ଲୋଏର୍ ବର୍ଥ
ଲୋଏର୍ ବର୍ଥ
ରାତି ନଅ କି ଦଶରୁ ସକାଳ ଛଅ ଅନୁମୋଦିତ ଶୋଇବା ସମୟ । ସ୍ଲିପର୍ କୋଚରେ । ସମୟ ରାତି ଦଶଟା ପରେ ଉପର, ମଝି, ତଳ ତିନିଥାକିଆ ବର୍ଥ ସବୁ ଉପରକୁ ଉପରକୁ ଝୁଲୁଥାଏ । ସେଥିରେ ଆଉ ବସି ହୋଇ ପାରେନା ଦଶଟା ପରେ । କେତେ ସମୟ ବା କେହି ଅଣ୍ଟା ବଙ୍କାଇ ମୁଣ୍ଡ ଝୁକାଇ ବସି ପାରିବ । ସାଇଡ୍ ବର୍ଥ ଗୁଡିକରେ ଅବଶ୍ୟ ବସି ହୁଏ ।
ବିବେକ୍ ବାବୁ ବସିଥିଲେ ସ୍ଲିପର୍ କୋଚରେ । ବାବୁଜଣଙ୍କ ଖୁବ୍ ଡେରିରେ ଶୁଅନ୍ତି । ସହଜରେ ବାରଟା ନ ବାଜିଲେ ଆଖିକୁ ନିଦ ଆସେନି ତାଙ୍କର । ଜଣେ କବି ଓ ଗାଳ୍ପିକ ବୋଲି ନୁହଁ, ଛାତ୍ର ସମୟରୁ ଡେରିରେ ଶୋଇବା ତାଙ୍କ ଅଭ୍ୟାସ । ଏଇନା ସାହିତ୍ୟରେ ଖୁବ୍ ଜୋରରେ ମନ ବଳାଇ ଥିବାରୁ, ଶୋଇବା ସମୟ ଆହୁରି ବିଳମ୍ବ ହୋଇଯାଇଛି । ଏଥି ସକାଶେ କେବେ ଟ୍ରେନରେ ଯାତ୍ରା କଲାବେଳେ ବହୁତ ଆଗରୁ ଟିକେଟ୍ ସଂଗ୍ରହ କରିନିଅନ୍ତି । ପ୍ରାୟତଃ ସାଇଡ୍ ଲୋଏର୍ ମିଳିଯାଏ । ଯଦି ଦୈବାତ ସାଇଡ୍ ଲୋଏର୍ ନ ମିଳେ ସିଟ୍ ଅଦଳ ବଦଳ କରିବାକୁ ଉପାୟ ଜୁଟାନ୍ତି । ଆର ଲୋକକୁ କଥାବାର୍ତ୍ତାରେ ପ୍ରଭାବିତ କରି ସାଇଡ୍ ଲୋଏର୍ ହାତେଇ ଦିଅନ୍ତି ।
ଏମିତି ହିଁ ସେଦିନ ଧର୍ମ ପତ୍ନୀ ମାନସୀ ଓ ଝିଅ ପ୍ରଜ୍ଞାକୁ ନେଇ ସପରିବାର ଏକ୍ସମାସ୍ ଛୁଟିରେ ବିବେକ୍ ବାବୁ ଟ୍ରେନ୍ ଯୋଗେ ପୁରୀ ଅଭିମୁଖେ ବାହାରିଥାଆନ୍ତି । ଢେର୍ ଦିନ ଆଗରୁ ଯୋଜନାପ୍ରସ୍ତୁତ କରି ରଖିଥିବାରୁ ତିନୋଟି ଲୋଏର୍ ବର୍ଥ ମିଳିଯାଇଥିଲା । କହିବା ଆବଶ୍ୟକ ନାହିଁ ଯେ ସାଇଡ୍ ଲୋଏର୍ ବିବେକବାବୁଙ୍କ ନିଶ୍ଚୟ ।
ନିଜ ବର୍ଥରେ ବସି ମୋବାଇଲରେ କଣ ସବୁ ଲେଖିବାରେ ବ୍ୟସ୍ତ ଥାଆନ୍ତି ସେ ।
ଏ ସମୟରେ ମାନସୀ ମିଡିଲ୍ ବର୍ଥର ଜଣେ ମହିଳାଙ୍କ ସହ ଯୁକ୍ତି କରୁଥିବାର ଶୁଣି ସେ ଆଡକୁ ଧ୍ୟାନ ଦେଇ ପରିସ୍ଥିତି କ'ଣ ହୋଇଛି ଜାଣିବାକୁ ଚେଷ୍ଟା କଲେ ।
ମହିଳା ଜଣକ ସିଟ୍ ଉପରକୁ ଉଠାଇବାକୁ କୁନ୍ଥୁ କୁନ୍ଥୁ ହୋଇ ବିତଣ୍ଡା ଯୁକ୍ତି ବାଢୁଥିଲେ । ମାନସୀ କହୁଥାଏ- ଆପଣ ଉପରକୁ ଉଠିଲେ ମୁଁ ଶୋଇବି । ଘଣ୍ଟାରେ ଦଶ ବାଜିଲାଣି । ଏହା ଅନୁମୋଦିତ ଶୋଇବା ସମୟ ।
ତଥାପି ମହିଳାଜଣକ ତଳ ବର୍ଥରେ ସେମିତି ହିଁ ବସି ରହି ଥାଆନ୍ତି ।
ମହିଳା ହୋଇଥିବାରୁ ଭଦ୍ରାମୀ ଦୃଷ୍ଟିରୁ ବିବେକ୍ ବାବୁ ନୀରବ ରହି ସବୁ ଲକ୍ଷ୍ୟ କରୁଥାଆନ୍ତି ।
ମାନସୀ ଚିଡି ଯାଇ କହିଲା- ତମେ କଣ ହେ, ଦାରୁବ୍ରହ୍ମ ମୁରାରୀ ସାଜି ବସି ରହିଛ । କିଛି କହୁନ ଯେ ।
ପରିସ୍ଥିତିକୁ ଟିକେ ଆୟତ୍ତ କରିବାକୁ ସେ ସମାଧାନ ପୂର୍ବକ କହିଲେ-ଗୋଟିଏ କାମ କର ମାନସୀ । ତମେ ମୋ ସିଟରେ ଶୋଇପଡ । ମୁଁ ତମ ସିଟ୍ ରେ ସେଇ ମହିଳାଙ୍କ ସହ ବସିଯିବି । ଏମିତିରେ ମୋତେ ବି ଏତେ ଶୀଘ୍ର ନିଦ ଆସି ନ ପାରେ ...
ଚିହିଁକି ଉଠି ମାନସୀ କହିଲା- କଣ କହିଲ ତମେ ସେ ମହିଳା ପାଖରେ ବସିବ । କାହିଁକି ବା । ସିଟ୍ ତ ଆମର, ସେ ତାଙ୍କ ସିଟରେ ବସନ୍ତୁ ।
ମାନସୀ ତୁଳନାରେ କମ୍ ହେଲେ ବି ମହିଳା ଜଣକ ଦେଖିବାକୁ ଟିକେ ଆକର୍ଷଣୀୟ । ହୁଏତ ସେଇଥିପାଇଁ ମାନସୀ ଚାହୁଁ ନ ଥିଲା ସେହି ମହିଳାଙ୍କ ପାଖରେ ତାଙ୍କ ସ୍ୱାମୀ ବସନ୍ତୁ । ଏହାକୁ ଈର୍ଷା ବା ପ୍ରେମ କୁହାଯାଇ ପାରେ ।
ଶେଷରେ ବିବେକବାବୁ ଘଟଣାଟିରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଲେ ।
ଅତି ଭଦ୍ରୋଚିତ ଢଙ୍ଗରେ ମହିଳା ଜଣକୁ ଅନୁରୋଧ କଲେ- ମାଡାମ୍ ସିଟ୍ ଉପରକୁ ଉଠାଇ ନେଇ ଆପଣଙ୍କ ସିଟ୍ ରେ ଶୋଇ ଯାଆନ୍ତୁ ।
ବିବେକଙ୍କ ନମ୍ର ବଚନ ଶୁଣି ମହିଳା ଜଣକ ଏକାବେଳକେ ଶାନ୍ତ ପଡିଯାଇ କହିଲେ- ସାର୍ ଖରାପ ଭାବନ୍ତୁନି । ମୁଁ ଶୀଘ୍ର ଶୋଇ ପାରେନି । କିଛି ଦିନ ହେଲା ମୁଁ ନିଦ୍ରାହୀନତାର ଶିକାର । ମଝି ବର୍ଥ ରେ ବସି ହେବନି । ଏଣୁ ଜାଣିଶୁଣି ମାଡାମ୍ ଙ୍କ ସହ ଯୁକ୍ତି କରୁଥିଲି । ଦୟାକରି ଖରାପ ଭାବିବେନି ।
ବେନିଜନେ ସମଦଶା । ଏଇ ମର୍ମରେ ବିବେକ ବାବୁ ରାତିରେ ନିଦ ନ ଲାଗି ଛଟପଟ ହେବାର କଷ୍ଟଟିକୁ ସେ ଭୁକ୍ତଭୋଗୀ । ଏଣୁ ମହିଳାଙ୍କ ପ୍ରତି ସାମାନ୍ୟ ସହାନୁଭୂତି ଜନ୍ମିବା ସ୍ୱାଭାବିକ ।
ମହିଳାଙ୍କ କଥା ଶୁଣି ମାନସୀ ବି ଟିକେ ଶାନ୍ତ ପଡି ଯାଇଥିଲେ ।
ଥଟ୍ଟା କରି କହିଲେ- ତମେ ତ ରାତ୍ରିଚର ପ୍ରାଣୀ । ତମ ସିଟ୍ ରେ ଯଦି ମାଡାମ୍ ଆଡଜଷ୍ଟ୍ ହୋଇ ବସି ପାରିବେ ମୋର ଆପତ୍ତି ନାହିଁ । ମୁଁ କିନ୍ତୁ ଶୋଇବି....
ମହିଳାଜଣକ ବିବେକ୍ ବାବୁଙ୍କ ସିଟର ଆର କଡରେ ମୁହାଁମୁହିଁ ହୋଇ ଲଥ୍ କରି ବସିଗଲେ ।
ଅନ୍ଧାର କାଟି ଝୁକ୍ ଝୁକ୍ ହୋଇ କିଛି ସମୟ ଟ୍ରେନ୍ କ୍ଷୀପ୍ର ବେଗରେ ଆଗକୁ ଗଡିବା ପରେ ଏକ ଷ୍ଟେସନରେ ଯାଇ ଗାଡି ଅଟକିଲା । ସେଇଠି ଇଂଜିନ୍ ବଦଳେ, ଏଣୁ କୋଡିଏ ମିନିଟ୍ ଟ୍ରେନ୍ ଅଟକେ ।
ସାର୍ ଯଦି କିଛି ଖରାପ ନ ଭାବନ୍ତି- ଟିକେ ଗୋଡ ଲମ୍ବାଇ ବସିଥାଆନ୍ତି, ମୋର ପ୍ରବଳ ଆଣ୍ଠୁ ଦରଜ ।
ଠିକ୍ ଅଛି !- କହି ବିବେକ୍ ବାବୁ ପ୍ଲାଟଫର୍ମରେ ଓହ୍ଲାଇ କପେ କଫି ପିଇଲେ । କଫି ପିଇ କୋଚ୍ ରେ ପହଞ୍ଚିଲା ବେଳକୁ ମାଡାମ୍ ଘୁଙ୍ଗୁଡ଼ି ମାରି ଶୋଇଛନ୍ତି ।
ମାଡାମ୍.. ଓ ମାଡାମ୍... କହି ଯେତେ ଡାକିଲେ ବି ସେ ଉଁ କି ଚୁଁ କରୁ ନ ଥାଆନ୍ତି ।
ଅଗତ୍ୟା ମାନସୀଙ୍କ ଗୋଡ ପାଖରେ ଜାକିଜୁକି ହୋଇ ବସିବାକୁ ବାଧ୍ୟ ହେଲେ ।
ଟ୍ରେନ୍ ବେଗରେ ଘୁଙ୍ଗୁଡ଼ିର ଶବ୍ଦ କାନକୁ ଠାଏଁ ଠାଏଁ ବାଜୁଥିଲା ।
ଏ କି ବିଚିତ୍ର ନିଦ୍ରାହୀନତା !
ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ବୋକା ବନିଗଲେ ଏ କଥା ଅନୁଭବିବାକୁ ଆଉ ବାକି ନ ଥାଏ ତାଙ୍କର ।
ଏପଟେ ଉପର ବର୍ଥର ଜଣେ ମାଆ, ବର୍ଥ ଖାଲିଥିବା ଦେଖି ତାଙ୍କ ପାଞ୍ଚ ଛଅ ବର୍ଷର ପୁଅକୁ ମଝି ବର୍ଥରେ ଶୁଆଇ ସାରି ଥାଆନ୍ତି ।
ମାନବିକତା ଦୃଷ୍ଟିରୁ ଛୋଟ ଛୁଆକୁ ଉଠାଇବାକୁ ଚାହିଁଲେନି । ସାରା ରାତି ଅନିଦ୍ରାରେ କଟିଥିଲା ବିବେକ ବାବୁଙ୍କ ।
ସକାଳୁ ନିଦ ଭାଙ୍ଗିବା ପରେ ସ୍ମିତ ହାସ୍ୟ ପୂର୍ବକ ଶୁଭସକାଳ ଜଣାଇ ମହିଳାଜଣକ ବିବେକ୍ ବାବୁଙ୍କ ଉଦ୍ଦେଶ୍ୟରେ କହିଲେ - କଥା କଣ କି ସାର୍, ଲୋଏର୍ ସିଟ୍ ନ ହେଲେ ମୁଁ କେବେ ଟ୍ରେନ୍ ଯାତ୍ରା କରେନି, ଜରୁରୀ ଥିଲା ବୋଲି ଆସିବାକୁ ପଡିଲା । ଯାହା ହେଉ ଆପଣ ଥିଲେ ବୋଲି ଯାତ୍ରାଟି ସୁଖମୟ ହେଲା ... ଧନ୍ୟବାଦ ଆପଣଙ୍କୁ ।
ବିବେକ୍ ବାବୁ କିଛି ପ୍ରତ୍ୟୁତ୍ତର ନ ଦେଇ ପ୍ରସ୍ତୁତ ହେଉଥିଲେ ନିଜ ଷ୍ଟେସନ୍ ରେ ଓହ୍ଲାଇବାକୁ .....
ତାଙ୍କର ଗୋଟି ଗୋଟି ମନେ ପଡି ଯାଉଥାଏ ସାଇଡ୍ ଲୋଏର୍ ବର୍ଥ ଯାତ୍ରୀଙ୍କୁ ସେ କିପରି କଥାରେ ଭୁଲାଇ ନିଜ କବ୍ଜାରେ ପକାଇ ଦେଇ ପାରୁଥିଲେ ।
ଆଜି ପ୍ରଥମ କରି ନିଜେ କାହା କବ୍ଜାରେ ପଡିଗଲେ, ଏ କଥା ଚିନ୍ତା କରି ବୋକାଙ୍କ ପରି ମନେ ମନେ ହସୁଥିଲେ ସିନା ମହିଳାଙ୍କୁ କିଛି ପ୍ରତ୍ୟୁତ୍ତର ଦେଇ ପାରୁ ନ ଥିଲେ ସେ......!!!!