Bimala Sankar Dash

Romance

3  

Bimala Sankar Dash

Romance

ସମ୍ପର୍କର ଝଡ଼

ସମ୍ପର୍କର ଝଡ଼

12 mins
213


  ସଚିବାଳୟର ଶୀତତାପ ନିୟନ୍ତ୍ରିତ କଠୋରୀରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜରୁରୀକାଳୀନ ବୈଠକ ଚାଲୁଥାଏ ସ୍ୱତନ୍ତ୍ର ରିଲିଫ୍ କମିସନର୍ଙ୍କ ଅଧ୍ଯକ୍ଷତାରେ । ଆଲୋଚନା ହେଉଥାଏ କେଉଁଠି ସ୍ଥଳଭାଗ ଛୁଇଁବ, ପବନର ବେଗ କେତେ ରହିପାରେ, କେଉଁ କେଉଁ ଅଞ୍ଚଳ ପ୍ରବଳ କ୍ଷତିଗ୍ରସ୍ତ ହେବ, କେଉଁ କେଉଁ ସ୍ଥାନରୁ ଲୋକଙ୍କୁ ଥଇଥାନ କରାଯିବ ଇତ୍ୟାଦି ଇତ୍ୟାଦି । ବିଶେଷଜ୍ଞ ମାନେ ନିଜ ନିଜ ବିଚାର ରଖୁଥାଆନ୍ତି । ପ୍ରକୃତିକୁ ମୁକାବିଲା କରିବାର ସାମର୍ଥ୍ୟ ମାନବ ପାଖରେ ନ ଥିଲେ ବି ଆଗୁଆ ସତର୍କ ଓ ସଜାଗ ତ କରାଯାଇ ପାରିବ । କ୍ଷୟକ୍ଷତିକୁ ଯେତେ ସମ୍ଭବ କମ୍ କରାଯାଇପାରିବ ତାହାର ବିଚାର ବିମର୍ଶ ଚାଲୁଥାଏ । ଆବଶ୍ୟକ ପଡିଲେ ବେଶୀ ପ୍ରଭାବିତ ଜିଲ୍ଲାରେ ଅଧିକ ସଂଖ୍ୟକ ଓଡ୍ରାଫ ଟିମ୍ ମୁତ୍ତୟନ କରାଯାଇ ସେମାନଙ୍କ ସହାୟତାରେ ବାତ୍ୟା ମୁକାବିଲାକୁ ସଫଳ କରାଯିବାକୁ ନିଷ୍ପତ୍ତି ନିଆ ଯାଉଥାଏ । ଉପକୂଳିଆ ଲୋକେ ଖୁବ୍ ବିପଦରେ । ସେମାନଙ୍କ ଜୀବନ ରକ୍ଷା ସରକାର ଓ ପ୍ରଶାସନଙ୍କ ଗୁରୁ ଦାୟିତ୍ୱ । ଉପସ୍ଥିତ ସମସ୍ତ ଉଚ୍ଚ ପଦବୀ ଅଧିକାରୀ ଖୁବ୍ ଚାପଗ୍ରସ୍ତ ଦେଖା ଯାଉ ଥାଆନ୍ତି । ସେମାନଙ୍କ ଆଖି ଆଗରେ ଖାଲି ଅବଶ୍ୟମ୍ଭାବୀ ମହାବାତ୍ୟାର ଛାତିଥରା ଦୃଶ୍ୟ ନାଚି ଉଠୁଥାଏ । ତଥାପି ଦକ୍ଷତା ଅନୁସାରେ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଗଲା । କିଏ କେଉଁ ସବୁ କାର୍ଯ୍ୟର ତଦାରଖ କରିବେ । ପ୍ରତି ଘଣ୍ଟାରେ ରିପୋର୍ଟ ମୁଖ୍ୟ ସଚିବଙ୍କୁ ଜଣାଇବେ । ବାତ୍ୟା ପରିଚାଳନାରେ ଓଡିଆ ଅଫିସରଙ୍କ ଦକ୍ଷତା ଓ ଅଭିଜ୍ଞତା ଯଥେଷ୍ଟ ଅଧିକା । ଏଇଥିପାଇଁ ଓଡିଆ ପ୍ରଶାସନିକ ଅଧିକାରୀ ଆଲୋକ ବାବୁଙ୍କ ଉପରେ ଗୁରୁଦାୟିତ୍ୱ ନ୍ୟସ୍ତ କରାଗଲା ସେଇ ବୈଠକରେ ।


ଜଣେ ଦକ୍ଷ ଓ ଯୁବ ଓଡିଆ ପ୍ରଶାସନିକ ଅଧିକାରୀ ଆଲୋକ ବାବୁ । ଅଳ୍ପଦିନରେ ରାଜ୍ୟ ସରକାରଙ୍କ ପାଖରେ ଆସ୍ଥାଭାଜନ ହୋଇ ପାରିଛନ୍ତି । ସୁପ୍ରଶାସନ ପାଇଁ ଯେତିକି ପ୍ରଶଂସିତ, ଜଣେ ସଚ୍ଚୋଟ ବ୍ୟୁରୋକ୍ରାଟ୍ ହିସାବରେ ସେତିକି ସମ୍ମାନିତ । ଏସବୁ ସତ୍ତ୍ଵେ ବୈଠକ ସରିବା ପରେ ଆଲୋକବାବୁ କିନ୍ତୁ ଖୁବ୍ ବିଚଳିତ ହୋଇପଡୁଥିଲେ । ତାଙ୍କ ହାତରେ କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ସମର୍ପି ଦିଆଗଲା ବୋଲି ନୁହଁ, ବରଂ ତାଙ୍କର ସବୁ ଯୋଜନା ପଣ୍ଡ ହୋଇଯାଉଥିଲା ବୋଲି । 


ସେ ଚିନ୍ତା କରିଥିଲେ ପାଞ୍ଚଦିନ ଛୁଟି ଆବେଦନ କରି ନିଜ ଗାଁକୁ ଯାଇଥାଆନ୍ତେ । ନିଜ ପାଇଁ ନୁହଁ, ନିଜ ପିଲାଦିନର ସାଥୀ ଦୀପା ପାଇଁ । ଦୀପାକୁ କଥା ଦେଇଥିଲେ ଏଇ ତିଥିରେ ସେ ଯେମିତି ହେଉ ଦୀପାକୁ ସ୍ୱୀକାର କରିନେବେ ସର୍ବ ସମ୍ମୁଖରେ । ତା' ମଥାରେ ସିନ୍ଦୂର ବୋଳି ଘୋଷଣା କରିଦେବେ ଦୀପା ଖାଲି ତାଙ୍କ ପ୍ରେମିକା ନୁହଁ ପତ୍ନୀ ବି .... 

କିନ୍ତୁ ବାତ୍ୟା ପରି ସଙ୍କଟ ପରିସ୍ଥିତିରେ ନିଜ ପ୍ରଶାସନିକ କର୍ତ୍ତବ୍ୟରୁ ଓହରି ଯାଇ ସେ ସ୍ୱାର୍ଥପର ହୋଇ ପାରୁ ନ ଥିଲେ । ଏହାଛଡା ସମସ୍ତ ଅଧିକାରୀଙ୍କୁ ହେଡ୍ କ୍ବାର୍ଟରରେ ରହିବାକୁ କଡା ନିର୍ଦ୍ଦେଶ । ସେ ଛୁଟି ବି ନେଇ ପାରିବେନି । 

ଗତ ମଗୁଶୁରରେ ସେ ଦୀପାକୁ ଏମିତି କଥାଦେଇ ରଖି ପାରି ନ ଥିଲେ କୌଣସି ଏକ ଜରୁରୀ କାମରେ ବ୍ୟସ୍ତ ରହିଯାଇ । ଏଥର ବି କଥା ରଖି ନ ପାରିଲେ ଦୀପାର ମନ ନିହାତି କଷ୍ଟ ହେବ, ଆଉ ତାଙ୍କୁ କେବେ ବି ବିଶ୍ୱାସ କରିବନି । ବିବ୍ରତ ହୋଇ ପଡୁଥିଲେ ଆଲୋକ୍ । 


ତାଙ୍କ ଆଗରେ ଦୁଇଟି ଚିତ୍ର ଉଦ୍ଭାସିତ ହେବାକୁ ଲାଗିଲା । ଗୋଟିଏ ବାତ୍ୟାରେ ପ୍ରଭାବିତ ଲୋକଙ୍କ ହା ହା ଚିତ୍କାର ଆଉ ଅନ୍ୟଟି ଦୀର୍ଘ ଦିନ ଫେରିବା ବାଟକୁ ଚାତକ ପରି ଅନାଇ ରହିଥିବା ଗୋଟିଏ କରୁଣ ମୂର୍ତ୍ତି -ଦୀପା । 

ମାନଚିତ୍ରରେ ରାଜଧାନୀ ଠାରୁ ତାଙ୍କ ଗାଁ ଖୁବ୍ ନିକଟତର ଦିଶୁଥିଲେ ବି ଆଲୋକଙ୍କ ପାଇଁ ଲାଗୁଥିଲା ସହସ୍ର ସହସ୍ର ଯୋଜନ ବାଟ । 


ଆଲୋକଙ୍କ ପିଲାଦିନ କଟିଥିଲା ସାଗର ତୀରେ ଗଢି ଉଠିଥିବା ଗୋଟିଏ ଛୋଟ ପଲ୍ଲୀ ଗାଁରେ । ସେଇ ବାଲିଆ ବାଲିଆ ଗାଁର ସମୁଦ୍ର ତଟରେ ଛିଡା ହୋଇ ସେ ଦେଖିଥିଲେ ଆକାଶକୁ ଛୁଇଁ ଯିବାର ରଙ୍ଗୀନ ସପନ । ତାଙ୍କୁ ଖୁବ୍ ଭଲ ଲାଗେ ଗାଁର ଉପରକୁ ଆଁ କରି ଅନାଇରହିଥିବା ଉଚ୍ଚା ଉଚ୍ଚା ନଡିଆ ଗଛ, କ୍ଷୀଣ ପବନରେ ଦୋହଲି ସୁଁ ସୁଁ ଗୀତ ଗାଉଥିବା ଝାଉଁ ବଣ ଆଉ ଗାଁ ମୁଣ୍ଡରେ ଥିବା ଅଗଭୀର ସମୁଦ୍ର କୂଳ । ନେଉଳିଆର ଆଇଁଷିଆ ଜାଲ ଆଉ ଶୁଖିଲା ବାଲିରେ ଶୁଖୁଥିବା ଶୁଖୁଆମାଛର ଗନ୍ଧ ଅତି ଆପଣାର ଆପଣାର ଲାଗେ ଆଲୋକକୁ । 


କେତେ ଯେ ଟାଇଁ ଟାଇଁକା ଖରାବେଳ କଟେଇଛନ୍ତି ସାଗର ତଟର ଓଦା ଓଦା ବାଲି ପଠାରେ, ତା ହିସାବ ଆଲୋକ କେବେ ରଖି ନାହାନ୍ତି । ଲୁଣିଆ ଲୁଣିଆ ଢେଉରେ ପହଁରି ପହଁରି ପିଲାଦିନର ମନ ମତାଣିଆ ମିଠାପଣ କେତେ ଯେ ସାଉଁଟି ପାରିଛନ୍ତି ତାର ତୀବ୍ରତା ବି ସେ କେବେ ମାପି ପାରି ନାହାନ୍ତି । ହେଲେ ସେଇ ପିଲାଦିନର ନିଷ୍କପଟ ହୃଦୟରେ ତା ଗାଁର ବାଲ୍ୟ ସାଥୀ ଦୀପାକୁ ସେ କେତେ ଯେ ଭଲ ପାଇ ଆସିଛନ୍ତି ସେ କଥା ଏ ଯାଏଁ ଆଲୋକ ମନେ ରଖି ପାରିଛନ୍ତି । 


ଆଲୋକ ଦୀପା କଥା ଭାବନ୍ତି । ବ୍ୟାଖ୍ୟା କରନ୍ତି ଦୀପା ନାଁ ଟିକୁ !! ଦୀପାଳୀରୁ ଦୀପା । ଦୀପ ତା ଦେହରେ ଶେଷ ତୈଳବିନ୍ଦୁ ଥିବା ଯାଏଁ ଜଳି ଦେଇଥାଏ ଆଲୋକ । ସେଇ ଆଲୋକରେ ଅନ୍ଧକାର ହଟି ଚଉଦିଗ ସ୍ୱଚ୍ଛ ଦିଶେ । ଏଇ ପ୍ରତିଦାନରେ ଦୀପ ନିଜେ ବୋଳି ହୋଇଯାଏ ପୋଡା ସଳିତାର କଳାକୁ । ଦୀପା ବି ଠିକ୍ ଦୀପ ପରି । ଆଲୋକର ଜୀବନ ଆଜି ଆଲୋକିତ ହୋଇ ପାରିଛି କେବଳ ଦୀପା ପାଇଁ । ପ୍ରତିବଦଳରେ ଦୀପା ହସି ହସି ମଥାରେ ପିନ୍ଧିନେଇଛି କଳଙ୍କିନୀର ଟିକା । 


ଦୀପା ଜନ୍ମରୁ ତା ବାପାଙ୍କୁ ଦେଖିନି । କି କେବେ ମଧ୍ୟ ତା ବାପାଙ୍କ ସମ୍ପର୍କରେ ମାଆ ଠୁ ପଚାରି ବୁଝିନି । ଖୁବ୍ ହତଭାଗିନୀ ସେ । ରୋଗୀଣା ମାଆ ସାଥୀରେ ଗାଁ ଠୁ ଟିକିଏ ଦୂରରେ ଥିବା ଏକଚାଟିଆ ମାଟି ଝାଟିର ଝୁମ୍ପୁଡିରେ ରୁହେ । ତଥାପି ପଙ୍କରୁ ପଦ୍ମ ପରି ତା ରୂପକାନ୍ତି । ଅନିନ୍ଦ୍ୟ ସୁନ୍ଦରୀ ଦୀପାର ନିଷ୍କପଟ ହୃଦୟର ନିର୍ଭେଜାଲ୍ ପ୍ରେମ ଓ ଦୀପାର ଅତୁଳନୀୟ ରୂପ ଲାବଣ୍ୟର ସନ୍ଦର୍ଶନରେ ଆଲୋକ ମୋହିତ ହୋଇପଡେ। ମିଛିମିଛିକା ବର କନିଆକୁ ବାଲି ବାଲିକା ଘର ! ଅନେକଥର ଖେଳିଛନ୍ତି ଆଲୋକ ଆଉ ଦୀପା । ଏକଥା ମନେ ପକାଇ ଆଲୋକ କୋହାତୁର ହୋଇ ପଡେ । 

ହେଲେ ଆଜି ଆଲୋକ ବାସ୍ତବତା ଠାରୁ ଦୂରରେ । ଦୀପାଠୁ, ନିଜ ଗାଁଠୁ ଦୂରରେ ସେ ରହୁଛନ୍ତି । ମୁଣ୍ଡ ଉପରେ ପ୍ରଶାସନିକ ଦାୟିତ୍ୱ । କେତେବେଳେ କେମିତି କ୍ଲାନ୍ତମୟ ଦିନଚର୍ଯ୍ୟାରୁ ଟିକିଏ ଫୁରୁସତ୍ ମିଳିଲେ ଦୀପାକଥା ଖୁବ ମନେ ପକାନ୍ତି । ମଣିଷ ଯେତେ ଉଚ୍ଚ ପଦବୀରେ ରୁହେ ସେ ସେତେ ବ୍ୟସ୍ତ ହୋଇପଡେ । ନିଜ ପାଇଁ ଚିନ୍ତା କରିବାକୁ ବେଳ ପାଏନା । ପାଖରେ କେବଳ ବିଶ୍ୱସ୍ତ ଅଧସ୍ତନ କର୍ମଚାରୀ ଛଡା ନିଜର ବୋଲି କେହି ନଥାନ୍ତି । ଉପର ଠାଉରିଆ ପ୍ରଫେସନାଲ୍ ସମ୍ପର୍କ ସେମାନଙ୍କ ସହ । କ୍ଷମତା ଓ ପୋଜିସନକୁ ନେଇ ଗଢା ସେ ସମ୍ପର୍କ । କ୍ଷମତା କି ପଦ ଚାଲିଗଲେ ପାଣି ଫୋଟକା ପରି ମିଳେଇ ଯିବ ସେ ସବୁ ସମ୍ପର୍କ । ପ୍ରାଣ ପ୍ରାଚୁର୍ଯ୍ୟହୀନ ତୁଛା ମଣିଷମାନଙ୍କ ସହ ମନଖୋଲି ମନକଥା କହି ପାରନ୍ତିନି । ସେମାନଙ୍କ ପାଖରେ ଆଲୋକ ଖୋଜି ପାଏନା ଆତ୍ମୀୟତା । ଏଣୁ ନିଜକୁ ଖୁବ୍ ଏକଲା ମଣନ୍ତି ସେ । ଅହରହ ଝୁରି ହୁଅନ୍ତି ଦୀପା ପାଇଁ । 


ଦୀପାକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଗାଁ କୁ ନ ଯାଇ ପାରି ଆଲୋକ କୁହୁଳିବାକୁ ଲାଗିଲେ । ନିଜକୁ ଭାରୀ ଭାରୀ ମଣିବାକୁ ଲାଗିଲେ । ନିର୍ଜନ ସରକାରୀ କ୍ୱାର୍ଟର୍ସ ଆଖ ପାଖରେ ପବନର ବେଗ ସୁଁ ସୁଁ ଗର୍ଜୁଥାଏ । ଝଡର ପ୍ରାକ୍ ସୂଚନାକୁ ବୋଧହୁଏ ଚେତାଇ ଦେଉଥିଲା ଏଇ ପ୍ରବଳ ବେଗମାନ ପବନ । ଜଣେ ପ୍ରଶାସନିକ ଅଧିକାରୀର ପରିସରରୁ ଟିକେ ବାହାରକୁ ଚାଲିଆସି ସେ ଦୀପା କଥା ଭାବି ଭାବାବିଷ୍ଟ ହୋଇ ପଡୁଥିଲେ । 


ଏଇନା ଦୀପା ଗାଁ ବାଲିପଠାରେ ବାଲିଘର ତୋଳୁ ନାହିଁ କି ଅଲାଜୁକି ଫୁର୍ ଚଣ୍ଡୀ ହୋଇ ଫ୍ରକ୍ ଟେକି ପୁଅମେଳରେ ବାଗୁଡିଖେଳ ଖେଳୁନାହିଁ । ତାକୁ ବି ନବ ବସନ୍ତର ମଳୟ ମହକରେ କୁଆଁରୀ ଲାଜ ଛୁଇଁଛି ଅଳ୍ପ କରି । ତା ମନକଳିକା ଫୁଟି ସେଇ ମହମହ ବାସ୍ନା ଏତେଦୂରରେ ଥିବା ଆଲୋକର ଚଉଦିଗରେ ଭଉଁରୀ କାଟି ଆଲୋକଙ୍କୁ ଯେମିତି ଆକ୍ତାମାକ୍ତା କରି ପକାଉଛି । ଦୀପା ବି ଆଲୋକକୁ ଝୁରେ । ଆଲୋକ କଥା ଭାବି ମୁଣ୍ଡରେ ଓଢଣୀ ଟାଣି ଲାଜେଇ ଯାଏ । 

ଏବେ ଆଉ ଦୀପା ଫ୍ରକ୍ ପିନ୍ଧୁନି । ଖୁବ୍ ବଡ ହୋଇଗଲାଣି ସେ । 

ଛୁଟିରେ ଆଲୋକ ଯେତେଥର ଗାଁକୁ ଯାଇଛନ୍ତି, ସେତେଥର ଅଭିମାନରେ ଦୀପା ଲୁଚିଯାଇଛି । ଢେର୍ ସମୟ ତାଙ୍କ ସହ ଲୁଚକାଳି ଖେଳ ଖେଳେ । ଅଭିମାନିନୀ ଜହ୍ନକୁ ମନାଇବାକୁ ଆଲୋକଙ୍କୁ ଖୁବ୍ କସରତ କରିବାକୁ ପଡିଥାଏ । ଶେଷରେ ଖୋଜି ଖୋଜି ସାୟାହ୍ନରେ ସାଗର ତଟେ ସେ ଜହ୍ନ ଉଇଁବାର ଦେଖନ୍ତି । ଆଲୋକ ତାକୁ ଛୁଇଁବାକୁ ଶତ ଚେଷ୍ଟା କରି ବିଫଳ ହୁଅନ୍ତି । ଜହ୍ନ ଦେଖାଦେଇ, ତା ରୂପେଲୀ କିରଣରେ ଆଲୋକର ଦେହସାରା ପଖାଳି ଦିଏ ସତ, କିନ୍ତୁ ଆଲୋକର ତପ୍ତ ତନୁକୁ ଶୀତଳତା ଭରି ପାରେନା ଫୁଲେଇ ଜହ୍ନ । ସମୁଦ୍ର ଢେଉ କୂଳ ଲଙ୍ଘେନା । ଚାହିଁଲେ ବି ଲଙ୍ଘି ପାରେନା । ଦୀପା ବି ....!!! 


ଦେଖୁ ଦେଖୁ କେତେବେଳେ ଯେ ଛୁଟି ସରିଯାଏ ଜଣା ପଡେନା । ଏବେ ଫେରିବାର ବେଳ । ଆଲୋକ ଦୀପା ପ୍ରତି ଥିବା ପ୍ରେମକୁ ଗଣ୍ଠିଧନ କରି ଫେରିଆସନ୍ତି ଗାଁରୁ, ପୁଣିଥରେ ନିଜକୁ ହଜାଇ ଦିଅନ୍ତି ନିଜ କର୍ମମୁଖର ଦୂର ସହରରେ । 


ଆଲୋକ ଚାଲିଯିବା ପରେ ଗାଁରେ ରାତିଟା ଦୀପାକୁ ଖୁବ୍ ଅନ୍ଧାର ଓ ଅଙ୍କିଞ୍ଚନ ଲାଗେ । ବିରହ ଜ୍ୱାଳାରେ ନିଜେ ଜଳି ଜଳାଏ ଆଲୋକକୁ । ସବୁଥର ପରି ତା' ମନକଥା କହିପାରେନା ଆଲୋକକୁ । କହି ପାରେନା - ମୋତେ ସବୁ ଦିନ ନିଜର କରି ନେଇ ତୁମ ସାଥୀରେ ନେଇ ଯାଅ । ଭାଙ୍ଗି ଦେଇ ଯାଅ ସବୁ ଅଲଙ୍ଘ୍ୟ ପାଚେରୀ । 


ହୁଏତ ଦୀପାର ସାହସ ହୁଏନା ଏମିତି କହିବାକୁ । ନିଜର ଅନାବିଳ ଭଲ ପାଇବା ଆଉ ତା' ରୂପ ଲାବଣ୍ୟ ଛଡା କ'ଣ ବା ଅଛି ତା ପାଖରେ ଯେ ଜୋର୍ କରି ଆଲୋକକୁ ତା ପଣତରେ ବାନ୍ଧି ରଖି ପାରିବ । 


ଦୀପା ମନକଥା ଖୋଲାଖୋଲି ପ୍ରକାଶ ନ କଲେ ବି ଆଲୋକ ସବୁକଥା ବୁଝିପାରନ୍ତି । ଗତଥର ଗାଁକୁ ଗଲାବେଳେ ଆଲୋକ ବାପାଙ୍କ ଆଗରେ ଦୀପାକଥା ପକାଇ ଥିଲା । ଦୀପା ନାଁ ଶୁଣି ନିଆଁ ଚେଙ୍କ ଦେଲା ପରି ଚମକି ପଡିଲେ ସେ । ଆଲୋକ ବାବୁଙ୍କ ବାପା ଗାଁର ପୁରୁଣା ଜମିଦାର୍ । ଧନ ଓ ମାନରେ ତାଙ୍କ ସମକକ୍ଷ ଖଣ୍ଡମଣ୍ଡଳରେ କେହି ନ ଥିଲେ । ବେଶ୍ ଖାତିର୍ ତାଙ୍କର । ଆଲୋକଙ୍କ ନିଷ୍ପତ୍ତିରେ ସେ ଚିହିଁକି ଉଠିବା ସ୍ୱାଭାବିକ । ତଥାପି ବାପାଙ୍କଠୁ ଏଇ ପ୍ରତ୍ୟାଶିତ ପ୍ରତିବାଦର ସ୍ୱର ଶୁଣିବା ପରେ ବି ଆଲୋକ ନମ୍ର ଚିତ୍ତରେ ବୁଝାଇବାକୁ ଚେଷ୍ଟା କରିଥିଲା - 

ଦୀପା, ପିଲାଦିନର ଖେଳସାଥୀ । ଅପାଠୁଆ ହେଲେ ବି ଗୁଣବତୀ । ଦୁହେଁ ଦୁହିଁଙ୍କୁ ଭଲକି ଜାଣିଛୁ, ଚିହ୍ନିଛୁ । ଆଜିକା ବସ୍ତୁବାଦୀ ଦୁନିଆରେ ଏମିତି ହୃଦୟବତୀଟେ ମିଳିବା ଭାଗ୍ଯର କଥା । 

ଏ କଥାରେ କ୍ରୋଧିତ ହୋଇପଡି ବାପା ତାଙ୍କୁ ଶୁଣାଇଥିଲେ - 

ବେଶି ପାଠପଢି ବଡ ଚାକିରୀ ଖଣ୍ଡକ ପାଇଗଲେ ଏମିତି ହିଁ ମତିଭ୍ରଷ୍ଟ ହୁଏ । ଦୀପା କଥା କହିବା ପୂର୍ବରୁ ଟିକିଏ ଚିନ୍ତା କରିବାର ଥିଲା ଦୀପା ଆଉ ତୋ ଭିତରେ ଥିବା ଆକାଶ ପାତାଳ ଦୂରତା । ନର୍ଦ୍ଦମାର ପାଣିରେ ଆବଶ୍ୟକ ସ୍ଥଳେ ନିଆଁ ଲିଭା ଯାଇପାରେ ସତ, ହେଲେ ସେଥିରେ କଦାପି ତୃଷା ନିବାରଣ କରାଯାଇ ପାରେନା । ବାଲ୍ୟବନ୍ଧୁ ବୋଲି କିଛି ସାହାଯ୍ୟ କରିପାରୁ, କିଛି ଉପହାର ଦେଇ ପାରୁ, ତା' ସୁବିଧା ଅସୁବିଧାରେ ସାହାରା ବନିପାରୁ । ବନ୍ଧୁତା ରକ୍ଷା କରିପାରୁ । ଏଥିରେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ତାକୁ ପତ୍ନୀରୂପେ ଗ୍ରହଣ କରିବା ବାଚାଳାମୀ ଛଡା ଆଉ ଅନ୍ୟ କିଛି ନୁହଁ । ପାତାଳ ଓ ସ୍ୱର୍ଗର ମିଳନ ଆଦୌ ସମ୍ଭବ ନୁହଁ । 


ଆଲୋକ ଚାପାଗଳାରେ ପ୍ରତିବାଦ କରନ୍ତି । କୁହନ୍ତି- ଦୀପା ନର୍ଦ୍ଦମାର ଜଳ ପରି ଅସ୍ୱଚ୍ଛ କଦାପି ନୁହଁ । ପବିତ୍ର ଗଙ୍ଗାର ସ୍ରୋତସ୍ୱିନୀ ଧାରଟିଏ । ସକଳ କାଳିମାକୁ ଧୌତ କରିଦେବାର ଉତ୍ସଟିଏ । ପାତାଳରେ ଥିଲେ ବି ସେ ସ୍ୱର୍ଗ ସମ୍ଭୂତା । ଯଦି ଦୀପା ନୁହଁ ତ ଆଲୋକର ଜୀବନ ସବୁଦିନ ପାଇଁ ଅନ୍ଧକାର । 

ଆଲୋକଙ୍କ କଥା ଆଦୌ ପ୍ରଭାବିତ କରିପାରି ନ ଥିଲା ସେଦିନ ତାଙ୍କ ବାପାଙ୍କୁ । ସିଧା ସିଧା କହିଲେ ଦୀପା ସହ ତୋ ବାହାଘର ଅସମ୍ଭବ । ଆଉ ସେମିତି ଯଦି ହୁଏ ପୃଥିବୀ ଓଲଟପାଲଟ ହୋଇଯିବ । ସବୁକିଛି ଭୁଲ ହୋଇଯିବ । ଅନ୍ତତଃ ପକ୍ଷେ ମୁଁ ଜୀବିତ ଥିବା ଯାଏଁ ଏହା ହେବାକୁ କଦାପି ଦେବି ନାହିଁ । 

ଆଲୋକଙ୍କ ଆଶା ଥାଏ ଦୀପାକୁ ଦିନେ ବାପା ନିଶ୍ଚୟ ଗ୍ରହଣ କରିନେବେ । ବିବାହ କରିବାର କଥା ଦେଇ ବସନ୍ତି ଦୀପାକୁ ବାପାଙ୍କ ଅସମ୍ମତିରେ । ପ୍ରତି ଥର ବାପାଙ୍କ କାନରେ ଏ କଥା ପକାଏ । ସବୁଥର ବାପାଙ୍କ ନିଷ୍ଠୁର ଉତ୍ତର-ନା । 

ଆଲୋକ ଶେଷରେ ଚରମ ନିଷ୍ପତ୍ତି ନେଇ ସାରିଥିଲେ ସେ ଦୀପାକୁ ଧୋକା ଦେଇ ପାରିବେନି । ଏଥର ଗାଁକୁ ଗଲେ ଦୀପାକୁ ପତ୍ନୀ ରୂପେ ସ୍ୱୀକୃତି ଦେଇଦେବେ, ବାପାଙ୍କ ସହମତିରେ ବା ଅସହମତିରେ । 


ଏମିତି ଚିନ୍ତା କରୁ କରୁ ଘନଘନ ମୋବାଇଲ୍ର ଗୁଞ୍ଜନରେ ପ୍ରକୃତିସ୍ଥ ହେଲେ ଆଲୋକ । ମୋବାଇଲ୍ ଖୋଲି ଦେଖିଲେ ତାଙ୍କୁ ତୁରନ୍ତ କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ସମ୍ଭାଳିବାକୁ ପଡିବ । ମନକୁ ବୁଝାଇଦେଲେ । ପାଞ୍ଚ ଦଶ ଦିନର କଥା । ଝଡବାତ୍ୟା ଚାଲିଯିବା ପରେ ସେ ଗାଁକୁ ଯିବେ । ଏବେ ତାଙ୍କ ଉପରେ ଥିବା ଗୁରୁଦାୟିତ୍ୱ ପ୍ରଥମେ ତୁଲାଇବାକୁ ପଡିବ । 


ଛାଉଁ ଛାଉଁ ମାଡି ଆସିଲା ଝଡ ବତାସ । କ୍ଷଣିକରେ ତା କରାଳ ରୂପ ଦେଖାଇ ଅପସରିଗଲା କେଇଟା ଘଣ୍ଟା ପରେ । ଟଳି ପଡିଲା ବର୍ଷ ବର୍ଷର ବିଶାଳକାୟ ଗଛ । ପୂର୍ବ ପ୍ରସ୍ତୁତି କାରଣରୁ ଧନଜୀବନ ସିନା ରକ୍ଷା ପାଇଗଲା ହେଲେ ନିଷ୍ଠୁର ଝଡ ଧ୍ୱଂସବିଧ୍ୱଂସ କରିସାରିଥିଲା ଭୂଗୋଳକୁ ।  

ଲୋକେ ଝାଡିଝୁଡି ହୋଇ ସଜାଡୁଥିଲେ ନିଜନିଜର ଭଙ୍ଗା ଘରକୁ । ଓଡ୍ରାଫ୍ଟ ଟିମ୍ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଲାଉଥିଲେ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ । ବାତ୍ୟା ମୁକାବିଲାର ସୁପରିଚାଳନା ପାଇଁ ସମସ୍ତେ ବାଃ ବାଃ କରୁଥିଲେ ଆଲୋକଙ୍କୁ । ହେଲେ ଏଇ ସଫଳତା ଯେତିକି ଉତ୍ଫୁଲିତ କରି ପାରୁ ନ ଥିଲା ତା ଠାରୁ ଅଧିକା ଦୀପାକୁ ଆପଣେଇ ନେବାର ବ୍ୟାକୁଳତା ବ୍ୟଥିତ କରୁଥିଲା ଆଲୋକଙ୍କୁ ।

ଆଲୋକ ବାତ୍ୟା ପ୍ରଶମିତ ହେବା ପରେ ପ୍ରସ୍ତୁତ ହେଲେ ଗାଁକୁ ଯିବାକୁ । ରେଶମୀ ଲୁଗା, ନାଲି ଶଙ୍ଖା ଚୁଡି, ସବୁକିଛି କିଣିନେଇ ସହରରୁ ତଡିତ୍ ବେଗରେ ଯାଇ ପହଞ୍ଚିଗଲେ ଗାଁର ଶେଷ ମୁଣ୍ଡରେ ଥିବା ଦୀପାର ଘର ଦାଣ୍ଡରେ । 


 ଦୀପା କିନ୍ତୁ ପୁଲକିତ ହେଲାନି ଆଲୋକଙ୍କୁ ଦେଖି । ଦୀପାର ପ୍ରତିକ୍ରିୟା ହୀନ ଶାରୀରିକ ଭାଷା ପଢି ନେଇ ଆଲୋକ ବିସ୍ମୟ ହୋଇ ପଚାରିଲେ - ମୁଁ ସବୁଦିନ ପାଇଁ ତୋତେ ନିଜର କରି ନେବାକୁ ଆସିଛି, ଅଥଚ ତୁ ଖୁସି ନାହୁଁ । ତୋର କଣ ହୋଇଛି ?


-ଆମ ପ୍ରେମକୁ କବର ଦେଇ ତୁମେ ଫେରିଯାଅ । ମୋ ପାଖକୁ ତୁମେ କେବେ ବି ଆଉ ଆସିବନି । ଆମ ଦୁହିଁଙ୍କ ମିଳନ କଦାପି ସମ୍ଭବ ନୁହେଁ । ଦୀପା ଖୁବ୍ ନିଷ୍ଠୁର ହୋଇ କହିଲା । 


ଆଲୋକ ଖୁବ୍ ଚେଷ୍ଟା କରି ମଧ୍ୟ ଦୀପାକୁ ରାଜି କରାଇ ପାରି ନ ଥିଲେ । ଦୀପାର ନିଷ୍ପତ୍ତି ଏମିତି ହଠାତ୍ ବଦଳି ଯିବା ଖୁବ୍ ରହସ୍ୟମୟ ଲାଗିଲା ଆଲୋକଙ୍କୁ । 


କୋହାତୁର ହୋଇ ଆଲୋକ ଦୀପା ନିକଟରୁ ଶୂନ୍ୟ ହୃଦୟରେ ଫେରି ଆସିବା ପୂର୍ବରୁ ଶେଷଥର ପାଇଁ ପଚାରିଲେ- ନିର୍ଭେଜାଲ ପ୍ରେମକୁ ତୈଳକରି ତୁମେ ଆଜିଯାଏଁ ଦୀପ ପରି ଜଳି ଶୁଭ୍ର ଆଲୋକ ଦେଇଆସିଛ । ଅଥଚ ଆଜି ପ୍ରଥମଥର ପାଇଁ ଦୀପଟି ନୀରବରେ ଜଳୁଛି ସତ ହେଲେ ସଂପୂର୍ଣ୍ଣ ଜ୍ୟୋତିହୀନ । ଅପ୍ରତ୍ୟାଶିତ ଭାବେ ମୋ ପ୍ରେମକୁ ଏମିତି ପ୍ରତ୍ୟାଖାନ କରିବାର ଗୋପନ କାରଣଟି ନ ଜଣେଇଲେ ଚିରଦିନ ଏଇ ଆଲୋକ ଅନ୍ଧକାରର ବଳୟ ଭିତରେ ସୁକୁସୁକୁ ହେବ ନିଶ୍ଚୟ । ଆମ ପ୍ରେମରେ କାଣିଚାଏ ଯଦି ସତ୍ୟତା ଥାଏ, ତୁମଠୁ ବିଦାୟ ନେବା ପୂର୍ବରୁ ସେଇ କାରଣଟି ନିଶ୍ଚୟ ପ୍ରକାଶ କରିବ । 


ଦୀପା କହିଲା- କିଛି କଥା ନ ଜାଣିବା ହିଁ ଭଲ । କେବଳ ଏତିକି କହିପାରେ ଆମ ଦୁହିଁଙ୍କ ଭିତରେ ପ୍ରେମ ଓ ବିବାହ କେବଳ ଗୋଟିଏ ପାପ ହିଁ ହୋଇପାରେ । ଯେଉଁ ପାପ ଅନ୍ତତଃ ପକ୍ଷେ ମୁଁ ଜାଣି ଜାଣି କରି ପାରିବିନି କି ତୁମକୁ ସେ ପାପ କରିବାକୁ ଦେବିନି । 


ଦୀପାର ଏ କଥା ପଦିକ ସଦ୍ୟ ଅପସରି ଯାଇଥିବା ଝଡଠୁ ଅଧିକ ବେଗରେ ବାଡେଇ ହେଲା ଆଲୋକଙ୍କ ଦେହରେ । 

ଆହୁରି ଅଧିକ ରହସ୍ୟ ଭିତରକୁ ଟାଣି ହୋଇପଡିଲେ ସେ । ଯେଉଁ ପ୍ରେମ ପାଇଁ ପାଗଳିନୀ ହୋଇପଡୁଥିଲା, ଆଜି ସେ ପ୍ରେମକୁ ଦୀପା ପାପ କହୁଛି । ବିସ୍ମୟ ଓ ବିବଶତାରେ ଅଣନିଃଶ୍ୱାସୀ ହୋଇପଡି ପୁଣିଥରେ ଅନୁରୋଧ ପୂର୍ବକ ଆଲୋକ କହିଲେ - ଦୟାକରି ସବୁକଥା ଖୋଲିକି କୁହ । ଆମ ପ୍ରେମ ଅଚାନକ୍ ପାପ ହୋଇଗଲା କେମିତି । ଯଦି ମୋ ଦେଇ କିଛି ଭୁଲ ହୋଇ ଯାଇଥିବ ଉଦାର ହୃଦୟରେ ମୋତେ କ୍ଷମା କରିଦିଅ । ଅତି ସହଜରେ ଆମର ନିଷ୍କଳଙ୍କ ପ୍ରେମକୁ ପ୍ରତ୍ୟାଖାନ କରିଦେଇ ଗୋପନରେ ଜଳିବାକୁ ଚେଷ୍ଟା କରନା । 


ଏତେବଡ ବଳିଷ୍ଠ ପ୍ରଶାସନିକ ଅଧିକାରୀ ଅଥଚ ସାଧାରଣ ପ୍ରେମିକ ପରି ଦୀପା ଆଗରେ ନେହୁରା ହେଉଥିବାର ଦେଖି ଦୀପା ନିଜ କୋହକୁ ଆଉ ଅଟକାଇ ରଖି ପାରିଲାନି । 


ଆଲୋକର ପାଦ ତଳେ ପଡିଯାଇ ଦୀପା କହୁଥାଏ- ତୁମ ହାତରୁ ମୋ ମଥାରେ କେବେ ବି ସିନ୍ଦୂର ଲାଗିବନି କି ତୁମ ନାଁରେ ମୁଁ ଗଳାରେ କେବେ ବି ମଙ୍ଗଳ ସୂତ୍ର ପିନ୍ଧି ପାରିବିନି । କେବଳ ଭଉଣୀଟିଏ ହୋଇ ତୁମ ହାତରେ ରାକ୍ଷୀଟିଏ ବାନ୍ଧି ଭାଇ ବୋଲି ଡାକି ପାରିବି । ଏହାଠୁ ଅଧିକ ମୋ ଠୁ ଆଶା ରଖିବନି ।


ଭଉଣୀ....ଭାଇ..... ଏ କି ନୂଆ ସମ୍ପର୍କ । ବାଷ୍ପରୁଦ୍ଧ ହୋଇ ପଡୁଥିଲେ ଆଲୋକ । 


ହଁ ତୁମେ ମୋ ଭାଇ ...ଆଉ ମୁଁ ଏଣିକି ଦୀପା ନୁହଁ, ପଙ୍କରେ ଫୁଟିଥିବା ତୁମ ଅଘୋଷିତ ଭଉଣୀ । 


ଆଲୋକ କିଛି ବୁଝି ପାରୁନଥିଲେ ବଦଳୁଥିବା ସମ୍ପର୍କର ଇତିବୃତ୍ତ । 


ସମ୍ପର୍କସବୁ ଶବ୍ଦକୁ ନେଇ ଗଢି ଉଠିଥିଲେ ବି ବଦଳୁଥିବା ଭାବନା ଓ ସ୍ଥିତିକୁ ନେଇ ସମ୍ପର୍କ ବି ବଦଳେ । ଏକଥା ଠିକ୍ ଅନୁଭବ କରିପାରୁଥିଲେ ବି ଆଲୋକ ସହଜରେ ହଜମ କରି ପାରୁନଥିଲେ ଏତେଦିନ ଯାହାକୁ ପ୍ରେମିକାରୂପେ ଶୟନେ ସପନେ ଦେଖି ଆସୁଥିଲେ ତାହାକୁ ଅଚାନକ୍ ଭଉଣୀ ରୂପେ ଦେଖିବେ ବା କେମିତି । ଦୀପାକୁ ନେଇ ଦେଖିଥିବା ରଙ୍ଗୀନ ସ୍ୱପ୍ନସବୁକୁ ତତକ୍ଷଣାତ୍ ଭୁଲିଯିବା ତାଙ୍କ ପକ୍ଷରେ ଏତେ ସହଜ ନୁହଁ ।


ଦୀପା କିନ୍ତୁ ସ୍ଥିର ନିଶ୍ଚିତ ହୋଇ କହୁଥାଏ ଏ ସମ୍ପର୍କ ଭାଇ ଭଉଣୀ ବ୍ୟତିରେକ ଆଉ କିଛି ହୋଇ ପାରେନା । ଆଉ କିଛି ଭାବିବା ବି ପାପ !


ଏଇନେ ଯାଇଥିବା ଝଡ ଠାରୁ ଅଧିକ ବିଶାଳ ଓ ଭୟଙ୍କର, ଅନ୍ୟ ଏକ ଝଡ଼ ଆଜକୁ ଠିକ୍ ପଚିଶ ବର୍ଷ ତଳେ ଗାଁ ସମୁଦ୍ରକୁ କୋଳାଗ୍ରତ କରିଥିଲା । ସେତେବେଳେ ନା ଥିଲା କୌଣସି ନିରାପଦ ବାତ୍ୟା ଆଶ୍ରୟସ୍ଥଳୀ ନା ବଡ ବଡ କୋଠା । ଆଶ୍ରୟ ପାଇଁ ଏକମାତ୍ର ଭରସା ଥିଲା ଗାଁ ଜମିଦାରଙ୍କ ସୁଉଚ୍ଚ ଓ ସୁରମ୍ୟ ଅଟ୍ଟାଳିକା । ଝଡ଼ରେ ସର୍ବସ୍ୱ ଉଜାଡି ଦେଇଥିବା ଜଣେ ଅଳ୍ପ ବୟସ୍କା ବିଧବା ସ୍ତ୍ରୀ ଲୋକଟି ଟିକିଏ ସାହାରା ଖୋଜିଥିଲା ସେଇ ଜମିଦାରିଆ ମହଲରେ । ହେଲେ ସେ କି ଜାଣିଥିଲା ଝଡ ତୋଫାନରୁ ମୁକୁଳିବାକୁ ଯାଇ ନିଆଁର ଆଁରେ ପାଦ ଦେଇସାରିଛି । ଜମିଦାରଙ୍କ ଦେହର ନିଆଁରେ ସେଇ ଝଡର ବର୍ଷାଭିଜା କରାଳ ରାତ୍ରିରେ କରୁଣୀୟ ହୋଇ ଜଳିଥିଲା ସେ ସ୍ତ୍ରୀ ଲୋକଟିର ସମ୍ପୂର୍ଣ୍ଣ ଶରୀର । ତାର ସବୁ ପ୍ରତିବାଦର ସ୍ୱର, ଆକୁଳ ଚିତ୍କାର ସେଇ କଳଙ୍କିତ ଅନ୍ଧାରରେ ଦୂରକୁ ଉଡିଯାଇ ପବନର ସୁଁ ସୁଁ ଗର୍ଜନ ଭିତରେ ମିଶିଗଲା । ସବୁ ଚିହ୍ନବର୍ଣ୍ଣ ଲିଭିଗଲା ସମୁଦ୍ର ତଟରେ ବାଲିରେ ଅଙ୍କା ଅନାବନା ଚିତ୍ରରେଖା ପରି । କେଇଟା ଦିନରେ ସେଇ କାଳରାତ୍ରୀର ସନ୍ତକ ରୂପେ ସ୍ତ୍ରୀ ଲୋକଟି ଜନ୍ମ ଦେଲା ଗୋଟିଏ ଅବାଞ୍ଛିତ ଶିଶୁକନ୍ୟା । ଜମିଦାରଙ୍କ କଡା ହୁକୁମ୍ ଏ କଥା ବାହାରେ ପ୍ରଘଟ ନ କରିବାକୁ । ଅବଶ୍ୟ ଘର ଚଳାଇବାକୁ କିଛି ସାହାଯ୍ୟ ଓ ଅନୁକମ୍ପା ପ୍ରଦାନ କରି ସମ୍ପୂର୍ଣ୍ଣ ଚୁପ୍ କରାଇଦେବାକୁ ସମର୍ଥ ହେଲେ ସେ । ବିଚରା ସେଇ ସ୍ତ୍ରୀ ଲୋକଟି ନାଚାର୍ । ପ୍ରତିବାଦ କି ସଂଘର୍ଷ କରିବାକୁ ତା ପାଖରେ ନା ଥିଲା ମନୋବଳ ନା ସାହସ । ଝିଅଟିର ଭବିଷ୍ୟତ ପାଇଁ ହସିହସି ପିଇଦେଇଗଲା ସମୁଦ୍ରେ ଲୁହକୁ । ସବୁଦିନ ପାଇଁ ଏଇ ଗୁପ୍ତକଥାକୁ ହୃଦୟରେ ଲୁଚାଇ ରଖିବାକୁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ।


ଏଇ ଗୁପ୍ତ ସମ୍ପର୍କର ଗୋପନ କଥା ଗୁପ୍ତ ହୋଇ ରହିଯାଇ ଥାଆନ୍ତା ସବୁଦିନ ପାଇଁ । କେହି ହୁଏତ ଏ କଥାର ଟେର୍ ପାଅନ୍ତେ ନାହିଁ, ଯଦି ଘଟଣାକ୍ରମେ ଶିଶୁକନ୍ୟାଟି ବଡ ହୋଇ ସେଇ ଜମିଦାରଙ୍କ ପୁଅକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହେବାର ସ୍ୱପ୍ନ ନ ଦେଖନ୍ତା । 

ମାଆ ମରଣବେଳେ ଶେଷ ଶଯ୍ୟାରେ ଏକଥା ପ୍ରଘଟ କରିନଥିଲେ ହୁଏତ ଅଜାଣତରେ ପାପ ସମ୍ପର୍କରେ ବାନ୍ଧି ହୋଇ ପଡନ୍ତେ ଦୁଇଟି ପବିତ୍ର ଆତ୍ମା ।


ଆଲୋକବାବୁଙ୍କୁ ଆଉ ବୁଝିବାକୁ କଷ୍ଟ ହେଲାନି ସମସ୍ତ ଘଟଣା । ସେ ଜମିଦାର୍, ସେ ବିଧବା ସ୍ତ୍ରୀ ଆଉ ଶିଶୁକନ୍ୟା ସମସ୍ତଙ୍କ ପରିଚୟ ଖୋଜିବାକୁ ବେଶି ସମୟ ଲାଗିଲାନି ତାଙ୍କୁ । ଦୀପା ଆଉ ସେ ଗୋଟିଏ ରକ୍ତର । ଏକଥା ଜାଣି ଖୁସିରେ ହସିବେ କି କାନ୍ଦିବେ ଜାଣି ପାରୁ ନ ଥିଲେ ସେ । ଅନୁମାନ କରି ପାରୁଥିଲେ ଦୀପା ସହ ତାଙ୍କ ସମ୍ପର୍କକୁ ବାପା କାହିଁକି ଦୃଢ଼ ପ୍ରତିବାଦ କରି ଆସୁଥିଲେ । ଖୁବ୍ ବିବଶ ହୋଇ ପଡୁଥିଲେ ସେ ।


ଝଡ ବତାସକୁ ସିନା ସେ ସଫଳଭାବେ ମୁକାବିଲା କରି ଫେରିଛନ୍ତି ହେଲେ ଦୀପା ଆଉ ତାଙ୍କ ପ୍ରେମ ସମ୍ପର୍କର, ଦୀପାର ଜନ୍ମ ଲଗ୍ନର ଯେଉଁ ସବୁ ଝଡ ସୃଷ୍ଟି ହୋଇଛି ତାହାକୁ ସେ କେମିତି ମୁକାବିଲା କରିବେ କୌଣସି ସୂତ୍ର ଖୋଜି ପାଇ ପାରୁ ନ ଥିଲେ ଆଲୋକ । 


 ତାଙ୍କ ପାଦ ତଳର ମାଟି ଖସି ଯିବା ସହିତ ସମସ୍ତ ଚିନ୍ତା ଚେତନା ଶୂନ୍ୟ ହୋଇ ଗଭୀର ଗର୍ତ୍ତରେ ଲୀନ ହୋଇ ପଡୁଥିଲା ଯେମିତି । 

ଝଡ ପରର ଆକାଶ ନୀଳାଭ ଦେଖାଗଲା । ପବନର ସୁଁ ସୁଁ ଗର୍ଜନ ଥମିଗଲା କେତେବେଳ ଠୁଁ । ସମୁଦ୍ରର ଜୁଆର ଖୁବ୍ ଶାନ୍ତ ହୋଇ ମଥା ପିଟୁଥିଲା ଆସ୍ତେକରି । ଝଡରୁ ବଞ୍ଚି ଯାଇଥିବା ନିରୀହ ପକ୍ଷୀ ଦୁଇଟି ପର ଝାଡି ଫଡ୍ ଫଡ୍ ହୋଇ ଉଡିବାକୁ ଚେଷ୍ଟା କରୁଥିଲେ । ନଇଁ ପଡିଥିବା ଝାଉଁ ବଣ ସଳଖି ହୋଇ ନୂଆ ସକାଳର କଅଁଳ ଖରାରେ ଉର୍ଜା ସାଉଁଟୁ ଥିଲା । 


ଆଲୋକ ଓ ଦୀପା ! ସେ ଦୁହେଁ ବି ନିଜନିଜକୁ ଝାଡିଝୁଡି ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିଲେ ନୂଆ ସମ୍ପର୍କରେ ପବିତ୍ରତା ଭରିଦେଇ ନୂଆ ଅଧ୍ୟାୟଟେ ଆରମ୍ଭ କରିବାକୁ । ଯେଉଁ ଅଧ୍ୟାୟରେ ଖାଲି ଲେଖା ଥିବ ଜଣେ ଭାଇ ଓ ଜଣେ ଅଘୋଷିତ ଭଉଣୀର ସ୍ନେହ ସରାଗ ଭରା ଅମ୍ଲାନ କାହାଣୀ । ଦୁହିଁଙ୍କ ସମ୍ପର୍କର ଏଇ ନିସ୍ତବ୍ଧ ଝଡ଼ ଧୀରେ ଧୀରେ ଚିର ପ୍ରଶାନ୍ତି ଆଡକୁ ଆଦିଗନ୍ତ ପ୍ରସାରିତ ହେଉଥିଲା ।



Rate this content
Log in

Similar oriya story from Romance