Nibedita Mishra

Inspirational

3.8  

Nibedita Mishra

Inspirational

ସନ୍ଧ୍ୟାର ଆଗମନ

ସନ୍ଧ୍ୟାର ଆଗମନ

4 mins
193


ପୁରା ଦିନ ଭିତରେ ସନ୍ଧ୍ୟା ସମୟଟି ଏମିତି ଏକ ସମୟ ଯାହା ସଭିଙ୍କୁ ଭଲଲାଗେ । କାରଣ ଏହା ହେଉଛି ପ୍ରତ୍ୟାବର୍ତ୍ତନର ସମୟ । ଗାଈ ଗୋଠକୁ ଫେରିବାର ସମୟ । ପକ୍ଷୀ ନୀଡକୁ ବାହୁଡିବାର ସମୟ । ଏହା ହେଉଛି ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକିଏ ବିଶ୍ରାମ ନେବାର ସମୟ । ୟାକୁ ଅନ୍ୟ ଅର୍ଥରେ କହିଲେ ଏହା ହେଉଛି ଆସନ୍ତା କାଲି ଲାଗି ପୁଣି ନିଜକୁ ନୂଆ କରି ପ୍ରସ୍ତୁତି ଆରମ୍ଭ କରିବାର ସମୟ । କହିବାକୁ ଗଲେ ଏହା ହେଉଛି ଏକ ଘଡିସନ୍ଧିର ସମୟ । ଏଇ ଯେମିତି ମାନିନୀ ଲାଗି ଦିନ ଆରମ୍ଭ ହୁଏ ଏଇ ସନ୍ଧ୍ୟା ବେଳୁ ।  

ମାନିନୀ ଛୋଟରାୟ । ବୟସ ପାଖାପାଖି ତିରିଶ । ହେଲେ ଦେଖିବାକୁ ୧୮/୨୦ ବର୍ଷର ଝିଅଟିଏ ପରି ଲାଗେ । କାହିଁକି ନା ପତଳା ଶରୀରକୁ ଗୋରା ରଙ୍ଗ... ବୟସର ଛାପ ମାଡିବାକୁ ଦେଇନି ତା ଶରୀରରେ । ସେଥିପାଇଁ ବୋଧେ କୋଠାରେ ସବୁଠୁ ବେଶୀ ରେଟ ତା'ର । ଗରାଖ ସଂଖ୍ୟା ବି ସବୁଠୁ ବେଶୀ । ସେଥିଲାଗି ତ ବିମଲାବାଇର ସେ ବେଶୀ ପସନ୍ଦ । ଆଗରୁ ଛୋଟବଡ ସବୁ ଶ୍ରେଣୀର ଗ୍ରାହକ ଥିଲେ ତା'ର । ହେଲେ ଏଇ କିଛି ବର୍ଷ ହେବ କେବଳ ସହରର ସବୁ ବିଶିଷ୍ଟ ବ୍ୟକ୍ତି(ରାଜନେତା,ଶିଳ୍ପପତୀ,ଠିକାଦାର)ବିଶେଷ ହିଁ ତା'ର ଗ୍ରାହକ । ତେଣୁ କମାଣି କେତେରେ କଣ । ଅନେକ ବର୍ଷ ହେଲାଣି ମାନିନୀ ଏ ଧନ୍ଦାରେ ଅଛି ହେଲେ ଆଜି ବି ସନ୍ଧ୍ୟା ଆସିଲେ ତା ଦେହକୁ ଅଜବ ଡର ମାଡି ଆସେ । ଇଚ୍ଛା ହୁଏ ତା'ର ଏ ସବୁଠୁ କୁଆଡେ ଦୁରକୁ ଚାଲି ଯିବାକୁ । ଏକଦମ ଏକ ଅଚିହ୍ନା ରାଇଜକୁ । ହେଲେ ସେ ପାରୁଛି କୋଉଠି... 

ମାନିନୀର ବି ଏକ ସୁନ୍ଦର ପରିବାରଟିଏ ଥିଲା । ବାପା, ମା ଓ ଦୁଇ ଭଉଣୀ ଥିଲେ ସେମାନେ । ବାପା ଚାଷ କରୁଥିଲେ । ମା ତାଙ୍କୁ ଚାଷ କାମରେ ସାହାଯ୍ୟ କରେ । ବେଶ ସୁରୁଖୁରୁରେ ଚାଲିଥିଲା ପରିବାର । ହେଲେ ଥରେ ତାଙ୍କ ଗାଁରେ ବନ୍ୟା ଆସିବାରୁ ପୁରା ପରିବାରଟା ଛାରଖାର ହେଇଗଲା । ଦିନେ ଏମିତି ଏକ ସନ୍ଧ୍ୟା ଆସିଲା ଯାହାକି ମାନିନୀର ପରିବାରର ଖୁସି ଓ ସୁଖର ସୂର୍ଯ୍ୟକୁ ସବୁଦିନ ଲାଗି ବୁଡେଇଦେଇ ଚାଲିଗଲା । ମାନିନୀକୁ ସେତେବେଳେ ମାତ୍ର ୫ବର୍ଷ ଓ ତା ନାନୀକୁ ୭ ବର୍ଷ । ତା ବାପା ମା କ୍ଷେତକୁ ଚାଷ କରିବାକୁ ଯାଇଥିଲେ । ସେହିଦିନ ସନ୍ଧ୍ୟା ବେଳକୁ ହଠାତ୍ ଆକାଶରେ କଳା ମେଘ ଘୋଟି ଆସିଲା । ବଜ୍ରପାତ ସାଙ୍ଗକୁ ବର୍ଷା ଆରମ୍ଭ ହେଇଗଲା । ମାନିନୀର ବାପା ମା ଦୁହେଁ ନିଜକୁ ରକ୍ଷା କରିବାକୁ ଏକ ଗଛତ ଳେ ଆଶ୍ରୟ ନେଇଥିଲେ । ଦୁର୍ଭାଗ୍ୟକୁ ସେହି ଗଛକୁ ବିଜୁଳି ମାରିବାରୁ ଦୁହେଁ ସେଇଠି ଜୀଅନ୍ତା ଜଳିଗଲେ । ଏତିକି ବି କମ ହେଲାନି ଯେ ଦଇବ ଯୋଗକୁ ସେହି ରାତିରେ ବର୍ଷାର ପରିମାଣ ଏତେ ଅଧିକ ଥିଲା ଓ ଉପର ମୁଣ୍ଡରୁ ପାଣି ଆସିଯିବାରୁ ସମଗ୍ର ଗାଁଟା ବୁଡିଗଲା । ସେଥିରେ ମାନିନୀର ଭଉଣୀ ସୁଅରେ ଭାସିଯାଇ ପ୍ରାଣତ୍ୟାଗ କଲା । ନିଜ ଭଉଣୀ ଭାସି ଯାଉଥିବାର ଦେଖି ମାନିନୀ ବେହୋସ ହେଇଗଲା । ମାନିନୀ ଯେତେବେଳେ ହୋସରେ ଆସିଲା ସେତେବେଳେ ସେ ନିଜକୁ ଏଇ କୋଠିରେ ଆବିଷ୍କାର କଲା । ସେବେଠୁ ମାନିନୀ ଏଇଠି ଅଛି ।  

ହେଲେ ଗଲା ଦୁଇଦିନ ହେଲା ମାନିନୀ ପାଖକୁ ଗୋଟେ ନୂଆ ଗ୍ରାହକ ଆସୁଛି । ନାଆଁଟା ତାର ସିଦ୍ଧାନ୍ତ ବୋଲି କହୁଛି । ବାସ ଆସୁଛି... .ସାରା ରାତି ମଦ ପିଉଛି... ଗୁଡାଏ ବକରବକର ହେଉଛି... ଆଉ ସକାଳ ହେଲେ ପାଉଣା ଦେଇ ଚାଲିଯାଉଛି । ମାନିନୀକୁ ଛୁଉଁନାହିଁ ବା କିଛି କରୁନାହିଁ ।  

ମାନିନୀ ତା କଥାରୁ ଯାହାବୁଝିଲା ତାହା ହେଉଛି ସିଦ୍ଧାନ୍ତ ହେଉଛି ତା ମାର ଅନୈତିକ ସମ୍ପର୍କର ଫଳ । ଯାହାଫଳରେ କି ତା ମା ତାକୁ ହସ୍ପିଟାଲରେ ଜନ୍ମ ଦେଇ ଛାଡି ପଳେଇଥିଲା । ସେଇଠୁ ତାକୁ କୋଳେଇ ନେଇ ବଡ କରିଥିଲେ ରାଧୁଆ ମଉସା(ସେ ହସ୍ପିଟାଲର ଝାଡୁଦାର) । ସିଦ୍ଧାନ୍ତକୁ ସେ ପାଠ ପଢେଇ ଆଜି ମଣିଷଟିଏ କରିଛନ୍ତି । ହେଲେ ଦୁଇ ଦିନ ତଳେ ରାଧୁଆ ମଉସା ଚାଲିଗଲେ । ସେ ଯିବା ପୂର୍ବରୁ ସିଦ୍ଧାନ୍ତକୁ ସବୁ ସତ କଥା କହିଦେଇଛନ୍ତି । ଯାହା ଫଳରେ ସିଦ୍ଧାନ୍ତ ନିଜର ଭାରସାମ୍ୟ ହରାଇ ଆଜି ଏ କୋଠାମୁହାଁ ହେଇଛି । ମାନିନୀକୁ ତା କଥା ଶୁଣି ଭରୀ ଦୁ8ଖ ଲାଗୁଥିଲା । ସେକିଛି କହିବାକୁ ଚାହିଁଲେ ବି ସିଦ୍ଧାନ୍ତ କୋଉ ଶୁଣିବା ଅବସ୍ଥାରେ ଥିଲା ଯେ?

ତାପରଦିନ ସନ୍ଧ୍ୟାରେ... .ଯେତେବେଳେ ସିଦ୍ଧାନ୍ତ ମାନିନୀ ପାଖକୁ ଆସିଲା ,ସେ ବୋତଲ ଖୋଲିବା ଆଗରୁ ମାନିନୀ ତାକୁ କହିଲା-

-"ଜନ୍ମ ହେଲେ ତ ମୃତ୍ୟୁ ସୁନିଶ୍ଚିତ, ସେଥିରେ ଏତେ ବିଚଳିତ କାହିଁକି?"

ତା ମୁହଁକୁ ଚାହିଁଲା ସିଦ୍ଧାନ୍ତ

-"ତୁମ ପରି ସ୍ତ୍ରୀ ଲୋକ ମୁହଁରୁ ପୁଣି ଏତେ ସୁନ୍ଦର କଥା,ମୁଁ ଜାଣେ ଏ କଥା... ହେଲେ ମୋତେ ମୋ ନିଜକୁ ଘୃଣା ଲାଗୁଛି । ତୁମ ପରି କିଏ ଗୋଟେ ହେଇଥିବ ନା ଯିଏ କି ନିଜ ଦେହର ଭୋକ ମେଣ୍ଟୋଇବା ପରେ ମୋତେ ଏମିତି ଫିଙ୍ଗି ଚାଲିଗଲା । ହେଲେ ଦେଖ ରାଧିୁଆ ମଉସାଙ୍କୁ ଯିଏ ମୋତେ କୋଳେଇ ନେଲେ । ତେଣୁ ମୋତେ ତୁମ ପରି ନାରୀ ଜାତିକୁ ଘୃଣା ଲାଗୁଛି । "

-"ସବୁ ନାରୀ ନିଜ ଖୁସିରେ ନିଜଦେହ ବିକନ୍ତିନି ବା ପୁରୁଷ ଆଗରେ ସମର୍ପି ଦିଅନ୍ତି ନାହିଁ । "

ଏହାପରେ ମାନିନୀ ତାକୁ ନିଜ କାହାଣୀ କହିଲା । ତେଣୁ ତୁମ ମାଆଙ୍କର ବି ସେମିତି କିଛି ମଜବୁରୀ ଥିବ ନିଶ୍ଚୟ ।  

ସବୁ ଶୁଣି ସାରିବା ପରେ ସିଦ୍ଧାନ୍ତ କିଛି ସମୟ ତାକୁ ବକବକ ହେଇ ଚାହିଁ ରହିଲା । ଉଠି ଠିଆ ହେଲା । କବାଟ ଖୋଲିଲା ଓ ଯିବାକୁ ବାହାରିଲା । ଯିବା ପୂର୍ବରୁ ପଛକୁ ବୁଲି ମାନିନୀକୁ ଚାହିଁଲା ଓ କହିଲା_ କାଲି ସନ୍ଧ୍ୟାରେ ରେଡିଥିବ ତୁମ ଲାଗି ଗୋଟେ ସରପ୍ରାଇଜ ଅଛି ।  

 ତା ପରଦିନ ସିଦ୍ଧାନ୍ତ ନିଜ ପୋଲିସ ପୋଷାକ ପିନ୍ଧି କୋଠାକୁ ଆସିଲା । ତାକୁ ଦେଖି ସମସ୍ତେ ଛାନିଆ । ସେ ମାନିନୀକୁ ଡାକ ପକେଇଲା । ମାନିନୀ ଆସିଲା । ବିମଲା ବାଈ ବି ଆସିଲା ।  

ସିଦ୍ଧାନ୍ତ ବିମଲା ବାଈକୁ ଚାହିଁ କହିଲା-

-"ଆପଣ ମା ହେଇଥିଲେ ମୁଁ ମାନିନୀର ହାତ ମାଗିଥାଆନ୍ତି କିନ୍ତୁ ଆପଣ ତ କୋଠାବାଲୀ, ତେଣୁ କୁହନ୍ତୁ ଆଜିଠାରୁ ମାନିନୀର ସବୁ ରାତି ମୁଁ କିଣି ନେବାକୁ ଚାହେଁ, ସେଥିଲାଗି କେତେ ପଇସା ଦେବି?"

ବିମଲାବାଈ ତାଟକା ହେଇ ଚାହିଁ ଥାଆନ୍ତି ।  

କିଛି ସମୟ ପରେ ସେ କହିଲେ -" ମୁଁ ସାରା ଜୀବନ ପଇସା ଲାଗି ଅନେକ ଝିଅଙ୍କୁ ବିକିଛି । ତେଣୁ ସେ ସବୁ ପାପରୁ ମୁକ୍ତି ଲାଗି ମୋତେ ପଇସା ନୁହେଁ ଗୋଟେ କଥା ଦିଅ ମାନିନୀ ଆଜି ପର୍ଯ୍ୟନ୍ତ ଯେତିକି ଦୁଃଖର ରାତି କାଟିଛି । ତୁମେ ତାକୁ ତାଠୁ ଢେର ଅଧିକ ଖୁସିର ରାତି ଦେବ । "

ଏତିକି ଶୁଣି ସିଦ୍ଧାନ୍ତ ଯାଇ ମାନିନୀର ହାତ ଧରିଲେ ଓ କହିଲେ -"ଚାଲ ମାନିନୀ ଏକ ନୁଆ ଦୁନିଆକୁ... "

ମାନିନୀକୁ ଆଜିର ସନ୍ଧ୍ୟା ଆଗମନଟା ସ୍ୱପ୍ନ ପରି ଲାଗୁଥିଲା ।  



Rate this content
Log in

Similar oriya story from Inspirational