମିତି ଛାଇ ଆଲୁଅ ଆସେ।
ଜେଜେ ମା ଆଉ ନାତୁଣୀର କଥା ସରିବା ବେଳକୁ ମାନିନୀ ଆସି ଯାଇଥାଏ। ସେଚାକପେ ପିଇସାରି ଶକୁନ୍ତଳା ଦେବୀଙ୍କୁ କହିଲା
ମା ମୁଁ ଟିକିଏ ରାନୁର ଶାଶୁ ଘରୁ ବୁଲିକି ଆସେ। କଥାକଣ ହେଇଛି ବୁଝିକୁ ଆସେ।
ଏତିକି କହି ସେ ଶାଢୀ ବଦଳେଇ ଆସିଲା ବେଳକୁ ରାନୁ ବି ନିଜର ଆଟାଚି ଧରି ଆସିଲା ଓ କହିଲା
ମୁଁ ବି ଯିବି ତୁମ ସାଙ୍ଗେ
ମାନିନୀ ଆଶ୍ଚର୍ଯ୍ଯ ହେଇ ଶାଶୁଙ୍କୁ ଚାହିଁଲା। ସେ ରାନୁ ଆଡକୁ ଚାହିଁ କହିଲେ
ଏଇ ଜୀବନ
ସେପଟୁ ରାନୁ କହିଲା
ଛାଇ ଆଲୁଅର ଖେଳ
ମାନିନୀ ଓ ରାନୁ ହସି ହସି ଚପଲ ପିନ୍ଧି ଯିବାକୁ ବାହାରିଲେ। ଶକୁନ୍ତଳା ଦେବୀ ଗେଟପାଖେ ଠିଆ ହୋଇ ସେମାନଙ୍କୁ ବିଦାୟ ଦେଉଥିଲେ।