STORYMIRROR

Bimala Sankar Dash

Inspirational

4  

Bimala Sankar Dash

Inspirational

ଶୀତ

ଶୀତ

3 mins
361


   

ପାହାଡ ଜଙ୍ଗଲ ଘେରା ଗାଁଟିକୁ ଶୀଘ୍ର ଶୀତ ଛୁଇଁ ଯାଏ । ପାହାଡ ଅଗରେ ଅଳସଭାଙ୍ଗେ ଶୀତ, କୋହଲିଆ ପବନରେ ଜଙ୍ଗଲ ଥରି ଉଠେ, ବରଫପାତରେ ଘୋଡି ହୋଇଯାଏ ଗଛର ଫୁଲ- ଫଳ-ପତ୍ର, ତା'ସହ ଶୀତ ପଶିଲେ ବଦଳିଯାଏ ଗାଁ ଟିର ଚିତ୍ର !


      ସେଇ ଗାଁକୁ ଶୀତ ଆସିଲେ ସବୁଠୁ ବେଶି ପ୍ରଭାବିତ ପଟ୍ଟିବୁଢୀର ଭଙ୍ଗା ଝୁମ୍ପୁଡି । ଏମିତି ଏକ ଶୀତରେ ସଂଜ ଗଡୁଗଡୁ ତାଟିକବାଟ ଜାକି ଦେଇ ଗୋଟିଏ ବଖରା ବିଶିଷ୍ଟ ସେଇ ଝୁମ୍ପୁଡିଟିରେ ଭିଡିମୋଡି ଶୋଇବାକୁ ଚେଷ୍ଟା କରେ ପଟ୍ଟିବୁଢୀ । ପୁରୁଣା କମ୍ବଳଟି କୁତୁରା ହୋଇ ନଷ୍ଟ ହୋଇ ସାରିଛି କେଉଁ ଦିନରୁ । ଉପାୟଶୂନ୍ୟ ହୋଇ ପତଳା ଲୁଗା ଖଣ୍ଡିକୁ ଦେହରେ ଢାଙ୍କିବା ସାର ହେଲା । ଥଣ୍ଡା ପବନ ପତଳା ଲୁଗା ଭିତର ଦେଇ ପଟ୍ଟିବୁଢୀର ପିଞ୍ଜରାହାଡ ଥରେଇ ଦେଉଥାଏ ରାତିସାରା । ରାତି ସରିଗଲା ସିନା ଶୀତରୁ ନା ତାକୁ ନିସ୍ତାର ମିଳିଲା ନା  ଭଲ ନିଦ ହେଲା ।  


ପଟ୍ଟିବୁଢୀ ଚିନ୍ତା କଲା ରାତି ସରିଲେ ବଡରଇତ ଘରକୁ ଯାଇ ପୁରୁଣା ସାଲ୍ କି ଚଦର ଗୋଟେ ମାଗି ଆଣିବ । ବଡ ରଇତଙ୍କ ସବୁ ପିଲାକୁ ସେ ବିନା ବର୍ତ୍ତନରେ ତେଲ ହଳଦୀ ଲଗାଇ ନିଆଁରେ ସେକାସେକି କରି ଏଡିକିରୁ ଏଡେ କରିଛି । ଆଦରରେ ସେମାନେ ତାକୁ ସେକା ମାଁ ବୋଲି ଡାକନ୍ତି । ସାଲ୍ କି ଚାଦର ସେମାନଙ୍କ ପାଇଁ କଉ ବଡ କଥା ଯେ ଦେବାକୁ ମନା କରିବେ । ଏହାଛଡା ପ୍ରତିବର୍ଷ ତାଙ୍କଠୁ ପୁରୁଣା କମ୍ବଳ ଖଣ୍ଡେ ମିଳିଯାଏ । ଏଇ ଆଶା ନେଇ ସକାଳୁ ସକାଳୁ ରଇତଘର ମୁହାଁ ହେଲା ସେ । 


ଏତେ ସକାଳୁ ବୁଢୀକୁ ଦେଖି ସାମାନ୍ୟ ବିରକ୍ତ ହେଲେ ବଡ ରଇତ । ସେ ଠିକ୍ ଜାଣିଥିଲେ କିଛି ମାଗିବାର ନ ଥିଲେ ବୁଢୀ ତାଙ୍କ ଦାଣ୍ଡ ପିଣ୍ଢା ମାଡେନି ।   

ଆଗ୍ରହହୀନ ଭାବେ ପଚାରିଲେ- କ'ଣ ଦରକାର ତୋ'ର ? 


- ପୁରୁଣା ସାଲ୍ କି ଚଦର ଗୁଟେ ଥିଲେ ଦେ ବାବୁ । ଗଲା ବରଷ ଦେଇଥିଲୁ ଯେ ପୁରା କୁତୁରା ହୋଇ ଚିରିଗଲା । ଏଥର ଶୀତରେ ସେଇଟା କିଛି କାମକୁ ନୁହଁ ।


- ଓଃ ହୋ ! ଏଇ କଥା । ସବୁ ବର୍ଷ ତ ମୋ ପାଖରୁ ପୁରୁଣା କମ୍ବଳ ଗୋଟେ ନେଉ । ଏ ବର୍ଷ ବି ନିଶ୍ଚୟ ନେବୁ । ହେଲେ ଶୀତ ଲୁଗାପଟା ସବୁ ବୁଜୁଳା ହୋଇ ମେର୍ଦାରେ ପଡିଛି । ଆଜି ସେସବୁ ଫିଟାଯିବ । ତୋ ପାଇଁ ସେଥିରୁ ଗୋଟେ କାଲି ସକାଳୁ ତୋ ଘରେ ଦେଇ ଆସିବି । ତୁ ଏଥର ଯା । 


ବଡ ରଇତଙ୍କ ପ୍ରତିଶ୍ରୁତି ଶୁଣି ଖୁସି ମନରେ ବୁଢୀ ତା' ଝୁମ୍ପୁଡିକୁ ଫେରି ଆସିଲା । ତଥାପି ତା' ମନରେ ଚିନ୍ତା ଥାଏ ଆଉ ଗୋଟେ ଶୀତୁଆ ରାତିକୁ କେମିତି କାଟିବ ସେ । ଏମିତି ଚିନ୍ତା କରୁ କରୁ ତା' ଆଖିକୁ ଦେଖାଗଲା ଭଙ୍ଗା ଉମ୍ଭେଇ । 

ରାତିର ଶୀତ ଦି ପହରଠୁ ତା ମନକୁ ଘାରିଲା । ସଂଜ ଆସୁ ଆସୁ ଭଙ୍ଗା ଉମ୍ଭେଇ ସଜାଡିବାକୁ ସେ ତର ପାଉ ନ ଥିଲା । ରାତି ପାଇଁ ଝୁରି ଡାଙ୍ଗ ବି ଗଦା କରି ରଖିଲା । ଭାବୁଥିଲା ଉମ୍ଭେଇଟିକୁ ଖଟ ତଳେ ରଖିଦେଲେ ଉଷୁମ ଆଉ ଉଷୁମ । ଭଲ ନିଦ ହୋଇଯିବ ରାତିରେ ।  


ଗଲା ରାତି ଠାରୁ ଏ ରାତିରେ ପ୍ରବଳ ଜାଡ଼ । ପୂର୍ବ ପ୍ରସ୍ତୁତି ମୁତାବକ ବୁଢୀ ଉମ୍ଭେଇ ନିଆଁକୁ ଟିକେ ଫୁଙ୍କି ଖଟତଳେ ଜାକି ଦେଲା । ବାସ୍ ଏଇ ଗୋଟିଏ ରାତି , ସକାଳ ପାହିଲେ ରଇତବାବୁଙ୍କ ଠୁ କମ୍ବଳ ଗୋଟେ ମିଳିଗଲେ ଏଥରକ ଶୀତ ସରିଯିବ । ନିଶ୍ଚିନ୍ତ ହୋଇ ଶୋଇ ପଡିଲା ସେ ଦଉଡି ଖଟ ଉପରେ । 


ପୁରା ଗାଁ ଟି ସେଇ ରାତିରେ ପ୍ରବଳ ଜାଡ଼ରେ ଥରୁଥାଏ । ପାହାଡ- ଜଙ୍ଗଲ-ଗଛପତ୍ର ସବୁ ବରଫ ଚାଦରରେ ଢାଙ୍କି ହୋଇଥିଲେ ଯେମିତି । ପଟ୍ଟିବୁଢୀର ଝୁମ୍ପୁଡି କିନ୍ତୁ ଉମ୍ଭେଇ ନିଆଁରେ ଖୁବ୍ ଉତ୍ତପ୍ତ ହୋଇ ଜଳୁଥାଏ, ଶୀତେଇ ପବନର ସୁଁ ସୁଁ ଗର୍ଜନରେ । ଆଂଶିକ ନିବୁଜ ଝୁମ୍ପୁଡିରେ ଗାଢ଼ ଶୀତରୁ ମୁକୁଳିବାକୁ ସେଇ ନିଆଁରେ ସେକା ମାଁ ବି ନିଜ ଦେହକୁ ଶେଷଥର ପାଇଁ ସେକୁ ଥିଲା ଆସ୍ତେ ଆସ୍ତେ । 

 

ରାତି ପାହୁ ପାହୁ ପଟ୍ଟିବୁଢୀର ଦାଣ୍ଡରେ ଗଣ୍ଡାଏ ଲୋକ । କେହି ଝୁମ୍ପୁଡି ଭିତରକୁ ଯିବାକୁ ସାହସ କରି ପାରୁ ନଥିଲେ । ବଡ ରଇତ ବି ପୁରୁଣା କମ୍ବଳ ଧରି ଠିଆ ହୋଇ ରହି ଥାଆନ୍ତି ସେଇ ଝୁମ୍ପୁଡି ଆଗରେ । କେହିଜଣେ ପାଣି ଢାଳି ଝୁମ୍ପୁଡିରୁ ଉଦ୍ଧାର କଲା ପଟ୍ଟିବୁଢୀର ନିସ୍ତେଜ ଶରୀରକୁ । ବଡ ରଇତ ସେଇ ଅର୍ଦ୍ଧ ଦଗ୍ଧ ମୁକୁଳା ଶରୀର ଉପରେ କମ୍ବଳଟିକୁ ଢାଙ୍କି ଦେଉଥିବା ବେଳେ କୋହାତୁର ହୋଇ ମନକୁ ମନ କହୁଥିଲେ ସେକା ମାଁ ଶେଷରେ ନିଜକୁ ନିଆଁରେ ସେକି ହୋଇ ସବୁଦିନ ପାଇଁ ଏ ଶୀତକୁ ହରାଇ ଦେଇଛି । 


     ସେଦିନ ପରଠୁ ପଟ୍ଟିବୁଢୀର ସେଇ ଉମ୍ଭେଇ ନିଆଁର ଝାସରେ ବଡରଇତ ପ୍ରତିଟି ଶୀତରେ ଏମିତି ଜଳୁଥିଲେ ଯେ, ଏଣିକି ଗାଁରେ ଶୀତ ନ ପଶୁଣୁ ଗରିବ ଗୁରୁବା ଲୋକଙ୍କୁ ସେ ଆଗତୁରା କମ୍ବଳ ବାଣ୍ଟିଦେବା ସହ ଉହ୍ମେଇନିଆଁ ଓ ସେକା ମାଁ କଥା କହିବାକୁ କେବେ ବି ଭୁଲୁ ନ ଥିଲେ । 



Rate this content
Log in

Similar oriya story from Inspirational